ଏବେ ଶାନ୍ତି ହିଁ ଉତ୍ତର

ବୀରେନ କୁମାର ଧଳ

ଏକ ବଡ଼ କଥା ହେଲା, ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ହଠାତ୍‌ ପୃଥିବୀରେ ଯୁଦ୍ଧ ଓ ମୁକାବିଲାମୂଳକ ମନୋଭାବ ସୃଷ୍ଟି ହୋଇଥିବା ବେଳେ ଦୁନିଆର ବିଦ୍ୱାନ ଓ ଚିନ୍ତକ ଗୋଷ୍ଠୀଙ୍କ ଦ୍ବାରା ଶାନ୍ତି ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ବରଂ ୟୁକ୍ରେନ୍‌ ସଂକଟ କାରଣରୁ ଶାନ୍ତି ପ୍ରତିଷ୍ଠାର ଉଦ୍ୟମ ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି।
ଯଥାଶୀଘ୍ର ଯୁଦ୍ଧ ବନ୍ଦ କରିବା ପାଇଁ ଦୁନିଆର ବିଭିନ୍ନ କୋଣରୁ ସ୍ବର ଉଠିବାରେ ଲାଗିଛି। ଯଦିଓ ଯୁଦ୍ଧର ବିପଦକୁ ହ୍ରାସ କରିବା ବିଶ୍ୱ ପାଇଁ ସର୍ବଦା ଅନୁକୂଳ ହୁଅନ୍ତା, ତେବେ ବର୍ତ୍ତମାନ ସମୟର କେତେକ ବିଶେଷ କାରଣ ଯୋଗୁଁ ଏହାର ଆବଶ୍ୟକତା ପୂର୍ବ ତୁଳନାରେ ଅଧିକ ହୋଇଛି। ସେହି କାରଣଗୁଡ଼ିକ ଭିତରୁ ପ୍ରଥମଟି ହେଲା ମହାବିନାଶକାରୀ ଅସ୍ତ୍ରଶସ୍ତ୍ରର ଉପଲବ୍‌ଧତା। ଦୁନିଆର ୯ଟି ଦେଶଙ୍କ ପାଖରେ ଏବେ ପରମାଣୁ ଅସ୍ତ୍ର ରହିଛି। କେତେକ ଦେଶ ଗୁପ୍ତରେ ନିଜ ପାଖରେ ରାସାୟନିକ ଏବଂ ଜୈବ ଅସ୍ତ୍ର ଲୁଚାଇ ରଖିଥିବା ନେଇ ଆଶଙ୍କା କରାଯାଉଛି। ଷ୍ଟକ୍‌ହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ବାର୍ଷିକ ରିପୋର୍ଟ ଦ୍ବାରା ବିଶ୍ୱ ସୁରକ୍ଷା ସ୍ଥିତି ଉପରେ ପ୍ରସ୍ତୁତ ରିପୋର୍ଟ (୨୦୧୮ ମସିହା) ଅନୁସାରେ ଏହି ଦଶନ୍ଧିରେ ବିଶ୍ବର ସୁରକ୍ଷା ସ୍ଥିତି ପୂର୍ବାପେକ୍ଷା ଜଟିଳତର ହୋଇଯାଇଛି। ବିଶ୍ୱ ସାମରିକ ଖର୍ଚ୍ଚ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବସାୟ ଉଚ୍ଚ ସ୍ତରରେ ପହଞ୍ଚିଛି। ୨୦୧୭ର ପୃଥିବୀର ସାମରିକ ଖର୍ଚ୍ଚ ଥିଲା ୧୭୩୯ ବିଲିଅନ ଡଲାର୍‌। ଦୁନିଆର ୯ଟି ଦେଶଙ୍କ ପାଖରେ ମୋଟ ୧୪,୬୬୫ଟି ପରମାଣୁ ହତିଆର ରହିଛି। ସେଥି ମଧ୍ୟରୁ ୩୭୫୦ଟି ଅଣୁ ଅସ୍ତ୍ର ବ୍ୟବହୃତ ହେବା ପାଇଁ ପ୍ରସ୍ତୁତ ହୋଇ ରହିଛି, ଯହିଁରୁ ୨ ହଜାର ପରମାଣୁ ଅସ୍ତ୍ର ତତକ୍ଷଣାତ୍ ବ୍ୟବହୃତ ହୋଇ ପାରିବ।

ଦ୍ବିତୀୟ ମହତ୍ତ୍ୱପୂର୍ଣ୍ଣ କାରଣଟି ହେଉଛି ବର୍ତ୍ତମାନ ଦୁନିଆ ସମ୍ମୁଖରେ ଜଳବାୟୁ ପରିବର୍ତ୍ତନ ଭଳି ଏକ ଅତି ଗମ୍ଭୀର ସମସ୍ୟା ବିଦ୍ୟମାନ ଅଛି। ଏହି ସମସ୍ୟା ପୃଥିବୀକୁ ଅଧିକରୁ ଅଧିକ କ୍ଷତିଗ୍ରସ୍ତ କରାଇ ଚାଲିଛି। ଏହାର ସମାଧାନ ପାଇଁ ଅନ୍ତର୍ଜାତୀୟ ସହଯୋଗ ଜରୁରୀ ଯାହା ଏକ ଶାନ୍ତିର ବାତାବରଣ ଲୋଡ଼ିଥାଏ। ବିଶେଷ କରି ପଡ଼ୋଶୀ ଦେଶଙ୍କ ମଧ୍ୟରେ ନିରନ୍ତର ସହଯୋଗ ଏହି ସମସ୍ୟାର ସମାଧାନ ଦିଗରେ ବିଶେଷ ସହାୟକ ହେବ।

ତୃତୀୟ କାରଣଟି ହେଉଛି ଯୁଦ୍ଧ କେବଳ ମାନବ ଜୀବନ ପାଇଁ ବିନାଶକାରୀ ନୁହେଁ ବରଂ ଏହା ଏଭଳି ଏକ ଘାତକ ଯାହା ସମଗ୍ର ଜୀବଜଗତ୍‌କୁ ହାନି ପହଞ୍ଚାଇଥାଏ।
ଗତ ଦଶନ୍ଧିରେ ଅନେକ ଦେଶ ଯୁଦ୍ଧ ଦ୍ୱାରା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ୧୯୮୦-୯୦ରେ ଇରାକ୍‌ ଏବଂ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ୫ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ଏହା ପରେ ଆମେରିକା ଓ ତା’ ସହଯୋଗୀ ଦେଶ ତଥା ନାଟୋ ଦ୍ବାରା ଇରାକ୍‌ ଉପରେ ଦୁଇ ଥର ଆକ୍ରମଣ ପ୍ରାଣହାନି ଓ ବିସ୍ଥାପନର ଦାରୁଣ ମାନବୀୟ ସଂକଟର କାରଣ ହୋଇଥିଲା। ସେମିତି ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଆଫଗାନିସ୍ତାନ, ସିରିଆ, ୟେମେନ ଆଦି ଦେଶ ଭୟଙ୍କର କ୍ଷତିଗ୍ରସ୍ତ ହୋଇଛନ୍ତି। ନାଇଜେରିଆ, ସୁଦାନ ଏବଂ ଇଥିଓପିଆର ଗୃହଯୁଦ୍ଧରେ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଅହିଂସା ଓ ଶାନ୍ତିର ମାର୍ଗରେ ପରିଚାଳିତ ହେବା ଲାଗି ପ୍ରୟାସ ଯେ ସର୍ବଦା ଅଗ୍ରାଧିକାର ପାଇବା ଉଚିତ ତହିଁରେ ସନ୍ଦେହ ନାହିଁ।

ପୃଥିବୀର ବିଭିନ୍ନ ସ୍ତରରେ ବିଭିନ୍ନ ଅଧିକାର ହାସଲ ଲାଗି ଶାନ୍ତିପୂର୍ଣ୍ଣ ଆନ୍ଦୋଳନମାନ ଚାଲିଛି। ମହିଳା ଅଧିକାର ଆନ୍ଦୋଳନ, ସମାଜିକ ନ୍ୟାୟ ଲାଗି ଅଭିଯାନ, ପରିବେଶ ଆନ୍ଦୋଳନ ଆଦି ଏହା ମଧ୍ୟରେ ଅନ୍ୟତମ। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଲାଗି ଏହି ଆନ୍ଦୋଳନଗୁଡ଼ିକ ପରସ୍ପର ସହିତ ନିକଟତର ହେବାର ଆବଶ୍ୟକତା ରହିଛି। ତେବେ ବିଡ଼ମ୍ବନା ହେଲା ବିଶ୍ବର ବୃହତ୍‌ ଶକ୍ତିମାନେ ନିଜକୁ ଅଗ୍ରଗଣ୍ୟ ବୋଲି ପ୍ରମାଣିତ କରିବା ଲାଗି ଯୁଦ୍ଧଖୋରୀକୁ ପ୍ରୋତ୍ସାହନ ଦେଉଛନ୍ତି। ଏଭଳି ସ୍ଥଳେ ଶାନ୍ତିର ଉଦ୍ୟମ ପଲ୍ଲବିତ ହେବା କଷ୍ଟକର। କିନ୍ତୁ ସେଥି ଲାଗି ନିରନ୍ତର ଉଦ୍ୟମ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଡି.ଏଚ୍‌ ଲରେନ୍‌ସଙ୍କ ବକ୍ତବ୍ୟ ବେଶ୍ ସତ ଭଳି ଲାଗିଥାଏ ଯେ ମଣିଷ ଶାନ୍ତି ଚାହେଁ ବୋଲି କହେ, କିନ୍ତୁ ଯୁଦ୍ଧ କରେ।
ମୋ- ୯୪୩୮୧୦୪୮୫୭

ସମ୍ବନ୍ଧିତ ଖବର