ଦ୍ବିତୀୟ ବିଶ୍ବଯୁଦ୍ଧର ସମୟ। ସାରା ପୃଥିବୀ ବସିଥିଲା ଗୋଟେ ତେଲ କେଡ଼ଇ ଉପରେ। ଭାରତର ଅବସ୍ଥା ମଧ୍ୟ ଅନୁରୂପ। ସାର୍ ଷ୍ଟାଫୋର୍ଡ କ୍ରିପସ୍ ଆଣି ଆସିଥିବା ପ୍ରସ୍ତାବ କେହି ଗ୍ରହଣ କଲେ ନାହିଁ। ହାତ ବାନ୍ଧି ସେ ବିଲାତ ଫେରିଗଲେ। ତେେଣ ବିଲାତ ଛାତିରେ ଢିଙ୍କି ପାହାର ପଡୁଥିଲା। ଉତ୍ତର-ଆଫ୍ରିକା କ୍ଷେତ୍ରରେ ବ୍ରିଟିସ୍ ଓ ଆମେରିକୀୟ ମିଶି ଜର୍ମାନୀ ଓ ଇଟାଲି ସୈନ୍ୟଙ୍କ ସହ ଘମାଘୋଟ ଲଢ଼େଇରେ ମାତିଥିଲେ। ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଜାପାନ୍ର ଉପସ୍ଥିତି ଗୋଟାଏ ଭୟାନକ ପରିବେଶ ସୃଷ୍ଟି କରୁଥିଲା। ଜାପାନ୍ ଆଡୁ ବ୍ରିଟିସ୍ ଶାସିତ ଭାରତ ପ୍ରତି ବିପଦ ବଢୁଥିଲା। ଜାପାନୀ-ଜର୍ମାନୀ-ଇତାଲୀୟ ଶକ୍ତି ଯଦି ଜିଣେ? େତବେ କ’ଣ େହବ ଭାରତର ଅବସ୍ଥା? ନେତାଜୀ ସୁଭାଷ ଲାଗିଛନ୍ତି ଜାପାନ୍ର ସାହାଯ୍ୟେର ଆଇ.ଏନ୍.ଏକୁ ଧରି ବିଲାତି ସରକାରକୁ ଭାରତରୁ ତଡ଼ିବେ। ହେଲେ ଜାପାନ୍ ଯଦି ଜିଣେ, ସେ କ’ଣ ଭାରତକୁ ସ୍ବାଧୀନ ରହିବା ପାଇଁ ଛାଡ଼ିଦେବ? ବ୍ରିଟେନ୍ କବଳରୁ ଯାଇ ଭାରତ ଜାପାନ୍ କବଳରେ ପଡ଼ିବ ନାଇଁ ତ!
ଆଇ.ଏନ୍.ଏ ବା ଭାରତୀୟ ଜାତୀୟ ସେନାନୀ ଗଠିତ ହୋଇଥିଲା ୧୭ ଫେବ୍ରୁଆରି, ୧୯୪୨ରେ। ଗଢ଼ିଥିଲେ ରାସବିହାରୀ ବୋଷ୍ କ୍ୟାପ୍ଟେନ୍ ଜେନେରାଲ୍ ମୋହନ ସିଂହଙ୍କୁ ଧରି। ମୋହନ ସିଂହଙ୍କର ଜାପାନୀଙ୍କ ସହ ଅପଡ଼ିଆ ହେଲା। ରାସବିହାରୀ ୧୯୪୨ ଶେଷ ବେଳକୁ ସେ ସମସ୍ତ କଥା ନ୍ୟସ୍ତ କଲେ ସୁଭାଷ ବୋଷଙ୍କ ଉପରେ। ବିଦେଶ ମାଟିରୁ ଭାରତ ପାଇଁ ଲଢ଼େଇ ହେବ। ୧୯୪୩ ଆରମ୍ଭରୁ ନେତାଜୀ ସୁଭାଷ ହେଲେ କମାଣ୍ଡର-ଇନ୍-ଚିଫ୍। ବାବୁ ଜଗନ୍ନାଥ ରାଓ ଭୋଁସ୍ଲେ ପାଲଟିଲେ ଚିଫ୍ ଅଫ୍ ଷ୍ଟାଫ୍। ସେ ଏକ ଭିନ୍ନ କାହାଣୀ। ଭାରତର ଅବସ୍ଥା ଶୋଚନୀୟ ହୋଇପଡୁଥିଲା। ଯୁଦ୍ଧ ବିଭୀଷିକା କାରଣରୁ ଅତ୍ୟାବଶ୍ୟକ ପଦାର୍ଥ ବିଭିନ୍ନ ଯୁଦ୍ଧ କ୍ଷେତ୍ରରେ ଲଢୁଥିବା ବ୍ରିଟିସ୍ ସୈନ୍ୟସାମନ୍ତଙ୍କ ପାଇଁ ଚାଲିଯାଉଥିଲା। ବଙ୍ଗଳାରେ ଦୁର୍ଭିକ୍ଷର କଳାଛାଇ। ସାରା ଭାରତ ଅଭାବରେ, ଆଶଙ୍କାରେ, ଅନଟନରେ। କ’ଣ ହବ ଆଗକୁ?
ବିଲାତ ସରକାର ଯଦି ବିଶ୍ବଯୁଦ୍ଧରେ ହାରିଲେ? ଭାଇସ୍ରାୟ ଲର୍ଡ ଲିନ୍ଲିଥ୍ଗୋ କୌଣସି ଭାରତୀୟ ନେତୃବୃନ୍ଦଙ୍କୁ ନ ପଚାରି, ସଙ୍ଗରେ ନ ନେଇ ନିରୀହ ଭାରତକୁ ପୂରେଇ ଦେଇଥିଲେ ଯୁଦ୍ଧରେ। ଫମ୍ପା ହୋଇ ସାରିଥିଲା ଭାରତର ଅର୍ଥନୀତି। ବିଭିନ୍ନ ରାଜନୈତିକ ଦଳ କ’ଣ କରିବେ ବୋଲି ବାଟ ପାଉନଥିଲେ। ବୁଡ଼ିଯାଉଥିଲା ଗୋଡ଼ ତଳକୁ ତଳକୁ। ସମସ୍ତେ ଅସହାୟ। ଗାନ୍ଧୀଜୀଙ୍କ ଆଡ଼କୁ ଚାହିଁଥିଲେ ସବୁ। ଏବର କରୋନା ମହାମାରୀ ପରି ଅବସ୍ଥା। ସାଧାରଣ ଲୋକଙ୍କ ଦେହରେ ବାସ ରହିଲାନି, ପେଟରେ ଦାନା। ଡାକରା ଦେଲେ ଗାନ୍ଧୀ। ‘‘କର ନ ହେଲେ ମର’’। ୮ ଅଗଷ୍ଟ ୧୯୪୨ ଦିନ ବମ୍ବେର ‘‘ଗୋଆଲିଆ ପୋଖରୀ ପଡ଼ିଆ’’ରେ ସେ ବ୍ରିଟିସ୍ ଉଦ୍ଦେଶ୍ୟରେ ଘୋଷଣା କଲେ ‘‘ଭାରତ ଛାଡ଼’’। ‘‘କୁଇଟ୍ ଇଣ୍ଡିଆ’’। ଭାରତର ଅବସ୍ଥା ଯାହା ହେବ ହେଉ ମାତ୍ର, ‘‘ହେ ବ୍ରିଟିସ୍ ସରକାର ତୁମେ ଭାରତ ଛାଡ଼ି ପଳେଇଯାଅ। ଭାରତର ଭବିଷ୍ୟତ ସେ ନିଜେ ବୁଝିବ। ତୁମେ ଥିବା ଯାଏ ଅସୁବିଧା।’’ ‘‘ଭାରତ ଛାଡ଼’’। ଦୁଇଟି ଶବ୍ଦ। ବିଦ୍ୟୁତ୍ ବେଗରେ ଚଉଦିଗେ ଖେଳି ଯାଇଥିଲା ଏ ଆହ୍ବାନ। ସର୍ବଭାରତୀୟ କଂଗ୍ରେସ କମିଟି ସାରା ଦେଶରେ ଲାଗିପଡ଼ିଥିଲା ଏ ଆନ୍ଦୋଳନକୁ ସଫଳ କରିବା ପାଇଁ। ଗାନ୍ଧୀଜୀ ଡାକରା ଦେଇଛନ୍ତି- ‘‘ସ୍ବାଭାବିକ ରୀତିରେ ବ୍ରିଟିସ୍ ସରକାର ଭାରତରୁ ଓହରିଯିବା ଦରକାର।’’
ବ୍ରିଟିସ୍ ସରକାର କିନ୍ତୁ ଚୁପ୍ ବସିଲେ ନାହିଁ। ନିଜ କଳ ବୁଲାଇଲେ ସେ। ସାରା ଦେଶରୁ ପ୍ରାୟ ସମସ୍ତ କଂଗ୍ରେସ ମୁଣ୍ଡିଆଳ ନେତାଙ୍କୁ ଗିରଫ କରି ନିଆଗଲା। ଗାନ୍ଧୀଜୀଙ୍କ ଠାରୁ ଆରମ୍ଭ କରି କସ୍ତୁରବାଙ୍କ ଯାଏ। ହୁଲସ୍ତୁଲ୍ ହେଲା ଭାରତ। ଅନେକ ଭାବିଲେ ଇଏ କିଭଳି ଡାକରା? ବ୍ରିଟିସ୍ ସରକାର ଛାଡ଼ି ଚାଲିଗଲେ ଅରାଜକତା ମାଡ଼ିଯିବ। କାହା ହାତକୁ ଯିବ ଏ ଶାସନ ଡୋରି, କିଏ ସମ୍ଭାଳିବ? କେତେ କିଏ ଗ୍ରହଣ କଲେ ନାହିଁ ଏ ଡାକରାକୁ। ଗୋଟେ ପଟେ ଗାନ୍ଧୀଜୀ ଓ କଂଗ୍ରେସ ଏବଂ ଅନ୍ୟପଟେ ବଡଲାଟ୍ଙ୍କ କାଉନ୍ସିଲ୍, ନିଖିଳ ଭାରତ ମୁସ୍ଲିମ୍ ଲିଗ୍, ହିନ୍ଦୁ ମହାସଭା, ଦେଶୀୟ ରାଜ୍ୟ ସମୂହ, ସରକାରଙ୍କ ପୁଲିସ ବାହିନୀ, ବ୍ରିଟିସ୍ ସରକାରଙ୍କ ସାମରିକ ସେବା ଏବଂ ତମାମ ଭାରତୀୟ ସିଭିଲ୍ ସର୍ଭିସ୍ର ଅଫିସରଗଣ।
ନେତୃତ୍ବ ଅଭାବ କାରଣରୁ ଭାରତର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଲା। ଲକ୍ଷ ଲକ୍ଷ ଲୋକ କାରାଗାରରେ ବନ୍ଦୀ ହେଲେ। ଏଇଠି ମନେ ରଖିବା ଦରକାର ଯେ ମୁସ୍ଲିମ୍ ଲିଗ୍ ବ୍ରିଟିସ୍ ସରକାରଙ୍କ ଯୁଦ୍ଧନୀତିକୁ ସମର୍ଥନ କରିଥିବା ବେଳେ କଂଗ୍ରେସ ମଧ୍ୟ ସେପ୍ଟେମ୍ବର ୧୯୩୯ରେ ୱାର୍ଦ୍ଧାଠାରେ ଫାସିବାଦୀ ଶକ୍ତି ବିରୋଧରେ ଲଢ଼େଇକୁ ସମର୍ଥନ କରି ଏକ ସର୍ତ୍ତମୂଳକ ସମର୍ଥନ ପ୍ରସ୍ତାବ ଗ୍ରହଣ କରିଥିଲେ। ସର୍ତ୍ତ ଥିଲା ଯୁଦ୍ଧ ପରେ ସ୍ବାଧୀନତା। ଏ କଥାଟି ମଧ୍ୟ କଂଗ୍ରେସ ଦଳ ଭିତରେ ସମସ୍ତେ ଗ୍ରହଣ କରିପାରିନଥିଲେ। ତେବେ ଭାରତ ଛାଡ଼ ଆନ୍ଦୋଳନ ଯେ ବିଶାଳ କଂଗ୍ରେସ ଦଳର ଜନସମର୍ଥିତ ସବୁଠାରୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ଆନ୍ଦୋଳନ ଥିଲା ତାହା ଅସ୍ବୀକାର କରାଯାଇ ପାରିବ ନାହିଁ। ୧୯୪୨, ୧୯୪୩, ୧୯୪୪, ୧୯୪୫। ଦୀର୍ଘ ଚାରିବର୍ଷ କଷଣ, ଯନ୍ତ୍ରଣା ଭୋଗିଥିଲେ କଂଗ୍ରେସ ସମର୍ଥନକାରୀ ଅସଂଖ୍ୟ ଦେଶ ସେବକ ଓ ସାଧାରଣ ଲୋକ।
ଭାରତ ଛାଡ଼ ଆନ୍ଦୋଳନ ଡାକରାର ଦିନକ ପରେ ୧୯୪୨, ୯ ତାରିଖରେ ଗାନ୍ଧୀଜୀଙ୍କ ସମେତ ଅନେକ କଂଗ୍ରେସ କର୍ମୀଙ୍କୁ ଆଗା ଖାଁଙ୍କ ନଅରରେ ବନ୍ଦୀ କରି ରଖାଗଲା। ସେଠାରୁ ଗାନ୍ଧୀଜୀ ମୁକ୍ତ ହୋଇଥିଲେ ମେ’ ୯, ୧୯୪୪ରେ। ଏଇ ଦୀର୍ଘକାଳ ଭିତରେ ଅନେକ ଅଭାବନୀୟ ଘଟଣା ଘଟିଯାଇଥିଲା। ଅନଶନରେ ବସିଥିବା ଗାନ୍ଧୀଜୀଙ୍କ ଅବସ୍ଥା ଏପରି ସଙ୍କଟାପନ୍ନ ହୋଇଥିଲା ଯେ ଚର୍ଚ୍ଚିଲ୍ଙ୍କ ପାଖକୁ ଟେଲିଗ୍ରାମ୍ ଗଲା- ‘‘ଗାନ୍ଧୀ ମରିଯିବେ।’’ ଚର୍ଚ୍ଚିଲ୍ଙ୍କ ନିର୍ଦ୍ଦେଶ ଥିଲା- ‘‘ସାବଧାନ! ସଂସ୍କାର ସେ ଜେଲ୍ଖାନା ଭିତରେ ସାରିବ।’’ ଗାଡ଼ିଏ ଚନ୍ଦନ କାଠ ଆସି ଥୁଆ ହୋଇଥିଲା। ହେଲେ ଗାନ୍ଧୀ ଯିବେ କ’ଣ ତାଙ୍କ ଶୁଶ୍ରୂଷାରେ ଥିବା କସ୍ତୁରବା ୧୯୪୪ ଫେବ୍ରୁଆରି ୨୨ରେ ଚାଲିଗଲେ। ସେଇ କାଠ ତାଙ୍କ ଚିତାରେ ଲାଗିଥିଲା। ତା’ର ଅଠର ମାସ ଆଗରୁ ଗାନ୍ଧୀଜୀ ନିଜ ପୁଅ ପରି ଦେଖୁଥିବା ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ ମାତ୍ର ୫୦ ବର୍ଷ ବୟସରେ ସେଇ ଜେଲ୍ ଭିତରେ ହିଁ ଦେହ ତ୍ୟାଗ କରିଥିେଲ। ସରୋଜିନୀ ନାଇଡୁୁ ସଙ୍କଟାପନ୍ନ ଅବସ୍ଥାକୁ ଆସିଯାଇଥିଲେ। ତେଣୁ ମାର୍ଚ୍ଚ ୧୯, ୧୯୪୩ରେ ତାଙ୍କୁ ମୁକୁଳେଇ ଦିଆଯାଇଥିଲା।
ଏସବୁ ସେତ୍ତ୍ବ ହାରିଯାଇ ନ ଥିଲେ ଗାନ୍ଧୀ। ସେଇ ଯେ ୧୯୩୦, ଜାନୁଆରି ୨୬ରେ ପୂର୍ଣ୍ଣ ସ୍ବରାଜ ଘୋଷଣା କରି କଂଗ୍ରେସ ତରଫରୁ ଭାରତର ଜାତୀୟ ପତାକା ଲାହୋରଠାରେ ଉଡ଼ାଯାଇଥିଲା, ଜେଲ୍ରେ ଥାଇ ମଧ୍ୟ ୧୯୪୩ ଓ ୧୯୪୪ରେ ସେତେବେଳ ଯାଏ ଗୃହୀତ ଭାରତୀୟ ଜାତୀୟ ପତାକାକୁ ଗାନ୍ଧୀଜୀ ପ୍ରତି ଜାନୁଆରି ୨୬ରେ ଉଡ଼ାଇ ସ୍ବାଧୀନତା ଦିବସ ପାଳନ କରିଥିଲେ ଆଗା ଖାଁ ନଅର ଭିତରେ। ଆଜି ଆମେ ସ୍ବାଧୀନ ଭାରତରେ ଅେଛ। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରିବା ଅବସରରେ ସେସବୁ ମନେ ପକାଇ କୃତଜ୍ଞତା ପ୍ରକାଶ କରିବା ଆମର ଧର୍ମ। ଆଜି ଦେଶକୁ ଯିଏ ବି ଶାସନ କରନ୍ତୁ ତାଙ୍କୁ ସେ ଅଧିକାର ମିଳିଛି ସଂବିଧାନ ମାଧ୍ୟମରେ। ଏବଂ ଏ ଭାରତୀୟ ସଂବିଧାନ କେଉଁ ସୋଲୋମନ୍ କି ମନୁଙ୍କ ମୁହଁରୁ ଏମିତି ବାହାରି ଆସିନାହିଁ। ତା’ପଛରେ ଅଛି ପାହାଚ ଚଢ଼ା ଏକ ଲହୁଲୁହାଣ ଇତିହାସ। ପ୍ରତିଟି ଘଟଣା, ପ୍ରତିଟି ତ୍ୟାଗ ଯେ ଆମକୁ ସମୟ ସ୍ରୋତରେ ଟାଣିଆଣି ଗଣତାନ୍ତ୍ରିକ ଏକ ସାର୍ବଭୌମ ରାଷ୍ଟ୍ର ହୋଇ ଠିଆ ହେବା ଲାଗି ସୁଯୋଗ ଦେଇଛି ତାହା କ’ଣ ଅସ୍ବୀକାର କରି ହେବ?
ବ୍ରିଟିସ୍ ସରକାର ସବୁ ଭାରତୀୟଙ୍କୁ ନିଜ ପକ୍ଷକୁ ନେବା ପାଇଁ କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଯେଉଁସବୁ ଯୁକ୍ତି ରଖିଥିଲେ ସେସବୁ ଆଲୋଚନା କଲେ ବୁଝିହେବ ଯେ ବିଦେଶୀ ସରକାର ପ୍ରତି ସ୍ତରରେ ଭାରତକୁ କିଭଳି ବିଭାଜିତ କରି ଶାସନ କରିବାକୁ ବଦ୍ଧପରିକର ଥିଲେ। ୧୯୪୨ର ଅଗଷ୍ଟ କ୍ରାନ୍ତି ଆରମ୍ଭ ହେଉ ହେଉ ସେପ୍ଟେମ୍ବର ୧୪ରେ ସରକାରଙ୍କ ତରଫରୁ ସ୍ବରାଷ୍ଟ୍ର ସଚିବ ସାର୍ ରେଜିନାଲ୍ଡ ମାକ୍ସୱେଲ୍ ଭାରତଛାଡ଼ ଆନ୍ଦୋଳନକୁ ଏକ ‘‘ଅନ୍ତର୍ଘାତୀକାର୍ଯ୍ୟ’’ର ନାଁ ଦେଇଥିଲେ ଏବଂ ‘‘ଭାରତର ଦୁଃଖଦାୟକ ପରିସ୍ଥିତି’’ ପାଇଁ କଂଗ୍ରେସ ହିଁ ଦାୟୀ ବୋଲି କହିବାକୁ ଭୁଲି ନ ଥିଲେ। ହେଲେ ସେତେବେଳେ ଅଧିକାଂଶ ସଭ୍ୟ ଯେଉଁ ଦୁଇଟି କଥା ଉପରେ ଗୁରୁତ୍ବ ଦେଇଥିଲେ ତାହା ଏଠାରେ ପ୍ରଣିଧାନଯୋଗ୍ୟ। ପ୍ରଥମ କଥାଟି ଥିଲା ଯେ ‘‘ଇଂଲଣ୍ଡରେ କ୍ଷମତାସୀନ ହୋଇ ଏଭଳି ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯେ କି ଜୀବନସାରା ଭାରତ ପ୍ରତି ବଦ୍ଧମୂଳ ଶତ୍ରୁତା ପୋଷଣ କରି ଆସିଛନ୍ତି।’’ ସେ ଥିଲେ ସାର୍ ୱିନ୍ଷ୍ଟନ୍ ଚର୍ଚ୍ଚିଲ୍। ଦ୍ବିତୀୟରେ ଖୋଦ୍ ଭାରତରେ ଶାସନ କ୍ଷମତା ‘‘ଦଳେ ପ୍ରତିକ୍ରିୟାଶୀଳ, ନ୍ୟାୟ-ଅନ୍ୟାୟ-ବିଚାରଶୂନ୍ୟ, କ୍ଷମତା ପ୍ରମତ୍ତ ଲୋକଙ୍କ ଏକଚାଟିଆ ଅଧିକାରଭୁକ୍ତ ହୋଇ ରହିଛି।’’ ସେମାନେ ସମସ୍ତେ ଥିଲେ କଂଗ୍ରେସ ତଥା ଗାନ୍ଧୀ-ବିରୋଧୀ।
ଭାରତ ବୁଡ଼ି ରହିଥିଲା ଏକ ପଙ୍କ ଦଲ୍ ଦଲ୍ ଭିତରେ। ଏତିକିବେଳେ ଅଧିକାର ପ୍ରମତ୍ତମାନେ ଯିଏ ଯାହା ପାରିଲେ ନେଇ ପଳେଇବାର ମସୁଧାରେ ଥିଲେ।
ସେତେବେଳେ ଜିନ୍ନାଙ୍କ ଅନୁପସ୍ଥିତି ଯୋଗୁଁ ମୁସ୍ଲିମ୍ ଲିଗ୍ ନେତା ନୱାବ୍ଜାଦା ଲିଆକତ୍ ଅଲ୍ଲି ଖାଁ। କଂଗ୍ରେସ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣି କହିଥିଲେ, ‘‘ଦେଶରେ ସ୍ବାଧୀନତା ଲାଭ ଉଦ୍ଦେଶ୍ୟେର ନୁହେଁ, ନିଜର ଦାବିକୁ ବ୍ରିଟିସ୍ ସରକାରଙ୍କ ଉପରେ ଚାପ ପକାଇ ସ୍ବୀକାର କରେଇନେବା ଲାଗି’’ ପ୍ରକାଶ୍ୟ ବିଦ୍ରୋହ ସକାଶେ କଂଗ୍ରେସ ଯେଉଁ ସିଦ୍ଧାନ୍ତ ନେଲା ସେଥିରେ ଲିଗ୍ ଦୁଃଖିତ। ଗତ ତିନିବର୍ଷ ଧରି ସରକାର ଲିଗ୍ କଥା ନ ଶୁଣି କଂଗ୍ରେସ ଦଳକୁ ସନ୍ତୁଷ୍ଟ କରିବାରେ ଲାଗିଛନ୍ତି। ତେଣୁ ସରକାର ହିଁ ବର୍ତ୍ତମାନ ପରିସ୍ଥିତି ପାଇଁ ଦାୟୀ। ଭାରତର ସ୍ବାଧୀନତା ପାଇଁ ମାତ୍ର ଗୋଟିଏ ପନ୍ଥା- ପାକିସ୍ତାନ ଗଠନକୁ ମାନିନେବା।
୧୯୪୨ ପରର ଭାରତ ଥିଲା ଖୁବ୍ ସଙ୍କଟ ଜର୍ଜରିତ। ଉଜୁଡ଼ା ଅର୍ଥନୀତି। ବିଭାଜିତ ଭାରତୀୟ ଏକତା। ଯୁଦ୍ଧ-ପ୍ରମତ୍ତ ବ୍ରିଟେନ୍ର ଅନ୍ତର୍ଜାତୀୟ ଅସହାୟତା। ପଶ୍ଚିମ ପ୍ରାନ୍ତରୁ ଜାପାନ୍ର ଆଗମଡ଼ା ପଦଧ୍ବନୀ। ଦଳ ଦଳରେ ଅନ୍ତର୍ଦ୍ବନ୍ଦ୍ବ।
୧୯୪୩ ଫେବ୍ରୁଆରି ୧୦ ତାରିଖ ଠାରୁ ୨୧ ଦିନ ପାଇଁ ଗାନ୍ଧୀଜୀ ଅନଶନ ଆରମ୍ଭ କରି ଦେଇଥିଲେ। ସାରା ଭାରତର ଅଗଣିତ ଜନତା ବିନା ସର୍ତ୍ତରେ ତାଙ୍କର ମୁକ୍ତି ଦାବି କରିଥିଲା। ଭାଇସ୍ରାୟ କିନ୍ତୁ ତାହା ଗ୍ରହଣ କଲେ ନାହିଁ।
କେନ୍ଦ୍ର ବ୍ୟବସ୍ଥାପକ ସଭାର ଜଣେ ଟାଣୁଆ ସଭ୍ୟ ସର୍ଦ୍ଦାର ସନ୍ଥ ସିଂହ ଏତିକିବେଳେ କହିଥିଲେ- ‘‘ସାବଧାନ!’’ କାରାଗାରରେ ଗାନ୍ଧୀଜୀଙ୍କ ମୃତ୍ୟୁ ‘‘ବନ୍ଦିଶାଳାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଭଳି ହେବ’’। ଦୁର୍ବଳ ହେବାରେ ଲାଗିଥିଲେ ବ୍ରିଟିସ୍ ସରକାର। ଆମେରିକାର ରାଷ୍ଟ୍ରପତି ରୁଜ୍ଭେଲଟ୍ ଭାରତ ସପକ୍ଷରେ ଚର୍ଚ୍ଚିଲ୍ଙ୍କ ଉପେର ଚାପ ପକାଇ ଚାଲିଥିଲେ। ପୂର୍ବ ପଟୁ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ଆଇ.ଏନ୍.ଏ ମାଡ଼ି ଆସୁଥିଲା ସୁଭାଷ ବୋଷ୍ଙ୍କ ନେତୃତ୍ବରେ। ବ୍ରିଟିସ୍-ଭାରତୀୟ ସେନାବାହିନୀ ବିଦ୍ରୋହୀ ହୋଇ ଉଠୁଥିଲେ। କେବଳ ଭାରତ କାହିଁକି ତା’ ସହ ସମଗ୍ର ପୃଥିବୀ ଗୋଟାଏ ଅଜଣା ସମ୍ଭାବନାକୁ ଅପେକ୍ଷା କରି ରହିଥିଲା। ପୃଥିବୀ ଲୋଡୁଥିଲା ଯୁଦ୍ଧର ଭୟାବହତାରୁ ମୁକ୍ତି। ଭାରତ ଖୋଜୁଥିଲା ବିଦେଶୀ କବଳରୁ ସ୍ବାଧୀନତା। ସବୁଠାରୁ ବଡ଼ ଆକାଂକ୍ଷିତ ବର୍ଷଟି ଥିଲା ୧୯୪୫। କିଛି ନିଶ୍ଚୟ ଘଟିବ।
[email protected]