ଆଜି ଠାରୁ ଶହେ ବର୍ଷ ପରେ

ବିଜୟ ନାୟକ

ଆଜି ଠାରୁ ଶହେ ବର୍ଷ ପରେ କ’ଣ ହୋଇଥିବ ପୃଥିବୀର ଚିତ୍ର ଓ ଚରିତ୍ର? କ’ଣ ହୋଇଥିବ ମଣିଷର ଜୀବନଜୀବିକା, ଆଚାରବିଚାର, ଭାବ ଓ ଭ୍ରାନ୍ତି? ଆଜକୁ ଶହେ ବର୍ଷ ତଳେ ଆଜିର ପୃଥିବୀକୁ କଳ୍ପନା କରି ପାରିନଥିଲେ ଆମ ପୂର୍ବଜମାନେ। ସେହିପରି ଶହେ ବର୍ଷ ପରବର୍ତ୍ତୀ ପୃଥିବୀର ଚେହେରା ଓ ଚମକ ଆମ କଳ୍ପନା ବହିର୍ଭୂତ। ମଣିଷ ଚନ୍ଦ୍ରପୃଷ୍ଠରେ ପାଦ ଦେବ ବୋଲି ଆମ ପୂର୍ବ ପୁରୁଷଗଣ କ’ଣ ଭାବି ପାରିଥିଲେ? ନା ଦୁଇ ଦଶନ୍ଧି ପୂର୍ବରୁ ଆମ୍ଭେମାନେ ଭାବି ପାରିଥିଲେ ଯେ ଅଧ ଚାଖଣ୍ଡ ପରିମିତ ଏକ ଯନ୍ତ୍ର ଆମ୍ଭମାନଙ୍କ ପକେଟର ଶୋଭା ବର୍ଦ୍ଧନ କରିବ ଯାହା ମାଧ୍ୟମରେ ନିୟତ ବିଶ୍ୱରୂପ ଦର୍ଶନ କରିହେବ? ପରିବର୍ତ୍ତନର କ୍ଷିପ୍ରତା ଅପରିକଳ୍ପନୀୟ। ନଦୀର ସମସ୍ରୋତରେ ଏକାଧିକ ବାର ଲମ୍ଫ ପ୍ରଦାନ କରିବା ଅସମ୍ଭବ ବୋଲି ଯାହା ଦାର୍ଶନିକ ହିରାକ୍ଲିଟସ୍ କହିଥିଲେ ତାହା ସର୍ବଦା ପ୍ରାସଙ୍ଗିକ।

ବିଜ୍ଞାନ ଓ ବୈଷୟିକ ଜ୍ଞାନର ଅପ୍ରତିହତ ଅଗ୍ରଗତି ମଣିଷକୁ ବିସ୍ମିତ କରିବାକୁ ବାଧ୍ୟ କରିଛି। ଅଧୁନା ମଙ୍ଗଳରେ ଜୀବନ ଅନ୍ୱେଷଣ ସହିତ ଜୀବନରେ ମଙ୍ଗଳ ଅନ୍ୱେଷଣର ପ୍ରକ୍ରିୟା ତୀବ୍ର ହୋଇଛି। ଏକ ଦୀର୍ଘ ଓ ନିରାମୟ ଜୀବନ କେବଳ ନୁହେଁ, ଅମର ହେବାର ସ୍ୱପ୍ନ ଦେଖିଲାଣି ମଣିଷ! ଅଙ୍ଗ ପ୍ରତ୍ୟାରୋପଣ ମାଧ୍ୟମରେ ମଣିଷ ତା’ର ରୁଗ୍‌ଣ ଓ ଅକ୍ଷମ ଦେହକୁ ପୂର୍ଣ୍ଣ ମରାମତି କରିବାରେ ସକ୍ଷମ। ଦନ୍ତ ଓ କେଶ ରୋପଣ ତ ଆଜିକାଲି ଅତି ସାଧାରଣ କଥା। ହୃତ୍‌ପିଣ୍ଡ ଠାରୁ ବୃକ୍‌କ ପର୍ଯ୍ୟନ୍ତ ମଣିଷ ଶରୀରର ଏପରି କିଛି ଅଙ୍ଗ ନାହିଁ, ଯାହାକୁ ବଦଳାଇବା ସମ୍ଭବ ନୁହେଁ। ପୁନଶ୍ଚ ଶରୀରରୁ କର୍କଟ ଉପାଦାନ ଉତ୍ପାଟନ କରି ମଣିଷକୁ ବାର୍ଦ୍ଧକ୍ୟରୁ ମୁକ୍ତ କରିପାରିବ ଚିକିତ୍ସା ବିଜ୍ଞାନ। ତେବେ ମଣିଷ ଅମରତ୍ୱ ଲାଭ କଲେ ବା ଦ୍ୱିଶତ ବର୍ଷ ବଞ୍ଚି ରହିଲେ ପରିବାର ଓ ସମାଜର ରୂପ କିପରି ହେବ, ତାହା ଅବଶ୍ୟ ବିଚାର୍ଯ୍ୟ। ପିଢ଼ି-ପିଢ଼ି ମଧ୍ୟରେ ବ୍ୟବଧାନ କେବଳ ନୁହେଁ, ସଂଘର୍ଷ ବି ସୀମା ଟପିଯିବ। ପାରିବାରିକ ଜୀବନର ଦୃଶ୍ୟପଟ ହୋଇଯିବ ଓଲଟପାଲଟ। ବୈଜ୍ଞାନିକ ଉଦ୍ଭାବନଗୁଡ଼ିକ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବା ଫଳରେ ନୂଆ ଉଦ୍ଭାବନ ପୁରୁଣା ଉଦ୍ଭାବନକୁ ଅକାମି କରିଦେବ। ସାମ୍ପ୍ରତିକ ପୃଥିବୀରେ ପ୍ରତି ବୈଠକୀ ଘରର ଟେଲିଭିଜନ ସିନେମା ହଲରେ ତାଲା ପକାଇ ଦେଇଛି। ଡାକଘରକୁ କୋରିୟର ସେବା ଅଚଳ କରିଦେଇଛି ତ ଫାକ୍ସ ଅଚଳ କରିଛି କୋରିୟର ସେବାକୁ। ଆଉ ସେ ସବୁକୁ ଅକସ୍ମାତ ଗ୍ରାସ କରିଛି ଇ-ମେଲ।

ମଣିଷ କେବେ ଠାରୁ ଯନ୍ତ୍ର ପାଲଟି ସାରିଥିଲା। ଏବେ କିନ୍ତୁ ଯନ୍ତ୍ର ମଣିଷ ହେବାକୁ ବସିଲାଣି। ରୋବଟମାନେ ତ ମଣିଷ ପରି ମଣିଷ, କିନ୍ତୁ ମଣିଷର ପରିଚାରକ ହୋଇ ରହିଛନ୍ତି। ସେମାନେ ଖୁବ୍‌ ଶୀଘ୍ର ପ୍ରଭୁ ପାଲଟିଯିବେ। କମ୍ପ୍ୟୁଟର ଚିତ୍ର ଆଙ୍କିଲାଣି, ତା’ ପକ୍ଷେ କବିତା ଲେଖିବା ଆଉ ବିଳମ୍ବ ହେବ ନାହିଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଓ ଅଟୋମେସନ୍ ସମାଜକୁ କେଉଁ ଆଡ଼କୁ ନେବ, ସମୟକୁ କି ରୂପ ଦେବ କିଏ କହିବ? ସୁତରାଂ ଜୀବନ ଯେ ଏକ ଦ୍ରୁତ ଅନିଶ୍ଚିତତା ଆଡ଼କୁ ଧାବମାନ, ଏଥିରେ କ’ଣ ସନ୍ଦେହ ଅଛି?

କଳା ଓ କବିତା ସମାଜ ଓ ସମୟର ବନ୍ଧନୀ ମଧ୍ୟରେ ଥା’ନ୍ତି, କିନ୍ତୁ ବନ୍ଧନୀ ଡେଇଁବାକୁ ଅହରହ ଚେଷ୍ଟା କରୁଥା’ନ୍ତି। କାରଣ କଳା ବା କବିତା ସମାଜର ବନ୍ଧନୀକୁ ଡେଇଁ ନ ପାରିଲେ ସାର୍ବଜନୀନ ହୋଇପାରେ ନାହିଁ, ସମୟ ସୀମାକୁ ପାରି ନହେଲେ ହୋଇପାରେ ନାହିଁ ସନାତନ। ନିର୍ଦ୍ଦିଷ୍ଟ କାଳଖଣ୍ଡ ଓ ଭୂଖଣ୍ଡ ମଧ୍ୟରେ ଆବଦ୍ଧ କଳା, କଳା ନା କବିତା, କବିତା? କିନ୍ତୁ ସମୟ ଓ ସମାଜର ଅପ୍ରତ୍ୟାଶିତ, ଅନିଶ୍ଚିତ ଓ ଅଦ୍ଭୁତ ପରିବର୍ତ୍ତନ କଳା ଓ କବିତାର ଅସ୍ତିତ୍ୱକୁ ଦୋହଲାଇଦେଲାଣି, ଚିର ଆୟୁଷ୍ମାନ ହେବାର ଅଭୀପ୍‌ସାକୁ ବିଦୀର୍ଣ୍ଣ କଲାଣି। ଚେତନା ଚିରନ୍ତନ, ବାସ୍ତବତା କ୍ଷଣିକ। ଏହା ଭାରତୀୟ ଦର୍ଶନର ଏକ ବହୁ ଉଦ୍ଧୃତ ଆପ୍ତବାକ୍ୟ। ଦାର୍ଶନିକ ପ୍ଲାଟୋଙ୍କ ମତରେ ‘ଆଇଡିଅଲ୍‌ ଇଜ୍ ରିୟଲ୍, ଆକଚ୍ୟୁଆଲି ଇଜ୍ ନଟ୍।’ ଉତ୍କର୍ଷ କଳା ଓ ଉତ୍କୃଷ୍ଟ କବିତା ହିଁ ଚିରନ୍ତନ। ତୂଳୀ ଯାହା ଆଙ୍କି ଦିଏ ବା ଲେଖନୀ ଯାହା ଲେଖିଦିଏ, ସେ ସବୁ କାଳଜୟୀ ସୃଷ୍ଟି ପଦବାଚ୍ୟ ନୁହନ୍ତି। କୋଣାର୍କ ଓ ଖଜୁରାହୋ ପରି ସ୍ଥାପତ୍ୟ ମଧ୍ୟ ଓଳିକ, କାରଣ ସେଗୁଡ଼ିକ ବାସ୍ତବ ହୋଇଥିବାରୁ କ୍ଷୟଶୀଳ। କବିତା ଏକ ଚେତନା। ତେଣୁ ତାହା ଅକ୍ଷୟ। କିନ୍ତୁ କେତେ ଯେ କବିତା କାଳଗର୍ଭରେ ଲୀନ ହୋଇଯାଇଛି, ତା’ର କଳନା କରାଯିବା ସମ୍ଭବ ନୁହେଁ। ଅନେକ ପୁରସ୍କୃତ କବି ଓ ସେମାନଙ୍କ କବିତା ଲୋକସ୍ମୃତିର ଅନ୍ତରାଳରେ ରହିଯାଇଛି। ରବୀନ୍ଦ୍ରନାଥଙ୍କ ସବୁ କବିତା ସ୍ମରଣୀୟ ହୋଇ ରହି ନାହିଁ କି, ସ୍ମରଣୀୟ ହୋଇ ରହି ନାହିଁ ଫକୀରମୋହନଙ୍କ ସବୁ ଗପ।

କଳାକୃତି ହେଉ କି କେଉଁ କାବ୍ୟକୃତି, ତାହା ଶହେ ବର୍ଷ ତିଷ୍ଠି ରହିବା ଅନେକ ସମୟରେ ଅବିଶ୍ୱାସ୍ୟ ମନେ ହୁଏ। କବିଗୁରୁ ରବୀନ୍ଦ୍ରନାଥଙ୍କର ଏକ କବିତା ଏହିପରି : “ଆଜି ହତେ ଶତବର୍ଷ ପରେ, କେ ତୁମି ପଢ଼ିଛ ବସି, ଆମାର କବିତା ଖାନି କୌତୂହଲ୍ ଭରେ, ଆଜି ହତେ ଶତବର୍ଷ ପରେ।” ଅର୍ଥାତ୍ ଶହେ ବର୍ଷ ପରେ ତାଙ୍କ କବିତା ପଢ଼ା ଯାଉଥିବା ଚିନ୍ତା କରି କବିଗୁରୁ ବିଭୋର। ପ୍ରକାରାନ୍ତରେ ଏହାର ଅର୍ଥ ଏପରି ହୋଇପାରେ ଯେ କବୀନ୍ଦ୍ର ରବୀନ୍ଦ୍ର ନିଜ କବିତା ଶହେ ବର୍ଷ ପରେ ପଠିତ ହେବା ବିଷୟରେ ସନ୍ଦିହାନ ଥାଇପାରନ୍ତି। କବିଗୁରୁ ଯଦି ନିଜ କବିତାର ଅମରତ୍ୱ ବିଷୟରେ ନିଶ୍ଚିତ ନୁହନ୍ତି, ଅନ୍ୟମାନଙ୍କ କଥା ପଚାରେ କିଏ?

କେତେ କବି ଓ କବିତା କାଳସ୍ରୋତରେ ବୁଦ୍‌ବୁଦ୍ ପରାୟ ନିଶ୍ଚିହ୍ନ ହୋଇଗଲେଣି। ସମୀକ୍ଷା, ସ୍ୱୀକୃତି, ସମ୍ମାନ ଓ ସମ୍ବର୍ଦ୍ଧନା ସର୍ଜନର ମାନଦଣ୍ଡ କଦାପି ନୁହନ୍ତି। କିନ୍ତୁ ହାଏ, ଏ କଥା କେତେ ଜଣ ବୁଝନ୍ତି!
ମୋ: ୯୪୩୭୧୪୩୩୮୯୬

ସମ୍ବନ୍ଧିତ ଖବର