ସତ୍ୟନାରାୟଣ ଗନ୍ତାୟତ

Advertisment

ବର୍ଷକ ବାର ମାସ। ସୁତରାଂ ବାର ମାସ ପରେ ନୂଆ ବର୍ଷଟିଏ ଆସିବାକୁ ବାଧ୍ୟ। ମନେ ଅଛି ମାଲିକେ, ଗତ ବର୍ଷ ନୂଆ ବର୍ଷ ଆସିବ ବୋଲି ତମେ କେତେ ଉତ୍ତଳା ଓ ଉତ୍ପାତିଆ ହୋଇ ନ ଥିଲ ସତେ? ଏବେ ସେହି ନୂଆକୁ ପୁରୁଣା କରିଦେଇ ଆଉ ଗୋଟିଏ ନୂଆ ପାଇଁ ମାତିଗଲଣି! ଓହୋ, ମନେ ନାହିଁ ପରା ୨୦୨୪ ବି ଦିନେ ତୁମ ଲାଗି କେତେ ଗେଲବସରିଆ ଥିଲା? 
ତୁମେ ତ ସପ୍ତାହକ ଆଗରୁ ଘୋଷଣା କରି ସାରଥିଲ ଯେ ୨୦୨୫କୁ ଖାନାପିନା ଓ ଗାନାଟାନାଦି ଦେଇ ସ୍ବାଗତ କରିବ। ୨୦୨୪ର କ୍ୟାଲେଣ୍ଡରକୁ ତୁମେ ଯେତେବେଳେ କାନ୍ଥରୁ ଓଲାରି ଆଣି ଅଳିଆ ଗଦାରେ ପକାଇଦେଲ, ସେତିକିବେଳେ କାହାର ଦୀର୍ଘଶ୍ବାସ ତୁମେ ଶୁଣିପାରିଲ କି? କେହି କହିଲା କି ଯେ ହଇହୋ, ବାବୁ ତୁମେ ପରା ବର୍ଷକ ଆଗରୁ ମୋ ଲାଗି ବି ଏମିତି ଘୋଷଣା କରିଥିଲ? ଏବେ ପୁଣି କ’ଣ ହେଲା? ମୋତେ ଏତେ ହତାଦର କାହିଁକି?
ସତରେ ସାଆନ୍ତେ, ତୁମେ, କେବେ ବି ବଦଳିବ ନାହିଁ! କାରଣ ଅହରହ ଚାଲି ଯାଉଥିବା କ୍ଷଣଗୁଡ଼ିକର ଆର୍ତ୍ତନାଦ ତୁମେ କେବେ ଶୁଣି ନାହଁ। ତୁମେ ସେ ସବୁକୁ ଏମିତି ନଷ୍ଟ କରି ଦେଇଛ ଯେ ସତେ ଯେମିତି ସେଗୁଡ଼ିକ ଆଦୌ ନ ଥିଲ! ତୁମେ ଏମିତି କେତେ ସେକେଣ୍ଡ, କେତେ ମିନିଟ୍, କେତେ ଘଣ୍ଟା ବା ଦିନ ବା ବର୍ଷ ନଷ୍ଟ କରି ସାରିଲଣି, ତା’ର ହିସାବ ରଖିଛ କି? ତୁମେ ବୋଧହୁଏ ଭାବି ନେଇଛ ଏହି ଧରା ଉପରେ ତୁମେ ବଞ୍ଚି ରହି ଆଉ ଜୀବନ ନଉକାକୁ ଯେମିତି ମନ ସେମିତି ବାହି ନେଇ ତୁମେ ନିହାଲ କରି ପକାଇଛ! ତୁମେ ଧରି ନେଇଛ ଯେ ସମୟ ତୁମକୁ ପଚାରି ପାରିବ ନାହିଁ ଯେ ‘ବାବୁ, ତୁମକୁ ତ ମୁଁ ମାଗଣାରେ ମିଳିଥିଲି, ମୋତେ ଉପଯୋଗ କରି ତୁମେ କ’ଣ ଅର୍ଜିଲ?’
ତୁମ ବୟସ କେତେ ହେଲା ସାଆନ୍ତେ? ଆଁ, ଏତେ! ଏବେ ହିସାବ କର ତୁମେ ବର୍ଷ ପରେ ବର୍ଷ କେତେ କ୍ୟାଲେଣ୍ଡର ଅଳିଆ ଗଦାରେ ଫୋପାଡ଼ିଛ ଆଉ ନୂଆ କ୍ୟାଲେଣ୍ଡର କାନ୍ଥରେ ଟାଙ୍ଗି ପୁରୁଣାକୁ ପୂରା ଭୁଲି ଯାଇଛ? ମୋ କଥା ଶୁଣି ବିଚିତ୍ର ଲାଗୁଛି କି? ଭାବୁଛ କି ଏମିତି ତ ସବୁ ବେଳେ ହୋଇଥାଏ, ଏବେ ୟେ ୨୦୨୪ କାହିଁକି ଏମିତି ରାଉ ରାଉ ହଉଛି? କଥା କ’ଣ କି ମାଲିକେ, ସବୁ ପୁରୁଣା କ୍ୟାଲେଣ୍ଡର ଏମିତି ରାଉରାଉ ହୁଅନ୍ତି! କିନ୍ତୁ ଟୋକାଟାକିଳିଆ କାନ ପାକଳ ହୋଇ ନ ଥାଏ ବୋଲି ତାହା ଶୁଭେ ନାହିଁ। ଆଜି ଯଦି ଶୁଭୁଛି, ତାହା ହେଲେ ଜାଣ ଏବେ ତୁମ କାନ ପାକଳ ହେଲାଣି: ଓ ତା’ର ଅର୍ଥ ହେଲା ତୁମ ବୁଦ୍ଧି ବି ପାକଳ ହେଲାଣି। ଏବେ ଏ ପୁରୁଣା କ୍ୟାଲେଣ୍ଡର କଥା ଶୁଣିଲେ ତୁମ ମନରେ କିଛି ପରିବର୍ତ୍ତନ ଆସିପାରେ ହୁଏତ?
ଏବେ ବାଧିଲା ଭଳି କଥାଟିଏ କହିବି ହେଲେ ଦିହକୁ ନେବ ନାହିଁ! ତମେ ପ୍ରତି ଥର ନୂଆ ବର୍ଷକୁ ରଙ୍ଗିନ କରି ଧରି ନେଇଛ କି ଯେ ତୁମ ଜୀବନ ରଙ୍ଗିନ ହୋଇଯିବ, ତୁମ ଜୀବନ ବଦଳିଯିବ! ନୂଆ କ୍ୟାଲେଣ୍ଡର ଭଳି ପ୍ରତି ନୂଆ ବର୍ଷରେ ତୁମ ଜୀବନ ବି ଚକଚକ ହୋଇ ଉଠିବ! ନିର୍ବୋଧ! ସତ କଥା ହେଲା, କ୍ୟାଲେଣ୍ଡରରେ ମଇଳା ଜମିଲା ଭଳି ଜୀବନରେ ବି ମଇଳା ଜମେ। ତୁମେ ଯେମିତି ପ୍ରତି ବର୍ଷ ଅଲୋଡ଼ା କ୍ୟାଲେଣ୍ଡରକୁ ବାହାରେ ଫୋପାଡ଼ି ଦିଅ, ତୁମ ଆୟୁଷ ବି ତୁମର ଏହି ସମୟତକକୁ ବାହାରେ ଫିଙ୍ଗି ଦିଏ।
ସାଆନ୍ତେ, ଏମିତି କହୁଛି ବୋଲି ରାଗ କରନାହିଁ। ତୁମେ ତୁମ ଜୀବନ ଆଡ଼କୁ ଟିକିଏ ନିରିଖେଇ ଚାହଁ। ଦର୍ପଣରେ ନିଜକୁ ଦେଖ। ସତ କହ ତ ଜୀବନ କାଟୁ କାଟୁ ତୁମେ କେତେ ଦୁଃଖ, କେତେ ଭୟ, କେତେ ଉଦ୍‌ବେଗ, କେତେ ଈର୍ଷା ଆଦି ଅର୍ଜିଛ! କ’ଣ ପାଇଁ? ଉତ୍ତର ହେଲା, ତୁମେ ଭାବି ନେଇଛ ଯେ ନୂଆ ବର୍ଷ ସହିତ ପୃଥିବୀ ବଦଳି ଯାଏ। ତା’ ଅର୍ଥ ପୃଥିବୀ ତୁମ ପାଇଁ ବଦଳି ଚାଲିବ, କିନ୍ତୁ ତୁମେ ପୃଥିବୀ ଲାଗି ବଦଳିବ ନାହିଁ? ଓହୋ, ନୂଆ ବର୍ଷରେ ବଦଳିବ ବୋଲି ଶପଥ ନେଇଛ ପରା? ଏମିତି ତ ଫି ବର୍ଷ ନିଅ! ହେଲେ, ବଦଳି ପାର କି? ଶୁଣ ମାଲିକେ, ସତରେ ତୁମେ ଯଦି ବଦଳି ଯାଅ, ତାହା ହେଲେ ପୃଥିବୀ ମଧ୍ୟ ତୁମ ଲାଗି ବଦଳିଯିବ। ଆଉ କ୍ୟାଲେଣ୍ଡର ବଦଳାଇବା ଦରକାର ପଡ଼ିବ ନାହିଁ। ପ୍ରତି କ୍ଷଣ, ପ୍ରତି ଘଣ୍ଟା, ପ୍ରତି ଦିନ ତୁମ ଲାଗି ନୂଆ ହୋଇ ଜନ୍ମ ନେବ। ତୁମେ ପ୍ରତି କ୍ଷଣକୁ ନୂଆ କ୍ଷଣ ବୋଲି ଭାବି ଉତ୍ସବମୁଖର ହେବ! ୨୦୨୫ରେ ଅନ୍ତତଃ ସେତକ ହେଉ!
ହଁ ମାଲିକେ, ତୁମେ ଘର କାନ୍ଥରେ ଯେଉଁ ଘଣ୍ଟା ଝୁଲାଇଛ, ତା’ ମୁହଁ ଉପରେ ଯେଉଁ ଧାଡ଼ିଏ ମରମ ବାଣୀ ଲେଖା ଯାଇଛି, ତାକୁ ପଢ଼ିଛ ତ? ତା’ ବି ଭଲ କରି ପଢ଼ିନାହଁ! ସେଥି‌େର ଇଂରେଜୀରେ ଲେଖା ଅଛି ‘ଇଚ୍‌ ଆୱାର ଉଣ୍ଡ୍‌ସ, ଲାଷ୍ଟ ଆୱାର କିଲ୍‌ସ’, ଅର୍ଥ ବୁଝୁଛ ତ? ‘ପ୍ରତି ଘଣ୍ଟା ହାଣେ, ଅନ୍ତିମ ଘଣ୍ଟା ମାରେ!’ ସାଆନ୍ତେ ଏବେ ତ ବଦଳି ଯାଅ!
(ମତାମତ ଲେଖକଙ୍କ ନିଜସ୍ବ)
‌େମା: ୯୪୩୭୯୦୯୬୭୫