ଚିତ୍ତ ମହାପାତ୍ର

Advertisment

ଆସନ୍ତା ୨୦୩୬ ମସିହା ବେଳକୁ ସ୍ୱତନ୍ତ୍ର ଓଡ଼ିଶା ଗଠନର ଶହେ ବର୍ଷ ପୂରିଯିବ। ଏହି ସମୟ ବେଳକୁ ଏକ ‘ବିକଶିତ ଓଡ଼ିଶା’ ଗଠନର ସ୍ବପ୍ନରେ ସରକାର ବିଭୋର। କିନ୍ତୁ ଏଭଳି ଆବେଗରେ ନିମଗ୍ନ ହେଲେ ଅନେକ କର୍କଶ ବାସ୍ତବତା ଆମ ଦୃଷ୍ଟି ପଥରେ ଆସି ନ ଥାଏ। ତେଣୁ ବେଳ ଥାଉଁ ଥାଉଁ ସେଭଳି ଯେଉଁ ଏକ ବିଷୟ ନେଇ ସଚେତନ ହୋଇଯିବା ଦୂରଦର୍ଶିତା ହେବ, ତାହା ହେଉଛି ସରକାରୀ ଛୁଟି।
ଆମ ଜନ ମଙ୍ଗଳକାରୀ ରାଜ୍ୟର ସରକାର ତାଙ୍କ କର୍ମଚାରୀମାନଙ୍କ ପାଇଁ ବର୍ଷକୁ ମୋଟାମୋଟି ୧୬୦ ଦିନର ଛୁଟି ବ୍ୟବସ୍ଥା କରିଛନ୍ତି। ତା’ ସହିତ ଆଂଚଳିକ ଛୁଟିମାନ ମିଶିଲେ ତହିଁ‌ରେ ଆଉ ଦୁଇ ଚାରି ଦିନ ବୃଦ୍ଧି ଘଟିଥାଏ। ଏହା ସହିତ ଯଦି ବନ୍ଦ ବା ଧର୍ମଘଟର ଡାକରା ଆସେ ‌େତବେ ଦପ୍ତର ଖୋଲା ଥିଲେ ସୁଦ୍ଧା ବସ୍ତୁୁତଃ କାର୍ଯ୍ୟ ବନ୍ଦ ରହେ, ଯାହାକୁ ମଧ୍ୟ ଛୁଟି ରୂପେ ଗଣାଯାଇପାରେ। ତେଣୁ ଏକ ରକ୍ଷଣଶୀଳ ହିସାବରେ ଛୁଟି ଦିନର ସଂଖ୍ୟା ହୁଏତ ୧୭୦ରୁ ୧୮୦ ଦିନ ପର୍ଯ୍ୟନ୍ତ ହୋଇଯାଇପାରେ, ଅର୍ଥାତ୍‌ ବର୍ଷର ପ୍ରାୟ ଅର୍ଧେକ। 
ଏହି ସଂଦର୍ଭରେ ୨୦୨୫ ମସିହାର ସରକାରୀ କ୍ୟାଲେଣ୍ଡରକୁ ନିରକ୍ଷଣ କଲେ ଦିଶିଥାଏ ଯେ ଚଳିତ ବର୍ଷ ୫୨ଟି ରବିବାର ଓ ୨୪ଟି ଶନିବାର ସହିତ ‘ପବ୍ଲିକ ହଲିଡେ’ ବା ସରକାରୀ ଛୁଟି ଭାବେ ଘୋଷିତ ୩୩ ଦିନ ମିଶିଲେ ହେଉଛି ୧୦୯ ଦିନ। ଆମ ସରକାରୀ ଦପ୍ତରକୁ ଦୂରଦୂରାନ୍ତରୁ ଲୋକେ ବିଭିନ୍ନ କାମରେ ଆସନ୍ତି। ସେମାନେ ସରକାରୀ ଭାବେ ଘୋଷିତ ଏହି ଛୁଟି ଦିନ ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ପହଞ୍ଚିଲେ ମଧ୍ୟ ହୁଏତ କର୍ମଚାରୀମାନଙ୍କୁ ଅନୁପସ୍ଥିତ ପାଇପାରନ୍ତି। କାରଣ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟକ୍ତିିଗତ ଭାବେ ସି.ଏଲ. ଛୁଟି ୧୨ ଦିନ ଏବଂ ଇ.ଏଲ୍‌. ଛୁଟି ୩୩ ଦିନ, ମେଡିକାଲ ଛୁଟି ୩ ଦିନର ବ୍ୟବସ୍ଥା ଅଛି। ଅନେକ ସରକାରୀ କର୍ମଚାରୀ ଏଭଳି ଛୁଟିକୁ ବୃଥା ଯିବାକୁ ଦିଅନ୍ତି ନାହିଁ ଓ ପାରୁପର୍ଯ୍ୟନ୍ତ ବର୍ଷକ ଭିତରେ କୌଣସିମତେ ସାରି ଦେବାକୁ ଚେଷ୍ଟା କରନ୍ତି। ନୂଆ ବିଜେପି ସରକାର ମହିଳା କର୍ମଚାରୀଙ୍କ ସକାଶେ ଋତୁସ୍ରାବ ଜନିତ ଛୁଟି ଭାବେ ବର୍ଷକୁ ୧୨ ଦିନର ସ୍ୱତନ୍ତ୍ର ଅବକାଶ ବିଷୟ ଘୋଷଣା କରିଛନ୍ତି। ଫଳରେ ମହିଳା କର୍ମଚାରୀମାନଙ୍କ କ୍ଷେତ୍ରରେ ମାସକୁ ଗୋଟିଏ ଦିନର ଅନୁପସ୍ଥିତି ଅଧିକ ହେବ। ପୁଣି ଶିକ୍ଷାନୁଷ୍ଠାନ ଓ ଅଦାଲତଗୁଡ଼ିକ ଦୀର୍ଘକାଳୀନ ଅବକାଶ ପାଉଥିବାରୁ ସେହି ସମୟରେ ଆଂଶିକ କାର୍ଯ୍ୟ ପରିଚାଳନା ସମ୍ଭବ ହୋଇଥାଏ। 
ଆମ ରାଜ୍ୟର ମୋଟ ବଜେଟର ୪୦% ଅର୍ଥ କେବଳ ସରକାରୀ କର୍ମଚାରୀଙ୍କ ଦରମା, ପେନସନ ଏବଂ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇବାରେ ଖର୍ଚ୍ଚ ହୋଇଥାଏ। କହିବା ବାହୁଲ୍ୟ, ଏହି ଅର୍ଥରୁ ଟିକିଏ ହେଲେ ବି ବର୍ଷ ଶେଷକୁ ବଳି ପଡ଼େନାହିଁ। କିନ୍ତୁ ସରକାରୀ ଯୋଜନାରେ ଜନ କଲ୍ୟାଣାର୍ଥେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ବର୍ଷ ଶେଷକୁ ବଳି ପଡୁଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୁଏ। ଏହାର କାରଣ ସୁନିଶ୍ଚିତ ଭାବେ ସରକାରୀ ବା ପ୍ରଶାସନିକ ଆଳସ୍ୟ, ଯାହାର ଏକ ବଡ଼ କାରଣ ହେଉଛି ଛୁଟି। 
ଏହା ଏକ ଜଣାଶୁଣା କଥା ଯେ ଯଦି ସୋମବାର କୌଣସି ଛୁଟି ପଡ଼ିଥାଏ ଏବଂ ତା’ ପୂର୍ବ ଶନିବାର ମାସର ଦ୍ବିତୀୟ ବା ଚତୁର୍ଥ ହୋଇ ଅଗତ୍ୟା ଛୁଟି ହେବାର ସୁଯୋଗ ଦିଏ, ତେବେ ଅଧିକାଂଶ ସରକାରୀ ଦପ୍ତର ଶୁକ୍ରବାର ଦିନ ଉପର ଓଳି ଠାରୁ କର୍ମଚାରୀଶୂନ୍ୟ ହୋଇ ଯାଆନ୍ତି। ପ୍ରଶାସନିକ ଆଳସ୍ୟର ଏହା ଗୋଟିଏ ଉଦାହରଣ। ବିଜେଡି ସରକାର ଯେତେବେଳେ ଚତୁର୍ଥ ଶନିବାରକୁ ଏକ ନୂଆ ଛୁଟି ଭାବେ ତାଲିକାରେ ଯୋଡ଼ିଲେ, ସେତିକି ବେଳେ କୁହାଗଲା ଯେ ଏଣିକି ପ୍ରତ୍ୟହ ଅପରାହ୍‌ଣ ୫ଟା ପରିବର୍ତ୍ତେ ୫.୩୦ ମିନିଟ୍ ପର୍ଯ୍ୟନ୍ତ ଦପ୍ତର କାର୍ଯ୍ୟ ଚାଲିବ! କିନ୍ତୁ ତାହାର ପାଳନ ଉପରେ ଧ୍ୟାନ ଦିଆଗଲା ନାହିଁ। ଆମ ରାଜ୍ୟରେ ସାଧାରଣ ଲୋକେ ‘ସେକଣ୍ଡ ଆୱାର’ ଭଳି ଏକ ଅଭିବ୍ୟକ୍ତି ସହିତ ବେଶ୍ ପରିଚିତ, ଯାହାର ଅର୍ଥ ହେଉଛି ମଧ୍ୟାହ୍ନ ବିରତି ପରବର୍ତ୍ତୀ କାର୍ଯ୍ୟ ସମୟ, ଯେଉଁ ସମୟରେ ଅଧିକାଂଶ ସରକାରୀ ଦପ୍ତର ଶିଥିଳତା ମଧ୍ୟକୁ ପ୍ରବେଶ କରିଯାଏ। ଏହି ସମୟରେ କୌଣସି କାମ ଲାଗି ଗଲେ କର୍ମଚାରୀ ମହାଶୟ ଜଣକ ପର ଦିନ ‘ଫାଷ୍ଟ ଆୱାର’ରେ ଆସିବାକୁ ପରାମର୍ଶ ଦିଅନ୍ତି। ପ୍ରଶାସନିକ ଅଳସ୍ୟର ଇଏ ଦ୍ବିତୀୟ ଉଦାହରଣ। ଏଭଳି ଆଳସ୍ୟ ଲାଗି ରହିଲେ ୨୦୩୬ ମସିହା ବେଳକୁ ‘ବିକଶିତ ଓଡ଼ିଶା’ ସମ୍ଭବ ହୋଇପାରିବ କି?
କହିବା ଅନାବଶ୍ୟକ ଯେ ପୃଥିବୀର ଯେ କୌଣସି ବିକଶିତ ରାଷ୍ଟ୍ର ତୁଳନାରେ ଭାରତରେ ସରକାରୀ ଛୁଟି ସର୍ବାଧିକ। ଅବଶ୍ୟ, ପୃଥିବୀର ସମସ୍ତ ଉନ୍ନତ ଦେଶରେ ସପ୍ତାହକୁ ମାତ୍ର ପାଞ୍ଚ ଦିନ କାର୍ଯ୍ୟ ଦିବସର ବ୍ୟବସ୍ଥା ଅଛି, ହେଲେ, ସେଠାକାର କର୍ମ ସଂସ୍କୃତି ଅନୁସାରେ ଲୋକେ ଶେଷ ମିନିଟ୍ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି। ଆମ ଦେଶର ସରକାରୀ ଦପ୍ତରଗୁଡ଼ିକ ସେହି ଦୃଷ୍ଟିରୁ ନିକୃଷ୍ଟ। ବେସରକାରୀ ଦପ୍ତରଗୁଡ଼ିକରେ କାର୍ଯ୍ୟ ସଂସ୍କୃତି ସରକାରୀ ଦପ୍ତର ତୁଳନାରେ ଅଧିକ ଉଚ୍ଚ ମାନର। ଆମ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ମାତ୍ର ପ୍ରାୟ ୩ ଲକ୍ଷ, ଯେଉଁମାନେ କୌଣସି ନା କୌଣସି ପ୍ରକାରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ସହିତ ଜଡ଼ିତ। ଭୁଲିଗଲେ ହେବ ନାହିଁ ଯେ ଏହି ତିନି ଲକ୍ଷ ସରକାରୀ କର୍ମଚାରୀଙ୍କୁ ବାଦ ଦେଲେ ଅବଶିଷ୍ଟ ବିଶାଳ ସଂଖ୍ୟକ ଓଡ଼ିଆ କର୍ମଜୀବୀଙ୍କ ଭିତରୁ ଅଧିକାଂଶ ବର୍ଷକୁ ମାତ୍ର ୧୫ରୁ ୨୦ ଦିନ ଛୁଟି ପାଆନ୍ତି ଏବଂ ଅସଂଖ୍ୟ ବିନା କୌଣସି ଛୁଟିରେ ବର୍ଷ ତମାମ କାମ କରନ୍ତି। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୮୨୩୩୬୩୫