ତିନି ଦଶନ୍ଧିରୁ ଅଧିକ ତଳର ଅରୁଣାଚଳର ସ୍ମୃତି। ଗୌହାଟୀରୁ ୪୦୦ କିଲୋମିଟରର ଦୀର୍ଘ ବସ୍‌ ଯାତ୍ରାରେ ଇଟାନଗର ପହଞ୍ଚିବାର ଠିକ୍‌ ପୂର୍ବରୁ ପଡ଼େ ନିର୍ଜୁଲି। ସେଠି ଡଙ୍ଗାରେ ଡିକ୍ରଙ୍ଗ ନଦୀ ପାରି ହେଲା ପରେ ପାଦ ଟଣା ରିକ୍‌ସାରେ‌ ଦୋଇମୁଖ ନାମକ ଏକ ଅତି ସାନ ସହର ଦେଇ ଗୁମଜୋ ଗାଁ ଯାଏ ଯିବାକୁ ପଡ଼େ। ତାହା ହେଲା ର‌େନା ହିଲ୍‌ସ ନାମକ ପାହାଡ଼ର ପାଦଦେଶ। ପାହାଡ଼ ଶିଖରରେ ଅରୁଣାଚଳ ବିଶ୍ବବିଦ୍ୟାଳୟ; ସେହି ଶେଷ ଦୁଇ କିଲୋମିଟର ବାଟ ପାଦରେ ଯିବାକୁ ହୁଏ। ଯୋଜନା ମୁତାବିକ ସବୁ ଚାଲିଲେ ବିଶ୍ବବିଦ୍ୟାଳୟର ବସ୍‌ ଡିକ୍ରଙ୍ଗ ନଦୀ ମୁଣ୍ଡ ଯାଏ ଆସେ। ନୋହିଲେ ଶେଷ ଦୁଇ କି.ମି. ପାଦରେ ଉଠିବା ଥୟ। ଥରେ ଯୋଜନା କାମ କଲାନି। ଆମେ ରାତି ଆଠଟା (ଶୀତ ଦିନେ ଅରୁଣାଚଳରେ ତାହା ଘୋର ରାତି ସମୟ)ରେ ଗୁମଜୋ ଗାଁର ଜଣକ ଘରେ ବ୍ୟାଗ୍‌ପତ୍ର ରଖି ବିଶ୍ବବିଦ୍ୟାଳୟ ଅଭିମୁଖେ ଚଢ଼ାଣି ରାସ୍ତାରେ ଉଠିବା ଆରମ୍ଭ କଲୁ।

Advertisment

‘ଆମେ’ରେ ମୋ ସାଙ୍ଗରେ ଥିଲେ ପତ୍ନୀ ଏବଂ ଆଠ-ଦଶ ମାସର ଆମର ଶିଶୁ ସନ୍ତାନ। ଠିକ୍ ଅଧାଅଧି ରାସ୍ତା ଅତିକ୍ରମ କଲା ପରେ ଜଙ୍ଗଲରୁ ଜଣେ ସ୍ଥାନୀୟ ଲୋକ ହଠାତ୍‌ ବାହାରି ଆସି କହିଲା- ‘କାଟି ଦିମ୍‌’ (ହାଣି ଦେବି!) ହାତରେ ତା’ର ଏକ ବଡ଼ ‘ଦାଓ’, ଓଡ଼ିଆରେ କହିଲେ ଖଣ୍ଡା। ବଣ ଜଙ୍ଗଲ ଘେରା ଅରୁଣାଚଳରେ ‘ଦାଓ’ ଏଭଳି ଏକ ଅସ୍ତ୍ର ଯାହା ଗଛ କାଟିବା ଠାରୁ ଆରମ୍ଭ କରି ବଣ୍ୟ ପଶୁ ଶିକାର ଯାଏଁ ସବୁରି ବ୍ୟବହାରରେ ଆସେ। ଲୋକଟିର କଥାରେ ଆଦୌ ଆବିଳତା ନାହିଁ। ଏ ଭିତରେ ସେ ‘ଦାଓ’ଟିକୁ ମୋର ବେକରେ ରଖି ସାରିଲାଣି। ସେ ଯାହା କହୁଛି, ତା’ର ଅର୍ଥ ବି ସେ ବୁଝେ। ମୋର ତିନି ବର୍ଷର ରହଣି ସେତେବେଳକୁ ଅରୁଣାଚଳରେ। ସେହି ଯତ୍‌ ସାମାନ୍ୟ ଅନୁଭବର ଆଧାରରେ ମୁଁ ଚଳନ୍ତି ଆସାମିଆ ଭାଷା ଓ ଅରୁଣାଚଳୀ ଲୋକଟିର ଉଦ୍ଦେଶ୍ୟ ଲୁଟପାଟ ନୁହେଁ ବୋଲି ବି ଜାଣେ।

କହିଲି, ‘‘କକାଇ, ମୋଏ ୟୁନିଭର୍ସିଟିର ମାନୁହ। କି ହଲ?’’ (ବଡ଼ଭାଇ, ମୁଁ ୟୁନିଭର୍ସିଟିର ଲୋକ। ହେଲା କ’ଣ?) ଲୋକଟି ମୋ ସହ କଥାବାର୍ତ୍ତା କଲା ବେଳେ ଥରକୁ ଥର ଖାଲ ପଚାରିଲା, ‘‘ତୁ ଭୂତ ନୋହୁ ନା?’’ ତେଣିକି ମୁଁ ଭୂତ ନୁହେଁ ବୋଲି ଆଶ୍ବସ୍ତ ହେଲା ପରେ ଚାଲିଲା ତା’ର କ୍ଷମା ଭିକ୍ଷା। ତୁମ ସାଙ୍ଗରେ ‘ବାଏଦେଓ’ (ଭଉଣୀ) ଅଛନ୍ତି। ମୁଁ ଅଧମ କେମିତି ଧରିନେଲି ଯେ ତୁମେ ଭୂତ! ମୁଁ କେତେ ବଡ଼ ଭୁଲ୍‌ କରିବାକୁ ଯାଉଥିଲି! ମୁଁ ଏବେ ତୁମକୁ ମାରି ଦେଇଥାନ୍ତି ଯଦି? କେତେ ବଡ଼ ଅପରାଧ ହୋଇନଥାନ୍ତା?’’ ଅରୁଣାଚଳ ସଂସ୍କୃତିରେ ପାଦ ଧରି ନେହୁରା ହେବାର ପରଂପରା ନାହିଁ। କିନ୍ତୁ ଲୋକଟିର ଅପରାଧବୋଧ ତା’ଠାରୁ ବି ଢ଼େର ଅଧିକ ଥିଲା! ଏଥି ଲାଗି କୌଣସି କୋର୍ଟ କଚେରିରେ ଦଣ୍ଡିତ ହେବାର ଡର ନ ଥିଲା। ସ୍ଥାନୀୟ ଆଦିବାସୀ ସେ। ଭୟ ତା’ର ଅବାଂଛିତ ହତ୍ୟା ଅପରାଧକୁ। ଆଦିବାସୀ ସମାଜରେ ଭୂତକୁ ନେଇ ଢ଼େର ବିଶ୍ବାସ। ତେବେ, ଭୂତ ଠାରୁ ନିବୃତ୍ତି ଜନିତ ବିଶ୍ବାସରେ କୌଣସି ମହିଳା ହତ୍ୟାର ସ୍ଥାନ ବୋଧହୁଏ ନ ଥିଲା। ଦୀର୍ଘ ରାସ୍ତାରେ ଥକି ଯାଇ ଆମେ ପତି-ପତ୍ନୀ ଅନ୍ଧାର ବାଟରେ ଆପୋସ ସୁରକ୍ଷା ପାଇଁ ଚୁପ୍‌ଚାପ୍‌ ଲଗାଲଗି ହୋଇ ଚାଲିଥିଲୁ; ପୁଣି ମୋ କାନ୍ଧରେ ଛୁଆ। ବୋଧହୁଏ ଲୋକଟି ଭାବିଲା, ଏହା ଏକ ବିରାଟକାୟ ଜୀବ, ଭୂତ!

ତେବେ, ଦୀର୍ଘ ଦଶନ୍ଧିଏ ପ୍ରାୟ ଅରୁଣାଚଳ‌ର ମୋର ପ୍ରବାସ ବିଶେଷ ଭୟ ଉଦ୍ରେକକାରୀ ନ ଥିଲା; ଥିଲା ବନ୍ଧୁ ଗହଣରେ ହାସ୍ୟ ଉଦ୍ରେକକାରୀ। ତା’ଠାରୁ ମଧ୍ୟ ମହତ୍ତ୍ବପୂର୍ଣ୍ଣ ଉପଲବ୍‌ଧି ହେଲା ଯେ ଯଦି ସାଙ୍ଗରେ ମହିଳା ଜଣେ ଅଛନ୍ତି, ତୁମେ ନିଜକୁ ସୁରକ୍ଷିତ ମନେ କରିବ! ସେତେବେଳେ କେବଳ ଅରୁଣାଚଳ କାହିଁକି, ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ନାହିଁ ନ ଥିବା ଅରାଜକତା। ରାତିରେ ଘରୁ ବାହାରିବା ମାନେ ଯେମିତି ଅସୁରକ୍ଷା ଭିତରକୁ ଠେଲି ହେଇଯିବା। କେଉଁଠି ଅରାଜକ ଗୋଷ୍ଠୀର କର୍ତ୍ତୃତ୍ବ ତ ଆଉ କେଉଁଠି ଅରାଜକ ବ୍ୟକ୍ତି ବା ଗୋଷ୍ଠୀକୁ କାବୁ କରିବା ଉଦ୍ଦେଶ୍ୟରେ ନିୟୋଜିତ ‌ପୁଲିସ-ଆର୍ମିର କର୍ତ୍ତୃତ୍ବ। ହେଲେ ସବୁଠାରେ ଏବଂ ସବୁ ସ୍ଥିତିରେ ସାଧ‌ାରଣ ଲୋକ ହିଁ ଅକଳରେ ପଡ଼ନ୍ତି। ‌ପୁଲିସ-ଆର୍ମିର ସନ୍ଦେହ, ‘ସାଧାରଣ ଲୋକେ’ ହିଁ ଅରାଜକ ଗୋଷ୍ଠୀଙ୍କ ପ୍ରଶ୍ରୟଦାତା ଏବଂ ଅରାଜକ ଗୋଷ୍ଠୀଙ୍କ ସନ୍ଦେହ ଯେ ‘ସାଧାରଣ ଲୋକେ’ ପୁଲିସ-ଆର୍ମିର ଗୁପ୍ତଚର। ମାଓବାଦୀ-ପ୍ରବଣ ଅଞ୍ଚଳର ଅନୁଭବ ରଖିଥିବା ଆମ ଓଡ଼ିଶା ଲୋକ ନିଶ୍ଚିତ ରୂପେ ‘ସାଧାରଣ ଲୋକ’ଙ୍କ ଏହି ଦୁଃଖଦ ସ୍ଥିତିକୁ ବୁଝିବାରେ ଝୁଣ୍ଟିବେନି।

ମାତ୍ର ଉତ୍ତର-ପୂର୍ବାଞ୍ଚଳର ସେହି ଅସମୟରେ ସୁଦ୍ଧା ସୁରକ୍ଷାର ଆଶ୍ବାସନା ମିଳେ, ଯେତେବେ‌େଳ ସାଙ୍ଗରେ ଜଣେ ମହିଳା ରହିଥାନ୍ତି। ଏଭଳି ସ୍ଥଳେ ଉଭୟ ଅରାଜକ ତତ୍ତ୍ବ ଏବଂ ସେମାନଙ୍କ ସାବାଡ଼କାରୀ ପୁଲିସ-ଆର୍ମି ସେହି ଲୋକକୁ ପରିବାର ସମ୍ଭାଳିଥିବା ଜଣେ ନିରୀହ ମଣିଷ ବିଚାର କରି ‘ସାଧାରଣ ଲୋକ’ଙ୍କୁ ଯିବାକୁ ଦିଅନ୍ତି। ତେଣୁ, କୌଣସି ଜରୁରୀ କାମରେ, ବିଶେଷ କରି ଡାକ୍ତରଖାନା କାମରେ ଗଲା ବେଳେ, ଯଦି ପତ୍ନୀ ନାହାନ୍ତି, ତା’ ହେଲେ କୌଣସି ମହିଳା ସହକର୍ମୀ, ନୋହିଲେ ଏପରିକି ଜଣେ-ଦି’ଜଣ ଛାତ୍ରୀ ସାଙ୍ଗରେ ଯିବାକୁ ବାହାରି ପଡ଼ନ୍ତି। ଗନ୍ତବ୍ୟ ବେଳେ ଅଯଥା ଏହି କାରଣରୁ ଅନେକ ଚେକିଂ ଏବଂ ବିରକ୍ତିକର ପଚରା-ଉଚୁରାରୁ ତ୍ରାହି ମିଳେ ଏବଂ ସେତିକି ବେଳେ ଜାଣି ହୁଏ ଯେ ମହିଳା ହିଁ ସମାଜର ଓ ସଭ୍ୟତାର ପ୍ରକୃତ-ସୁରକ୍ଷା ପ୍ରଦାନକାରୀ।

ଆଜିକୁ ୩୦ ବର୍ଷ ତଳେ ଉତ୍ତର-ପୂର୍ବାଞ୍ଚଳକୁ ଦେଶର ଅବିକଶିତ, ଅବହେଳିତ, ସ୍ବଳ୍ପ ଶିକ୍ଷିତ ‌େକ୍ଷ‌ତ୍ର ବୋଲି ମନେ କରାଯାଉଥିଲା। କିନ୍ତୁ, ମହିଳାଙ୍କ ପ୍ରତି ସମ୍ମାନବୋଧରେ ସମ୍ଭବତଃ ଏହି ଅଞ୍ଚଳ ଭାରତର ଅନ୍ୟାନ୍ୟ ଅନେକ ଅଞ୍ଚଳ ତୁଳନାରେ ଖୁବ୍‌ ଆଗରେ ଥିଲା।

ଏବେ ଓଡ଼ିଶାରେ ରାତିରେ କେଉଁଠାକୁ ଗଲା ବେଳେ ଯଦି ସାଙ୍ଗରେ ଜଣେ ମହିଳା ଅଛନ୍ତି, ତେବେ ଚିନ୍ତା ବଢ଼ିଯାଏ। ପୁରୁଷ ଏବଂ ମହିଳା ବନ୍ଧୁ ଏକତ୍ର ଥିବା ବେଳେ ଅସାମାଜିକ ଲୋକଙ୍କ ଦୁର୍ବ୍ୟବହାରର ଶିକାର ହେବାର ଦୃଷ୍ଟାନ୍ତ ବହୁତ ଅଧିକ! ଅନ୍ୟ କେତେକ ପ୍ରଦେଶରେ ତ ସ୍ଥିତି ଆହୁରି ଗୁରୁତର। ସ୍ଥିତି ଏମିତି ଯେ ବିଳମ୍ବିତ ରାତିରେ ଜଣେ ମହିଳା ଯଦି କୌଣସି ସ୍ଥାନକୁ ଯିବାକୁ ଜଣେ ପୁରୁଷଙ୍କ ସାହାଯ୍ୟ ନିଅନ୍ତି, ତେବେ ସେହି ତଥାକଥିତ ସୁରକ୍ଷା ପ୍ରଦାନକାରୀ ପୁରୁଷ ହିଁ ନିଜକୁ ଅସୁରକ୍ଷିତ ବୋଲି ମଣି ପାରନ୍ତି!

ଆମ ଧର୍ମ ଧାରଣାରେ ନାରୀକୁ ଶକ୍ତି ରୂ‌ପରେ ଦେଖାଯାଏ। କିନ୍ତୁ କାର୍ଯ୍ୟତଃ ତାହା ପରିଦୃଷ୍ଟ ହୁଏ ନାହିଁ। ହେଲେ, ଅରୁଣାଚଳ ସମେତ ଉତ୍ତର-ପୂର୍ବାଞ୍ଚଳରେ ନାରୀକୁ ଅକୃତ୍ରିମ ସମ୍ମାନବୋଧ ଦିଆଯାଏ। ଏହାର ଅର୍ଥ, ଆମ ଉଚ୍ଚାରଣରେ ବା ଉଚ୍ଚାଙ୍ଗ ଆଲୋଚନାରେ ନାରୀ ଦେବୀତୁଲ୍ୟା ବୋଲି ସର୍ବଦା କୁହାଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ତାକୁ ସମ୍ମାନ ଓ ସୁରକ୍ଷା ଦିଆଯାଏ ନାହିଁ। ତେଣୁ, ଝିଅଟିଏ ପିଲା ବେଳୁ ଏହା ଦେଖି ଓ ଶୁଣି ଏକ ସହଜାତ ଭୟ ଆହରଣ କରି ବଢ଼େ। ଆମ ସମାଜରେ ଏଭଳି କପଟାଚାର କାହିଁକି? ଉତ୍ତର-ଆଧୁନିକତାର ଶୀର୍ଷ କାଳରେ ବି ଏହା ଏକ ବିଚାର୍ଯ୍ୟ ପ୍ରଶ୍ନ।
[email protected]