ଜୟନ୍ତ କୁମାର ବିଶ୍ବାଳ
ସୁନ୍ଦର ଜୀବନ ପାଇଁ ଆମେ ଯେମିତି ମଣିଷଙ୍କ ସାଙ୍ଗ ଲୋଡୁଛୁ, ସେହିପରି ପ୍ରକୃତିକୁ ମଧ୍ୟ ଖୋଜୁଥାଉ। ଇହ ଜଗତ୍ରେ ମଣିଷର ଜୀବନ ଦୁଇଟି ବାସ୍ତବତା ସହ ଗୁନ୍ଥା- ଗୋଟିଏ ହେଲା ଅନ୍ୟ ମଣିଷ ଓ ଆରଟି ହେଲା, ପ୍ରକୃତି। ତା’ ଜୀବନର ସାରାଂଶ ଏ ଦୁଇଟି ସହ ସଂପର୍କର ନିବିଡ଼ତା ଉପରେ ନିର୍ଭର କରେ। ପ୍ରକୃତି ଆମକୁ ବିଭୋର କରିପାରେ, ପୂର୍ଣ୍ଣ କରିପାରେ- ଏହା ମନର ବିଳାସ ପରି ଲାଗିପାରେ। ଏହାର କାରଣ, ପ୍ରକୃତି - ଗଛଲତା, ଆକାଶ - ସହିତ ଆମର ସାଂସାରିକ, ମଣିଷସୁଲଭ କାରବାରମାନ, ଯେମିତି କଥାବାର୍ତ୍ତା, ଦିଆନିଆ ଇତ୍ୟାଦି ହୁଏ ନାହିଁ। ସେଥି ପାଇଁ ସେମାନଙ୍କର ସ୍ଥିତି ସାଧାରଣ ଭାବେ ଆମ ପାଇଁ ଏତେ ପ୍ରୟୋଜନୀୟ, ଗୁରୁତ୍ବପୂର୍ଣ୍ଣ ଲାଗେ ନାହିଁ। କିନ୍ତୁ ଘର ଅଗଣାରେ ଆମେ ଗଛ ଲଗାଉ; କୁଣ୍ଡରେ ଗଛ ଲଗେଇ ବାରଣ୍ଡାରେ, ଏପରିକି ଘର ଭିତରେ ଯତ୍ନର ସହ ରଖିଥାଉ। ବଜାରରୁ ‘ରେଡିମେଡ୍’ ଚଢ଼େଇ ବସା କିଣି ଆଣି ବାଲ୍କୋନିରେ ଟାଙ୍ଗି ଦେଉ, ଯେମିତି ଚଢ଼େଇ ଆସି ସେଠି ବସା ବାନ୍ଧି ରହିବ। ଯଦି ପ୍ରକୃତିର ଅପରିହାର୍ଯ୍ୟତା ଆମ ଜୀବନ ପାଇଁ ନାହିଁ, ତେବେ ଚେନାଏ ଚେନାଏ ପ୍ରକୃତିକୁ ଆମେ କାହିଁକି ଆମ ପାଖରେ ରଖୁ ଏତେ ଶ୍ରଦ୍ଧା, ଯତ୍ନର ସହ! ବାହ୍ୟ ସ୍ତରରେ ନ ହେଲେ ମଧ୍ୟ ଆତ୍ମିକ ସ୍ତରରେ ପ୍ରକୃତିର ଆମ ଜୀବନ ଉପରେ ଗଭୀର ପ୍ରଭାବ ଥାଏ। ମାତ୍ର ଆମର ଦୈନନ୍ଦିନ ଜୀବନର ଅନ୍ୟ ପାର୍ଥିବ ଆବଶ୍ୟକତା ଭଳି ଆମେ ଏହାକୁ ନଥିଭୁକ୍ତ କରି ନ ଥାଉ।
ବର୍ତ୍ତମାନରେ ମିଳୁଥିବା ମଣିଷମାନଙ୍କୁ ଆମେ ଯେମିତି ହଜେଇ ଦେଇଥାଉ, ସେମିତି ପ୍ରତିଦିନ ଦେଖୁଥିବା ପ୍ରକୃତିର ଲକ୍ଷ ଲକ୍ଷ ଦୃଶ୍ୟକୁ ଆମେ ହଜେଇ ଦେଇଥାଉ, ଯେମିତି ଏ ସବୁ କିଛି ନାହିଁ। କେତେଜଣ ବି ଥିବେ ଯେଉଁମାନେ ଭୁଲି ଯାଇଥିବେ ଆକାଶରେ ଜହ୍ନ, ତାରା, ବାଦଲ ଓ ସୃଷ୍ଟିରେ ପାହାଡ଼, ପକ୍ଷୀ, ଗଛଲତା ସବୁ ଅଛନ୍ତି ବୋଲି। ଏହାର ଅର୍ଥ, ଜଣେ ସେ ସବୁ ଦେଖୁଥିଲେ ମଧ୍ୟ ତାହା ସବୁ ନିଜର ଚେତନାଭୁକ୍ତ ହୋଇପାରୁ ନ ଥିବାରୁ ଅନୁଭବର ପରିସର ଭିତରକୁ ଆସନ୍ତି ନାହିଁ। ପ୍ରକୃତି ସହ ସାକ୍ଷାତ ଆମକୁ ଆମ ସାଂସାରିକ ଜୀବନର ସଂକୀର୍ଣ୍ଣତାର ଊର୍ଦ୍ଧ୍ବକୁ ନେଇଯାଇ ଅପୂର୍ବ ଆନନ୍ଦ ଓ ପ୍ରଶାନ୍ତି ଦେଇପାରେ। ସେଥିପାଇଁ ଆମେ ଯୋଜନା କରି, ଛୁଟି ଦିନରେ ଭ୍ରମଣରେ ଯାଉ ଦୂର ଦୂର ସ୍ଥାନମାନଙ୍କୁ - ପାହାଡ଼, ଜଙ୍ଗଲ, ସମୁଦ୍ର ପାଖକୁ - ପ୍ରକୃତି ସହ କିଛି ସମୟ ନିବିଡ଼ ହୋଇଯିବାକୁ। ପ୍ରକୃତି ସହ ଏକାତ୍ମକତା ମଣିଷର ଅବଚେତନରେ ଅଛି ଓ ଏଥିପାଇଁ ତା’ର ଏକ ବ୍ୟାକୁଳତା ମଧ୍ୟ ଅଛି। ସେଥି ପାଇଁ ଅରଣ୍ୟରେ ବା ସମୁଦ୍ର ବେଳାଭୂମିରେ କିଛି ଦିନ ପାଇଁ ସମୟ କାଟିବା ତ ଏହି ଏକାତ୍ମକତା ପାଇବା ପାଇଁ ଏକ ଲୌକିକ ପ୍ରୟାସ ଅଟେ। ଯେଉଁ ସୁନ୍ଦର, ନିବିଡ଼ ଅନୁଭବଟି ପାଇବା ପାଇଁ ବର୍ଷରେ ଥରେ ବା ଦୁଇ ଥର ଯୋଜନା କରିବାକୁ ପଡୁଛି, ତାହା ଅାପଣା ଛାଏଁ ପ୍ରତି ଦିନ, ପ୍ରତି ରାତିରେ ହୋଇପାରନ୍ତା ଯଦି ଆମେ ବର୍ତ୍ତମାନମନସ୍କ ହୋଇପାରନ୍ତେ। ରାସ୍ତାରେ ଯାଉଥିଲା ବେଳେ କେତେ ଆକୃତି ପ୍ରକୃତିର ଗଛ; ଆକାଶରେ କେତେ ରଙ୍ଗ, ଢଙ୍ଗର ପକ୍ଷୀ; କେତେ ବର୍ଣ୍ଣର, କେତେ ରୂପର ମେଘ ଖଣ୍ଡ; କେତେ ଲାସ୍ୟମୟୀ ବିଜୁଳି; ସନ୍ତର୍ପଣରେ ବହି ଯାଉଥିବା ଲଜ୍ଜାଶୀଳା ଲଳନା ପରି କ୍ଷଣକାୟା ନଦୀ ବା ଗଛର ଡାଳରେ ବସା ବାନ୍ଧି ରହିଥିବା ଛୋଟ ଛୋଟ ଚଢ଼େଇଙ୍କର କିଚିରିମିଚିରି- ଏହିପରି ପ୍ରକୃତିର ଅସୁମାରି ଦୃଶ୍ୟ ଦିନର ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟିଏ ପରେ ଗୋଟିଏ ଆମ ସାମନାକୁ ଆସୁଥାଏ; ମାତ୍ର ବର୍ତ୍ତମାନକୁ ଆପଣେଇ ନ ଥିବା ଆମମାନଙ୍କର ମନ ଉହାଡ଼ରେ ସେ ସବୁ ରହିଯାଏ। ଅଥଚ ଯେ କୌଣସି ଦୃଶ୍ୟ ପାଖରେ ଆମେ ମୁହୂର୍ତ୍ତକ ପାଇଁ ଅଟକି ଯାଇପାରନ୍ତୁ; ତା’ ପ୍ରତି ଆମର ସମସ୍ତ ଚେତନା ନେଇ ଜାଗ୍ରତ ହୋଇପାରନ୍ତୁ। େଯତେ ପ୍ରସିଦ୍ଧ କବିମାନଙ୍କ କବିତା ପଢ଼ି ଆମେ ବିମୋହିତ ହେଉଛେ, ସେମାନଙ୍କର ଅନୁଭବକୁ ମହାର୍ଘ ବୋଲୁ କହୁଛେ, ସେମାନେ ତ ବାଟରେଘାଟରେ ବୁଲୁଥିଲା େବଳେ ସାଧାରଣ ଦୃଶ୍ୟଗୁଡ଼ିକୁ ଦେଖି ସେହିପରି କବିତାମାନ ଲେଖିଛନ୍ତି। ୱଡ୍ସୱର୍ଥଙ୍କର କବିତାରେ ଥିବା ନିହାତି ଛୋଟ ଲିଲି ଫୁଲ ବା ଡାଫୋଡିଲ୍ ବା କ୍ଷେତରେ ଫସଲ କାଟୁଥିବା ଏକୁଟିଆ ଝିଅ- ଏ ସବୁ ତ ଆମେ ପ୍ରତିଦିନ ଦେଖୁଥିବା ଏବଂ କେବେ ଆମ ମନ ଭିତରକୁ ଆଣି ନ ଥିବା ଦୃଶ୍ୟଗୁଡ଼ିକ ପରି ଅଟେ। ଏ ସମସ୍ତ କବିଙ୍କର ପ୍ରକୃତି ସହ ସାକ୍ଷାତ ତ କୌଣସି ଯୋଜନା କରି ପାଇଥିବା ଅନୁଭୂତି ନୁହେଁ; ଏହା ସେମାନଙ୍କର ସବୁଦିନିଆ ବର୍ତ୍ତମାନରେ ସ୍ବତଃପ୍ରବୃତ୍ତ ଭାବେ ପ୍ରକୃତି ସହ ସାକ୍ଷାତ। ପ୍ରାୟ ସମସ୍ତେ କେବେ ନା କେବେ ଘନ କଳା ରଙ୍ଗର ମେଘ ତଳେ ଶୁଭ୍ର ବଗ ପକ୍ଷୀ ଉଡ଼ିଯାଉଥିବା ଦେଖିଥିବେ। କିନ୍ତୁ ଜଣେ ତ ତାହା ଦେଖି ସମାଧିସ୍ଥ େହାଇଗଲେ କାରଣ ସେହି ମୁହୂର୍ତ୍ତରେ ବର୍ତ୍ତମାନ ପ୍ରତି ସେ ନିଜର ସମସ୍ତ ଚେତନା ନେଇ ସମର୍ପିତ ହୋଇଗଲେ। ନା ସେତେବେଳେ ଅତୀତ ଥିଲା ନା ଭବିଷ୍ୟତ ଥିଲା; ନା ମନ ଥିଲା ନା ଚିନ୍ତା ଥିଲା; ଥିଲା କେବଳ ଚେତନା। କିନ୍ତୁ ଆମର ପ୍ରତିଦିନର ତଥାକଥିତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଭିତରେ- ଯେମିତି ଅଫିସକୁ ଯିବା, ବ୍ୟବସାୟକୁ ଯିବା, ଇଲେକ୍ଟ୍ରିକ ବିଲ୍ ଦେବାକୁ ଯିବା, ‘ମଲ୍’କୁ ଯିବା ବା ‘ମଲ୍ଟିପ୍ଲେକ୍ସ’କୁ ଯିବା ପରି ଯାବତୀୟ କାର୍ଯ୍ୟ ଭିତରେ କେଉଁଠି ସମୟ ଥାଏ ବା ମନୋବୃତ୍ତି ଥାଏ ଟିକିଏ ଅଟକି ଯିବା ପାଇଁ ପ୍ରକୃତି ପାଖରେ?
ଆମର ବର୍ତ୍ତମାନରେ ଆମେ ଦେଖୁଥିବା ପ୍ରକୃତିର ପ୍ରତ୍ୟେକ ଦୃଶ୍ୟ - ସୂର୍ଯ୍ୟୋଦୟ ହେଉ ବା ସୂର୍ଯ୍ୟାସ୍ତ, ଅନ୍ଧାର ଆକାଶରେ ଦିକିଦିକି କରୁଥିବା ଏକୁଟିଆ ତାରା ହେଉ ବା ଆମ କୋଠରିର କାଚ ଝରକା ଦେଇ ଦେଖାଯାଉଥିବା ଦୂର ପାହାଡ଼ର ଛାଇଛାଇଆ ଛବି ହେଉ - କୁ ଆମେ ଯଦି ସଂପୂର୍ଣ୍ଣ ଚେତନାମଗ୍ନ ହୋଇ ଦେଖିବା ତେବେ କିଛି ମୁହୂର୍ତ୍ତ ପାଇଁ ହେଉ ପଛେ, ଆମେ ଆମର ସାଧାରଣ ଜୀବନ ଠାରୁ ଭିନ୍ନ, ଏକ ଅପୂର୍ବ ଅନୁଭବ ପାଇବା। ମୋର ଅଫିସର ଠିକ୍ ବାହାରେ ସବୁଦିନ ଦେଖୁଥିବା ଗଛଟିକୁ ମୁଁ ସତରେ କେବେ ଦେଖିନାହିଁ। ଥରେ କୌଣସି କାରଣରୁ ବ୍ୟସ୍ତ, ବିବ୍ରତ ହୋଇ ବସିଥିଲା ବେଳେ ହଠାତ୍ ଯେପରି ସେହି ଗଛକୁ ମୁଁ ପ୍ରଥମ ଥର ପାଇଁ ଦେଖିଲି। କେଉଁ କାଳର ପୁରୁଣା ଗଛଟିଏ। ଅଫିସ, ବଜାର ସବୁର ଗହଳି ଚହଳି, ଧଁା ଦଉଡ଼ ପରିବେଶ ଭିତରେ ପ୍ରଶାନ୍ତ, ନିର୍ବିକାର, ନିମଗ୍ନ ଏକ ସତ୍ତା! ମୋ ପାଇଁ କେବେ ନ ଥିବା ବା ଶୁଷ୍କ, ନିର୍ଜୀବ ବୋଲି ଲାଗୁଥିବା ବୃକ୍ଷଟି ହଠାତ୍ ଏକ ଅମାପ ପ୍ରାଣସତ୍ତା ରୂପେ ମୋ ସାମନାରେ ଉଭା ହେଲା। ମୁଁ ସେହି ଦୃଶ୍ୟରେ ତଲ୍ଲୀନ ହୋଇଗଲି ଏବଂ ମୋର ବ୍ୟସ୍ତ, ଅଶାନ୍ତ ହୃଦୟରେ ତାହା ଏକ ଅଭୂତପୂର୍ବ ପ୍ରତ୍ୟୟ ଓ ପୂର୍ଣ୍ଣତା ଆଣିଦେଲା। ସେହି ଦିନ ଠାରୁ ମୁଁ ଯେତେବେଳେ ସେ ଗଛଟିକୁ ଦେଖେ, ଏକ ଶାନ୍ତ ଅନୁଭବ ମୋ ଭିତରେ ସଞ୍ଚରି ଯାଏ। ସେହିପରି ଆମେ ଅନେକ, ରାତିର ଆକାଶକୁ କେବେ ସାଥୀ କରି ନ ଥାଉ। ଚୁପ୍ଚାପ୍, ଏକୁଟିଆ ଛାତ ଉପରେ ବସି ରାତି ଆକାଶର ଅଗଣିତ ତାରାମାନଙ୍କୁ ଦେଖିଲା ବେଳେ କିଏ ବା ସୃଷ୍ଟିର ଅସୀମତାକୁ ଅନୁଭବ ନ କରିପାରିବ! ଠିକ୍ େଯମିତି ଭୟେଜର୍-୧ ମହାକାଶ ଯାନ ଉଠାଇଥିବା ଫଟୋରେ - ମହାଶୂନ୍ୟର ଅସୁମାରି ଆଲୋକ ବିନ୍ଦୁ ଭିତରେ କ୍ଷୀଣ, ମ୍ଳାନ, ନୀଳ ବିନ୍ଦୁଟିଏ - ପୃଥିବୀକୁ ଦେଖି ପ୍ରସିଦ୍ଧ ମହାକାଶ ବିଜ୍ଞାନୀ କାର୍ଲ ସାଗାନ ସୃଷ୍ଟିର ଅସୀମତା ଓ ମଣିଷ ସ୍ଥିତିର ଅକିଞ୍ଚନତା ବିଷୟରେ ସଚେତନ ହୋଇଗଲା ପରି। ଏଥି ପାଇଁ ଲାଗେ ଯେ ସହର ବଜାରରେ, ଜନାକୀର୍ଣ୍ଣ ସ୍ଥାନମାନଙ୍କରେ ମଧ୍ୟ ଚିରନ୍ତନତାକୁ ଯିବା ପାଇଁ ଦ୍ବାରଟିଏ ଅଛି ପ୍ରତ୍ୟେକ ଘରର ଛାତ ଉପରେ।
ଅତ୍ୟଧିକ ପ୍ରକୃତି ପ୍ରବଣତା, ପ୍ରେମ ଯୋଗୁଁ ସାଙ୍ଗ ମେଳରେ ପରିହାସର ପାତ୍ର ହେଉଥିବା ଜଣେ ବନ୍ଧୁ ପ୍ରତି ଦିନ ଅଫିସରୁ ନଈ କୂଳ ରାସ୍ତାରେ ଫେରିଲା ବେଳେ ନିଛାଟିଆ ଜାଗା ଦେଖି ସ୍କୁଟରକୁ ରଖି ଦିଏ ଏବଂ ନଈକୁ ଅନେଇ ବେଶ୍ କିଛି ସମୟ କଟେଇ ଚାଲି ଆସେ। ମୁଁ ତାକୁ ଦିନେ ପଚାରିଲି, ‘‘ସବୁଦିନ କ’ଣ ସେ ଶୁଖିଲା ନଈ, ଛୋଟିଆ ପାଣି ଧାର ଖଣ୍ଡେ, କୂଳରେ ସବୁ ଆବର୍ଜନା ଗଦା- ତାକୁ ଦେଖି କ’ଣ ପାଉଛୁ?’’ ସେ ସାମାନ୍ୟ ହସି କହିଲା, ‘‘ସେ ସବୁ ତ ମୁଁ ଦେଖେ। ମାତ୍ର କିଛି ସମୟ ପରେ ମୁଁ ସେ ନଦୀର ଆତ୍ମାକୁ ପ୍ରବେଶ କରିଯାଏ। କେବେକେବେ ମୋ ମନକୁ ଆସେ- କାହିଁ କେଉଁ ଦୂର ପାହାଡ଼ରୁ ବହି ଆସିଛି, କେତେ ହଜାର ହଜାର ବର୍ଷ ଧରି; କ୍ଷୀଣ ପାଣି ଧାରଟିଏ ବହି ଯାଉଛି ଅଙ୍କାବଙ୍କା ହୋଇ କେତେ ଗଁାଗଣ୍ଡା, କେତେ ମଣିଷମାନଙ୍କୁ ସ୍ପର୍ଶ କରି, କିଛି ସୋରଶବ୍ଦ ନାହିଁ, ଆଡ଼ମ୍ବର ନାହିଁ। ମତେ ତା’ର ଏମିତି ବହିଯିବା ଦେଖିବାକୁ ଭଲ ଲାଗେ ଏବଂ ସେତିକିବେଳେ ମୁଁ ବି ମୋ ମନ ଭିତରେ ଅନେକ ଶାନ୍ତି ଅନୁଭବ କରେ।’’ ଅନୁଭବର କଥା ଏଇଟା; କାହାକୁ ବ୍ୟାଖ୍ୟା କରି ବୁଝେଇ ହେବ ନାହିଁ। ମାତ୍ର ଆମ ସମସ୍ତଙ୍କର ତ ପ୍ରାୟ ଏହିପରି ଅନୁଭବ ହୋଇଥାଏ। ଯେତେବେଳେ କିଚିରିମିଚିରି କରି ଡାଳରୁ ଡାଳକୁ ଉଡ଼ିଯାଉଥିବା ଚଢ଼େଇମାନଙ୍କୁ ଦେଖୁ, ଆମ ମନଟି ଆର୍ଦ୍ର, କୋମଳ ହୋଇଯାଏ। ଯେତେବେଳେ ଆମେ ଆମ ପାଖରେ ଥିବା ଗଛଗୁଡ଼ିକର ପ୍ରଶାନ୍ତ ରୂପ ଦେଖୁ, ଆମ ମନରେ ବି ଅତି ସଂଗୁପ୍ତରେ ପ୍ରଶାନ୍ତି ଭାବ ସଞ୍ଚରି ଯାଏ। ପ୍ରକୃତି, ନିରବରେ ଆମର ଜୀବନ ଧାରଣର ମାନକୁ ବଢ଼େଇ ଚାଲିଥାଏ, ଯେତେବେଳେ ଆମେ ପ୍ରକୃତିକୁ ସତରେ ଦେଖୁ। ପ୍ରତିଦିନ ପ୍ରକୃତି ସହ ଏହି ଛୋଟ ଛୋଟ ସାକ୍ଷାତ ଏକ ବିଶାଳ ଆଧ୍ୟାତ୍ମିକ ପରିବର୍ତ୍ତନ ଆଣି ନ ପାରେ; ମାତ୍ର ମୁହୂର୍ତ୍ତକ ପାଇଁ ହେଉ ପଛେ ଏକ ଦିବ୍ୟ, ସୁନ୍ଦର ଅନୁଭବ ନିଶ୍ଚୟ ହେବ। ଆସ୍ତେ ଆସ୍ତେ ଏହି ସାକ୍ଷାତ, ଏହି ଅନୁଭବ ଯେତେବେଳେ ଏକ ଧାରାରେ ପଡ଼ିଯିବ, ସେତେବେଳେ ଉପଲବ୍ଧିର ନୂଆ ନୂଆ ଦିଗନ୍ତମାନ ଉନ୍ମୋଚିତ ହୋଇଯିବ। ପ୍ରକୃତି ଠାରୁ ବିଚ୍ଛିନ୍ନ ହୋଇଯିବା ଆମ ଜୀବନର ଚରମ ବ୍ୟର୍ଥତା ଅଟେ। ସଂସାରକୁ ଦେଖୁ ଦେଖୁ ସୃଷ୍ଟି ଆମ ଆଖି ଆଗରୁ ଅନ୍ତର୍ହିତ ହୋଇଯାଇଥାଏ। ଏବଂ ଏହା ହିଁ ଆମ ଜୀବନର ଏକ ପ୍ରଚଣ୍ଡ ଅଭାବ ଅଟେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨ ୯୨୧୧୩