ଓଡ଼ିଶା ଡାଏରି: ଝିଅ ପାଇଁ ଆଦର ନାହିଁ

ଗୌରହରି ଦାସ

ଭୁବନେଶ୍ବରର ‘କ୍ୟାପିଟାଲ ହସ୍‌ପିଟାଲ’ରେ ଦୁଇ ନବଜାତ ଶିଶୁଙ୍କ ଅଦଳବଦଳ ନେଇ ଗତ ଦେଢ଼ ସପ୍ତାହ ହେଲା ବିବାଦ ଚାଲିଥିଲା। ଏ ବିବାଦ ହୁଏତ ଏତେ ଦିନ ଚାଲି ନଥାନ୍ତା ଯଦି ଦୁଇଟି ଯାକ ନବଜାତ ଶିଶୁ ପୁତ୍ର ସନ୍ତାନ ହୋଇଥାଆନ୍ତେ। ‘ଦୁର୍ଭାଗ୍ୟ’କୁ ଏମାନଙ୍କ ଭିତରୁ ଗୋଟିଏ ଝିଅ। ବିବାଦର ବିବରଣୀ ଏହିପରି- ପ୍ରାଣକୃଷ୍ଣ ବିଶ୍ବାଳ ନାମକ ଜଣେ ଭଦ୍ରଲୋକ ତାଙ୍କର ଆସନ୍ନ ପ୍ରସବା ପତ୍ନୀ ସମିତାକୁ ନେଇ ୨୫ ‌େସପ୍‌ଟେମ୍ବର ପାହାନ୍ତାରେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ୨୬ ତାରିଖ ପୂର୍ବାହ୍‌ଣ ପ୍ରାୟ ସାଢ଼େ ଦଶଟା ବେଳେ ସମିତା ସିଜରିଆନ ଅପରେସନ ମାଧ୍ୟମରେ ଏକ ପିଲା ଜନ୍ମ ଦେଇଥିଲେ। ପିଲାଟି ଜନ୍ମ ପରେ ତାଙ୍କର ଗୋଟେ ପୁଅ ହୋଇଥିବା ଡ୍ୟୁଟିରେ ଥିବା ନର୍ସ ଜଣକ ପିତା ପ୍ରାଣକୃଷ୍ଣଙ୍କୁ ଆସି କହିଥିବା ସେ ଅଭିଯୋଗ କରିଛନ୍ତି। ପ୍ରାଣକୃଷ୍ଣଙ୍କ କହିବା କଥା, ଥରେ ନୁହେଁ ତିନି ତିନି ଥର ନର୍ସଟି ତାଙ୍କର ପୁଅଟିଏ ହୋଇଥିବା କହି ଶେଷକୁ ୨୦ ମିନିଟ୍ ପରେ ଝିଅଟିଏ ଆଣି ଧରେଇ ଫଟୋ ଉଠେଇବାକୁ ଡାକିବାରୁ ସେ ସନ୍ଦେହ କରିଥିଲେ। ‘‘ଏହି କାରଣ ପାଇଁ ମୁଁ ଝିଅଟିକୁ ଗ୍ରହଣ କରିବା ପାଇଁ ମନା କରିଥିଲି।’’ ଏହି ପ୍ରସଙ୍ଗଟି ଗୋଟିଏ ବିବାଦ ସୃଷ୍ଟି କରିଥିଲା ଏବଂ ଏ ବିବାଦ କ୍ୟାପିଟାଲ ଥାନାକୁ ଯାଇଥିଲା। କ୍ୟାପିଟାଲ ହସ୍‌ପିଟାଲର ନିର୍ଦ୍ଦେଶକ କିନ୍ତୁ କହିଛନ୍ତି ଯେ, ବାସ୍ତବରେ ପ୍ରାଣକୃଷ୍ଣ-ସମିତାଙ୍କର ଝିଅଟିଏ ଜନ୍ମ ହୋଇଥିଲା। ଭୁଲ୍ ବଶତଃ ନର୍ସ ଜଣକ ପୁଅ ବୋଲି କହି ଦେଇଥିଲେ। ସେଥିପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ମାତ୍ର ବାସ୍ତବ କ୍ଷେତ୍ରରେ ପିଲା ଅଦଳବଦଳ ହୋଇନାହିଁ। ନର୍ସ ଜଣକ ତିନି ତିନିଥର କିପରି ଭୁଲ୍‌ କଲେ ସେକଥା ନ ଜଣାଇଲେ ମଧ୍ୟ ନିର୍ଦ୍ଦେଶକ ଜୋର୍ ଦେଇ କହିଛନ୍ତି ଯେ ତାଙ୍କର ଡାକ୍ତରଖାନା ଏ ଦିଗରେ ସବୁ କଥା ଭଲ ଭାବରେ ପରୀକ୍ଷା କରି ଦେଖିଛି। ପ୍ରାଣକୃଷ୍ଣଙ୍କ ପତ୍ନୀ ଝିଅ ଜନ୍ମ କରିଛନ୍ତି। ଇତି ମଧ୍ୟରେ ସମ୍ବାଦପତ୍ର ମାନଙ୍କରେ ବାହାରିଛି ଯେ, ପିଲାଟିଏ ଜନ୍ମ ହେବା ପରେ ତାହା ପୁଅ ନା ଝିଅ ‌ସେକଥା ସ୍ପଷ୍ଟ ଭାବରେ ଉଲ୍ଲେଖ କରି ଗୋଟାଏ ‘ବ୍ୟାଜ୍’ ତା’ ଅଣ୍ଟାରେ କିମ୍ବା ପାଦରେ ଝୁଲେଇ ଦେବା ବ୍ୟବସ୍ଥା ଏଠାରେ କାର୍ଯ୍ୟକାରୀ ହୁଏ ନାହିଁ। ନିର୍ଦ୍ଦେଶକଙ୍କ କହିବା କଥା ସେମାନେ ନବଜାତ ଶିଶୁଟିର ପାଦର ଚିହ୍ନ ନେଇଛନ୍ତି। ଆମେ ଏ ପ୍ରସଙ୍ଗ ଆଲୋଚନା କଲା ବେଳକୁ ପିଲାର ଡିଏନ୍‌ଏ ଟେଷ୍ଟ ସରିଛି ଏବଂ ଝିଅଟି ସମିତାଙ୍କର ବୋଲି ଜଣାପଡ଼ିଛି। ଡାକ୍ତରଖାନାର ନିର୍ଦ୍ଦେଶକ ମଧ୍ୟ କହିଛନ୍ତି ଯେ ଏଣିକି ନବଜାତ ଶିଶୁଙ୍କ ଗୋଡ଼ରେ ବ୍ୟାଜ୍‌ ଲାଗିବ ଓ କାହାର ପୁଅ କି ଝିଅ ହୋଇଛି ସେ ଖବର ସମ୍ପୃକ୍ତ ଡାକ୍ତର ହିଁ ପିତାମାତାଙ୍କୁ ଜଣାଇବେ, କୌଣସି ନର୍ସ ନୁହେଁ।
ଏ ଘଟଣାର ବର୍ଣ୍ଣନାକୁ ଏଇଠି ରଖାଯାଉ। ପ୍ରଶ୍ନ ହେଉଛି, ସନ୍ତାନଟି ଯଦି ପୁଅ ହୋଇଥାଆନ୍ତା ଏ ବିବାଦ ମୂଳରୁ ଉଠି ଥାଆନ୍ତା କି? ବିବାଦ ଉଠିବାର କାରଣ ହେଉଛି, ଏ ପିଲାଟି ଝିଅ। ବିବାଦ ଜଟିଳ ହେବାର କାରଣ ନର୍ସଟି ଆଗରୁ ପୁଅ ବୋଲି କହିଥିଲେ। ମୁହୂର୍ତ୍ତକ ପାଇଁ ଚିନ୍ତା କରାଯାଉ, ପିଲାଟି ଝିଅ ବୋଲି ଯଦି ନର୍ସ କହିଥାଆନ୍ତେ ଏବଂ ତାକୁ ଆଣିକି ତା’ ବାପାକୁ ଦେବାବେଳକୁ ତାହା ପୁଅଟିଏ ବୋଲି ଜଣାପଡ଼ିଥାନ୍ତା ତାହାହେଲେ କ’ଣ ଏତେଦିନ ପର୍ଯ୍ୟନ୍ତ ଏ ବିବାଦ ଚାଲି ଥାଆନ୍ତା? ତାହାର ଡିଏନ୍‌ଏ ଟେଷ୍ଟ ପର୍ଯ୍ୟନ୍ତ କଥା ଯାଉଥାନ୍ତା କି? ହୁଏତ ନୁହେଁ।
ବର୍ତ୍ତମାନ ସମୟକୁ ବାର ଚଉଦ ବର୍ଷ ଆଗେଇ ନିଆଯାଉ। ଏହି ନବଜାତ କନ୍ୟା ସନ୍ତାନଟି ଦିନେ ବଡ଼ ହେବ। ସେଦିନ ଯେତେବେଳେ ସେ ତା’ର ଜନ୍ମ ପ୍ରସଙ୍ଗର ଏହି ବିବାଦ ବିଷୟରେ ଜାଣିବ ଏବଂ ଶ‌ୁଣିବ ‌େଯ ଦିନେ ତାକୁ ଗ୍ରହଣ କରିବା ଲାଗି ତା’ର ପିତା (ମାଆଙ୍କ ପ୍ରତିକ୍ରିୟା କଥା କୋଉଠି ପ୍ରକାଶ ପାଇ ନାହିଁ) ଏହି ଭଳି କୁଣ୍ଠିତ ଥିଲେ, ସେତେବେଳେ ସେ କି ପ୍ରକାର ମାନସିକ ଧକ୍କା ପାଇବ! ଏକ ‘ଅବାଞ୍ଛିତ’ର କ୍ଷତାକ୍ତ ସ୍ମୃତି ତାକୁ ହୀନମଣ୍ୟତାର ଶିକାର କରିବ ନା ନାହିଁ ସେ କଥା ମଧ୍ୟ ଚିନ୍ତା କରିବାର ପ୍ରୟୋଜନ ରହିଛି। ସଂ‌ଯୋଗବଶତଃ ଏ ପ୍ରକାର ଏକ ଘଟଣା ଘଟିଛି ସେଇ ସପ୍ତାହରେ, ‌େଯଉଁ ସପ୍ତାହରେ ଭାରତର ପାର୍ଲାମେଣ୍ଟ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ମଂଜୁରୀ ଦେଇଛନ୍ତି ଏବଂ ଏହି ନିୟମ କାର୍ଯ୍ୟକାରୀ ହେବା ପରେ ରାଜ୍ୟସଭା, ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଶତକଡ଼ା ୩୩ ଆସନ ସଂରକ୍ଷିତ ରହିବ। ଏବେ ଦଳମତ ନିର୍ବିଶେଷରେ ସମସ୍ତେ ଦାବି କରୁଛନ୍ତି ସେମାନେ ନାରୀମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସଦା ତତ୍ପର! ମାତ୍ର ଆମ ଭାରତୀୟମାନଙ୍କ ମନରେ ପୁଅର ସ୍ଥାନ ଝିଅଠାରୁ କେତେ ଉଚ୍ଚରେ ତାହା ଉପରୋକ୍ତ ଘଟଣାର ବ୍ୟବଚ୍ଛେଦରୁ ଜଣାପଡ଼େ।
ଏହି ପୃଷ୍ଠଭୂମିରେ ଗତ ‌ସେପ୍‌ଟେମ୍ବରରେ ଘଟିଥିବା ଆଉ ଦିଇଟି କଥା ଆଲୋଚନା କରାଯାଇପାରେ। ସେପ୍‌ଟେମ୍ବର ଆଠ ତାରିଖର ଓଡ଼ିଶାର ସମ୍ବାଦପତ୍ର ମାନଙ୍କରେ ଗୋଟେ ବିଚିତ୍ର ଖବର ପ୍ରକାଶିତ ହେବାର ଦେଖାଗଲା। ଖବରର ଶୀର୍ଷକ ଥିଲା- ଝିଅ ପ୍ରେମ ବିବାହ କରିବାରୁ ମା’ ବାପା ତାକୁ ଶୁଦ୍ଧି ହେଲେ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନୂଆବଜାର ବାସିନ୍ଦା ଲକ୍ଷ୍ମୀଧର ମଳିକଙ୍କ ଝିଅ ଦୀପାଞ୍ଜଳି ସେହି ଗ୍ରାମର ଅନାମ ମଳିକଙ୍କ ପୁଅ ରାଜେନ୍ଦ୍ରଙ୍କୁ ପ୍ରେମ ବିବାହ କଲେ। ଏ ଦୁହିଁଙ୍କର ସଂପର୍କକୁ ଦୀପାଞ୍ଜଳିଙ୍କ ପରିବାର ଲୋକ ବିରୋଧ କରୁଥିଲେ। ପରିବାର କଥା ନମାନି ଦୀପାଞ୍ଜଳି ପ୍ରେମ କରୁଥିବା ରାଜେନ୍ଦ୍ରଙ୍କୁ ବିବାହ କଲେ। ଏହା ତାଙ୍କର ପିତାମାତାଙ୍କୁ ଏଭଳି ଉତ୍‌କ୍ଷିପ୍ତ କଲା ଯେ ସେମାନେ ବାହାଘରର ଚତୁର୍ଥ ଦିନରେ, ପୁଅ ଘର ପଟେ ଚତୁର୍ଥୀ ପ୍ରସ୍ତୁତି ଚାଲିଥିବା ବେଳେ ପଣ୍ଡିତ ଡକାଇ ଝିଅକୁ ଶୁଦ୍ଧି ହୋଇଥିଲେ। ଦୁଇ ଘରର ଦୂରତା‌ ମା‌ତ୍ର ଶହେ ମିଟର। ସେପଟେ ଚତୁର୍ଥୀର ଉତ୍ସବର କୋଳାହଳ, ଏପଟେ ଜିଇଁଥିବା ଝିଅ ମରିଯିବା ଘୋଷଣା ପୂର୍ବକ ଶୁଦ୍ଧିକ୍ରିୟା। ଦୀପାଞ୍ଜଳିଙ୍କୁ ତାଙ୍କ ଘରର ଲୋକମାନେ ଜିଇଁ ଥାଉ ଥାଉ ମୃତ ଘୋଷଣା କରିଥିଲେ ସେତିକି ନୁହେଁ, ଗୋଟେ ‘ଶ୍ରଦ୍ଧାଞ୍ଜଳି’ ପୋଷ୍ଟର ମଧ୍ୟ ଲଗେଇଥିବା ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଥିଲା। ଏସବୁର ଏକମାତ୍ର କାରଣ ଝିଅଟାଏ ହୋଇ ସେ ବାପାମାଆ ବା ପରିବାର କଥାକୁ ଅନ୍ୟଥା କରି ନିଜ ଇଚ୍ଛାରେ କିଭଳି ବିବାହ କରିବାର ସାହସ କଲା? ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଝିଅ ଦୀପାଞ୍ଜଳି ଏବଂ ପୁଅ ରାଜେନ୍ଦ୍ର ଉଭୟ ସାବାଳକ। ଏ ଘଟଣା ପଢ଼ିବାର ୪ ଦିନ ପରେ ସମାନ ଢଙ୍ଗର ଆଉ ଗୋଟେ ଖବର ପଢ଼ିବାର ଦୁର୍ଭାଗ୍ୟ ଜୁଟିଲା। ସେ ଘଟଣା ଗଜପତି ଜିଲ୍ଲାର ମୋହନା ବ୍ଲକ୍‌ର ଚାନ୍ଦିପୁଟ ଗାଁରେ ଘଟିଥିଲା। ଅନ୍ୟ ସଂପ୍ରଦାୟର ପୁଅକୁ ବାହା ହେବାର ‘ଅପରାଧ’ ପାଇଁ ଝିଅ ଚାନ୍ଦିନୀକୁ ମୃତ ମାନିନେଇ ତା’ ପରିବାର ଲୋ‌େକ ତାକୁ ଶୁଦ୍ଧି ହୋଇଥିଲେ। ଚାନ୍ଦିନୀ ବିବାହ କରିଥିବା ପୁଅ ଧନଞ୍ଜୟ ଥିଲା ଖ୍ରୀଷ୍ଟଆନ ସଂପ୍ରଦାୟର। ସେପ୍‌ଟେମ୍ବର ୨ ତାରିଖ ରାତିରେ ଘରୁ ପଳାଇ ଯାଇ ଝିଅ ପୁଅ ଦିହେଁ ବିବାହ କରିଥିଲେ। ତେଣୁ ସେମାନଙ୍କ ବାହାଘର ତାରିଖକୁ ଝିଅର ମୃତ୍ୟୁ ତାରିଖ ଭାବି ଯୋଉଦିନ ଏଗାର ଦିନ ହେଲା ସେହିଦିନ ତାକୁ ଧର୍ମଦ୍ରୋହୀ, ଜାତିଦ୍ରୋହୀ ଘୋଷଣା କରି ଶୁଦ୍ଧି ହେଇଥିଲେ ତା’ର ପରିବାରର ଲୋକେ, ଝିଅ ମରିଯାଇଛି ଘୋଷଣା କରି ତା’ ଫଟୋରେ ଫୁଲମାନ ଦେଇ ତାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଭଳି କରିବାର କାରଣ ହେଲା, ତାଙ୍କ ଝିଅ ତାଙ୍କୁ ଅପମାନିତ କରିଥିବାରୁ ସେମାନଙ୍କ ପାଇଁ ସେ ମରିଯାଇଛି। ଏହି ପରିପ୍ରେକ୍ଷୀରେ ଦୁଇଟି ପ୍ରଶ୍ନ ଉତ୍‌ଥାପନ କରାଯାଇପାରେ। ଉପରେ ଆଲୋଚିତ ଦିଇଟିଯାକ ଘଟଣାରେ, ବାପାମାଆଙ୍କ କଥା ମାନିନଥିବା ସନ୍ତାନ ଯଦି ଝିଅ ନ ହୋଇ ପୁଅ ହୋଇଥାଆନ୍ତା ତାହହେଲେ ବାପାମାଆ ତାଙ୍କ ପୁଅ ମରିଗଲା ଭାବି ତାକୁ ଶୁଦ୍ଧି ହୋଇଥାଆନ୍ତେ କି? ଏହାର ଉତ୍ତର ନା। କାରଣ ବାହାହେଲା ପରେ ଝିଅ ସିନା ପରଘରକୁ ଚାଲିଯିବ, ମାତ୍ର ପୁଅ ଆସି ବୋହୂକୁ ଧରି ବାପାର ଘରେ ରହିବ। ବାପାମାଆ ତା’ କଥାରେ ରାଜି ନ ହେଲେ ସେ ନ୍ୟାୟାଳୟକୁ ଯିବ, ନ ହେଲେ ବାହୁବଳ ଉପଯୋଗ କରି ବାପାମାଆଙ୍କୁ ନାଲି ଆଖି ଦେଖେଇବ। ପୁଣି ଝିଅ ହେଲା ଦେଲା ନାରୀ ହେଲା ପାରି। ପୁଅ ବାପାମାଆଙ୍କ ବଂଶରକ୍ଷା କରିବ! ତେଣୁ ଦୀପାଞ୍ଜଳି ଓ ଚାନ୍ଦିନୀ ଝିଅ ହୋଇଥିବାରୁ ସେମାନେ ବଞ୍ଚି ଥାଉ ଥାଉ ତାଙ୍କୁ ତାଙ୍କର ବାପାମାଆ ମୃତ ଘୋଷଣା କରିଦେଲେ। ଦ୍ବିତୀୟ ପ୍ରଶ୍ନ ହେଉଛି ନାରୀ ଗୋଟେ ବ୍ୟକ୍ତି ନା ବସ୍ତୁ? ପୁରୁଷ ପ୍ରଧାନ ମାନସିକତା କାହିଁକି ଧରି ନେଇଛି ଯେ ଭ୍ରୂଣରୁ ମରଣଯାଏ ନାରୀର ସବୁ ଅବସ୍ଥାର ସବୁ ପ୍ରସଙ୍ଗର ନିଷ୍ପତ୍ତି କେବଳ ପୁରୁଷ ହିଁ ନେବ। କାହିଁକି ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ଯେ ନାରୀ ଜଣେ ବ୍ୟକ୍ତି, ଟେବୁଲ, ଚେୟାର ପରି ଗୋଟେ ବସ୍ତୁ ନୁହେଁ। ସମାଜର ଏହି ଦୃଷ୍ଟିକୋଣ ଯୋଗୁଁ ‘ଅନର କିଲିଂ’ ‘ବଞ୍ଚି ଥାଉ ଥାଉ ଶ୍ରାଦ୍ଧ’ ପରି କେତେ ନିର୍ଯାତନା ନାରୀମାନଙ୍କୁ ସହିବାକୁ ନ ପଡୁଛି! ଏକଥା ସତ ଯେ ବର୍ତ୍ତମାନର ଆଇନ ଯାହା, ସେଥିରେ ବାପା-ମାଆ ବା ଆଉ କେହି ଝିଅମାନଙ୍କୁ ‘ମୃତ’ ଘୋଷଣା କରିଦେଲେ ସୁଦ୍ଧା ସେମାନଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ। ସେମାନେ ଏହି ସମାଜରେ ରହିବେ, ନିର୍ବାଚନରେ ଭାଗ ନେବେ, କାରଖାନାରେ କାମ କରିବେ ଏବଂ ନିଜର ଆୟୁଷ ଥିବା ପର୍ଯ୍ୟନ୍ତ ବଞ୍ଚି ରହିବେ। ସମସ୍ୟା ହେବ ସେହି ପିତାମାତାଙ୍କର, ଯେଉଁମାନେ ନିଜର ସ୍ନେହର ଝିଅମାନଙ୍କର ଜୀବିତ ଶ୍ରାଦ୍ଧ କରିବାର କାର୍ଯ୍ୟଟି ପାଇଁ ଚିରଦିନ ଗ୍ଳାନି ‌ଭୋଗ କରିବେ ଏବଂ ନିଜ ଝିଅର ଶୁଭ କାର୍ଯ୍ୟରେ ଭାଗ ନ ନେଇପାରିବାର ଅବସୋସକୁ ଶେଷ ପର୍ଯ୍ୟନ୍ତ ମୁଣ୍ଡେଇ ବୁଲିବେ। ଆଜି ନ ହେଲେ ବି କାଲି ସେମାନେ ଉପଲବ୍‌ଧି କରିବେ ଯେ ସେମାନେ ତାଙ୍କର ଝିଅମାନଙ୍କୁ ବାସ୍ତବରେ ଆଦର କରୁନଥିଲେ, କାରଣ ଆଦର କରୁଥିବା ପିଲାଙ୍କୁ ସ୍ବାଧୀନତା ଦିଆଯାଏ, ଗୃହପାଳିତ ପଶୁ ପରି ବାନ୍ଧି ରଖାଯାଏ ନାହିଁ। ପିଲାଙ୍କୁ ଭଲ ପାଉଥିବା ବାପାମାଆମାନେ ସେମାନଙ୍କୁ ବସ୍ତୁ ଭାବରେ ଦେଖିବା ଉଚିତ୍‌ କି? କାହିଁକି ଝିଅଟିର ଭଲ ମନ୍ଦ, ସୁଖ ଦୁଃଖ ପ୍ରତି ପିତାମାତା ଏତେ ନିସ୍ପୃହ ହୋଇଯାଆନ୍ତି। ନିଜର ପୁଅ ତା’ ମନଇଚ୍ଛା ଝିଅଟେ ବାହାହୋଇ ଆସିଲେ ତାକୁ ତ ‌େକାଉଠି କେହି ଶୁଦ୍ଧି ହୋଇଯାଉନାହାନ୍ତି! ଏସବୁର ମୂଳ ହେଲା ପୁରୁଷ ପ୍ରଧାନ ମାନସିକତା। ପୁଅ ‌ଶ୍ରେଷ୍ଠ, ପୁରୁଷ ବଡ଼, ପୁଅ ଜନ୍ମ ହେବାଟା ଗୋଟେ ସୌଭାଗ୍ୟ ଏବଂ ଝିଅ ଜନ୍ମ ହେବା ଗୋଟେ ଦୁର୍ଭାଗ୍ୟ- ଏଇ ମାନସିକତାରୁ ‌ଆମେ ମୁକ୍ତି ପାଇପାରୁନାହୁଁ। କେବେ ଏଥିରୁ ମୁକ୍ତି ମିଳିବ ତାହାର ପୂର୍ବାଭାସ ମଧ୍ୟ କାହିଁ କେଉଁଠି ଦିଶୁ ନାହିଁ।
ମୋ: ୯୪୩୭୦୭୭୨୮୮

ସମ୍ବନ୍ଧିତ ଖବର