ଦୀର୍ଘ ଚବିଶ ବର୍ଷ କାଳ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ରହିଥିବା ଶ୍ରୀ ନବୀନ ପଟ୍ଟନାୟକ ଗତ ୫ ତାରିଖରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବ ବୋଲି ଅନେକେ ଭାବିପାରି ନ ଥିଲେ। ଅଧିକାଂଶ ଲୋକ ଭାବିଥିଲେ, ଆସନ ସଂଖ୍ୟା କିଛି କମିଗଲେ ସୁଦ୍ଧା ପୁଣି ଥରେ ବିଜେଡି କ୍ଷମତାକୁ ଫେରିବ। ସେଥିପାଇଁ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା ସେମାନଙ୍କ ଲାଗି ଏକ ଅବିଶ୍ବସନୀୟ ଘଟଣା ହୋଇପଡ଼ିଛି। ଏହାଠାରୁ ଅଧିକ ଅବିଶ୍ବାସ୍ୟ ଘଟଣା ହେଉଛି କଣ୍ଟାବାଞ୍ଜି ବିଧାନସଭା ଆସନରୁ ସେଭଳି ସାମାଜିକ ପ୍ରତିପତ୍ତି କିମ୍ବା ପ୍ରତିଷ୍ଠା ନ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ନବୀନ ପଟ୍ଟନାୟକଙ୍କ ପରାଜୟ ବରଣ। ଏହି ଲେଖକ ମତରେ କଣ୍ଟାବାଞ୍ଜିର ଘଟଣାଟି ହିଁ ସଦ୍ୟସମାପ୍ତ ଓଡ଼ିଶା ନିର୍ବାଚନର ସବୁଠାରୁ ଉଲ୍ଲେଖନୀୟ ଘଟଣା ଯାହା ନିଜେ ନବୀନ ପଟ୍ଟନାୟକ କଦାପି ଭୁଲିପାରିବେ ନାହିଁ। ହିଞ୍ଜିଳି ଆସନରୁ ସ୍ବଳ୍ପ ବ୍ୟବଧାନରେ ତାଙ୍କର ବିଜୟ କଣ୍ଟାବାଞ୍ଜି ପରାଜୟ ଅଭିଜ୍ଞତାର କ୍ଷତିପୂରଣ କରିପାରିବ ନାହିଁ।
ବର୍ତ୍ତମାନ ସର୍ବତ୍ର ଆଲୋଚନା ହେଉଅଛି ଯେ ଏଭଳି ଘଟଣା କାହିଁକି ଘଟିଲା? ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଯେଉଁ ନବୀନ ପଟ୍ଟନାୟକ ଭାରତର ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଥିଲେ ସେ କାହିଁକି ନିଜେ ଇତିହାସ ପାଲଟିଗଲେ? ଏହାର ଉତ୍ତର ଭାବେ କେତୋଟି କଥା ଉଲ୍ଲେଖ କରାଯାଇପାରେ। ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଜଗନ୍ନାଥଙ୍କର ଜଣେ ବିଶିଷ୍ଟ ଭକ୍ତ ଭାବେ ଚିତ୍ରଣ କରାଯାଇଆସିଛି। ଜଗନ୍ନାଥ ସଂସ୍କୃତିରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ସେ ଶିକ୍ଷା କରିବା ଆବଶ୍ୟକ ଥିଲା। ସର୍ବଦା ଗର୍ଭଗୃହର ରତ୍ନ ସିଂହାସନରେ ବସିରହୁଥିଲେ ସୁଦ୍ଧା ବର୍ଷକରେ ଥରେ ରଥଯାତ୍ରା ସମୟରେ ଜଗନ୍ନାଥ ମନ୍ଦିର ବାହାରକୁ ଆସନ୍ତି, ସାଧାରଣ ଲୋକଙ୍କ ସହ ମିଶନ୍ତି ଏବଂ ଠେଲାପେଲା ଭିତରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ମାତ୍ର ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କଠାରୁ ବହୁ ଦୂରକୁ ଚାଲିଯାଇଥିଲେ; ଏପରିକି ତାଙ୍କ ଦଳର ନେତା କି କର୍ମୀ ମଧ୍ୟ ତାଙ୍କୁ ଭେଟିପାରୁ ନ ଥିଲେ। ସେମାନେ ନବୀନଙ୍କୁ ଭେଟିବାକୁ ଚାହୁଁଥିଲେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ଅନୁମତି ପ୍ରୟୋଜନ ପଡୁଥିଲା।
ଯେଉଁମାନେ କହୁଛନ୍ତି ଯେ, ନିର୍ବାଚନରେ ଏହି ବିପର୍ଯ୍ୟୟ ‘ଅପ୍ରତ୍ୟାଶିତ’ ଥିଲା ସେମାନେ ସଂପୂର୍ଣ୍ଣ ଠିକ୍ କହୁନାହାନ୍ତି। ବାସ୍ତବରେ ବିଭିନ୍ନ ପ୍ରକାର ମାର୍ଗରେ ଗଣମାଧ୍ୟମଗୁଡ଼ିକୁ ଏଭଳି ନିରବ କରିଦିଆଯାଇଥିଲା ଯେ ସାଧାରଣ ଲୋକଙ୍କ ଭିତରେ ସରକାରଙ୍କ ବିରୋଧରେ କି ଧରଣର ପ୍ରତିକ୍ରିୟା ସୃଷ୍ଟି ହେଉଛି ତାହା ଜାଣିବାର ବାଟ ନ ଥିଲା। ଓଡ଼ିଶାର ପ୍ରାୟ ସବୁ ଟିଭି ଚ୍ୟାନେଲ୍ ଓ ସମ୍ବାଦପତ୍ର ସରକାରଙ୍କୁ ସୁହାଇବା ଭଳି ଖବର ପ୍ରକାଶ କରୁଥିଲେ। ଯେଉଁମାନେ ଟିକିଏ ବିରୋଧ କରିବାକୁ ଉଦ୍ୟମ କରୁଥିଲେ ସେମାନଙ୍କୁ ବିଭିନ୍ନ ଉପାୟରେ ଦମନ କରି ଦିଆଯାଉଥିଲା। ଯେଉଁମାନେ ସରକାରଙ୍କୁ ପ୍ରଶଂସା କରୁଥିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନରେ ସନ୍ତୁଷ୍ଟ କରାଯାଉଥିଲା। ସାମାଜିକ ଗଣମାଧ୍ୟମରେ କେହି ଜଣେ ଉଚିତ କଥା କହିଲେ ଆଉ ପାଞ୍ଚ ଜଣ ନକଲି ସମର୍ଥକ ତାଙ୍କୁ ଅଶ୍ଳୀଳ ଗାଳିଗୁଲଜ ଦେଇ ନିରବ କରିଦେଉଥିଲେ। ଏହା ଫଳରେ ଅସଲ ଚିତ୍ର ଜଣାପଡୁ ନ ଥିଲା। ପାଣିପାଗ ଅଫିସ୍ରେ ତାଲା ପକେଇଦେଲେ ଝଡ଼ର ଗତିପଥ ବଦଳିଯିବ ବୋଲି ଭାବିବା ଯାହା, ଗଣମାଧ୍ୟମକୁ ମହମବତି ବଦଳରେ ଅଗରବତି ଭାବେ ବ୍ୟବହାର କଲେ ବାସ୍ତବ ଚିତ୍ର ବଦଳିଯିବ ବୋଲି ଭାବିବସିବା ସେଇଆ। ଏହି ପ୍ରକାର ଭୁଲ୍ ଜରୁରୀକାଳୀନ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧୀ କରି ପସ୍ତେଇଥିଲେ। ଦୁର୍ଭାଗ୍ୟ, ଆଜିର ନେତାମାନେ ଇତିହାସରୁ ସେକଥା ନ ଶିଖି ସେଇ ଭୁଲ୍ର ପୁନରାବୃତ୍ତି କରିଚାଲିଛନ୍ତି।
ନବୀନ ପଟ୍ଟନାୟକଙ୍କୁ ଜନସାଧାରଣ ଓଡ଼ିଶା ସରକାରର ମୁଖ୍ୟ ଭାବେ ଅଭିଷିକ୍ତ କରିଥିଲେ। ଦୁର୍ଭାଗ୍ୟବଶତଃ ‘ଓଡ଼ିଶା ସରକାର’ ଦୁର୍ବଳ ହୋଇଚାଲିଲା, ତାହା ବଦଳରେ ‘ମୋ ସରକାର’ ସବଳ ହୋଇଉଠିଲା। ନିର୍ଦ୍ଦିଷ୍ଟ କିଛି ଅଫିସର ତାଙ୍କ ଲୋକଙ୍କୁ ଧରି ନୂଆ ପ୍ରକାର (୫-ଟି) ଶାସନ ପଦ୍ଧତିର ଆବିଷ୍କାର କଲେ, ଯାହାର ଉଦାହରଣ ଭାରତର ଅନ୍ୟତ୍ର କେଉଁଠାରେ ଦେଖାଯାଇ ନ ଥିଲା। ଏହାର ବିପରୀତ ଫଳ ଫଳିଲା। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ସର୍ବଶକ୍ତିମାନ ସଚିବ ସର୍ବତ୍ର ଦୃଶ୍ୟମାନ ହେଲେ। ଭି. କେ. ପାଣ୍ଡିଆନ ଯେତିକି ଯେତିକି ଦୃଶ୍ୟମାନ ହେଲେ, ନବୀନ ପଟ୍ଟନାୟକ ସେତିକି ସେତିକି ଅଦୃଶ୍ୟ ହୋଇଚାଲିଲେ। ଆକାଶରେ ଅନେକ ତାରା ରହିପାରନ୍ତି ମାତ୍ର ସୂର୍ଯ୍ୟ ଗୋଟିଏ। ବିଜେଡି କ୍ଷମତା ଆକାଶରେ ସୂର୍ଯ୍ୟ ଭୂମିକାରୁ ନବୀନ ବହୁଦିନ ଆଗରୁ ଯେ ଅପସାରିତ ହୋଇସାରିଥିଲେ ତାହାକୁ କ’ଣ ଅସ୍ବୀକାର କରାଯାଇପାରିବ? ବହୁ ସମାଲୋଚନା ପରେ ଯେତେବେଳେ ତାଙ୍କୁ ପ୍ରଚାର କ୍ଷେତ୍ରକୁ ଅଣାଗଲା ସେତେବେଳେ ଲୋକେ ତାଙ୍କର ଦୁର୍ବଳ ଚେହେରା, ହାତ ପାଦ ଥରିବା ମୁଦ୍ରା ଦେଖି ଆହୁରି ନିଶ୍ଚିତ ହୋଇଗଲେ ଯେ, ସମ୍ଭବତଃ ତାଙ୍କର ସମର୍ଥ ସହଯୋଗୀମାନେ ତାଙ୍କୁ ବିଦାୟ ଦେବାର ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଲେଣି। ଲୋକମାନଙ୍କର ମନୋଭାବ ଉପର ସ୍ତରରେ ପହଞ୍ଚାଇବାର ଆଗରୁ ରାସ୍ତା ବନ୍ଦ କରିଦିଆଯାଇଥିଲା। ତା’ ବଦଳରେ କିଛି ଅହଂକାରୀ ଭୁଲ୍ ପରାମର୍ଶ ଦେଇଚାଲିଥିଲେ। ଉଦାହରଣସ୍ବରୂପ ମୁଖ୍ୟମନ୍ତ୍ରୀଙ୍କର ଲୁଙ୍ଗିପିନ୍ଧା ମୁଦ୍ରାରେ ନିର୍ବାଚନୀ ପ୍ରଚାରର ଆରମ୍ଭ ଘଟଣା ଏକ ସୁନ୍ଦର ଘଟଣା ନ ଥିଲା। ତାହାକୁ ମାନିଯାଇଥିଲେ ମହାଭାରତ ଅଶୁଦ୍ଧ ହୋଇଯାଇ ନ ଥାନ୍ତା, ମାତ୍ର ତା’ ବଦଳରେ ସେଇଟା ଠିକ୍ କହି କିଛି ଦଳୀୟ ଯୁବନେତା ନିଜେ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀରେ ଯୁକ୍ତି ବାଢ଼ିଲେ।
ବିଜୁ ଜନତା ଦଳ ବରାବର କହିଥାଏ ଯେ ସାରା ଓଡ଼ିଶାବାସୀ ଏ ଦଳର ପରିବାର। ନିର୍ବାଚନ ସମୟରେ ଲୋକେ ସେ ଦଳର କୌଣସି ଜଣେ ନେତାଙ୍କୁ ପ୍ରଚାର କ୍ଷେତ୍ରରେ ଦେଖିଲେ ନାହିଁ କାହିଁକି? ସେମାନେ ହଠାତ୍ ଅଦରକାରୀ ହୋଇପଡ଼ିଲେ କାହିଁକି? କାହା କ୍ଷମତାର ଭୋଗଥାଳିରୁ ସେମାନେ ଭାଗ ବସେଇବେ ଆଶଙ୍କା କରି ସେମାନଙ୍କୁ ଅସମ୍ମାନଜନକ ଭାବରେ ଦୂରେଇ ଦିଆଗଲା? ସେମାନେ କ’ଣ ଲୋକପ୍ରତିନିଧି ନୁହନ୍ତି? ସେମାନେ କ’ଣ ଓଡ଼ିଶାର ନେତା ନୁହନ୍ତି? କାହିଁକି ଗୋଟେ ବିରାଟ ଦଳ ହଠାତ୍ ସଂକୁଚିତ ହୋଇ କେତେଜଣ ଅଫିସର ଓ ତାଙ୍କର ଆଉ କେତେଜଣ ସମର୍ଥକ ନେତାଙ୍କ ପାଖରେ ସରିଗଲା? ଗଣତନ୍ତ୍ରରେ ଗଣ ହେଉଛି ଶକ୍ତି। ନେତାଙ୍କ ପାଖରେ ଶକ୍ତି ନ ଥାଏ, ଶକ୍ତି ଥାଏ ଲୋକଙ୍କ ପାଖରେ। ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ହୁଅନ୍ତୁ, ସେମାନେ ଲୋକଙ୍କ ଶକ୍ତିରେ ଶକ୍ତିଶାଳୀ ହୋଇଥାଆନ୍ତି। ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଦୁର୍ଗା ହେଲେ ତାଙ୍କର ଅସ୍ତ୍ରଶସ୍ତ୍ର ହେଉଛନ୍ତି ଜନସାଧାରଣ। ଓଡ଼ିଶାରେ ଏ ଚିତ୍ର ଅତି ଦୟନୀୟ ଭାବରେ ବଦଳିଗଲା। ଅଥଚ ଏହାକୁ ସ୍ବୀକାର କରିବା ବଦଳରେ ଅଳ୍ପଦିନ ତଳେ ରାଜନୀତିରେ ଯୋଗ ଦେଇଥିବା ନୂଆ ନେତା ଓଲଟି ଦାମ୍ଭିକତାର ସହ କହିଲେ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ୬ଷ୍ଠ ଥର ପାଇଁ ଶପଥ ଗ୍ରହଣ ନ କଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ଏଭଳି ଦାମ୍ଭିକତାର କୌଣସି ପ୍ରୟୋଜନ ନ ଥିଲା।
ସଦ୍ୟସମାପ୍ତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଏକ ବିଶେଷ ପ୍ରସଙ୍ଗ ପାଲଟିଗଲା। ନବୀନ ସରକାର ଅମଳରେ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇଥିଲା, ତାଙ୍କରି ଅମଳରେ ବିଶ୍ବ ଓଡ଼ିଆ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହା ସତ୍ତ୍ବେ ନବୀନ ପଟ୍ଟନାୟକଙ୍କୁ ଏହାର ଶ୍ରେୟ ନେବାକୁ ଦିଆଗଲା ନାହିଁ। ଓଡ଼ିଆ ଲୋକଙ୍କ ଆବେଗକୁ ପଢ଼ିବାରେ ଅସମର୍ଥ ମୁଷ୍ଟିମେୟ ଅଫିସର ତାହା ବିଫଳ କରିଦେଲେ। ସେହିପରି ଭାବରେ ବିଜେଡି ଶାସନ ଅମଳରେ ବହୁ ବିଡ଼ମ୍ବନା ଦେଖିବାକୁ ମିଳିଲା। କ୍ୟାବିନେଟ୍ ବୈଠକ ବସିଲା ନାହିଁ, ଲୋକସେବା ଭବନ, ଖାରବେଳ ଭବନ ଇତ୍ୟାଦି କାର୍ଯ୍ୟାଳୟ ସାମ୍ବାଦିକଙ୍କ ପାଇଁ ନିଷିଦ୍ଧ ହେଲା। ଗଣମାଧ୍ୟମଗୁଡ଼ିକୁ କୁହାଗଲା ଆମେ ଯାହା ପଠାଉଛୁ ତାହା ଛାପ। ସରକାର ଓ ଜନସାଧାରଣଙ୍କ ଭିତରେ ଆଦୌ ଯୋଗାଯୋଗ ରହିଲା ନାହିଁ। ଆଶା କରାଯାଉ, ବିଜୁ ଜନତା ଦଳ ଏହି ପରାଜୟରୁ ଶିକ୍ଷା ଗ୍ରହଣ କରି ନିଜକୁ ଦାୟିତ୍ବସଂପନ୍ନ ବିରୋଧୀ ଦଳରେ ପରିଣତ କରିବ ଏବଂ ଦଳର ଅସଲ ଶକ୍ତି ଜନସାଧାରଣଙ୍କ ବିଶ୍ବାସ ଆଉଥରେ ଜିଣିବାକୁ ଉଦ୍ୟମ କରିବ।
ଆମେ ଏହି ଲେଖା ଲେଖିବାବେଳକୁ ବିଜୟୀ ଦଳ ଭାରତୀୟ ଜନତା ପାର୍ଟି ତାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। କିଏ ଓଡ଼ିଶାର ପ୍ରଥମ ଭାଜପା ମନ୍ତ୍ରିମଣ୍ଡଳର ମୁଖ୍ୟ ହେବେ ତାହା ଜାଣିବା ଲାଗି ସବୁ ମହଲରେ ଉତ୍ସୁକତା ରହିଛି।
ଭାରତୀୟ ଜନତା ପାର୍ଟି ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରି ରାଜ୍ୟରେ ଯେଉଁ ପ୍ରକାର ‘ବିସ୍ମୟ ଆବିଷ୍କାର’ ପରୀକ୍ଷା କରିଛି ଏଠାରେ ସେ ପ୍ରକାର ପରୀକ୍ଷା କରିବ ନା ଜଣେ ଅଭିଜ୍ଞ, ଦକ୍ଷ ଓ ବ୍ୟକ୍ତିତ୍ବସଂପନ୍ନ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବ ତାହା ସମୟ କହିବ। ଭୁଲିଗଲେ ଚଳିବ ନାହିଁ ଯେ ନବୀନ ପଟ୍ଟନାୟକଙ୍କ ଦଳ ପରାଜିତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବର ଭଲ ଦିଗଗୁଡ଼ିକ ଅନେକେ ମନେ ରଖିଛନ୍ତି। ପ୍ରଥମ ଦୁଇ ପାଳିରେ ସେ ଯେଉଁ ପ୍ରକାର ଦକ୍ଷତା ଦେଖାଇଥିଲେ ତାହା ଏପର୍ଯ୍ୟନ୍ତ ସୁଦ୍ଧା ଲୋକମାନେ ଚର୍ଚ୍ଚା କରୁଛନ୍ତି। ବ୍ୟକ୍ତିଗତ ଭାବରେ ସେ ଓଡ଼ିଶାରେ ଖୁବ୍ ଲୋକପ୍ରିୟ ହୋଇଥିଲେ। ତେଣୁ ଭାଜପାର ଯେଉଁ ନେତା ମୁଖ୍ୟମନ୍ତ୍ରୀ ହେବେ ସେ ନବୀନଙ୍କ ବ୍ୟକ୍ତିତ୍ବକୁ ଅତିକ୍ରମ କରିବା ସହ ନିଜକୁ ଅଧିକ ଜନାଭିମୁଖୀ କରିବା ପ୍ରୟୋଜନ। ସାଧାରଣ ଲୋକ ଆଶା କରୁଛନ୍ତି, ନୂଆ ସରକାର ଅମଳରେ ପୁଣିଥରେ ସଚିବାଳୟର ଲୁହା ଫାଟକ ଗଣମାଧ୍ୟମ ପାଇଁ ଉନ୍ମୁକ୍ତ ହେବ, ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଡାକିବେ, କ୍ୟାବିନେଟ୍ ବୈଠକ ନିମୟିତ ଭାବେ ବସିବ, ଲୋକପ୍ରତିନିଧିମାନଙ୍କୁ ସେମାନଙ୍କର ଅଧିକାର ଓ ସମ୍ମାନ ମିଳିବ ଏବଂ ମନ୍ତ୍ରୀମାନେ ରବର ଷ୍ଟାମ୍ପ୍ ପରି ବ୍ୟବହାର ଦେଖାଇବେ ନାହିଁ। ସେହିପରି ଅଫିସରମାନେ ମନ୍ତ୍ରୀମାନଙ୍କୁ ଉତ୍ତରଦାୟୀ ରହିବେ ଓ ମନ୍ତ୍ରୀମାନେ ଯାଇ ଅଫିସରଙ୍କ ଆଗରେ ଗୋଡ଼ ଭାଙ୍ଗି ଠିଆହେବେ ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରୁ ସରକାର ନ ଚଳେଇ କାର୍ଯ୍ୟାଳୟକୁ ଆସିବେ ଏବଂ ସେ ଉପସ୍ଥିତ ଥିବାବେଳେ ତାଙ୍କର ରେକର୍ଡ ଭାଷଣ ବଜାଯିବାର ଅଦ୍ଭୁତ ବ୍ୟବସ୍ଥା ଅନୁସୃତ ହେବ ନାହିଁ। ସର୍ବୋପରି ଓଡ଼ିଶାର ବେକାରି, ଜଳସେଚନ, ସ୍ବାସ୍ଥ୍ୟ ଓ ଶିକ୍ଷା ପରି ମୂଳ ସମସ୍ୟାଗୁଡ଼ିକୁ ସରକାର ଧ୍ୟାନ ଦେବେ ଏବଂ କେବଳ ପ୍ରଚାରସର୍ବସ୍ବ କାର୍ଯ୍ୟରେ ଭୋଳ ରହିବେ ନାହିଁ। ଉଦାହରଣ ସ୍ବରୂପ ସବୁ ପ୍ରକାର ଆପତ୍ତି ଅଭିଯୋଗ ସତ୍ତ୍ବେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଶୃଙ୍ଖଳିତ ହୋଇପାରିଲା ନାହିଁ। ଅଥଚ ଏନେଇ ସବୁଠାରୁ ଅଧିକ ପ୍ରଚାର ହୋଇଛି। ଆଶା, ଏ ସମସ୍ୟାର ସମାଧାନ ହେବ। ଏସବୁ ହୋଇପାରିଲେ ଶାସନ ଉପରେ ଲୋକଙ୍କ ଭରସା ଫେରିବ ଏବଂ ସେମାନେ ଯେଉଁ ଆଶା ଭରସା ରଖି ପରିବର୍ତ୍ତନ ଆଣିଛନ୍ତି ତାହା ସଫଳ ହେବ। ଭାରତୀୟ ଜନତା ପାର୍ଟି ସମୟର ଏହି ଆହ୍ବାନ ଓ ଆବଶ୍ୟକତାକୁ ଗମ୍ଭୀରତାର ସହ ଗ୍ରହଣ କରିବ ବୋଲି ଆଶା କରାଯାଏ।
ମୋ: ୯୪୩୭୦୭୭୨୮୮
ଓଡ଼ିଶା ଡାଏରି: ପରିବର୍ତ୍ତନର ପୃଷ୍ଠଭୂମି
ଗୌରହରି ଦାସ