‘ଭଉଣୀ ହେଉ ନିର୍ଭୟ, ସମାଜ ହେଉ ନିଶାମୁକ୍ତ, ଓଡ଼ିଆ ଜାତି ହେଉ ଗର୍ବିତ।’
ଏହା ‌େହଉ ରାକ୍ଷୀ ପୂର୍ଣ୍ଣିମାରେ ‘ନିଶା ନିବାରଣ ବ୍ରତ ଅଭିଯାନ’ର ବାର୍ତ୍ତା। ଲକ୍ଷେ ଝିଅ ରାକ୍ଷୀ ବାନ୍ଧିବେ; ନିଶା ନିବାରଣ ବ୍ରତ ପାଳିବେ। ଆମ ଉତ୍କଳୀୟ ପରମ୍ପରାରେ ମମତାମୟୀ ମା’ ଓ ଭଉଣୀମାନେ ସ୍ବାମୀ, ପୁଅ, ଭାଇ ଓ ସନ୍ତାନସନ୍ତତି ଆଦି ପରିବାରର ସଦସ୍ୟମାନଙ୍କର ମଙ୍ଗଳ କାମନା କରି ବର୍ଷବ୍ୟାପୀ କେତେ କେତେ ଓଷାବ୍ରତ ପାଳନ କରନ୍ତି। ଯେମିତି ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ, ଗୃହର ଶ୍ରୀବୃଦ୍ଧି ପାଇଁ ସୁଦଶା ବ୍ରତ, ପଶ୍ଚିମ ଓଡ଼ିଶାର ମହାନ ପରମ୍ପରାରେ ଭାଇର ସର୍ବଶୁଭ କାମନା କରି ଭଉଣୀମାନେ ପାଳନ କରନ୍ତି ଭାଇ ଜିଉଁତିଆ ବ୍ରତ ଇତ୍ୟାଦି। ଅଥଚ, ଆଜିର ସମାଜରେ ଏ ସବୁ ବ୍ରତ ତା’ର ଗୁରୁତ୍ବ ସେତେବେଳେ ହରାଏ, ଯେତେବେଳେ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟର ବହୁଳ ପ୍ରସାର ବ୍ୟକ୍ତି, ପରିବାର ଓ ସମାଜକୁ ବ୍ୟାଧିଗ୍ରସ୍ତ କରେ ଓ ଏକ ନିଶ୍ଚିତ ଧ୍ବଂସ ମୁଖକୁ ଟାଣି ନେଇଥାଏ। ଏଣୁ ଆଜି ସମଗ୍ର ମାତୃ ସମାଜ ଆଗରେ ଏକ ବିରାଟ ଆହ୍ବାନ ହେଲା, ଘର ପରିବାରକୁ ନିଶାମୁକ୍ତ କରିବା, ନିଶାମୁକ୍ତ ସୁସ୍ଥ ସମାଜ ଗଢ଼ିବା; ଯାହା ‌ହେଉଛି ଆଜିର ଏହି ‘ନିଶା ନିବାରଣ ବ୍ରତ ଅଭିଯାନ’ର ଲକ୍ଷ୍ୟ। ଏହା ହିଁ ହେଉ ରାକ୍ଷୀ ପୂର୍ଣ୍ଣିମାରେ ଆଦରର ଭାଇମାନଙ୍କ ପାଇଁ ଗେହ୍ଲା ଭଉଣୀମାନଙ୍କର ସସ୍ନେହ ବାର୍ତ୍ତା-
‘ରାକ୍ଷୀ ବାନ୍ଧି ଦେଲି ଭାଇ ହାତେ ମୋର
ଆନ ଉପହାର ଲୋଡ଼ା ନାହିଁ,
ନିଶାମୁକ୍ତ ରହି ଜୀବନ ଜିଇବ
ଏତିକି ଅଳି ମୁଁ କରିବଇଁ।।’
ଗାନ୍ଧୀଜୀ କହିଥିଲେ- ‘ଯେଉଁଦିନ ଜଣେ ମହିଳା ନିଶାର୍ଧରେ ବି ଏକୁଟିଆ ନିର୍ଭୟରେ ରାସ୍ତାରେ ଚାଲି ଯାଇପାରିବ, ସେ ଦିନ ଜାଣିବ ସ୍ବରାଜ୍ୟ ଆସିଛି।’ ଅଥଚ, ଆଜି ଦିନ ଦି’ପ୍ରହରରେ ବି ମହିଳାଟିଏ ଭୟଶୂନ୍ୟ ହୋଇ ରାସ୍ତାରେ ଚାଲି ଯାଇପାରୁନାହିଁ। ଝିଅଟିଏ ବିଦ୍ୟାଳୟ ଅବା‌ ମହାବିଦ୍ୟାଳୟରୁ ବାହାରି ନିରାପଦରେ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ବାପାମା’ ନିଶ୍ଚିନ୍ତ ହୋଇପାରନ୍ତି ନାହିଁ। ତେବେ, ଖାଲି ଏତିକିରେ ଦୁଃଖ ସରେନାହିଁ। ପରିବାର ଭିତରେ ବାପା ହେଉ କି ଭାଇ, ସ୍ବାମୀ ହେଉ କି ପୁଅ, ଏମାନେ ନିଶାସକ୍ତ ହେଲେ ମା’ଭଉଣୀମାନଙ୍କୁ ଅକଥନୀୟ ଘରୋଇ ହିଂସା ଓ ନିର୍ଯାତନାର ଶିକାର ହେବାକୁ ପଡ଼େ। ଏଭଳି ଦାରୁଣ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ନା ସେ ଦୁଆରବନ୍ଧ ଡେଇଁପାରେ ନା କାହା ଆଗରେ ଏ ଦୁଃଖ ବଖାଣିପାରେ! ପରିବାରର ନିଶାସକ୍ତ ପୁରୁଷମାନଙ୍କ ହାତରେ ଅନେକ ମା’ଭଉଣୀ ବୀଭତ୍ସ ଭାବେ ମୃତ୍ୟୁବରଣ କରନ୍ତି। ଏହିପରି ନିଶା-ପ୍ରପୀଡ଼ିତ ପରିବାରର ମହିଳା ଓ ଶିଶୁମାନେ ଚିରଦିନ ଆର୍ଥିକ ଓ ସାମାଜିକ ଦୁର୍ଗତିର ପନ୍‌ଝାରେ ପଡ଼ି ଛଟପଟ ହେଉଥାଆନ୍ତି।
ଉନ୍ନତ ଦୁନିଆକୁ ଆଖି ବୁଲାନ୍ତୁ; ଝିଅ ବଡ଼ ହେଲା ପରେ ଏକାକୀ ସମଗ୍ର ମହାଦେଶରେ ନିର୍ଭୟରେ ବୁଲେ; ଆଉ ଆମ ଝିଅ ବଡ଼ ହେଲା ପରେ ତା’ର ପରିସର ସଂକୁଚିତ ହୋଇଯାଏ। ଏହା ଫଳରେ ତା’ର ସ୍ବାଭାବିକ ବିକାଶ ପାଇଁ ବା ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ଲାଗି ବାପା, ଭାଇ ଅବା ସ୍ବାମୀର ଅବଲମ୍ବନ ଆବଶ୍ୟକ ହୁଏ। ସଂକ୍ଷେପରେ କହିଲେ, ଏହା ମୂଳରେ ରହିଛି ସର୍ବତ୍ର ନିଶା ରାକ୍ଷସର ରାଜୁତି। ମଦ୍ୟପ ଅବା ନିଶାସକ୍ତ ବ୍ୟକ୍ତି ବିବେକ ଓ ବିଚାର ଶକ୍ତି ହରାଇଥାଏ। ନିଶାଗ୍ରସ୍ତ ଥିବା ଅବସ୍ଥାରେ ସେ ସବୁ କିଛି ଘୃଣ୍ୟ, ଅଚିନ୍ତନୀୟ କାମ କରେ। ସେଥିପାଇଁ ଗାନ୍ଧୀଜୀ କହିଥିଲେ, ‘ମୋତେ ଯଦି ପଚରାଯାଏ, ଦେଶ ସ୍ବାଧୀନ ହେଲା ପରେ କେଉଁ କାମଟିରେ ଆଗେ ‌ହାତ ଦେବା? ତେବେ ମୁଁ କହିବି, ଦେଶ ସ୍ବାଧୀନ ‌େହବାର ୨୪ ଘଣ୍ଟା ଭିତରେ ଦେଶ ନିଶାମୁକ୍ତ ହେଉ।’ ଆମ ଦେଶ ସ୍ବାଧୀନ ହେବାର ୭୭ ବର୍ଷ ପୂରିଗଲା; ଏବେ ଯଦି ଆମେ ଆତ୍ମସମୀକ୍ଷା କରିବା ଯେ ଆମେ ସେହି ଲ‌କ୍ଷ୍ୟ‌ର କେତେ ପାଖରେ? ତେବେ, ଦେଖିବା ଯେ ଲକ୍ଷ୍ୟର ନିକଟବର୍ତ୍ତୀ ହେବା ବଦଳରେ ଆମେ ତା’ ଠାରୁ ବହୁତ ଦୂରେଇ ଯାଇଛେ। ଏହିଭଳି ଏକ ଜାତୀୟ ସଂକଟ ସମୟରେ ଦୃଢ଼ ସଂକଳ୍ପ ନେବାର ଆବଶ୍ୟକତା ରହିଛି, ଯାହା ଆଜିର ‘ନିଶା ନିବାରଣ ବ୍ରତ’ ପାଳନର ଆଭିମୁଖ୍ୟ ରୂପେ ଉଭା ହୋଇଛି।
ଏବେ ଅସ୍ମିତା ଶବ୍ଦର ବହୁଳ ବ୍ୟବହାର ହେଉଛି। ଏହି ଜାତିର ଅସ୍ମିତା ତା’ର ଜାତୀୟ ଚରିତ୍ର ଉପରେ ନିର୍ଭର କରେ; ଯାହା ଉପରେ ଉତ୍କଳ ଗୌରବ ମଧୁସୂଦନ ବିଶେଷ ଗୁରୁତ୍ବ ଦେଉଥିଲେ। ଗତ କିଛି ଦଶକ ଭିତରେ ଏ ଜାତିର ଯେଉଁ ଚାରିତ୍ରିକ ଅବକ୍ଷୟ ହୋଇଛି, ସେହି ଅବକ୍ଷୟର ଅନ୍ୟାନ୍ୟ କାରଣ ମଧ୍ୟରେ ରହିଛି ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବହୁଳ ପ୍ରସାର। ସ୍ବତନ୍ତ୍ର ଓଡ଼ିଶାର ଶତବାର୍ଷିକୀ ବେଳକୁ ଆମେ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଛୁ; କିନ୍ତୁ ତାହା କ’ଣ ସମ୍ଭବ ଏକ ଦୁର୍ବଳ ଚରିତ୍ର ବିଶିଷ୍ଟ ଜାତି ପକ୍ଷରେ? ଏହି ବିଷଚକ୍ରରୁ ମୁକ୍ତି ପାଇବା ପାଇଁ ଏ ଜାତିକୁ ସଂକଳ୍ପ ନେବାକୁ ହେବ। ସେହି ମଧୁମୟ ପ୍ରଭାତର ଆରମ୍ଭ ହେଉ ରାକ୍ଷୀ ପୂର୍ଣ୍ଣିମା ଠାରୁ। ସେଇଥିପାଇଁ ‘ନିଶା ନିବାରଣ ବ୍ରତ ଅଭିଯାନ’ ଏକ ଉପଲକ୍ଷ୍ୟ। ବ୍ରତର ଅନ୍ୟତମ ଅର୍ଥ ହେଉଛି ସଂକଳ୍ପ। ମା’ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ନିଶାମୁକ୍ତ ରହିବା ପାଇଁ ଶପଥ କରାନ୍ତୁ; ନିଜେ ନିଶାମୁକ୍ତ ରହିବା ସହିତ ନିଶାମୁକ୍ତ ସମାଜର ଗଠନ ଲାଗି ଅଙ୍ଗୀକାରବଦ୍ଧ ହୁଅନ୍ତୁ।
ମୋ: ୮୭୬୩୬୬୮୫୭୨