ଗୌରହରି ଦାସ
ସାରଳା ମହାଭାରତର ଯେଉଁ କେତେଜଣ ନାରୀ ଚରିତ୍ର ଅାମ ଅାଖିରେ ବନ୍ଦନୀୟା, ସେମାନଙ୍କ ଭିତରୁ ଗାନ୍ଧାରୀ ଅନ୍ୟତମ। ଏହି ନାରୀ ଚରିତ୍ର ଜଣକ ବନ୍ଦନୀୟା ହେବାର ପ୍ରମୁଖ କାରଣ ସେ ନିଜର ଜନ୍ମାନ୍ଧ ସ୍ବାମୀ ଧୃତରାଷ୍ଟ୍ରଙ୍କ ପ୍ରତି ଚରମ ଅାନୁଗତ୍ୟ ଓ ଅନୁରାଗ ଦେଖାଇ ନିଜେ ସାରାଜୀବନ ଅାଖିରେ ଅନ୍ଧପୁଟୁଳି ବାନ୍ଧି ନେଇଥିଲେ ଏବଂ ଏହି ଭାବରେ ସ୍ବେଚ୍ଛାକୃତ ଅନ୍ଧତ୍ୱକୁ ବରଣ କରିଥିଲେ। ମହାଭାରତରୁ ଯେତେବେଳେ ଅାମେ ଏହି ପ୍ରସଙ୍ଗଟି ପଢୁ ସେତେବେଳେ ଗାନ୍ଧାରୀଙ୍କ ପାତିବ୍ରତ୍ୟର ପ୍ରଶଂସାରେ ଅାମେ ଶତମୁଖ ହୋଇପଡୁ। ଗୋଟିଏ ପତ୍ନୀର ନିଜର ପତିଙ୍କ ପ୍ରତି ଏ ଧରଣର ଅନନ୍ୟ ପ୍ରେମ ଏବଂ ସମାନୁଭୂତି ଅାମମାନଙ୍କୁ ବିସ୍ମିତ କରେ। ଅାମର ଏଇ ମୁଗ୍ଧ ଭାବକୁ ଅାହୁରି ବହୁଗୁଣିତ କରନ୍ତି ସ୍କୁଲ୍ ପାଠ୍ୟକ୍ରମରେ ପଢ଼ିଥିବା ଏକାଧିକ ଗଳ୍ପ ଓ କବିତା। ଉଦାହରଣ ସ୍ବରୂପ ବିଖ୍ୟାତ କବି କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ କବିତା ‘ଗାନ୍ଧାରୀର ଅାଶୀର୍ବାଦ’ରୁ ଅାମେ ଯେତେବେଳେ ଜାଣୁ ଯେ ନିଜ ପୁଅମାନଙ୍କର ଜୟ କାମନା ନକରି ଗାନ୍ଧାରୀ ଧର୍ମର ଜୟ କାମନା କରିଥିଲେ ସେତେବେଳେ ତାଙ୍କ ବ୍ୟକ୍ତିତ୍ୱର ଅାଉ ଏକ ଉଜ୍ଜ୍ୱଳ ଦିଗ ସମ୍ବନ୍ଧରେ ଅାମେ ଅବଗତ ହେଉ। ସାଧାରଣତଃ ମାଅାମାନେ ସଦାବେଳେ ନିଜ ସନ୍ତାନର ମଙ୍ଗଳ କାମନା କରନ୍ତି, ତାହାର ଦୋଷାଦୋଷ ଘେନା ନକରି କେବଳ ତାହାର ଉନ୍ନତି କାମନା କରନ୍ତି। ଏ କ୍ଷେତ୍ରରେ ମାତୃତ୍ୱ ସ୍ବାର୍ଥପର। ମାତ୍ର ଗାନ୍ଧାରୀ ଯେତେବେଳେ କହନ୍ତି ଯେ ‘ଯାଅ ବୀର ରଣେ ଧରଣୀ ବକ୍ଷୁ ପାପରାଶି ହେଉ କ୍ଷୟ/ ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ’ ସେତେବେଳେ ଅାମେ ଏକ ଜନନୀ ପ୍ରାଣର ମହତ୍ତ୍ୱପୂର୍ଣ୍ଣ ଦିଗର ପରିଚୟ ଗାଇଥାଉ। ଗାନ୍ଧାରୀଙ୍କ ବ୍ୟକ୍ତିତ୍ୱ ଏକ ଅାଦର୍ଶ ବ୍ୟକ୍ତିତ୍ୱ ଭାବରେ ପ୍ରତିଭାତ ହୋଇଉଠେ।
ମାତ୍ର ବାସ୍ତବରେ ମହାଭାରତର ଗାନ୍ଧାରୀଙ୍କୁ ଜଣେ ଅାଦର୍ଶ ନାରୀ ଭାବରେ ଗ୍ରହଣ କରାଯାଇ ପାରିବ କି? ଏହି ପ୍ରଶ୍ନଟି ପାଠକମାନଙ୍କୁ ଅସ୍ବାଭାବିକ ମନେ ହୋଇପାରେ। ମାତ୍ର ଏହି ଲେଖକର ବିଚାରରେ ଗାନ୍ଧାରୀ ଜଣେ ଅାଦର୍ଶ ପତ୍ନୀ ବା ଜାୟା ହୋଇପାରନ୍ତି ମାତ୍ର ଅାଦର୍ଶ ଜନନୀ ନୁହନ୍ତି। ଅାଦର୍ଶ ଜନନୀର ମୁଖ୍ୟ ଭୂମିକା ସନ୍ତାନମାନଙ୍କୁ ଗଢ଼ିବାରେ ଥାଏ। ଉଦାହରଣ ସ୍ବରୂପ ଶ୍ରୀକୃଷ୍ଣ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ, ମାତ୍ର ତାଙ୍କୁ ଗଢ଼ିଥିଲେ ଓ ବଢ଼େଇଥିଲେ ଯଶୋଦା। ଏଥିପାଇଁ ଯେତେବେଳେ କୃଷ୍ଣ ଗୋପରୁ ଯିବାର ବେଶ୍ କିଛିକାଳ ପରେ, ଦେବକୀ ଓ ଯଶୋଦାଙ୍କର ଦେଖା ହୋଇଥିଲା, ସେତେବେଳେ କୃତଜ୍ଞ ଦେବକୀ ଯଶୋଦାଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ‘‘ତୁମେ ଯେପରି ଦୁଷ୍ଟ ବାଳକ ଶ୍ରୀକୃଷ୍ଣକୁ ଯତ୍ନର ସହ ବଢ଼େଇଛ ମୁଁ ନିଜେ ହୁଏତ ସେମିତି ପାରି ନଥାନ୍ତି। ତୁମେ ଅବଶ୍ୟ ତା’ ପାଇଁ ବହୁ ରାତି ଅନିଦ୍ରା ବିତେଇଥିବ। ତେଣୁ ତା’ ଉପରେ ତୁମର ପ୍ରଥମ ଅଧିକାର ସବୁବେଳେ ରହିବ। ସେ ଅାଗେ ଯଶୋଦାନନ୍ଦନ ଭାବେ ପରିଚିତ ହେବ, ତା’ପରେ ଯାଇ ଦେବକୀନନ୍ଦନ।’’ ଯଶୋଦାଙ୍କ ସମ୍ପର୍କରେ ଏହି ଯୋଉ ବାକ୍ୟଟି କୁହାଗଲା, ସେପରି ବାକ୍ୟ ଗାନ୍ଧାରୀଙ୍କ ପାଇଁ କେହି କହନ୍ତି ନାହିଁ। କାରଣ ଅନ୍ୟ କଥା ଦୂରେ ଥାଉ, ନିଜର ସନ୍ତାନମାନଙ୍କୁ ବଢ଼େଇବା ବା ଗଢ଼ିବା ଦିଗରେ ଯୋଉ ଦାୟିତ୍ୱ ଯଶୋଦା ସଂପନ୍ନ କରିଥିଲେ ତାହା ଗାନ୍ଧାରୀ ସଂପନ୍ନ କରି ନଥିଲେ। ସେହି ମହାଭାରତରେ ଅାମେ ଅାଉଜଣେ ମାଅା କୁନ୍ତୀ ଚରିତ୍ରକୁ ଦେଖୁ। ଜନନୀ ଭୂମିକାରେ ତାଙ୍କର ଭୂମିକା ନିଶ୍ଚୟ ଉଦାହରଣସ୍ଥାନୀୟା। ସେ ସେତିକି ନିଷ୍ଠାପର ଭାବରେ ମାଅାର ଦାୟିତ୍ୱ ନିର୍ବାହ କରିଥିବାରୁ ତାଙ୍କର ପୁତ୍ରମାନେ ଜୀବନରେ ସଫଳ ହୋଇଥିଲେ। ଥରକ ଲାଗି ଚିନ୍ତା କରାଯାଉ, କୁନ୍ତୀ ଜଣେ ବିଧବା ମାତା, ଅସହାୟା, ପୁଣି ଲାକ୍ଷାଗୃହ ଷଡ୍ଯନ୍ତ୍ର ପରେ ବଡ଼ପୁଅ ଇନ୍ଦ୍ରପ୍ରସ୍ଥର ରାଜା ହେଉ ନହେଉଣୁ ଶକୁନିଙ୍କର ଷଡ୍ଯନ୍ତ୍ରକ୍ରମେ ସେ ତହିଁରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କ ପାଖରେ ରାଜପ୍ରାସାଦ ନାହିଁ, ଧନସମ୍ପଦ ନାହିଁ, ସିଂହାସନ ଅନେକ ଦୂରରେ। ଅଥଚ କୁନ୍ତୀଙ୍କର ପିଲାମାନେ ଯୋଗ୍ୟ ହୋଇଥିବାରୁ କ୍ଷମତାର ସମର୍ଥନ ଓ ସହଯୋଗ ନଥାଇ ସୁଦ୍ଧା ସେମାନେ ସବୁପ୍ରକାର ଷଡ୍ଯନ୍ତ୍ରରୁ ନିରାପଦ ରହି ମହାଭାରତ ଯୁଦ୍ଧ ଜିଣିଥିଲେ। ଅଥଚ ଗାନ୍ଧାରୀଙ୍କ ପୁତ୍ରମାନଙ୍କ ନିକଟରେ ରାଜସିଂହାସନ, ପିତାଙ୍କ ଅନ୍ଧ ସମର୍ଥନ ଏବଂ ରାଜଶକ୍ତି ଥାଇ ସୁଦ୍ଧା ସେମାନେ ସମସ୍ତେ ଶୋଚନୀୟ ଓ କରୁଣ ପରିଣତି ଭୋଗ କରିଥିଲେ। ଯଦି ପିତାମାତା, ସମ୍ପତ୍ତି ଓ ରାଜଶକ୍ତି ଥିବା ସତ୍ତ୍ୱେ ପିଲାଏ ନଷ୍ଟପଥର ପଥିକ ହେଲେ; ରାଜା, ପ୍ରଜା ଓ ସୈନିକଙ୍କ ସହ ନିଜକୁ ମଧ୍ୟ ଧ୍ୱଂସ କରିଦେଲେ ସେଥିପାଇଁ ପିତାମାତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ। ସ୍ବାମୀ ପାଣ୍ଡୁଙ୍କର ମୃତ୍ୟୁ ପରେ କୁନ୍ତୀ ସର୍ବଦା ଜଣେ ସତର୍କ ଜନନୀର ଭୂମିକା ଗ୍ରହଣ କରିଅାସିଥିଲେ। ପିଲାମାନଙ୍କୁ ଭଲ ମଣିଷ ହେବା ସହିତ ସର୍ବଦା ଏକାଠି ହେବାଲାଗି ସେ ଧ୍ୟାନ ଦେଇ ଅାସିଥିଲେ। ଦ୍ରୌପଦୀଙ୍କୁ ପାଞ୍ଚ ପାଣ୍ଡବ ଭାଇ ବିବାହ ହେବା ମଧ୍ୟ ତାଙ୍କର ଅତ୍ୟଧିକ ସତର୍କ ଯୋଜନାର ଅାଉ ଏକ ପରିଣତି। କାରଣ ଯେତେବେଳେ ଲାଖବିନ୍ଧା ପ୍ରତିଯୋଗିତା ଜିଣି ଅର୍ଜୁନ ଦ୍ରୌପଦୀଙ୍କୁ ଲାଭ କଲେ ଏବଂ ତାଙ୍କୁ ସାଙ୍ଗରେ ନେଇ ପାଞ୍ଚଭାଇ ମାଅାଙ୍କ ପାଖେ ପହଞ୍ଚି ଜଣାଇଲେ ସେତେବେଳେ ବିଶେଷ କିଛି ବୁଝିବାକୁ ନଚାହିଁ କୁନ୍ତୀ କହିଥିଲେ- ପାଞ୍ଚଭାଇ ତୁମେ ସେ ଫଳକୁ ପ୍ରାପ୍ତ କର।
ଯୁଝେଷ୍ଟି ବୋଇଲେ ତୁମେ ଶୁଣସି ଗୋ ମାୟେ
ପ୍ରାପତ ହୋଇଲା ବଡ଼ ସୁସଞ୍ଚ ଫଳ ଗୋଟାୟେ।
ମାତା ବୋଇଲେ ଯେବେ ପ୍ରାପତ ୟେକ ଫଳ ଗୋଟି
ପାଞ୍ଚ ଭାଇ ଯାକ ତୁମ୍ଭେ ଭୁଞ୍ଜ ବାବୁ ବାଣ୍ଟି (ସାରଳା ମହାଭାରତ)
କୁନ୍ତୀଙ୍କର ଏପ୍ରକାର ବକ୍ତବ୍ୟର ଔଚିତ୍ୟ ଏବଂ ଭାଇମାନେ ତାହାକୁ ଗ୍ରହଣ କରିବାର ଯାଥାର୍ଥ୍ୟ ବିଚାର ଭିନ୍ନ ପ୍ରସଙ୍ଗ। ଅାମର ଏଠି ଅାଲୋଚନାର ପ୍ରସଙ୍ଗ କୁନ୍ତୀ ନୁହନ୍ତି, ଗାନ୍ଧାରୀ। ଗାନ୍ଧାରୀ ଅାଖିରେ ଅନ୍ଧପୁଟୁଳି ବାନ୍ଧିବା ପଛର ମୂଳ କାରଣ ସେ ପତ୍ନୀ ହୋଇ ସ୍ବାମୀଙ୍କର ଦୁର୍ଦ୍ଦଶା ସହିପାରି ନଥିଲେ। ଯେହେତୁ ସ୍ବାମୀ ଦୃଷ୍ଟିଶକ୍ତିରୁ ବଞ୍ଚିତ, ତେଣୁ ସିଏ ମଧ୍ୟ ସେଥିରୁ ବଞ୍ଚିତ ରହିବେ।
‘ସାରଳା ମହାଭାରତ’ର ପାଠ ଅନୁସାରେ ଗାନ୍ଧାରୀ ମାତୃତ୍ୱ ଲାଭ ପରେ ପରେ ନିଜ ଅାଖିରେ ଅନ୍ଧପୁଟୁଳି ବାନ୍ଧିବାଲାଗି ନିଷ୍ପତ୍ତି ନେଲେ। ଅାଦିପର୍ବରେ ଲେଖାଅଛି-
ସ୍ବାମୀର ଅନ୍ଧପଣ ଦେଖିଣ ଗାନ୍ଧାରୀ
ଅାପଣେ ଅାପଣେ ଦେବୀ ମନରେ ବିଚାରି
କେବଣ ପାତକ ସ୍ବାମୀ କରମ ବିପଦ
ସନ୍ତାନ ଉଛବ ରାଜା ନ ଦେଖଇ ସମ୍ପଦ
ସ୍ବାମୀର ଅନ୍ଧପଟଳ ଯେବେ ବେନି ଅାଖି
ମୁହଁ ସେ ପାମରୀ କିସ ତାହାର ଦୁଃଖ ଦେଖି
କପାଳେଶ୍ୱର ତୀର୍ଥେ ଦେବୀ ସଂକଳ୍ପ ଯେ କଲା।
ସ୍ବାମୀର ଦୁଃଖ ନ ଦେଖିବି ବୋଲି ଅନ୍ଧପଟଳ ବାନ୍ଧିଲା। (ସାରଳା ମହାଭାରତ- ଅାଦିପର୍ବ)
ଗାନ୍ଧାରୀଙ୍କର ଏହି ପଦକ୍ଷେପ ନେଇ ସ୍ବାମୀ ଧୃତରାଷ୍ଟ୍ରଙ୍କର କି ପ୍ରତିକ୍ରିୟା ତାହା ଅାମ ଦୃଷ୍ଟିରେ ପଡ଼ିନାହିଁ। ମାତ୍ର କୁନ୍ତୀ ଓ ପାଣ୍ଡୁ ଏକଥା ଶୁଣି ତାହାର ବିରୋଧ କରିଥିଲେ। କୁନ୍ତୀ ନିଜର ପିଲାମାନଙ୍କୁ ସାଙ୍ଗରେ ଧରି ଗାନ୍ଧାରୀଙ୍କ ପାଖକୁ ଅାସିଥିଲେ ଏବଂ ଏପ୍ରକାର କଠୋର ପଦକ୍ଷେପ ନ ନେବାଲାଗି ତାଙ୍କୁ ପ୍ରବର୍ତ୍ତାଇଥିଲେ। ପିଲାମାନଙ୍କୁ ସାଙ୍ଗରେ ନେଇ ଅାସିବାର କାରଣ, କାଳେ ସେମାନଙ୍କୁ ଦେଖିବା ଲୋଭରେ ଗାନ୍ଧାରୀ ଅନ୍ଧପୁଟୁଳି ଖୋଲିଦେବେ, ଏଇ ବିଶ୍ୱାସ। ମାତ୍ର ତାଙ୍କର ସେ ଉଦ୍ୟମ ବ୍ୟର୍ଥ ହୋଇଥିଲା। ସାରଳା ଦାସଙ୍କ ଭାଷାରେ-
କୋଇନ୍ତାୟେ ବୋଇଲେ ମା ଗୋ ୟେ କଥା କି ଯୋଗାଇ
କିମ୍ପା ଅନ୍ଧପଟଳ ଗୋ ବାନ୍ଧିଲ ମହାମାୟି।
ଗାନ୍ଧାରୀ ବୋଇଲେ ମୋର ଯେସନେକ ସ୍ବାମୀର ଯୋଗ
ମୁହଁ ତାହାର ଭାରିଯା କରିବି ଟିକି ଭୋଗ?
କୋଇନ୍ତାୟେ ବୋଇଲେ ଗୋ ନୁହଁଇ ୟେ ପଦ
ପୁଅ ଗୋଟିମାନଙ୍କର ଦେଖିବୁଟି ନା ସମ୍ପଦ।
ଅନେକ ଦୁଃଖେ ଗୋ ଅରଜିଲୁ ପୁଅଙ୍କୁ
ୟେବେ ପ୍ରତିପାଳଣା କରିବୁଟିକି ୟେହାଙ୍କୁ। (ସାରଳା ମହାଭାରତ)
କୁନ୍ତୀଙ୍କର ଏଇ ଯଥାର୍ଥ ପରାମର୍ଶର ପ୍ରତିକ୍ରିୟାରେ ପତିବ୍ରତା ଗାନ୍ଧାରୀ ଉତ୍ତର ଦେଇଛନ୍ତି-
ସ୍ବାମୀର ଯେବେ ଦୃଶ୍ୟନାହିଁ ମୋର କିସ ଦୃଶ୍ୟ
ସ୍ବାମୀ ଯେବେ ମୋହୋର ଅଦୃଶ୍ୟ ତେବେ ନାହିଁ ମୋହୋର ଦୃଶ୍ୟ।
କାହାରି ବୋଲ ସେ ନକଲା ଗାନ୍ଧାରୀ
ସୁଖେ ଅନ୍ଧପଟଳ ବାନ୍ଧିଲା ଧୃତରାଷ୍ଟ୍ର ମନୋହାରୀ। (ଅାଦିପର୍ବ)
ଯେଉଁ ପିଲାମାନଙ୍କର ପିତା ଅନ୍ଧ ହୋଇଥାନ୍ତି ସେମାନଙ୍କର ମାଅାଙ୍କୁ ଚଉଅାଖିଅା ହେବା ପାଇଁ ପଡ଼େ। ବାପା ଓ ମାଅା ଉଭୟ ହୋଇ ସେମାନଙ୍କୁ ଜଗିବାକୁ ପଡ଼େ। ସ୍ବାମୀ ଅାନୁଗତ୍ୟ ଦେଖାଇ ଅନ୍ଧପୁଟୁଳି ବାନ୍ଧିନେବା ସେଭଳି ଜନନୀ ପକ୍ଷେ କଦାପି ଉଚିତ ନୁହେଁ। ଯଦି ସ୍ବାମୀଙ୍କ ପ୍ରତି ଅାନୁଗତ୍ୟ ପ୍ରଦର୍ଶନ ହିଁ ପତ୍ନୀଙ୍କର ମୂଳ ଲକ୍ଷ୍ୟ ତାହାହେଲେ ସେ ନିଜକୁ ଜନନୀ ଦାୟିତ୍ୱରୁ ମୁକ୍ତ ରଖିବା ଉଚିତ। ସନ୍ତାନସନ୍ତତି ଜନ୍ମ କରିବା ତାଙ୍କ ପକ୍ଷେ ଉଚିତ ନଥିଲା। ଗାନ୍ଧାରୀ ତାହା କରିପାରିଥାନ୍ତେ। ମାତ୍ର ତାହା ନକରି ଶତେକ ପୁତ୍ରର ଜନନୀ ହେବାପରେ ସେ ନିଜର ଜନନୀ ଦାୟିତ୍ୱରୁ ଓହରିଯାଇ କେବଳ ଜାୟାର ଦାୟିତ୍ୱରେ ନିଜକୁ ସୀମିତ ରଖିବା ଅାଦର୍ଶ ଜନନୀର କାର୍ଯ୍ୟ ନୁହେଁ। ମହାଭାରତର ଅନ୍ତିମ ଓ ଭୟଙ୍କର ଦୃଶ୍ୟ, କୌରବଙ୍କର ସମୂଳେ ବିନାଶର ପ୍ରଥମପାଠ ଲେଖାଯାଇଥିଲା ଜଣେ ଜନନୀଙ୍କର ଦାୟିତ୍ୱ ଶୂନ୍ୟତାରୁ। ସିଏ ‘ଧର୍ମର ହେଉ ଜୟ’ କହି ନିଜ ଦାୟିତ୍ୱରୁ ମୁକୁଳିପାରିବେ ନାହିଁ କିମ୍ବା ନିଜର ଦାୟିତ୍ୱହୀନତାକୁ ମହିମାମଣ୍ଡିତ କରିପାରିବେ ନାହିଁ। ସମ୍ଭବତଃ ମହାଭାରତର କବି ତାହା ହିଁ ସମାଜକୁ ଜଣାଇବାକୁ ଚାହିଛନ୍ତି- ଯେଉଁଠି ପିତା ଓ ମାତା ଅନ୍ଧ, ସେ ଅନ୍ଧତ୍ୱ ପୁତ୍ରମୋହ ହେଉ, ସ୍ବାମୀମୋହ ହେଉ ବା ଶରୀରର ଅକ୍ଷମତା ପାଇଁ ହେଉ, ସେଠାରେ ପରିଣତି ଏଇଭଳି ଭୟଙ୍କର, ମର୍ମନ୍ତୁଦ ଓ କରୁଣ ହୋଇଥାଏ। ଅାମର ପୁରାଣକାରମାନେ ଅନେକ କଥା ଅାମକୁ ସିଧାସଳଖ ଭାବରେ ନକହି ଭିନ୍ନ ଭାବରେ କହିଛନ୍ତି। ଅାମେମାନେ ତାଙ୍କର ସେହି ଭଙ୍ଗୀକୁ ବୁଝିବା ଉଚିତ ଏବଂ ଚରିତ୍ରମାନଙ୍କର ମୂଲ୍ୟାୟନ ବେଳେ ଭାକ୍ତିକ ମିଥ୍ୟାରୁ ଦୂରରେ ରହି ଅନାସକ୍ତ ଭାବରେ ସେ କଥା ଚିନ୍ତା କରିବା ଉଚିତ। ନିଜ ଦାୟିତ୍ୱ ପାଖରୁ ନିରାପଦ ଦୂରତ୍ୱରେ ରହିଥିବା ଗାନ୍ଧାରୀ ମହାଭାରତ ଯୁଦ୍ଧ ଶେଷରେ ତାଙ୍କର ସବୁ କ୍ରୋଧ ଶ୍ରୀକୃଷ୍ଣଙ୍କ ଉପରେ ଢାଳି ଦେଇଥିଲେ। କାରଣ, ସେ ଜାଣିଥିଲେ ଯେ ପାଣ୍ଡବମାନଙ୍କ ସପକ୍ଷରେ ଶ୍ରୀକୃଷ୍ଣଙ୍କର ସମର୍ଥନ ଥିଲା। ଶ୍ରୀକୃଷ୍ଣ ଏଠାରେ ଦିବ୍ୟ ବିଭୁ ଅାଶୀର୍ବାଦ। ତାହା ନମ୍ର, ବିନୟୀ, ପରିଶ୍ରମୀ ଏବଂ ଉତ୍ତମ ମଣିଷଙ୍କୁ ପ୍ରାପ୍ତ ହୁଏ। ନିଜର ପୁତ୍ର ଦୁର୍ଯ୍ୟୋଧନ କିମ୍ବା ଦୁଃଶାସନଙ୍କୁ ସେଭଳି ମଣିଷ ଭାବେ ଗଢ଼ିବା ଦିଗରେ ଜନନୀ ଗାନ୍ଧାରୀ ବିଫଳ ହୋଇଥିଲେ। ଏଭଳି ଜନନୀ ନିଜର ବିପର୍ଯ୍ୟୟ ଲାଗି ଅନ୍ୟକୁ ଦୋଷାରୋପ କରିବା ସ୍ବାଭାବିକ।
ଗାନ୍ଧାରୀଙ୍କ ଅାଖିରେ ଅନ୍ଧପୁଟୁଳି ବାନ୍ଧିବା ନେଇ ବିଭିନ୍ନ ମହାଭାରତରେ ଭିନ୍ନ ଭିନ୍ନ କଥା ଅଛି। ଗୋଟାଏ ମହାଭାରତ ଅନୁସାରେ ଭୀଷ୍ମଙ୍କ ଭୟରେ ଭୟଭୀତ ଗାନ୍ଧାରସେନ ତାଙ୍କ କନ୍ୟା ଗାନ୍ଧାରୀଙ୍କୁ ବିବାହ ଦେଇଥିଲେ ଓ ଅନିଚ୍ଛା ସତ୍ତ୍ୱେ ଗାନ୍ଧାରୀ ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ। ମାତ୍ର ତାହା ସତ୍ତ୍ୱେ, ଜନନୀ ହେବାପରେ ସେ ସନ୍ତାନମାନଙ୍କର ଦାୟିତ୍ୱ ନେବା ଅାଶା କରାଯାଉଥିଲା। ସେ କ୍ଷେତ୍ରରେ ଗାନ୍ଧାରୀ ଅବହେଳା କରିଛନ୍ତି। ପୁନଶ୍ଚ ସାରଳା ମହାଭାରତରେ ଗାନ୍ଧାରୀଙ୍କ ଅନିଚ୍ଛାକୃତ ବିବାହ କଥା ଉଲ୍ଲେଖ ନାହିଁ, ବରଂ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ଉଭୟେ ସମାନ ଚରିତ୍ରର ହୋଇଥିବାରୁ ଏହି ବିବାହ ସ୍ବାଭାବିକ ଭାବରେ ସଂପନ୍ନ ହୋଇଥିବା କଥା ତହିଁରେ ଉଲ୍ଲେଖ ଅଛି।
ମହାଭାରତର ଗାନ୍ଧାରୀ ଚରିତ୍ର ଅାମ ସମାଜ ପାଇଁ ଏକ ଚେତାବନୀ। ଏକଦେଶଦର୍ଶୀ ନହୋଇ ବାସ୍ତବତାକୁ ଗ୍ରହଣ କରିନେବା ଏବଂ ତାହାକୁ ମୁକାବିଲାରେ ହିଁ ବ୍ୟକ୍ତିତ୍ୱ ନିହିତ ଥାଏ। ଯେଉଁ ପରିବାରରେ କୌଣସି କାରଣରୁ ପିତା ଅନ୍ଧ, ଅସମର୍ଥ ବା ଅଯୋଗ୍ୟ, ସେଠାରେ ମାତାମାନଙ୍କୁ ଦୁଇଗୁଣା ସତର୍କ ହେବା ପ୍ରୟୋଜନ। ଗାନ୍ଧାରୀ କ୍ଷଣକ ପାଇଁ ଜାୟାର ଭୂମିକାକୁ ନ୍ୟୂନ କରି ଜନନୀର ଭୂମିକାକୁ ଗୁରୁତ୍ୱ ଦେଇଥିଲେ ହୁଏତ ମହାଭାରତର ପରିଣତି ଭିନ୍ନ ମୋଡ଼ ନେଇଥାନ୍ତା।
ମୋ: ୯୪୩୭୦୭୭୨୮୮