ଗୌରହରି ଦାସ

Advertisment

ଗତ ୧୫ ତାରିଖ ଦିନ ଭଦ୍ରକଜିଲ୍ଲା ବାସୁଦେବପୁର ଏନ୍‌ଏସିର ରାଧାବଲ୍ଲଭପୁର ଗ୍ରାମର ଦୁଇ ଜଣ ବାଳକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ମରିଯାଇଛନ୍ତି। ତାଙ୍କ ଭିତରୁ ରାଜେନ୍ଦ୍ର ବେହେରାର ବୟସ ୧୭ ବର୍ଷ ଓ ଜ୍ୟୋତିର୍ମୟ ବେହେରାର ବୟସ ୧୪ ବର୍ଷ ଥିଲା। ଏହା ଆଗରୁ ୫ ତାରିଖ ଦିନ ସରସ୍ବତୀ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ଦୁଇଜଣ ସ୍କୁଲ ପିଲା କୁଆଖାଇ ନଈରେ ବୁଡ଼ି ଯାଇଥିଲେ। ଅକାଳରେ ପ୍ରାଣ ହରାଇଥିବା ସେହି ଯୋଡ଼ିକ ଯାକ ପିଲା ୧୫ ବର୍ଷ ବୟସର ଥିଲେ। ଜଣକର ଘର ଭୁବନେଶ୍ବରର ୬ ନମ୍ବର ୟୁନିଟରେ ଏବଂ ତା’ ନାଅଁା ଦିବ୍ୟଜ୍ୟୋତି ମହାଳିକ ଏବଂ ଆରଜଣକର ନାମ ସିକୁନ ସେନାପତି ଓ ତା’ ଘର ଗଙ୍ଗନଗରରେ ଥିଲା। ସେହି ଦିନ ଆଉଜଣେ ବାର ବର୍ଷର କିଶୋର ମଧ୍ୟ ପାଣିରେ ବୁଡ଼ି ମରିଯାଇଥିଲା। ସେ ପିଲାଟି ଷଷ୍ଠ ଶ୍ରେଣୀରେ ପଢୁଥିଲା ଏବଂ ଢେଙ୍କାନାଳର କାଶିଆଡ଼ିହି ଗଁାର ଗୋଟେ ପୋଖରୀରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ଯାଇଥିଲା। ସେ ପିଲାଟିର ନାମ ଆଶିଷ ପ୍ରଧାନ।
୨୦୨୩ ମସିହାରେ ‘ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ ଗତ ସାତ ବର୍ଷରେ ଓଡ଼ିଶାର ୧୦ ହଜାର ଲୋକ ପାଣିରେ ବୁଡ଼ି ପ୍ରାଣ ହରେଇଛନ୍ତି। ଓଡ଼ିଶାରେ ଘଟୁଥିବା ଏ ବିପର୍ଯ୍ୟୟ-ମୃତ୍ୟୁ ଭିତରୁ ସବୁଠୁ ବେଶି ଲୋକ ପାଣିରେ ବୁଡ଼ି ମରୁଛନ୍ତି। ୨୦୧୬ରୁ ୨୦୨୨ ଭିତରେ ୯୯୮୨ ଜଣ ବୁଡ଼ି ମରିଥିବାବେଳେ କେବଳ ୨୦୨୨ରେ ୧୪୭୬ ଜଣ ପାଣିରେ ବୁଡ଼ି ପ୍ରାଣ ହରେଇଥିଲେ। ସେହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଓଡ଼ିଶାରେ ହାରାହାରି ଦିନକୁ ୪ଟି ଜୀବନ ପାଣିରେ ବୁଡ଼ି ନଷ୍ଟ ହେଉଛି।
୧୯୯୨ ମସିହା ସେପ୍‌ଟେମ୍ବର ୨ ତାରିଖରେ ଭୁବନେଶ୍ବର ଷ୍ଟୁଆର୍ଟ ସ୍କୁଲର ଜଣେ ଛାତ୍ର ଏକାମ୍ର ପାର୍କ ଭିତରେ ଥିବା ପୋଖରୀରେ ଗଣେଶ ମୂର୍ତ୍ତି ବିସର୍ଜନ କରୁଥିବାବେଳେ ବୁଡ଼ି ଜୀବନ ହରେଇଥିଲା। ସେ ପିଲାଟି ଥିଲା ପ୍ରଖ୍ୟାତ ଅଭିନେତା-ନିର୍ଦ୍ଦେଶକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଶାନ୍ତ ନନ୍ଦଙ୍କର ବଡ଼ପୁଅ। ଘଟଣାଟି ଅତ୍ୟନ୍ତ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା। ସେ ସମୟରେ ବିଶିଷ୍ଟ ସମାଜସେବୀ ଶ୍ରୀ ପଦ୍ମଚରଣ ନାୟକ ‘ସମ୍ବାଦ’ରେ ଏକ ଚିଠି ପ୍ରକାଶ କରାଇଥିଲେ। ସଂପୂର୍ଣ୍ଣ ଚିଠିଟା ଏଇ ଲେଖକର ସ୍ମରଣରେ ନ ଥିଲେ ସୁଦ୍ଧା ତାହାର ମର୍ମ ମନେ ଅଛି। ସେ ଲେଖିଥିଲେ, ନଦୀନାଳ ଘେରା, ସମୁଦ୍ର ଉପକୂଳବର୍ତ୍ତୀ ଓଡ଼ିଶାର ପିଲାଏ ପାଣିରେ ବୁଡ଼ି ମରିବା ବିଡ଼ମ୍ବନା ଭିନ୍ନ ଆଉ କ’ଣ ହୋଇପାରେ? ଆମେମାନେ କଥାକଥାରେ ଆମର ପୂର୍ବପୁରୁଷ ସାତ ସମୁଦ୍ର ତେର ନଈ ପାରି ହୋଇ ବିଦେଶକୁ ଯାଇଥିବା କଥା କହୁ। ଆମ ପରମ୍ପରା ଏବଂ ସଂସ୍କୃତି ଦୁର୍ଦ୍ଦର୍ଷ ଜଳଯାତ୍ରାର ଇତିହାସ। ଅଥଚ ଆମ ପିଲାଏ ସନ୍ତରଣ ଜାଣି ନ ଥିବାରୁ ପୋଖରୀ ପାଣିରେ ବୁଡ଼ି ଅକାଳରେ ପ୍ରାଣ ହରାଉଛନ୍ତି।
ଏହି ଜଳଡୁବି ଦୁର୍ଘଟଣାକୁ ରୋକିବା କ’ଣ ଅସମ୍ଭବ?
ବର୍ତ୍ତମାନ କେନ୍ଦ୍ର ସରକାର ନୂଆ ଶିକ୍ଷାନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ସଂଯୋଗବଶତଃ ଆମ ରାଜ୍ୟର ସାଂସଦ ଏବେ ଭାରତର ଶିକ୍ଷାମନ୍ତ୍ରୀ। ଗତ ୧୦ ତାରିଖ ‘ସମ୍ବାଦ’ରେ ସେ ଏକ ପ୍ରବନ୍ଧ ଲେଖି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଓ ଜୀବନଯୁଦ୍ଧ ପାଇଁ ସଫଳତାର ମନ୍ତ୍ର ବତେଇଛନ୍ତି। ଏକଥା ସତ ଯେ ପୃଥିବୀରେ ଦୁଇଟି କଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ କଥା ହେଲା ସୂର୍ଯ୍ୟ, ଯାହା ବାହାରର ଅନ୍ଧକାର ଦୂର କରିଥାଏ; ଅାରଟି ହେଲା ବିଦ୍ୟା, ଯାହା ଆମ ଭିତରର ଅନ୍ଧକାର ଦୂର କରିଥାଏ। ବିଦ୍ୟାର ଦୁଇଟି ଦିଗ ଅଛି, ପୋଥିଗତ ପାଠ ଏବଂ ବ୍ୟାବହାରିକ କୌଶଳ। ଏ ଲେଖକ ଭାରତର ଶିକ୍ଷାମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ର ପ୍ରସ୍ତାବ ଦେବାକୁ ଚାହେଁ- ଆଉ ଯାହା ହେଉଛି ହେଉ ଉପକୂଳବର୍ତ୍ତୀ ଓଡ଼ିଶାର ପ୍ରତ୍ୟେକ ମାଇନର୍ ଓ ହାଇସ୍କୁଲରେ ସନ୍ତରଣ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଉ। କମ୍ପ୍ୟୁଟର୍ ଲାବରେଟରି ପଛେ ଛଅ ମାସ ବିଳମ୍ବରେ ତିଆରି ହେଉ ମାତ୍ର ସ୍କୁଲ ପରିସରର ଖେଳପଡ଼ିଆ ସହିତ ପୋଖରୀଟିଏର ବ୍ୟବସ୍ଥା କରାଯାଉ। ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ କହୁଛନ୍ତି, ସାର୍ଟିଫିକେଟ୍ ବଡ଼ କଥା ନୁହେଁ, ଦକ୍ଷତା ହେଉଛି ବଡ଼ କଥା। କେଉଁ ପ୍ରକାର ଶିକ୍ଷା ଦେଲେ ପିଲାଏ ନିଯୁକ୍ତି ପାଇବେ, ସୁଦକ୍ଷ ହେବେ ଏବଂ ସେ ଶିକ୍ଷାକୁ ସାରା ଜୀବନ କାମରେ ଲଗେଇ ପାରିବା ସହ ନିଜର ଜୀବନକୁ ବଞ୍ଚେଇ ପାରିବେ ସେ କଥାଟି ସିଲାବସ୍‌ ପ୍ରଣୟନରେ ଅଗ୍ରପ୍ରାଧାନ୍ୟ ପାଉ।
ସନ୍ତରଣ ଶିକ୍ଷା ପ୍ରସଙ୍ଗ ଆଲୋଚନା କଲାବେଳେ ସମସ୍ତେ ଜାଣିଥିବା ଏକ ଲଘୁକଥା ସ୍ମରଣକୁ ଆସୁଛି। ଜଣେ ପଣ୍ଡିତ ଏକଦା ନଈ ପାର ହେବା ସମୟରେ ନିଜର ପ୍ରୌଢ଼ି ଦେଖାଇବା ପାଇଁ ବିଚରା ନାଉରିଆକୁ ବେଦ, ଉପନିଷଦ ଓ ଶାସ୍ତ୍ର ସମ୍ବନ୍ଧରେ ପ୍ରଶ୍ନମାନ ପଚାରି ଚାଲିଥିଲେ। ପ୍ରତ୍ୟେକ ଥର ଏ ପ୍ରଶ୍ନର ଉତ୍ତରରେ ନାଉରିଆ ନିଜ ଅଜ୍ଞତା ପ୍ରକାଶ କରୁଥାଏ ଓ ପ୍ରତିଥର ପଣ୍ଡିତ କହୁଥାଆନ୍ତି ତୁମର ଜୀବନ ଚାରଣା, ତା’ପରେ ଅାଠଣା ଓ ଶେଷକୁ ବାରଣା ନଷ୍ଟ ହେଲା। ଏହି ସମୟରେ ଝଡ଼ତୋଫାନ ଆସିଲା ଏବଂ ଡଙ୍ଗାରେ ପାଣି ପଶିଗଲା। ଏଥର ନାଉରିଆ ପଣ୍ଡିତଙ୍କୁ ପଚାରୁଛି, ‘‘ଆପଣଙ୍କୁ ପହଁରା ଆସେ କି?’’ ବିଷଣ୍ଣ ପଣ୍ଡିତ ଉତ୍ତର ଦେଉଛନ୍ତି, ‘‘ନ‌ା’’। ତାହା ହେଲେ ଆପଣଙ୍କ ଜୀବନ ଏବେ ଶହେରୁ ଶହେ ନଷ୍ଟହେଲା କହି ନାଉରିଅାଟି ନଦୀକୁ ଲମ୍ଫ ଦେଇଛି ଓ କୂଳ ଅାଡ଼କୁ ସନ୍ତରଣ କରିବାକୁ ଲାଗିଛି। ପାଣି ପଶିଥିବା ନୌକା ଓ ପହଁରା ଜାଣି ନ ଥିବା ପଣ୍ଡିତ ଉଭୟଙ୍କର ଦଶା କ’ଣ ହେଲା ସେକଥା ନ କହିଲେ ସୁଦ୍ଧା ସମସ୍ତେ ବୁଝିପାରୁଥିବେ। ଓଡ଼ିଶାର ଛାତ୍ରମାନେ ପଣ୍ଡିତଙ୍କର ବିଜ୍ଞତା ହାସଲ କରନ୍ତୁ ମନା ନାହିଁ, ମାତ୍ର ନାଉରିଆର ସନ୍ତରଣ କୌଶଳ ଜାଣିବା ଦରକାର। ରାଜଧାନୀର ଧନୀ ଓ ସଂଭ୍ରାନ୍ତ ସ୍କୁଲମାନଙ୍କରେ ପାଞ୍ଚବର୍ଷିଆ ପିଲାଙ୍କୁ ସ୍କୁଲରେ ପହଁରା ଶିଖାଯାଉଛି। ଦିନକୁ ଗୋଟିଏ ଘଣ୍ଟା ପହଁରା ଶିଖିଲେ, ମାସଟିଏ ଭିତରେ ଯେ କୌଣସି ପିଲା ପହଁରା ଶିଖିଯିବ, ଯାହା ତା’ର ସାରା ଜୀବନ କାମରେ ଆସିବ। ପୁଣି ପୋଖରୀଟିଏ ଖୋଳିବା ସେଭଳି କିଛି ବଡ଼କଥା ମଧ୍ୟ ନୁହେଁ। ସରକାର ‘ମୋ ପୋଖରୀ’ ଯୋଜନା କରୁଛନ୍ତି, ‘ଆମ ସ୍କୁଲ ପୋଖରୀ’ ଯୋଜନାକୁ ତହିଁରେ ଯୋଡ଼ିପାରିବେ। ବିଦ୍ୟାଳୟ ପାଖରେ ଜମି ନ ଥିଲେ ଗ୍ରାମର ଯେ କୌଣସି ପୋଖରୀରେ ସନ୍ତରଣ ଶିକ୍ଷାର ବ୍ୟବସ୍ଥା କରାଇପାରିବେ। ବିଦ୍ୟାଳୟର କ୍ରୀଡ଼ା ଓ ସନ୍ତରଣ ଶିକ୍ଷକ ସବୁ ପ୍ରକାର ସତର୍କତାର ସହ ଏ କାର୍ଯ୍ୟଟି ନିର୍ବାହ କରିପାରିବେ। ଏତକ ହୋଇପାରିଲେ ଆମର ପିଲାଏ ଏମିତି ଗଣେଶ ଓ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବା ନାଳ ପାରି ହେବାବେଳେ ଅସହାୟ ଭାବରେ ବୁଡ଼ି ମରିବେ ନାହିଁ।
ସନ୍ତରଣ ସାଙ୍ଗକୁ ଆଉ ଯୋଉ କୌଶଳଟି ଓଡ଼ିଶାର ଯୁକ୍ତ ୨ ବା ଯୁକ୍ତ ୩ ପିଲାଏ ଶିଖିବା ଆବଶ୍ୟକ ବୋଲି ଏହି ଲେଖକର ମତ, ତାହା ହେଲା ଗାଡ଼ି ଚଳାଇ ଶିଖିବା। ଆମ ରାଜ୍ୟରେ ଅନଭିଜ୍ଞ ଡ୍ରାଇଭରମାନଙ୍କ ଦାୟିତ୍ବହୀନ ଗାଡ଼ି ଚାଳନା ଯୋଗୁଁ ବହୁ ପ୍ରାଣ ଅକାଳରେ ଝଡ଼ିଯାଉଛି। ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଓଡ଼ିଶାର ମୃତ୍ୟୁ ହାର ଜାତୀୟ ହାରଠାରୁ ଅଧିକ। ଗତ କିଛିମାସ ମଧ୍ୟରେ ଭୁବନେଶ୍ବରରେ ‘ମୋ ବସ୍’ଗୁଡ଼ିକ ଘଟାଇଥିବା ଦୁର୍ଘଟଣା ଦେଖିବା ପରେ ସେ ବସ୍‌ର ଡ୍ରାଇଭରମାନଙ୍କ ଦକ୍ଷତା ଉପରେ ସନ୍ଦେହ ଆସୁଛି। ଓଡ଼ିଶାରେ ବର୍ଷକୁ ୬ ହଜାର ସଡ଼କ ଦୁର୍ଘଟଣା ଘଟୁଛି ଏବଂ ଏହା କ୍ରମାଗତ ଭାବେ ବଢ଼ିଚାଲିଛି। ଯୁକ୍ତ ୨ ବା ୩ ସ୍ତରରୁ ପିଲାମାନଙ୍କୁ ଭଲଭାବେ ଚାରିଚକିଆ ଡ୍ରାଇଭିଂ ଶିକ୍ଷା ଦେଲେ ସେମାନେ ନିଜେ ଗାଡ଼ି ଚଳାଇ ପାରିବେ ଏବଂ ସେଥିରେ ଦୋରସ୍ତ ହେବେ। ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା କମିବ। ଓଡ଼ିଶାର ସବୁ ପିଲା ଯେ ପାଠପଢ଼ି କେବଳ ବଡ଼ ଚାକିରିକୁ ଯିବେ ତାହା ନୁହେଁ, ପ୍ରତିବର୍ଷ ହଜାର ହଜାର ଯୁବକ ଗାଡ଼ି ଚାଳକ ବୃତ୍ତି ଗ୍ରହଣ କରିବେ। ସେମାନେ ଅଠର, ଊଣେଇଶ ବର୍ଷର ହେଲାବେଳକୁ ନିଶ୍ଚିତ ନିଯୁକ୍ତି ପାଇଁ ଏକ କୌଶଳ ହାତେଇ ପାରିଥିବେ। ଏଥିପାଇଁ ପ୍ରତି ମାଧ୍ୟମିକ ସ୍କୁଲକୁ ଗୋଟିଏ ଯୋଡ଼ିଏ ଜିପ୍ ଯୋଗାଇଦେଲେ ଗାଡ଼ି ଚାଳନା ତାଲିମ କାର୍ଯ୍ୟ ହୋଇପାରିବ। ବହୁ ଛାତ୍ର ମାଟ୍ରିକ୍ ବା ଯୁକ୍ତ ୨ ପରେ ଆଉ ପଢ଼ିବାର ସୁଯୋଗ ପାଉନାହାନ୍ତି। ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି, କୋରାପୁଟ, ବୌଦ୍ଧ, କନ୍ଧମାଳ ଭଳି ଜିଲ୍ଲାରେ ଏହିଭଳି ଛାତ୍ରଙ୍କ ସଂଖ୍ୟା ଖୁବ୍ ବେଶି। ସେମାନେ ଏହି ବ୍ୟବସ୍ଥା ଦ୍ବାରା ବିଶେଷ ଉପକୃତ ହେବେ। ଏହାଛଡ଼ା ଗାଡ଼ି ଚାଳନା ଶିକ୍ଷା ଜୀବନ ସାରା କାମକୁ ଆସିବ।
ଓଡ଼ିଶାର ପିଲାମାନଙ୍କ ଭିତରେ ମେଧାର ଅଭାବ ନାହିଁ। ମାତ୍ର ଯୋଉ କଥାର ଅଭାବ ଅଛି ତାହା ହେଲା ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଓ ଆବଶ୍ୟକ ଭିତ୍ତିଭୂମି। ଏଇ ଅଭାବ ଯୋଗୁଁ ଓଡ଼ିଆ ମାଧ୍ୟମ ସ୍କୁଲରୁ ପିଲା କମି କମି ଚାଲିଛନ୍ତି। ଇଂରେଜୀ ମାଧ୍ୟମ ସ୍କୁଲରେ ପିଲାଙ୍କ ଭିଡ଼ ବଢ଼ିଚାଲିଛି। ସେଠାରେ ପିଲାଙ୍କୁ ପାଠପଢ଼ା ସହ ପହଁରା, ଭାଷଣ ଦେବା, ସମ୍ବାଦ ପାଠ କରିବା, ଗୀତ ଓ ବାଜା ଶିଖିବା, କମ୍ପ୍ୟୁଟର୍ ଚଳାଇବା ଓ ପେଣ୍ଟିଂ କରିବା ଆଦି ଅନେକ କଥା ଶିକ୍ଷା ଦିଆଯାଉଛି। ଆମର ସରକାରୀ ସ୍କୁଲଗୁଡ଼ିକ ସରକାରଙ୍କ ସ୍କୁଲ। ଆମ ଦେଶର ସ୍କୁଲ। ସରକାରୀ ସ୍କୁଲ ପାଖେ ଆବଶ୍ୟକ ଭିତ୍ତିଭୂମି ଓ ତାଲିମପ୍ରାପ୍ତ ଶିକ୍ଷକ ରହିବା ଆବଶ୍ୟକ। ସେମାନେ ଛାତ୍ର ଭିତରର ଅନ୍ଧାର ସହ ବାହାରର ଅନ୍ଧକାରକୁ ଦୂର କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିକଟ‌େର ସତ୍ୟବାଦୀ ବନ ବିଦ୍ୟାଳୟ କଥା କହିଛନ୍ତି। ମହୁ ଚାଷ ଠାରୁ ଟସର ଚାଷ, ଜୋତା ସିଲେଇ ପାଖରୁ ରୋଷେଇ କାର୍ଯ୍ୟ, ଗୀତ ଗାଇବା ଠାରୁ ବକ୍ତୃତା ଦେବା କାର୍ଯ୍ୟ- ଏ ସବୁର ଜୀବନରେ ପ୍ରୟୋଜନ ଅଛି। ପ୍ରକୃତି ଓ ପରିବେଶକୁ ପିଲାଟି କିଭଳି ଭଲପାଇବ ସେ ବିଦ୍ୟା ମଧ୍ୟ ଶିକ୍ଷକମାନେ ଶିକ୍ଷା ଦେବା ଦରକାର। ବର୍ଷାରେ ଭିଜିବା, ଖରାର ମହତ୍ତ୍ବ ବୁଝିବା, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସହ ପୂର୍ଣ୍ଣିମା-ଅମାବାସ୍ୟାର ପାର୍ଥକ୍ୟ ନ ବୁଝି କିମ୍ବା ଗଛ, ଫୁଲ, ଫଳ ଓ କଢ଼ିର ଗୁରୁତ୍ବ ନ ବୁଝି ଜଣେ ଛାତ୍ର ବା ଛାତ୍ରୀ ସଂପୂର୍ଣ୍ଣ ମଣିଷ ହେବ କିପରି? ଏସବୁ ସ୍କୁଲ ଜୀବନରେ ହିଁ ପିଲାଙ୍କୁ ଶିକ୍ଷାଦେବା ଦରକାର। ରାଜ୍ୟ ସରକାର ଗୋଟିଏ ବ୍ଲକ୍‌ରେ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା କଥା କହୁଛନ୍ତି। ମାତ୍ର ତାହା କ’ଣ ଯଥେଷ୍ଟ? ସରକାର ଏକଥା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ।
ଓଡ଼ିଶାର ସ୍କୁଲଗୁଡ଼ିକରେ ପାଠ ପଢୁଥିବା ପିଲାଏ ମୁଖ୍ୟତଃ ବହିଘୋଷା ମେସିନ ହୋଇ ବାହାରୁଛନ୍ତି। ସେମାନଙ୍କର ଶାରୀରିକ ଦକ୍ଷତା ବୃଦ୍ଧି, ଯଥା କ୍ରୀଡ଼ା, ସନ୍ତରଣ, ପର୍ବତ ଆରୋହଣ ଆଦି ଦିଗରେ ଯୋଗ୍ୟତା ସୀମିତ। ଜାପାନରେ ନଅରୁ ବାର ବର୍ଷର ପିଲାଙ୍କୁ ମାଉଣ୍ଟ ଫୁଜି ପାହାଡ଼ ଚଢ଼ିବାକୁ ନିଆଯାଏ। ସାଙ୍ଗରେ ମାଆମାନଙ୍କୁ ଯିବାକୁ ଅନୁମତି ମିଳେନାହିଁ। କାଳେ ସେମାନେ ପିଲାଙ୍କ ଦୁର୍ଦ୍ଦଶା ଦେଖି କାନ୍ଦି ପକାଇବେ। ୨୦୧୨ରେ ପୂର୍ବ ଜାପାନର ଭୂମିକମ୍ପ ପରେ ଜୁନ୍‌କୋ ତାବେଇ ନାମକ ଜଣେ ପର୍ବତାରୋହୀ ଗୋଟିଏ ପ୍ରକଳ୍ପ ଆରମ୍ଭ କଲେ- ଯୋଉଥିରେ ତୋଇବୁ ସ୍କୁଲର ପିଲାମାନଙ୍କୁ ମାଉଣ୍ଟ ଫୁଜି ଆରୋହଣର ବ୍ୟବସ୍ଥା କରାଯାଇଥିଲା। ଏବେ ତାଙ୍କର ପୁଅ ସେ ପ୍ରକଳ୍ପ କଥା ବୁଝୁଛନ୍ତି। ଜାପାନର ରାଜା ଓ ରାଣୀ ତାଙ୍କୁ ଏ କାମ ପାଇଁ ପ୍ରଶଂସା କରିଥିଲେ। ଆମର ସ୍କୁଲ ପିଲାମାନେ, ଯୋଉମାନଙ୍କ ଘର ନିକଟରେ ଛୋଟ ପାହାଡ଼ ଅଛି, ସେମାନଙ୍କୁ ଏହା ଶିକ୍ଷାଦେବାର ବ୍ୟବସ୍ଥା କରାଯିବା ଭଲ। ଜଣେ ଛାତ୍ର ତା’ ଜୀବନରେ କ’ଣ ହେବ, କ’ଣ କରିବ ଓ କେଉଁଭଳି ନିଜର ଜୀବିକା ନିର୍ବାହ କରିବ ତାହା କେହି କହିପାରିବେ ନାହିଁ। ମାତ୍ର ପ୍ରଶାସନ ଓ ଅଭିଭାବକମାନେ ତାକୁ ଆକାଶରେ ଉଡ଼ିବା ଠାରୁ ପାଣିରେ ବୁଡ଼ିବା, ପାହାଡ଼ ଚଢ଼ିବା ଠାରୁ ଉଚ୍ଚ ସ୍ଥାନରୁ ଲମ୍ଫ ପ୍ରଦାନ କରିବା ଭଳି ଶାରୀରିକ କୌଶଳ ଶିକ୍ଷାଦେବା ଦିଗରେ ଉଦ୍ୟମ କରିବା ଦରକାର। ମନସ୍ତତ୍ତ୍ବବିଦ୍‌ମାନେ କହିଛନ୍ତି ଯେ ଯୋଉ ପିଲା ଯେତେ କମ୍ ବୟସରୁ ସନ୍ତରଣ ବା ପାହାଡ଼ ଚଢ଼ା ଶିଖେ ସେ ସେତେ ଶୀଘ୍ର ଶିଖିଯାଏ। ବୟସ୍କ ଓ ବଡ଼ ପିଲାମାନେ ବେଶି ଡରନ୍ତି, ସବୁବେଳେ ଲାଭ-କ୍ଷତି କଥା ଚିନ୍ତା କରନ୍ତି। ମାତ୍ର ସାନ ସାନ ପିଲା ପରିଣତିକୁ ଭ୍ରୂକ୍ଷେପ ନ କରି ଆଗକୁ ମାଡ଼ିଯାନ୍ତି। ଆମର ଶିକ୍ଷାନୁଷ୍ଠାନ ଶାରୀରିକ ପରିଶ୍ରମ, ସବୁ ପ୍ରକାର କାମକୁ (ରୋଷେଇଠୁଁ ନେଇ ଜୋତା ସିଲେଇ ପର୍ଯ୍ୟନ୍ତ) ସମ୍ମାନ ଦେବା ଓ ବହି ପାଠ ସହିତ ବହି ବାହାର ପାଠ ଶିକ୍ଷା ଦିଗରେ ବିଶେଷ ତତ୍ପରତା ଦେଖାଇବା ଉଚିତ। ବହି ପାଠ ପ୍ରୟୋଜନ ମାତ୍ର ସନ୍ତରଣ ପରି କୌଶଳ ତାହା ଠାରୁ ଅଧିକ ପ୍ରୟୋଜନ।
(ମତାମତ ଲେଖକଙ୍କ ନିଜସ୍ବ)
େମା: ୯୪୩୭୦୭୭୨୮୮