ବହୁବର୍ଷ ତଳେ ବାଟ ହୁଡ଼ି ଅବାଟରେ ଅନେକ ବାଟ ମାଡ଼ିଗଲା ପରେ ପ୍ରାୟ ଦୁଇ ବର୍ଷ ହେଲା ଓଡ଼ିଆ ସିନେମା ପୁଣି ବାଟକୁ ଫେରିଲା ପରି ମନେ ହେଉଛି। କିଛି ପ୍ରତିଭାବାନ ଉଦୀୟମାନ ନିର୍ଦ୍ଦେଶକ, ଲେଖକ ଓ କଳାକାରଙ୍କର ଆବିର୍ଭାବ ଓଡ଼ିଆ ସିନେମା ଜଗତରେ ଆଶାର ସଞ୍ଚାର କରିଛି। ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ସଂଖ୍ୟକ ଓଡ଼ିଆ ସିନେମା ନିର୍ମିତ ହେଉଛି (୨୦୨୩ ମସିହାରେ ଏହି ସଂଖ୍ୟା ୪୯ରେ ପହଞ୍ଚି ଏକ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଛି)। ଓଡ଼ିଆ ସିନେମା ପ୍ରତି ସମ୍ପୂର୍ଣ୍ଣ ବିମୁଖ ହୋଇପଡ଼ିଥିବା ଦର୍ଶକ ପୁଣିଥରେ ପ୍ରେକ୍ଷାଳୟମୁହଁା ହୋଇଛନ୍ତି। ରାଜ୍ୟରେ ପ୍ରେକ୍ଷାଳୟର ଗୁରୁତର ଅଭାବକୁ ବଡ଼ ସହରମାନଙ୍କରେ ଗଢ଼ିଉଠୁଥିବା ମଲ୍ଟିପ୍ଲେକ୍ସଗୁଡ଼ିକ କିଛି ପରିମାଣରେ ଭରଣା କରିଥିଲା ବେଳେ ଡିଜିଟାଲ ଟେକ୍ନୋଲୋଜିର ଦ୍ରୁତ ଉନ୍ନତି ଓ ଅଭିବୃଦ୍ଧି ତଥା ଓ.ଟି.ଟି.ର ଆବିର୍ଭାବ ଅନେକ ଆଶାୟୀ, ଉତ୍ସାହୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଚରମ ଦୁର୍ଦ୍ଦିନ ମଧ୍ୟରେ ଗତି କରିଥିବା ଓଡ଼ିଆ ସିନେମା ଜଗତ ପାଇଁ ଏହାଠାରୁ ଅଧିକ ଉତ୍ସାହଜନକ ଆଉ କ’ଣ ବା ହୋଇପାରିଥାନ୍ତା?
ଓଡ଼ିଆ ସିନେମାର ଏ ‘‘ବାଟ ଲେଉଟାଣି’’ ଦୁଇ ବର୍ଷ ତଳେ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ନିର୍ଦ୍ଦେଶିତ ତଥା ବାବୁଶାନ ମହାନ୍ତି ଅଭିନୀତ ‘‘ଦମନ’’ରୁ ଆରମ୍ଭ ହେଲା ବୋଲି କୁହାଯାଇପାରେ। ଦୁର୍ଗମ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ଜଣେ କର୍ତ୍ତବ୍ୟନିଷ୍ଠ ଡାକ୍ତରଙ୍କ ବେସାଲିସ ସଂଘର୍ଷର ଏ କାହାଣୀ ଅନେକ ଦିନ ପରେ ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଫେରାଇ ଆଣିଲା। ଫିଲ୍ମଟି ଭରପୂର ଦର୍ଶକୀୟ ଆଦୃତି ପାଇଲା। ସେହି ବର୍ଷ ଆସିଲା ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ଦାୟାଦ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶିତ ‘‘ପ୍ରତୀକ୍ଷା’’, ଯାହା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଲା। ଏ ଦୁଇଟି ଚଳଚ୍ଚିତ୍ରର ସଫଳତା ପରବର୍ତ୍ତୀ ସମୟରେ ଆହୁରି ଅନେକ ‘‘ଭଲ’’ ଓଡ଼ିଆ ସିନେମା ପାଇଁ ବାଟ ଫିଟାଇ ଦେଲା। ଏହି କ୍ରମରେ ଯେଉଁ କେତେଟି ଚଳଚ୍ଚିତ୍ରର ନାମ ଉଲ୍ଲେଖନୀୟ, ସେଗୁଡ଼ିକ ହେଲା ପିନାକୀ ସିଂ ଓ ଶିଶିର କୁମାର ସାହୁ ନିର୍ଦ୍ଦେଶିତ ‘‘ଫାଲ୍ଗୁନ ଚୈତ୍ର’’ ଓ ‘‘ମାଇଁ ସୁଇଟ୍ ହାଉସ ୱାଇଫ୍’’, ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶିତ ‘‘ପୁଷ୍କରା’’, ଅନୁପମ ପଟ୍ଟନାୟକ ନିର୍ଦ୍ଦେଶିତ ‘‘ତ୍ରିକନ୍ୟା’’, ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଓ ରାଜେଶ ଟଚ୍ ରିଭର ନିର୍ଦ୍ଦେଶିତ ‘‘ମାଇଣ୍ଡ ଗେମ୍’’, ଶୁଭେନ୍ଦୁ ବିଶ୍ବାଳ ନିର୍ଦ୍ଦେଶିତ ନାରୀ ସ୍ୱାଧୀନତାର କାହାଣୀ ‘‘ଏଇ ଆକାଶ ତଳେ’’ ଓ ରାଜେନ୍ଦ୍ର ମହାନ୍ତି ନିର୍ଦ୍ଦେଶିତ ‘‘ନିର୍ଣ୍ଣୟ’’। ‘‘ଦମନ’’ ଆସିବାର ବର୍ଷକ ପୂର୍ବରୁ ଯୁବ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ‘‘ଏଡିଉ ଗୋଦାର୍ଡ’’ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ପ୍ରଶଂସା ଓ ପୁରସ୍କାର ଲାଭ କରିଥିଲା।
ଏ ସବୁ ଚଳଚ୍ଚିତ୍ରର ସଫଳତା ପ୍ରମାଣ କଲା ଯେ ଓଡ଼ିଆ ସିନେମା ପାଇଁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ଏବେ ବି ଅତୁଟ ଅଛି। ସର୍ତ୍ତ କେବଳ ଏତିକି ଯେ କାହାଣୀରେ ଦମ୍ ଥିବା ଦରକାର, ପରିବେଷଣରେ ଏକ ନୂତନତ୍ବ ଥିବା ଦରକାର। ଓଡ଼ିଆ ଦର୍ଶକଟିଏ ସେଥିରେ ନିଜକୁ, ନିଜ ପରିଚିତଙ୍କୁ, ନିଜ ଦୈନନ୍ଦିନ ଜୀବନକୁ, ନିଜ ପରିବେଶକୁ ପାଇବା ଦରକାର। ପ୍ରେକ୍ଷାଳୟମାନଙ୍କରେ ବ୍ଲକ୍ବଷ୍ଟର ବଲିଉଡ୍ ଓ ହଲିଉଡ୍ ସିନେମା ଓ ଓ.ଟି.ଟି.ରେ ଉପଲବ୍ଧ ଭାରତୀୟ ଆଞ୍ଚଳିକ ଭାଷାରେ ନିର୍ମିତ ଛବି ସମେତ ପୃଥିବୀର ଶ୍ରେଷ୍ଠ ସିନେମା ଦେଖୁଥିବା ଓଡ଼ିଆ ଦର୍ଶକ ଯେ ଓଡ଼ିଆ ସିନେମା ପ୍ରତି ବୀତସ୍ପୃହ ନୁହେଁ, ତା’ର ସଦ୍ୟତମ ପ୍ରମାଣ ମିଳିଲା ଗତ ମାସ ଭୁବନେଶ୍ବରର ଜୟଦେବ ଭବନ ଓ ତତ୍ସଂଲଗ୍ନ ଗୀତଗୋବିନ୍ଦ ସଦନରେ ‘‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’’ ଦ୍ବାରା ଆୟୋଜିତ ତିନିଦିନିଆ ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ ସମୟରେ। ଏହି ତିନି ଦିନ ମଧ୍ୟରେ ବିଗତ ଦିନର କ୍ଲାସିକ ‘‘ମଲ୍ଲାଜହ୍ନ’’, ନୀରଦ ମହାପାତ୍ରଙ୍କ କାଳଜୟୀ ‘‘ମାୟା ମିରିଗ’’ ଓ ଜାତୀୟ ସ୍ତରରେ ପୁରସ୍କୃତ ସ୍ବର୍ଗତ ସଂବିତ ମହାନ୍ତି ନିର୍ଦ୍ଦେଶିତ ‘‘ହେଲୋ ଆର୍ସି’’ ଓ ବିଶିଷ୍ଟ ଅଭିନେତ୍ରୀ ବିଜୟା (ଡଲି) ଜେନାଙ୍କ ନିର୍ଦ୍ଦେଶିତ ‘‘ତାରା’’ ଭଳି ଭବ୍ୟ ଓଡ଼ିଆ ସିନେମା ସମେତ ସମୁଦାୟ ୧୫ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେଲା ଏବଂ ସୁଖର କଥା ଯେ ପ୍ରାୟ ସବୁ ସୋ’ ‘‘ହାଉସ୍ଫୁଲ’’ ଗଲା। ଆହୁରି ଉତ୍ସାହଜନକ ବିଷୟଟି ହେଲା, ସିନେମା ଦେଖିବା ପାଇଁ ଓ ସମାନ୍ତରାଳ ଭାବେ ଚାଲିଥିବା କର୍ମଶାଳା ଓ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ପାଇଁ କେବଳ ଭୁବନେଶ୍ୱର ଓ କଟକରୁ ନୁହେଁ, ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ଫିଲ୍ମପ୍ରେମୀ ଆସିଥିଲେ।
ତେବେ କାହିଁକି ଓଡ଼ିଆ ସିନେମା ଏତେ ବର୍ଷ ଧରି ବନବାସରେ ରହିଥିଲା? କାହିଁକି ଦର୍ଶକ ଓଡ଼ିଆ ସିନେମା ପ୍ରତି ଏତେ ବିମୁଖ, ବୀତସ୍ପୃହ ହୋଇପଡ଼ିଥିଲେ? ସେଇ ଦର୍ଶକ ଏବେ ପୁଣି ଓଡ଼ିଆ ସିନେମା ଦେଖିବାକୁ ଆସୁଛନ୍ତି କେମିତି? ସତକଥା ହେଲା- ଓଡ଼ିଆ ଦର୍ଶକ ସେଇଦିନ ଠାରୁ ଓଡ଼ିଆ ସିନେମାରୁ ମୁହଁ ଫେରେଇ ନେଇଥିଲେ ଯେଉଁଦିନ ଠାରୁ ଓଡ଼ିଆ ସିନେମାରେ ଓଡ଼ିଶାର ମାଟି, ପାଣି, ପବନର ପ୍ରତିଫଳନ ଆଉ ଦେଖିବାକୁ ମିଳିଲା ନାହିଁ। ଓଡ଼ିଆ ସିନେମା ବୋଲି କହି ଦର୍ଶକଙ୍କୁ ଯାହା ପରଷା ଗଲା, ସେଥିରେ ଓଡ଼ିଆ ରାନ୍ଧଣାର ସ୍ବାଦ, ମହକ ଓ ମାଧୁର୍ଯ୍ୟ ରହିଲା ନାହିଁ। ତେଲଗୁ, ତାମିଲ କି ହିନ୍ଦୀ ସିନେମାର ‘‘ଫ୍ରେମ୍ ବାଇ ଫ୍ରେମ୍’’ କପିକୁ ଓଡ଼ିଆ ସିନେମା ଆଖ୍ୟା ଦେଇ ଦର୍ଶକ ଗଳାରେ ଜବରଦସ୍ତ ଠେଲିବାକୁ ଚେଷ୍ଟା କରାଗଲା। ପରିଣାମ ଯାହା ହବା କଥା, ତାହା ହିଁ ହେଲା। ଓଡ଼ିଆ ଦର୍ଶକ ଏ ଅରୁଚିକର ଖାଦ୍ୟ ଖାଇଲା ନାହିଁ।
ନବେ ଦଶକର ଦ୍ବିତୀୟାର୍ଦ୍ଧରେ ଆରମ୍ଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ରର ଏ ଦୁର୍ଗତି ପର୍ବ ମଧ୍ୟରେ ସନ୍ଦିଗ୍ଧ ସୂତ୍ରରୁ ଆସୁଥିବା ଅଧର୍ମ ବିତ୍ତ ଯୋଗୁଁ ପୂର୍ବାପେକ୍ଷା ଅଧିକ ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହେଲା। କିନ୍ତୁ ସେ ସବୁ ଦେଖିବା ପାଇଁ ଦର୍ଶକ ଆଉ ରହିଲେ ନାହିଁ। କୌତୂହଳର ବିଷୟ ହେଉଛି, ଲୋକେ ସିନେମା ନ ଦେଖିଲେ ବି, ହଲ୍ ଫାଙ୍କା ରହିଲେ ବି ଏହା ଫିଲ୍ମରେ ପୁଞ୍ଜି ନିବେଶକୁ ଆଦୌ ପ୍ରଭାବିତ, ପ୍ରତିହତ କି ନିରୁତ୍ସାହିତ କଲା ନାହିଁ। ବରଂ ଅଧିକରୁ ଅଧିକ ଲୋକ ସିନେମା ନିର୍ମାଣ ପାଇଁ ଆଗେଇ ଆସିଲେ, କାରଣ ଏହାଥିଲା ସେମାନଙ୍କ ‘‘ସଉକ’’ ଓ ସେ ସଉକ ପୂରଣ କରିବା ପାଇଁ ସେମାନଙ୍କ ହାତରେ ଥିଲା ଅସାଧୁ ଉପାୟରେ ଅର୍ଜିତ ପ୍ରଚୁର ଅର୍ଥ। ଜଣେ ବିଶିଷ୍ଟ ଫିଲ୍ମ ନିର୍ମାତାଙ୍କ ମତରେ ଏହି ପର୍ଯ୍ୟାୟରେ ଫିଲ୍ମ ନିର୍ମାଣ ପାଇଁ ଆବଶ୍ୟକ ସର୍ବନିମ୍ନ ଯୋଗ୍ୟତା ନ ଥିବା ଅନେକ ‘‘ଟେକ୍ନିସିଆନ୍, କୋରିଓଗ୍ରାଫର, ଫାଇଟ୍ ମାଷ୍ଟର, ଏପରିକି ମେକ୍ ଅପ୍ ଆର୍ଟିଷ୍ଟ୍’’ ମଧ୍ୟ ନିର୍ଦ୍ଦେଶକ ପାଲଟିଗଲେ! ନିଜ ନାମ ପ୍ରକାଶ ନ କରିବା ସର୍ତ୍ତରେ ଜଣେ ଅଭିନେତା କହନ୍ତି ଯେ ଓଡ଼ିଆ ସିନେମାର ଏ ଅଧୋପତନ ସମୟରେ ଅଭିନେତାଙ୍କୁ ପଟ୍ଟକଥା (ସ୍କ୍ରିପ୍ଟ) ବଦଳରେ ମୂଳ ସିନେମାର କ୍ୟାସେଟ୍ ବା ଡିଭିଡି ଦିଆଗଲା! ଫଳରେ ସିନେମାର ମାନ କ୍ରମାଗତ ନିମ୍ନଗାମୀ ହୋଇଚାଲିଲା।
ଦୁଇ ଦଶନ୍ଧିର ଅରଣ୍ୟବାସ ପରେ ଶେଷରେ ଓଡ଼ିଆ ସିନେମା ବାଟକୁ ଫେରିଛି ସତ। କିନ୍ତୁ ଏହାକୁ ନେଇ ଖୁବ୍ ବେଶୀ ଉତ୍ଫୁଲ୍ଲିତ ହେବାର କୌଣସି କାରଣ ନାହିଁ। କାରଣ ଅନ୍ୟ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ତୁଳନାରେ ଓଡ଼ିଆ ଚଳଚ୍ଚିତ୍ର ଏବେ ବି ଅନେକ ପଛରେ। ବହୁସଂଖ୍ୟକ ସିନେମା ତିଆରି ହେଉଛି ସତ, କିନ୍ତୁ ସେଥିମଧ୍ୟରୁ ହାତଗଣତି କେତେଟିକୁ ଛାଡ଼ିଦେଲେ ଅଧିକାଂଶ ସିନେମା ଫ୍ଲପ୍ ହେଉଛି। ଓଡ଼ିଆ ସିନେମା ଆଶାନୁରୂପ ଅଗ୍ରଗତି କରିବାରେ ଏକ ବଡ଼ ବାଧକ ହେଉଛି ରାଜ୍ୟରେ ଆବଶ୍ୟକ ସଂଖ୍ୟକ ପ୍ରେକ୍ଷାଳୟର ଅଭାବ। ଅନେକେ ହୁଏତ ଏ କଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାଢ଼େ ଚାରିକୋଟି ସମ୍ଭାବ୍ୟ ଦର୍ଶକଙ୍କ ଏ ରାଜ୍ୟରେ ପ୍ରେକ୍ଷାଳୟ ସଂଖ୍ୟା ମାତ୍ର ୬୦ ପାଖାପାଖି। ରାଜ୍ୟର ୩୦ ମଧ୍ୟରୁ ୧୬ଟି ଜିଲ୍ଲାରେ ଆଦୌ ସିନେମା ହଲ୍ ହିଁ ନାହିଁ! ତେଣୁ ଭଲ ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହେଲେ ବି ସେଗୁଡ଼ିକ ପ୍ରଦର୍ଶିତ ହେବା ପାଇଁ ରାଜ୍ୟରେ ଯଥେଷ୍ଟ ସଂଖ୍ୟକ ସିନେମା ହଲ୍ ନାହିଁ। କହିବା ବାହୁଲ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ପରି ବଡ଼ ସହରମାନଙ୍କରେ ଗଢ଼ି ଉଠୁଥିବା ମଲ୍ଟିପ୍ଲେକ୍ସଗୁଡ଼ିକ ଏ ଅଭାବକୁ ପୂରଣ କରିବାରେ ଅକ୍ଷମ। ଏମିତି ବି ମଲ୍ଟିପ୍ଲେକ୍ସଗୁଡ଼ିକ ବ୍ୟାବସାୟିକ କାରଣରୁ ଓଡ଼ିଆ ସିନେମା ଦେଖାଇବା ପାଇଁ ଆଗ୍ରହୀ ନୁହନ୍ତି। ଯଥେଷ୍ଟ ଦର୍ଶକ ସିନେମା ଦେଖିବାକୁ ଆସୁଥିଲେ ବି ସେମାନେ ବିଭିନ୍ନ ଆଳ ଦେଖାଇ ଓଡ଼ିଆ ସିନେମାକୁ ବେଶୀଦିନ ଚାଲିବାକୁ ଦିଅନ୍ତି ନାହିଁ। ତେଣୁ ଓଡ଼ିଆ ସିନେମା ଶିଳ୍ପକୁ ସମୃଦ୍ଧ କରିବା ପାଇଁ ସର୍ବପ୍ରଥମ ଆବଶ୍ୟକତା ହେଉଛି ରାଜ୍ୟର ସବୁ ଜିଲ୍ଲା, ସବୁ ସବ୍ଡିଭିଜନ, ଏପରିକି ସବୁ ବ୍ଲକ୍ରେ ପ୍ରେକ୍ଷାଳୟ ନିର୍ମାଣ।
ତେଲଗୁ, ତାମିଲ, ବଙ୍ଗଳା, ମରାଠୀ ଆଦି କ୍ଷେତ୍ରୀୟ ସିନେମା ଓ.ଟି.ଟି. ଜରିଆରେ ସାରା ଦେଶର ଅସଂଖ୍ୟ ଦର୍ଶକଙ୍କ ପାଖରେ ପହଞ୍ଚୁ ଥିଲାବେଳେ ଦ୍ରୁତବେଗରେ ବୃଦ୍ଧି ପାଉଥିବା ଏହି ମଞ୍ଚରେ ଓଡ଼ିଆ ସିନେମାର ଉପସ୍ଥିତି ନାହିଁ କହିଲେ ଚଳେ। ଏ ଦିଗରେ ଚଳଚ୍ଚିତ୍ର ନିର୍ମାତାମାନେ ସଂଘବଦ୍ଧ ଉଦ୍ୟମ କରିବା ଆବଶ୍ୟକ। ଉନ୍ନତମାନର ଚଳଚ୍ଚିତ୍ର (ଓ ସିରିଜ୍) ନିର୍ମାଣ ହେଲେ ସେ ସବୁ ବିଭିନ୍ନ ଓ.ଟି.ଟି. ପ୍ଲାଟ୍ଫର୍ମରେ ନିଶ୍ଚୟ ସ୍ଥାନ ପାଇବ।
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପ୍ରସାର, ବିକାଶ ଓ ଅଗ୍ରଗତି ପାଇଁ ଏ ଶିଳ୍ପ ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ରାଜ୍ୟ ସରକାରଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ସରକାରୀ ପ୍ରୋତ୍ସାହନ ଯେ ସିନେମା କ୍ଷେତ୍ରରେ କିପରି ବୈପ୍ଳବିକ ପରିବର୍ତ୍ତନ ଆଣିପାରେ, ତାହାର ଉଦାହରଣ ଆମେ ଅଶୀ ଦଶକରେ ଦେଖିସାରିଛୁ। ଏବେ ଭାବିଲେ ସ୍ବପ୍ନ ପରି ଲାଗେ ଯେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟୁଡିଓ ଦିନେ ଥିଲା ସମଗ୍ର ପୂର୍ବ ଭାରତରେ ସିନେମା ନିର୍ମାଣର ଏକ ପ୍ରମୁଖ ହବ୍। ବୁଦ୍ଧଦେବ ଦାସ୍ଗୁପ୍ତା, ଅଦୂର୍ ଗୋପାଳକ୍ରିଷ୍ଣନଙ୍କ ପରି ମହାନ ନିର୍ଦ୍ଦେଶକ ଦିନେ ନିଜ ସିନେମା ନିର୍ମାଣ ପାଇଁ ଧାଇଁ ଆସୁଥିଲେ ଭୁବନେଶ୍ୱର। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଆଖିଦୃଶିଆ ସବ୍ସିଡି ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପ୍ରଯୋଜକଙ୍କୁ ଏଠି ଫିଲ୍ମ ନିର୍ମାଣ ପାଇଁ ପ୍ରୋତ୍ସାହିତ କରୁଥିଲା। ବିଗତ ସରକାରଙ୍କ ସମୟରେ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ପାଇଁ ବହୁବାର ଘୋଷଣା, ଅର୍ଥ ବରାଦ ହୋଇଛି। କିନ୍ତୁ ବାସ୍ତବିକ ସ୍ଥିତିରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। ସିନେମା ନୀତି ପ୍ରଣୀତ ଓ ସଂଶୋଧିତ ହୋଇଛି। କିନ୍ତୁ ତାହାର କି ସୁଫଳ ମିଳିଛି, ତାହା କେହି ଜାଣନ୍ତି ନାହିଁ।
ମୁଷ୍ଟିମେୟ ପ୍ରତିବଦ୍ଧ, ପ୍ରତିଭାଧର ନିର୍ମାତା ଓ ନିର୍ଦ୍ଦେଶକଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଓଡ଼ିଆ ସିନେମାର ଏ ନୂତନ ପର୍ଯ୍ୟାୟରେ ନୂଆ ସରକାର ଆବଶ୍ୟକ ପ୍ରୋତ୍ସାହନ ଓ ସହଯୋଗ ଯୋଗାଇଦେଲେ ଓଡ଼ିଆ ସିନେମା ଯେ ପୁଣିଥରେ ଦର୍ଶକୀୟ ଆଦୃତି ଲାଭକରିବା ସହିତ ଜାତୀୟ ଓ ଅାନ୍ତର୍ଜାତିକ ସ୍ତରରେ ଓଡ଼ିଶାର ନାମ ଉଜ୍ଜ୍ୱଳ କରିପାରିବ, ଏଥିରେ ସନ୍ଦେହ ନାହିଁ।
ମୋ: ୯୯୩୭୨୨୮୧୨୨
ଢିଙ୍କିଶାଳରୁ ଢେଙ୍କାନାଳ; ଓଡ଼ିଆ ସିନେମା: ବାଟ ଲେଉଟାଣି ବେଳ
ସନ୍ଦୀପ ସାହୁ