ଉଜ୍‌ବେକିସ୍ତାନ ରାଜାଙ୍କ ଖରାପ ବେଳା ପଡ଼ିଥିଲା। ସେ ମ୍ରିୟମାଣ ଥିବା ବେଳେ ମୁଲ୍ଲା ନସିରୁଦ୍ଦିନଙ୍କ ମୁହଁରୁ ବାହାରି ପଡ଼ିଲା- ସବୁ ଠିକ୍‌ ଚାଲିଛି। 
ରାଜା ରାଗି ଗଲେ ଓ କହିଲେ- ମୁଲ୍ଲା, ତୁମର ମୁଣ୍ଡ ଠିକ ଅଛି ତ? ସବୁ ଠିକ୍‌ ଚାଲିଛି ବୋଲି କ’ଣ କହୁଛ?
ମୁଲ୍ଲା କହିଲେ- ଜାହାଁପନା, ଆପଣଙ୍କୁ ପ୍ରବୋଧନା ଦେବା ଲାଗି କଥାଟି କହିଥିଲି, କିନ୍ତୁ ଆପଣ ବୋଧହୁଏ ଭୁଲ୍‌ ବୁଝିଲେ। 
ରାଜା ଆହୁରି ଚିିଡ଼ିଯାଇ କହିଲେ- ତୁମ ଭଳି ଗାଲୁଆ ଲୋକ ମୁଁ ଦେଖିନାହିଁ। ତୁମେ ଯାହା କହିଲ ସେଥିରେ ଦୁଃଖୀ ଲୋକଟିଏ କେମିତି ପ୍ରବୋଧନା ପାଇବ, ତାହା ବୁଝାଅ।
ମୁଲ୍ଲା କହିଲେ- ମଣିମା, ମୋର କହିବାର କଥା ହେଲା ଯାହା ସବୁ ଘଟୁଛି, ତାହା ଆପଣଙ୍କ ଦୃଷ୍ଟିରୁ ଖରାପ, କିନ୍ତୁ ଯେଉଁ ଈଶ୍ବର ଏହାକୁ ଘଟାଉଛନ୍ତି, ତାଙ୍କ ପାଇଁ ଏହା ଠିକ୍‌। ଭଗବାନ ଆପଣଙ୍କୁ ରାଜା କରି ଜନ୍ମ ଦେଲେ ଆଉ ମୋତେ ଅପଦାର୍ଥ ନସିରୁଦ୍ଦିନ କଲେ! ଆମେ କହିବା କି ଏମିତି କାହିଁକି କଲ? କାରଣ ଭଗବାନ ଯାହା କରିଛନ୍ତି, ତାହା ଠିକ୍‌। ଏଣୁ ଯଦି ମୋ ଜୀବନରେ କିଛି ଭଲ ଘଟିଲା, ତାହା ଯେମିତି ଠିକ୍‌, କିଛି ଖରାପ ଘଟିଲେ ତାହା ମଧ୍ୟ ସେମିତି ଠିକ୍‌। ମଣିମା, ଆମେ ଯଦି ଆମ ସହିତ ଭଲ ଘଟିଲେ ଠିକ୍‌ ଓ ଖରାପ ହେଲେ ଭୁଲ୍‌ ବୋଲି ବିଚାର କରି ଚାଲିବା, ତେବେ ଭଗବାନ କାହା କାହା କଥା ଚିନ୍ତା କରିବେ? ତେଣୁ ଆମ ବିଚାରରେ ଠିକ୍‌ ବା ଭୁଲ୍‌ର କୌଣସି ଅର୍ଥ ନାହିଁ। କେବଳ ବୁଝନ୍ତୁ ଯାହା ଯେମିତି ଘଟୁଛି, ସେମିତି ଘଟି ଚାଲିବ ଓ ତାହା ହିଁ ଠିକ୍‌।
ରାଜାଙ୍କ ମୁହଁ ଉଜ୍ଜ୍ବଳ ଦିଶିଲା। ସେ କହିଲେ- ଠିକ୍‌ କହିଛ ମୁଲ୍ଲା। ଯେତେବେଳେ ଭଲ ସମୟ ଆସିଛି, ମୁଁ ତ କାହିଁ ଭଗବାନଙ୍କୁ ପଚାରି ନାହିଁ ତ ଭଲ ସମୟ କାହିଁକି ଦେଲ? ଏବେ ଖରାପ ସମୟ ଆସିଛି ତ ପଚାରିବି କାହିଁକି? ତେଣୁ ଯେମିତି ତାଙ୍କର ଇଚ୍ଛା। ଅର୍ଥାତ୍‌ ସବୁ ଠିକ୍‌, ସବୁ ସ୍ବୀକାର୍ଯ୍ୟ।