ଦର୍ପଣ: ମାନବ ବିକାଶ ସୂଚକାଙ୍କ, ଭାରତର ସ୍ଥିତି ହତାଶାଜନକ

ଜାତିସଂଘର ବିକାଶ ପ୍ରକଳ୍ପ (ୟୁଏନ୍‌ଡିପି) ଦ୍ବାରା ପ୍ରକାଶିତ ବାର୍ଷିକ ମାନବ ବିକାଶ ସୂଚକାଙ୍କ ରିପୋର୍ଟରେ ପ୍ରଥମ ଥର ପାଇଁ ଭାରତର ସ୍ଥାନ ଲଗାତାର ଦୁଇ ବର୍ଷ ଧରି ତଳକୁ ଖସିଛି। ନିକଟରେ ପ୍ରକାଶିତ ୨୦୨୧ର ରିପୋର୍ଟ ଅନୁସାରେ ସୂଚକାଙ୍କରେ ଥିବା ୧୯୧ ଦେଶ ମଧ୍ୟରୁ ଭାରତ ୧୩୨ତମ ସ୍ଥାନରେ ରହିଛି। ୨୦୨୦ରେ ମାନବ ବିକାଶ ସୂଚକାଙ୍କରେ ଭାରତ ୦.୬୪୫ ଅଙ୍କ ହାସଲ କରି ୧୩୧ତମ ସ୍ଥାନ ଅଧିକାର କରିଥିଲା।

ଏଥରର ମୂଲ୍ୟାଙ୍କନରେ ଭାରତକୁ ୦.୬୩୩ ଅଙ୍କ ମିଳିଛି। ମୂଲ୍ୟାଙ୍କନରେ ଭାରତର ଅଙ୍କ ହ୍ରାସ ଘଟିବାର ମୁଖ୍ୟ କାରଣ ହେଉଛି ଦେଶରେ ପ୍ରତ୍ୟାଶିତ ଆୟୁଷ ୬୯.୭ (ମହିଳା) ଓ ୬୭.୨ (ପୁରୁଷ) ବର୍ଷକୁ ଖସି ଆସିଛି। ଏକ ଦେଶର ସ୍ବାସ୍ଥ୍ୟ, ଶିକ୍ଷା ଓ ହାରାହାରି ଆୟକୁ ନେଇ ମାନବ ବିକାଶର ହିସାବ କରାଯାଇଥାଏ। ୨୦୨୦ ଓ ୨୦୨୧ରେ କୋଭିଡ୍ ମହାମାରୀ କେବଳ ଭାରତ ନୁହେଁ, ବିଶ୍ବର ଅଧିକାଂଶ ଦେଶରେ ପୂର୍ବ ପାଞ୍ଚ ବର୍ଷର ବିକାଶକୁ ବିପର୍ଯ୍ୟସ୍ତ କରିଦେଇଛି। ଏହି କାରଣରୁ ୩୨ ବର୍ଷରେ ପ୍ରଥମ ଥର ପାଇଁ ସାରା ବିଶ୍ବରେ ମାନବ ବିକାଶ ନିଶ୍ଚଳ ହୋଇଯାଇଛି।

ଏହି ରିପୋର୍ଟ ଅନୁଯାୟୀ ୯୦%ରୁ ଅଧିକ ଦେଶରେ ୨୦୨୦ ବା ୨୦୨୧ରେ ମାନବ ବିକାଶର ଅବକ୍ଷୟ ଘଟିଛି। ସେହିପରି ୪୦% ଦେଶରେ ଉଭୟ ବର୍ଷରେ ମାନବ ବିକାଶର ଅବକ୍ଷୟ ପରିଲକ୍ଷିତ ହୋଇଛି। ଏଥିପାଇଁ କୋଭିଡ୍-୧୯ ମହାମାରୀ ଓ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଦୁଇଟି ମୁଖ୍ୟ କାରଣ ବୋଲି କୁହାଯାଉଛି। ଶ୍ରୀଲଙ୍କା ଏହି ସୂଚକାଙ୍କରେ ୭୩ତମ ସ୍ଥାନ ଅଧିକାର କରି ଭାରତୀୟ ଉପମହାଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦେଶ ହୋଇଛି। ସେହିପରି ପଡ଼ୋଶୀ ଚୀନ (୭୯ତମ ସ୍ଥାନ), ଭୁଟାନ (୧୨୭ତମ ସ୍ଥାନ), ବାଂଲାଦେଶ (୧୨୯ତମ ସ୍ଥାନ) ଭାରତ ଠାରୁ ଆଗରେ ଅଛନ୍ତି। ନେପାଳ (୧୪୩ତମ ସ୍ଥାନ) ଓ ପାକିସ୍ତାନ (୧୬୧ତମ ସ୍ଥାନ) ଭାରତ ପଛରେ ଅଛନ୍ତି। ୧୦ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଦେଶ ମଧ୍ୟରୁ ଆଠଟି ଦେଶ ହେଉଛନ୍ତି ୟୁରୋପୀୟ। ଏହି ସୂଚକାଙ୍କରେ ସୁଇଜରଲାଣ୍ଡ୍‌ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହା ପଛକୁ ନର୍‌ୱେ, ଆଇସ୍‌ଲାଣ୍ଡ୍‌, ହଙ୍ଗ କଙ୍ଗ, ଅଷ୍ଟ୍ରେଲିଆ, ଡେନମାର୍କ, ସ୍ବିଡେନ୍, ଆୟରଲାଣ୍ଡ୍‌, ଜର୍ମାନୀ ଓ ନେଦରଲାଣ୍ଡ୍‌ ଅଛନ୍ତି।

ସମ୍ବନ୍ଧିତ ଖବର