ଜଗନ୍ନାଥ ଦାସଙ୍କ ଓଡ଼ିଆ ‘ଭାଗବତ’ର ଗୋଟିଏ ସଦୁକ୍ତି ହେଉଛି- “ଆପଣା ହସ୍ତେ ଜିହ୍ୱା ଛେଦି। କେ ତାର ଅଛି ପ୍ରତିବାଦୀ।” ରାଜ୍ୟ ସରକାରଙ୍କ ପ୍ରତି ଅତ୍ୟଧିକ ପ୍ରୀତି ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ନୂଆ ସଭାପତିଙ୍କ ପାଇଁ ଏହି ଅସୁବିଧା ଆଣିଦେବା ସହିତ, ଏକାଡେମୀର ଯତ୍‌କିଞ୍ଚିତ୍ ସ୍ୱାୟତ୍ତତାକୁ ମଧ୍ୟ ସଂକଟରେ ପକାଇ ଦେଇଛି।
ଅବଶ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀର ନୂଆ ସଭାପତି, ଏବେ ଆଉ ନୂଆ ହୋଇ ନାହାନ୍ତି। ଏଇ ମେ ୨୧ ତାରିଖ ଦିନ ସେ ତାଙ୍କ ସଭାପତି କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ଣ୍ଣ କରିଛନ୍ତି। ତାଙ୍କ ନିଜ ସଂକଳ୍ପ ଅନୁସାରେ, ଦାୟିତ୍ୱ ଗ୍ରହଣ କରିବାର ସାତ ମାସ ଭିତରେ ବା ଦଶ ମାସ ଭିତରେ, ଗୋଟିଏ ବର୍ଷର ପୁରସ୍କାର ବି ଘୋଷଣା ହୋଇ ପାରିଲା ନାହିଁ। ମଣିଷ ପିଲାଟିଏ ଦଶ ମାସରେ ଜନ୍ମ ନିଏ। କିନ୍ତୁ ତାଙ୍କ କାର୍ଯ୍ୟକାଳର ବର୍ଷେ ପରେ ବି, ଗୋଟିଏ ପୁରସ୍କାର-ପିଲା ଯେ ଜନ୍ମ ନେଲାନାହିଁ, ଏହାହିଁ ସବୁଠୁ ବଡ଼ ବିଡ଼ମ୍ବନା।
ଯେଉଁମାନେ କୌଣସି ଏକ ବ୍ୟବସ୍ଥାର ପରିବର୍ତ୍ତନ ଚାହାନ୍ତି, ତାଙ୍କ ପାଇଁ ଗୋଟିଏ ପ୍ରାଥମିକ କଥା ହେଉଛି- ସ୍ଥିତାବସ୍ଥାକୁ ଗ୍ରହଣ କରିବା। ଜଣେ ପ୍ରଥମେ ସ୍ଥିତାବସ୍ଥାକୁ ଗ୍ରହଣ କଲେ ହିଁ, ପରେ ସେହି ବ୍ୟବସ୍ଥାକୁ ପରିବର୍ତ୍ତନ କରିପାରେ। କିନ୍ତୁ ଆରମ୍ଭରୁ ହିଁ ନୂଆ ସଭାପତି ଓ ନୂଆ କାର୍ଯ୍ୟକାରୀ ପରିଷଦ ଚାହିଲେ- ଏକାଡେମୀ ପୁରସ୍କାର ବାବଦରେ ଥିବା ପ୍ରଚଳିତ ବ୍ୟବସ୍ଥାର ସଂସ୍କାର। ସେହି ସଂସ୍କାର ପ୍ରସ୍ତାବର ଗୋଟିଏ ମୁଖ୍ୟ ବିଷୟ ଥିଲା- ଯେଉଁମାନେ ସାଧାରଣ ପରିଷଦର ସଦସ୍ୟ, ସେମାନଙ୍କର ପୁସ୍ତକ ପୁରସ୍କାର-ବିଚାରର ପରିସରଭୁକ୍ତ ହେବ ନାହିଁ। ସେ ନେଇ ବହୁ ବାଦ-ବିବାଦର ସୂତ୍ରପାତ ହେଲା। ପରିସ୍ଥିତି ଏପରି ହେଲା, ଯେ ବୋତଲ ଭିତରୁ ଭୂତ ବାହାରିବା ପରି, ଜଣାଗଲା ଯେ ୧୯୯୬ ମସିହା ଠାରୁ ପ୍ରଚଳିତ ହୋଇଆସିଥିବା ସବୁ ପୁରସ୍କାର ନିୟମାବଳୀ ଅସାଂବିଧାନିକ। କାରଣ, ତାହା ସାଂବିଧାନିକ ବିଧି ବ୍ୟବସ୍ଥା ଅନୁସାରେ, କାର୍ଯ୍ୟକାରୀ ପରିଷଦ ଦ୍ୱାରା ପ୍ରଣୀତ ହୋଇ, ସାଧାରଣ ପରିଷଦର ଅନୁମୋଦନ ଲାଭ କରିଥିଲେ ମଧ୍ୟ, ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ। କେବଳ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ନୁହେଁ; ଏକାଡେମୀର ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ନିୟମାବଳୀ କ୍ଷେତ୍ରରେ ମଧ୍ୟ ତାହାହିଁ ହୋଇଛି। ଫଳରେ ଏକାଡେମୀର ସମସ୍ତ ପୁରସ୍କାରର ଚୟନ ପ୍ରକ୍ରିୟା ଏହି ସାଂବିଧାନିକ ସଂକଟ ଯୋଗୁଁ ଏବେ ବନ୍ଦ ହୋଇଯାଇଛି। ଏହି ସ୍ତମ୍ଭର ପୂର୍ବଲେଖ (ସାଂବିଧାନିକ ସଂକଟରେ ସାହିତ୍ୟ ଏକାଡେମୀ, ୨୯.୪)ରେ ଏ ସଂପର୍କରେ ବିଶଦ ଆଲୋଚନା କରାଯାଇଛି।

Advertisment

ଏବେ ଆଉ ଗୋଟିଏ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି ସାହିତ୍ୟ ଏକାଡେମୀ ପୁରସ୍କାରର ନୂଆ ନିୟମାବଳୀକୁ ନେଇ। ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ, ଯେ ୧୯୯୬ ମସିହା ଠାରୁ ପ୍ରଚଳିତ ନିୟମାବଳୀ, ୧୯୯୬ ସେପ୍ଟେମ୍ବର ୭ ତାରିଖ ଦିନ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁସାରେ ପ୍ରଚଳିତ ହୋଇଆସୁଥିଲା। ୨୦୨୨ ଏପ୍ରିଲ୍ ୨୫ ଓ ୨୬ ତାରିଖର କାର୍ଯ୍ୟକାରୀ ପରିଷଦ ବୈଠକରେ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନାର ନିୟମାବଳୀ ଅସାଂବିଧାନିକ ଓ ଅବୈଧାନିକ ବୋଲି ପ୍ରଶ୍ନ ଉଠିବା ପରେ, ତାହା ମଧ୍ୟ ଅସାଂବିଧାନିକ ଓ ଅବୈଧାନିକ ବୋଲି ଜଣାଗଲା। ଫଳରେ ୨୦୧୭ ଓ ୨୦୧୮ ମସିହା ଠାରୁ ଆରମ୍ଭ କରି ୨୦୨୧ ମସିହାର ପୁରସ୍କାର ପର୍ଯ୍ୟନ୍ତ, ସମସ୍ତ ପୁରସ୍କାରର ଚୟନ ପ୍ରକ୍ରିୟା ବସ୍ତୁତଃ ଏବେ ରଦ୍ଦ ହୋଇଯାଇଛି। ଏ ସଂପର୍କରେ ୨୫ ଏପ୍ରିଲ୍ ୨୦୨୨ ତାରିଖର କାର୍ଯ୍ୟକାରୀ ପରିଷଦ ବୈଠକର ବିବରଣୀରେ ଉଲ୍ଲେଖ ଅଛି, “୨୦୨୧ ମସିହା ସାରସ୍ୱତ ସାଧକ/ସାଧିକାମାନଙ୍କ ସମ୍ବର୍ଦ୍ଧନା ନିମନ୍ତେ ସରକାରଙ୍କ ନିକଟକୁ ପଠାଯାଇଥିବା ନୂତନ ନିୟମାବଳୀ ଅନୁମୋଦନ ଲାଭ କରି ଆସିବା ପରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ।” ସେହିପରି, ୨୬.୪.୨୦୨୨ ତାରିଖର କାର୍ଯ୍ୟକାରୀ ପରିଷଦ ବୈଠକର ବିବରଣୀରେ ଉଲ୍ଲେଖ ଅଛି, “୨୦୨୧ ମସିହା ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରର ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଗଲା ଏବଂ ସରକାରଙ୍କ ନିକଟକୁ ପଠାଯାଇଥିବା ନୂତନ ନିୟମାବଳୀ ଅନୁମୋଦନ ଲାଭ କରି ଆସିବା ପରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ।”

କିନ୍ତୁ ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ, ଏହି ଦୁଇ ‘ପୁରସ୍କାର’ ଓ ‘ସମ୍ବର୍ଦ୍ଧନା’ର ନିୟମାବଳୀ ସରକାରଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଥିଲା କେବେ? ଏ ସଂପର୍କିତ ତଥ୍ୟରୁ ଜଣାଯାଏ, ଯେ ୧୨ ମାର୍ଚ୍ଚ ୨୦୨୧ରେ ଏହି ଦୁଇ ପୁରସ୍କାର ଓ ସମ୍ବର୍ଦ୍ଧନାର ନିୟମାବଳୀ କାର୍ଯ୍ୟକାରୀ ପରିଷଦ ଦ୍ୱାରା ପ୍ରଣୀତ ହୋଇଥିଲା। ତାହା ପରେ, ୭ ଏପ୍ରିଲ୍ ୨୦୨୧ ତାରିଖରେ ଏକାଡେମୀର ସଚିବ (ସଂପାଦକ) ଗୋଟିଏ ଚିଠି ଲେଖି ସାଧାରଣ ପରିଷଦ ସଦସ୍ୟମାନଙ୍କୁ ସେ ସଂପର୍କରେ ଅବଗତ କରାଇଥିଲେ ଏବଂ ୬ ମେ ୨୦୨୧ ତାରିଖ ସୁଦ୍ଧା ସେ ବାବଦରେ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଥିଲେ। ସେହି ତାରିଖ ସୁଦ୍ଧା ମତାମତ ନ ମିଳିଲେ, ତାହାକୁ ସଦସ୍ୟଙ୍କ ସମ୍ମତି ବୋଲି ଗ୍ରହଣ କରାଯିବ ବୋଲି ଜଣାଇଥିଲେ। ତେଣୁ ତାହାକୁ ୬ ମେ ୨୦୨୧ ପରେ ପରେ ସରକାରଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠାଯାଇଥିବା ଅନୁମାନ କରାଯାଏ। କିନ୍ତୁ ଏ ଭିତରେ ବର୍ଷାଧିକ କାଳ ବିତି ଯାଇଥିଲେ ମଧ୍ୟ, ତାହାକୁ ସରକାର ଅନୁମୋଦନ କରିନାହାନ୍ତି। ଫଳରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା କ୍ଷେତ୍ରରେ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀର ସାଂବିଧାନିକ ବିଧି ବ୍ୟବସ୍ଥା ଅନୁସାରେ, କାର୍ଯ୍ୟକାରୀ ପରିଷଦ ପ୍ରଣୟନ କରିଥିବା ନିୟମ, ବିନିୟମ ଆଦିକୁ ସାଧାରଣ ପରିଷଦରେ ପ୍ରଥମେ ଅନୁମୋଦନ କରାଯାଏ ଏବଂ ତାହା ପରେ ହିଁ ତାହାକୁ ସରକାରଙ୍କ ଚୂଡ଼ାନ୍ତ ଅନୁମୋଦନ ପାଇଁ ପଠାଯାଏ। ସରକାରଙ୍କ ପୂର୍ବାନୁମୋଦନ ପରେ ହିଁ ତାହା କାର୍ଯ୍ୟକାରୀ ହୁଏ। ଏ ସଂପର୍କରେ ଏକାଡେମୀର ‘ସଂବିଧାନ’ର ଧାରା ୧୧/୪ରେ ସ୍ପଷ୍ଟ ଉଲ୍ଲେଖ ଅଛି। ‘ସାଧାରଣ ପରିଷଦ’ର କାର୍ଯ୍ୟାବଳୀର ସେହି ଧାରା ଅନୁସାରେ, “ନିଜର ନିୟମ, ବିନିୟମ, ଉପବିଧି, ପ୍ରକ୍ରିୟା ନିୟମର ପ୍ରସ୍ତୁତି” ହେଉଛି ସାଧାରଣ ପରିଷଦର କାର୍ଯ୍ୟ। “କିନ୍ତୁ ସେହିସବୁ ନିୟମ, ବିନିୟମ, ଉପବିଧି ଓ ପ୍ରକ୍ରିୟା ନିୟମ, ସାଧାରଣ ପରିଷଦ ବା କାର୍ଯ୍ୟକାରୀ ପରିଷଦ କିମ୍ବା ଅର୍ଥ ସମିତି ଯାହାର ହୋଇଥାଉ ନା କାହିଁକି, ତାହା ରାଜ୍ୟ ସରକାରଙ୍କ ପୂର୍ବାନୁମୋଦନ ଆବଶ୍ୟକ।” ସେହିପରି, ‘ସଂବିଧାନ’ର ‘ସାଧାରଣ’ ଅଧ୍ୟାୟର ୮(ଗ)ରେ କୁହାଯାଇଛି- “ସାଧାରଣ ପରିଷଦ, କାର୍ଯ୍ୟକାରୀ ପରିଷଦ ଓ ଅର୍ଥ ସମିତି ପାଇଁ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ନିୟମାବଳୀ ପରିଷଦ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ରାଜ୍ୟ ସରକାରଙ୍କ ପୂର୍ବାନୁମୋଦନ କ୍ରମେ ପ୍ରଣୀତ ହେବ।” ଏହା ସୂଚାଏ- ସାଧାରଣ ପରିଷଦ, କାର୍ଯ୍ୟକାରୀ ପରିଷଦ ଓ ଅର୍ଥ ସମିତି ପାଇଁ ବିଭିନ୍ନ କାର୍ଯ୍ୟନିର୍ବାହୀ ନିୟମାବଳୀ ପରିଷଦ ଦ୍ୱାରା ପ୍ରଣୀତ ହେବ ଏବଂ ସେହି ନିୟମାବଳୀ ରାଜ୍ୟ ସରକାରଙ୍କ ପୂର୍ବାନୁମୋଦନ ପରେ କାର୍ଯ୍ୟକାରୀ ହେବ। ଏଥିରୁ ଅତି ସ୍ପଷ୍ଟ ଭାବେ ସୂଚିତ, ଯେ ରାଜ୍ୟ ସରକାର ନିଜେ ଏସବୁ ପାଇଁ ନିୟମ ପ୍ରଣୟନ କରିପାରିବେ ନାହିଁ।

ପରିଷଦ ଯେଉଁ ନିୟମ ପ୍ରଣୟନ କରିବ, ସେହି ନିୟମ କାର୍ଯ୍ୟକାରୀ ହେବା ପାଇଁ ସରକାର ପୂର୍ବାନୁମୋଦନ ଦେବେ। ‘ସଂବିଧାନ’ର ‘ସାଧାରଣ ପରିଷଦର କାର୍ଯ୍ୟାବଳୀ’ ମଧ୍ୟରେ, ଧାରା ୧୧/୬ରେ ଅବଶ୍ୟ ଉଲ୍ଲେଖ ଅଛି, ଯେ “ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମାଗୁଡ଼ିକର କାର୍ଯ୍ୟ ନିର୍ବାହନ ଓ ସଂପାଦନ ପାଇଁ ବ୍ୟବସ୍ଥା ଗ୍ରହଣ” ମଧ୍ୟ ସାଧାରଣ ପରିଷଦର କାର୍ଯ୍ୟ। କିନ୍ତୁ ଏହା ‘ନିର୍ଦ୍ଦେଶନାମା’ ମଧ୍ୟରେ ସୀମିତ; ‘ନିୟମାବଳୀ ପ୍ରଣୟନ’ ଏହାର ଅନ୍ତର୍ଭୁକ୍ତ ନୁହେଁ। କାରଣ ‘ନିୟମାବଳୀ ପ୍ରଣୟନ’ ପୂର୍ଣ୍ଣତଃ ‘ପରିଷଦ’ର କାର୍ଯ୍ୟ; ସରକାରଙ୍କର କାର୍ଯ୍ୟ ନୁହେଁ। ଅର୍ଥାତ୍‌, ପୁରସ୍କାର ନିୟମାବଳୀ ପ୍ରଣୟନ କରି ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇପାରିବେ; କିନ୍ତୁ ନିଜେ ନିୟମାବଳୀ ପ୍ରଣୟନ କରିପାରିବେ ନାହିଁ।

ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁସାରେ, ଏହି ସାଂବିଧାନିକ ବିଧିବ୍ୟବସ୍ଥାର ଉଲ୍ଲଙ୍ଘନ କରି, ସରକାର ନିଜେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ’ ପ୍ରଣୟନ କରି ‘ତୁରନ୍ତ କାର୍ଯ୍ୟାନୁଷ୍ଠାନ’ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ (ସଂପାଦକ)ଙ୍କ ନିକଟକୁ ପଠାଇଦେଇଛନ୍ତି। ସେହି ସୂତ୍ରର ସୂଚନା ଅନୁସାରେ, ଏଥିନିମନ୍ତେ ସରକାର ନିଜେ ଗୋଟିଏ କମିଟି ଗଢ଼ିଥିଲେ- ଯେଉଁଥିରେ ସରକାରଙ୍କ ସଂସ୍କୃତି ବିଭାଗର ତିନିଜଣ ବିଭାଗୀୟ ପଦାଧିକାରୀ ହିଁ ସଦସ୍ୟ ଥିଲେ। ସେମାନେ ହେଉଛନ୍ତି- ଅମୂଲ୍ୟ କୁମାର ନାୟକ, ମନସ୍ୱିନୀ ସାହୁ ଓ ରାମକୃଷ୍ଣ ସାହୁ। ବାହାରର ଜଣେ ସଦସ୍ୟ ଭାବରେ, ମନୋଜ ମହାନ୍ତି ନାମକ ଜଣେ ଏକାଡେମୀ ପୁରସ୍କାରପ୍ରାପ୍ତ ଗୀତିକବିଙ୍କୁ କମିଟିରେ ନିଆଯାଇଥିଲା। ସେମାନେ ୨୭ ଏପ୍ରିଲ୍ ୨୦୨୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି, ତାହାକୁ ‘ତୁରନ୍ତ କାର୍ଯ୍ୟାନୁଷ୍ଠାନ’ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ (ସଂପାଦକ)ଙ୍କ ନିକଟକୁ ପଠାଯାଇଛି। ଉଲ୍ଲେଖନୀୟ, ଯେ ବିଭାଗୀୟ ଉପଶାସନ ସଚିବ ଅମୂଲ୍ୟ କୁମାର ନାୟକ ସେହି କମିଟିର ସଦସ୍ୟ ଥିଲେ ଏବଂ ସେ ହିଁ ସେହି ଚିଠି ପଠାଇଛନ୍ତି। ଚିଠିର ନଥି ସଂଖ୍ୟା- OLLC-PM-MISC. 0006- 2020/1498 ଓ ଭା.ସା.ସଂ., ତା. 02/05/ 2022। ସେଥିରେ କୁହାଯାଇଛି- “ମୁଁ ନିର୍ଦ୍ଦେଶକ୍ରମେ ସରକାରଙ୍କ ଦ୍ୱାରା ଅନୁମୋଦିତ ଓଡ଼ିଶା ସାହିତ୍ୟ ଏକାଡେମୀର ସଂଶୋଧିତ ପୁରସ୍କାର ନିୟମାବଳୀକୁ ଏଠାରେ ସଂଲଗ୍ନ ପୂର୍ବକ ଜଣାଉଅଛି ଯେ ଅଦ୍ୟ ଦିବସ ପରେ ଚୟନ ହେବାକୁ ଥିବା ପୁରସ୍କାରମାନ ଏହି ନିୟମାବଳୀ ପ୍ରକାରେ ଚୟନ କରାଯାଉ।” ଏଣୁ, ଏହି ଚିଠି ସ୍ପଷ୍ଟ ସୂଚାଏ, ଯେ ଏହା ସରକାରଙ୍କର ଏକ ଆଦେଶନାମା- ଯେଉଁଥିରେ ସରକାର ପ୍ରଣୟନ କରିଥିବା ନିୟମାବଳୀର ‘ତୁରନ୍ତ କାର୍ଯ୍ୟାନୁଷ୍ଠାନ’ ନିମନ୍ତେ ସଚିବ (ସଂପାଦକ)ଙ୍କ ଜରିଆରେ ଏକାଡେମୀର କାର୍ଯ୍ୟକାରୀ/ ସାଧାରଣ ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସାଂବିଧାନିକ ବିଧିବ୍ୟବସ୍ଥାର ସ୍ପଷ୍ଟ ଉଲ୍ଲଙ୍ଘନ ଏବଂ ଏକାଡେମୀର କାର୍ଯ୍ୟଧାରାରେ ସରକାରଙ୍କର ଅସାଂବିଧାନିକ ଓ ଅବାଂଛିତ ହସ୍ତକ୍ଷେପ। ‘ସାଧାରଣ ପରିଷଦ’ର ‘କାର୍ଯ୍ୟ ସଂଚାଳନ’ (କଣ୍ଡକ୍ଟ ଅଫ୍ ବିଜିନେସ୍‌)ର ଧାରା-୭ରେ ମଧ୍ୟ ଉଲ୍ଲେଖ ଅଛି- “ପରିଷଦର ନିୟମ, ବିନିୟମ, ଉପବିଧି ଓ କାର୍ଯ୍ୟବିଧିର ନିୟମାବଳୀ ଏବଂ କାର୍ଯ୍ୟ ସଂଚାଳନ ଧାରାର ବିଧାନ ଅଥବା ପରିଷଦର ଆବଶ୍ୟକତା ଅନୁସାରେ ତାହାର ସଂଶୋଧନ ବ୍ୟବସ୍ଥା” ପରିଷଦର କାର୍ଯ୍ୟ। ଏଣୁ ଏହି ‘ସଂଶୋଧିତ ପୁରସ୍କାର ନିୟମାବଳୀ’ ପ୍ରଣୟନ ସରକାରଙ୍କର କାର୍ଯ୍ୟ ନୁହେଁ। ଗୋଟିଏ ଶବ୍ଦରେ କହିଲେ- ଏହା ‘ବେନିୟମ’।

ଏ ପ୍ରସଙ୍ଗରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି- ଏହି ନୂଆ ନିୟମାବଳୀ ପ୍ରଣୟନ ପାଇଁ ସରକାରଙ୍କୁ କିଏ ଅନୁମତି ବା ଅଧିକାର ଦେଲା? ନିଶ୍ଚିତ ଭାବରେ- ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ବା କାର୍ଯ୍ୟକାରୀ ପରିଷଦ ନୁହେଁ। କାରଣ ୧୭ ସେପ୍ଟେମ୍ବର ୨୦୨୧ ପରେ ଏକାଡେମୀର ସାଧାରଣ ପରିଷଦ ବୈଠକ ବସିନାହିଁ ଏବଂ ଗତ ୨୫ ଓ ୨୬ ଏପ୍ରିଲ୍ କାର୍ଯ୍ୟକାରୀ ପରିଷଦ ବୈଠକ ପର୍ଯ୍ୟନ୍ତ ମଧ୍ୟ, ଏ ବିଷୟ ଆଲୋଚିତ ହୋଇନାହିଁ।

ତା’ହେଲେ କ’ଣ ସରକାରଙ୍କୁ ସଭାପତି ଦେଇଛନ୍ତି ଏ ଅନୁମତି? ଯଦି ହଁ- ତେବେ ‘ଭାଗବତ’ର ଭାଷାରେ, ଏହା “ଆପଣା ହସ୍ତେ ଜିହ୍ୱା ଛେଦି” ପରି ସ୍ଥିତି। ଯଦି ନା- ତେବେ ସେ ଏକାଡେମୀର କାର୍ଯ୍ୟଧାରାରେ ସରକାରଙ୍କର ଏ ଅସାଂବିଧାନିକ ଓ ଅବାଂଛିତ ହସ୍ତକ୍ଷେପ ବିରୋଧରେ ମୁହଁ ଖୋଲନ୍ତୁ!

ନିକଟରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଗୋଟିଏ ସାହିତ୍ୟସଭାରେ ଆମ ସାହିତ୍ୟିକମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି- ତୁଣ୍ଡି ତ ଖୋଲିଲାଣି, ଏବେ ତୁଣ୍ଡ ଖୋଲୁ! ଏଣୁ ଆମ ସାହିତ୍ୟର ମୁରବିମାନେ ଏ ବେନିୟମ ଓ ସରକାରଙ୍କ ଅବାଂଛିତ ହସ୍ତକ୍ଷେପ ବିରୋଧରେ କେବେ ମୁହଁ ଖୋଲିବେ? ନା ପୂର୍ବ ସଭାପତି କିଶୋରୀ ଚରଣ ଦାସଙ୍କ କ୍ଷୋଭ ଓ ବ୍ୟଙ୍ଗପୂର୍ଣ୍ଣ ଭାଷାରେ କହିଲେ- “ସବ୍ ସେ ଚୁପ୍ ଭଲା!”

ମୋ: ୯୪୩୭୦ ୩୪୮୦୪