ପଛକଥା ପ୍ରକୃତରେ ସବୁବେଳେ ବିଗତ କଥା ନୁହେଁ। ଅନେକ ସମୟରେ ଯାହାକୁ ଆମେ ବିଗତ ବୋଲି କହିଥାଉ ତାହା ପୁଣି ସାମ୍ପ୍ରତିକ ହୋଇ ଆମ ଆଗରେ ଠିଆ ହୁଏ। ଭାରତ ବିଭାଜନ କଥାଟି ସେମିତି। ଯେତେ ଯାହା କଲେ ବି ସେ କଥାର ଘନଘଟା ମୋଟେ ବିସ୍ମୃତ ହେଉନାହିଁ।
ପଞ୍ଚସ୍ତରି ବର୍ଷ ବିତିଗଲାଣି। ଆମେ ଅମୃତ ଉତ୍ସବ ପାଳନ କରୁଛୁ। ଅଥଚ ବିଭାଜନ କାଳର ସଂଘର୍ଷରୁ ଜାତ ହଳାହଳ ବିଷରୁ ନିଜକୁ ମୁକ୍ତ କରିପାରିନାହୁଁ। ବିଷର ଜ୍ବାଳା ଆମକୁ ଜର୍ଜରିତ କରି ରଖିଛି। ପ୍ରତି ନିୟତ ଆଲୋଚନା ଚାଲିଛି, ଦେଶ ବିଭାଜନ ଲାଗି ଏ ଦାୟୀ, ସେ ଦାୟୀ। ଏମିତି ହୋଇଥିଲେ ସେମିତି ହୋଇଥାନ୍ତା, ସେମିତି ହୋଇଥିଲେ ଆଜି ଆମେ ଏମିତି ହୋଇଥାନ୍ତୁ। ଆମେମାନେ ବିଗତ କଥାର ଆଲୋଚନାରେ ଏତେ ଅନ୍ଧ ଯେ ଆଗର ଯୋଜନା ସମ୍ପର୍କରେ ବାଟ ମଧ୍ୟ ଖୋଜି ପାରୁନାହୁଁ। ପାକିସ୍ତାନ ପଟେ ବି ସେଇ ଏକା କଥା ଚାଲିଛି।
ଜ୍ଞାନୀ, ବିଦ୍ବାନ, ପଣ୍ଡିତମାନେ ପଛକଥା ଆଗକୁ ଆଣି ଶବ ବ୍ୟବଚ୍ଛେଦରେ ବ୍ୟାକୁଳ। ଏ ଆଗାମୀ ପିଢ଼ିଙ୍କ ପାଇଁ ତାଙ୍କ ପାଖରେ ଯୋଜନା ବଦଳରେ ମନଗଢ଼ା ଅଦରକାରୀ ଇତିହାସ ହିଁ କେବଳ ଅଛି। ଯାହା ଯାଇଛି ତା’କୁ ଭିଡ଼ି ଓଟାରି ବର୍ତ୍ତମାନିକ କରିବାରେ ଯେତେ ସମୟ ନଷ୍ଟ ହେଉଛି, ସେତେ ସାମ୍ପ୍ରତିକ କାଳର ଅନୁଧ୍ୟାନ ଲାଗି ଖର୍ଚ୍ଚ ହେଉନାହିଁ।
ଅଳସୁଆ ବାରମ୍ବାର ପଛକୁ ଚାହେଁ। କର୍ମଠ କିନ୍ତୁ ଅନିଶା କରିଥାଏ ଆଗକୁ। ଦୋଷଦର୍ଶୀ ଅଳିଆ ଅଣ୍ଡାଳେ। ସୈଦ୍ଧାନ୍ତିକ ମଣିଷ ଅଳିଆ ଆଡ଼େଇ ତା’ ଉପରେ ଇମାରତ ଗଢ଼େ।
ଯେଉଁମାନେ ଭାରତର ସାଂବିଧାନିକ ଇତିହାସ ଅନୁଧ୍ୟାନ କରିଥିବେ ସେମାନେ ଜାଣିଥିବେ ଯେ ଭାରତର ବିଭାଜନ ପ୍ରକୃତରେ କାହା ହାତରେ ନ ଥିଲା। ବର୍ଷ ବର୍ଷ ଧରି ଗଢ଼ି ଉଠୁଥିବା ସାମ୍ପ୍ରଦାୟିକ ସଦ୍ଭାବ ୧୯୪୬ ବେଳକୁ ଭାଙ୍ଗିରୁଜି ଭୁଶୁଡ଼ି ପଡ଼ିଥିଲା। କଥାରେ ଅଛି ‘‘ହାଣ୍ଡି ଭାଙ୍ଗିେଲ ଖପରା, ମନ ଭାଙ୍ଗିଲେ ଛୋପରା।’’ ‘ଛୋପରା’ ଶବ୍ଦଟି ଓଡ଼ିଆ ଭାଷାରେ ଗୋଟିଏ ଅମୂଲ୍ୟ କଥା। ଦେଶଜ ଭାଷାରେ ଏହାର ଅର୍ଥ ‘ଭଗଲା’। ଅର୍ଥାତ୍ ଭିତରେ ଭିତରେ ମନ ଭାଙ୍ଗି ଚୂରମାର ହୋଇସାରିଥିବ, ଅଥଚ ବାହାରକୁ ଦିଶୁଥିବ ଯେ ସଦ୍ଭାବ ତଥାପି ଅଛି।
୧୯୪୬-୪୭ ସାଂବିଧାନିକ ଦିଗରୁ ଥିଲା ଏକ ‘ଛୋପରା-ସମୟ’। ଏହାକୁ ପ୍ରକୃତରେ ହିନ୍ଦୁ-ମୁସଲମାନ ଅସଦ୍ଭାବ ବୋଲି କହିବା ସମ୍ପୂର୍ଣ୍ଣ ଭୁଲ୍ ହେବ। ମନେ ରଖିବା ଆବଶ୍ୟକ ଯେ ‘‘ମୁସ୍ଲିମ୍ ଲିଗ୍’’ ଦଳର ଜିଦ୍ ଯୋଗୁଁ ଭାରତ ବିଭାଜିତ ହୋଇ ‘‘ପାକିସ୍ତାନ’’ ଗଢ଼ା ହୋଇଥିଲେ ମଧ୍ୟ ଭାରତ ପଟେ ରହିଯାଇଥିଲେ ଅନେକ ମୁସଲମାନ। ଜିନ୍ନା ସାହେବ ‘ପବିତ୍ର ସ୍ଥାନ’ ଘୋଷଣା କରି ପାକିସ୍ତାନ ଗଢ଼ିଥିଲେ ବି କୋଟି କୋଟି ମୁସଲମାନ ସେପଟକୁ ନ ଯାଇ ଏପଟେ ରହିଯାଇଥିଲେ। ଅନେକ ହିନ୍ଦୁ ବି ରହିଯାଇଥିଲେ ପାକିସ୍ତାନ ପଟେ। ସେଇଥିପାଇଁ ତରବରରେ ଜିନ୍ନା ସାହେବ ଦିନେ କହିଥିଲେ, ଦରକାର ପଡ଼ିଲେ ଆମେ ପାକିସ୍ତାନକୁ ସିକୁଲାର୍ ଷ୍ଟେଟ୍ କରିବୁ। ଅଥଚ ଅଳ୍ପ ଦିନରେ ସେ ଇହଧାମ ଛାଡ଼ିଲେ ଏବଂ ପାକିସ୍ତାନ ଅଚିରେ ସାମରିକ-ତନ୍ତ୍ର ଭିତରକୁ ଠେଲି ହୋଇ ଚାଲିଗଲା।
ଆଜିର ଦିନରେ ସାରା ପୃଥିବୀରେ ଯେତେ େଯତେ ମୁସଲମାନ ଅଛନ୍ତି ତା’ଙ୍କ ଭିତରୁ ପାକିସ୍ତାନରେ ଏଗାର ଦଶମିକ ଏକ ଶତାଂଶ ଥିଲାବେଳକୁ ଭାରତରେ ଦଶ ଦଶମିକ ନଅ ଶତାଂଶ ମୁସଲମାନ ଅଛନ୍ତି। ଭାରତ ଛାଡ଼ି ଗଲାବେଳକୁ ବିଲାତ ସରକାର କଂଗ୍ରେସକୁ ହିନ୍ଦୁଦଳ କହି ଗାଳି ଦେଇଥିଲେ। ‘ମୁସଲିମ୍ ଲିଗ୍’ ଅଝଟପଣ କରିଥିଲା କଂେଗ୍ରସକୁ ହିନ୍ଦୁମାନଙ୍କର ଗୋଷ୍ଠୀ କହି। ବ୍ରିଟିଶ୍ ଷଡ୍ଯନ୍ତ୍ର ଓ ମୁସଲିମ୍ ଲିଗ୍ର ଜିଦ୍ ଯୋଗୁଁ ଭାରତ ଉପରେ କୁରାଢ଼ି ଚୋଟ ପଡ଼ିଥିଲା। ହେଲେ କେହି କ’ଣ କେବେ ପ୍ରଶ୍ନ କରିଛି ଯେ ମୁସଲମାନମାନଙ୍କ ପାଇଁ ନୂଆ ଦେଶ ଗଢ଼ା ହୋଇଥିବାବେଳେ ତଥାପି କୋଟି କୋଟି ମୁସଲମାନ କାହିଁକି ରହିଗଲେ ହିନ୍ଦୁ-ଗରିଷ୍ଠ ଭାରତରେ? କେଉଁ ଭରସାରେ? କେଉଁ ଭବିଷ୍ୟତ ଆଶାରେ?
ଭାରତ ବିଭାଜନ ସମୟରେ ସମୁଦାୟ ଲୋକସଂଖ୍ୟା ଥିଲା ଛତିଶ କୋଟି। ସେଥିରୁ ମୁସଲମାନ ଥିଲେ ପ୍ରାୟ ନଅ କୋଟି। ଧର୍ମକୁ ଧରି ବିଭାଜିତ ହେଲା ଭାରତ ଅଥଚ ପାକିସ୍ତାନକୁ ଗଲେ ଛଅ କୋଟି ଏବଂ ଭାରତରେ ରହିଯିବାକୁ ଚାହିଁଥିଲେ ତିନି କୋଟି। କେଉଁ କାରଣରୁ ସେମାନେ ତଥାକଥିତ ହିନ୍ଦୁ--ଦଳୀୟ କଂଗ୍ରେସ ଶାସନ ଅଧୀନରେ ରହିଯିବାକୁ ଚାହିଁଥିଲେ ତା’ର ସମାଜତାତ୍ତ୍ବିକ ବିଶ୍ଳେଷଣ ଏକ ଜରୁରୀ ଆବଶ୍ୟକତା ନିଶ୍ଚୟ।
ବିଭାଜନ ବେଳର ଯେଉଁ କଥାଟି ଦୀର୍ଘ ବର୍ଷ ଧରି ଦୁଇ ଦେଶ ଭିତରେ ଚେଇଁ ରହିଛି ତାହା ହେଉଛି କାଶ୍ମୀର ସମସ୍ୟା। ପାକିସ୍ତାନ କାଶ୍ମୀରକୁ ଭାବୁଛି ତା’ର ବୋଲି। ଅଥଚ ଭାରତ ସ୍ବାଧୀନତା ଆଇନ୍-୧୯୪୭ ଆଧାରରେ ଦୁଇ ଦେଶ ଗଠିତ ହେବା ପରଠାରୁ ସାଂବିଧାନିକ ଭାବରେ ଓ ଆଇନଗତ ଭାବେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରିଛି।
ଏବେ ଆମେ ଟିକେ ପଛକୁ ଫେରିବା।
ପାକିସ୍ତାନ ଗଠିତ ହେଲା ୧୪ ଅଗଷ୍ଟ ୧୯୪୭ରେ ତ ଭାରତ ଗଢ଼ା ହେଲା ୧୫ ଅଗଷ୍ଟ ୧୯୪୭ରେ। ସତେ ଯେମିତି ସାନଭାଇ କଳି କରି ଯାହା ନେବା କଥା ନେଇ ପଳେଇଗଲା ପରେ ବଡ଼ ଭାଇ ଯାହା ଅଛି ତା’କୁ ସଜାଡ଼ି ଘର ଠିଆ କରିବାର ଚେଷ୍ଟା କଲା। ସେତେବେଳକୁ ପାକିସ୍ତାନର ରାଷ୍ଟ୍ରପତି (ଗଭର୍ଣ୍ଣର ଜେନେରାଲ୍) ମହମ୍ମଦ ଅଲ୍ଲି ଜିନ୍ନା। ପ୍ରଧାନମନ୍ତ୍ରୀ ଲିଆକତ୍ ଅଲ୍ଲି। ତା’ଙ୍କର ହାତରେ ଥିଲା ଘରୋଇ ବିଭାଗ। ଏପଟେ ଗଭର୍ଣ୍ଣର ଜେନେରାଲ୍ ଲର୍ଡ ମାଉଣ୍ଟବାଟେନ୍, ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ଘରୋଇ ବିଭାଗ ମନ୍ତ୍ରୀ ସର୍ଦ୍ଦାର ପଟେଲ। ପ୍ରଦେଶଗୁଡ଼ିକର ବଣ୍ଟୁଆରା ସରିଥିଲା।
ସ୍ବାଧୀନତା ଆଇନ୍: ୧୯୪୭ ଅନୁସାରେ ଦେଶୀୟ ରାଜ୍ୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଭାରତ ଓ ପାକିସ୍ତାନ ଆଡ଼କୁ ଯିବାରେ ଅସୁବିଧା ନ ଥିଲା। ସେଥିପାଇଁ ରାଜା ବା ଶାସକମାନେ ନିଷ୍ପତ୍ତି ନେଇ ଦେଶ ମିଶ୍ରଣ ଚୁକ୍ତିରେ ଦସ୍ତଖତ କରିବା କଥା। ଯିଏ ଯେଉଁଆଡ଼େ ପାରିଲେ ଢଳିଲେ। ଦୁଇପଟର ଦୁଇ ଦେଶ ଭାରତ ଓ ପାକିସ୍ତାନ ସେମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଚେଷ୍ଟା ବି କଲେ। ସଲାସୁତରା ଚାଲିଥିଲା। ସ୍ମରଣ ରଖିବା ଆବଶ୍ୟକ ଯେ ଏହି ଦେଶ ମିଶ୍ରଣର ସମ୍ପୂର୍ଣ୍ଣ ଦାୟିତ୍ବ ଥିଲା କରଦ ରାଜ୍ୟଗୁଡ଼ିକର ମୁଖ୍ୟ ଶାସକଙ୍କ ହାତରେ। କେଉଁଠି ରାଜା, କେଉଁଠି ମହାରାଜା ତ ପୁଣି କେଉଁଠି ନବାବ୍। ଅନେକ ବି ଚାହିଁଥିଲେ ସ୍ବାଧୀନ ରହିବାକୁ। ତାହା କିନ୍ତୁ ସମ୍ଭବ ନ ଥିଲା। ଏପରି କି ପାକିସ୍ତାନ ସହ ୨୮ ଜୁଲାଇ ୧୯୬୯ ଯାଏ ଚିତ୍ରାଳ, ଦାର୍ ଓ ସ୍ବାତ୍ ଭଳି ରାଜ୍ୟଗୁଡ଼ିକ ପରିସୀମା ଭିତରେ ଥାଇ ମଧ୍ୟ ରାଷ୍ଟ୍ରଗତ ମିଶ୍ରଣରେ ସାମିଲ ହୋଇନଥିଲେ।
ଏହି ମିଶ୍ରଣ ପ୍ରକ୍ରିୟା ଏତେ ସହଜ ନ ଥିଲା। ସରକାରୀ ଭାବେ ସ୍ବାଧୀନତା ମିଳିଲାବେଳକୁ ଅବିଭକ୍ତ ଭାରତ ଭୂଖଣ୍ଡରେ ଥିଲେ ୫୬୫ କରଦ ରାଜ୍ୟ। ତା’ରି ଭିତରେ ବଡ଼ ବଡ଼ ରାଜ୍ୟ କାଶ୍ମୀର ଓ ହାଇଦ୍ରାବାଦ। ଦୁହେଁ ଚାହୁଁଥିଲେ ସ୍ବାଧୀନ ରାଷ୍ଟ୍ର ହୋଇ ରହିବେ। ଦୁହେଁ ମାନେ ସେଠାର ମହାରାଜା ଓ ଏଠାର ନିଜାମ୍। ଦୁଇଟି ଯାକ ମୁସଲମାନ ବହୁଳ। କାଶ୍ମୀରରେ ହିନ୍ଦୁ ଶାସକ ତ ହାଇଦ୍ରାବାଦରେ ମୁସଲମାନ ଶାସକ। ହାଇଦ୍ରାବାଦରେ ୬୫ ଶତାଂଶ ମୁସଲମାନକୁ ୩୦ ଶତାଂଶ ହିନ୍ଦୁ। କାଶ୍ମୀରରେ ପାଖାପାଖି ସେଇ ଅବସ୍ଥା। େଭୗଗୋଳିକ ଭାରତର ପେଟ ଭିତରେ ହାଇଦ୍ରାବାଦକୁ ମୁଣ୍ଡ ଉପରେ ଜାମ୍ମୁ-କାଶ୍ମୀର। ଧର୍ମକୁ ଧରି ଭିଡ଼ା ଓଟରା କରୁଥିଲେ ଜିନ୍ନା। ଭାରତକୁ ବିଭାଜିତ କରିବାର ସଫଳତା ହିଁ ତା’ଙ୍କୁ ଅଧିକ ଜିଦ୍ଖୋର କରି ଦେଇଥିଲା। ଜାମ୍ମୁ-କାଶ୍ମୀରର ମହାରାଜା ହରି ସିଂହଙ୍କୁ ପାକିସ୍ତାନ ସହ ମିଶ୍ରଣ ପାଇଁ ଧମକ ଚମକ ଦେବାକୁ ପଛାଇ ନ ଥିଲେ ସେ।
ସେ ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପଟେଲ ଦିନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଲିଆକତ୍ ଅଲ୍ଲିଙ୍କୁ କଥା କଥାରେ କହିଥିଲେ, ତୁମେ କାଶ୍ମୀର ନେଇ ହାଇଦ୍ରାବାଦ ଛାଡ଼ିଦିଅ। ଲିଆକତ୍ ଅଲ୍ଲି କହିଥିଲେ, ଆମେ ସେ ଟାଙ୍ଗର, ପାହାଡ଼ ପନ୍ତାର ନେଇ କ’ଣ କରିବୁ? ଆମର ହାଇଦ୍ରାବାଦ ଲୋଡ଼ା। ବୋଧହୁଏ ଧାରଣା ଥିଲା, ହାଇଦ୍ରାବାଦ ନେଇ ସାରିଲା ପରେ କାଶ୍ମୀରକୁ ସେ କଳେବଳେ ହାସଲ କରିନେଇ ପାରିବେ। ସେଇ କାରଣରୁ ଜିନ୍ନା ଓ ଲିଆକତ୍ ଅଲ୍ଲି ମିଶି କାଶ୍ମୀର ରାଜ୍ୟ ଭିତରେ ଆଦିବାସୀ ବିଦ୍ରୋହୀ ସମେତ ବ୍ରିଟିଶ୍-ପାକିସ୍ତାନୀ ସେନା ପୂରାଇ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ଫଳରେ ମହାରାଜା ହରି ସିଂହ ଭାରତର ଶରଣ ପଶି ୨୬ ଅକ୍ଟୋବର ୧୯୪୭ରେ ଗଭର୍ଣ୍ଣର ଜେନେରାଲ୍ ମାଉଣ୍ଟବ୍ୟାନେଟ୍ଙ୍କ ଆଗରେ ଦେଶ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଜାମ୍ମୁ ଓ କାଶ୍ମୀର ଭାରତର ଆଇନଗତ ତଥା ସାଂବିଧାନିକ ଅଙ୍ଗ ପାଲଟିଗଲା। ତାହା ହିଁ ଶେଷକଥା। ୨୬ ଅକ୍ଟୋବର ପାଲଟିଗଲା ଜାମ୍ମୁ କାଶ୍ମୀରର ‘‘ଦେଶ ମିଶ୍ରଣ ଦିବସ’’, ଛୁଟିଦିନ। ତାହା ଏବେ ବି ପାଳିତ। ଏ କଥା ସେଠାକାର ସବୁ ଅଧିବାସୀ ଜାଣନ୍ତି। ଏଣେ ବର୍ଷେ ନ ପୂରୁଣୁ ସେପ୍ଟେମ୍ବର ୧୯୪୮ରେ ହାଇଦ୍ରାବାଦ ମିଶିଗଲା ଭାରତ ରାଷ୍ଟ୍ରରେ। ନିଜାମ୍ ଦେଶ ମିଶ୍ରଣ ଚୁକ୍ତିରେ ଦସ୍ତଖତ କରି ଦେଇଥିଲେ।
ନିଖିଳ ଭାରତ ବା ନିଖିଳ ପାକିସ୍ତାନ ଗଠନରେ କରଦ ରାଜ୍ୟଗୁଡ଼ିକର ମୁଖ୍ୟ ଶାସକମାନଙ୍କ ଦେଶ ମିଶ୍ରଣ ଚୁକ୍ତିନାମାରେ ଦସ୍ତଖତ ପରେ ଆଉ କୌଣସି ପ୍ରଶ୍ନ ଉଠିବାର ନ ଥିଲା। ଅଥଚ ସ୍ବାଧୀନତା ଲାଭ ପରେ ଅତି ଅନ୍ୟାୟ ଭାବରେ ଚଞ୍ଚକତା କରି ପାକିସ୍ତାନ କାଶ୍ମୀର ଉପରେ ଆକ୍ରମଣ କରି େଯଉଁ ଅଭାବନୀୟ କାଣ୍ଡ ଘଟାଇଥିଲା ତା’ର ଫଳଶ୍ରୁତି ଥିଲା ମହାରାଜା ହରି ସିଂହଙ୍କର ଭାରତ ସହ ମିଶ୍ରଣର ନିଷ୍ପତ୍ତି। ତା’କୁ କ’ଣ ବାତିଲ କରାଯାଇପାରିବ?
ଆଜି ସେ ପ୍ରଶ୍ନ ଉଠାଇ ଲାଭ ନାହିଁ। ଭାରତ ବିଭାଜନ ଯେମିତି ସତ୍ୟ, ଭାରତ ସହ କାଶ୍ମୀରର ମିଶ୍ରଣ ମଧ୍ୟ ସେଇ ଭଳି ସତ୍ୟ।
ଏ ସବୁ ପଛ କଥା। ଭାରତ ଓ ପାକିସ୍ତାନ ଦୁଇଟି ସ୍ବାଧୀନ ରାଷ୍ଟ୍ର। ଇତିହାସ ସ୍ବୀକାର କରିସାରିଛି ଏ ଅବଧାରିତ ସତ୍ୟକୁ। ଭାରତ ହେଉ କି ପାକିସ୍ତାନ, ସାଉଦି ଆରବ୍ କି ଇଣ୍ଡୋନେସିଆ ସବୁ ମୁସଲମାନ ବା ସବୁ ଧର୍ମାବଲମ୍ବୀ ସେଇ ସେଇ ରାଷ୍ଟ୍ରର ନାଗରିକ। ଗୋଟିଏ ଦେଶର ନାଗରିକ ହେବା ଅର୍ଥ ତା’ର ସଂବିଧାନ ଓ ବିଧି ବ୍ୟବସ୍ଥାକୁ ଧର୍ମଗ୍ରନ୍ଥ ଭଳି ପାଳନ କରିବା।
ଅତୀତ ହିଁ ଅତୀତ। ଯାହା ଯାଇଛି ତା’କୁ ଆଉ ଫେରାଇ ଆଣି ହୁଏନା। ଇତିହାସ କାଳେ କାଳେ କୁହୁଡ଼ିଆ। ଯାହା ଆମ ଆଗରେ ପ୍ରତିଭାତ ତାହା ହିଁ ସତ୍ୟ। ଯାହା ଯାଇଛି, ତାହା ଯାଇଛି। ତାହା ଯିବା ଦରକାର।
ଅତଏବ ପନ୍ଥ ଓ ବିଶ୍ବାସ ନିର୍ବିଶେଷରେ ସଂବିଧାନ ହିଁ ଆମର ପ୍ରଧାନ ଧର୍ମଗ୍ରନ୍ଥ। ତା’ ପ୍ରତି ଆନୁଗତ୍ୟ ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।
[email protected]
ଆମ ସଂବିଧାନ ଆମ ଧର୍ମଗ୍ରନ୍ଥ: ଯାଇ ମଧ୍ୟ ଯାଉନାହିଁ
ଦାଶ ବେନହୁର
/sambad/media/post_attachments/wp-content/uploads/2023/06/564dg654dddgadag.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)