ବିଶ୍ୱଭୂଷଣ ହରିଚନ୍ଦନ
ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ନିର୍ବାଚନ ମାମଲା ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଅସିଦ୍ଧ ଓ ବେଆଇନ ଘୋଷିତ ହୋଇଯିବା ପରେ ସେ ନୈତିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯିବା କଥା; କିନ୍ତୁ ତା’ ନ କରି ସେ ଜନପ୍ରତିନିଧି ଆଇନର ସଂଶୋଧନ କରି ନିର୍ବାଚନ ଘୋଷିତ ହେବାର ପୂର୍ବ ତାରିଖରୁ ତାକୁ ଲାଗୁ କରିବା ଦ୍ୱାରା ତାଙ୍କ ବିରୁଦ୍ଧରେ ହୋଇଥିବା ଆହ୍ଲାବାଦ ହାଇକୋର୍ଟ ରାୟ ବସ୍ତୁତଃ ଅକାମି ହୋଇଗଲା। ସମଗ୍ର ଦେଶର ଲୋକେ ଆଶା କରିଥିଲେ ଯେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଦେଖାଇ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ପରିତ୍ୟାଗ କରିବେ। କିନ୍ତୁ ସେ ଓଲଟି ଶାସନର ସମସ୍ତ କ୍ଷମତାକୁ ନିଜର ନିୟନ୍ତ୍ରଣରେ ରଖିବାକୁ କାର୍ଯ୍ୟ ଆରମ୍ଭ କରିଦେଲେ। ଚାଲିଲା ଇନ୍ଦିରା ଗାନ୍ଧୀଙ୍କର ଏକଛତ୍ରବାଦୀ ଶାସନ। ସୁପ୍ରିମ୍ କୋର୍ଟ ଏଥିରେ ପ୍ରତିବନ୍ଧକ ହୋଇ ଠିଆ ହେବ ବୋଲି ତାଙ୍କ ପରାମର୍ଶଦାତାମାନେ ମତ ଦେବାରୁ ସେ ତା’ର କ୍ଷମତାକୁ ଖର୍ବ କରିବା ପାଇଁ ତିନି ଜଣ ବିଜ୍ଞ ଓ ବରିଷ୍ଠ ବିଚାରପତି, ଜଷ୍ଟିସ୍ ସେଲାଟ, ଜଷ୍ଟିସ୍ ଗ୍ରୋଭର ଓ ଜଷ୍ଟିସ୍ ହେଗ୍ଡେଙ୍କୁ ଉପେକ୍ଷା କରି ଏ.ଏନ୍. ରାୟଙ୍କ ଭଳି ଜଣେ କନିଷ୍ଠ ଜଜ୍ଙ୍କୁ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି କରାଇଲେ। ଏ ତିନି ଜଣ ବରିଷ୍ଠ ବିଚାରପତି ଏ ଅନ୍ୟାୟର ପ୍ରତିବାଦ କରି ପଦରୁ ଇସ୍ତଫା ଦେଲେ। ସେତେବେଳେକୁ ସର୍ବୋଦୟ ନେତା ଲୋକନାୟକ ଜୟପ୍ରକାଶ ନାରାୟଣ ତାଙ୍କର ‘ସଂପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନ ଆରମ୍ଭ କରି ଦେଇଥାନ୍ତି। ଶ୍ରୀମତୀ ଗାନ୍ଧୀଙ୍କର ଗଣତନ୍ତ୍ରର ଏ ଦମନଲୀଳା ବିରୋଧରେ ଜୟପ୍ରକାଶଜୀ ତାଙ୍କ ଆନ୍ଦୋଳନକୁ ଦେଶର ଗଣତନ୍ତ୍ରର ସୁରକ୍ଷା ଆନ୍ଦୋଳନରେ ପରିଣତ କରିଦେଲେ। ଏଥିରେ ଭାରତୀୟ ଜନସଂଘ, କଂଗ୍ରେସ(ଓ), ସମାଜବାଦୀ ଦଳ ସମେତ ସମସ୍ତ ବିରୋଧୀ ଦଳ, ସର୍ବୋଦୟ ସଂଗଠନ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଯୋଗ ଦେବାରୁ ଏହା ଆହୁରି ବ୍ୟାପକ ହୋଇଉଠିଲା।
ଭାରତବର୍ଷର ବିଶିଷ୍ଟ ନେତୃ ବୃନ୍ଦ ଓ ସଂଗଠନ ଯେଉଁମାନେ ଏ ଆନ୍ଦୋଳନକୁ ସମର୍ଥନ କରୁଥିଲେ, ସେମାନଙ୍କୁ ସରକାର ଦମନ କରିବାକୁ ଲାଗିଲେ। ଜୁନ୍ ୨୫ ତାରିଖ ୧୯୭୫ ମସିହା ଅର୍ଦ୍ଧ ରାତ୍ରିରେ ଜରୁରି ଅବସ୍ଥା ଜାରି ହେଲା ସମଗ୍ର ଭାରତବର୍ଷରେ। ଜୟପ୍ରକାଶଜୀ, ମୋରାରଜୀ ଭାଇ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ, ବିଜୁ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ନେତାଙ୍କୁ ‘ମିସା’ ଆଇନ ବଳରେ ଗିରଫ କରି କାରାଗାରରେ ରଖାଗଲା। ଠିକ୍ ସେହିଭଳି ଭାବରେ ଓଡ଼ିଶାରେ ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ସ୍ୱୟଂ ସେବକ ସଂଘର ଓଡ଼ିଶା ପ୍ରାନ୍ତର ସଂଘ ଚାଳକ ଭୂପେନ କୁମାର ବସୁ, ସର୍ବୋଦୟ ନେତା ମଦନ ମୋହନ ସାହୁ ଓ ଆମେ ଯେଉଁମାନେ ସେ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲୁ, ଗିରଫ ହୋଇ ଜେଲ୍ଖାନାରେ ରହିଲୁ। ଦେଶର ପ୍ରାୟ ଦେଢ଼ ଲକ୍ଷ ଲୋକ ଜେଲ୍ଖାନାରେ ରହିଲେ। ସମଗ୍ର ଦେଶ ସତେ ଯେମିତି ଗୋଟେ ଜେଲ୍ଖାନାରେ ପରିଣତ ହୋଇଗଲା। ଗଣମାଧ୍ୟମର ସ୍ୱାଧୀନତାକୁ ଅପହରଣ କରାଗଲା ଓ ସରକାରଙ୍କ ବିନା ଯାଞ୍ଚରେ କୌଣସି ସଂବାଦ ପ୍ରକାଶ ବା ପ୍ରାସାର ହୋଇ ପାରିଲା ନାହିଁ। ଲୋକେ କଥା କହିବାକୁ ଡରିଲେ ଏବଂ ଆତଙ୍କରାଜ ଚାଲିଲା ସମଗ୍ର ଦେଶରେ। ଏହା ଦ୍ୱାରା ବହୁ ପରିବାର ଛାରଖାର ହୋଇଗଲା। ଦୀର୍ଘ ୧୯ ମାସ ଚାଲିଲା ଏହି ଜରୁରି ଅବସ୍ଥାର କାଳରାତ୍ରି। ଜରୁରି ଅବସ୍ଥା ସରିବା ପରେ ଯେତେବେଳେ ନିର୍ବାଚନ ହେଲା ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁତ୍ର ସଂଜୟ ଗାନ୍ଧୀ ପରାଜୟ ବରଣ କଲେ ଓ ଇନ୍ଦିରା କଂଗ୍ରେସ ଦଳ ପ୍ରାୟ ମୂଳପୋଛ ହୋଇଗଲା। ସେ ଥିଲା ଏକ କଳଙ୍କିତ ଅଧ୍ୟାୟ ଭାରତ ବର୍ଷର ଗଣତାନ୍ତ୍ରିକ ଇତିହାସରେ।
ବର୍ତ୍ତମାନ ଓଡ଼ିଶାର ବିଗତ ୫ ବର୍ଷର ଶାସନକୁ ବିଚାର କରାଯାଉ। ଓଡ଼ିଶାରେ ପାଞ୍ଚ ବର୍ଷ ଧରି ଜରୁରି ଅବସ୍ଥା ଚାଲିଥିଲା ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ୫ ବର୍ଷ ଧରି ଏଠାରେ ଗଣତନ୍ତ୍ର ନଥିଲା, ଏଠାରେ ଚାଲିଥିଲା ଏକ ପ୍ରକାର ଏକଛତ୍ରବାଦୀ ଶାସନ। ଶାସନ କ୍ଷେତ୍ରରେ ଗଣ ଅର୍ଥାତ୍ ସାଧାରଣ ଲୋକ ତାଙ୍କର ଶାସକଙ୍କୁ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନଥିଲେ। ସେମାନଙ୍କର ଅଧିକାରକୁ କ୍ଷୁଣ୍ଣ କରାଯିବାକୁ ମୁଣ୍ଡ ପାତି ସହୁଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦଳର ଲୋକ ଓ ତାଙ୍କ ମନ୍ତ୍ରୀମାନେ ମଧ୍ୟ ଭେଟି ପାରୁ ନଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କର ଜଣେ ବିଶ୍ୱସ୍ତ ଅଣଓଡ଼ିଆ କର୍ମଚାରୀଙ୍କ ହାତକୁ ରାଜ୍ୟର ଶାସନ ଭାର ଟେକି ଦେଇଥିଲେ। ସେ ଥିଲେ ପ୍ରକୃତ ଶାସକ ଓ ଶାସନ ମୁଖ୍ୟ। ମୁଖ୍ୟମନ୍ତ୍ରୀ ତାଙ୍କ ନିବାସ ଭିତରେ ନିଜକୁ ଆବଦ୍ଧ କରି ରଖିଲେ, ଘରୁ ବାହାରକୁ ବାହାରିଲେ ନାହିଁ। ଗଣତନ୍ତ୍ରରେ ଶାସନର ମୁଖ୍ୟ ସାଧାରଣ ଲୋକଙ୍କ ସାଥିରେ ମିଶିବା, ସେମାନଙ୍କ ଭାଷାରେ କଥା ହେବା ଓ ଲୋକ ସମସ୍ୟାର ସମାଧାନ କରିବା ଅନିବାର୍ଯ୍ୟ। ଶାସକ ଯଦି ଶାସିତର ଭାଷା ନ ଜାଣିବ ତାଙ୍କ ସହିତ ନ ମିଶିବ ତେବେ ଲୋକ ସମସ୍ୟା ଜାଣିବ କେମିତି? ସେମାନଙ୍କୁ ନ୍ୟାୟ ଦେଇପାରିବ କେମିତି? ଗତ ୫ ବର୍ଷ ଧରି ଏହା ଥିଲା ଓଡ଼ିଶାର ଅବସ୍ଥା।
ଉକ୍ତ କର୍ମଚାରୀ ପ୍ରକୃତରେ ଶାସନ କରୁଥିଲେ। ସେହି କର୍ମଚାରୀଙ୍କ ପାଇଁ ସାରା ରାଜ୍ୟରେ ତାଙ୍କର ନେତା, ମନ୍ତ୍ରୀ ଓ ସାଧାରଣ ଦଳୀୟ ଲୋକେ ଆତଙ୍କିତ ହୋଇ ରହିଥିଲେ। ସେମାନେ ତାଙ୍କ ପାଇଁ ସାଧାରଣ ସଭାର ମଧ୍ୟ ବ୍ୟବସ୍ଥା କରୁଥିଲେ। ସେ ସାରା ରାଜ୍ୟ ହେଲିକପ୍ଟର୍ରେ ବୁଲି ସାଧାରଣ ସଭାମାନ କରୁଥିଲେ। ସୁତରାଂ, ମନ୍ତ୍ରୀ, ବିଧାୟକ ଓ ଲୋକପ୍ରତିନିଧିମାନେ ଗୌଣ ହୋଇଗଲେ। ସେମାନଙ୍କର କୌଣସି କ୍ଷମତା ରହିଲା ନାହିଁ। ସେମାନଙ୍କ ଭିତରେ ଅନେକ ସ୍ୱାଭିମାନୀ ଅଭିଜ୍ଞ ମନ୍ତ୍ରୀ, ବିଧାୟକ, କାର୍ଯ୍ୟକର୍ତ୍ତା ଗଭୀର ଭାବରେ କ୍ଷୁବ୍ଧ ହେଲେ, କିନ୍ତୁ ତାଙ୍କୁ ନିର୍ବାଚନରେ ଟିକେଟ୍ ନ ଦେବା ଡରରେ ପ୍ରତିବାଦ କରି ପାରିଲେ ନାହିଁ। ଗଣମାଧ୍ୟମର ସଂପୂର୍ଣ୍ଣ କଣ୍ଠରୋଧ କରାଗଲା। ଗଣମାଧ୍ୟମ ତାଙ୍କ ନିୟନ୍ତ୍ରଣରେ ରହିଲା। ସରକାରଙ୍କ ତ୍ରୁଟି ବିଚ୍ୟୁତି ଉପରେ ଯିଏ ଲେଖିଲେ ବା ଟି.ଭି.ରେ ପ୍ରସାରଣ କଲେ, ତାଙ୍କୁ ତଳିତଳାନ୍ତ କରି ଦିଆଗଲା। ଲୋକସେବା ଭବନରେ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି ହେଲା। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭୁଶୁଡ଼ି ପଡ଼ିଲା। ଏ ତ ତତ୍କାଳୀନ ଜରୁରି ଅବସ୍ଥାକୁ ବଳିଗଲା। ଏଥିରେ ଗଣତନ୍ତ୍ର ରହିଲା କେଉଁଠି? ଓଡ଼ିଆ ଏକ ବୀର ଦର୍ପିତ ସମର ବିଶାରଦ ଜାତି। ୧୮୧୭ ମସିହାରେ ବୀର ପାଇକ ସେନାକୁ ନେଇ ମହା ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବିଦେଶୀ ଇଂରେଜଙ୍କ ସହିତ ମାତୃଭୂମିର ମୁକ୍ତି ପାଇଁ ଦୀଘ ଆଠ ବର୍ଷ ଧରି ଏକ ରକ୍ତାକ୍ତ ଗଣସଂଗ୍ରାମରେ ଲିପ୍ତ ଥିଲା ଏହି ଜାତି। ତା’ର ପୁଣି ଆଜି ଏଭଳି ଦୁର୍ଦ୍ଦଶା ହେଲା! ତା’ର ଗର୍ବ, ଗୌରବ, ସାମରିକ ପରମ୍ପରା, ସ୍ୱାଭିମାନ ଓ ଅସ୍ମିତା ଭୁଲୁଣ୍ଠିତ ହୋଇଗଲା।
ଦୁର୍ନୀତି ଚରମ ସୀମାରେ ପହଞ୍ଚିଲା। ଲୋକମତକୁ ଚାପି ଦିଆଗଲା। ଯଦି ଅନ୍ୟାୟ ବିରୋଧରେ କିଏ ସ୍ୱର ଉତ୍ତୋଳନ କଲେ, ତାକୁ ଦମନ କରାଗଲା। ପ୍ରଭୁ ଶ୍ରୀଜଗନ୍ନାଥ, ଯିଏ ହେଉଛନ୍ତି ଓଡ଼ିଶାର ସ୍ୱାଭିମାନ, ଗର୍ବ, ଗୌରବର ପ୍ରତୀକ, ସମଗ୍ର ବିଶ୍ୱର ସର୍ବମୟ କର୍ତ୍ତା; ତାଙ୍କର ଅବମାନନା କରାଗଲା। ଆଠ ଶହ କୋଟି ଟଙ୍କାର ବ୍ୟୟବରାଦ କରି ଶ୍ରୀଜଗନ୍ନାଥ ମନ୍ଦିରର ବେଢ଼ା ଚାରିପଟର ସୁନ୍ଦରୀକରଣ କରିବା ଆଳରେ ତାଙ୍କ ପରିକଳ୍ପିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରି ଏ ଜାତିର କେତେକ ପ୍ରସିଦ୍ଧ ମଠକୁ ବୁଲ୍ଡୋଜର୍ ଲଗାଇ ଭଙ୍ଗାଗଲା, ଯାହା ଆମର ଐତିହ୍ୟର ଅଂଶ ଥିଲା। ସେଥି ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମଗ୍ର ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଦର୍ଶନ କରିବାକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ଉପରେ ବିଭିନ୍ନ କଟକଣା ଜାରି ହେଲା। ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ପୁରୀ ବଡ଼ଦାଣ୍ଡରେ ମାର୍କେଟ୍ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର ତାପରେ ଓ ବର୍ଷାରେ ଘଂଟା ଘଂଟା ଧରି ଠିଆ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ। ସେମାନଙ୍କ ଭିତରେ ବୃଦ୍ଧବୃଦ୍ଧା ଓ ପିଲା ସବୁ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣବିକଳରେ କେମିତି ବ୍ୟାରିକେଡ୍ର ବାହାରକୁ ବାହାରି ଆସିବେ, ସେଥି ପାଇଁ ଚେଷ୍ଟା କରି ଅକ୍ଷମ ହେଉଥିଲେ। ଶ୍ରୀମନ୍ଦିରର ସିଂହଦ୍ୱାର ଛଡ଼ା ଅନ୍ୟ ତିନି ଦ୍ୱାର ପ୍ରକଳ୍ପ ନିର୍ମାଣ ଅଳରେ ବନ୍ଦ କରି ଦିଆଗଲା। ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର କର୍ତ୍ତା, ପତିତପାବନ। ଭକ୍ତ ଆଉ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ଠିଆ କରିବାର ଅଧିକାର ଏ ସରକାରକୁ କିଏ ଦେଲା ବୋଲି ମୁଁ ପ୍ରଶ୍ନ କରିଥିଲି ଓ କହିଥିଲି ସମଗ୍ର ବିଶ୍ୱର ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି, ତୁମ ପରିକ୍ରମା ପ୍ରକଳ୍ପକୁ ନୁହେଁ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସରକାରଙ୍କୁ ତାଗିଦ୍ କରି କହିଥିଲେ ଯେ ଧର୍ମ ସ୍ଥଳୀକୁ ଭୋଗ ସ୍ଥଳୀ କର ନାହିଁ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଓଡ଼ିଶାର ଅଗଣତାନ୍ତ୍ରିକ ମନମୁଖୀ ଶାସନ, ଓଡ଼ିଆ ଜାତିର ଅସ୍ମିତା ଉପରେ କୁଠାରାଘାତ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବମାନନା, ଲକ୍ଷ ଲକ୍ଷ ଭକ୍ତଙ୍କର ଯନ୍ତ୍ରଣା ବିଷୟରେ ମୁଁ କହିଲା ବେଳେ ସେ ଅତ୍ୟନ୍ତ କ୍ଷୁବ୍ଧ ହୋଇ ଉଠିଥିଲେ। ଆଗରୁ ଏଭଳି କିଛି ସମ୍ବାଦ ମଧ୍ୟ ତାଙ୍କର କର୍ଣ୍ଣଗୋଚର ହୋଇଥିଲା। ଏଭଳି ଏକ ସରକାର ଶାସନ କରିବାର ଅଧିକାର ହରାଇ ବସିଛି ଓ ସେ ଦଣ୍ଡିତ ହେବା ଆବଶ୍ୟକ ବୋଲି ଦୃଢ଼ କଣ୍ଠରେ ସେ କହିଲେ। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଓଡ଼ିଆ ଜାତିକୁ ଉନ୍ମାଦନାଭରା, ଜାଗରଣାତ୍ମକ ଆହ୍ୱାନ ଓଡ଼ିଆଙ୍କ ଭିତରେ ସ୍ୱାଭିମାନ ଓ କ୍ରୋଧକୁ ପୁନଃ ଜାଗ୍ରତ କଲା ଓ ସେମାନଙ୍କ ଭିତରେ ଜାତିର ଅସ୍ମିତା ଓ ଦେଶପ୍ରେମର ବହ୍ନି ଜଳି ଉଠିଲା। ସ୍ୱାଭିମାନୀ ଓଡ଼ିଆ ଜାତି ଗର୍ଜି ଉଠିଲା ଓ ଗଣତନ୍ତ୍ର ବିରୋଧୀ ଓ ଓଡ଼ିଆ ଜାତିର ଅସ୍ମିତାର ହତ୍ୟାକାରୀ ସରକାରକୁ ନିର୍ବାଚନରେ ଭୂଲୁଣ୍ଠିତ କଲା। ଏ ବିଜୟ କେବଳ ବିଜେପିର ବିଜୟ ନୁହେଁ, ଏହା ସ୍ୱାଭିମାନୀ ଓଡ଼ିଆ ଜାତିର ଅସ୍ମିତା ଓ ଗଣତନ୍ତ୍ରର ବିଜୟ ବୋଲି ଆଜି ଜନସାଧାରଣ ଗର୍ବ ସହକାରେ କହୁଛନ୍ତି।
ପୂର୍ବତନ ରାଜ୍ୟପାଳ
ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼