ଶହେ ବର୍ଷ ପୂର୍ବେ ବିଜୟା ଦଶମୀର ମହାପର୍ବ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ହୋଇଥିଲା। ଏହା ଥିଲା ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ସେହି ପରମ୍ପରାର ପୁନଃପ୍ରତିଷ୍ଠା, ଯେଉଁଥିରେ ରାଷ୍ଟ୍ର ଚେତନା ସମୟ ସମୟରେ ତତ୍‌କାଳୀନ ଯୁଗର ଆହ୍ୱାନକୁ ସାମ୍ନା କରିବା ଲାଗି ନୂଆ ନୂଆ ଅବତାରରେ ପ୍ରକଟ ହୋଇଥାଏ। ଏହି ଯୁଗରେ ସଂଘ ସେହି ଅନନ୍ତ ରାଷ୍ଟ୍ର ଚେତନାର ପୁଣ୍ୟ ଅବତାର। ଏହା ଆମ ସ୍ୱେଚ୍ଛାସେବକ ପିଢ଼ିର ସୌଭାଗ୍ୟ ଯେ ଆମେ ସଂଘର ଶତବାର୍ଷିକୀ ବର୍ଷ ଭଳି ଏକ ମହାନ ଅବସରର ସାକ୍ଷୀ। ମୁଁ ଏହି ଅବସରରେ ରାଷ୍ଟ୍ର ସେବାର ସଂକଳ୍ପ ପ୍ରତି ସମର୍ପିତ କୋଟି କୋଟି ସ୍ୱୟଂସେବକମାନଙ୍କୁ ଶୁଭକାମନା ଜଣାଉଛି। ମୁଁ ସଂଘର ପ୍ରତିଷ୍ଠାତା, ଆମ ସମସ୍ତଙ୍କର ଆଦର୍ଶ ପରମ ପୂଜ୍ୟ ଡକ୍ଟର ହେଡ଼ଗେୱାରଜୀଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶହେ ବର୍ଷ ଧରି ସଂଘର ଏହି ଗୌରବମୟ ଯାତ୍ରାକୁ ସ୍ମରଣ କରିବା ପାଇଁ, ଭାରତ ସରକାର ସ୍ୱତନ୍ତ୍ର ଡାକ ଟିକେଟ୍ ଓ ସ୍ମାରକୀ ମୁଦ୍ରା ମଧ୍ୟ ଜାରି କରିଛନ୍ତି।
ବିଶାଳ ନଦୀ କୂଳରେ ଯେପରି ଭାବେ ମାନବ ସଭ୍ୟତା ବିକଶିତ ହୋଇଥାଏ, ଠିକ୍‌ ସେହିପରି ସଂଘ କୂଳରେ ଶହ ଶହ ଜୀବନ ପ୍ରସ୍ଫୁଟିତ ହୋଇଛି। ପ୍ରତ୍ୟେକ ନଦୀ ଯେଉଁ ମାର୍ଗ ଦେଇ ବୋହି ଯାଇଥାଏ, ସେହି କ୍ଷେତ୍ରକୁ ନିଜର ଜଳ ମାଧ୍ୟମରେ ସମୃଦ୍ଧ କରିଥାଏ। ଅନୁରୂପ ଭାବେ ସଂଘ ଏ ଦେଶର ପ୍ରତ୍ୟେକ କ୍ଷେତ୍ର, ସମାଜର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି। ନଦୀ ଯେପରି ଅନେକ ଧାରା ମାଧ୍ୟମରେ ନିଜକୁ ପ୍ରକଟିତ କରିଥାଏ, ସଂଘର ଯାତ୍ରା ମଧ୍ୟ ସେପରି ରହିଆସିଛି। ସଂଘର ଭିନ୍ନ ଭିନ୍ନ ସଂଗଠନ ମଧ୍ୟ ଜୀବନର ପ୍ରତ୍ୟେକ ପକ୍ଷ ସହ ଯୋଡ଼ି ହୋଇ ରାଷ୍ଟ୍ର ସେବା କରୁଛନ୍ତି। ଶିକ୍ଷା, କୃଷି, ସମାଜ କଲ୍ୟାଣ, ଆଦିବାସୀ କଲ୍ୟାଣ, ମହିଳା ସଶକ୍ତୀକରଣ, ସାମାଜିକ ଜୀବନର ଏପରି ଅନେକ କ୍ଷେତ୍ରରେ ସଂଘ ନିରନ୍ତର କାର୍ଯ୍ୟ କରୁଅଛି। ବିବିଧ କ୍ଷେତ୍ରରେ କାମ କରୁଥିବା ପ୍ରତ୍ୟେକ ସଂଗଠନର ସମାନ ଉଦ୍ଦେଶ୍ୟ, ସମାନ ଭାବନା- ରାଷ୍ଟ୍ର ପ୍ରଥମେ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗଠନ ହେବା ପରଠାରୁ ରାଷ୍ଟ୍ର ନିର୍ମାଣର ମହାନ ଉଦ୍ଦେଶ୍ୟକୁ ପୂରଣ କରିବା ନିମନ୍ତେ ନିଜର ଯାତ୍ରା ଜାରି ରଖିଛି। ଏହି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସଂଘ, ବ୍ୟକ୍ତି ନିର୍ମାଣ ଜରିଆରେ ରାଷ୍ଟ୍ର ନିର୍ମାଣର ମାର୍ଗ ଚୟନ କରିଛି ଏବଂ ଏହାକୁ ଜାରି ରଖିବା ପାଇଁ ଯେଉଁ କାର୍ଯ୍ୟପଦ୍ଧତି ଚୟନ କରିଛି ତାହା ହେଉଛି ନିତ୍ୟ-ନିୟମିତ ଚାଲୁଥିବା ଶାଖା। ସଂଘ ଶାଖାର ସେହି ପଡ଼ିଆ, ଏପରି ଏକ ପ୍ରେରଣାର ଭୂମି, ଯେଉଁଠି ସ୍ୱୟଂସେବକମାନଙ୍କର ଅହମ୍‌ରୁ ବୟଂର ଯାତ୍ରା ଆରମ୍ଭ ହୋଇଥାଏ। ସଂଘର ଶାଖାଗୁଡ଼ିକ ବ୍ୟକ୍ତି ନିର୍ମାଣର ଯଜ୍ଞବେଦୀ।
ରାଷ୍ଟ୍ର ନିର୍ମାଣର ମହାନ ଉଦ୍ଦେଶ୍ୟ, ବ୍ୟକ୍ତି ନିର୍ମାଣର ସ୍ପଷ୍ଟ ପଥ ଏବଂ ଶାଖା ଭଳି ସରଳ, ଜୀବନ୍ତ କାର୍ଯ୍ୟପଦ୍ଧତି ସଂଘର ଶହେ ବର୍ଷ ଯାତ୍ରାର ଆଧାର ପାଲଟିଛି। ଏହିସବୁ ସ୍ତମ୍ଭ ଉପରେ ଛିଡ଼ା ହୋଇ ସଂଘ ଲକ୍ଷ ଲକ୍ଷ ସ୍ୱୟଂସେବକଙ୍କୁ ଗଢ଼ିଛି, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଦେଶକୁ ଆଗେଇ ନେଉଛନ୍ତି। ସଂଘ ଅସ୍ତିତ୍ୱ ଲାଭ କରିବା ଦିନଠାରୁ ଦେଶର ପ୍ରାଥମିକତା ହିଁ ସଂଘର ନିଜସ୍ୱ ପ୍ରାଥମିକତା ରହିଆସିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ପରମ ପୂଜ୍ୟ ଡକ୍ଟର ହେଡ଼ଗେୱାରଜୀଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ, ଡକ୍ଟର ସାହେବ ଅନେକ ଥର ଜେଲ ମଧ୍ୟ ଯାଇଥିଲେ। ସ୍ୱାଧୀନତା ସଂଗ୍ରାମରେ ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସଂଘ ସଂରକ୍ଷଣ ଦେଇଥିଲା। ସେମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରିଥିଲା। ସ୍ୱାଧୀନତା ପରେ ମଧ୍ୟ ସଂଘ ନିରନ୍ତର ରାଷ୍ଟ୍ର ସାଧନରେ ନିୟୋଜିତ ରହିଆସିଛି। ଏହି ଯାତ୍ରାରେ ସଂଘ ବିରୋଧରେ ଷଡ଼୍‌ଯନ୍ତ୍ର କରାଯାଇଥିଲା, ସଂଘକୁ ଦଳିମକଚି ଦେବାକୁ ଉଦ୍ୟମ କରାଯାଇଥିଲା। ଋଷିତୁଲ୍ୟ ପରମ ପୂଜ୍ୟ ଗୁରୁଜୀଙ୍କୁ ମିଛ କେସରେ ଫସେଇ ଦିଆଗଲା। କିନ୍ତୁ ସଂଘର ସ୍ୱୟଂସେବକମାନେ କେବେ ବି କଟୁତାକୁ ଗ୍ରହଣ କରି ନଥିଲେ। କାରଣ ସେମାନେ ଜାଣିଥିଲେ, ଆମେ ସମାଜଠାରୁ ଭିନ୍ନ ନୁହେଁ, ବରଂ ସମାଜ ତ ଆମକୁ ନେଇ ଗଢ଼ା ହୋଇଛି। ସମାଜ ସହିତ ଏକାତ୍ମତା ଏବଂ ସାଂବିଧାନିକ ସଂସ୍ଥା ପ୍ରତି ଆସ୍ଥା ସଂଘର ସ୍ୱୟଂସେବକମାନଙ୍କୁ ପ୍ରତ୍ୟେକ ସଂକଟ ସମୟରେ ସ୍ଥିତପ୍ରଜ୍ଞ ରଖିଆସିଛି, ସମାଜ ପ୍ରତି ସମ୍ବେଦନଶୀଳ କରି ରଖିଛି।
ପ୍ରତିଷ୍ଠା ଦିନରୁ, ସଂଘ ଦେଶପ୍ରେମ ଓ ସେବାର ସମର୍ଥକ ହୋଇଆସିଛି। ଯେତେବେଳେ ବିଭାଜନର ଯନ୍ତ୍ରଣା ଲକ୍ଷ ଲକ୍ଷ ପରିବାରକୁ ବାସହୀନ କରିଦେଇଥିଲା, ସେତେବେଳେ ସ୍ୱେଚ୍ଛାସେବକମାନେ ଶରଣାର୍ଥୀଙ୍କ ସେବା କରିଥିଲେ। ପ୍ରତ୍ୟେକ ବିପଦରେ, ସଂଘର ସ୍ୱେଚ୍ଛାସେବକମାନେ ସେମାନଙ୍କର ସୀମିତ ସମ୍ବଳ ସହିତ, ସର୍ବାଗ୍ରେ ଠିଆ ହୋଇଥିଲେ। ଏହା କେବଳ ସାହାଯ୍ୟ ନଥିଲା; ଏହା ଦେଶର ଆତ୍ମାକୁ ଶକ୍ତିଶାଳୀ କରିବାର ଏକ କାର୍ଯ୍ୟ ଥିଲା। ବ୍ୟକ୍ତିଗତ ଦୁଃଖ ସହ୍ୟ କରିବା ଓ ଅନ୍ୟମାନଙ୍କ ଦୁଃଖ ଦୂର କରିବା ପ୍ରତ୍ୟେକ ସ୍ୱେଚ୍ଛାସେବକର ଲକ୍ଷଣ। ଆଜି ମଧ୍ୟ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ୱୟଂସେବକମାନେ ପ୍ରଥମେ ପହଞ୍ଚିଥିବା ଲୋକଙ୍କ ମଧ୍ୟରେ ଅନ୍ୟତମ।
ନିଜର ଶହେ ବର୍ଷର ଏହି ଯାତ୍ରାରେ, ସଂଘ ସମାଜର ଭିନ୍ନ ଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ଆତ୍ମବୋଧ ଜାଗ୍ରତ କରିଛି, ସ୍ୱାଭିମାନ ଜଗାଇଛି। ସଂଘ ଦେଶର ସେହି କ୍ଷେତ୍ରଗୁଡ଼ିକରେ ମଧ୍ୟ କାମ କରି ଆସିଛି, ଯାହା ଦୁର୍ଗମ ଏବଂ ଯେଉଁଠି ପହଞ୍ଚିବା ସବୁଠୁ କଠିନ। ସଂଘ ଅନେକ ଦଶନ୍ଧି ଧରି ଆଦିବାସୀ ପରମ୍ପରା, ଆଦିବାସୀ ରୀତିନୀତି, ଆଦିବାସୀ ମୂଲ୍ୟବୋଧକୁ ସାଇତି ରଖିବାରେ ନିଜର ସହଯୋଗ ଦେଇ ଆସିଛି, ନିଜର କର୍ତ୍ତବ୍ୟ ନିର୍ବାହ କରି ଆସିଛି। ଆଜି ସେବା ଭାରତୀ, ବିଦ୍ୟା ଭାରତୀ, ଏକକ ବିଦ୍ୟାଳୟ, ବନବାସୀ କଲ୍ୟାଣ ଆଶ୍ରମ ଆଦିବାସୀ ସମାଜର ସଶକ୍ତୀକରଣ ପାଇଁ ଆଧାର ପାଲଟିଛନ୍ତି।
ଶହ ଶହ ବର୍ଷ ଧରି ସମାଜରେ ଘର କରି ନେଇଥିବା କଳୁଷ, ପ୍ରଚଳିତ କୁପ୍ରଥା ଉଚ୍ଚ-ନୀଚ ଭାବନା ସୃଷ୍ଟି କରିବା ସହିତ ହିନ୍ଦୁ ସମାଜ ପାଇଁ ବହୁତ ବଡ଼ ଆହ୍ୱାନ ଭାବେ ରହିଆସିଛି। ଏସବୁ ଗମ୍ଭୀର ଚିନ୍ତା ଉପରେ ସଂଘ ଲଗାତାର କାମ କରି ଆସିଛି। ଡକ୍ଟର ସାହେବଙ୍କ ଠାରୁ ନେଇ ଆଜି ପର୍ଯ୍ୟନ୍ତ, ସଂଘର ପ୍ରତ୍ୟେକ ମହାନ ବିଭୂତିମାନେ ପ୍ରତ୍ୟେକ ସର-ସଂଘଚାଳକମାନେ ଭେଦଭାବ ଓ ଛୁଆଁଅଛୁଆଁ ବିରୋଧରେ ଲଢ଼େଇ କରିଛନ୍ତି। ପରମପୂଜ୍ୟ ଗୁରୁଜୀ ନିରନ୍ତର ‘ନ ହିନ୍ଦୁ ପତିତୋ ଭବେତ୍‌’ ଭାବନାକୁ ପ୍ରଚାରପ୍ରସାର କରିଛନ୍ତି। ପୂଜ୍ୟ ବାଲା ସାହେବ ଦେବରସଜୀ କହୁଥିଲେ- ଛୁଆଁଅଛୁଆଁ ଯଦି ପାପ ନୁହେଁ, ତା’ହେଲେ ଦୁନିଆରେ କୌଣସି ପାପ ନାହିଁ! ସର-ସଂଘଚାଳକ ଥିବା ସମୟରେ ପୂଜ୍ୟ ରଜ୍ଜୁ ଭୈୟାଜୀ ଏବଂ ପୂଜ୍ୟ ସୁଦର୍ଶନଜୀ ମଧ୍ୟ ଏହି ଭାବନାକୁ ଆଗକୁ ବଢ଼ାଇଥିଲେ। ବର୍ତ୍ତମାନର ସରସଂଘଚାଳକ ଆଦରଣୀୟ ମୋହନ ଭାଗବତଜୀ ମଧ୍ୟ ସୌହାର୍ଦ୍ଦ୍ୟ ପାଇଁ ସମାଜ ସାମ୍ନାରେ ଏକ କୂପ, ଏକ ମନ୍ଦିର ଏବଂ ଏକ ଶ୍ମଶାନର ସ୍ପଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯେତେବେଳେ ସଂଘ ଶହେ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା, ସେତେବେଳେ ସେହି ସମୟର ଆବଶ୍ୟକତା ଓ ସଂଘର୍ଷ ଭିନ୍ନ ଥିଲା। କିନ୍ତୁ ଆଜି, ଶହେ ବର୍ଷ ପରେ, ଭାରତ ବିକାଶ ଆଡ଼କୁ ଅଗ୍ରସର ହେଉଥିବାରୁ, ଆଜିର ଆହ୍ୱାନ ଓ ସଂଘର୍ଷ ଭିନ୍ନ। ଅନ୍ୟ ଦେଶ ଉପରେ ଆର୍ଥିକ ନିର୍ଭରଶୀଳତା, ଆମର ଏକତାକୁ ଭାଙ୍ଗିବା ପାଇଁ ଏବଂ ଜନସଂଖ୍ୟା ପରିବର୍ତ୍ତନ କରିବା ପାଇଁ ଷଡ୍‌ଯନ୍ତ୍ର ଆଦି ଆହ୍ୱାନର ଆମ ସରକାର ଦୃଢ଼ ମୁକାବିଲା କରୁଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମଧ୍ୟ ଏହି ଆହ୍ବାନଗୁଡ଼ିକର ମୁକାବିଲା ପାଇଁ ଏକ କଂକ୍ରିଟ୍ ରୂପରେଖ ବିକଶିତ କରିବା ମୋ ପାଇଁ ଖୁସିର ବିଷୟ।
ସଂଘର ପଞ୍ଚ ପରିବର୍ତ୍ତନ- ସ୍ୱବୋଧ, ସାମାଜିକ ସୌହାର୍ଦ୍ଦ୍ୟ, କୁଟୁମ୍ବ ପ୍ରବୋଧନ, ନାଗରିକ ଶିଷ୍ଟାଚାର ଓ ପରିବେଶ ସଂକଳ୍ପ ପ୍ରତ୍ୟେକ ସ୍ୱୟଂସେବକଙ୍କ ଲାଗି ଦେଶ ଆଗକୁ ଆସୁଥିବା ଆହ୍ୱାନକୁ ସମାପ୍ତ କରିବା ଲାଗି ବହୁତ ବଡ଼ ପ୍ରେରଣା।
ସ୍ୱବୋଧ ଭାବନାର ଉଦ୍ଦେଶ୍ୟ ହେଉଛି ଗୋଲାମ ମାନସିକତାରୁ ମୁକ୍ତ ହୋଇ ନିଜ ଐତିହ୍ୟ ଉପରେ ଗର୍ବ କରିବା ଏବଂ ସ୍ୱଦେଶୀ ମୂଳଦୁଆର ସଂକଳ୍ପକୁ ଆଗକୁ ବଢ଼ାଇବା। ସାମାଜିକ ସମନ୍ୱୟ ଜରିଆରେ ବଞ୍ଚିତମାନଙ୍କୁ ପ୍ରାଥମିକତା ଦେଇ ସାମାଜିକ ନ୍ୟାୟର ସ୍ଥାପନା କରିବା ନିମନ୍ତେ ସଂକଳ୍ପ ନିଆଯାଇଛି। ଅନୁପ୍ରବେଶକାରୀଙ୍କ ପାଇଁ ଜନସଂଖ୍ୟାରେ ପରିବର୍ତ୍ତନ ଯୋଗୁଁ ଆଜି ଆମର ସାମାଜିକ ସୌହାର୍ଦ୍ଦ୍ୟ ଏକ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛି। ଏହାର ମୁକାବିଲା କରିବା ପାଇଁ ମଧ୍ୟ ଦେଶ ଡେମୋଗ୍ରାଫି ମିସନ ଘୋଷଣା କରିଛି। ଆମକୁ କୁଟୁମ୍ବ ପ୍ରବୋଧନ ଅର୍ଥାତ୍‌ ପାରିବାରିକ ସଂସ୍କୃତି ଓ ମୂଲ୍ୟବୋଧକୁ ଅଧିକ ମଜବୁତ କରିବାକୁ ହେବ। ନାଗରିକ ଶିଷ୍ଟାଚାର ଜରିଆରେ ପ୍ରତ୍ୟେକ ଦେଶବାସୀଙ୍କ ମଧ୍ୟରେ ନାଗରିକ କର୍ତ୍ତବ୍ୟବୋଧ ଭରିବାର ଆବଶ୍ୟକତା ରହିଛି। ଏସବୁ ସହିତ ଆମ ପରିବେଶ ସୁରକ୍ଷା କରି ଆଗାମୀ ପିଢ଼ିର ଭବିଷ୍ୟତକୁ ସୁରକ୍ଷିତ ରଖିବା ମଧ୍ୟ ଜରୁରି।
ଏହି ସଂକଳ୍ପଗୁଡ଼ିକୁ ମନରେ ରଖି, ସଂଘ ଏବେ ଆଗାମୀ ଶତାବ୍ଦୀର ଯାତ୍ରା ଆରମ୍ଭ କରୁଛି। ୨୦୪୭ ମସିହାର ବିକଶିତ ଭାରତ ଗଠନରେ ସଂଘର ପ୍ରତ୍ୟେକ ଯୋଗଦାନ ଦେଶର ଶକ୍ତି ବଢ଼ାଇ, ଦେଶକୁ ଅନୁପ୍ରାଣିତ କରିବ। ପୁଣି ଥରେ ପ୍ରତ୍ୟେକ ସ୍ୱୟଂସେବକଙ୍କୁ ଅନେକ ଅନେକ ଶୁଭକାମନା।
(ମତାମତ ଲେଖକଙ୍କ ନିଜସ୍ବ)

Advertisment