ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲସନ ମାଣ୍ଡେଲା ଥରେ କହିଥିଲେ, ‘‘ତୁମେ ଯଦି ଜଣେ ଲୋକ ସହ ସେ ବୁଝୁଥିବା କୌଣସି ଭାଷାରେ କଥା କୁହ ତାହାହେଲେ ତୁମ କଥା ତା’ର ମସ୍ତିଷ୍କରେ ପହଞ୍ଚିବ, ମାତ୍ର ତୁମେ ଯଦି ତା’ସହ ତା’ ମାତୃଭାଷାରେ କଥା କୁହ ତାହା ହେଲେ ତୁମ କଥା ସିଧା ଯାଇ ତା’ ହୃଦୟରେ ପହଞ୍ଚିବ।’’ ଭାଷା ଏବଂ ମାତୃଭାଷା ମଧ୍ୟରେ ଏଇଠି ହିଁ ରହିଛି ପାର୍ଥକ୍ୟ। ଜଣେ କବି କିମ୍ବା ଲେଖକ ତାଙ୍କ ନିଜ ମାତୃଭାଷାରେ ଯେମିତି ତାଙ୍କ ଜୀବନର ସମସ୍ତ ଅନୁଭବକୁ ପ୍ରକାଶ କରିପାରିବେ ସେମିତି ଅନ୍ୟ କୌଣସି ଭାଷାରେ ପ୍ରକାଶ କରିପାରିବେ ନାହିଁ। ପଉଷ ପାହାନ୍ତିର କୁହୁଡ଼ିରେ ଆମ୍ବ ବଉଳ ଜଳିଯିବାର ଦୀର୍ଘଶ୍ବାସ କିମ୍ବା ଧୀର ଧାର ନଈ ସେପାରି ଗାଁର ଚଉଁରାମୂଳେ ସଂଜଦୀପ ଜଳିବାର ଦୃଶ୍ୟପଟ ପ୍ରକାଶ କରିବା ପାଇଁ କବି କି ଲେଖକକୁ ତା’ର ମାତୃଭାଷାର ସାହାଯ୍ୟ ଲୋଡ଼ିବାକୁ ପଡ଼ିବ।
ଓଡ଼ିଶାରେ ଆଜିଠାରୁ ବିଶ୍ବ ଓଡ଼ିଆ ସମ୍ମିଳନୀ ଆରମ୍ଭ ହେଉଛି। ଏଥିପାଇଁ ରାଜ୍ୟ ସରକାର ବହୁଦିନୁ ପ୍ରସ୍ତୁତି ଚଳାଇଥିଲେ। ଆଶା କରାଯିବା ସ୍ବାଭାବିକ ଯେ ଏହାପରେ ଓଡ଼ିଆ ଭାଷା ନେଇ ସଚେତନତା ଆହୁରି ଅଧିକ ପ୍ରକାଶିତ ହେବ। ୨୦୧୪ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ବେଳେ ଅନୁରୂପ ଉତ୍ସାହ ଦେଖା ଦେଇଥିଲା। ଏହା ଭିତରେ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ଏବଂ ଓଡ଼ିଆ ଭାଷାର ଗବେଷଣା ଲାଗି ଏକ କେନ୍ଦ୍ରୀୟ ଅନୁଷ୍ଠାନ ଭୁବନେଶ୍ବରରେ ପ୍ରତିଷ୍ଠିତ ହୋଇଛି। ବହୁବର୍ଷ ଧରି ଓଡ଼ିଆ ବିଭାଗର କୌଣସି ପ୍ରଫେସରଙ୍କୁ ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତି ମିଳୁନଥିଲା। ନବୀନ ପଟ୍ଟନାୟକଙ୍କ ସରକାର ଜଣେ ନୁହେଁ ଦୁଇଜଣ ଓଡ଼ିଆ ପ୍ରଫେସରଙ୍କୁ ଦୁଇଟି ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରି ଏହି ହୀନମଣ୍ୟତା ଦୂର କରିଛନ୍ତି। ଆଶା କରାଯାଏ, ଏହା ଏକ ବ୍ୟତିକ୍ରମ ନ ହୋଇ ଏଣିକି ସାଧାରଣ ବ୍ୟବସ୍ଥାରେ ପରିଣତ ହେବ।
ଓଡ଼ିଆ ଭାଷାର ବିକାଶ କିଭଳି ସମ୍ଭବ? ଏ ନେଇ ବହୁ ପ୍ରସ୍ତାବ ଓ ପରାମର୍ଶ ଆସିବ। ମାତ୍ର ଗୋଟିଏ ବାକ୍ୟରେ କହିଲେ, ଓଡ଼ିଆ ଭାଷାର ବିକାଶ ସେତିକିବେଳେ ସମ୍ପୂର୍ଣ୍ଣ ହେବ ଯେତେବେଳେ ଜଣେ ଓଡ଼ିଆ ଭାଷାଭାଷୀ ଉପଲବ୍ଧି କରିବ ଯେ ଏଇ ଭାଷା ମାଧ୍ୟମରେ ସେ ଦେଶ ତଥା ବିଶ୍ବରେ ଉପଲବ୍ଧ ସମସ୍ତ ଜ୍ଞାନ ହାସଲ କରିପାରିବ। ଦେଶ ତଥା ବିଶ୍ବର ସବୁ ସାହିତ୍ୟ, ସବୁ ଦର୍ଶନ, ବିଜ୍ଞାନ ଓ କାରିଗରୀ ବିଦ୍ୟାର ପାଠ୍ୟ ଯଦି ସେ ଓଡ଼ିଆ ଭାଷାରେ ପାଇପାରିବ ତାହାହେଲେ ସେ ଓଡ଼ିଆ ଭାଷା ଉପରେ ନିର୍ଭର କରିପାରିବ। ଏଥିପାଇଁ ଦ୍ବିପାକ୍ଷିକ ବ୍ୟବସ୍ଥାର ପ୍ରୟୋଜନ। ପ୍ରଥମତଃ ଏସବୁର ଅନୁବାଦ ପାଇଁ ଦକ୍ଷ ଅନୁବାଦକ ଆବଶ୍ୟକ, ଦ୍ବିତୀୟତଃ ଏସବୁର ଅନୁବାଦରେ ସହାୟତା ପାଇଁ କମ୍ପ୍ୟୁଟର ସଫ୍ଟୱେର ଠାରୁ ଆରମ୍ଭ କରି ଭାଷାକୋଷ, ଅଭିଧାନ ଇତ୍ୟାଦି ସହାୟକ ଭିତ୍ତିଭୂମି ସୁଲଭ ମୂଲ୍ୟରେ ଓ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବା ଆବଶ୍ୟକ।
ଏକଥା ନିଃସନ୍ଦେହ ଯେ ଓଡ଼ିଆ ଗୋଟିଏ ଅତ୍ୟନ୍ତ ସମୃଦ୍ଧ ଭାଷା। ଏହି ଭାଷାରେ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ଠାରୁ ଆରମ୍ଭ କରି ଫକୀରମୋହନ, ଗୋପୀନାଥ ମହାନ୍ତି ଓ ସଚ୍ଚି ରାଉତରାୟଙ୍କ ପର୍ଯ୍ୟନ୍ତ ବହୁ ବିଖ୍ୟାତ କବି-ଲେଖକ ବିଶ୍ବସ୍ତରୀୟ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି। ପୃଥିବୀର ଅଧିକାଂଶ ଭାଷାର ଲିପି ନାହିଁ। ସବୁଠାରୁ ଶକ୍ତିଶାଳୀ ଇଂରେଜୀ ଭାଷା ରୋମାନ ଲିପି ବ୍ୟବହାର କରେ। ଜର୍ମାନ, ଫ୍ରେଞ୍ଚ, ସ୍ପାନିସ ଓ ଡ୍ୟାନିସ ଭାଷା ମଧ୍ୟ ଏହି ରୋମାନ ଲିପି ବ୍ୟବହାର କରନ୍ତି। ଆମ ଦେଶର ମରାଠି ଓ ହିନ୍ଦୀ ଉଭୟ ନାଗରୀ ଲିପି ବ୍ୟବହାର କରନ୍ତି। କୋଙ୍କଣୀ ଭାଷା ଭିନ୍ନ ଭିନ୍ନ ଲିପି ବ୍ୟବହାର କରୁଛି। ମାତ୍ର ଆମ ଓଡ଼ିଆ ଭାଷାର ଏକ ସୁନ୍ଦର ଲିପି ରହିଛି। ଆମ ରାଜ୍ୟ ୧୯୩୬ରୁ ଭାଷା ଭିତ୍ତିରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଛି। ୧୯୫୪ରୁ ଏହି ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବା ଳାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଭାଷାଭାଷୀଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଆର ସ୍ଥାନ ପୃଥିବୀର ଭାଷା ତାଲିକାରେ ତେତିଶ ନମ୍ବର ଏବଂ ଏବେ ବି ଏ ରାଜ୍ୟର ୮୦ ଭାଗ ଲୋକ ଓଡ଼ିଆ ଭାଷା ବୁଝନ୍ତି। ସେହିପରି ଓଡ଼ିଶାର ଯେଉଁ ପ୍ରାଚୀନ କଳାକୀର୍ତ୍ତି ଅଛି ସେସବୁ ଓଡ଼ିଆଙ୍କ ମନରେ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ ସମର୍ଥ। ଓଡ଼ିଆ ଲୋକେ ଭାରତର ରାଷ୍ଟ୍ରପତି ଠାରୁ ନେଇ ସୁପ୍ରିିମ୍ କୋର୍ଟ ମୁଖ୍ୟ ବିଚାରପତି, ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ରିଜର୍ଭ ବ୍ୟାଙ୍କ ଗଭର୍ଣର ଇତ୍ୟାଦି ସବୁ ବଡ଼ ବଡ଼ ପଦ ମଣ୍ଡନ କରିସାରିେଲଣି। ଏ ରାଜ୍ୟର ବିପୁଳ ଖଣିଜ ସମ୍ପଦ ଆଉ କାହାପାଖେ ନାହିଁ। ସୁଦୀର୍ଘ ବେଳାଭୂମି ସମ୍ପଦରେ ଆମେ ନିଶ୍ଚୟ ଧନୀ। ଏସବୁ ଆମକୁ, ଆମ ତରୁଣ ପିଢ଼ିଙ୍କୁ ଉତ୍ସାହିତ କରିବା ଲାଗି ଯଥେଷ୍ଟ। ଯେଉଁ ରାଜ୍ୟର ରାଜାରାଣୀ, କୋଣାର୍କ ଓ ଶ୍ରୀମନ୍ଦିର କଳା, ସ୍ଥାପତ୍ୟରେ ଦେଶ ବିଖ୍ୟାତ ତାହାର ଭାଷା କାହିଁକି ସେହିପରି ଦେଶ ବିଖ୍ୟାତ ହୋଇପାରିବ ନାହିଁ? ସରକାର ଅର୍ଥ ଯୋଗାଇବେ, ବିଶେଷଜ୍ଞମାନେ ଭାଷାର ବିକାଶ, ଉପଯୋଗ ଓ ପ୍ରଚାର ପାଇଁ କୌଶଳ ବତେଇବେ, ବିଶ୍ବବିଦ୍ୟାଳୟଗୁଡ଼ିକ ଉଚ୍ଚତର ଶିକ୍ଷା ଦେବେ, ପ୍ରକାଶକମାନେ ଉଚ୍ଚମାନର ବହି ପ୍ରକାଶ କରିବେ ଏବଂ ଅନୁବାଦକମାନେ ପୃଥିବୀର ସବୁ ବଡ଼ ବଡ଼ ଭାଷାରେ ଆମ ଭାଷାର ସାହିତ୍ୟ ଓ ଅନ୍ୟ ପ୍ରସଙ୍ଗକୁ ନେଇ ପହଞ୍ଚାଇବେ- ସବୁ ବର୍ଗର ସହଯୋଗରେ ଓଡ଼ିଆ ଭାଷା ଭାରତର ସମୃଦ୍ଧଶାଳୀ ଭାଷା ଭାବେ ପ୍ରତିଷ୍ଠା ଅର୍ଜନ କରିପାରିବ। କିନ୍ତୁ ଟଙ୍କା, ପଇସା, କାରିଗରୀ କୌଶଳ ଏସବୁ ବାହାରୁ ଆସିବ ସିନା, ଆମ ଭାଷା ପ୍ରତି ଆଦର ତିଆରି କାରଖାନା ତ ଆମ ଭିତରେ। ହୃଦୟ ଭିତରେ ଥିବା ସେହି କାରଖାନା ସକ୍ରିୟ ନ ହେଲେ ଅନ୍ୟସବୁ ଆୟୋଜନ ସଫଳ ହେବ ନାହିଁ। ବିଶ୍ବାସ କରୁଛୁ, ଏହି ବିଶ୍ବ ଓଡ଼ିଆ ସମ୍ମିଳନୀ ଆମ ଭିତରେ ସେହି ଆତ୍ମବିଶ୍ବାସ ସୃଷ୍ଟି କରିବ। ଏହି ଅବକାଶକୁ ଆମେ ଆଉ ଗୋଟିଏ ଭାବରେ ମଧ୍ୟ ବ୍ୟବହାର କରିପାରିବା। ପୃଥିବୀର ବିଭିନ୍ନ ଦେଶରେ ଲକ୍ଷ ଲକ୍ଷ ଓଡ଼ିଆ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିତ୍ତଶାଳୀ। କେଉଁ ଦେଶରେ କେତେ ଓଡ଼ିଆ ଅଛନ୍ତି ତାହାର ଏକ ବ୍ୟବସ୍ଥିତ ପରିସଂଖ୍ୟାନ ରହିବା ଭଲ। ଏହା ଫଳରେ ଓଡ଼ିଶାର ଛାତ୍ରସମାଜ ଓ ସାଧାରଣ ସମାଜ ସେମାନଙ୍କ ସହ ଯୋଗାଯୋଗ କରିପାରିବେ। ସେମାନେ ଆମ ଦ୍ବାରା ଉପେକ୍ଷିତ ହୋଇ ନିଜ ନିଜକୁ ଛିନ୍ନମୂଳ ବୋଲି ଭାବିବେ ନାହିଁ କିମ୍ବା ଆମେ ମଧ୍ୟ ଶାଖାପ୍ରଶାଖାହୀନ ବୋଲି ଭାବିବା ନାହିଁ। ଗୋଟିଏ ରାଜ୍ୟର ସାଧାରଣ ଲୋକେ ବହୁକଥା ବଦଳେଇ ଦେଇପାରିବେ। ଏ ଦିଗ ପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଉଚିତ।
ଆଜି ଓଡ଼ିଆ ଭାଷାର ବ୍ୟବହାର କମି କମି ଯାଉଥିବା ନେଇ ବୁଦ୍ଧିଜୀବୀମାନେ ଉଦ୍ବେଗ ପ୍ରକାଶ କରୁଛନ୍ତି। ତରୁଣମାନେ ମତ ଦେଉଛନ୍ତି ଯେ ଆମ ମନର ଭାବ ବୁଝେଇବା ଲାଗି ଓଡ଼ିଆ ଭାଷାରେ ଶବ୍ଦ ନାହିଁ। ତେଣୁ ଆମକୁ ଇଂରେଜୀ ଓ ହିନ୍ଦୀ ମିଶା ଓଡ଼ିଆ କହିବାକୁ ପଡ଼ିବ। ଏକଥା ଠିକ୍ ନୁହେଁ। ଆମର ବୌଦ୍ଧିକ ଦୌର୍ବଲ୍ୟକୁ ଆମେ ଓଡ଼ିଆ ଶବ୍ଦକୋଷ ଉପରେ ଲଦିଦେବା ଉଚିତ ନୁହେଁ। ଆମେ ଓଡ଼ିଆ ଅଭିଧାନକୁ ବ୍ୟବହାର ନ କଲେ ସେଥିରେ ଥିବା ଶବ୍ଦ ଅଲୋଡ଼ା ରହି କ୍ରମେ ଅଦୃଶ୍ୟ ହୋଇଯିବ। ବ୍ୟବହାର ହେଉଛି ଗୁରୁତ୍ବପୂର୍ଣ୍ଣ। ସରକାରୀ ଅର୍ଥ ବ୍ୟବସ୍ଥା ବଡ଼ କଥା ନୁହେଁ। ଉଦାହରଣ ସ୍ବରୂପ ସଂସ୍କୃତ ଭାଷାର ପ୍ରଚାର ପାଇଁ ଭାରତ ସରକାର ଶହ ଶହ କୋଟି ବ୍ୟୟ କରୁଛନ୍ତି। ତାହାସତ୍ତ୍ବେ ଏହା କ’ଣ ସାଧାରଣ ଜୀବନର ବ୍ୟବହାର୍ଯ୍ୟ ଭାଷା ହୋଇରହିଛି? ପୋଥିଗତ ଭାଷା ଓ ବ୍ୟବହାରର ଭାଷା ମଧ୍ୟରେ ପାର୍ଥକ୍ୟ ଅଛି। ବିଶ୍ବ ଓଡ଼ିଆ ସମ୍ମିଳନୀ ଆମକୁ ଆମ ମାତୃଭାଷା ସବୁ ସ୍ତରରେ ବ୍ୟବହାର କରିବାକୁ ପ୍ରେରଣା ଦେଉ।
ଯେଉଁମାନେ ଭାବନ୍ତି େଯ ଭାଷା ମରେ ନାହିଁ, ସେମାନେ ଭାବପ୍ରବଣ ହୋଇ ଏପରି କହିଥାନ୍ତି। ହାରାହାରି ପ୍ରତିବର୍ଷ ପୃଥିବୀର ଗୋଟିଏ ଗୋଟିଏ ଭାଷା ମରି ଯାଉଛି। ପୃଥିବୀେର ପାଞ୍ଚ ହଜାରରୁ ଅଧିକ ଭାଷା ଅଛି। ଭାରତରେ ପ୍ରଚଳିତ ଭାଷାର ସଂଖ୍ୟା ୧୫୦୦ ହେବ। ଏଥିରୁ ୨୪ଟିକୁ ସଂସ୍କୃତି ମନ୍ତ୍ରାଳୟର ମାନ୍ୟତା ମିଳିଛି। ଭାରତ ସରକାରଙ୍କ ସାହିତ୍ୟ ଏକାଡେମୀ ଏହି ଭାଷାର ଲୋକଙ୍କୁ ପ୍ରତିବର୍ଷ ପୁରସ୍କାର ଦେଇଥାଏ। ମାତ୍ର ଏ ଗୁଡ଼ିକ ମଧ୍ୟରୁ ଆହୁରି ଅନେକ ଭାଷା ଅଛି। ତା’ ମଧ୍ୟରୁ ପ୍ରତିବର୍ଷ କିଛି କିଛି ଭାଷା ନିଷ୍ପ୍ରଭ ହୋଇ ଯାଉଛନ୍ତି। ଗତ କିଛିବର୍ଷ ଭିତରେ ୫୦ଟି ଆଫ୍ରିକୀୟ ଭାଷା ମରିଗଲାଣି ଏବଂ ତହିଁରୁ ୩ଟି ଭାଷା କେନିୟାର। ଭାରତରେ ମଧ୍ୟ ସେହି ପ୍ରକାର ଦଶା ଦେଖିବାକୁ ମିଳୁଛି। ଭାଷା ଯଦି ଦରକାର ନ ହେଲା କିମ୍ବା ନିଯୁକ୍ତି ସମ୍ଭାବନା ସୃଷ୍ଟି କରି ନ ପାରିଲା ତାହାହେଲେ ସେ ଭାଷାର ଅବସ୍ଥା ଦୁର୍ବଳ ହୋଇପଡ଼ିବ। ହୁଏତ କିଛିବର୍ଷ ପରେ ସେ ଭାଷାଟି କେବଳ ଏକ କଥିତ ଭାଷା ହୋଇ ରହିବ। ଓଡ଼ିଶାରେ ଓଡ଼ିଆ ଭାଷା ଶିକ୍ଷା ଉପରେ ଗୁରୁତ୍ବ ଦେବା ଆବଶ୍ୟକ, ଓଡ଼ିଆ ଶିକ୍ଷକମାନଙ୍କୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଏହା ଭିନ୍ନ ଆମ ଭାଷାଭାଷୀ ଲୋକ କିଭଳି ଓଡ଼ିଆ ଶିଖିପାରିବେ ସେ ନେଇ ମଧ୍ୟ କୋର୍ସ ଖୋଲାଯିବା ଦରକାର। ଭାଷାଟିଏ ମରିଗଲେ ବହୁ କଥା ମରିଯାଏ। ତା’ର ସାହିତ୍ୟ, ଦର୍ଶନ ତ ନିଶ୍ଚୟ, ସେ ଭାଷାରେ ଥିବା ଗଛ, ଲତା, ପଶୁ, ପକ୍ଷୀ ଇତ୍ୟାଦିକୁ ନେଇ ଥିବା ଶବ୍ଦ ମଧ୍ୟ ଲୋପ ପାଇଯାଏ। ଭାଷାର ବ୍ୟବହାର ଦିଗରେ ବର୍ତ୍ତମାନ ପିଢ଼ି ଅତୀତ ଠାରୁ ବିଚ୍ଛିନ୍ନ ହୋଇପଡ଼ନ୍ତି। ହଠାତ୍ ଦିନେ ଯେମିତି ଆମର ଅନୁଭବ ହେବ, ଆମେ ଫକୀରମୋହନ ସେନାପତିଙ୍କ ଉପନ୍ୟାସ ବୁଝିପାରୁନୁ କି ଭୀମଭୋଇଙ୍କ ସ୍ମୃତିର ଅର୍ଥ ଜାଣିପାରୁନୁ। ଭାଷା ଓ ସାହିତ୍ୟ ଏକ କ୍ରମ ପ୍ରବହମାନ ଧାରା। ପୁରୁଣା ଶବ୍ଦ ସାଙ୍ଗେ ନୂଆ ଶବ୍ଦ ମିଶୁଥିବ, ମାତ୍ର ଧାରାଟି ଅବ୍ୟାହତ ରହିଥିବ। ତାହାହେଲେ ଆମ ଭାଷା ସମୃଦ୍ଧ ହେବ, ବିକଶିତ ହେବ ଏବଂ ମର୍ଯ୍ୟାଦା ଲାଭ କରିବ।
ଭିନ୍ନ ଭିନ୍ନ ଭାଷା ଶିଖିବାରେ କିଛି ସମସ୍ୟା ନାହିଁ। ମାତ୍ର ଓଡ଼ିଅା ଭାବରେ ଓଡ଼ିଆ ଭାଷାକୁ ବଂଚେଇ ରଖିବା ହେଉଛି ଆମର ସର୍ବପ୍ରଥମ କର୍ତ୍ତବ୍ୟ। ମୋ ଭାଷା ମୋ ସଂସ୍କୃତିର ବାହକ। ମୋ ଭାଷା ବିନା ଅନ୍ୟ କୌଣସି ଭାଷାରେ ମୁଁ ମୋର ପରଂପରା, ଲୋକ ବିଶ୍ବାସ ଏବଂ ଲୋକ ପରଂପରାକୁ ଠିକଣା ଢଙ୍ଗରେ ପ୍ରକାଶ କରିପାରିବି ନାହିଁ। ଉଦାହରଣ ସ୍ବରୂପ ମୁଁ ଦି’ତିନିଟି ଉଦାହରଣ ଦେଉଛି। ଏହାକୁ ଆମେ ଅନ୍ୟ କୋଉ ଭାଷାରେ ସମାନ ସାନ୍ଦ୍ରତାର ସହ ପ୍ରକାଶ କରିପାରିବା କି?
କାଠିଆ କଦଳୀ ଫେଣିକି ପାଚେ
ବଡ଼ନନା ଡାକ ଶିରରେ ନାଚେ
ଆଳୁ ପତରିଆ ମହତାପାନ
ଆଉ କି ଦେଖିବି ଜନମଥାନ
ବା
ଠିଆ ପୁଚି ନାରଙ୍ଗ/ଗୋଡ଼ ଦିଟା ସାରଙ୍ଗ/
ସାରଙ୍ଗ ବାଡ଼ିକୁ ଯାଇଥିଲି/ସାରଙ୍ଗ କୋଳି ଆଣିଥିଲି
ବା
ଚିଙ୍ଗୁଡ଼ି ମାଛକୁ ଟାକେରା ଆମ୍ବୁଲ
ତୋଡ଼ି ମାଛ କାଞ୍ଜି ପାଣି
ମାଗୁର ମାଛରେ ସଜ ବସାଦହି
ଭାତ ନେଉଥାଏ ଟାଣି।
ଇଏମାତ୍ର କେତୋଟି ଉଦାହରଣ। ଆମର ଭାଗବତ, ଚମ୍ପୁ, ଚଉତିଶା, ଛାନ୍ଦ, ପୁରାଣ ବହୁକଥା ନେଇ ଆମ ଭାଷା ବିଭବଶାଳୀ। ଆମର ଲିଙ୍ଗରାଜ, କୋଣାର୍କ, ରାଜାରାଣୀ ମନ୍ଦିର ଯେମିତି ଆମର କଳାକୀର୍ତ୍ତି, ଆମର ଓଡ଼ିଆ ଭାଷା ସେମିତି ଆମର ଅକ୍ଷୟ କୀର୍ତ୍ତି। ଏହାକୁ ଅକ୍ଷୟ ରଖିବା ଆମର ଦାୟିତ୍ବ। ବିଶ୍ବ ଓଡ଼ିଆ ସମ୍ମିଳନୀ ଆମ ସମସ୍ତଙ୍କୁ ଏ ଦିଗରେ ଅବଶ୍ୟ ପୁନଃ ସଚେତନ କରିବ।
ମୋ: ୯୪୩୭୦୭୭୨୮୮
ଓଡ଼ିଶା ଡାଏରି: ଆମ ଭାଷା ଆମ ଅକ୍ଷୟ କୋଣାର୍କ
ଗୌରହରି ଦାସ
/sambad/media/post_attachments/wp-content/uploads/2024/02/sfhfshhfsfhhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)