ଗୌରହରି ଦାସ

Advertisment

୧୯୧୨ ମସିହାରେ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଷ୍ଟମ ଅଧିବେଶନରେ ଭାଷଣ ଦେଇ ଉତ୍କଳଗୌରବ ମଧୁସୂଦନ ଦାସ କହିଥିଲେ, ‘‘ବ୍ୟକ୍ତିଗତ ଜୀବନ ନ ଗଲେ ଜାତୀୟ ଜୀବନ ହେବ ନାହିଁ। ଆଗେ ଟାକୁଆ ପଚିଲେ ପଛେ ଗଛ ଉଠିବ। ନ ପଚିବା ପର୍ଯ୍ୟନ୍ତ ଗଛ ଉଠିବ ନାହିଁ। ସେହିପରି ଯହିଁରୁ ଜାତୀୟ ଜୀବନ ଉଠିବ, ସେ ମରିବ, ସେ ପଚିବ। ଗୋଟିଏ ଟାକୁଆ ମଲେ ଲକ୍ଷେ ଆମ୍ବ ଫଳିବ।’’ (କୁଳବୃଦ୍ଧ- ସୁରେନ୍ଦ୍ର ମହାନ୍ତି)
ଆମେ ଯଦି ମୁହୂର୍ତ୍ତକ ଲାଗି ମଧୁସୂଦନ ଦାସଙ୍କର ଜୀବନକୁ ଅନୁଧ୍ୟାନ କରିବା ତାହା ହେଲେ ଉପଲବ୍‌ଧ କରିପାରିବା, କେତେ ଘାତ ପ୍ରତିଘାତ, ମାନ ଅପମାନ, ଆକ୍ଷେପ, ଭର୍ତ୍ସନା ସେ ଭୋଗ କରିଥିଲେ! ଯେଉଁ ଓଡ଼ିଆ ଜାତି ପାଇଁ ସେ ଅନ୍ୟମାନଙ୍କ ସହ ଲଢ଼େଇ କରିଥିଲେ ସେଇ ଓଡ଼ିଆମାନେ ତାଙ୍କର ଜୀବଦ୍ଦଶାରେ ତାଙ୍କୁ କମ୍ ନିର୍ଯାତନା ଦେଇ ନ ଥିଲେ। ବେନାମୀ ଚିଠି ଲେଖି କୁତ୍ସାରଟନା କରିବା ଠାରୁ ଆରମ୍ଭ କରି ତାଙ୍କର ଚରିତ୍ର ସଂହାର କରିବା, ଏପରିକି ବାର୍ଷିକ ଷାଠିଏ ହଜାର ଟଙ୍କାର ଦରମା ଲାଗି ବୁଢ଼ା ବୟସରେ ମଧୁବାବୁ ମନ୍ତ୍ରୀ ହେବା ଭଳି ଅଭିଯୋଗ ମଧ୍ୟ ଆଣିଥିଲେ ତାଙ୍କରି ଲୋକମାନେ। ଏହା ସତ୍ତ୍ବେ ମଧୁସୂଦନ ଏ ସଂସାରରୁ ବିଦାୟ ନେବାର କିଛିଦିନ ଆଗରୁ ତାଙ୍କୁ ସାକ୍ଷାତ କରିବାକୁ ଆସିଥିବା କିଛି ଉଚ୍ଚଶିକ୍ଷିତ ଯୁବକ, ସେମାନଙ୍କର ଲକ୍ଷ୍ୟ କ’ଣ ହେବା ଦରକାର ବୋଲି ପ୍ରଶ୍ନରେ କହିଥିଲେ, ‘‘ବଙ୍ଗଳାର ପ୍ରଥମ ଗ୍ରାଜୁଏଟ ମରିଥିଲା ପେନସନପ୍ରାପ୍ତ ଡେପୁଟୀ ମାଜିଷ୍ଟ୍ରେଟ ଭାବେ। ମାତ୍ର ଓଡ଼ିଶାର ପ୍ରଥମ ଗ୍ରାଜୁଏଟ ଏତକ କରିପାରିଲା ଯଦି, ତୁମେମାନେ କାହିଁକି ପାରିବ ନାହିଁ?’’ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, ‘‘ଅପସୃୟମାନ କାଳର ପୃଷ୍ଠଭୂମିରେ ମଧୁସୂଦନଙ୍କ ଜୀବନୀ ଓ କର୍ମ ସାଧନାର ମୂଲ୍ୟାଙ୍କନ କଲାବେଳେ, ଆଖି ଆଗରେ ଭାସିଉଠେ, ଏକ ନିଃସଙ୍ଗ ବନସ୍ପତି। ଦେହରେ ତା’ର ବହୁ ଝଡ଼ର କ୍ଷତଚିହ୍ନ... ଚତୁଃପାର୍ଶ୍ବର ଗୁଳ୍ମରାଜି ମଧ୍ୟରେ ତଥାପି ସେ ଠିଆ ହୋଇ ରହିଛି କିନ୍ତୁ ଅନମନୀୟ ଋଜ୍ଜୁତାରେ। xx ମଧୁସୂଦନ ଥିଲେ ଓଡ଼ିଶାର ନବଜାଗରଣ, ରିନେଁସାରା ବୈତାଳିକ। xx ଓଡ଼ିଆମାନଙ୍କ ମଧ୍ୟରେ ପ୍ରଥମ ଗ୍ରାଜୁଏଟ, ପ୍ରଥମ ଏମ୍.ଏ., ପ୍ରଥମ ବିଧିବଦ୍ଧ ଆଡଭୋକେଟ, ବେଙ୍ଗଲ ଲେଜିସଲେଟିଭ କାଉନସିଲକୁ ପ୍ରଥମ ନିର୍ବାଚିତ ସଭ୍ୟ, ଭାଇସରୟ ଇମ୍ପିରିୟାଲ କାଉନସିଲରୁ ନିର୍ବାଚିତ ପ୍ରଥମ ସଭ୍ୟ, ପ୍ରଥମ ଭାରତୀୟ ମନ୍ତ୍ରୀ। 
ମଧୁବାବୁଙ୍କ ଜୀବନ ଅତ୍ୟନ୍ତ ନାଟକୀୟ। କୋଡ଼ିଏ ଟଙ୍କା ଧରି ଚାନ୍ଦବାଲିରୁ ଷ୍ଟୀମର ଚଢ଼ି କଲିକତା ଯାଇଥିଲେ। ମାନ୍ଦ୍ରାଜରୁ ଫେରୁଥିବା ପାଦ୍ରୀ ହେନରି ଗ୍ରୀଫନଙ୍କ ସହ ଦେଖାହେଲା। ସେଇ ଦେଖାସାକ୍ଷାତ ବେଳେ ଗ୍ରୀଫନ ତାଙ୍କୁ ତାଙ୍କର ଭିଜିଟିଂ କାର୍ଡ ଖଣ୍ଡିଏ ବଢ଼େଇ ଦେଇଥିଲେ।
ସେଦିନର କଲିକତା ଥିଲା ଭିନ୍ନ। ରାସ୍ତାରେ ବିଜୁଳିବତି ଲାଗି ନ ଥିଲା କି ଟ୍ରାମଗାଡ଼ି ଚାଲି ନ ଥିଲା। କଲିକତାର ସନ୍ଧ୍ୟାସବୁ ଶୃଗାଳମାନଙ୍କ ଚିତ୍କାରରେ ମୁଖରିତ ହେଉଥିଲା। ମଧୁସୂଦନ କିଛିଦିନ ଓଡ଼ିଶା ଶ୍ରମିକମାନଙ୍କ ସାହାଯ୍ୟରେ ବିତେଇଥିଲେ। ମାତ୍ର ସେସବୁ ତାଙ୍କ ପାଇଁ ଯଥେଷ୍ଟ ନ ଥିଲା। ଶେଷକୁ ସେ ହେନରି ଗ୍ରୀଫନଙ୍କ ପାଖରେ ପହଞ୍ଚି କଲେଜରେ ନାମ ଲେଖାଇବା ପାଇଁ ସୁପାରିସ ପତ୍ର ସଂଗ୍ରହ କରିଥିଲେ।
ଜୀବନର ଆକସ୍ମିକତା ବୁଝିବା ସହଜ ନୁହେଁ। କଲିକତା ଯାତ୍ରାରେ ଜଣେ ଖ୍ରୀଷ୍ଟିଆନଙ୍କ ସହ ସାକ୍ଷାତ ହେବା, ସେହି ଖ୍ରୀଷ୍ଟିଆନ ଭଦ୍ରଲୋକ ମଧୁବାବୁଙ୍କୁ ପାଠ ପଢ଼ିବାକୁ ସାହାଯ୍ୟ କରିବାକୁ ଆଗେଇ ଆସିବା ପରେ ଆଉ ଜଣେ ଖ୍ରୀଷ୍ଟିଆନ ତାଙ୍କୁ କଲିକତାରେ ଆଶ୍ରୟ ଦେଇଥିଲେ। ସେଦିନ ମଧୁସୂଦନ ଏକ ଟ୍ୟୁସନ ସନ୍ଧାନରେ ଯାଇଥାଆନ୍ତି। ଗୋଟିଏ ଫିରିଙ୍ଗୀ ମାତାଲ ଜଣେ ପାଦ୍ରୀଙ୍କୁ ଭିଡ଼ାଓଟରା କରି ପଇସା ମାଗୁଥାଏ। ପାଖରେ ବୁଲୁଥିବା ଅନ୍ୟ ଲୋକମାନେ କିଛି ପ୍ରତିବାଦ କରୁନଥାନ୍ତି। ଏକଥା ଦେଖି ଯୁବକ ମଧୁସୂଦନ ଗହଳି ଭିତରୁ ବାହାରି ମାତାଲ ଫିରିଙ୍ଗୀକୁ ଠେଲିଦେଇ ରୁଷ୍ଟ କଣ୍ଠରେ ପଚାରିଲେ, ‘‘ରାସ୍ତା ଉପରେ ଜଣେ ନିରୀହ ପଥିକ ଉପରେ ଏ ଜୁଲୁମ କାହିଁକି?’’
ମଧୁସୂଦନ ପକେଟରେ ପଡ଼ିଥିବା ଶେଷ ଟଙ୍କାଟି ମାତାଲ ଉପରକୁ ଫିଙ୍ଗିଦେଇ କହିଲେ, ‘‘ଆଉ ଦିନେ କୌଣସି ଭଦ୍ରଲୋକ ଉପରେ ଏପରି ଗୁଣ୍ଡାମି ସଦର ରାସ୍ତା ଉପରେ ଦେଖିଲେ ମୁଁ ପୁଲିସ ଥାନାରେ ଦେବି କିନ୍ତୁ।’’
ତା’ପରେ ସେ ପାଷ୍ଟରଙ୍କୁ ତାଙ୍କ ଭବାନୀପୁର ଘର ପର୍ଯ୍ୟନ୍ତ ଛାଡ଼ିବାକୁ ନେଇଥିଲେ। ତାଙ୍କର ନାମ ଥିଲା ଯଦୁନାଥ ଚାଟାର୍ଜୀ। ଯଦୁନାଥ ଥିଲେ ଧର୍ମାନ୍ତରିତ। ମଧୁସୂଦନ ସେହିଦିନ ତାଙ୍କର ଝିଅ ସୌଦାମିନୀଙ୍କ ଗୃହଶିକ୍ଷକ ଭାବେ ନିଯୁକ୍ତ ହେଲେ, ଯିଏ ପରେ ହେଲେ ତାଙ୍କର ପତ୍ନୀ।
ମାତ୍ର ଏ ଘଟଣା ଓଡ଼ିଶାରେ ତାଙ୍କୁ ନିନ୍ଦିତ କରିଥିଲା। ୧୮.୮.୧୮୬୬ର ‘ଉତ୍କଳ ଦୀପିକା’ ପ୍ରକାଶ କରିଥିଲେ, ‘‘କଟକର ଛୋଟ ଅଦାଲତର ଓକିଲ ରଘୁନାଥ ଦାସଙ୍କ ପୁତ୍ର ମଧୁସୂଦନ ଦାସ କଲିକତାକୁ ଯାଇ ଖ୍ରୀଷ୍ଟିଆନ ଧର୍ମ ଅବଲମ୍ବନ କରି’’ ଅନ୍ଧକାର କୂପରୁ ଉଦ୍ଧାର ପାଇ ଦୀପ୍ତିମାନ ସ୍ବର୍ଗ ମାର୍ଗରେ ଭ୍ରମଣ କରୁଅଛନ୍ତି। x x ଖ୍ରୀଷ୍ଟିଆନ ଧର୍ମ ଅବଲମ୍ବନ କରିବା ମାତ୍ରକେ ସେହି ଧର୍ମସ୍ଥ ଏକ ସ୍ତ୍ରୀର ପାଣିଗ୍ରହଣ କଲେ।’’
ମଧୁସୂଦନ ମୂଳରୁ ଥିଲେ ଜାତ୍ୟାଭିମାନୀ। ସେହି କଲିକତାରେ ନିଜ ପାଇଁ ସଂଗ୍ରାମ କରୁଥିବାବେଳେ ସେ ଓଡ଼ିଆ ଡାକ୍ତରୀ ଛାତ୍ର ଜନାର୍ଦ୍ଦନ ମହାପାତ୍ରଙ୍କୁ ପାଠ ପଢ଼ିବା ପାଇଁ ଟଙ୍କା ଯୋଗାଇ ଦେଉଥିଲେ। ବ୍ରାହ୍ମଣ ସନ୍ତାନ ଜନାର୍ଦ୍ଦନଙ୍କୁ ମେଡିକାଲ ଆନାଟମି କ୍ଲାସ‌ର ମଡ଼ା କାଟିବାକୁ ପଡ଼ିବାରୁ ବ୍ରାହ୍ମଣ ପିତା ଏ ପାଠ ଛାଡ଼ି ଗ୍ରାମକୁ ଫେରିଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପାଠପଢ଼ା ପାଇଁ ଟଙ୍କା ପଠେଇବା ବନ୍ଦ କରିଦେଇଥିଲେ। ମଧୁସୂଦନ ତାଙ୍କର ଡାକ୍ତରୀ ପଢ଼ାର ବ୍ୟବସ୍ଥା କରିଥିଲେ। କେବଳ ଜନାର୍ଦ୍ଦନ ମହାପାତ୍ରଙ୍କୁ ଯେ ସେ ଡାକ୍ତରୀ ପଢ଼ାଇଥିଲେ ତାହା ନୁହେଁ, ବନ୍ଧୁ ଅମ୍ବିକା ଚରଣଙ୍କ କନ୍ୟା ସୁଧାଂଶୁବାଳା ଓ ଶୈଳବାଳାଙ୍କୁ ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ ମଧୁସୂଦନ। ସୁଧାଂଶୁବାଳା ହୋଇଥିଲେ ଭାରତର ପ୍ରଥମ ମହିଳା ଆଡଭୋକେଟ।
ମଧୁସୂଦନ କଲିକତାରେ ଜଣେ ଉଚ୍ଚଦରର ଶିକ୍ଷକ ଭାବରେ କିଭଳି ପ୍ରସିଦ୍ଧି ଅର୍ଜନ କରିଥିଲେ ତା’ର ବହୁ ଉଦାହରଣ ଅଛି। ତା’ ଭିତରୁ ଗୋଟିଏ ହେଉଛି ଡାକ୍ତର ଗଙ୍ଗାପ୍ରସାଦ ମୁଖାର୍ଜୀ ତାଙ୍କର ପୁତ୍ର ଆଶୁତୋଷ ମୁଖାର୍ଜୀଙ୍କର ଗୃହଶିକ୍ଷକ ଭାବେ ମଧୁସୂଦନଙ୍କୁ ଅନୁରୋଧ କରିବା। ପରବର୍ତ୍ତୀ କାଳର ବଙ୍ଗଳା ହାଇକୋର୍ଟର ବିଚାରପତି ଓ କଲିକତା ବିଶ୍ବବିଦ୍ୟାଳୟର କୁଳପତି ଆଶୁତୋଷ ମୁଖାର୍ଜୀ ଥିଲେ ମଧୁସୂଦନଙ୍କ ଛାତ୍ର।
୧୮୭୭ରେ ନରହତ୍ୟା ଅପରାଧରେ ପୁରୀର ଗଜପତି ଦିବ୍ୟସିଂହ ଦେବଙ୍କୁ କଳାପାଣି ଆଦେଶ ହେଲା। କଟକ ଜଜ୍‌ଙ୍କ ରାୟ ବାହାରିବା କ୍ଷଣି ସରକାର ରାତାରାତି ତାଙ୍କୁ ଗୋଟିଏ ଜାହାଜରେ ଲୁଚାଇ ଆଣ୍ଡାମାନକୁ ଦ୍ବୀପାନ୍ତରିତ କରିଥିଲେ। ମଧୁସୂଦନ କଲିକତାରେ ଥାଇ ଦିବ୍ୟସିଂହ ଦେବଙ୍କ କଳାପାଣି ଖବର ପାଇଥିଲେ। ଷୋଳବର୍ଷ ପ‌େର କଟକ ଫେରିଲେ ମଧୁସୂଦନ, ଏମ୍.ଏ., ବି.ଏଲ୍., ଉକୀଲ। ମାତ୍ର ବହିରାଗତ ଓକିଲଙ୍କ ଭିଡ଼ ଭିତରେ ଓଡ଼ିଶାର ଏହି ପ୍ରଥମ ଓକିଲଙ୍କୁ ଚଉକି ଖଣ୍ଡିଏ ମିଳିଲା ନାହିଁ କଚେରି ପରିସରରେ,  ସେଦିନ ତାଙ୍କୁ ବାର୍ ଆସୋସିଏସନର ସଭ୍ୟ ଭାବେ ମଧ୍ୟ ଗ୍ରହଣ କରାଯାଇ ନ ଥିଲା।
ଦିବ୍ୟସିଂହ ଦେବଙ୍କ ମାତା ସୂର୍ଯ୍ୟମଣି ପାଟମହାଦେଇ ମଧୁସୂଦନଙ୍କ ଆଶ୍ରୟ ଭିକ୍ଷା କଲେ। ମଧୁସୂଦନ ରାଜନଅରକୁ ଯାଇ ଯୋଉ ଦୁଃସ୍ଥିତି ଦେଖିଲେ ତାହା ତାଙ୍କର ପ୍ରାଣକୁ ଆହତ କଲା। ସୂର୍ଯ୍ୟମଣି ପାଟମହାଦେଇ ପରଦା ସେପଟୁ ଥାଇ ନିବେଦନ କଲେ ‘‘ଆଜିଠାରୁ ଜେନାମଣିଙ୍କ ଦାୟିତ୍ବ ଆପଣଙ୍କୁ ଲାଗିଲା।’’
‘ଖ୍ରୀଷ୍ଟିଆନ’ ମଧୁସୂଦନ ଦାସ ଏ କେଶ୍ ଲଢ଼ିଥିଲେ ଓ ଜିତିଥିଲେ। ଉତ୍କଳ ଦୀପିକା ଲେଖିଲେ, ‘‘ଏ ଶୁଭଫଳ ଏକା ତାହାଙ୍କର (ମଧୁସୂଦନଙ୍କର) ଅସୀମ ଅଧ୍ୟବସାୟ, ବିଚକ୍ଷଣତା ଏବଂ ପ୍ରାଣପଣ ଯତ୍ନରୁ ଲାଭ ହୋଇଥିଲା। ମଧୁବାବୁ ଯେମନ୍ତ ‘ବିପତ୍ତୌ ମଧୁସୂଦନଂ’ କଥାର ସାର୍ଥକତା ଦେଖାଇ ଅଛନ୍ତି।’’ 
୧୮୯୭ରେ ମଧୁବାବୁ ଗଲେ ବିଲାତ। ଓଡ଼ିଶାର ତାରକସି କାମ ଓ ବସ୍ତ୍ର ତାଙ୍କୁ ପ୍ରଥମରୁ ମୁଗ୍‌ଧ କରିଥିଲା। ସେ କହିଲେ, ‘‘ଜର୍ମାନୀ ଜାତିର କାନ ଯେପରି ସୃଷ୍ଟି କରିଛି ଶ୍ରେଷ୍ଠ ସଂଗୀତ, ଫରାସୀ ଜାତିର ଜିଭ ଯେପରି ସେମାନଙ୍କୁ କରିପାରିଛି ପୃଥିବୀର ଶ୍ରେଷ୍ଠ ସୂପକାର, ଓଡ଼ିଶାର ଆଙ୍ଗୁଠି ସେହିପରି ବିଶ୍ବରେ ଓଡ଼ିଆଙ୍କୁ ପ୍ରସିଦ୍ଧ କରାଇବ କାରିଗର ରୂ‌େପ।’’
୧୮୦୩ରୁ ୧୯୧୨ ଯାଏଁ ୧୦୯ ବର୍ଷ ଧରି ଯାହାକୁ ଓଡ଼ିଶା ବୋଲି କୁହାଯାଉଥିଲା, ତାହା ଥିଲା ବଙ୍ଗଳାର ଏକ ଉପାଙ୍ଗ ପରି। ଓଡ଼ିଶାର ମଧ୍ୟ ଶାସନ ମେରୁ ଥିଲା କଲିକତା ଏବଂ ଉଚ୍ଚତମ କର୍ମଚାରୀଙ୍କ ଠାରୁ ପୁଲିସ କନେଷ୍ଟବଳ ଓ ନିମ୍ନଶ୍ରେଣୀର ସହକାରୀ ଶିକ୍ଷକମାନଙ୍କ ପର୍ଯ୍ୟନ୍ତ ଓଡ଼ିଶାର ସମଗ୍ର ଶାସନ-ସଂସ୍ଥା ଥିଲା ଅଣଓଡ଼ିଆଙ୍କ ହାତରେ। ଓଡ଼ିଶା କାହିଁକି ପଛରେ ବୋଲି ଯେଉଁ ପ୍ରଶ୍ନ ଉଠେ, ତା’ର ମୂଳ କାରଣ ଏଇଠି। ‌େଗାଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ ଯେ ୧୮୫୭କୁ ପ୍ରତିବେଶୀ ବଙ୍ଗାଳୀଙ୍କର ନିଜର ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ଠିଆହେଲା ବେଳକୁ, ଓଡ଼ିଆମାନଙ୍କର ଭାଗ୍ୟରେ ଘଟିଥିଲା ଗୋଟିଏ-ଦୁଇଟି ମାଇନର ସ୍କୁଲ ମାତ୍ର। ଓଡ଼ିଶା ତା’ର ନିଜର ବିଶ୍ବବିଦ୍ୟାଳୟ ପାଇଲା ପ୍ରତିବେଶୀ ବଙ୍ଗାଳୀ ପାଇବାର ଏକଶତ ବର୍ଷ ପରେ। (ମାୟାଧର ମାନସିଂହ)
ଏଭଳି ଓଡ଼ିଶା ରାଜ୍ୟରେ ସେହି ଉନବିଂଶ ଶତାବ୍ଦୀରେ ଉତ୍କଳ ସମ୍ମିଳନୀ ଗଠନ କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ର କରି ଏକ ସ୍ବତନ୍ତ୍ର ପ୍ରଦେଶର ପରିକଳ୍ପନା କରିବା ଓ ସେଥିପାଇଁ ସଂଗ୍ରାମ କରିବା ଯେ କେତେ କଷ୍ଟକର କାର୍ଯ୍ୟ ଥିଲା, ତାହା ଆଜି ଆମେ ଚିନ୍ତା କରିପାରିବା ନାହିଁ। ଆବଶ୍ୟକ ଯୋଗ୍ୟତା ଥିବା ସତ୍ତ୍ବେ ଓଡ଼ିଆ ପ୍ରାର୍ଥୀମାନଙ୍କୁ ମୁନସଫ ଚାକିରି ପ୍ରଭୃତି ପଦରେ ଚାକିରି ମିଳୁ ନ ଥିବା ଯୋଗୁଁ ସେ ପ୍ରଥମେ ପ୍ରଶ୍ନ ପଚାରିଥିଲେ। ବିଲାତ ଯାଇଥିବାବେଳେ ରୁପା ତାରକସି ଜିନିଷ ଉପହାର ଦେଇ ସେ ବ୍ରିଟିଶ ଶାସକ ସହ ସଂପୃକ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ଓଡ଼ିଶାର ସମସ୍ୟା ବୁଝାଇଥିଲେ। ଐତିହାସିକ ଓଡ଼ିଆ ଜାତି ତା’ର ପିତୃଭୂମିରେ କିଭଳି ନିର୍ବାସିତ ଏହି କଥା ଜଣାଇ ତା’ର ଉପଯୁକ୍ତ ସଂଶୋଧନ ଲାଗି ସେ ନିବେଦନ କରିଥିଲେ।
ଓଡ଼ିଶାରେ ମଧୁବାବୁ କଂଗ୍ରେସ ବିରୋଧୀ ବୋଲି କେତେକ କହି ବୁଲୁଥିଲେ। କଂଗ୍ରେସର ମାନ୍ଦ୍ରାଜ ଅଧିବେଶନରେ ଯେତେବେଳେ ଗଞ୍ଜାମ ଓ ଭାଇଜାଗକୁ ମାନ୍ଦ୍ରାଜରୁ ଅଲଗା କରି ଓଡ଼ିଶାରେ ମିଶାଇବା ପ୍ରସ୍ତାବ ନାକଚ ହୋଇଥିଲା, ସେତେବେଳେ ମଧୁବାବୁ ଓହରି ଆସିଥିଲେ। ଏହାପରେ ଉତ୍କଳ ସମ୍ମିଳନୀର ପରିକଳ୍ପନା ଓ ପ୍ରତିଷ୍ଠା। ସେ ସବୁବେଳେ କହୁଥିଲେ, ‘‘ଓଡ଼ିଆ ଜାତି ଏକ ମହାନ ଜାତି। ଓଡ଼ିଆମାନଙ୍କୁ କେହି କେବେ ଧ୍ବଂସ କରିପାରିବ ନାହିଁ।’’ ଓଡ଼ିଶା ଆର୍ଟୱେୟାର ଏବଂ ଉତ୍କଳ ଟ୍ୟାନେରି ଦୁଇଟି ଥିଲା ମଧୁବାବୁଙ୍କର ଦୁଇ ଆଦର୍ଶ ଅନୁଷ୍ଠାନ। ଉତ୍କଳ ଟ୍ୟାନେରିର ପରିକଳ୍ପନା ଉପଲବ୍‌ଧି କରି ମହାତ୍ମା ଗାନ୍ଧୀ ମଧ୍ୟ ଆକୃଷ୍ଟ ହୋଇଥିଲେ।
ମାଳମାଳ କଙ୍କାଳ ପରି ଦିଶୁଥିବା ଓଡ଼ିଆମାନଙ୍କୁ ଜୀବନ୍ୟାସ ଦେଇ ସଂଗ୍ରାମ ଲଢ଼ିଥିବା ମଧୁସୂଦନ ନିଜର ସର୍ବସ୍ବକୁ ଜାତିପ୍ରେମ ବହ୍ନିରେ ସ୍ବାହା କରି ଇନ୍ଦ୍ରଦ୍ୟୁମ୍ନର ଜୀବନ ନେଇ ବିଦାୟ ନେଇଗଲେ, ଉପହାର ଦେଇଗଲେ ସମୃଦ୍ଧ ସ୍ବାଭିମାନୀ ଓଡ଼ିଆ ପ୍ରଦେଶ।
ଆଜି ତାଙ୍କ ବିଦାୟ ନେବାର ୯୧ ବର୍ଷ ପରେ, ଆମେ ଓଡ଼ିଆଏ ନିଜକୁ ପ୍ରଶ୍ନ କରିବା ଉଚିତ- ଯୋଉ ସ୍ବାଭିମାନୀ ମଧୁବାବୁ ଲକ୍ଷେ ଓଡ଼ିଆଙ୍କୁ ଜନ୍ମଦେବା ପାଇଁ ନିଜେ ଟାକୁଆ ପରି ମାଟିରେ ମିଶିଯାଇଥିଲେ ସେଭଳି ଓଡ଼ିଆ ଭାବେ ଆମେ ନିଜକୁ ନିର୍ମାଣ କରିପାରିଛୁ କି? ଆମେ ଧନୀ ଓ ମାନୀ ହୋଇପାରିଛୁ କି? ଆଜି ତ ରାତି ପାହିଲେ ଲକ୍ଷ ଲକ୍ଷ ଲୋକ ଦାଦନ ଯାଉଛନ୍ତି। କ୍ଷୀର, ଅଣ୍ଡା, ଆଚାର ଠାରୁ ଆରମ୍ଭ କରି ଆଳୁ, ପିଆଜ ପାଇଁ ଆମେ ପର ଉପରେ ନିର୍ଭରଶୀଳ। ଟ୍ୟାନେରି ଦୂରର କଥା, ଭଲ ଛୁଞ୍ଚି କାରଖାନାଟିଏ ମଧ୍ୟ ଓଡ଼ିଆଏ ପ୍ରତିଷ୍ଠା କରିପାରି ନାହାନ୍ତି। ତେଣୁ ପ୍ରଶ୍ନ ଉଠୁଛି, ଟାକୁଆ ତ ମରିଲା, ମାତ୍ର ଆମ୍ବ କେବେ ଫଳିବ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮