ଗୌରହରି ଦାସ

Advertisment

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରତି ଘଣ୍ଟାରେ ପୃଥିବୀରେ ୧୦୦ ଜଣ ଲୋକ ନିଃସଙ୍ଗତାରେ ପୀଡ଼ିତ ହୋଇ ଆତ୍ମହତ୍ୟା କରୁଛନ୍ତି। ହାରାହାରି ପ୍ରତି ଛଅ ଜଣରେ ଜଣେ ଏହି ରୋଗରେ ପୀଡ଼ିତ ଏବଂ ଏହି ନିଃସଙ୍ଗତା ବ୍ୟାଧିରେ ପଡ଼ି ପ୍ରତି ବର୍ଷ ୮ ଲକ୍ଷ ୭୧ ହଜାର ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ଘର ଅଛି, ପିଲାଏ ଅଛନ୍ତି- ଅଥଚ କେହି କାହାକୁ ପଚାରୁ ନାହାନ୍ତି। କୋଉଠି ବୁଢ଼ା ବାପ କିମ୍ବା ମାଆଟିଏ ଉପେକ୍ଷିତ ହୋଇ ଶଢୁଛି। ଅାଉ କୋଉଠି ଯୁବକ କିମ୍ବା ଯୁବତୀଟିଏ ନିଜେ ନିଜକୁ ଅଲୋଡ଼ା ମଣି ନିଃସଙ୍ଗତା ଭିତରକୁ ଠେଲି ହୋଇଯାଉଛି ଏବଂ ଆତ୍ମହତ୍ୟା କରିଦେଉଛି। ଏ ପ୍ରକାର ନିଃସଙ୍ଗତା ଭୋଗୁଥିବା ଲୋକଙ୍କ ଭିତରେ କିଶୋର-କିଶୋରୀ ବୟସର ଲୋକଙ୍କ ସଂଖ୍ୟା ପୁଣି ବେଶି। ମଣିଷର ସବୁଠୁ ବଡ଼ ଖୁସି ହେଲା ସେ ଲୋଡ଼ା ପଡ଼ିବା, ସବୁଠୁ ବଡ଼ ଦୁଃଖ ହେଲା ଅଲୋଡ଼ା ଅନୁଭବ କରିବା। ପ୍ରତ୍ୟେକ ଲୋକକୁ ତା’ ଜୀବନ ସୁନ୍ଦର, ମଧୁର ଓ ପ୍ରିୟ ଲାଗେ, କିନ୍ତୁ ଯେତେବେଳେ ପରିସ୍ଥିତି ତା’ ପାଇଁ ଅସହ୍ୟ ହୋଇପଡ଼େ, ସେ ଅନୁଭବ କରେ ଯେ ତା’ ପାଖରେ କେହି ନାହିଁ ଯିଏ ତା’ କଥା ଶୁଣିବ, ତାକୁ ବିଶ୍ବାସ କରିବ ବା ତାକୁ ନ୍ୟାୟ ଦେବ। ସେତେବେଳେ ସେ ନିଜକୁ ଗୋଟେ ବ୍ୟର୍ଥ ମଣିଷ ବୋଲି ଭାବେ।
ନିକଟରେ, ବାଲେଶ୍ବରରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣାକୁ ମଧ୍ୟ ଏହି ପର୍ଯ୍ୟାୟରେ ନିଆଯାଇପାରେ। ଏ ପ୍ରକାର ଦୁର୍ଘଟଣାର ଅସଲ କାରଣ ଜାଣିବା ଲାଗି ତଦନ୍ତ ଚାଲିଛି। ତେଣୁ ଶେଷ ସିଦ୍ଧାନ୍ତ ଭାବରେ କିଛି ଗୋଟିଏ ଉଲ୍ଲେଖ କରିବା ଏଠାରେ ଉଚିତ ହେବ ନାହିଁ। କିନ୍ତୁ ସେତିକିବେଳେ ଝିଅଟିଏ ଚରମ ନିଷ୍ପତ୍ତି ନେବାକୁ ସ୍ଥିର କରେ ଯେତେବେଳେ ସେ ବିଶ୍ବାସ କରେ ଯେ ଏହି ଯୁଦ୍ଧରେ ତା’ ସହ ଠିଆହେବା ଲାଗି ଆଉ କେହି ନାହିଁ। ସେ ନିଃସଙ୍ଗ, ଅଲୋଡ଼ା।
ବାଲେଶ୍ବର ଘଟଣାକୁ ନେଇ ସାମାଜିକ ଓ ରାଜନୈତିକ ପରିସରରେ କୋହ ଏବଂ କ୍ରୋଧ ଦେଖାଦେଇଛି। ଏ ପ୍ରକାର ଅଘଟଣ ବାରମ୍ବାର ଘଟିବାର କାରଣ କ’ଣ ବୋଲି ସାମାଜିକ ଗଣମାଧ୍ୟମରେ ବିଚାର ବିମର୍ଷ ହେଉଛି। ବାସ୍ତବରେ ଭାରତୀୟ ସାମାଜିକ ବ୍ୟବସ୍ଥା ଓ ମୂଲ୍ୟବୋଧର ଦରବାରରେ ନାରୀଟିଏ ସବୁବେଳେ ଦ୍ବିତୀୟ ଶ୍ରେଣୀର ନାଗରିକ ହୋଇ ରହିଛି। ଅନେକେ ତ ତାକୁ ବସ୍ତୁ ପର୍ଯ୍ୟାୟରେ ଦେଖିଥାନ୍ତି। ମହାଭାରତରେ କୁରୁ ରାଜସଭାରେ ବିବସନା ହେବାର ଅବ୍ୟବହିତ ପୂର୍ବରୁ, ତାଙ୍କୁ ଦ୍ୟୂତକ୍ରୀଡ଼ାର ବାଜି ରୂପେ ଲଗାଇଥିବା ଧର୍ମରାଜ ଯୁଧିଷ୍ଠିରଙ୍କୁ, ପତ୍ନୀ ଦ୍ରୌପଦୀ ଗୋଟିଏ ପ୍ରଶ୍ନ ପଚାରିଥିଲେ- ‘‘ନାରୀ ଜଣେ ବ୍ୟକ୍ତି ନା ଗୋଟେ ବସ୍ତୁ?’’ ଆଜି ମଧ୍ୟ ଦ୍ରୌପଦୀଙ୍କର ସେହି ପ୍ରଶ୍ନଟି ଅନୁତ୍ତରିତ ରହିଛି। ନିକଟରେ ଗୁରୁଗାଓଁର ଜଣେ କିଶୋରୀ ଟେନିସ ଖେଳାଳିଙ୍କୁ ତାଙ୍କର ନିଜ ବାପା ଗୁଳି କରି ମାରିଦେବାର ଖବର ପ୍ରକାଶ ପାଇଥିଲା। ଏହାର କାରଣ ତା’ ଝିଅ ତାଙ୍କର କଥା ମାନି ନ ଥିଲା ବୋଲି ବାପାଙ୍କର ଯୁକ୍ତି। ଅର୍ଥାତ୍, ଝିଅଟିଏର ଅଲଗା କିଛି ଯୁକ୍ତି ବା ମତ ରହିବ, ତାହାକୁ ପୁରୁଷପ୍ରଧାନ ସମାଜର ପ୍ରତିନିଧି ଏହି ବାପାଟି ଗ୍ରହଣ କରିପା‌ରିଲେ ନାହିଁ। ଏ ପ୍ରକାର ମାନସିକତାର ବଶବର୍ତ୍ତୀ ବ୍ୟକ୍ତି କେବଳ ସିଏ ଏକାକୀ ନୁହନ୍ତି, ସେମାନଙ୍କର ସଂଖ୍ୟା କୋଟି କୋଟି। ମାତ୍ର ଏ ଧରଣର ମାନସିକତାର କାରଣ କ’ଣ? ଆମେ କାହିଁକି ଝିଅ ବା ନାରୀଟିଏର ସମସ୍ୟାକୁ ଗୁରୁତ୍ବ ଦେଇ ନ ଥାଉ। ଅଭିଯୋଗଟି ସଂପୂର୍ଣ୍ଣ ଶୁଣିବା ଆଗରୁ, ତୁମର ନିଶ୍ଚୟ କିଛି ଭୁଲ୍ ଥିବ- ଏପରି ଏକ ଧାରଣାର କରାୟତ୍ତ ହୋଇଯାଉ? 
ପୁରୁଷପ୍ରଧାନ ସମାଜରେ ନାରୀର ଦୟନୀୟ ସ୍ଥିତିର ଅନେକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି। ଭ୍ରୂଣରୁ ନେଇ ମରଣ ପର୍ଯ୍ୟନ୍ତ ଜୀବନର ସବୁ ସ୍ତରରେ ଆମେ କିଭଳି ନାରୀକୁ ଦ୍ବିତୀୟ ସ୍ଥାନ ଦେଇଥାଉ, ତାହାକୁ ଗୌଣ ଚରିତ୍ର ଭାବେ ଗ୍ରହଣ କରୁ ଏବଂ ପ୍ରତି କଥାରେ ତାକୁ ହିଁ ଦୋଷ ଦେଇଥାଉ ସେ ବିଷୟରେ ବହୁବାର ଆଲୋଚନା ହୋଇଛି। ଏନେଇ ଆମ ସାହିତ୍ୟ ଓ ଚଳଚ୍ଚିତ୍ର ମଧ୍ୟ କମ୍ ମୁଖର ନୁହନ୍ତି। ପିଲାଟି ଦିନରୁ ଗୋଟିଏ ଝିଅ ଭିତରେ ଆମେ ଏଭଳି ଧାରଣା ଭର୍ତ୍ତି କରିଚାଲୁ ଯେ ସେ ଭାବିବାକୁ ବାଧ୍ୟ ହୁଏ ଯେ ସେ ଅବାଞ୍ଛିତା। ତାକୁ ଜନ୍ମଦେଇ ତା’ର ପିତାମାତା, ତାକୁ ବଞ୍ଚିବାକୁ ଦେଇ ସମାଜ ଓ ଈଶ୍ବର ସମସ୍ତେ ତା’ ପ୍ରତି କୃପା ପ୍ରଦର୍ଶନ କରିଛନ୍ତି। ତା’ର ସାନଭାଇ ପଡ଼ିଆରେ ଯାଇ ଖେଳିପାରିବ, ମାତ୍ର ତାକୁ ଘର ଭିତରେ ଉପଲବ୍‌ଧ ଖେଳଣା ସହିତ ଖେଳି ଅବସର ବିତେଇବାକୁ ପଡ଼ିବ। ଖୁବ୍ ସାନ ଦିନରୁ ତାକୁ କହିଦିଆଯିବ ଯେ ସେ କୌଣସି କଥାରେ ମୁହଁ ଖୋଲିବା ଆଶା କରାଯାଏ ନାହିଁ, ତା’ ସମ୍ବନ୍ଧରେ ନିଷ୍ପତ୍ତି ନେବା ଲାଗି ଘରେ ଅନ୍ୟମାନେ ଅଛନ୍ତି। ଘ‌େର ଖାଇବା ପରଶା ଯିବାବେଳେ ବାପା ଓ ପୁଅ ଆଗେ ଖାଦ୍ୟ ଥାଳି ପାଇବେ, ତା’ପରେ ଭୋକିଲା ଝିଅର ପାଳି। ପାଠପଢ଼ା କ୍ଷେତ୍ରରେ ପୁଅ-ଝିଅ ଭିତରେ କିଭଳି ପାତରଅନ୍ତର କରାଯାଏ ତାହା ଆମେ ସମସ୍ତେ ଜାଣନ୍ତି। ‘ରେବତୀ’ (୧୮୯୮) ଗଳ୍ପ ସମୟରୁ ଆମର ମାନସିକତାରେ ଖୁବ୍ ବେଶି ପରିବର୍ତ୍ତନ ହୋଇନାହିଁ। ଯଦି ଝିଅ ପିଲାଙ୍କ ପାଇଁ ସରକାରଙ୍କ ପାଠପଢ଼ା ନିମନ୍ତେ ଅଧିକ ସୁଯୋଗ ନଥାନ୍ତା ଅନେକ ଝିଅ ପଢ଼ିବାକୁ ଆସିପା‌ରନ୍ତେ ନାହିଁ। ପିତାମାତା ସର୍ବଦା ଭାବନ୍ତି ଯେ ପୁଅ ପିଛେ ଖର୍ଚ୍ଚ ହେଲା ପୁଞ୍ଜି ଲଗାଣ, ଝିଅ ପିଛେ ଖର୍ଚ୍ଚ ହେଲା ଅପବ୍ୟୟ। ନା ଝିଅଟିଏ ବୁଢ଼ାକାଳେ ପୋଷିବ ନା ସେବାଯତ୍ନ କରିବ ନା ମଲାପରେ ପିଣ୍ଡଦାନ କରିବ ନା ବଂଶରକ୍ଷାରେ ସହାୟକ ହେବ। କିରଣ ବେଦୀ ତାଙ୍କର ଏକ ପ୍ରବନ୍ଧରେ କେତୋଟି ପ୍ରତ୍ୟକ୍ଷଦର୍ଶୀ ଉଦାହରଣ ଦେଇଛନ୍ତି। ଗୋଟିଏ ଜାଗାରେ ସେ ଦେଖିଲେ ଯେ ବାପାମା’ଙ୍କୁ ଦୁଇ ପୁଅ ଓ ଝିଅ ଆଇସକ୍ରିମ ଖାଇବାକୁ ମାଗିଲେ। ବାପାମା’ ସ୍ବଚ୍ଛଳ। ତଥାପି ଝିଅକୁ କୁହାଗଲା- ଦୁଇ ଭାଇ ଆଇସକ୍ରିମ ଖାଆନ୍ତୁ, ତୁ ଅ‌ାଉ ଦିନେ ଖାଇବୁ। ଏଇ ଲେଖକ ପୁରୀ ଜିଲ୍ଲାର ଏକ ସଂଭ୍ରାନ୍ତ ପରିବାରରେ ଲକ୍ଷ୍ୟ କରିଛି- ଭାଇକୁ ଚକୁଳି, ମୁଢ଼ି‌େଛନା ଜଳଖିଆ ଦିଆଯାଏ, ତା’ ଭାଗରେ ପଡ଼େ ମାଛ ମଝି ନ ହେଲେ ମୁଣ୍ଡ, ଝିଅ ଭାଗରେ ପଖାଳ, ମାଛ ଲାଞ୍ଜ! ଝିଅଟିଏ କୌଣସି ପ୍ରତିଯୋଗିତାରେ ଜିଣି ପୁରସ୍କାର ସ୍ବରୂପ କିଛି ଗୋଟାଏ ଜିନିଷ ଆଣିଲା। ଘରେ ପହଞ୍ଚୁ ପହଞ୍ଚୁ ତା’ର ସାନଭାଇ ସେଇ ଜିନିଷଟିକୁ ନେବାକୁ ଅଳି କରିବାରୁ ସାଙ୍ଗେ ସାଙ୍ଗେ ବାପା ନିଷ୍ପତ୍ତି ନେଇଗଲେ- ତାକୁ ଦେଇ ଦେ। ଅର୍ଥାତ୍ ଝିଅ ହୋଇଥିବାରୁ ସେ ନିଜର ଟ୍ରଫି ମଧ୍ୟ ନିଜେ କିଛିକ୍ଷଣ ଧରି ଖୁସି ହେବ ନାହିଁ। ସତେ କି ତା’ର ବିଜୟ ଆକସ୍ମିକ ଅଥବା ତାତ୍ପର୍ଯ୍ୟହୀନ ବୋଲି ଶ୍ରୀମତୀ ବେଦୀ ଉଲ୍ଲେଖ କରିଛନ୍ତି।
ଭାରତୀୟ ପରିବାର କଥା ବିଚାର କରାଯାଉ। ‌େ‌କତେଜଣ ପୁଅଙ୍କୁ ପିଲାଦିନୁ ରୋଷେଇ କାମରେ ମା’ଙ୍କୁ ସାହାଯ୍ୟ କରିବାକୁ କୁହାଯାଏ? ବାସନ ଖଣ୍ଡିଏ ଧୋଇ ଦେବା ପାଇଁ ବା ଚୂଲି ଲଗେଇବାରେ ସାହାଯ୍ୟ କରନ୍ତି କେତେଜଣ ପୁଅ? କମ୍ ବୟସର ଝିଅ ବାସନ ଧୋଇବ, ଲୁଗା କାଚିବ, ରୋଷେଇରେ ସାହାଯ୍ୟ କରିବ, ଟେବୁଲରୁ ଅଇଁଠା ବାସନ ଉଠେଇବ। ଏହି ଭାରତୀୟ ଯୁବକମାନେ ଆମେରିକା କି ୟୁରୋପ ଗଲେ ତ ବଢ଼ିଆ ରୋଷେଇ କରୁଛନ୍ତି, ବାସନ ଧୋଉଛନ୍ତି ଏବଂ ପରିବା କାଟୁଛନ୍ତି। ନିଜ ଦେଶରେ ଆମେ ଏସବୁ କାମ କାହିଁକି ପୁଅ ପିଲାଙ୍କୁ ଶିଖାଇବା ନାହିଁ? ଏହା ପଛରେ କ’ଣ ଯୁକ୍ତି ଅଛି? ଗୋଟେ ସମୟ ଥିଲା ‌େଯତେବେଳେ ପୁଅ ବା ପୁରୁଷ କେବଳ ଉପାର୍ଜନ କରୁଥିଲା, ମହିଳା ଘରେ ରହି ଗୃହକାର୍ଯ୍ୟ ବୁଝୁଥିଲା। ଏବେ ତ ସେ ସମୟ ନାହିଁ। ତାହା ସତ୍ତ୍ବେ, ଏ ଧରଣର ପାତରଅନ୍ତର କାହିଁକି? ବୃତ୍ତିରେ ପୁଣି ଲିଙ୍ଗଭେଦ କାହିଁକି? ଏ କଥା ପୁଣି ସତ ଯେ କୌଣସି ଘରେ କେହି ସ୍ବାମୀଟିଏ ଯଦି ତା’ ସ୍ତ୍ରୀଙ୍କୁ ରୋଷେଇ କାମରେ ସାହାଯ୍ୟ କରୁଥିବା କଥା କହେ, ତା’ ହେଲେ ଅନ୍ୟ ପୁରୁଷବନ୍ଧୁମାନେ ତାକୁ ନ୍ୟୂନ ଦୃଷ୍ଟିରେ ଦେଖନ୍ତି।
ଆମ ପରିବାର ଭିତରେ ବିଭିନ୍ନ କଥାରେ ଆମେ ପୁଅମାନଙ୍କୁ ଗୁରୁତ୍ବ ଦେଇଥାଉ। ଯଥା ପୋଷାକ କିଣା, ପାଠପଢ଼ାର ବିଷୟ ନିର୍ବାଚନରେ, ସ୍ବାଧୀନତା, ନିର୍ବାଚନ, ବୁଲାବୁଲି- ସବୁ କଥାରେ ପୁଅକୁ ପ୍ରାଧାନ୍ୟ ଦେଉ। ତେଣୁ ପିଲାଦିନୁ ପୁଅଟିଏ ଭାବେ ସିଏ ଉଚ୍ଚସ୍ତରର ପ୍ରାଣୀ। ଝିଅମାନେ ତା’ ପାଖରେ ତୁଚ୍ଛ। ଏ ଧାରଣା ବଢ଼ି ବଢ଼ି ଦିନେ ବିଷବୃକ୍ଷରେ ପରିଣତ ହୁଏ। ସୁରକ୍ଷା, ନିରାପତ୍ତା ନାମରେ ଝିଅଟିଏ ନାଟକ, ସିନେମା କି ମେଳା ବୁଲିବାକୁ ଯାଇପାରେ ନାହିଁ। ଆମ ସମାଜ ତାକୁ ସେ ନିରାପତ୍ତା ଯୋଗାଇ ପାରେନାହିଁ କି ପିତାମାତାମାନେ ସେ କଥାକୁ ପ୍ରାଥମିକତା ଦିଅନ୍ତି ନାହିଁ। ବିବାହ ପରି ଗୁରୁତ୍ବପୂର୍ଣ୍ଣ କଥାରେ ସୁଦ୍ଧା ଝିଅମାନଙ୍କ ମତାମତକୁ ଆମେ ଆଜି ପର୍ଯ୍ୟନ୍ତ ପ୍ରାଥମିକତା ଦେଇପାରି ନାହୁଁ।
ଝିଅମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ଦୁର୍ବଳ ହେବା ପଛରେ ଗଣମାଧ୍ୟମ, ଚଳଚ୍ଚିତ୍ର, ସଂଗୀତ ଓ ନାଟକର ବହୁତ ଭୂମିକା ରହିଛି। ଗତ ପଚିଶ ବର୍ଷ ଭିତରେ ଚଳଚ୍ଚିତ୍ରରେ ବ୍ୟବହୃତ ଗୀତଗୁଡ଼ିକ ଉପରେ କେବଳ ଥରେ ନଜର ବୁଲେଇ ଅଣାଯାଉ। କୋଉଠି ତାକୁ ଫେଭିକଲ, କୋଉଠି ବିଡ଼ି, କୋଉଠି ଖଟିଆ- କି କି ଅଶ୍ଳୀଳ ଓ କଦର୍ଯ୍ୟ ରୂପରେ ଚିତ୍ରଣ କରା ନ ଯାଇଛି! ନୈତିକତା, ମୂଲ୍ୟବୋଧ, ଆଦର୍ଶ- ଏସବୁ ଆଜି ସତେ କି ଅଚଳ ମୁଦ୍ରା। ଏ ଦିଗରେ ଆମର ଶିକ୍ଷା ବ୍ୟବସ୍ଥା ବିକଳ ଭାବରେ ବିଫଳ। ଶିକ୍ଷିତା ମା’ମାନେ ପ୍ରଥମେ ତାଙ୍କ ପରିବାରରୁ ଏ ଆନ୍ଦୋଳନ ଆରମ୍ଭ କରିବା ଦରକାର। ଝିଅ-ପୁଅଙ୍କୁ ଅଲଗା ଅଲଗା ଦୃଷ୍ଟିରେ ନ ଦେଖି ପୁଅକୁ ରୋଷେଇ କାମରେ ସାହାଯ୍ୟ କରିବାକୁ କୁହନ୍ତୁ, ଝିଅକୁ ମାର୍କେଟରୁ ସଉଦା କିଣିବାର ସ୍ବାଧୀନତା ଦିଅନ୍ତୁ। ଖାଇବା ଟେବୁଲରେ ଉଭୟେ ସାଙ୍ଗ ହୋଇ ବସନ୍ତୁ, କିଏ କ’ଣ ପଢ଼ିବ ତାହା ଉପରେ ସମାନ ଗୁରୁତ୍ବ ଦିଆଯାଉ। ସବୁଠାରୁ ବଡ଼ କଥା ଉଭୟଙ୍କୁ ମନ କଥା‌ କହିବା ପାଇଁ ସମାନ ସୁବିଧା ଓ ସୁଯୋଗ ଦିଆଯାଉ। ବାହାଘର ପ୍ରସଙ୍ଗରେ ପୁଅ ପରି ଝିଅର କଥାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉ ଏବଂ ସଂପତ୍ତିରେ ତା’ର ଅଧିକାର ଚୂଡ଼ାନ୍ତ କରାଯାଉ। ଝିଅମାନଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟକୁ ମୂଳରୁ ନିରୁତ୍ସାହିତ କରାଯିବା ଜରୁରି। ପୁଅ ଜନ୍ମ ହେଲେ ଲଡୁ ବାଣ୍ଟିବା ଓ ଝିଅ ଜନ୍ମ ହେଲେ କବାଟ କିଳି କାନ୍ଦିବା କାର୍ଯ୍ୟ ସମାଜରେ କି ମୂଲ୍ୟବୋଧ ସୃଷ୍ଟି କରୁଛି? ଝିଅମାନଙ୍କୁ ପାଳିବା ଦିଗରେ ବହୁତ ସମୟ, ଶ୍ରମ ଦିଆସରିଲାଣି। ଏବେ ପୁଅମାନଙ୍କୁ ଠିକଣା ଢଙ୍ଗରେ ପାଳିବା ଉଭୟ ପରିବାର ଓ ସମାଜର ପ୍ରାଥମିକତା‌ ହେବା ଉଚିତ।
ନାରୀର ବଡ଼ ଦୁର୍ବଳତା ହୋଇପଡ଼ିଛି ତା’ର ମାତୃତ୍ବ। ସେ ଗର୍ଭଧାରଣ କରେ, ମଣିଷ ଛୁଆକୁ ଜନ୍ମ ଦିଏ। ତାହା ହିଁ ତା’ ପାଇଁ ବେଡ଼ି ହୋଇଯାଏ। ଜଘନ୍ୟ ଅପରାଧ କରି ପୁରୁଷ ମୁଣ୍ଡ ଟେକି ବାଟ ଚାଲେ, ନିର୍ଦ୍ଦୋଷ ଝିଅଟିଏ ବଳାତ୍କାରର ଶିକାର ହୋଇଥିବା ଯୋଗୁଁ ନିଅଁା-ପେଟ୍ରୋଲ ନ ହେଲେ ରଶି, ଦଉଡ଼ି ଖୋଜେ। କି ଚରମ ବିଡ଼ମ୍ବନା। ମହାଭାରତରେ ଦ୍ରୌପଦୀ ଆତ୍ମାହୂତି ଦେଇ ନ ଥିଲେ। ଅପମାନର ସମ୍ମୁଖୀନ ହେବା ପରେ କେଶ ମୁକୁଳା କରି ଶପଥ ନେଇଥିଲେ- ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବେ। ପ୍ରତ୍ୟେକ ଝିଅ ମନେ ରଖିବା ଉଚିତ ଯେ ତାଙ୍କର ପରାଜୟ ପରପିଢ଼ିର ହଜାର ହଜାର ଝିଅଙ୍କ ମନୋବଳ ଦୁର୍ବଳ କରିବ, ଅଥଚ ତାଙ୍କର ବିଜୟ ହଜାର ହଜାର ଝିଅଙ୍କ ମନୋବଳ ଦୃଢ଼ କରିବ। ସେମାନଙ୍କର ଲଢ଼େଇ ଶହ ଶହ ବର୍ଷର ରୁଗ୍‌ଣ ମାନସିକତା, ‌େମୗଳବାଦୀ ଚିନ୍ତାଧାରା ଏବଂ ପାତରଅନ୍ତର ନୀତି ବିରୋଧରେ ଲଢ଼େଇ। ତେଣୁ ଏ ଲଢ଼େଇ ସହଜ ନୁହେଁ; କିନ୍ତୁ ଏହା ଅସମ୍ଭବ ମଧ୍ୟ ନୁହେଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮