ଓଡ଼ିଶାର ଗ୍ରନ୍ଥାଗାର: ସ୍ଥିତି, ପରିସ୍ଥିତି ଓ ଦୁଃସ୍ଥିତି

ରବୀନ୍ଦ୍ର ମହାପାତ୍ର

ଡକ୍ଟର୍‌ ଏସ୍‌.ଆର. ରଙ୍ଗନାଥନଙ୍କୁ ଭାରତର ଗ୍ରନ୍ଥାଗାରର ଜନକ ବୋଲାଯାଏ, ଯାହାଙ୍କ ଦ୍ୱାରା ଗ୍ରନ୍ଥାଗାର ଓ ଗ୍ରନ୍ଥାଗାର ବିଜ୍ଞାନର ବିକାଶ ହୋଇଥିଲା। ତାଙ୍କର ଜନ୍ମଦିନ ଅଗଷ୍ଟ ୧୨ ତାରିଖକୁ “ଜାତୀୟ ଗ୍ରନ୍ଥାଗାରିକ ଦିବସ” ରୂପରେ ପାଳନ କରାଯାଉଛି। ଗ୍ରନ୍ଥାଗାର ଏକ ସାର୍ବଜନୀନ ସେବା ଅନୁଷ୍ଠାନ। ଏହା ପ୍ରାୟ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ପାଇଁ ରହିଥାଏ। ତେବେ ସେମାନଙ୍କର କାର୍ଯ୍ୟଶୈଳୀ ଅଲଗା ଅଲଗା। ଶିକ୍ଷାନୁଷ୍ଠାନମାନଙ୍କରେ ଥିବା ଗ୍ରନ୍ଥାଗାରଗୁଡ଼ିକର ବ୍ୟବହାରକାରୀ ଯଥେଷ୍ଟ ଅଧିକ। କାର୍ଯ୍ୟାଳୟ ବା ଗବେଷଣା ଅନୁଷ୍ଠାନମାନଙ୍କରେ ଥିବା ଗ୍ରନ୍ଥାଗାରଗୁଡ଼ିକ ବିଶେଷ ଭାବରେ ପ୍ରସଙ୍ଗଭିିତ୍ତିକ ହୋଇଥାଏ।

ଓଡ଼ିଶାର ଗ୍ରନ୍ଥାଗାରର ସ୍ଥିତି ବିଷୟରେ ଆଲୋଚନା କଲେ ଜଣାପଡ଼େ ଯେ ଏଠାରେ ଗ୍ରନ୍ଥାଗାରୀଙ୍କ ଆବଶ୍ୟକତା ଉପଲବ୍‌ଧି କରାଯାଏ ନାହିଁ। ଓଡ଼ିଶାରେ ଯେତିକି ନୂତନ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି କେବଳ ଦୁଇଟିକୁ ଛାଡ଼ି ଅନ୍ୟ କେଉଁଠି ଗ୍ରନ୍ଥାଧ୍ୟକ୍ଷ ପଦ ସୃଷ୍ଟି କରାଯାଇ ନାହିଁ। ଗତ ପଚିଶ ବର୍ଷ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ପରିଜା ପାଠାଗାରରେ ମୁଖ୍ୟ ଗ୍ରନ୍ଥାଧ୍ୟକ୍ଷ ପଦବି ଖାଲି ଥିବା ସହ ସେଠାରେ ସମସ୍ତ ଗ୍ରନ୍ଥାଗାରିକ ପଦବି ଖାଲି ଅଛି। ସେହିପରି ଗ୍ରନ୍ଥାଗାରର ଉନ୍ନତି ଏହାର ବାର୍ଷିକ ଅନୁଦାନ ଉପରେ ନିର୍ଭର କରେ। ଏହି ଅନୁଦାନରୁ ସମସ୍ତ ଉନ୍ନୟନ କାର୍ଯ୍ୟ ହୋଇଥାଏ। ଯେଉଁ ଗ୍ରନ୍ଥାଗାରରେ ଅଧିକ ବହି ଅଛି, ଜର୍ଣ୍ଣାଲ ଆସୁଛି, ଆଧୁନିକ ଉପାୟରେ ସେବା ଦିଆଯାଉଛି, ସେ ସେତେ ଉନ୍ନତ ଓ ବ୍ୟବହାରଯୋଗ୍ୟ। ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗ୍ରନ୍ଥାଗାରର ବାର୍ଷିକ ଅନୁଦାନର ପରିମାଣ ଏତେ କମ୍ ଯେ କୌଣସି ଉନ୍ନୟନ କାର୍ଯ୍ୟ କରିବାକୁ ଅସମର୍ଥ। ଆଉ ଏକ ବଡ଼ କଥା ହେଲା ଗ୍ରନ୍ଥାଗାରର ଆଧୁନିକୀକରଣ; ଯେଉଁଥିରେ ଅଟୋମେସନ, ଡିଜିଟାଇଜେସନ ଓ ଆରଏଫଆଇଡି ଇତ୍ୟାଦି ଅନ୍ତର୍ଭୁକ୍ତ। ଏ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାରର (ଓୟୁଏଟି ବ୍ୟତୀତ) ଡିଜିଟାଇଜେସନ ହୋଇ ପାରିନାହିଁ।

ଓଡ଼ିଶାର ସର୍ବସାଧାରଣ ଗ୍ରନ୍ଥାଗାର କଥା ନ କହିଲେ ଭଲ। ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୩ଟି ଜିଲ୍ଲାରେ ଜିଲ୍ଲା ଗ୍ରନ୍ଥାଗାର ଥିବା ବେଳେ ଅନ୍ୟ ୧୪ ସର୍ବସାଧାରଣ ଗ୍ରନ୍ଥାଗାର ଅଛି। ନିୟମ ଓ ବିଜ୍ଞପ୍ତି ଅନୁଯାୟୀ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଗ୍ରନ୍ଥାଧ୍ୟକ୍ଷମାନେ ଶିକ୍ଷକମାନଙ୍କ ସମତୁଲ ବେତନ ହାର ପାଇବା କଥା। କିନ୍ତୁ ଦୁଃଖର ବିଷୟ ଯେ, ଓଡ଼ିଶା ଭାରତର ଏକମାତ୍ର ରାଜ୍ୟ ଯେଉଁଠି ସରକାର ଗ୍ରନ୍ଥାଗାରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ୟୁଜିସି ବେତନ ଦେଉ ନାହାନ୍ତି। ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାନୁଷ୍ଠାନରେ ଗ୍ରନ୍ଥାଗାରୀ କର୍ମଚାରୀମାନେ ୟୁଜିସି ବେତନ ହାର ପାଇଆସୁଛନ୍ତି। ଆଉ ଏକ ପରିତାପର ବିଷୟ ଯେ, ବେସରକାରୀ ମହାବିଦ୍ୟାଳୟର ଗ୍ରନ୍ଥାଗାର କର୍ମଚାରୀମାନେ ଅଧିକ ଦରମା ପାଉଥିବାବେଳେ ସରକାରୀ ମହାବିଦ୍ୟାଳୟରେ କମ୍ ବେତନ ହାର ପାଉଛନ୍ତି। ଓଡ଼ିଶା ଏକ ସଂସ୍କୃତି ସମ୍ପନ୍ନ ରାଜ୍ୟ। ଆମ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଏବଂ ଲୋକଙ୍କ ଭିତରେ ଜ୍ଞାନର ପରିସରକୁ ବଢ଼ାଇବା ପାଇଁ ଗ୍ରନ୍ଥାଗାରର ଭୂମିକା ଅନସ୍ୱୀକାର୍ଯ୍ୟ। ଏଣୁ ସମସ୍ତ ଜିଲ୍ଲା, ସବ୍‌ଡିଭିଜନ ଏବଂ ପଞ୍ଚାୟତ ସ୍ତରରେ ଗ୍ରନ୍ଥାଗାର ପ୍ରତିଷ୍ଠା କରି ଲୋକଙ୍କ ଜ୍ଞାନର ପରିସୀମାକୁ ଉନ୍ନତ କରାଇବା ଆବଶ୍ୟକ ବୋଲି ମନେ ହୁଏ।

ସମ୍ବନ୍ଧିତ ଖବର