ଊଣେଇଶ ଅଶୀ ଦଶକର କଥା। କଟକ ସହରର ଗୋଟେ ସାଧାରଣ ପରିବାରରେ ବାହାଘର ହେଉଥାଏ। ବର ଆସି ପହଞ୍ଚିବା ପହଞ୍ଚିବା ହେଲାଣି, ଅଥଚ କନ୍ୟା ପକ୍ଷ ଶଙ୍ଖୋଳିବା ଲାଗି ପ୍ରସ୍ତୁତ ହୋଇନଥାନ୍ତି। କେହି ଜଣେ ‘ବର ଆସିଲାଣି’ କହି ତାଗିଦା କରିବାରୁ ଉପସ୍ଥିତ ସଂପର୍କୀୟଙ୍କ ଭିତରୁ ଜଣେ ଅନ୍ୟମନସ୍କ ଭାବେ କହି ଉଠିଲେ- କାହିଁ, ବାଜାବାଲାଏ ତ ‘ବାହାରୋ ଫୁଲ୍ ବରଷାଓ’ ଗୀତର ଧୁନ୍ ବଜେଇ ନାହାନ୍ତି। େସ ସମୟରେ ‘ବାହାରୋ ଫୁଲ୍ ବରଷାଓ’ ଗୀତ ଏବଂ ବାହାଘର ଉତ୍ସବ ଏଭଳି ପରସ୍ପର ସହ ଜଡ଼ିତ ହୋଇଯାଇଥିଲା ଯେ ଅନ୍ୟମନସ୍କ ଭଦ୍ରଲୋକଙ୍କ ମୁହଁରୁ ଏକଥାଟି ଚଟ୍ କରି ଖସି ଆସିଥିଲା।
ଏହା ଥିଲା ମହମ୍ମଦ ରଫି ଗାଇଥିବା ସେଇ ଗୀତଟିର ଲୋକପ୍ରିୟତା। ଗୋଟେ ସମୟରେ ଭାରତବର୍ଷର ଶହେରୁ ଅଶୀଟି ବାହାଘର ଉତ୍ସବରେ, ବର ଆସି ପହଞ୍ଚିବା ମୁହୂର୍ତ୍ତରେ ଏ ଗୀତଟି ବାଜୁଥିଲା। ଗୀତଟିର ଅନତିକ୍ରମଣୀୟ ଲୋକପ୍ରିୟତା ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ହୋଇଥିଲା ୨୦୧୩େର, ଯେତେବେଳେ ବି.ବି.ସି. ଏହି ଗୀତକୁ ଶତାବ୍ଦୀର ଶହେଟି ଲୋକପ୍ରିୟ ହିନ୍ଦୀ ସିନେମା ଗୀତ ତାଲିକାେର ଏକ ନମ୍ବର ସ୍ଥାନ ଦେଇଥିଲା। ଏ ଗୀତଟି ‘ସୂରଜ’ (୧୯୬୬) ଫିଲ୍ମ ପାଇଁ ଲେଖିଥିଲେ ହସରତ ଜୟପୁରୀ, ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ଜୟକିଶନ। ଜ୍ୟୋତ୍ସ୍ନାପଖଳା ଅରଣ୍ୟର ମାୟାଚ୍ଛନ୍ନ ପରିବେଶରେ ନାୟକ ଗାଇଥିବା ତାଙ୍କ ନାୟିକାଙ୍କ ପାଇଁ ଏ ଗୀତଟି- ‘ବସନ୍ତ ଋତୁ ତୁମେ ଫୁଲ ବିଞ୍ଚିଦିଅ, କାରଣ ମୋର ପ୍ରେମିକା ଆଜି ଆସିଛି’ ଯେମିତି ସମଗ୍ର ପ୍ରେମିକ ସମାଜ ହୃଦୟର ଗୀତ ପାଲଟି ଯାଇଥିଲା। ଶତାବ୍ଦୀର ଶ୍ରେଷ୍ଠତମ ଗୀତ ଭାବେ ବିବେଚିତ ଏ ଗୀତଟି ପାଇଁ ମହମ୍ମଦ ରଫି ୧୯୬୬ର ଫିଲ୍ମ ଫେୟାର୍ ପୁରସ୍କାର ଲାଭ କରିଥିଲେ।
ରଫିଙ୍କର ଜୀବନୀ ଲେଖିଥିବା ସୁଜାତା ଦେବ ତାଙ୍କ ବହିର ନାମ ରଖିଛନ୍ତି ‘‘ଗୋଲ୍ଡେନ୍ ଭଏସ୍ ଅନ୍ ସିଲ୍ଭର୍ ସ୍କ୍ରିନ୍’’ ବା ରୌପ୍ୟ ପରଦାର ସ୍ବର୍ଣ୍ଣିମ ସ୍ବର। ତାହା ଠିକ୍। କାରଣ ସେ ସ୍ବରର ଅଦ୍ଭୁତ ଯାଦୁକୁ ଆଉ କେହି ଅତିକ୍ରମ କରିପାରି ନାହାନ୍ତି। ସେଥିପାଇଁ ପ୍ରଯୋଜକ-ନିେର୍ଦ୍ଦଶକ ମନମୋହନ ଦେଶାଇ କହିଥିଲେ, ‘‘ଯଦି କାହା ପାଖେ ସ୍ବୟଂ ଈଶ୍ବରଙ୍କ ସ୍ବର ଥାଏ ତାହାହେଲେ ସେ ହେଉଛନ୍ତି ମହମ୍ମଦ ରଫି।’’
ମହମ୍ମଦ ରଫି ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶର କୋଟଲା ସୁଲତାନ ସିଂହ (ଅମୃତସର ପାଖ)ରେ ୨୪ ଡିସେମ୍ବର ୧୯୨୪ରେ ଜନ୍ମ ହୋଇଥିଲେ। ସେ ଥିଲେ ଛଅ ଭାଇ। ବାପା ଥିଲେ ହାଜି ମହମ୍ମଦ ଅଲ୍ଲୀ ଓ ମାଆ ଆଲ୍ଲା ରଖି। ୧୯୩୫ରେ ତାଙ୍କ ପରିବାର ଲାହୋରକୁ ଉଠି ଆସିଥିଲେ। ସେଠି ତାଙ୍କ ଭାଇ ଗୋଟେ ସେଲୁନ୍ ଖୋଲି ଲୋକଙ୍କ କେଶ ପ୍ରସାଧନ କରୁଥିଲେ। ରଫି ମଧ୍ୟ କିଛିଦିନ ସେହି ସେଲୁନରେ କାମ କରିଥିଲେ। ଦେଶ ବିଭାଜନ ପରେ ତାଙ୍କର ସଂପର୍କୀୟମାନେ ଏପରିକି ତାଙ୍କ ପ୍ରଥମ ପତ୍ନୀ ପାକିସ୍ତାନ ଚାଲିଯାଇଥିଲେ, ମାତ୍ର ମହମ୍ମଦ ରଫି ରହିଥିଲେ ଭାରତରେ। ଛୋଟେ ଗୁଲାମ ଅଲ୍ଲୀ ଖାନ୍ଙ୍କ ଠାରୁ ସେ ଗୀତ ଶିକ୍ଷାକଲେ ଏବଂ ପରେ ସଂଗୀତ ନିର୍ଦ୍ଦେଶକ ଫିରୋଜ ନିଜାମିଙ୍କ ଠାରୁ ତାଲିମ ଗ୍ରହଣ କରିଥିଲେ। ତାଙ୍କୁ ପନ୍ଦର ବର୍ଷ ବୟସ ହୋଇଥିଲା ବେଳେ ସେ ଲାହୋରର ଏକ ସଂଗୀତ କାର୍ଯ୍ୟକ୍ରମରେ ଗୀତଟିଏ ଗାଇଥିଲେ। ସେଦିନ ଶ୍ରୋତାମାନଙ୍କ ଭିତରେ ଉପସ୍ଥିତ ଥିଲେ ସଂଗୀତ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର, ଯିଏ କିଶୋର ମହମ୍ମଦ ରଫିଙ୍କ ଗଳାର ମାଧୁର୍ଯ୍ୟ ଅନୁଭବ କରି ତାଙ୍କୁ ବମ୍ବେ ଆସି ଫିଲ୍ମରେ ଗୀତ ଗାଇବାକୁ ପ୍ରସ୍ତାବ ଦେଇଥିଲେ। ସିଏ ମଧ୍ୟ ରଫିଙ୍କୁ ଲାହୋର ଆକାଶବାଣୀରେ ଗୀତ ଗାଇବାର ବ୍ୟବସ୍ଥା କରିଥିଲେ। ୧୯୪୪ରେ ରଫି ତାଙ୍କର ପ୍ରଥମ ସିନେମା ଗୀତ ଗାଇଥିଲେ ସେଇ ଲାହୋରରେ- ପଞ୍ଜାବୀ ଫିଲ୍ମ ‘ଗୁଲ୍ ବାଲୋଚ’ ପାଇଁ। ଏହାପରେ ସେ ବମ୍ବେ ଆସି ‘ଗାଓଁ କି ଗୋରୀ’ (୧୯୪୫), ‘ସମାଜ୍କୋ ବଦଲ୍ ଡାଲୋ’ (୧୯୪୭) ଏବଂ ‘ଜୁଗ୍ନୁ’ (୧୯୪୭) ପାଇଁ ଗୀତ ଗାଇଥିଲେ। ସଂଗୀତ ନିର୍ଦ୍ଦେଶକ ନୌସଦ ହିଁ ରଫିଙ୍କ ସ୍ବର୍ଣ୍ଣିମ ସଂଗୀତ ଯାତ୍ରାର ଅୟମାରମ୍ଭ ପର୍ବରେ ସାହାଯ୍ୟ କରିଥିଲେ। ‘ଅନ୍ମୋଲ୍ ଘଡ଼ି’ (୧୯୪୬) ଏବଂ ୧୯୪୯ର ‘ଦିଲ୍ଲଗୀ’ ଫିଲ୍ମରେ ସେ ରଫିଙ୍କୁ ଗାଇବାକୁ ଦେଇଥିବା ଦୁଇଟି ଗୀତ ଯଥା- ‘ତେରା ଖିଲୋନା ତୁଟା ବାଲକ୍’, ‘ଇସ୍ ଦୁନିଅଁା ମେ ଏଇ ଦିଲ୍ୱାଲା’ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ରଫିଙ୍କର ବିଜୟ ଯାତ୍ରା। କୁହାଯାଏ, ମହମ୍ମଦ ରଫି ନୌସଦଙ୍କ ପିତାଙ୍କ ଠାରୁ ଖଣ୍ଡିଏ ଚିଠି ଆଣି ତାଙ୍କୁ ଭେଟିଥିଲେ। ଏ ଦୁଇଟି ଗୀତ ଶୁଣିବା ପରେ ନୌସଦ ରଫିଙ୍କର ମୁଗ୍ଧ ପ୍ରଶଂସକ ପାଲଟି ଯାଇଥିଲେ। ବାସ୍ତବରେ ମହମ୍ମଦ ରଫି ସଂଗୀତ ନିର୍ଦ୍ଦେଶକମାନଙ୍କ ପାଇଁ ଥିଲେ ପରଶମଣି। ସେ ଯେଉଁ ଗୀତ ଗାଉଥିଲେ ତାହା ସୁନା ପାଲଟି ଯାଉଥିଲା। ସେଥିପାଇଁ ସଂଗୀତ ନିର୍ଦ୍ଦେଶକ ଓ.ପି. ନାୟାର୍ (ଓମ୍ ପ୍ରକାଶ ନାୟାର୍) ଥରେ କହିଥିଲେ, ‘‘ଯଦି ମହମ୍ମଦ ରଫି ନଥାନ୍ତେ ତାହା ହେଲେ ମୁଁ (ଓ.ପି. ନାୟାର୍) ବି ନଥାନ୍ତି।’’
ଆଉଥରେ ନୌସଦଙ୍କ ପାଖକୁ ଫେରିବା। ରଫିଙ୍କ ଆଗରୁ ନୌସଦଙ୍କ ପାଖରେ ତଲତ ମେହମୁଦ ଥିଲେ, ଯାହାଙ୍କର ରେଶମୀ ସ୍ବର ଶ୍ରୋତାମାନଙ୍କୁ ବାନ୍ଧି ରଖୁଥିଲା। ଦିନେ ନୌସଦ ଦେଖିଲେ ଯେ ଗୀତ ରେକର୍ଡିଂ ସମୟରେ ତଲତ ମେହମୁଦ ବସି ସିଗାରେଟ ଟାଣୁଛନ୍ତି। ଏକଥାଟିକୁ ନୌସଦ ସଂଗୀତ ପ୍ରତି ଅସମ୍ମାନ ବୋଲି ବିଚାର କରି ତଲତ ମେହମୁଦଙ୍କୁ ବିଦାୟ ଦେଲେ ଏବଂ ରେକର୍ଡିଂ ଚାଲିଥିବା ‘ବୈଜୁ ବାୱରା’ର ସବୁଯାକ ଗୀତ ଗାଇବା ପାଇଁ ସିଗାରେଟ, ତମାଖୁ କିମ୍ବା କୌଣସି ପାନୀୟ ସ୍ପର୍ଶ କରୁ ନ ଥିବା ରଫିଙ୍କୁ ପ୍ରସ୍ତାବ ଦେଲେ। ଏହା ପରର ଘଟଣା ଇତିହାସ। ‘ବୈଜୁ ବାୱରା’ର ସେହି ଶୀର୍ଷ ସୋପାନ ଗାୟନର ଗୀତ ‘ଓ ଦୁନିଆକେ ରଖୱାଲେ’ ବଜାରକୁ ଆସିବା ପରେ ଅଧା ଭାରତ ରଫିଙ୍କ ପ୍ରେମରେ ପଡ଼ିଗଲା। କୁହାଯାଏ ଏ ଗୀତଟିର ଚୂଡ଼ାନ୍ତ ରେକର୍ଡିଂ ବେଳେ ରଫିଙ୍କ ସ୍ବରତନ୍ତ୍ରୀ ଛିଣ୍ଡି ରକ୍ତ ବାହାରିଥିଲା ଏବଂ ଏଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ ରଫି କୌଣସି ଗୀତ ଗାଇ ପାରି ନ ଥିଲେ। ଏଭଳି ‘ହାଇପିଚ୍’ ବା ‘ତେଜ୍ ଆୱାଜ’ରେ ଗୀତ ଗାଇବା ଖୁବ୍ କଷ୍ଟକର ଥିଲା। ଏହି ଗୀତର ଲୋକପ୍ରିୟତାର ଅନେକ ଉଦାହରଣ ଭିତରୁ ଗୋଟିଏ କଥା ନୌସଦ ଉଲ୍ଲେଖ କରିଥିଲେ। ଥରେ ଫାଶୀ ଆଦେଶ ପାଇଥିବା ଜଣେ କଏଦୀ ତାଙ୍କର ଶେଷ ଇଚ୍ଛା ରୂପେ ଏଇ ଗୀତଟି ଶୁଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲା। ଜେଲ୍ର ଜେଲର୍ ଟେପ୍ ରେକର୍ଡର୍ ଯୋଗେ ଏହି ଗୀତଟି କଏଦୀଙ୍କୁ ଶୁଣାଇଥିଲେ ଓ ତା’ପରେ ସେ କଏଦୀ ଫାଶୀ ଭୋଗିବାକୁ ଚାଲିଯାଇଥିଲା।
ମହମ୍ମଦ ରଫି ଜନ୍ମ ହୋଇଥିଲେ ୧୯୨୪ରେ, ସିନେମାରେ ଗୀତ ଗାଇବାର ସୁଯୋଗ ପାଇଲେ ୧୯୪୧ରେ, ବମ୍ବେ ଆସିଲେ ୧୯୪୪ରେ ଏବଂ ସେଇ ବମ୍ବେରେ ସେ ଚାଲିଗଲେ ୧୯୮୦ରେ। ଦେଖିବାକୁ ଗଲେ ମୋଟ ୪୦ ବର୍ଷ ହେଉଛି ତାଙ୍କ ଗୀତ ଗାଇବାର ସମୟ। ଅଥଚ ତାଆରି ଭିତରେ ସେ ହିନ୍ଦୀ, ପଞ୍ଜାବୀ, ଉର୍ଦ୍ଦୁ, ଇଂରେଜୀ ସମେତ ୧୧ଟି ଭାଷାରେ ପ୍ରାୟ ୨୮ ହଜାର ଗୀତ ଗାଇଛନ୍ତି, ଯାହା ବିସ୍ମୟଜନକ। ଓଡ଼ିଆ ଭାଷାରେ ରଫି କେତୋଟି ସିନେମା ଗୀତ ଗାଇଛନ୍ତି। ତାହା ଭିତରୁ ଦୁଇଟି ପ୍ରସିଦ୍ଧ ଗୀତ ହେଲା ‘ଅରୁନ୍ଧତୀ’ ଫିଲ୍ମର ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି’ ଏବଂ ସେହି ସିନେମାର ଆଉ ଗୋଟେ ଗୀତ ‘ତୁମକୁ ପାରୁନି ତ ଭୁଲି’। ୧୯୬୭ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର ଏବଂ ଗୀତ ଯୋଡ଼ିକ ଲେଖିଥିଲେ ଜୀବନାନନ୍ଦ ପାଣି।
୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ନିଧନ ଘଟଣା ସାରା ଦେଶକୁ ଚହଲାଇ ଦେଇଥିଲା। ହୁସନଲାଲ ଭଗତରାମ, ରାଜେନ୍ଦ୍ର କିଶନ ଏବଂ ମହମ୍ମଦ ରଫି ମିଶି ସାଙ୍ଗେସାଙ୍ଗେ ଗୀତଟିଏ ତିଆରି କରି ଗାଇଥିଲେ ‘ଶୁନୋ ଏ ଦୁନିଅାବାଲୋ, ବାପୁଜୀ କି ଅମର କାହାନୀ’। ଏ ଗୀତ ଶୁଣି ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମହମ୍ମଦ ରଫିଙ୍କୁ ତାଙ୍କ ବାସଭବନକୁ ଆମନ୍ତ୍ରଣ କରି ଆଉ ଥରେ ଗୀତଟି ଶୁଣିଥିଲେ ଏବଂ ଏଥିପାଇଁ ସେ ବର୍ଷ ସ୍ବାଧୀନତା ଦିବସ ଅବସରରେ ରଫିଙ୍କୁ ରୌପ୍ୟ ପଦକ ଉପହାର ଦିଆଯାଇଥିଲା।
ମହମ୍ମଦ ରଫି ଭାରତର ସେ ସମୟର ସବୁ ବିଖ୍ୟାତ ସଂଗୀତ ନିର୍ଦ୍ଦେଶକଙ୍କ ପାଇଁ ଗୀତ ଗାଇଥିଲେ। ସେମାନଙ୍କ ଭିତରୁ ନୌସଦଙ୍କ କଥା କୁହାସରିଛି। ଅନ୍ୟମାନେ ହେଲେ ଓ.ପି. ନାୟାର, ଶଙ୍କର ଜୟକିଶନ, ଏସ୍.ଡି. ବର୍ମନ, ରବି ଏବଂ ରୋଶନ। ‘ଚୌଦହବଁୀ କା ଚାନ୍ଦ’ ଫିଲ୍ମର ଗୀତ ପାଇଁ ରଫି ୧୯୬୦ରେ ପ୍ରଥମ ଫିଲ୍ମ ଫେୟାର୍ ପୁରସ୍କାର ପାଇଥିଲେ ଯାହାର ସଂଗୀତ ନିର୍ଦ୍ଦେଶକ ଥିଲେ ରବି (ରବିଶଙ୍କର ବର୍ମା)। ଏହି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ରଫି ଗାଇଥିବା ଅନ୍ୟ ପ୍ରସିଦ୍ଧ ଗୀତ ହେଉଛି- ‘ନୀଲକମଲ’ (୧୯୬୮) ଫିଲ୍ମର ‘ବାବୁଲ୍ କି ଦୁଅଁାଏ ଲେତି ଯା’, ଯାହା ହିନ୍ଦୀ ସିନେମାର କରୁଣତମ ଗୀତ ଭିତରୁ ଗୋଟିଏ। ଝିଅକୁ ଶାଶୂ ଘରକୁ ବିଦାୟ ଦେଲାବେଳେ ବାପା ଗାଇଥିବା ଏ ଗୀତର ଲୋକପ୍ରିୟତା ଆଜି ମଧ୍ୟ ଅନତିକ୍ରମଣୀୟ ରହିଅଛି। ବିବିସି ସହ ଏକ ସାକ୍ଷାତକାରରେ ରଫି କହିଥିଲେ ଯେ ସେ ଏ ଗୀତଟି ଗାଇବା ବେଳେ ନିଜେ କାନ୍ଦି ପକାଇଥିଲେ।
ଏହି ସୀମିତ ପ୍ରବନ୍ଧରେ ମହମ୍ମଦ ରଫିଙ୍କର ସବୁଯାକ ଲୋକପ୍ରିୟ ଗୀତର ଆଲୋଚନା ସମ୍ଭବ ନୁହେଁ। ତାଙ୍କ କଣ୍ଠରେ ମହୁ ଥିଲା ଏବଂ ସେ ମହୁ ଶବ୍ଦଗୁଡ଼ିକୁ ମଧୁର କରି ତୋଳୁଥିଲା। ସେ ଅନ୍ୟ ଯେଉଁ ସଂଗୀତ ନିର୍ଦ୍ଦେଶକମାନଙ୍କ ସହ କାମ କରିଥିଲେ, ତାଙ୍କ ଭିତରେ ସି. ରାମଚନ୍ଦ୍ର, ଖୟାମ, ରାଜେଶ ରୋଶନ, ରବୀନ୍ଦ୍ର ଜୈନ, ବାପି ଲାହିରି, ସପନ ଜଗମୋହନ, ଟି.ଭି. ରାଜୁ ଏବଂ ଏସ୍. ହନୁମନ୍ଥା ରାଓ ଥିଲେ ପ୍ରମୁଖ। ଏହାଛଡ଼ା ଆର୍.ଡି. ବର୍ମନ ଏବଂ ଏ. ଦତ୍ତାଙ୍କ ପାଇଁ ମଧ୍ୟ ସେ ଗୀତ ଗାଇଥିଲେ। ଯୋଉ ଯୋଉ ନାୟକମାନଙ୍କ ପାଇଁ ସେ ଗୀତ ଗାଇଥିଲେ, ସେମାନେ ହେଲେ ମୁଖ୍ୟତଃ ଦିଲୀପ କୁମାର, ସମ୍ମି କାପୁର, ଋଷି କାପୁର, ଜିତେନ୍ଦ୍ର, ଧର୍ମେନ୍ଦ୍ର, ଦେବାନନ୍ଦ ଏବଂ ଜନି ୱାକର। ଲତା ମଙ୍ଗେସକର ଏବଂ ଆଶା ଭେଁାସଲେଙ୍କ ସହ ରଫିଙ୍କର ସ୍ବତନ୍ତ୍ର ସମ୍ବନ୍ଧ ଥିଲା। ମଝିରେ କିଛି ବର୍ଷ ପାଇଁ ଲତାଙ୍କ ସହ ରଫିଙ୍କର ମତାନ୍ତର ହୋଇଥିଲା। ଗାୟକମାନଙ୍କ ରାଜଭାଗ ପ୍ରସଙ୍ଗକୁ ନେଇ ଥିଲା ଏ ମତାନ୍ତର। ସେତେବେଳେ ଦୁହେଁ ପରସ୍ପର ସହ ଗୀତ ଗାଉ ନ ଥିଲେ। ସେହି ସମୟରେ ଲତାଙ୍କ ସ୍ଥାନ ପୂରଣ କରିଥିଲେ ଆଶା ଭେଁାସଲେ। ମାତ୍ର ଏସ୍.ଡି. ବର୍ମନ ଏହି ମତାନ୍ତର ଦୂର କରି ପୁଣି ରଫି ଓ ଲତାଙ୍କୁ ‘ଜୁଏଲ୍ ଥିଫ୍’ ଫିଲ୍ମରେ ଏକାଠି କରାଇଥିଲେ।
ମହମ୍ମଦ ରଫି ତାଙ୍କ ସମୟ ଓ ପରବର୍ତ୍ତୀ ସମୟର ବହୁ ଗାୟକ ଗାୟିକାଙ୍କୁ ପ୍ରଭାବିତ କରିଥିଲେ। ଲତା ମଙ୍ଗେସକର ଥରେ କହିଥିଲେ, ‘‘ରଫି ଭାଇ କେବଳ ଭାରତରେ ସର୍ବୋତ୍ତମ ପ୍ଲେ-ବ୍ୟାକ୍ ସିଙ୍ଗର୍ ନୁହନ୍ତି, ସେ ଏକ ଚମତ୍କାର ମଣିଷ। ତାଙ୍କ ସ୍ବର ଆମ ସମସ୍ତଙ୍କ- ଆଶା, ମନ୍ନା ଦେ କିମ୍ବା କିଶୋର କୁମାରଙ୍କ ଠାରୁ ବହୁତ ଆଗରେ।’’ ମହମ୍ମଦ ରଫି କେବଳ ଜଣେ ଉଚ୍ଚ ଦରର ଗାୟକ ନଥିଲେ, ସେ ମଧ୍ୟ ଥିଲେ ଜଣେ ଅତ୍ୟନ୍ତ ସମ୍ବେଦନଶୀଳ ମଣିଷ। ତାଙ୍କ ଘର ଦୁଆରୁ କେହି ଖାଲି ହାତରେ ଫେରୁ ନ ଥିଲେ।
‘ରଫି’ ଶବ୍ଦର ଆଭିଧାନିକ ଅର୍ଥ ହେଲା ଶ୍ରେଷ୍ଠ ଓ ଉତ୍ତୁଙ୍ଗ। ମହମ୍ମଦ ରଫି ଉତ୍ତୁଙ୍ଗ ଶ୍ରେଣୀର ଗାୟକ ଥିଲେ। ବର୍ଷ ବର୍ଷ ଧରି ସେ ଗାଇଥିବା ଗୀତ ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନୈସର୍ଗିକ ଆନନ୍ଦ ଦେଇଆସିଛି। ସେ ଗୀତ ବିରହର ହେଉ କି ମିଳନର, ଜୟର ହେଉ କି ପରାଜୟର, ସମର୍ପଣର ହେଉ କି ଶୃଙ୍ଗାରର, ଫୁଲର ହେଉ କି ନିଅଁାର, ମେଘଢଙ୍କା ଜହ୍ନର ହେଉ କି ନୀଳ ଆକାଶର ତାରାର- ସେ ସବୁ ରେଶମୀ ସୂତାରେ ଗୁନ୍ଥା ହେଇଥିବା ଗୋଟେ ଗୋଟେ ଝଲମଲ ମୋତି। ମୋତିର ବ୍ୟୁତି ଓ ଦୀପ୍ତି ପରି ରଫିଙ୍କ ଗୀତର ମଧୁର ସ୍ବର ଆମର ଅବସାଦକୁ ଦୂରେଇ ନିଏ, ହୃଦୟକୁ ସ୍ପନ୍ଦିତ କରେ ଅନନ୍ୟ ଅନୁଭବରେ। ଏହା କେବେ ଲୁହରେ ଧୋଇଦିଏ ଆଖି ତ କେବେ ବେଦନାର କ୍ଷତ ଉପରେ ମଲମ ଲଗେଇଦିଏ। ରଫି ଗାଇଥିବା ଶେଷ ଗୀତଟି ଥିଲା ‘ସାମ୍ ଫିର୍ କ୍ୟୁଁ ଉଦାସ୍ ହୈ ଦୋସ୍ତ, ତୁ କହିଁ ଆସ୍ ପାସ୍ ହୋ ଦୋସ୍ତ’, ଏ ଗୀତଟି ତାଙ୍କ ମୃତ୍ୟୁର କିଛି ଘଣ୍ଟା ଆଗରୁ ରେକର୍ଡ ହୋଇଥିଲା। ସେ ଗୀତଟାର ମୁଖଡ଼ାର ଅର୍ଥ- ଏହି ସଞ୍ଜ କାହିଁକି ଏତେ ଉଦାସ ଲାଗୁଛି ହେ ବନ୍ଧୁ/ତୁମେ ତ ଏଇଠି କୋଉଠି ଆଖପାଖରେ ଅଛ ହେ ମୋର ବନ୍ଧୁ। ମହମ୍ମଦ ରଫିଙ୍କ ସଂପର୍କରେ ଏକଥାଟି ପ୍ରଯୋଜ୍ୟ- ତାଙ୍କ ଗୀତର ସ୍ବର ମାଧ୍ୟମରେ ସେ ସବୁଦିନ ଆମ ଆଖପାଖରେ ରହିଛନ୍ତି ଏବଂ ରହିଥିବେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮
Advertisment
Sambad is now on WhatsApp
Join and get latest news updates delivered to you via WhatsApp