ବାବାଜୀଚରଣ ପଟ୍ଟନାୟକ

Advertisment

ଊନବିଂଶ ଶତାବ୍ଦୀର ଷଷ୍ଠ ଦଶନ୍ଧି ବେଳକୁ ଓଡ଼ିଆ ଅସ୍ମିତା ଘେନି ଓଡ଼ିଅା ଭାଷାଭାଷୀ ଅଞ୍ଚଳରେ ସଂସୃଷ୍ଟ ଗୋଳର ବିକାଶ ପର୍ଯ୍ୟାୟ ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ଉତ୍କଳଗୌରବ ମଧୁସୂଦନ ଦାସ (ଜନ୍ମ- ୨୮ ଏପ୍ରିଲ, ୧୮୪୮; ମୃତ୍ୟୁ- ୪ ଫେବ୍ରୁଆରି, ୧୯୩୪)ଙ୍କ ନେତୃତ୍ବରେ ତାତ୍ପର୍ଯ୍ୟପୂର୍ଣ୍ଣ ଦିଶା ଗ୍ରହଣ କରିଥିଲା, ଯହିଁର ଫଳଶ୍ରୁତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ (୧ ଏପ୍ରିଲ, ୧୯୩୬)। କେବଳ ଓଡ଼ିଆ ଭାଷା ସୁରକ୍ଷା ନୁହେଁ, ତହିଁ ସୂତ୍ରେ ସ୍ବତନ୍ତ୍ର ପ୍ରଦେଶ ଦାବି, ତାଙ୍କ ଆନ୍ଦୋଳନ ମଞ୍ଚ ‘ଉତ୍କଳ ସମ୍ମିଳନୀ’ (୧୯୦୩)ର ମୂଳ ଲକ୍ଷ୍ୟ ହୋଇଥିଲା। ମନେ ରଖିବାକୁ ହେବ, ଓଡ଼ିଆ ଭାଷା ଓଡ଼ିଆ ଅସ୍ମିତାର ସର୍ବଦା ଶଙ୍କୁ। ଭାଷା ଦେଇ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଯେଉଁ ଭାବବୋଧ ଉପଲବ୍‌ଧ ହୁଏ ତାହା ଚିତ୍ରାତ୍ମକ। ଏଇକଥା ପ୍ରତ୍ୟକ୍ଷୀଭୂତ ହୋଇଥାଏ ଶିଳ୍ପ, କଳା, ସ୍ଥାପତ୍ୟ, ନୃତ୍ୟ, ପାଳିତ ଆଚାର, ଧର୍ମ, ସାହିତ୍ୟାଦି ସଂକେତରେ। ୧ ମେ’, ୧୯୧୩ରେ ମଧୁସୂଦନ ଦାସ ରେଭେନ୍‌ସା କଲେଜିଏଟ ସ୍କୁଲର ‘ଆଲୋଚନା ସଭା’ରେ ଭାଷଣ ଦେଇ କହିଥିଲେ- ‘‘ଭାଷା ଶିକ୍ଷାର ଉଦ୍ଦେଶ୍ୟ ହେଉଛି ମନର ଚିନ୍ତାକୁ ଚିତ୍ରପଟରେ ଆଙ୍କିବା। ଯାହାଙ୍କ ସହିତ କଥା କହୁଛି ସେମାନଙ୍କ ମନ ଚିତ୍ରପଟ ଓ ଭାଷା ତୂଳି ସ୍ବରୂପ। ମୋହ ମନରେ ଯେଉଁ ଛବି ଅଛି, ‌େସ ଛବିକୁ ଅନ୍ୟ ମନରେ ଯେଉଁ ତୂଳି ଦ୍ବାରା ଆଙ୍କିପାରେ ତାହାର ନାମ ଭାଷା। ++ ମୁଁ ଭାଷା ଆଲୋଚନାର ଅର୍ଥ ଏହା ବୁଝେ ଯେ, ଏ ପ୍ରକାର ଭାଷା କହିବାକୁ ହେବ ଯାହାକୁ ପାଞ୍ଚ ବର୍ଷର ଶିଶୁ ବୁଝିପାରିବ।’’ (ଉତ୍କଳଦୀପିକା- ୩.୫.୧୯୧୩) ମଧୁସୂଦନ ଦାସ ବଙ୍ଗ ପ୍ରଦେଶରେ ଆନୁଷ୍ଠାନିକ ଶିକ୍ଷାପ୍ରାପ୍ତ ହୋଇ ଓଡ଼ିଆଙ୍କ ମଧ୍ୟରେ ପ୍ରଥମ ଏମ୍.ଏ.ବି.ଏଲ୍. ହେବାର କୀର୍ତ୍ତି ଅର୍ଜିଥିଲେ। ତେଣୁ ବଙ୍ଗଳା ଭାଷାରେ କଥାବାର୍ତ୍ତା କରିବା ଓ ଇଂରେଜୀରେ ଲେଖାଲେଖି, ତାଙ୍କ ପାରଦର୍ଶିତା ସୂଚକ ଥିଲା। ସେ ୧୮୮୧ ମସିହା, ସେପ୍‌ଟେମ୍ବର ମଧ୍ୟଭାଗରେ ବଙ୍ଗରୁ କଟକ ଫେରିଲେ। ସେପ୍‌ଟେମ୍ବର ୧୯ରୁ କଟକର ଅଦାଲତମାନଙ୍କରେ ଓକିଲାତି ଆରମ୍ଭ କଲେ। ବ୍ରିଟିସ ସରକାରରେ ପ୍ରବର୍ତ୍ତିତ ଭାରତୀୟ ଲବଣ କରକୁ ବିରୋଧ କରାଯାଇ କଟକ ମ୍ୟୁନିସପାଲିଟି ପଡ଼ିଆରେ ଏକ ପ୍ରତିବାଦ ସଭା ଆହୂତ ହୋଇଥିଲା। ଏହି ସଭାରେ ମଧୁବାବୁ ପ୍ରଥମଥର ପାଇଁ ଓଡ଼ିଆରେ ଭାଷଣ ଦେଇଥିଲେ ୧୨ ଫେବ୍ରୁଆରି ୧୮୮୮ରେ। ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷଣ ଦେବା ତାଙ୍କ ପାଇଁ ସହଜ ହୋଇଯାଇଥିଲା। ସେ ବୁଝିପାରିଥିଲେ, ଆଞ୍ଚଳିକ ଭାଷା ହେଉଛି ଗଣଆନ୍ଦୋଳନକୁ ତେଜାଇବାର ପ୍ରକୃଷ୍ଟ ମାଧ୍ୟମ, ଯହିଁର ସ୍ବାଭାବିକ ବିନିଯୋଗ କରିଥିଲେ ‘ଉତ୍କଳ ସମ୍ମିଳନୀ’ ଜରିଆରେ। ଉତ୍କଳ ସମ୍ମିଳନୀ ସଭାର ଉଦ୍ଦେଶ୍ୟ ପ୍ରସଙ୍ଗରେ ସେ ଦର୍ଶାଇଥ‌ିଲେ- ‘‘ସାହିତ୍ୟର ଉନ୍ନତି ନ ହେଲେ ଜାତିର ଉନ୍ନତି ହେବା ବଡ଼ କଷ୍ଟ। ଚାଷୀ, କାରିଗର ଓ ବେପାରୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଓଡ଼ିଆ ଭାଷା ଦରକାର। ବର୍ତ୍ତମାନର ସଭ୍ୟତା ଓ ବିଦ୍ୟା ଅନୁସାରେ ସେମାନଙ୍କ ମନରେ ନୂଆ ନୂଆ ଭାବମାନ ପୂରାଇବାକୁ ହେବ, ସେଥିପାଇଁ ଇଉରୋପ ଓ ବିଲାତର ଭଲ ଭଲ ନିପୁଣ ଲୋକମାନଙ୍କର ବହି ପଢ଼ି, ତାକୁ ଓଡ଼ଆ ଭାଷାରେ ବୁଝାଯିବା ଭଳି ତର୍ଜମା କରି ଅଧାପାଠୁଆ ଓ ମୂର୍ଖଲୋକଙ୍କୁ ସମୁଜାଇବାକୁ ହେବ। ଏଥିନିମନ୍ତେ ଭାଷାର ଉନ୍ନତି କରିବା ଦରକାର; ସାହିତ୍ୟ ଉନ୍ନତି ନ ହେଲେ ଆମ୍ଭେମାନେ ଉନ୍ନତି କରିପାରିବୁ ନାହିଁ।’’ (ମଧୁସୂଦନଙ୍କ ଓଡ଼ିଆ ରଚନାବଳୀ- ୨୦୧୦, ସଂ- ଦେବେନ୍ଦ୍ର କୁମାର ଦାଶ, ନଗେନ୍ ଦାସ- ପୃ. ୭୨-୭୩) ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରୁ ଉପାଦେୟ କୃତିଗୁଡ଼ିକର ଓଡ଼ିଆ ଅନୁବାଦ ଓଡ଼ିଆଙ୍କ ପାଇଁ ଆବଶ୍ୟକ ବୋଲି କୁଳବୃଦ୍ଧ ଚିନ୍ତା କରୁଥିଲେ।
ରେଭେନ୍‌ସା କଲେଜିଏଟ ସ୍କୁଲର ‘ଆଲୋଚନା ସଭା’ର ସପ୍ତମ ବାର୍ଷିକ ଅଧିବେଶନ (୧୪.୪.୧୯୧୫)ରେ ସଭାପତି ଅଭିଭାଷଣ ଦେବା କାଳରେ ତାଙ୍କର ସାହିତ୍ୟିକ ଯୋଗ୍ୟତା ନ ଥିବା ଦର୍ଶାଇବା ଥିଲା ଔପଚାରିକତା। ସାହିତ୍ୟିକ କହିଲେ ସେହିମାନଙ୍କୁ ବୁଝାଏ ଯେଉଁମାନେ ଗପ, କବିତା, ପ୍ରବନ୍ଧାଦି ଲେଖିଥା’ନ୍ତି। କିନ୍ତୁ ମଧୁବାବୁ ଉତ୍କଳ ସମ୍ମିଳନୀ ଜରିଆରେ ଓଡ଼ିଆଙ୍କ ପ୍ରତିଷ୍ଠା ଓ ସ୍ବାଭିମାନ ପାଇଁ ଯେଭଳି ଚିନ୍ତାଶୀଳ ଭାଷଣ ଯେଭଳି ଭାଷାରେ ପ୍ରଦାନ କରିଛନ୍ତି ସେଗୁଡ଼ିକର ଆ‌ଳରେ ତାଙ୍କୁ ସାହିତ୍ୟିକ କୁହାଯିବାରେ ଅସୁବିଧା ନାହିଁ। ସେ, ସଭାପତି ଭାଷଣରେ ଦର୍ଶାଇଥିଲେ; ରେଭେନ୍‌ସା କ‌େ‌ଲଜିଏଟ ସ୍କୁଲର ନାମ କଟକ ଗଭର୍ନମେଣ୍ଟ ହାଇସ୍କୁଲ ଥିବାବେଳେ ସେ ୧୮୬୦ରୁ ୧୮୬୪ ମଧ୍ୟରେ ସେଠି ଛାତ୍ର ଥିଲେ; ସେତେବେଳେ ସେଠି ନା ଥିଲେ ଓଡ଼ିଆ ଶିକ୍ଷକ ନା ଥିଲା ଓଡ଼ିଆ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା। ପିଲାଦିନେ ସେ ପଢ଼ିଥିଲେ କୋଇଲି, ଗୋପୀଭାଷା, ସାରଳା ମହାଭାରତ, ବଳରାମଙ୍କ ରାମାୟଣ, ଜଗନ୍ନାଥ ଦାସଙ୍କ ଭାଗବତ, ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ, ଲାବଣ୍ୟବତୀ, ଦୀନକୃଷ୍ଣଙ୍କ ରସକଲ୍ଲୋଳ, ଅଭିମନ୍ୟୁଙ୍କ ବିଦଗ୍‌ଧ ଚିନ୍ତାମଣି ଆଦି ପୋଥିରୁ। ଉଚ୍ଚଶିକ୍ଷା ଲାଭ କରିବାବେଳେ ମିଲ୍‌ଟନ୍, ସେକ୍‌ସପିଅର୍, ବାଇବେଲ୍ ପଢ଼ି ଇଂରେଜୀ ସାହିତ୍ୟ ଓ ଭାଷାରେ ଦଖଲ ହାସଲ କରିଥିଲେ। ସେ ଉଭୟ ପ୍ରାଚୀନ ଓଡ଼ିଆ ସାହିତ୍ୟ ଓ ସମକାଳୀନ ସାହିତ୍ୟର ପ୍ରଚାର ପ୍ରସାର କାମନା କରୁଥିଲେ। ପୁନଶ୍ଚ, ତାଙ୍କରି ଭାଷାରେ ‘‘ମୁଁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଅଛି ସତ୍ୟ, କିନ୍ତୁ ଓଡ଼ିଶାର ଜାତୀୟ କବି ଜଗନ୍ନାଥ ଦାସଙ୍କ ଭାଗବତ ପାଠ କରିଛି ଓ ତାହାକୁ ଧର୍ମଗ୍ରନ୍ଥ ହିସାବରେ ଯଥେଷ୍ଟ ମାନ୍ୟ କରେ।’’ ଅଧିକନ୍ତୁ, ‘‘ଓଡ଼ିଆ ଭାଷା ରହିବାରୁ ସିନା ଓଡ଼ିଆ ସାହିତ୍ୟ ସୃଷ୍ଟି ହେଉଅଛି। ଏ ଅତି ପ୍ରାଚୀନ ଭାଷା। ଏହା ତ ଲୋପ ହେବନାହିଁ। ++ ଭାଷା ନେଇ ଜାତି। ଆମ୍ଭେମାନେ ଭାରତ ଜନନୀ ଓ ଉତ୍କଳ ଜନନୀର ପୂଜା କରୁଅଛୁ। ଆମ୍ଭର ଉତ୍କଳ ସମ୍ମିଳନୀରେ ଗୋଟିଏ ସୂକ୍ତି ଥିଲା- ମାତୃଭାଷା ମାତୃଭୂମି ଉଭୟେ ଜନନୀ / କର ତାଙ୍କ ପାଦପୂଜା ଦିବସ ରଜନୀ।’’ (‌ତତ୍ରୈବ- ପୃ- ୧୭୪) ମଧୁସୂଦନଙ୍କ ଭାଷଣଗୁଡ଼ିକରୁ ଅନେକ ପୌରାଣିକ ଦୃଷ୍ଟାନ୍ତ, ଓଡ଼ିଆ ଢଗ, ପ୍ରବଚନ, ଏପରିକି ‘ଆଲୋ ସଖୀ ଆପଣା ମହତ ଆପେ ରଖି’ ଭଳି ପହଳିର ବ୍ୟବହାର ଚାକ୍ଷୁସ ହୋଇଥାଏ, ଯାହା କାବ୍ୟିକ ଉପାଦାନ।
ପେସାରେ ଓକିଲ ହେଲେ ହେଁ, ନିଶାରେ ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା ସଂଗ୍ରାମୀ, ଜାତୀୟତାବାଦୀ ଓ ଜାତୀୟଜୀବନ ଦରଦୀ। ପ୍ରାଦେଶିକ ସ୍ବପ୍ନ ଇସାରା ଓ ଓଡ଼ିଆଙ୍କ ସ୍ବାଭିମାନ ଚିନ୍ତାର ଘୂରାଫେରା ଭିତରେ ବାସ୍ତବତା ଏବଂ ଆବେଗର ବଶୀଭୂତ ଚେତନା ତାଙ୍କୁ କବିତା ଲେଖିବାକୁ ପ୍ରଚୋଦିତ କରିଛି। ଫଳତଃ, ଅକ୍‌ଟୋବର ୧୯୧୪ରୁ ଅକ୍‌ଟୋବର ୧୯୧୫ ମଧ୍ୟରେ ତାଙ୍କର ଛଅଟି କବିତା ‘ମୁକୁର’ ପତ୍ରିକାରେ ପ୍ରକାଶ ପାଇଛି। ଏହି ଛଅଟି କବିତାକୁ ‘ମୁକୁର’ର ସଂପାଦକ ବ୍ରଜସୁନ୍ଦର ଦାସ ୧୯୧୫ ମସିହା ଶେଷ ବେଳକୁ ‘ଜାତୀୟ ଗୀତ’ ନାମରେ ସଂକଳନ କରିଥିଲେ। ଏହି ସଂକଳିତ ପୁସ୍ତକର ଆରମ୍ଭରେ ବ୍ରଜସୁନ୍ଦର ଲେଖିଥିଲେ, ‘‘ଜାତିର ନିଶ୍ଚେଷ୍ଟ ଓ ମୁର୍ମୂଷ ଅବସ୍ଥା ଦେଖି ସ୍ବଦେଶପ୍ରାଣ ବୃଦ୍ଧ ମଧୁସୂଦନଙ୍କର ବାକ୍ୟ ଛନ୍ଦୋବଦ୍ଧ ହୋଇ ସ୍ବତଃ ଉଚ୍ଚାରିତ ହୋଇଅଛି।’’ ମଧୁସୂଦନ କହିଥିଲେ, ‘‘ମୁଁ ମୋର ଭାବ ଜାତିକୁ ଦେଇଛି, ତାହା ଗୋ‌ଡ଼ରେ ମାଡ଼ିପାର ବା କଣ୍ଠରେ ଧାରଣ କରିପାର ତ‌ାହା ଜାତିର, ମୋର କୌଣସି ଅଧିକାର ନାହିଁ।’’ ‘ଜଣାଣ’ ଓ ‘ଉତ୍କଳ ସନ୍ତାନ’ କବିତା ଦୁଇଟି ଗୋଟିଏ କବିତା ରୂପେ ଏମ୍. ଏସ୍. ଦାସ ନାମରେ ‘ମୁକୁର’- ଅକ୍‌ଟୋବର ୧୯୧୪ରେ ପ୍ରକାଶ ପାଇଥିଲା। ଉଭୟ କବିତାରେ ବ୍ୟକ୍ତିନିଷ୍ଠ ସ୍ବର ସାନ୍ଦ୍ରତା ଓ ଆତ୍ମାଭିମାନର ଛଟା ଉପଲବ୍‌ଧ ହୋଇଥା‌ଏ। ଜାତୀୟ ଜୀବନରେ ଉତ୍କଳୀୟଙ୍କ କର୍ତ୍ତବ୍ୟ ଜ୍ଞାନହୀନତା ତାଙ୍କ ଭିତରେ ଥିବା ଉତ୍କଳମାତାର ସହାସ୍ୟ ବଦନ ଦେଖିବାର ଆଶା ଓ ସ୍ବପ୍ନ ଭାଙ୍ଗିଦେଲା। ତଥାପି, ଉତ୍କଳ ସନ୍ତାନଙ୍କୁ ଆହ୍ବାନ ଓ ଅନୁପ୍ରାଣନାରେ ବଶୀଭୂତ କରିବା ପାଇଁ ଟୀକା ଗୋବିନ୍ଦଚନ୍ଦ୍ର (ଯୋଗୀନ୍ଦ୍ର ଦୈବଜ୍ଞ ବିପ୍ର ରଚିତ)ର ଯୋଗୀ ଗୀତବୃତ୍ତରେ ଗୀତ ଶୁଣାଇଥିଲେ ଉତ୍କଳୀୟଙ୍କୁ। ସ୍ବାର୍ଥ, ତୋଷାମଦ ପରିହାରରେ ହିଁ ବ୍ୟକ୍ତି ଜାତୀୟ ଜୀବନ ସମ୍ବର୍ଦ୍ଧକ ହେବ- ଏହାହିଁ ତାଙ୍କ ଭାବବାଣୀ। ଏଥି ସହିତ ତା’ ଜାତିର ଗରୀୟାନ ଅତୀତକୁ ସ୍ମରଣ କରାଇଛନ୍ତି ‘ଉତ୍କଳ ସନ୍ତାନ’ କବିତାରେ। ‘ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ’, ‘ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ବାର୍ଥକୁ ସାରଥି କଲେ’ ଭଳି ସୂକ୍ତି ପଙ୍‌କ୍ତି କାଳାନ୍ତରରେ ବି ଓଡ଼ିଆଙ୍କ ତୁଣ୍ଡେ ତୁଣ୍ଡେ ଉଚ୍ଚାରଣ ହୁଏ। ‘ଜନନୀର ଭକ୍ତି’ କବିତାରେ ଗୌରବୋଜ୍ବଳ ଉତ୍କଳ ଐତିହ୍ୟ ସମୁଚ୍ଚାରିତ। ଆକ୍ଷେପୋକ୍ତି ବି କବିତାଟିର ସ୍ବର ସ୍ବାଦରେ ମଧୁସୂଦନଙ୍କ ଉପସ୍ଥିତି ବର୍ତ୍ତମାନତାକୁ ସୂଚାଏ- ‘ବାକ୍ୟବୀରଙ୍କର ଭାବ ଶୁଣୁଅଛି କର୍ମବୀରେ ଗଲେ କାହିଁ?’ ମାଆ ରୂପୀ ଉତ୍କଳ ଓ ଭାଇ ରୂପୀ ଓଡ଼ିଆମାନଙ୍କୁ ଖୋଜିବାର କବିଙ୍କ ବ୍ୟାକୁଳତା ‘ସନ୍ତାନର ଭକ୍ତି’ କବିତାରେ ପ୍ରତିଭାତ। ଜାତିପ୍ରେମ ବହ୍ନି ପ୍ରଜ୍ବଳିତ କରାଇବା ପାଇଁ ‘ସ୍ବାର୍ଥମେଧ ଯଜ୍ଞ’ ରୂପକ ଉତ୍କଳ ସମ୍ମିଳନୀର ଉପସ୍ଥିତି କବିତାରେ ଘୋଷିତ। ‘ସମ୍ମିଳନୀ’ କବିତାରେ ଓଡ଼ିଆମାନଙ୍କୁ ଆହ୍ବାନର ତୀବ୍ରତା ଉପଲବ୍‌ଧ ହୁଏ- ‘ନିଜର ଜୀବନ ଜାତିକୁ ଅର୍ପଣ କଲେ ମିଳେ ଜାତି ପ୍ରାଣ / ଜାତୀୟ ଜୀବନ ନ ମିଳିବ କଲେ ହାଟେବାଟେ ଅନ୍ବେଷଣ।’ ‘ଜାତି ଇତିହାସ ଜାତିର ନିର୍ଝର ତହୁଁ ବହେ ସଦା ଜାତି ପ୍ରାଣଧାର / ସେ ଧାରାରୁ ନୀର ପିଉଛି ଯେ ନର, ନିଶ୍ଚୟ ହେବ ସେ ଜାତି କର୍ମବୀର।’ (ଜାତି ଇତିହାସ) ଏହି ଛଅଟି କବିତା ବ୍ୟତୀତ ମଧୁବାବୁ ଆଉ ଗୋଟିଏ କବିତା ଲେଖିଥିବା ଜଣାଯାଏ, ତହିଁର ନାମ ‘ଏ ଭବେ ପାଇବ କାହିଁ?’
ଉପସଂହାରରେ ଏତିକି କହିଲେ ଯଥେଷ୍ଟ ହେବ, ଓଡ଼ିଆମାନଙ୍କ ପାଇଁ ପ୍ରଦେଶର ସ୍ବପ୍ନ ଦେଖୁଥିବା ମଧୁସୂଦନ ଦାସ, ଓଡ଼ିଆ ଭାଷା ଓ ସାହିତ୍ୟର ମହତ୍ବ ଏବଂ ଉପଯୋଗିତା ଉଚ୍ଚାଙ୍ଗ ବୋଲି ବିଚାରୁଥିଲେ। ଓଡ଼ିଆରେ ଭାଷଣ ଶୈଳୀ‌ର ଜନ-ଜାଗରଣ ନିମିତ୍ତ ଆହ୍ବାନିତ ଶବ୍ଦ ଓ ସ୍ବର ଗୀତ ବା କବିତାରେ ବ୍ୟବହାର କରାଗଲେ କିପରି ଭିନ୍ନତା ବରେ, ତାହା ତାଙ୍କ ନିଜ ଲିଖିତ କବିତାଗୁଡ଼ିକରେ ପରୀକ୍ଷିତ। ଯଥାର୍ଥତଃ ସେ ଓଡ଼ିଆ ଜାତିର ଜନକ, ଓଡ଼ିଆ ଭାଷା ସାହିତ୍ୟର ରସିକ ଗ୍ରାହକ ଓ ପୂଜାରୀ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୧୯୯୧୪