ଅନ୍‌ଲାଇନ୍‌ ଖାଦ୍ୟ ବିପଣି

ନଗେନ୍ଦ୍ର ନାଥ ପଟ୍ଟନାୟକ

ସୂଚନା ପ୍ରଯୁକ୍ତି ବିଦ୍ୟା ବଳରେ ଏମିତି ବି ଦିନେ ସମ୍ଭବ ହେବ, ତାହା ହୁଏ’ତ ଦେଢ଼ ଦଶନ୍ଧି ପୂର୍ବରୁ ଚିନ୍ତା କରାଯାଇପାରୁ ନ ଥିଲା। ଏବେ କିନ୍ତୁ ତାହା ଏକ ଅତ୍ୟନ୍ତ ସାଧାରଣ କଥାରେ ପରିଣତ ହୋଇଛି। ଯେମିତି କି ଗୋଟିଏ ସ୍ମାର୍ଟଫୋନ୍‌ ହାତରେ ଥିଲେ ଓ କିଛି ‘ଆପ୍‌’ ତହିଁରେ ରହିଥିଲେ ଯେ କେହି ଘରେ ବସି ନିଜ ସହରର କୌଣସି ହୋଟେଲ ବା ରେସ୍ତୋରାଁରୁ ସୁସ୍ବାଦୁ ଖାଦ୍ୟ ମଗାଇ ଘରେ ଉପଭୋଗ କରିପାରୁଛି। ସେହି କାରଣରୁ ଆଜି ଆମ ଦେଶରେ ଗୋଟିଏ ବିଶାଳ ଖାଦ୍ୟ ବଜାରର ଆବିର୍ଭାବ ହୋଇଛି ଯାହାର ମୂଳରେ ରହିଛି ଅନ୍‌ଲାଇନ୍‌ର ଭୂମିକା। ଏହା କେବଳ ଖାଦ୍ୟ ଖାଇବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ପସନ୍ଦ ମୁତାବକ ଖାଦ୍ୟ ଯୋଗାଉ ନାହିଁ, ଏହା ଜରିଆରେ ଅନେକ ଉଦ୍ୟମୀ ବ୍ୟକ୍ତି ଘରେ ବସି ଖାଦ୍ୟ ବଜାରରେ ପ୍ରବେଶ କରି ନିଜ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବିକ୍ରି ମଧୢ କରିପାରୁଛନ୍ତି, ସ୍ବାବଲମ୍ବୀ ହୋଇପାରୁଛନ୍ତି।

ଏହି ବଜାରରେ ନିଜର କାରବାର ଆରମ୍ଭ କରିବା ଲାଗି ସୁଦୃଶ୍ୟ ବ୍ୟୟ ବହୁଳ ରେସ୍ତୋରାଁ ଖୋଲିବାର ଆବଶ୍ୟକତା ନାହିଁ କି ବିପୁଳ ପୁଞ୍ଜି ଖଟାଇବା ଜରୁରି ନୁହେଁ। ନିଜ ବ୍ୟବସାୟକୁ ଚାଲୁ କରିବା ଲାଗି କୌଣସି ପେସାଦାର ସ˚ସ୍ଥା ଦ୍ବାରା ‘ଆପ୍‌’ଟିଏ ଡିଜାଇନ୍‌ କଲା ପରେ ତା ଜରିଆରେ ସମ୍ଭାବ୍ୟ ଗ୍ରାହକମାନଙ୍କ ନିକଟରେ ପହଞ୍ଚିବାର ମାର୍ଗ ପ୍ରଶସ୍ତ ହୋଇଯାଇଥାଏ। ଏଭଳି ‘ଷ୍ଟାର୍ଟଅପ୍‌’ ଏବେ ଅନେକ ଗୃହିଣୀଙ୍କୁ ନିଜ କାରବାର ଖୋଲିବାରେ ସାହାଯ୍ୟ କରିଛି। କେବଳ ସେତିକି ନୁହେଁ, କେହି ଜଣେ ଚାହିଁଲେ କୌଣସି ରନ୍ଧା ଖାଦ୍ୟ ଯୋଗାଣ କମ୍ପାନିରେ ନିଜକୁ ପଞ୍ଜିକୃତ କରି ଅର୍ଡର ଆଧାରରେ ତାହା ବିକ୍ରି କରି ବେଶ୍‌ ଲାଭବାନ ହେଉଛନ୍ତି।

କେହି କେହି କହିପାରନ୍ତି ଯେ ଖାଦ୍ୟ ବଜାରରେ ଏଭଳି ବିକ୍ରେତାଙ୍କ ପ୍ରବେଶ ଫଳରେ ପାର˚ପରିକ ରେସ୍ତୋରାଁ ବା ହୋଟେଲର ବ୍ୟବସାୟ ଆକ୍ରାନ୍ତ ହେଉଥିବ। କିନ୍ତୁ ତାହା ବର˚ ଓଲଟା ବୋଲି ପ୍ରମାଣିତ ହେଉଛି। କାରଣ ରେସ୍ତୋରାଁ ବା ହୋଟେଲକୁ ଯାଇ ଖାଦ୍ୟ ଖାଇବାକୁ ପସନ୍ଦ କରୁ‌ଥିବା ଏକ ନିର୍ଦ୍ଦିଷ୍ଟ ବର୍ଗ ବ୍ୟତୀତ ଆଉ ଏକ ବର୍ଗ ଘରେ ବସି ଖାଦ୍ୟ ମଗାଉଥିବା ହେତୁ ରେସ୍ତୋରାଁ ଆଦିରେ ବ୍ୟବସାୟ ବୃଦ୍ଧି ପାଉଛି। କେବଳ ସେତିକି ନୁହେଁ ହୋଟେଲ ବା ରେସ୍ତୋରାଁରେ ମାତ୍ରାଧିକ ସ˚ଖ୍ୟକ ଗ୍ରାହକ ଭିଡ଼ ନ ହୋଇ ସୁଦ୍ଧା (ଅନ୍‌ ଲାଇନ୍‌ ଅର୍ଡର କାରଣରୁ) ବେଶ୍‌ ଅଧିକ ବିକ୍ରି କରାଯାଇପାରୁଛି।

ଏକ ସର୍ବେକ୍ଷଣ ସ˚ସ୍ଥା କହିଥାଏ ଯେ ଅନ୍‌ଲାଇନ୍‌ରେ ଖାଦ୍ୟ କିଣାବିକାର କାରବାରରେ ଭାରତର ସ୍ଥାନ ପୃଥିବୀରେ ତୃତୀୟ। ପ୍ରଥମରେ ଚୀନ୍‌ ଓ ଦ୍ବିିତୀୟରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ଭାରତରେ ଏହି କାରବାରର ପରିମାଣ ହେଉଛି ବାର୍ଷିକ ୯୨୦୭ ନିୟୁତ ଡଲାର। ଏଥିରୁ ଏହାର ବିଶାଳତା ସମ୍ବନ୍ଧରେ ଧାରଣା କରିହୁଏ। କେବଳ ସେତିକି ନୁହେଁ ଅନ୍‌ଲାଇନ୍‌ କାରବାରରେ ଖାଦ୍ୟ ନେବା ଆଣିବା କରିବା କାର୍ଯ୍ୟରେ ନିୟୁତ ନିୟୁତ ସ˚ଖ୍ୟକ ବ୍ୟକ୍ତି ନିୟୋଜିତ ଏବ˚ ରୋଜଗାରକ୍ଷମ।

ଏବେ ଛୋଟ ବଡ଼ ସମସ୍ତ ସହରରେ ଯୁଆଡେ଼ ଚାହିଁଲେ ଖାଦ୍ୟର ବିପଣି ଦେଖିବାକୁ ମିଳିଥାଏ। ଏହାକୁ ଏଭଳି ପରିପୁଷ୍ଟ କରିବା ପଛରେ ଯେ ଅନ୍‌ଲାଇନ୍‌ କାରବାରର ଏକ ବଡ଼ ଭୂମିକା ରହିଛି ଏହା କହିବା ବାହୁଲ୍ୟ ମାତ୍ର।

ଜଗମୋହନ ନଗର ଭୁବନେଶ୍ବର
ମୋ-୯୪୩୮୩୩୨୧୩୮

ସମ୍ବନ୍ଧିତ ଖବର