ଗୌରହରି ଦାସ

Advertisment

ପ୍ୟାରିସ୍‌ରେ ଅନୁଷ୍ଠିତ ଅଲିମ୍ପିକ୍‌ସର ଉଦ୍‌ଘାଟନ ଉତ୍ସବ କ୍ରୀଡ଼ାମଞ୍ଚର ପରିଭାଷା ବଦଳେଇ ଦେଇଛି। ୨୬ ଜୁଲାଇରେ ଉଦ୍‌ଘାଟିତ ଅଲିମ୍ପିକ୍‌ସର ଏହି ଉତ୍ସବ କୌଣସି ଷ୍ଟାଡିଅମ୍‌ରେ ଅନୁଷ୍ଠିତ ନ ହୋଇ ଫ୍ରାନ୍‌ସର ପ୍ରସିଦ୍ଧ ନଦୀ ସେନ୍ ପାଣି ଉପରେ ଅନୁଷ୍ଠିତ ହୋଇଥିଲା। ନଦୀ ବକ୍ଷରେ ଶତାଧିକ ସୁନ୍ଦର ସୁନ୍ଦର ବୋଟ୍ ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ନେଇ ପ୍ୟାରେଡ୍ କରୁଥିବା ବେଳେ ନଦୀର ଉଭୟ ପାର୍ଶ୍ବରେ ଓ ସେତୁଗୁଡ଼ିକ ଉପରେ ବର୍ଣ୍ଣାଢ଼୍ୟ ନୃତ୍ୟ, ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହା ଆଗରୁ କୌଣସି ଅଲିମ୍ପିକ୍‌ସର ଉଦ୍‌ଘାଟନ ଉତ୍ସବ ଏଭଳି ଢଙ୍ଗରେ ଅନୁଷ୍ଠିତ ହୋଇ ନ ଥିବାରୁ ଏହାକୁ ଐତିହାସିକ ଓ ଅଭିନବ ଉତ୍ସବ ବୋଲି ଫ୍ରାନ୍‌ସ ତଥା ବିଦେଶର ଗଣମାଧ୍ୟମଗୁଡ଼ିକ ଅଭିହିତ କରିଛନ୍ତି।
ସେନ୍ ନଦୀ ଫ୍ରାନ୍‌ସର ଦ୍ବିତୀୟ ବୃହତ୍ତମ ନଦୀ। ଏହାର ଦୈର୍ଘ୍ୟ ୭୭୭ କିଲୋମିଟର। ପୂର୍ବରୁ ଏହି ନଦୀରେ ଅଲିମ୍ପିକ୍‌ସର କିଛି କିଛି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ନଦୀ ବକ୍ଷକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏଭଳି କେବେ ଉପଯୋଗ କରାଯାଇ ନ ଥିଲା।
ସେନ୍ ନଦୀରେ ଅଲିମ୍ପିକ୍‌ସର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରିବାର ଆଭିମୁଖ୍ୟ କ’ଣ? ଫ୍ରାନ୍‌ସ କହେ ଯେ ପୃଥିବୀରେ ବହୁ ନଦୀ ଅଛି; ମାତ୍ର ତାଙ୍କ ଦେଶର ଜୀବନ, ସଂସ୍କୃତି ଓ ଅସ୍ମିତାର ନିର୍ମାଣ କ୍ଷେତ୍ରରେ ସେନ୍ ନଦୀର ଯେଭଳି ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ସେଭଳି ଭୂମିକା ଅନ୍ୟ କୌଣସି ନଦୀର ନାହିଁ। ଏହି ନଦୀ କୂଳରେ ବିଶ୍ବର ବିଖ୍ୟାତ ଲୁଭର୍ ମ୍ୟୁଜିଅମ୍ ଅବସ୍ଥିତ ଯେଉଁଠି ପୃଥିବୀ ପ୍ରସିଦ୍ଧ ‘ମୋନାଲିସା’ ପେଣ୍ଟିଂ ରହିଛି; ପୁଣି ଏ ସହରର ପରିଚୟ ଆଇଫିଲ୍ ଟାୱାର୍। ଏହି ନଦୀ କୂଳରେ ଇମ୍ପ୍ରେସ୍‌ନିଷ୍ଟ ଆର୍ଟ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହାଛଡ଼ା ବାଲଜାକ୍, ଜୋଲା, ଭିକ୍ଟର ହ୍ୟୁଗୋ, ମୋପାସାଁ, ସାର୍ତ୍ତ୍ରେଙ୍କ ପରି ସ୍ବଦେଶୀ ଲେଖକ-ଦାର୍ଶନିକଙ୍କ ଠାରୁ ନେଇ ଅସ୍କାର ୱାଇଲ୍‌ଡ, ହାନ୍‌ସ ଆଣ୍ଡରସନ, ହେମିଙ୍ଗୱେଙ୍କ ପରି ବହୁ ବିଖ୍ୟାତ ସ୍ରଷ୍ଟା ସେନ୍ ନଦୀ ଦ୍ବାରା ପ୍ରଭାବିତ ହୋଇ ସେମାନଙ୍କର ଅମର କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେନ୍ ଫ୍ରାନ୍‌ସ ତଥା ପ୍ୟାରିସ୍ ମହାନଗରୀର ପରିଚୟ। ଏହି ନଦୀ ପୁଣି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭୟଙ୍କର ଲଢ଼େଇ ପ୍ରତ୍ୟକ୍ଷ କରିଅଛି। ଫ୍ରାନ୍‌ସର ଜୋଆନ୍ ଅଫ ଆର୍କ ବିଶ୍ବ ଇତିହାସର ଏକ କରୁଣ କିଂବଦନ୍ତି। ତେଣୁ ଏହା ସେମାନଙ୍କ ଲାଗି କେବଳ ନଦୀଟିଏ ନୁହେଁ, ଅସ୍ମିତାର ପୃଥକ୍ ପରିଭାଷା।
କେବଳ ଫ୍ରାନ୍‌ସ ନୁହେଁ କି ସେନ୍ ନଦୀ ନୁହେଁ, ବିଭିନ୍ନ ଦେଶର ଗୁରୁତ୍ବପୂର୍ଣ୍ଣ ନଦୀଗୁଡ଼ିକ ମଣିଷ ସଭ୍ୟତାକୁ ଗଢ଼ିଛି। ନଦୀ ହିଁ ମଣିଷ ଜାତିର ଜନନୀ ଯିଏ ଜଳଦାନ ଦେଇ ସଭ୍ୟତାକୁ ଗଢ଼ିଛି, ବଢ଼େଇଛି। ପୃଥିବୀର ବଡ଼ ବଡ଼ ନଦୀ ଭିତରୁ ଆଫ୍ରିକାର ନୀଳ ନଦୀ (୬୬୫୦ କି.ମି.), ଦକ୍ଷିଣ ଆ‌େମରିକାର ଆମାଜନ୍ (୬୫୭୫ କି.ମି.), ଚୀନ୍‌ର ୟାଂସି (୬୩୦୦ କି.ମି.) ଓ ଯୁକ୍ତରାଷ୍ଟ୍ର ଆମେରିକାର ମିସିସିପି (୬୨୭୫ କି.ମି.) କଥା ସମସ୍ତେ ଜାଣନ୍ତି। ସେହିଭଳି ଭାରତର ବଡ଼ ନଦୀଗୁଡ଼ିକ ହେଲା ବ୍ରହ୍ମପୁତ୍ର (୨୯୦୦ କି.ମି.), ଗଙ୍ଗା (୨୫୨୫ କି.ମି.), ଗୋଦାବରୀ (୧୪୬୫ କି.ମି.), ଯମୁନା (୧୩୭୬ କି.ମି.), କ୍ରିଷ୍ଣା (୧୩୧୫ କି.ମି.), ନର୍ମଦା (୧୩୧୫ କି.ମି.) ଓ ମହାନଦୀ (୮୫୩ କି.ମି.)। ତିବ୍ବତ କୈଳାସରୁ ବାହାରିଥିବା ସିନ୍ଧୁ ନଦୀ ଭାରତର ଜାମ୍ମୁକାଶ୍ମୀର ଓ ପଞ୍ଜାବରେ ପ୍ରବାହିତ ଏବଂ ଏହି ନଦୀର ଉଲ୍ଲେଖ ଭାରତର ଶାସ୍ତ୍ର ପୁରାଣରେ ରହିଅଛି। ଯଥା: ଆମ ପୂଜା ପରମ୍ପରାର ଏକ ପରିଚିତ ‌େଶ୍ଳାକରେ କେତେକ ମହତ୍ତ୍ବପୂର୍ଣ୍ଣ ନଦୀଗୁଡ଼ିକର ଉଲ୍ଲେଖ ରହିଛି। ସେ ଶ୍ଳୋକଟି ହେଲା: ଗଙ୍ଗେ ଚ ‌ଯମୁନେଚୈବ, ଗୋଦାବରୀ ସରସ୍ବତୀ/ନର୍ମଦେ ସିନ୍ଧୁକାବେରୀ ଜଳେଅସ୍ମିନ ସନ୍ନିଧିଂ କୁରୁ। (ଅର୍ଥାତ୍ ହେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ବତୀ, ନର୍ମଦା, ସିନ୍ଧୁ ଓ କାବେରୀ ନଦୀ, କୃପା କରି ଏହି ପାଣି ଆଞ୍ଜୁଳାର ଜଳରେ ଆପଣମାନେ ଉପସ୍ଥିତ ହୁଅନ୍ତୁ)। ଫ୍ରାନ୍‌ସ ଠାରୁ ଭାରତୀୟ ସଭ୍ୟତା ତା’ର ନଦୀଗୁଡ଼ିକୁ ଅଧିକ ମହତ୍ତ୍ବ ପ୍ରଦାନ କରିଥାଏ। ତେବେ ଦୁଃଖର କଥା ହେଉଛି ଯେ ଆମେ ଭାରତୀୟମାନେ ଯାହା ଶାସ୍ତ୍ର ପୁରାଣରେ ଉଲ୍ଲେଖ କରିଥାଉ, ସେ ସବୁକୁ କାମରେ ପରିଣତ କରୁନା। ଆମର ଏ ପ୍ରକାର ଆତ୍ମପ୍ରବଞ୍ଚନାର ବଡ଼ ଉଦାହରଣ ଆମର ନଦନଦୀ। ଏହି ଲେଖକ ଫ୍ରାନ୍‌ସର ସେନ୍ ସହିତ ପୃଥିବୀର ଆଉ କେତୋଟି ଦେଶର ନଦୀଗୁଡ଼ିକ ଦେଖିବାର ସୁଯୋଗ ପାଇଛି। ତା’ ମଧ୍ୟରୁ ଜର୍ମାନର ମାଇନ୍ ନଦୀ ଗୋଟିଏ। ଫ୍ରାଙ୍କଫର୍ଟ ନିକଟରେ ପ୍ରବାହିତ ଏହି ନଦୀର ଦୁଇ କୂଳ ଏତେ ସୁନ୍ଦର, ପରିଷ୍କାର ଓ ପରିଚ୍ଛନ୍ନ ଯେ ଏହା କୂଳର ସିମେଣ୍ଟ ଭୂଇଁରେ ଚକା ପକେଇ ବସି ଜଣେ ଭାତ ଖାଇପାରିବ! ସନ୍ଧ୍ୟାବେଳେ ସଂଗୀତଶିଳ୍ପୀମାନେ ସେଠାରେ ସଂଗୀତ ପରିବେଷଣ କରନ୍ତି, ହଳ ହଳ ଯୁବକଯୁବତୀ, ବୁଢ଼ାବୁଢ଼ୀ ଲୁହା ବେଞ୍ଚରେ ବସି ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି। ମଝିରେ ମଝିରେ ଫୁଲ ବଗିଚା ଓ ଶାଗୁଆ ଲନ୍ ନଦୀକୂଳର ଦୃଶ୍ୟକୁ ଅଧିକ ସୁନ୍ଦର କରିତୋଳେ। ସେହିପରି ପ୍ୟାରିସ୍ ସହର ମଝିରେ ବୋହୁଥିବା ସେନ୍ ନଦୀକୂଳରେ ମଧ୍ୟ ଅନୁରୂପ ବ୍ୟବସ୍ଥା। ଏ ନଦୀଗୁଡ଼ିକରେ ବର୍ଷା ପାଣି ପଡ଼େ, କୂଳର ମଇଳା ବୋହିଆସି ପଶେ। ମାତ୍ର ତାହାକୁ ପରିଷ୍କାର ପରିଚ୍ଛନ୍ନ କରିବା ଲାଗି ପଦକ୍ଷେପମାନ ନିଆଯାଏ। ଅଲିମ୍ପିକ୍‌ସ କ୍ରୀଡ଼ା ପ୍ରତିଯୋଗିତା ପୂର୍ବରୁ ଫ୍ରାନ୍‌ସ ସରକାର ସେନ୍‌ ନଦୀର ପରିଚ୍ଛନ୍ନତା ଲାଗି ୧.୫ ବିଲିଅନ୍ ଡଲାର୍ ବ୍ୟୟ କରିଥିଲେ। କେବଳ ଅର୍ଥ ବରାଦ ବା ବିନିଯୋଗରେ କୌଣସି କାର୍ଯ୍ୟ ଅବଶ୍ୟ ହୁଏନାହିଁ। ତାହା ହୋଇଥିଲେ ଗଙ୍ଗା ନଦୀ ପରିଷ୍କାର କରିବା ଲାଗି ମଧ୍ୟ ବହୁ ହଜାର କୋଟି ଟଙ୍କା ବ୍ୟୟ ସତ୍ତ୍ବେ ଏହା କାହିଁକି ପରିଷ୍କାର ହୋଇନାହିଁ? ଦୁଃଖର କଥା ଯେ ଗଙ୍ଗାକୁ ଦେବୀ ଭାବରେ ଚିତ୍ରଣ କରାଯିବା ଫଳରେ ମଣିଷମାନଙ୍କର କ’ଣ ଲାଭ ହୋଇଛି ଜଣାନାହିଁ ମାତ୍ର ଗଙ୍ଗା ନଦୀର ଭୀଷଣ କ୍ଷତି ହୋଇଛି। ଗଙ୍ଗା ପାଣିରେ ଭସାଇ ଦେଲେ ଆତ୍ମା ସ୍ବର୍ଗରେ ପହଞ୍ଚିଯିବ ଭାବି ଏ ନଦୀରେ ଲୋକେ ଶବ ଭସାଇ ଦେଇଥାନ୍ତି। କୋଭିଡ୍ ସମୟରେ ଶହ ଶହ ଶବ ଗଙ୍ଗା ପାଣିରେ ଭସାଇ ଦିଆଯାଇଥିବା କଥା ଖବରକାଗଜ ଓ ଟେଲିଭିଜନ ଚ୍ୟାନେଲ୍‌ଗୁଡ଼ିକରେ ପ୍ରସାରିତ ହୋଇଥିଲା। ସାଧାରଣତଃ ହିନ୍ଦୁମାନେ ଚିତାରେ ଜଳେଇ ଶବ ସଂସ୍କାର କରିଥାଆନ୍ତି; ମାତ୍ର ନଦୀରେ ଭସେଇ ‘ଜଳପ୍ରବାହ’ ସଂସ୍କାର କଥାକୁ ମଧ୍ୟ କେତେକ ଜାତିର ଲୋକେ ପରମ୍ପରା ଭାବେ ଗ୍ରହଣ କରିଥାଆନ୍ତି। କେବଳ ମଣିଷର ଶବ ନୁହେଁ, ଗାଈଗୋରୁ, ମଇଁଷି ଇତ୍ୟାଦି ପଶୁଙ୍କ ମଲାଦେହ ଯୋଉ ନଦୀ ପାଣିରେ ଭାସୁଥାଏ, ସେ ନଦୀର ପାଣି କେବେ ପାନୀୟ ଯୋଗ୍ୟ ବା ସନ୍ତରଣ ଯୋଗ୍ୟ ହୋଇପାରିବ କି? ତେବେ ଏହା ଗଙ୍ଗାପରି ନଦୀର ପ୍ରଦୂଷଣର ଏକମାତ୍ର କାରଣ ନୁହେଁ। ଭାରତର ନଦୀଗୁଡ଼ିକ ପ୍ରଦୂଷିତ ଓ ବିଷାକ୍ତ ହେବାର ବଡ଼ କାରଣ ଏହାକୁ ନଦୀକୂଳର ସହର, କଳକାରଖାନା ଓ ଜନବସତି ସେମାନଙ୍କର ନର୍ଦ୍ଦମା ଭାବରେ ବ୍ୟବହାର କରି ସମସ୍ତ ପ୍ରକାର ମଇଳା, ଆବର୍ଜନା ଓ ରାସାୟନିକ-ବିଷାକ୍ତ ବର୍ଜ୍ୟବସ୍ତୁ ନଦୀ ଭିତରକୁ ଛାଡ଼ି ଥାଆନ୍ତି। ମଇଳା ଓ ପ୍ରଦୂଷିତ ପାଣିର ଟ୍ରିଟ୍‌ମେଣ୍ଟ କରି ଏହାକୁ ଛଡ଼ାଯିବ ବୋଲି ସବୁବେଳେ କୁହାଯାଉଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନାହିଁ। ଆମ ଦେଶରେ ଯେତେ ମଇଳା ବାହାରୁଛି ସେ ସବୁର ଟ୍ରିଟ୍‌ମେଣ୍ଟ ପାଇଁ ଆମ ପାଖେ ଭିତ୍ତିଭୂମି ନାହିଁ। ସୀସା, ନିକେଲ, ସୋଡିୟମ, ସେଲେନିୟମ ପରି ରାସାୟନିକ ପଦାର୍ଥର ଉପସ୍ଥିତି ଯୋଗୁଁ ନଦୀର ପାଣି ସହ ଭୂତଳ ଜଳ ବିଷାକ୍ତ ପାଲଟୁଛି। ଓଡ଼ିଶାର ବ୍ରାହ୍ମଣୀ, ବୈତରଣୀ, ମହାନଦୀ ଇତ୍ୟାଦି ସବୁ ନଦୀ ଏହି ସମସ୍ୟାରେ ପୀଡ଼ିତ। ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଆକର୍ଷଣ କରାଯାଇପାରେ। ବର୍ଷାଦିନେ ଆମ ରାଜ୍ୟର ନଦୀଗର୍ଭଗୁଡ଼ିକ ପାଣିରେ ଫୁଲି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ବର୍ଷା ସରିଲା ପରେ ନଦୀଗର୍ଭ ଶୂନ୍ୟ ହୋଇଯାଏ। ନଈନାଳରେ ଭର୍ତ୍ତି ଓଡ଼ିଶା ଜଳ ବିହୁନେ ସୃଷ୍ଟିନାଶ ଅବସ୍ଥାକୁ ଚାଲିଯାଏ। ବିଦେଶ କଥା ଦୂରେ ଥାଉ, ଓଡ଼ିଶା ଗୁଜରାଟ ପରି ରାଜ୍ୟ ଠାରୁ ଜଳର ଉପଯୋଗ କୌଶଳ ଶିକ୍ଷା କରିପାରି ନାହିଁ। ସେଠାକାର ସରକାର ନର୍ମଦାର ପ୍ରତି ବୁନ୍ଦା ପାଣିର କିପ୍ରକାର ଉପଯୋଗ କରୁଛନ୍ତି ତାହା ବାସ୍ତବିକ ଶିକ୍ଷା କରିବାର କଥା।
ନଦୀର ସୁରକ୍ଷା ପାଇଁ ଯେଉଁ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ତାହା ଏ ପର୍ଯ୍ୟନ୍ତ ଆମର ହୋଇନାହିଁ। ଏହାର ଦୁଇଟି କାରଣ। ସାଧାରଣ ଗରିବ ଲୋକ, ଯେଉଁମାନେ ନଈକୂଳରେ ବସବାସ କରିଆସୁଛନ୍ତି ସେମାନେ ପୁରୁଣା ଅଭ୍ୟାସ ତ୍ୟାଗ କରିପାରୁ ନାହାନ୍ତି ଏବଂ ଦ୍ବିତୀୟ ବଡ଼ କାରଣ ସେମାନଙ୍କ ପାଖରେ ଶ୍ମଶାନ, ଶୌଚାଳୟ, ସ୍ନାନାଗାର ଇତ୍ୟାଦି ଲାଗି ବିକଳ୍ପ ସୁବିଧା ଉପଲବ୍‌ଧ ନୁହେଁ। ନଦୀଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା କେବଳ ସରକାରୀ ଦାୟିତ୍ବ ନୁହେଁ, ଜନସାଧାରଣଙ୍କର। ଯଦି ପ୍ରତ୍ୟେକ ଭାରତୀୟ ଛାତ୍ରକୁ ପିଲାଟି ଦିନରୁ ଶିକ୍ଷା ମିଳିବ ଯେ ନଦୀଗୁଡ଼ିକ ହେଉଛନ୍ତି ସମସ୍ତ ସମୃଦ୍ଧିର କାରଣ ତାହାହେଲେ ସେ ନଦୀକୁ ସମ୍ମାନ ଦେଇ ଶିଖିବ। ସେ ଯଦି ପିଲାଟି ଦିନରୁ ଦେଖେ ଯେ ନଦୀକୂଳ ବୟସ୍କ ଲୋକମାନଙ୍କର ମୁକ୍ତ ଶୌଚାଳୟ, ତାହାହେଲେ ସେ ନଦୀକୁ ସମ୍ମାନ ଦେବ କିଭଳି? ସେଥିପାଇଁ ପ୍ରତ୍ୟେକ ନଦୀର ଦାୟିତ୍ବ, କେବଳ ସରକାର ନୁହେଁ, ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ହାତରେ ନ୍ୟସ୍ତ କରାଯିବା ପ୍ରୟୋଜନ। ସେମାନେ ତାହାର ରକ୍ଷଣାବେକ୍ଷଣ କରିବା ସହ ନଦୀକୂଳ‌ର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ଉତ୍ତରଦାୟୀ ରହିବେ।
ପୁଣିଥରେ ପ୍ୟାରିସ୍‌ର ପ୍ରସଙ୍ଗକୁ ଫେରିବା। ଏଇ ଲେଖକ ୨୦୨୨ରେ ପ୍ୟାରିସ୍ ଯାଇଥିବା ବେଳେ ଦି’ତିନିଟି କଥା ଲକ୍ଷ୍ୟ କରିଥିଲା। ପ୍ରଥମ କୌତୂହଳପ୍ରଦ କଥା ହେଲା, ଫରାସୀ ଅଭିଧାନରେ ‘କମ୍ପ୍ୟୁଟର’ ଶବ୍ଦ ନାହିଁ। ସେମାନେ କମ୍ପ୍ୟୁଟରକୁ ‘ଅର୍ଡିନେଟର’ ବୋଲି କହନ୍ତି। ଦ୍ବିତୀୟ କଥା ହେଲା, ସପ୍ତାହକୁ ୩୫ ଘଣ୍ଟାରୁ ଅଧିକ ସମୟ କାମ କରୁଥିବା ବ୍ୟକ୍ତିଙ୍କୁ ସେଠିକାର ସ୍ଥାନୀୟ ଲୋକେ ସମ୍ମାନ ଦିଅନ୍ତି ନାହିଁ। ସେଠାକାର ଜୀବନ ଅବସର ବିନୋଦନ, ନାଚ, ଗୀତ ଓ ଚିତ୍ରକଳା ଇତ୍ୟାଦିକୁ ଗୁରୁତ୍ବ ଦିଏ। ଖାଲି କାମକୁ ଗୁରୁତ୍ବ ଦେଉଥିବା ଲୋକ ପ୍ୟାରିସ୍‌ରେ ପରିହାସର ପାତ୍ର। ତୃତୀୟ କଥା ଫରାସୀ ଅଭିଧାନରେ ନୂଆ ଶବ୍ଦଟିଏ ଯୋଡ଼ିବାକୁ ହେଲେ ଫ୍ରେଞ୍ଚ ଏକାଡେମୀ ସେ ବିଷୟ‌େ‌ର ପ୍ରଥମେ ଚର୍ଚ୍ଚା କରେ। ଫରାସୀ ଲୋକେ ନିଜର ମାତୃଭାଷା ନେଇ ଭୀଷଣ ସ୍ପର୍ଶକାତର। ଆପଣ ଯେତେ କହିଲେ ସୁଦ୍ଧା ସେମାନେ ଇଂରେଜୀ କହିବେ ନାହିଁ, ଆପଣଙ୍କୁ ଫ୍ରେଞ୍ଚ ଶିକ୍ଷା କରିବାକୁ ହେବ। ପ୍ୟାରିସ୍‌ର ମୁଖ୍ୟରାସ୍ତା ଦି’କଡ଼େ ଥିବା ଘରଗୁଡ଼ିକ ଦେଢ଼ଶହ ବର୍ଷ ତଳେ ଯେମିତି ଦିଶୁଥିଲା ଆଜି ମଧ୍ୟ ସେମିତି ଦିଶୁଛି। ସେଇ ରଙ୍ଗ, ସେଇ ଢଙ୍ଗ। ଆପଣଙ୍କ ଘର ଯଦି ରାସ୍ତା ପାର୍ଶ୍ବରେ ହୋଇଥାଏ ତାହାହେଲେ ପ୍ରତି ପାଞ୍ଚ ବର୍ଷରେ ଥରେ ଆପଣଙ୍କୁ ମରାମତି ଓ ରଙ୍ଗ ଦେଇ ଘରକୁ ଚକ୍‌ଚକ୍ କରିବାକୁ ପଡ଼ିବ। ଆପଣଙ୍କ ଅବହେଳା ପାଇଁ ପ୍ୟାରିସ୍ ଅସୁନ୍ଦର ଦିଶିବ, ତାହା ସେଠାରେ ଗ୍ରହଣଯୋଗ୍ୟ ନୁହେଁ। ଏହା ପ୍ୟାରିସ୍‌ର ଆଇନ।
ସେନ୍ ନଦୀବକ୍ଷରେ ପ୍ୟାରିସ୍ ଅଲିମ୍ପିକ୍‌ସ ଉଦ୍‌ଘାଟନ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସେନ୍ ଅଧ୍ୟାୟର କିଛି ପ୍ରଭାବ ଯଦି ଆମ ଉପରେ ପଡ଼େ, ତାହାହେଲେ ଆମର ନଦୀଗୁଡ଼ିକ ମଧ୍ୟ ଭବିଷ୍ୟତ୍‌ରେ ସୁନ୍ଦର ଦିଶିବ।
ମୋ: ୯୪୩୭୦୭୭୨୮୮