ମଣିପୁର ଜଳି ଚାଲିଛି। ସେ ବାବଦରେ କୌଣସି ଖବର ନାହିଁ। ଖବର ପାଇଁ ତ ଘଟଣା କିଛି ନୂଆ ହେବା ଦରକାର। ପ୍ରତିଦିନର ସାଧାରଣ କଥା କେବେ ଖବର ହୋଇପାରିବ ନାହିଁ।
ଜାତିଆଣ ହିଂସାକାଣ୍ଡରେ ୧୭ ମାସ ତଳେ ମଣିପୁରରେ ଲାଗିଥିବା ନିଆଁ ପୁଣିଥରେ ଜଳି ଉଠିଛି, ସେ ସମ୍ପର୍କରେ କୌଣସି ଖବର ନାହିଁ। ଏଥର ଆଉ ୧୦ ଜଣ ନିର୍ଦ୍ଦୋଷଙ୍କ ଜୀବନ ଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ବୋଧେ ୨୦୦ ଅତିକ୍ରମ କରିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଇଣ୍ଟର୍ନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। କେତେକ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି, କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ତଥାପି ସରକାରୀ ସୂତ୍ର ଅନୁସାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିବା ଦାବି କରାଯାଇଛି। ଅଦ୍ୟାବଧି ପ୍ରାୟ ୬,୦୦୦ ମଣିପୁରୀ ନିଜ ଘରଦ୍ବାର ଛାଡ଼ି ଶରଣାର୍ଥୀ ଶିବିରରେ ଦ୍ବିତୀୟ ଶୀତଋତୁ ବିତାଇବା ପାଇଁ ବାଧ୍ୟ ହୋଇଛନ୍ତି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାରି ରହିଥିବା ହିଂସାକୁ ରୋକିବାରେ ସୁରକ୍ଷା କର୍ମୀମାନେ ନିଜର ଅସହାୟତା ପ୍ରକାଶ କରିଛନ୍ତି। ମଣିପୁର ପୁଲିସ ଏବେ ବିଭାଜିତ ହୋଇ ମୈତେଇ ପୁଲିସ ଓ କୁକି ପୁଲିସରେ ପରିଣତ ହୋଇଥିବା କଥା ମଣିପୁରରେ ଅବସ୍ଥାପିତ ଆସାମ ରାଇଫଲ୍ସର ପୂର୍ବତନ ମୁଖ୍ୟ କହିଛନ୍ତି। ମଣିପୁର ଭିତରେ ସତେ ଯେପରି ଆନ୍ତର୍ଜାତିକ ସୀମାରେଖା ପରି ଏକ ବିଭାଜନ ସୃଷ୍ଟି ହୋଇଛି, ଯେଉଁଠି ସୁରକ୍ଷା ବଳ ନୁହେଁ, ଜାତୀୟ ସେନାବାହିନୀର ଯବାନମାନଙ୍କ ଦ୍ବାରା ମୈତେଇ କି କୁକି ବୋଲି ଚିହ୍ନଟ ହେବା ପରେ ପ୍ରବେଶ ଅନୁମତି ମିଳୁଛି। ଉଭୟ ପଟରେ ବଙ୍କର୍ ନିର୍ମିତ ହୋଇଛି। ଗୋଟିଏ ପାର୍ଶ୍ବର ଅଧିବାସୀ ସୀମାରେଖା ଡେଇଁ ଅନ୍ୟ ପାର୍ଶ୍ବକୁ ଯିବାକୁ ଉଦ୍ୟମ କଲେ ଗୁଳି କରି ଦିଆଯାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ରାଜ୍ୟର କୁକିବହୁଳ ଜିଲ୍ଲାକୁ ପ୍ରବେଶ କରିପାରୁନାହାନ୍ତି। ଏପରିକି କୁକି ସମ୍ପ୍ରଦାୟର ବିଧାୟକମାନେ ମଧ୍ୟ ସେମାନଙ୍କ ବିଧାନସଭା କ୍ଷେତ୍ର ନିକଟରେ ପହଞ୍ଚି ପାରୁନାହାନ୍ତି। ରାଜ୍ୟରେ କିଏ ଶାସନ କରୁଛି, ତାହା କାହାକୁ ଜଣା ନାହିଁ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଛନ୍ତି କି ନାହାନ୍ତି, ସେ କଥା ମଧ୍ୟ କେହି ଜାଣନ୍ତି ନାହିଁ। ମଣିପୁରରେ ହିଂସା ଆରମ୍ଭ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଜାପାନ, ପାପୁଆ ନ୍ୟୁ ଗିନି, ଅଷ୍ଟ୍ରେଲିଆ, ଆମେରିକା, ମିଶର, ଫ୍ରାନ୍ସ, ସଂଯୁକ୍ତ ଆରବ, ଦକ୍ଷିଣ ଆଫ୍ରିକା, ଗ୍ରିସ୍, ଇଣ୍ଡୋନେସିଆ, କତାର, ଭୁଟାନ, ଇଟାଲି, ରୁଷିଆ, ଅଷ୍ଟ୍ରିଆ, ପୋଲାଣ୍ଡ୍, ୟୁକ୍ରେନ୍, ବ୍ରୁନେଇ ଓ ସିଙ୍ଗାପୁର ଆଦି ଦେଶ ଯାତ୍ରା କରି ସାରିଛନ୍ତି ଏବଂ ଆଗାମୀ କିଛି ମାସ ଭିତରେ ଆମେରିକା, ଲାଓସ, ସାମୋଆ, ରୁଷିଆ, ଆଜରବାଇଜାନ ଓ ବ୍ରାଜିଲ୍ ଆଦି ଦେଶ ଯାତ୍ରା କରିବାର ଅଛି। ମାତ୍ର ତାଙ୍କର ମଣିପୁର ଗସ୍ତ କରିବାର କୌଣସି ସୂଚନା ନାହିଁ।
“ଦେଖନ୍ତୁ, ଏହା ହେଉଛି ମଣିପୁର ମାମଲା। ଆମର ସେଥିରେ କିଛି ଦେବାନେବାର ନାହିଁ। ଏହା ମୁମ୍ବାଇ ନୁହେଁ ଯେ, ଯେଉଁଠି ସାମାନ୍ୟ କାର୍ ଦୁର୍ଘଟଣାଟିଏ ବି ଖବର ହୋଇଯାଉଛି। ଏବେ ଏହି ମୈତେଇ ଓ କୁକି ବାଲାଙ୍କ ଭିତରେ କ’ଣ ବା ଝଗଡ଼ା ଚାଲିଛି! ହିନ୍ଦୁ ଓ ମୁସଲମାନ ସହିତ ଜଡ଼ିତ କୌଣସି ମାମଲା ହୋଇଥିଲେ ଜଣାନ୍ତୁ, ଆମେ ତାହାକୁ ଖବର କରି ଚଲାଇବୁ। ଏଣେ ଉପରେ ବି ବିଜେପି ସରକାର ରହିଛନ୍ତି। ଯଦି ବିପକ୍ଷ ସରକାରରେ ଜଙ୍ଗଲରାଜର ଖବର ହୋଇଥା’ନ୍ତା, ତାହାକୁ ମଧ୍ୟ ଚଲାଯାଇ ପାରିଥା’ନ୍ତା। ଏମିତି କିଛି ଖବର ଆଣନ୍ତୁ, ଯହିଁରେ କିଛି ମସଲା ରହିଥିବ, ଆମ ପାଠକମାନଙ୍କ ପାଇଁ ଚିତ୍ତାକର୍ଷକ ହୋଇଥିବ।’’
ଚାଲନ୍ତୁ, ମୁଁ ହିଁ ଆପଣଙ୍କୁ କିଛି ହଟଚମକଟ ଖବର ଶୁଣାଉଛି!
ଖବର ଏଇଆ ଯେ, ମଣିପୁରରେ ସମ୍ପ୍ରତି କୁକି ଓ ମୈତେଇ ସମ୍ପ୍ରଦାୟର ସୁରକ୍ଷା କର୍ମୀମାନେ ପରସ୍ପରକୁ କେବଳ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରୁନାହାନ୍ତି। ଏହି ମାମଲା ସ୍ବୟଂଚାଳିତ ରାଇଫଲ୍ରେ ବି ସୀମିତ ହୋଇ ରହିନାହିଁ। କିଛି ଦିନ ତଳେ ମଣିପୁରରେ ଡ୍ରୋନ୍ ଓ ରକେଟ୍ ଲଞ୍ଚରରେ ମଧ୍ୟ ଲଢ଼େଇ ହେଉଥିବାର ଖବର ଆସିଥିଲା। ଏହା କୌଣସି ଗୁଜବ ବା ଅଭିଯୋଗ ନୁହେଁ, ଖୋଦ ମଣିପୁର ପୁଲିସ ଏହାକୁ ସ୍ବୀକାର କରିଛନ୍ତି। ବର୍ତ୍ତମାନ ସେହି ଦୁଇ ସମ୍ପ୍ରଦାୟର ଲଢ଼େଇରେ ଟ୍ୟାଙ୍କ୍ ଓ ଯୁଦ୍ଧାସ୍ତ୍ର ଗାଡ଼ିର ବ୍ୟବହାର ବାକି ରହିଲା। ତେବେ ସେତେବେଳେ କ’ଣ ଖବରରେ ମଣିପୁର ସ୍ଥାନ ପାଇବ?
ଖବର ହେଉଛି, ମଣିପୁରର ଅଧିକାଂଶ ହିନ୍ଦୁ ଧର୍ମର ଲୋକ ଅର୍ଥାତ୍ ମୈତେଇ ସମ୍ପ୍ରଦାୟର ଲୋକମାନେ ହିଁ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଉପରୁ ଭରସା ତୁଟେଇ ଦେଇଛନ୍ତି। ପୂର୍ବରୁ କୁକି ସମ୍ପ୍ରଦାୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ମୈତେଇ ସମର୍ଥକ ବୋଲି ଅଭିଯୋଗ କରି ତାଙ୍କୁ ବାସନ୍ଦ କରିଥିଲେ। ଏହାର ଫାଇଦା ଉଠାଇ ବୀରେନ ସିଂହ ମୈତେଇମାନଙ୍କ ହୃଦୟର ସମ୍ରାଟ ବନିଯାଇଥିଲେ। କିନ୍ତୁ ବିଭାଜନ ସୃଷ୍ଟି ରାଜନୀତି ଆରମ୍ଭରେ ତୁମେ ଯାହାର ଶୁଭେଚ୍ଛୁ ହୋଇଥାଏ, ଅନ୍ତିମ ପର୍ଯ୍ୟାୟରେ ସେମାନେ ତୁମର ଖେଳକୁ ବୁଝିଯାଆନ୍ତି। ଏବେ ମୁଖ୍ୟମନ୍ତ୍ରୀ ନିଜ ଆସନରୁ ଓହରିଯିବା ଖବର ପାଇଁ ଆଉ କୋଉ କଥାକୁ ଅପେକ୍ଷା କରାଯାଇଛି?
ଖବର ଏଇଆ ଯେ, ମଣିପୁରରେ କେବେ ରାଷ୍ଟ୍ରପତି ଶାସନ ଜାରି ହେଉଛି ଓ କେବେ ତାହାକୁ ହଟାଯାଉଛି, ସେ ବାବଦରେ କେହି କିଛି ଜାଣନ୍ତି ନାହିଁ। ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଚିଠି ଲେଖି ରାଜ୍ୟର ଆଇନ ଓ ସୁରକ୍ଷା ଦାୟିତ୍ବ ତାଙ୍କୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ। ଅର୍ଥାତ୍ ତାଙ୍କୁ ସଂବିଧାନ ପ୍ରଦାନ କରିଥିବା ଅଧିକାରଗୁଡ଼ିକ ପାଳନ କରିବାର ଅଧିକାର ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ କରାଯାଉ। ସମ୍ପ୍ରତି ରାଜ୍ୟର ସୁରକ୍ଷା, ଆଇନ ଓ ବିଧି ବ୍ୟବସ୍ଥାର ଦାୟିତ୍ବ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ସୁରକ୍ଷା ପରାମର୍ଶଦାତାଙ୍କୁ ଦିଆଯାଇଛି। ଚିନ୍ତା କରନ୍ତୁ, ଯଦି ବିରୋଧୀ ଦଳର ସରକାର ଥାଆନ୍ତା, ତେବେ କି ଖବର ହୋଇଥା’ନ୍ତା? କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ରାଷ୍ଟ୍ରୀୟ ସୁରକ୍ଷାରେ ତ୍ରୁଟି ହୋଇଥିବାର ଖବର ହୋଇପାରିବ କି?
ଏକ ଭଲ ଖବର ହେଉଛି ମଣିପୁର ଏବେ କହିବା ଆରମ୍ଭ କରିଛି। ମଣିପୁର ଉପତ୍ୟକାର ନୂତନ ନିର୍ବାଚିତ ଲୋକସଭା ସଦସ୍ୟ ବିମୋଲ ଆକୋଜାମ ସଂସଦରେ ମଧ୍ୟରାତ୍ରରେ ଏକ ଐତିହାସିକ ବକ୍ତବ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେଉଥିଲା ବେଳେ ପ୍ରଥମରୁ ଶେଷ ଯାଏ ବିରୋଧୀମାନେ ‘ମଣିପୁର-ମଣିପୁର’ ସ୍ଲୋଗାନ୍ ଦେଇ ଚାଲିଥିଲେ। ଏହା କ’ଣ ସକାରାତ୍ମକ ଖବର ଭାବେ ପ୍ରସାରିତ ହେବ?
ଆଉ ଏକ ଖବର କହିବି? ଏହି ଖବର ମଣିପୁର ସମ୍ପର୍କରେ ନୁହେଁ, ଏହା ଦିଲ୍ଲୀର ନିଷ୍ଠୁରତା ସମ୍ପର୍କରେ, ଦେଶରେ ଜାରି ନିରବତା ସମ୍ପର୍କରେ ଓ ଆମ ହୃଦୟରେ ବ୍ୟାପିଥିବା ଅନ୍ଧକାର ସମ୍ପର୍କରେ। ଖବର ଏଇଆ ଯେ ଯାହା ଜଳିପୋଡ଼ି ପାଉଁଶ ହୋଇଯାଉଛି, ତାହା ମଣିପୁର ନୁହେଁ, ତାହା ହେଉଛି ଭାରତର ସ୍ବପ୍ନ ଆଉ ପିଲାଦିନେ ଶୁଣିଥିବା ସେହି ଗୀତର ମର୍ମ- ‘ସାରେ ଜହାଁ ସେ ଅଚ୍ଛା ହିନ୍ଦୋସ୍ତାଁ ହମାରା!’
ରାଷ୍ଟ୍ରୀୟ ସଂଯୋଜକ,
ଭାରତ ଯୋଡ଼ୋ ଅଭିଯାନ
କେବଳ ମଣିପୁର ଜଳୁନାହିଁ
ଜାତିଆଣ ହିଂସାକାଣ୍ଡରେ ୧୭ ମାସ ତଳେ ମଣିପୁରରେ ଲାଗିଥିବା ନିଆଁ ପୁଣିଥରେ ଜଳି ଉଠିଛି, ସେ ସମ୍ପର୍କରେ କୌଣସି ଖବର ନାହିଁ। ଏଥର ଆଉ ୧୦ ଜଣ ନିର୍ଦ୍ଦୋଷଙ୍କ ଜୀବନ ଯାଇଛି।
/sambad/media/media_files/YUFEvwEJOmbLLlbum9Qu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)