ଗୌରହରି ଦାସ

Advertisment

୧୭ ମାର୍ଚ୍ଚ ୨୦୨୫ ମଧ୍ୟାହ୍ନରେ ପୁରୀ ସ୍ବର୍ଗଦ୍ବାର ସମ୍ମୁଖର ଅସ୍ଥିର ସମୁଦ୍ର ଏବଂ ଚାରିପଟର ଅନ୍ୟମନସ୍କ କୋଳାହଳ ମଝିରେ ଯେଉଁ କବି ଜଣଙ୍କର ପାର୍ଥିବ ଶରୀର ଚିତାରେ ଜଳି ଭସ୍ମ ହୋଇଗଲା ସେହି କବିଙ୍କର କବିତା ଥିଲା ଆମର ଅପରିଚିତ, ଅର୍ଦ୍ଧ ପରିଚିତ ଓ ପରିଚିତ ଆକାଂକ୍ଷାର ନୀଳ ଯୋଗଫଳ। ସେହି ଅଣଈଶ୍ବର କବି ରମାକାନ୍ତ ରଥ ଥିଲେ ସମକାଳୀନ ଭାରତୀୟ କବିତାର ଶ୍ୟାମଳ ସାରାଂଶ।
ପ୍ରାୟ ତିରିଶ ବର୍ଷ ତଳେ ଥରେ କବି ରମାକାନ୍ତ ରଥଙ୍କୁ ପଚାରିଥିଲି, ‘‘ଆପଣଙ୍କ ବିଚାରରେ କାହାକୁ କବି କୁହାଯିବ?’’ ଉତ୍ତରରେ ସେ କହିଥିଲେ, ‘‘ପାପ ଓ ପରିତ୍ରାଣ, ଉଭୟ ପ୍ରତି ସମାନ ଭାବେ ଆକୃଷ୍ଟ ବ୍ୟକ୍ତିକୁ କବି କୁହାଯାଇପାରେ।’’ ତାଙ୍କର ଏହି ଉତ୍ତରର ପ୍ରତିଧ୍ୱନି ତାଙ୍କ କବିତାର ପଙ୍‌କ୍ତିମାନଙ୍କରେ ଶୁଣାଯାଇଥାଏ। ସେଥିପାଇଁ ତାଙ୍କର ଆବେଦନ ଅକପଟ, ଅନ୍ତରଙ୍ଗ, ସାନ୍ଦ୍ର ଓ ଦୀର୍ଘସ୍ଥାୟୀ।
ଆଧୁନିକ ଭାରତୀୟ କବିତାର ଇତିହାସରେ ରମାକାନ୍ତ ରଥ ଯଥାର୍ଥରେ ଶିଖର ସ୍ୱାକ୍ଷର। ୧୯୬୨ରେ ତାଙ୍କର ପ୍ରଥମ କବିତା ସଂକଳନ ‘କେତେ ଦିନର’ ପ୍ରକାଶନ ସହ ସେ ଓଡ଼ିଆ କବିତା ରାଜ୍ୟରେ ଯେଉଁ ଆଲୋଡ଼ନ ସୃଷ୍ଟି କରିଥିଲେ ଶେଷ ପର୍ଯ୍ୟନ୍ତ ସେଥିରେ ଭଟ୍ଟା ପଡ଼ି ନ ଥିଲା। ଓଡ଼ିଆ କାବ୍ୟ ସାହିତ୍ୟର ପାରଂପରିକ ଭାବ ସାଙ୍ଗକୁ ଆଧୁନିକ କବିତାର ବିଶ୍ଳେଷଣାତ୍ମକ ଦୃଷ୍ଟିଭଙ୍ଗୀ ତାଙ୍କର କବିତାଗୁଡ଼ିକୁ ଈର୍ଷଣୀୟ ସ୍ତରକୁ ନେଇ ଯାଇଥିଲା। ୧୯୮୫ରେ ପ୍ରକାଶିତ ତାଙ୍କର ବହୁ ପ୍ରଶଂସିତ ‘ଶ୍ରୀରାଧା’ ଆଜି ପର୍ଯ୍ୟନ୍ତ ଲୋକପ୍ରିୟତା ଦୃଷ୍ଟିରୁ ଅନତିକ୍ରମଣୀୟ କବିତା ସଂକଳନ ହୋଇ ରହିଛି। ‘ଶ୍ରୀରାଧା’ର ‘ରାଧା’ ଏକ ବ୍ୟକ୍ତିସତ୍ତା ନା ଭାବସତ୍ତା ସେ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘‘ଯଦି ଭାବସତ୍ତାର ଅର୍ଥ ହୁଏ ଯେ, ତାହା ଏପରି ଏକ ସତ୍ତା ଯାହା କଳ୍ପନା ଦ୍ୱାରା ଉପଲବ୍‌ଧି କରିହୁଏ ସିନା ପ୍ରତ୍ୟକ୍ଷ ଅନୁଭୂତିରେ ହୁଏ ନାହିଁ, ତାହା ହେଲେ ‘ଶ୍ରୀରାଧା’ ବ୍ୟକ୍ତିସତ୍ତା। ଯଦି ବ୍ୟକ୍ତିସତ୍ତାର ଅର୍ଥ ହୁଏ ଯେ ତାହା ଏକ ନିର୍ଦ୍ଦିଷ୍ଟ ନାମ ବିଶିଷ୍ଟ ନାରୀ (ବା ପୁରୁଷ)ର ସତ୍ତା, ତାହା ହେଲେ ସେ ଭାବସତ୍ତା।’’ ‘ଶ୍ରୀରାଧା’ଙ୍କ ପ୍ରସଙ୍ଗରେ ସେ ପୁଣି କହିଥିଲେ, ‘‘ମୋ ଦୃଷ୍ଟିରେ ଶ୍ରୀରାଧା ଦେବୀ ହୋଇ ପ୍ରେମ କରି ନ ଥିଲେ, ପ୍ରେମ କରି ଦେବୀ ପାଲଟିଗଲେ। ଦେବଦେବୀଙ୍କର ପ୍ରେମ ଏତେ ପ୍ରଗାଢ଼ ନୁହେଁ କାରଣ ମରିବାର ଆତଙ୍କରେ ସେ ପ୍ରେମ ଲହୁଲୁହାଣ ନୁହେଁ। ପ୍ରେମ ଓ ନିଜର ପବିତ୍ରତା ଭିତରେ ଦ୍ୱନ୍ଦ୍ୱ ସେମାନେ ଅନୁଭବ କରନ୍ତି। ଶ୍ରୀରାଧାଙ୍କ ପରି ପ୍ରେମିକା ସେପରି ଦ୍ୱନ୍ଦ୍ୱ ଆଦୌ ଅନୁଭବ କରନ୍ତି ନାହିଁ, ବହୁ ପବିତ୍ରତା ଜଳାଞ୍ଜଳି ଦେଇ ସେମାନେ ପବିତ୍ର ହୋଇଯାନ୍ତି ଓ ପ୍ରେମକୁ ଜନ୍ମଜନ୍ମାନ୍ତର ଧରି ପବିତ୍ର କରିଦିଅନ୍ତି।’’ କେବଳ ‘ଶ୍ରୀରାଧା’ ନୁହେଁ ରମାକାନ୍ତ ରଥ ‘କେତେ ଦିନର’ ଠାରୁ ଆରମ୍ଭ କରି ‘ନଥିବା ଜଣକ’ ପର୍ଯ୍ୟନ୍ତ ପ୍ରତ୍ୟେକ ସଂକଳନରେ ନିଜକୁ ସୁନ୍ଦରତମ କବିତାର ସ୍ରଷ୍ଟା ଭାବରେ ପ୍ରତିଷ୍ଠିତ କରିଛନ୍ତି। ‘ଶ୍ରୀରାଧା’ର ପରବର୍ତ୍ତୀ ସଂକଳନ ‘ଶ୍ରୀ ପଳାତକ’ ଓଡ଼ିଆ କବିତାରେ ଅନ୍ୟ ଏକ ଆନନ୍ଦ ବିସ୍ମୟ। 
ରମାକାନ୍ତ ରଥଙ୍କର ଜନ୍ମ ୧୯୩୪ ମସିହା ଡିସେମ୍ବର ୧୩ ତାରିଖ। ଜନ୍ମସ୍ଥାନ ପୁରୀ ଜିଲ୍ଲାର ଶାସନ ଦାମୋଦରପୁର। ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ରଥ ଓ ମାଆଙ୍କର ନାମ ଦୁର୍ଗାଦେବୀ। ଗାଁ ସ୍କୁଲ୍‌, ଭବାନୀପାଟଣା, ବଲାଙ୍ଗୀର ଏବଂ ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜରେ ପଢ଼ିବା ପରେ ୧୯୫୬ରେ ସେ କଟକର ରେଭେନ୍‌ସା କଲେଜରୁ ଇଂରାଜୀ ସାହିତ୍ୟରେ ଏମ୍‌.ଏ. ପାସ୍ କରି ସେଇଠି ଅଧ୍ୟାପକ ଭାବେ ଯୋଗଦେଇଥିଲେ। ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ପର୍ଯ୍ୟନ୍ତ ସେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ପଦପଦବିରେ କାର୍ଯ୍ୟ କରିଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଇଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଏବଂ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଏହି ଅନୁଷ୍ଠାନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।
ନିଜର ସାହିତ୍ୟ ସାଧନା ପାଇଁ କବି ରମାକାନ୍ତ ରଥ ବହୁ ସମ୍ମାନ ଓ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ। ସେଗୁଡ଼ିକ ମଧ୍ୟରୁ କେତୋଟି ହେଲା- ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, କବୀର ସମ୍ମାନ, ଶାରଳା ପୁରସ୍କାର, ବିଷୁବ ସମ୍ମାନ, ଗଙ୍ଗାଧର ଜାତୀୟ କବିତା ପୁରସ୍କାର ଏବଂ ପଦ୍ମଭୂଷଣ ସମ୍ମାନ। ସେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ଭାବେ ଏହି ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କର ପ୍ରମୁଖ କବିତା ସଂକଳନଗୁଡ଼ିକ ହେଲା- (୧) କେତେ ଦିନର, (୨) ଅନେକ କୋଠରୀ, (୩) ସନ୍ଦିଗ୍‌ଧ ମୃଗୟା, (୪) ସପ୍ତମ ଋତୁ, (୫) ସଚିତ୍ର ଅନ୍ଧାର, (୬) ଶ୍ରୀରାଧା, (୭) ଶ୍ରୀ ପଳାତକ, (୮) ସୀମାନ୍ତବାସ, (୯) ଫେରି ଚାହିଁଲେ, (୧୦) ସବୁଦିନେ ସେପାଖେ, (୧୧) ଜାହାଜ ଆସିବ ଓ ଆଉ କେତୋଟି, (୧୨) ପବନରେ ଚିତ୍ରାଙ୍କନ, (୧୩) ନ ଯା କହୁ କହୁ, (୧୪), ଦୁଆର ଏପଟୁ ଏବଂ (୧୫) ନ ଥିବା ଜଣକ। ‘ଅନେକ କୋଠରୀ’ ଓ ‘ସପ୍ତମ ଋତୁ’ ସମ୍ବନ୍ଧରେ ପ୍ରଫେସର ଆଦିକନ୍ଦ ସାହୁ ଲେଖିଥିଲେ, ‘ଅନେକ କୋଠରୀ’ କବିତା ଗ୍ରନ୍ଥର ଅଧିକାଂଶ କବିତାରେ ଜଣେ ପୋଖତ ଦାର୍ଶନିକ ଭାବେ ଜୀବନ, ସମୟ ଓ ମୃତ୍ୟୁର ଅନୁଭବ ବିଷୟରେ ସେ (ରମାକାନ୍ତ) ବାରମ୍ବାର ସଚେତନ ହୋଇଛନ୍ତି। ରମାକାନ୍ତ ରଥଙ୍କ କବିତା ଓ କାବ୍ୟଶୈଳୀ ସଂପର୍କରେ ଡକ୍ଟର କୁମୁଦ ଚନ୍ଦ୍ର ଦାଶ ଲେଖିଛନ୍ତି, ‘କେତେ ଦିନର’ ତାଙ୍କର ମାନସିକ ସ୍ଥିତି ଓ ବ୍ୟକ୍ତିତ୍ୱର ଚିତ୍ରମୟ ଅଭିବ୍ୟକ୍ତି ହୋଇଥିବାବେଳେ ‘ଅନେକ କୋଠରୀ’ହେଉଛି ବହୁତଳ ବିଶିଷ୍ଟ ମାନସଲୋକର ବିଭିନ୍ନ ସ୍ତର। ସ୍ତରୀକୃତ ବ୍ୟକ୍ତିତ୍ୱର ବିଭିନ୍ନ କକ୍ଷ ଏଥିରେ ଉଦ୍‌ଘାଟିତ। ‘ସନ୍ଦିଗ୍‌ଧ ମୃଗୟା’ ମୃଗୟୁ ବ୍ୟକ୍ତି-ମନସ୍ତତ୍ତ୍ୱର ଅଦ୍ଭୁତ, ଅନିଶ୍ଚିତ ଓ ଦ୍ୱନ୍ଦ୍ୱଗ୍ରସ୍ତ ସ୍ୱଭାବର ପରିପ୍ରକାଶ। ‘ସପ୍ତମ ଋତୁ’ରେ ଅଛି ନିତ୍ୟ ଆବର୍ତ୍ତିତ ଲୌକିକ ଷଡ଼ଋତୁର ବାହାରେ ପୁନଃମିଳନ ଓ ପୁନଃପୁନଃ ଆଗମନର ସମ୍ଭାବନାମୟ ଆତ୍ମିକ ଉପଲବ୍ଧି। ‘ସଚିତ୍ର ଅନ୍ଧାର’ ଚିତ୍ରିତ ଅନ୍ଧକାରକୁ ଲାଭ କରିବା ପାଇଁ ଉତ୍ତୋଳିତ ଦୁଇ ହସ୍ତର ପ୍ରସାରଣ। ସେହିପରି ‘ସୀମାନ୍ତବାସ’ ସ୍ଥିତିବାଦର ସୀମାନ୍ତ ପରିସ୍ଥିତି ଭିତରେ ମୃତ୍ୟୁର ଆଲେଖ୍ୟ।’’ 
କବି ରମାକାନ୍ତ ରଥଙ୍କ କବିତାରେ ମୃତ୍ୟୁ ଚେତନା ଅତ୍ୟନ୍ତ ପ୍ରତ୍ୟକ୍ଷ ବୋଲି ବହୁ ସମାଲୋଚକ ମତ ଦେଇଛନ୍ତି। ଅନୁରୂପ ଭାବରେ ଏହି ସଂସାରରୁ ଚାଲିଯିବାକୁ ପଡ଼ିବ- ମଣିଷର ଏହି ଅନିବାର୍ଯ୍ୟତାର ସ୍ୱର ରମାକାନ୍ତଙ୍କ ଅଧିକାଂଶ କବିତାର ନେପଥ୍ୟରେ ଉପସ୍ଥିତ। ଏହାର ଅର୍ଥ ନୁହେଁ ଯେ ସେ ଏହି ପୃଥିବୀକୁ ଆଉ କାହାଠାରୁ ଊଣା ପ୍ରେମ କରନ୍ତି ବା ଏହାକୁ ଅନ୍ତରଙ୍ଗ ଭାବେ ଲୋଡ଼ିବସନ୍ତି ନାହିଁ। ସେ ଏ ପୃଥିବୀର ସକଳ ସ୍ଥାବର-ଜଙ୍ଗମଙ୍କୁ ଶ୍ରଦ୍ଧା କରନ୍ତି। ପାପ-ପୁଣ୍ୟର ଧରାବନ୍ଧା ନିୟମରେ ସେ କାହାର ମୂଲ୍ୟାୟନ କରିବସନ୍ତି ନାହିଁ। ସେଥିପାଇଁ ତାଙ୍କର ‘ଚନ୍ଦ୍ରମାର ଚୂଡ଼ି’ କବିତା ଚନ୍ଦ୍ରା ବେହେରାଣୀ ଚରିତ୍ରକୁ ଏକ ଅମର ଚରିତ୍ରରେ ପରିଣତ କରିପାରିଛି। ସେ ମୃତ୍ୟୁ ଚେତନାର କବି, ପୁଣି ପ୍ରେମର କବି। ତାଙ୍କ କବିତାରେ ବ୍ୟକ୍ତି ଓ ବିଶ୍ୱ ଉଭୟ ରହିଥାନ୍ତି। ତାଙ୍କର କବିତାଗୁଡ଼ିକ ବୁଝିବା କ୍ଷେତ୍ରରେ ବିଭିନ୍ନ ସଂକଳନରେ ସେ ଲେଖିଥିବା ‘ପୃଷ୍ଠବନ୍ଧ’ଗୁଡ଼ିକ ସହାୟକ ହୋଇଥାଏ। ଏତଦ୍‌ଭିନ୍ନ ତାଙ୍କର ଅନେକ ପ୍ରବନ୍ଧ ଓ ଅଭିଭାଷଣ ରହିଛି ଯେଉଁଥିରେ ସେ ନିଜ କବିତାର ଆଭିମୁଖ୍ୟ, ସୀମାହୀନତା ଓ ସୀମାବଦ୍ଧତା ପରି ପ୍ରସଙ୍ଗ ଆଲୋଚନା କରିଛନ୍ତି। ‘କବିପଣ’ ଶୀର୍ଷକ ଏକ ପ୍ରବନ୍ଧରେ କବି ଲେଖିଛନ୍ତି, ‘‘ଏକ ଭୟାବହ ଯୁଦ୍ଧ ଗୋଟିଏ ଉପନ୍ୟାସର ବା ଗଳ୍ପର ବା କବିତାର ବିଷୟବସ୍ତୁ ହୋଇପାରେ। ସେ ଯୁଦ୍ଧରେ ନ୍ୟାୟ କାହା ପକ୍ଷରେ, ଅନ୍ୟାୟ କାହା ପକ୍ଷରେ ସେ ବିଷୟରେ ଲେଖକର ନିଜସ୍ୱ ମତ ରହିପାରେ; କିନ୍ତୁ ସେ ମତ ଅପେକ୍ଷା ତା ପକ୍ଷରେ ଯୁଦ୍ଧର ବିଭୀଷିକା ବେଶି ତାତ୍ପର୍ଯ୍ୟପୂର୍ଣ୍ଣ। ପକ୍ଷ ନିର୍ବିଶେଷରେ ବହୁତ ଲୋକଙ୍କ ସଂସାର ଉଜୁଡ଼ିଯାଇଛି, ସୂର୍ଯ୍ୟୋଦୟ ଦେଖିବା ବହୁତ ଲୋକଙ୍କ ଭାଗ୍ୟରୁ ପୋଛି ହୋଇଯାଇଛି, ପୃଥିବୀରେ ଯନ୍ତ୍ରଣାର ପରିମାଣ ବଢ଼ିଯାଇଛି। ଦ୍ୱିତୀୟ ମହାଯୁଦ୍ଧ ବେଳେ ଯେଉଁ ହଜାର ହଜାର ଇହୁଦୀଙ୍କୁ ଅମାନୁଷିକଭାବେ ହତ୍ୟା କରାଗଲା ସେମାନଙ୍କ ଶୂନ୍ୟସ୍ଥାନ କେହି ପୂରଣ କରିପାରିବେନାହିଁ, ସେ ଶୂନ୍ୟସ୍ଥାନରେ ଶୁଭୁଥିବା କାନ୍ଦଣା ଲେଖକକୁ ଯୁଗେ ଯୁଗେ ଶୁଭୁଥିବ। ସଚେତନ ଭାବେ ତା’ର ମତ ଯାହା ହେଉନା କାହିଁକି, ସେ ଏହି ମରିଯାଇଥିବା ଲୋକଙ୍କ ପକ୍ଷର, ସେହି ପରିବାରଙ୍କ ପକ୍ଷର ଯାହାଙ୍କର କେହି ଜଣେ ଯୁଦ୍ଧକୁ ଯାଇ ଆଉ ଫେରିଲା ନାହିଁ। ଲେଖକ ଏ ଯନ୍ତ୍ରଣାକୁ ଆତ୍ମସ୍ଥ କଲାବେଳେ ଜାଣେ ଯେ ଏହାର ଅନୁଭୂତି ହିଁ ସତ୍ୟ, ବାକି ସବୁ ଜୀବନଦର୍ଶନ, ମତବାଦ ଇତ୍ୟାଦି ଅସତ୍ୟ, ଅନ୍ତତଃ ଅପ୍ରାସଙ୍ଗିକ। ଏ ଅନୁଭୂତିକୁ ବ୍ୟକ୍ତ କରିବା ତା’ର ସାଧ୍ୟାତୀତ ହୋଇପାରେ କିନ୍ତୁ ସେ ଯଦି ଏହା ଅନୁଭବ ନ କରେ ସେ ଲେଖକ ନୁହେଁ, ସେ ଯେତେଖଣ୍ଡ ବହି ଲେଖିଥାଉନା କାହିଁକି!
‘‘ନିଜର ଅନୁଭୂତିକୁ ବ୍ୟକ୍ତ ନକରିପାରିବାର ନ୍ୟୂନପଣ, ବ୍ୟର୍ଥତାବୋଧ ସବୁବେଳେ ଲେଖକକୁ ଆକ୍ରାନ୍ତ କରିବ, ସେ ଆସ୍ଫାଳନ କରିବାକୁ ଗଲାବେଳେ ତା’ର ଗଳା ରୁନ୍ଧିଦେବ। ମଧ୍ୟାହ୍ନରେ ସମୁଦ୍ର କିପରି ଦିଶେ? ପାଣିର ସୂର୍ଯ୍ୟକିରଣ ମିଶା ଅସ୍ଥିର ନୀଳବର୍ଣ୍ଣକୁ କେଉଁ ଭାଷାରେ ବର୍ଣ୍ଣନା କରିହେବ? ପାହାଡ଼ ଉପରୁ ଖରା ଓହ୍ଲାଇଗଲାବେଳେ ଧୀରେ ଧୀରେ ପାଦ ପକାଇ ଆସୁଥିବା ଅନ୍ଧାରକୁ କେଉଁ ଭାଷାରେ ବର୍ଣ୍ଣନା କରିହେବ? ନିଜ ଛୁଆର ଅକାଳମୃତ୍ୟୁ ପରେ ପେଟ ପୋଷିବା ପାଇଁ କାମ କରିବାକୁ ବାହାରିଥିବା ସ୍ତ୍ରୀଲୋକର ଦୁଃଖ କିଏ କେଉଁ ଭାଷାରେ ବୁଝାଇପାରିବ? ଏପରି ଅନେକ ଦୃଶ୍ୟ, ଅନେକ ଅନୁଭୂତିକୁ ଆମେ କଦାପି ବ୍ୟକ୍ତ କରିପାରିବୁନାହିଁ, ଏକଥା ମୂଳରୁ ସ୍ୱୀକାର କରିଯିବା ଭଲ। ଆମେ ତା’ ହେଲେ କ’ଣ? ଆମ ଠାରୁ ସହସ୍ର ସହସ୍ର ଗୁଣରେ ବୃହତ୍ତର ଏକ ଅବର୍ଣ୍ଣନୀୟ ଶକ୍ତି ଆମର ଅନ୍ତଃକରଣ ବାଟେ ଚାଲିଯାଉଛି। ତାହା ଆମେ ନୋହୁଁ, ଆମେ ତ କେବଳ ତାକୁ ଲିପିବଦ୍ଧ କରିବାର ଦାୟିତ୍ୱ ମୁଣ୍ଡାଇଥିବା ପାଞ୍ଜିଆ। ଆମେ ଜାଣୁ ସେଇ ଟିକକ କାମ ବି ଆମେ ଭଲଭାବେ କରିପାରିବୁ ନାହିଁ, କିନ୍ତୁ ନକରିପାରିବାର ବ୍ୟର୍ଥତାକୁ କରିପାରିଲୁ ବା ଆମଠାରୁ କେହି ଭଲଭାବରେ କରିପାରି ନଥାନ୍ତା କହି ଘୋଡ଼ାଇବାକୁ ଯିବୁ କାହିଁକି? ଦାୟିତ୍ୱ ମୁଣ୍ଡାଇଲାବେଳେ ତାହା ଭଲଭାବରେ ତୁଲାଇପାରିବୁନାହିଁ ବୋଲି ଆମେ ଜାଣିଥିଲୁ, ତା’ ସତ୍ତ୍ୱେ ଯଦି ଦାୟିତ୍ୱ ମୁଣ୍ଡାଇଲୁ ତା’ର ଏକମାତ୍ର କାରଣ ଏହା ଯେ ତାହା ନକରି ଆମର ଗତି ନ ଥିଲା- ବାକି ସବୁ କୈଫିୟତ ମିଛ, ଡାହା ମିଛ।’’
ରମାକାନ୍ତ ରଥ ଆଜି ଅନେକ ଦୂରରେ। ମାତ୍ର ଯେତେଦିନ ଓଡ଼ିଆ ଭାଷା ଥିବ, ଥିବ ତା’ର ସାହିତ୍ୟ, ସେତେ‌ଦିନ ସେ ମହୁ - ଆକାଶ ତଳ ଭାଷା - ବଗିଚାରେ ଥି‌େବ ଅସ୍ଥିର ମହୁମାଛିଟିଏ ହୋଇ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮