ଗୌରହରି ଦାସ
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗଁା ବ୍ଲକ୍ ଲିଟିପଡ଼ା ଗଁାର ସଂଗୀତା ବାଗେଙ୍କୁ ସେଇ ଗଁାର ଦି’ଜଣ ଲୋକ ପାଞ୍ଚ ଘଣ୍ଟା କାଳ ଚାବୁକ୍ ମାଡ଼ ମାରିଥିବା ଘଟଣା ସେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ୨୮ ଫେବ୍ରୁଆରି ରାତିରେ ଗଗନ ଓ ତା’ର ଜଣେ ସହଯୋଗୀ ପୂଜାପାଠ କରିବାକୁ ଯାଇଥିବାବେଳେ ଅନ୍ୟମାନଙ୍କ ସହ ସେଠାକୁ ଆସିଥିବା ସଂଗୀତାକୁ ନିସ୍ତୁକ ମାଡ଼ ମାରିଥିଲେ। ଅପରାଧ- ମାନସିକ ଅସୁସ୍ଥତା ଭୋଗୁଥିବା ଗଗନର ଦୁର୍ଦ୍ଦଶା ପଛରେ କାଳେ ସଂଗୀତାର ଗୁଣିଟୁଣିର ହାତ ଥିଲା। ସଂଗୀତା କାଳେ ତା’ ଘରେ କୁଅଁାରୀ ଭୂତମାନଙ୍କୁ ପାଳିଥିଲା। ମିଛ ଅଭିଯୋଗରେ ଏ ଧରଣର ଚାବୁକ ପାହାର ଖାଇଥିବା ସଂଗୀତା ଦେହରୁ ହୁଏତ ଦିନେ ସେ ଦାଗ ଲିଭିଯିବ, କିନ୍ତୁ ତା’ର ମନ, ଆତ୍ମା ଓ ସ୍ବାଭିମାନ ଉପରେ ଯେଉଁ ଲାଂଛନାର ଦାଗ ବସିଲା, ତାହା କଦାପି ଲିଭିବ ନାହିଁ। ଏହା ସତ୍ତ୍ବେ ସଂଗୀତା ଭାଗ୍ୟବାନ, କାରଣ ଏପର୍ଯ୍ୟନ୍ତ ସେ ଜୀବନ ଧରି ବଞ୍ଚିରହିଛି। ଏହାର ନଅ ଦଶଦିନ ଆଗରୁ ମୟୂରଭଞ୍ଜର ବିଶୋଇ ଥାନା ଅଞ୍ଚଳର ଦେବେନ୍ଦ୍ର ନାଏକ ଓ ତା’ର ସ୍ତ୍ରୀ ଚମ୍ପାକୁ ଏହି ପ୍ରକାର ଅଭିଯୋଗରେ ହତ୍ୟା କରାଯାଇଥିଲା। ମଲା ବେଳକୁ ଦେବେନ୍ଦ୍ର ନିଜର ବିଲାତି ବାଇଗଣ କ୍ଷେତରେ ପାଣି ଦେଉଥିଲା। ସେଇ ଗଁାର ଅଜୟ ନାୟକ ପହଞ୍ଚି କୁରାଢ଼ିରେ ଦେବେନ୍ଦ୍ରକୁ ହାଣିଦେଲା। ସେତିକିରେ କଥା ସରିଲା ନାହିଁ, ଦେବେନ୍ଦ୍ରର ଘରକୁ ଆସି ତା’ ସ୍ତ୍ରୀ ଚମ୍ପାକୁ ମଧ୍ୟ ସେ କୁରାଢ଼ିରେ ହାଣି ମାରିଦେଇଥିଲା। ଏହା ଦେଖି ପାଖରେ ଶୋଇଥିବା ବୋହୂ ନିଜର ଅଢ଼େଇ ବର୍ଷର ଝିଅକୁ ନେଇ ଦୌଡ଼ି ପଳାଇ ଯାଇଥିଲା। ନ ହେଲେ ରକ୍ତମୁଖା ଅଜୟ ସେମାନଙ୍କୁ ସୁଦ୍ଧା ଛାଡ଼ି ନଥାନ୍ତା। ଏହାର ମୂଳ ହେଲା, ଅଜୟ ସନ୍ଦେହ କରୁଥିଲା ଯେ ତା’ର ବାପା ଓ ପୁଅର ଦେହ ଭଲ ନ ହେବାର କାରଣ ଦେବେନ୍ଦ୍ର ଓ ଚମ୍ପାଙ୍କର ଗୁଣିଗାରେଡ଼ି। କିଛି ମାସ ଆଗରୁ ଦେବେନ୍ଦ୍ର ଓ ଚମ୍ପା ଧମକଚମକ ପାଇଥିଲେ। ଡାଆଣୀ ଅପବାଦରୁ ମୁକୁଳିବା ପାଇଁ ସେମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ନେଇଥିଲେ। ଏହା ସତ୍ତ୍ବେ ସେମାନଙ୍କର ଜୀବନ ବଞ୍ଚିଲା ନାହିଁ।
ଭାରତର ଯେଉଁ ୧୨ଟି ରାଜ୍ୟରେ ଏ ପ୍ରକାର ଡାଆଣୀ ଅନ୍ଧବିଶ୍ବାସ ବେଶୀ ରହିଛି ତା’ ଭିତରେ ଓଡ଼ିଶାର ସ୍ଥାନ ଦ୍ବିତୀୟ, ଝାଡ଼ଖଣ୍ଡ ପ୍ରଥମ। ଓଡ଼ିଶାରେ ଘଟୁଥିବା ଏ ପ୍ରକାର ଘଟଣାରୁ ୮୩% ଘଟଣା ଘଟୁଛି ୭ଟି ଜିଲ୍ଲାରେ। ସେ ଜିଲ୍ଲାଗୁଡ଼ିକ ହେଲା- କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, ଗଂଜାମ ଓ ମାଲକାନଗିରି। ଏହି ପ୍ରସଙ୍ଗକୁ ନେଇ କିଛି ବର୍ଷ ତଳେ ‘ଆକ୍ସନ ଏଡ୍’ ସଂସ୍ଥା ଏକ ସର୍ଭେ କରିଥିଲା ଓ ତାହାର ରିପୋର୍ଟ ମଧ୍ୟ ପ୍ରକାଶ କରିଥିଲା। ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ। ଯାହା ଫଳରେ ପ୍ରତିବର୍ଷ ଓଡ଼ିଶାରେ ୬୦ରୁ ୭୦ ଲୋକ ଅକାଳରେ ମରୁଛନ୍ତି। କାହାର ମୁଣ୍ଡ କାଟି, କାହାକୁ ପିଟିପିଟି ମାରି ଦିଆଯାଉଛି ତ ଆଉ କୋଉଠି କାହା ଘରେ ନିଆଁ ଲଗେଇ ଦିଆଯାଉଛି, ଉଧୁନଙ୍ଗଳା କରି, ଲଣ୍ଡା କରି ଗଁା ସଡ଼କରେ ଚଲାଇ ଚଲାଇ ତାକୁ ଅପମାନିତ କରାଯାଉଛି। ସେମାନଙ୍କୁ ଗୋବର, ମୂତ୍ର, ବିଷ୍ଠା ପରି କଦର୍ଯ୍ୟ ବସ୍ତୁ ଖାଇବାକୁ ବାଧ୍ୟ କରାଯାଉଛି ଓ ନିଆଁପାଣି ବାସନ୍ଦ କରି ସେମାନଙ୍କୁ ଗଁାରୁ ବିଦା କଲାପରେ ତାଙ୍କର ଜମିବାଡ଼ି ହଡ଼ପ କରି ନିଆଯାଉଛି।
ଏସବୁ ପଛରେ କେତୋଟି କାରଣ ଦାୟୀ। ସବୁଠାରୁ ବଡ଼ କାରଣ ହେଲା, ସ୍ବାସ୍ଥ୍ୟସେବା ସମସ୍ୟା। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ବିପର୍ଯ୍ୟସ୍ତ। ଏଭଳି ସ୍ଥଳେ ପିଲାଙ୍କର ଦେହ ଖରାପ ହେବା ସ୍ବାଭାବିକ। ମାତ୍ର ଅସୁସ୍ଥ ଶିଶୁର ଚିକିତ୍ସା ଉପରେ ଧ୍ୟାନ ନ ଦେଇ ପରିବାର ଲୋକ ଗୋଟେ କାହାକୁ ଖୋଜିବସନ୍ତି, ଯାହାର ଦୁଷ୍ଟ ଦୃଷ୍ଟି ପାଇଁ ତାଙ୍କ ପିଲା ରୋଗ େଭାଗୁଛି। ଗଁାର କୌଣସି ଧୂର୍ତ୍ତ କାହାର ଜଣକ ନାମ କହିଦିଏ। ତା’ ପରେ ସେ ଲୋକଟି ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଏ। ମଣିଷର ଅଭ୍ୟାସ ହେଲା ସବୁ ଭଲ କଥାର ଶ୍ରେୟ ସେ ନିଜେ ନିଏ, ତହିଁରୁ କାହାକୁ ଭାଗ ଦିଏ ନାହିଁ, ମାତ୍ର ସବୁ ଖରାପ କଥା ତା’ ଯୋଗୁଁ ନୁହେଁ, ଅନ୍ୟ କାହା ପାଇଁ ଘଟୁଛି ବୋଲି ସନ୍ଦେହ କରେ। ସ୍ବାସ୍ଥ୍ୟସେବାର ଅଭାବ ପଛକୁ ଆଉ ଗୋଟେ କାରଣ ହେଲା ଫସଲହାନି ସମସ୍ୟା। ଏ କ୍ଷେତ୍ରରେ ମଧ୍ୟ ଡାଆଣୀର କିଛି ଭୂମିକା ନାହିଁ। ଏହାସତ୍ତ୍ବେ କାହାକୁ େଗାଟାଏ ଦୋଷୀ ସାବ୍ୟସ୍ତ କରି ଦିଆଯାଏ। ଅନ୍ୟ କାରଣଗୁଡ଼ିକ ହେଲା ଜମି ହଡ଼ପର ମସୁଧା, ସରଳ ଲୋକ ଉପରେ ରାଗ ସୁଝେଇବାର ଅହଙ୍କାର, ମାନସିକ ଅସୁସ୍ଥତା ଓ ଅନ୍ଧବିଶ୍ବାସ। ପ୍ରାୟ ସବୁ କ୍ଷେତ୍ରରେ ଅସହାୟା ବୃଦ୍ଧା, ଏକଲା ରହୁଥିବା ମଧ୍ୟବୟସ୍କା ମହିଳା ଓ ସରଳ ଲୋକମାନେ ଏ ପ୍ରକାର ଅତ୍ୟାଚାରର ଶିକାର ହୋଇଥାଆନ୍ତି। ସବୁକିଛି ଠିକ୍ଠାକ୍ ଚାଲୁଥିବାବେଳେ କିଏ ଜଣେ ସ୍ବପ୍ନରେ ଦେଖିଦେବ ଯେ ଅମୁକ ଲୋକ ତା’ ଛୁଆ ଆଡ଼କୁ ଡାହାଣୀ ଆଖିରେ ଅନେଇଛି ଓ ତା’ ପିଲାର ରକ୍ତ ଶୋଷି ନେଉଛି। ତା’ ପରେ ଆରମ୍ଭ ହୋଇଯିବ ନିର୍ଯାତନା। ପରିସ୍ଥିତି ଏପରି ହେବ ଯେ ସନ୍ଦେହର ଶିକାର ହୋଇଥିବା ଲୋକଟିକୁ ଗଁା ଛାଡ଼ି ପଳେଇବାକୁ ବାଧ୍ୟ କରାଯିବ। କିଛିବର୍ଷ ତଳେ ମୟୂରଭଞ୍ଜର କପ୍ତିପଦା ବ୍ଲକ୍ର ତୁଳସୀ ବିନ୍ଧାଣୀକୁ ତା’ ଝିଅଘର ଛାଡ଼ି ପଳେଇବାକୁ ବାଧ୍ୟ କରାଯାଇଥିଲା। ତା’ର ଝିଅ ଭାନୁମତୀର ସ୍ବାମୀ ମଲା ପରେ ତୁଳସୀ ଯାଇ ଝିଅ ଘରେ ରହୁଥିଲା। ମାତ୍ର ସେ ଗଁାର କେହି ଜଣେ ତୁଳସୀକୁ ସନ୍ଦେହ କରିବାରୁ କଥା ଜଟିଳ ହୋଇଥିଲା। ତୁଳସୀ ବାଧ୍ୟହୋଇ ଗଁା ଛାଡ଼ିଥିଲା। ତୁଳସୀ ଯିବା ପରେ ପରେ ତା’ ଝିଅ ଭାନୁମତୀ ମଧ୍ୟ ସେ ଗଁା ଛାଡ଼ିଥିଲା। କେନ୍ଦୁଝରର ଗତି ମୁଣ୍ଡା ଜମି ହଡ଼ପ ଅଭିସନ୍ଧିର ଶିକାର ହୋଇଥିଲା। ଯୋଡ଼ା ଥାନା ଅଧୀନରେ କୁହ୍ଲା ଗଁାର ବାସିନ୍ଦା ଥିଲା ଗତି ମୁଣ୍ଡା। ସେ ସ୍ତ୍ରୀଲୋକଟିକୁ ଡାଆଣୀ ସନ୍ଦେହରେ ତା’ ପଡ଼ୋଶୀ ନିଧି ମୁଣ୍ଡା ମାରିବାର କାରଣ ଥିଲା ଗତିର ଜମି ହଡ଼ପ କରିବା। ସେହିବର୍ଷ କୋରାପୁଟର ହେମଲା ମାଲମାକୁ ତା’ ପୁତୁରା ଡାଆଣୀ କହି ଧମକ ଦେଇଥିଲା ଓ କହିଥିଲା- ଜମି ଛାଡ୍ ନ ହେଲେ ଟଙ୍କା ଦେ। ଗଂଜାମ ଜିଲ୍ଲାରେ ଗୋଟେ ଅତ୍ୟନ୍ତ ନିର୍ମମ ଘଟଣା ଘଟିଥିଲା ୨୦୧୧ରେ। ତ୍ରିବେଣୀ ନାମକ ଗୋଟେ ମହିଳାକୁ ଡାଆଣୀ ସନ୍ଦେହରେ ଲଙ୍ଗଳା କରି ମାଡ଼ ମାରି, ମଇଳା ଖୁଆଇ ନିର୍ଯାତନା ଦିଆଯାଇଥିଲା। ଲୋକମାନେ ତା’ ଘର ଲୁଟ୍ପାଟ କରି ଜିନିଷତକ ନେଇଯାଇଥିଲେ। ‘ଡାଆଣୀ’ ବ୍ୟବହାର କରିଥିବା ଜିନିଷପତ୍ର ବ୍ୟବହାର କରିବାରେ କିନ୍ତୁ ତାଙ୍କର ସମସ୍ୟା ହୋଇ ନ ଥିଲା!
ଦୁର୍ଭାଗ୍ୟର କଥା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଏ ପ୍ରକାର ଘଟଣା ଅଧିକ ସଂଖ୍ୟାରେ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଆମର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ଜନପ୍ରତିନିଧି। ମୟୂରଭଞ୍ଜ ତାଙ୍କର ଦ୍ବିତୀୟ ଘର ବୋଲି ସେ କହିଛନ୍ତି। ଆମର ବିଶ୍ବାସ, ସେ ଏ ଦୁଇଟି ଜିଲ୍ଲା ପ୍ରତି ବିଶେଷ ଦୃଷ୍ଟି ଦେବେ। ଏ ସମସ୍ୟାର ମୁକାବିଲା ଦିଗରେ ଆମର ଶିକ୍ଷା ସିଲାବସ୍ରେ ପରିବର୍ତ୍ତନ ଜରୁରି। ବୟସ୍କମାନଙ୍କ ମନରୁ ଏ ଧରଣର ଭୂତ, ପ୍ରେତ ଧାରଣା ବଦଳେଇ ହେବ ନାହିଁ। ମାତ୍ର ଏହା ଯେପରି ସାନ ସାନ ପିଲାମାନଙ୍କ ମୁଣ୍ଡରେ ନ ପଶିବ ସେ ଦିଗରେ ସରକାର ଧ୍ୟାନ ଦେବା ଦରକାର। ଦୁର୍ଭାଗ୍ୟ ଯେ ଆମ ଦେଶର ବହୁ ବଡ଼ ବଡ଼ ଲୋକଙ୍କର ଏ ଧରଣର ଅନ୍ଧ ବିଶ୍ବାସ ରହିଛି। ପ୍ରତିଦିନ ବିଭିନ୍ନ ଟିଭି ଚ୍ୟାନେଲରେ ଭୂତ-ପ୍ରେତ ସମ୍ବଳିତ ଗୁଡ଼ାଏ ଧାରାବାହିକୀ ପ୍ରସାରିତ ହେଉଛି। ଏପରି ସ୍ଥଳେ ଆମ ଦେଶରୁ ଅନ୍ଧ ବିଶ୍ବାସ ଯିବା କଷ୍ଟକର। ଏହା ସାଙ୍ଗକୁ ଦୋଷୀମାନଙ୍କ ପ୍ରତି ଶାସ୍ତିବିଧାନ କ୍ଷେତ୍ରରେ ଆମର ଚରମ ଉଦାସୀନତା ଏପରି ଅନ୍ଧ ବିଶ୍ବାସ ବ୍ୟାପିବାର ଆଉ ଗୋଟେ କାରଣ। ଓଡ଼ିଶା ପୁଲିସ ୨୦୧୪ ଡାଆଣୀ ଆଇନ ଧାରାରେ ମାମଲା ରୁଜୁ କରିବାକୁ ଅନିଚ୍ଛୁକ। ଯେଉଁ ଅସହାୟାଟି ମରିଗଲା ତା’ ତରଫରୁ ଓକିଲ ଖର୍ଚ୍ଚ କରିବାକୁ କେହି ନଥାନ୍ତି। ଅନ୍ୟପକ୍ଷରେ ପୁଲିସ କହେ ଯେ ଗଁାର ଗୋଟାଏ ଦଳ ଗୋଷ୍ଠୀଗତ ଭାବେ ଏ କାମ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରିବ କିଏ ଓ ସେମାନଙ୍କ ବିରୋଧରେ ସାକ୍ଷ୍ୟ ଦେବ କିଏ? ଏସବୁ ସାଙ୍ଗକୁ ନିଶା ଓ ମଦର କଦର୍ଯ୍ୟ ପ୍ରଭାବ ମଧ୍ୟ କେତୋଟି କ୍ଷେତ୍ରରେ ପରିଲକ୍ଷିତ ହେଉଛି। ୨୦୧୫ ମସିହାରେ କେନ୍ଦୁଝରର ଗଜପୁର ଗଁାରେ ଏମିତି ଗୋଟେ ଘଟଣା ଘଟିଥିଲା ଯେଉଁଠି ମଦ ପ୍ରଭାବରେ ଆସି ଜଣେ ବ୍ୟକ୍ତି ସ୍ବାମୀ-ସ୍ତ୍ରୀ ଦି’ଜଣଙ୍କୁ ମାରି ଦେଇଥିଲା। ମରି ଯାଇଥିବା ସେହି ସ୍ବାମୀର ନାମ ଥିଲା କାଳୁ ନାଏକ (୪୯) ଓ ତା’ ସ୍ତ୍ରୀର ନାମ ଥିଲା ତାରା ନାଏକ (୩୮)। ସେଇ ଗଁାର ଭଟ୍ଟ ନାଏକ (୫୧) ଜଣେ ଚାଷୀ ଥିଲା। ତା’ର ଗାଈର ସ୍ବାସ୍ଥ୍ୟ ଓ ଜମିର ଫସଲ ତା’ ଇଚ୍ଛା ଅନୁକୂଳ ନ ଥିଲା। ଦିନେ ମଦ ନିଶାରେ ଥିବାବେଳେ କେହି ତାକୁ କହିଦେଲା ଯେ କାଳୁ ଓ ତାରା ଗୁଣି କରିଥିବାରୁ ତା’ ଫସଲ ଭଲ ଫଳୁନାହିଁ, ଗାଈ ରୋଗରେ ପଡୁଛି। ସେ ଯାଇ ଦି’ଜଣଙ୍କ ମୁଣ୍ଡ କାଟି ମାରିଦେଇଥିଲା। ଗଁା ଲୋକଙ୍କୁ ପଚରାଉଚୁରା ବେଳେ ଜଣାପଡ଼ିଥିଲା ଯେ କାଳୁ କିମ୍ବା ତାରା କେବେ ବି ଏ ପ୍ରକାର ଗୁଣିଟୁଣି କାମରେ ନ ଥିଲେ କିମ୍ବା ସେମାନେ ଏସବୁ କିଛି ଜାଣି ନ ଥିଲେ। ନିଜର ବିଫଳତା ଓ ମଦ ନିଶା ଯୋଗୁଁ ଭଟ୍ଟ ନାଏକ ଦି ଦିଇଟି ନିରୀହ ଲୋକଙ୍କୁ ଜୀବନରେ ମାରିଦେଇଥିଲା।
ସବୁଠାରୁ ବଳି ଦୁଃଖର କଥା ହେଉଛି ଯେ ଏହି ପ୍ରକାର ମୃତ୍ୟୁ, ନିର୍ଯାତନା, ବାସନ୍ଦ ଆଦି ଘଟଣାକୁ ଯେତିକି ଗୁରୁତ୍ବ ଦିଆଯିବା କଥା ସେତିକି ଦିଆଯାଉ ନାହିଁ। ଏହା ଫଳରେ ଲକ୍ଷ୍ୟ କରାଯାଉଛି େଯ ଏ ପ୍ରକାର ହତ୍ୟା ବଢ଼ିଚାଲିଛି ଏବଂ ଓଡ଼ିଶା ଦେଶର ଦ୍ବିତୀୟ ରାଜ୍ୟର ଅପବାଦ ମୁଣ୍ଡାଇଛି, ଯେଉଁଠି ସବୁଠୁ ବେଶୀ ନିରୀହା ମହିଳା ଓ ବୁଢ଼ାବୁଢ଼ୀ ବଳି ପଡୁଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ସରକାର ଏ ଦିଗଟିକୁ ଗୁରୁତ୍ବ ଦେବା ଆବଶ୍ୟକ। ତାହା ନ ହେଲେ ଓଡ଼ିଶା ଅଚିରେ ଡାଆଣୀ ସନ୍ଦେହ ହତ୍ୟା କ୍ଷେତ୍ରରେ ପ୍ରଥମ ରାଜ୍ୟ ହେବାର ଅପଯଶ ମୁଣ୍ଡାଇବ।
(ମତାମତ ଲେଖକଙ୍କ ନିଜସ୍ବ)
େମା: ୯୪୩୭୦୭୭୨୮୮