ପ୍ରୀତୀଶ ଆଚାର୍ଯ୍ୟ

Advertisment

୨୦୧୭ ମସିହାର କଥା। ଥରେ ଭୁବନେଶ୍ବର ବିମାନ ବନ୍ଦରରେ କବି ଜୟନ୍ତ ମହାପାତ୍ର (୧୯୨୮-୨୦୨୩) ଦେଖା ହେଲେ। ସେ କେଉଁ ସାହିତ୍ୟ ସଭାରେ ଯୋଗ ଦେବା ପାଇଁ ବାହାରକୁ ଯାଉଥାନ୍ତି। ମୋତେ ସେ ଚିହ୍ନି ନ ଥିଲେ, ତଥାପି ଏକା ପାଇ ନମସ୍କାର ହେଲି ଏବଂ ଆମ ଅନୁଷ୍ଠାନକୁ ଥରେ ଆସି ପିଲାଙ୍କୁ ‘ସଂବୋଧନ’ କରିବାକୁ ଅନୁରୋଧ କଲି। କହିଲି: ‘ଆମ ପିଲାଏ ବି.ଏ. ଶ୍ରେଣୀର ଛାତ୍ରଛାତ୍ରୀ; ସେମାନଙ୍କ ପାଠ୍ୟକ୍ରମରେ ‘ଆପଣଙ୍କର’ କବିତା ରହିଛି। ଆପଣଙ୍କୁ ବକ୍ତା ଭାବରେ ପାଇଲେ, ସେମାନେ ଖୁବ୍ ଖୁସି ହେବେ।’ ହେଲେ ‌ସେ ଆଗ୍ରହ ସହିତ କହିଲେ, ‘ବକ୍ତୃତା ନୁହେଁ, ପିଲାଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ଡାକିବେ ଯଦି, ମୁଁ ଖୁସି ହେବି।’ 
ଏହା ପରେ କିଛି ଦିନ ଚାଲିଗଲା। ଦିନେ ତାଙ୍କ ଆଡୁ ଫୋନ୍ ଆସିଲା, ‘ପିଲାଙ୍କ ସାଙ୍ଗରେ କଥାବାର୍ତ୍ତା ଲାଗି ଆପଣ କେବେ ଦିନ ଧାର୍ଯ୍ୟ କଲେ?’ ମୋର ଅବହେଳା ପାଇଁ ମୁଁ ଲଜ୍ଜିତ ହେଲି ଏବଂ ଶୀଘ୍ର ଅନୁଷ୍ଠାନର ଅଧ୍ୟକ୍ଷଙ୍କ ମାଧ୍ୟମରେ ତାଙ୍କୁ ଔପଚାରିକ ନିମନ୍ତ୍ରଣ ପଠାଇଲି।
ଏ ପଟେ କବି ଜୟନ୍ତ ମହାପାତ୍ରଙ୍କ ସାଙ୍ଗରେ ମି‌ଶିବେ ବୋଲି ପିଲାମାନେ ଅତ୍ୟନ୍ତ ଖୁସି; ନିର୍ଦ୍ଧାରିତ ଦିନ ସମୟ ପୂର୍ବରୁ କଟକରୁ ଟ୍ୟାକ୍‌ସି ନେଇ ‘ଜୟନ୍ତ ସାର୍’ ଅନୁଷ୍ଠାନରେ ପହଞ୍ଚିଗଲେ। ହଲ୍‌ ଭର୍ତ୍ତି ପିଲା; ସେମାନଙ୍କ ଉତ୍ସାହ ଦେଖି ‘ସାର୍’ ଚେୟାରରେ ବସି କହିବା ବଦଳରେ ‘ପୋଡିଅମ୍’ରେ ଛିଡ଼ା ହୋଇ କଥାବାର୍ତ୍ତା କରିବାକୁ ଜିଦ୍ କଲେ। ତାଙ୍କର ସେହି ନବେ ବର୍ଷ ବୟସରେ ସେ ଏକ ଯୁବ ଅଧ୍ୟାପକର ଉଦ୍ଦୀପନା ନେଇ କଥାବାର୍ତ୍ତା କଲେ। ଅଠର-କୋଡ଼ିଏ ବର୍ଷର ପିଲା; ସାହସ ପାଇ ଯାହା ମନକୁ ଆସିଲା ପଚାରିବାରେ ଲାଗିଥାଆନ୍ତି। ‘ସାର୍’ ବିରକ୍ତ ହେବେ କ’ଣ, ଅଧିକରୁ ଅଧିକ ଉତ୍ସାହରେ ନିଜ ଜୀବନର କେତେସବୁ କଥା ବଖାଣୁଥାନ୍ତି। ସ୍କୁଲରେ ସେ ଇଂରେଜୀରେ ଦୁର୍ବଳ ଥିବା କଥା; କଲେଜରେ ଥରେ ଫିଜିକ୍‌ସରେ ଫେଲ୍ ହେବା କଥା; ପ୍ରଥମେ ଗପ-ଉପନ୍ୟା‌ସ ଲେଖି ପ୍ରକାଶକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା କଥା; ଅଠତିରିଶ ବର୍ଷ ବୟସ ପର୍ଯ୍ୟନ୍ତ କେବେ କବିତା ଲେଖି ନ ଥିବା କଥା ଏମିତି କେତେ କ’ଣ! ମନେ ହେଲା ଶ୍ରେଣୀର ସବା ପଛ ବେଞ୍ଚରେ ବସୁଥିବା ପିଲାଙ୍କୁ ଉପଲକ୍ଷ୍ୟ କରି ଶେଷ ଯାଏ ସେ ହାରି ନ ଯିବା ଲାଗି ଗୁରୁମନ୍ତ୍ର ବାଣ୍ଟୁଛନ୍ତି! ପ୍ରଖ୍ୟାତ ଇଂରେଜୀ କବି ଯେତେବେଳେ କହିଲେ ଯେ ମାତୃଭାଷା ଓଡ଼ିଆରେ ଲେଖିଲା ବେଳେ ସେ ସର୍ବଦା ଅଧିକ ସହଜ ଓ ସ୍ବାଭାବିକ ଅନୁଭବ କରନ୍ତି, ଲାଗିଲା ଯେ ମାତୃଭାଷା ଶିକ୍ଷାର ମହତ୍ତ୍ବ କଥା ଆମେ ଶ୍ରେଣୀରେ ଯେତେ ବଖାଣିଲେ ବି ‘ସାର୍’ଙ୍କ ଅନୁଭବକୁ ନେଇ ପିଲା ଅଧିକ ମନେଯୋଗୀ ହୋଇଥିବେ! ଉନ୍ନୀତ କିଶୋରାବସ୍ଥାର ଜିଜ୍ଞାସୁ ଦଳେ ପିଲାଙ୍କୁ ପାଇ ସେ ଦିନ ‘ସାର୍’ ନିଜ ତାରୁଣ୍ୟକୁ ଫେରି ପାଇଥିଲେ ଭଳି ମନେ ହେଲା। ଜଣେ ପିଲା ଏକ ଇଂରେଜୀ ପତ୍ରିକାର ‘କଭର୍’ରେ ମୁଦ୍ରିତ ‘ସାର୍’ଙ୍କ ଫଟୋକୁ ଦେଖାଇଲା। ଏଥିରେ ଉତ୍ସାହିତ ହେବା ପରିବର୍ତ୍ତେ ‘ସାର୍’ ବାକ୍ୟଟିଏ ମାତ୍ର କହିଲେ, ‘ତହିଁରୁ ଆମକୁ କ’ଣ ମିଳିବ?’ ମନେ ହେଲା, ସେ କହୁଛନ୍ତି, କେତେ କଷ୍ଟରେ ତ ମୁଁ ସେହି ପ୍ରକାଶନ, ପ୍ରସିଦ୍ଧି ଓ ଉପାଧିର ଜଗତ୍‌ରୁ ନିବୃତ୍ତ ହେବାକୁ ଚେଷ୍ଟା କରୁଛି! ଅଯଥାରେ ମୋତେ ସେଆଡ଼େ ଟାଣ ନାହିଁ। ଲାଗିଲା, ୨୦୧୫ ମସିହାରେ, ଛଅ ବର୍ଷ ତଳେ ପ୍ରାପ୍ତ ‘ପଦ୍ମଶ୍ରୀ’ ଫେରାଇ ଦେଇ ସେ ଯେମିତି ଆଦୌ ଅନୁତପ୍ତ ନୁହନ୍ତି! ବରଂ ବୋଝମୁକ୍ତ ହୋଇଥିଲା ଭଳି ଅନୁଭବ କରୁଛନ୍ତି! ମନେ ହେଉଥାଏ ଯେ ୧୯୮୧ରେ ଇଂରେଜୀ କବିତା ପାଇଁ ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାରର ଗୌରବ ମଧ୍ୟ ତାଙ୍କ ପାଇଁ କୌଣସି ମହତ୍ତ୍ବ ରଖେନାହିଁ!
ଆମ ଅନୁଷ୍ଠାନରେ ଏହି ଧରଣର ବକ୍ତୃତା ବା ବ୍ୟାଖ୍ୟାନମୂଳକ କାର୍ଯ୍ୟକ୍ରମ ପାଇଁ ଏକ କ୍ଷୁଦ୍ର ସମ୍ମାନ ରାଶି ଦିଆଯାଏ। ତା’ ପାଇଁ ଏକ ଫର୍ମରେ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଆଦି ଅତିଥିଙ୍କ ପାଖରୁ ସଂଗ୍ରହ କରାଯାଏ। ‘ସାର୍’ଙ୍କ ଦୃଢ଼ ଯୁକ୍ତି, ‘ମୁଁ ତ କୌଣସି ବକ୍ତୃତା ଦେଇନି; ଖୁସିରେ ପିଲାଙ୍କ ସାଙ୍ଗରେ କିଛି ବେଳ ଗପିଛି କେବଳ। ତା’ପାଇଁ ପଇସା ନେବି କେମିତି?’ 
ମୁଁ ପ୍ରତିଯୁକ୍ତି ଦେବାକୁ ଚେଷ୍ଟା କଲି। ହେଲେ ପାରିଲି ନାହିଁ। ଡ୍ରାଇଭରକୁ ମାତ୍ର ଟ୍ୟାକ୍‌ସି ଭଡ଼ା ଦେଇ ଆମେ ସେଦିନ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହେଲୁ।
୨୦୨୩ରେ ଜୟନ୍ତ ସାର୍‌ଙ୍କ ପରିଣତ ବୟସରେ ଦେହାନ୍ତ ହେଲା। ତା’ ପୂର୍ବରୁ ‘କରୋନା’ରେ ପୀଡ଼ିତ ହୋଇ ସେ ସଂକଟାପନ୍ନ ସ୍ଥିତିରେ ପହଞ୍ଚିଥିଲେ। ‘ଏତେ ବଡ଼ ଲୋକ, ମତେ କେଉଁ ମନେ ରଖିଥିବେ?’ ଏଇ ସଂକୋଚରେ ମଝିରେ କେବେ ଫୋନ୍ କରିବାକୁ ବି ସାହସ ଜୁଟେଇ ନାହିଁ। ଏବେ ନିକଟରେ ତାଙ୍କ ଆତ୍ମଜୀବନୀ ‘ଭୋର ମୋତିର କାନଫୁଲ’ ସଂଗ୍ରହ କଲି। ତିନି ଶହ ଷାଠିଏ ପୃଷ୍ଠାର ପୁସ୍ତକଟି ଏତେ ସୁଖପାଠ୍ୟ ଯେ ଗୋଟାଏ ଦିନରେ ତାକୁ ପଢ଼ିଗଲି। ମନେ ହେଲା, ଫକୀରମୋହନଙ୍କ ‘ଆତ୍ମଜୀବନ ଚରିତ’, ଗୋପୀନାଥ ମହାନ୍ତିଙ୍କ ‘ସ୍ରୋତସ୍ବତୀ’ ଓ ଫତୁରାନନ୍ଦଙ୍କ ‘ମୋ ଫୁଟା ଡଙ୍ଗାର କାହାଣୀ’ ସାଙ୍ଗରେ ଏହା ଓଡ଼ିଆ ଅାତ୍ମଜୀବନୀ ସାହିତ୍ୟକୁ ବିଶ୍ବମାନର କରି ଦେଇଛି! 
କେତେ ଖୋଲାମେଲା ସ୍ବଭାବର ବ୍ୟକ୍ତିତ୍ବଟିଏ ସେ! ନିଜକୁ ଖୋଲିଦେବାରେ ସେ ଆଦୌ କାର୍ପଣ୍ୟ କରି ନାହାନ୍ତି। ତେର ବର୍ଷ ବୟସରେ ‘ପିତେଇ’ ଓ ‘ପଦି’ ନାମ୍ନୀ ଝିଅର ଦେହର ଆକର୍ଷଣ ଠାରୁ ଆରମ୍ଭ କରି ‘ଭାରତ ଛାଡ଼’ ଆନ୍ଦୋଳନରେ (‘ରେଭେନ୍‌ସା’ରେ) ନିଜ ଭୀରୁତା ଯୋଗୁଁ ସକଳ ଇଚ୍ଛା ସତ୍ତ୍ବେ ଅସଂପୃକ୍ତି ଭଳି କୌଣସି କଥାକୁ ସେ ଢାଙ୍କି ନାହାନ୍ତି। ସଦାଚାରର ଡିଣ୍ଡିମ ପିଟିବାକୁ ଚେଷ୍ଟା କରିନାହାନ୍ତି! ସେଥିପାଇଁ ଇହସଂସାର ତ୍ୟାଗର ବର୍ଷେ-ଦେଢ଼ ବର୍ଷ ଆଗରୁ ନିଜକୁ ସଂପୂର୍ଣ୍ଣ ରୂ‌େପ ନିରାବରଣ କରିବାକୁ ଆତ୍ମଜୀବନୀ ଲେଖିଛନ୍ତି! ମହାନତାର କୌଣସି ଆବରଣ ତାଙ୍କୁ ସ୍ବୀକାର୍ଯ୍ୟ ନୁହେଁ। ହାଡ଼ ମାଂସର ତଥା ଗୁଣ ଓ ଅବଗୁଣର ସମାହାର ଜଣେ ସାଧାରଣ ମଣିଷ ରୂ‌େପ ଜିଇବାର ସ୍ବାଦ ତାଙ୍କୁ ଆତ୍ମପ୍ରତ୍ୟୟ ଦେଇଛି; ଅନ୍ୟ ଅନେକ କବି, ଲେଖକଙ୍କ ଠାରୁ ‌ଅଲଗା ସେ!
[email protected]