ବ୍ରିଟିଶ୍ ସରକାର ଭାରତୀୟଙ୍କ ହାତରେ କ୍ଷମତା ଅର୍ପଣ କରି ଚାଲିଯିବେ ବୋଲି ସ୍ଥିର ନିଶ୍ଚିତ କରି ସାରିଥିଲେ। ଲକ୍ଷ୍ୟ ଥିଲା ଜୁନ୍ ୧୯୪୮। କିନ୍ତୁ ଏତେ ଶୀଘ୍ର ସ୍ଥିରୀକୃତ ଯୋଜନାର ପ୍ରାୟ ବର୍ଷକ ଆଗରୁ ଯେ େସମାନେ ତରବରିଆ ଭାବେ ଭାରତ ଛାଡ଼ିବେ ସେ କଥା ନା ସେମାନେ ଅନୁମାନ କରିଥିଲେ ନା ଭାରତୀୟ ନେତାମାନେ। ଅଗଷ୍ଟ, ୧୯୪୭ ଆପେ ଆସିଯାଇଥିଲା ଅଜଣା ଝଡ଼ ପରି।
ମଝିରେ ଧର୍ମ ଆଧାରରେ ଦେଶ ବିଭାଜନ କଥା ଉଠି ଭାରତକୁ ଏକ ପ୍ରକାର ସର୍ବସ୍ବାନ୍ତ କରିଦେଇଥିଲା। ଏଠାରେ ଭାରତକୁ ଅର୍ଥାତ୍ ସ୍ବାଧୀନତା ପୂର୍ବର ଭାରତକୁ। ପଶ୍ଚିମରେ ପଞ୍ଜାବ ଓ ପୂର୍ବରେ ବଙ୍ଗଳାର ବିଭାଜନ ପାଇଁ ଯେଉଁ ବ୍ରିଟିଶ୍ ଛୁରି ତା’ର କାମ ଦେଖାଇଥିଲା ତା’ଠାରୁ ବଳି ନୃଶ˚ସ ଓ ଅନ୍ୟାୟ-ଘଟିତ ବର୍ବରତା ଇତିହାସ ବି କେଉଁଠାରେ ଦେଖି ନ ଥିବ କେବେ। ଛୁରିର ନାଆଁ ଥିଲା ଇଣ୍ତିଆନ୍ ଇଣ୍ତିପେଣ୍ତେନ୍ସ ଆକ୍ଟ- ୧୯୪୭ ବା ଭାରତୀୟ ସ୍ବାଧୀନତା ଆଇନ- ୧୯୪୭। ଏହି ଛୁରି ବଳରେ ମିଷ୍ଟର୍ ସିରିଲ୍ ରେଡ୍କ୍ଲିଫ୍ ଯେଉଁ ଖେଳ ଖେଳିଲେ ତାହା ଭାରତର ଛାତିକୁ କେବଳ ଲହୁଲୁହାଣ କଲା ସେକଥା ନୁହେଁ, ଚିରଦିନ ଲାଗି ବିକଳାଙ୍ଗ କରି ଚାଲିଗଲା। ସେ ଘା’ର ନାମ, ରେଡ୍କ୍ଲିଫ୍ ଲାଇନ୍। କୁହାଟ ମାରି ବ୍ରିଟିଶ୍ ଜାତି ରେଡ୍କ୍ଲିଫ୍ ଆଵାର୍ଡ କହି ଚାଲିଗଲା ସାରା ଭାରତକୁ ତିନିଗଡ଼ କରି।
ଦୁଇଟା ଗାରରେ, ଗୋଟାଏ ଦିନରେ ଛାତି କଟିଗଲା ଭାରତର। ଗତକାଲିର କେତେ କେତେ ସ୍ବଚ୍ଛଳ ପରିବାର ଆଜିକୁ ଉଚ୍ଛନ୍ନ ହୋଇଗଲେ। ବାସ୍ତୁହରା ହୋଇ ବୁଲିଲେ ଏଣେ ତେଣେ। ଗୋଟାଏ ଗାଆଁର ଫାଳେ ଏପଟେ ତ ଫାଳେ ସେପଟେ। ଘର ଏପଟେ, ଜମି ସେପଟେ। ନଈ, ନାଳ, ପୋଖରୀ, ପଡ଼ିଆ, ପାହାଡ଼ ଉପରେ ଗାର ପକେଇ ଚାଲିଗଲା ଛୁରି। ଭିନ୍ନ ଭିନ୍ନ ଅଞ୍ଚଳରେ ଲୋକେ ଧର୍ମ-ଦଙ୍ଗାରେ କୁଢ଼ କୁଢ଼ ହୋଇ ମରିଥିଲେ ସତ ମାତ୍ର ଭାରତର ଦୁଇ ସମ୍ଭ୍ରାନ୍ତ ଭୂମି ‘ପଞ୍ଚାବ’ ଓ ‘ବଙ୍ଗଳା‘ ଖିନ୍ଭିନ୍ ହୋଇଯାଇଥିଲା। ପୂର୍ବ ବଙ୍ଗ, ପଶ୍ଚିମ ବଙ୍ଗ। ପୂର୍ବ ପଞ୍ଜାବ, ପଶ୍ଚିମ ପଞ୍ଜାବ।
ଧର୍ମକୁ ଧରି ମଣିଷଗୁଡ଼ାକ ହଣାମରା ହେଲେ। ନା ଆଲ୍ଲା ରକ୍ଷାକଲେ ନା ଈଶ୍ବର। ହିନ୍ଦୁ, ମୁସଲମାନ ପରିଚୟ ଅପାଙ୍କ୍ତେୟ ହୋଇଗଲା। ହଜାର ହଜାର ହିନ୍ଦୁ ଭିଟାମାଟି ହରେଇଲେ ତ ହଜାର ହଜାର ମୁସଲମାନ ଉଚ୍ଛନ୍ନ ହୋଇ ଧାଇଁଲେ ଆପଣା ସାତପୁରୁଷି ମାଟିରୁ।
ରେଡ୍କ୍ଲିପ୍ ଲାଇନ୍। ଇତିହାସର କ୍ରୂର ପରିହାସ।
ସମ୍ବିଧାନ ତିଆରି ସଭାର କାମ ମୁସଲିମ ଲିଗ୍ର ବିନା ଉପସ୍ଥିତିରେ ବି ଚାଲିଥିଲା ଜୋର୍ସୋର୍। ୧୯୪୭ ମାର୍ଚ୍ଚରେ ଲୁଇ ମାଉଣ୍ଟ୍ବ୍ୟାଟେନ୍ ଆସିଥିଲେ ଭାଇସ୍ରାଏ ହୋଇ। ମୁଖ୍ୟ କାମ ତାଙ୍କର ଥିଲା ଭାରତୀୟ ନେତାଙ୍କୁ କ୍ଷମତା ହସ୍ତାନ୍ତର କରି ବିଲାତ ଫେରିଯିବା। ଉଭୟ ଗାନ୍ଧୀଜୀ ଓ ଜିନ୍ନାଙ୍କ ସହ ପରାମର୍ଶ କରି ସେ ନିଜେ ବ୍ୟତିବ୍ୟସ୍ତ ଅବସ୍ଥାରେ ଥିଲେ। ଗାନ୍ଧୀଜୀ ଚାହୁଁଥିଲେ ଭାରତ ଅଖଣ୍ତ ରହୁ। ଜିନ୍ନା ଚାହୁଁଥିଲେ ବିଭାଜିତ ଭାରତ ଓ ପାକିସ୍ତାନର ଗଠନ। ସବୁଠାରୁ ‘ନ ଯଯୌ ନ ତସ୍ଥୌ’ ଅବସ୍ଥାରେ ଥିଲେ ଶହ ଶହ ଦେଶୀୟ ରାଜା। କ’ଣ ହେବ ସେମାନଙ୍କର ଭବିଷ୍ୟତ!
ସମ୍ବିଧାନ ସଭାରେ ପଣ୍ତିତ ନେହରୁ ଉପସ୍ଥାପିତ କରିଥିବା ‘‘ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆଧାରିତ ପ୍ରସ୍ତାବ (ଅବ୍ଜେନ୍ଟିଭ୍ସ ରିଜୋଲ୍ୟୁସନ୍)ରେ ଆତଙ୍କିତ ହୋଇପଡ଼ିଥିଲେ ସେମାନେ। ସେମାନଙ୍କର ମୁଖପାତ୍ର ତଥା ରାଜନ୍ୟମଣ୍ତଳୀ ସଭାର କୁଳପତି (ଚ୍ୟାନ୍ସେଲର ଅଫ୍ ଚାମ୍ବର୍ ଅଫ୍ ପ୍ରିନ୍ସେସ୍), ଭୋପାଳର ନବାବ୍ ହମିଦୁଲ୍ଲା ଖାନ୍ ହଡ଼ବଡ଼େଇ ଯାଇଥିଲେ ନିଜେ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ- ‘‘ପଣ୍ଡିତ ନେହରୁ ସମ୍ବିଧାନ ସଭାରେ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି ତା’ ସପକ୍ଷରେ ଦେଶୀୟ ରାଜାମାନେ ନାହାନ୍ତି।’’ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ପୁଣି କହିଥିଲେ, ‘‘ନିଜର ମତ ରଖିବା ଓ ତାକୁ ଉପସ୍ଥାପିତ କରିବାର ସମ୍ପୂର୍ଣ୍ଣ ଅଧିକାର ନେହରୁଜୀଙ୍କର ଅଛି ହେଲେ ଯଦି ସେ ତାଙ୍କ ଦ୍ବାରା ପ୍ରସ୍ତୁତ କୌଣସି ଆଇନ ଦେଶୀୟ ରାଜାମାନଙ୍କ ଉପରେ ଜବରଦସ୍ତ ଲଦି ଦେବାକୁ ପ୍ରସ୍ତୁତ ହୁଅନ୍ତି ତା’ହେଲେ ହିନ୍ଦୁସ୍ଥାନର ୫୫୦ ଊର୍ଦ୍ଧ୍ବ ଦେଶୀୟ ରାଜା, ମହାରାଜା ହାତରେ ଚୁଡ଼ି ପିନ୍ଧି ନାହାନ୍ତି।’’ ପୂରା ବିଦ୍ରୋହର ଡାକରା!
ଏଇଭଳି ଥିଲା ୧୯୪୭ର ଭାରତ। ସେ ସମୟକୁ ଅନୁଧ୍ୟାନ ନ କରି ଆମେ ଯେ ତତ୍କାଳୀନ ନେତୃବୃନ୍ଦଙ୍କର ଦୋଷ ଦୁର୍ବଳତା ଖୋଜିବସୁ ତାହା ସେମାନଙ୍କ ପ୍ରତି ଯେତିକି ଅନ୍ୟାୟ ଭାରତର ଇତିହାସ ପ୍ରତି ତତୋଽଧିକ ଅବିମୃଶ୍ୟକାରୀ ଭାବ।
ନୂଆ ଭାରତ ପାଇଁ ସମ୍ବିଧାନ ତିଆରି ଚାଲିଛି। ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରିମଣ୍ତଳ ଗଢ଼ାହୋଇ ସାରିଛି। ଗାନ୍ଧୀଜୀଙ୍କର ପରାମର୍ଶ ଥିଲା, ସାବଧାନ! କ˚ଗ୍ରେସ ମନ୍ତ୍ରିମଣ୍ତଳ ଗଢୁନାହିଁ, ଗଢୁଛି ଭାରତ। ତେଣୁ ସେଥିରେ ହିନ୍ଦୁ, ମୁସଲମାନ, ଶିଖ୍, ଈଶାଇ, ଦଳିତ ସମସ୍ତେ ଯେମିତି ପ୍ରତିନିଧିତ୍ବ ପାଆନ୍ତି। ବାବୁ ଜଗଜ୍ଜୀବନ ରାମ ଦଳିତ ପ୍ରତିନିଧି ଭାବେ ସିନା କ˚ଗ୍ରେସ ଦଳର ଥିଲେ, ମାତ୍ର ଗାନ୍ଧୀଜୀ ସ୍ପଷ୍ଟ କରିଦେଇଥିଲେ ଡ. ଆମ୍ବେଦକରଙ୍କୁ ମନ୍ତ୍ରିମଣ୍ତଳରେ ସାମିଲ କରିବାର ବାଧ୍ୟବାଧକତା ସମ୍ପର୍କରେ। ଡ. ଆମ୍ବେଦକର ଗାନ୍ଧୀଜୀ, ନେହରୁ ବା କ˚ଗ୍ରେସ ଦଳ କାହା ସପକ୍ଷରେ ନ ଥିଲେ ବି ମନ୍ତ୍ରୀପଦ ଗ୍ରହଣ କରିଥିଲେ ନୂଆ ଭାରତର ଭବିଷ୍ୟତକୁ ଆଖିରେ ରଖି। ତେଣେ ମୁସଲିମ ଲିଗ୍ ପ୍ରଥମେ ମନାକରି ପରେ ସାମିଲ ହୋଇଥିଲା ମନ୍ତ୍ରିମଣ୍ତଳରେ।
ଭାରତ ସାରା ଅନିଶ୍ଚିତତା। ଭୟଙ୍କର ବାତାବରଣ। କ˚ଗ୍ରେସ କହୁଛି ମୁଁ, ମୁସଲିମ ଲିଗ୍ କହୁଛି ମୁଁ, ରାଜାମାନେ ମୁଁ ମୁଁ। କିଏ କେଉଁ ପଟକୁ ଯିବ! କେଉଁଠି ଗାର ପଡ଼ିବ! ସତେ ଯେମିତି ଭାରତମାଆ ଶୋଇଚି। ଜୀବନ ରକ୍ଷା ଆଳରେ ଛୁରି ଚଳେଇବାକୁ ହେବ ତା’ର ଛାତିରେ।
ଇଣ୍ତିଆନ୍ ଇଣ୍ତିପେଣ୍ତେନ୍ସ ଆକ୍ଟ- ୧୯୪୭। ଇ˚ଲଣ୍ତ୍ର ରାଜା ଷଷ୍ଠ ଜର୍ଜଙ୍କର ଅନୁମୋଦନ ଲାଭ କରି ଏ ଚିଠା ଆଇନ ଜୁଲାଇ ୧୮, ୧୯୪୭ରେ ପୂର୍ଣ୍ଣ ଆଇନ ଭାବେ ବଳବତ୍ତର ହୋଇଗଲା।
ପ୍ରଧାନତଃ ସେଥିରେ ଥିଲା ଚାରିଗୋଟି ଗୁରୁତ୍ବପୂର୍ଣ୍ଣ କଥା। ପ୍ରଥମ ହେଲା, ଏହାଦ୍ବାରା ଭାରତ ଉପରେ ଥିବା ସମସ୍ତ ବ୍ରିଟିଶ୍ ସାର୍ବଭୌମ କ୍ଷମତାର ଅନ୍ତ ଘଟିଲା। ଦ୍ବିତୀୟରେ ଏ ଆଇନ ଭାରତକୁ ଦୁଇଟି ଜନପଦ (ଡୋମିନିଅନ୍)ରେ ପରିଣତ କଲା। ଗୋଟିକର ନାମ ‘ଇଣ୍ତିଆ’ ଓ ଅନ୍ୟଟିର ନାମ ‘ପାକିସ୍ତାନ’। ‘ଇଣ୍ତିଆ’ ବଦଳରେ ବ୍ରିଟିଶ୍ ସରକାର ‘ଭାରତ’ ବା ‘ହିନ୍ଦୁସ୍ଥାନ’ ନାମ ରଖିବାକୁ ଚାହିଁନାହାନ୍ତି ନିଶ୍ଚିତ। ଦୁଇ ଜନପଦର ମୁଖ୍ୟ ଭାବରେ ଜଣେ ଗଭର୍ଣ୍ଣର ଜେନେରାଲ୍ ବା ରାଜପ୍ରତିନିଧି ରହିବାର ପ୍ରାବଧାନ ରହିଲା। ତୃତୀୟରେ ଦୁଇ ଜନପଦର ବ୍ୟବସ୍ଥାପକୀ ବା ଆଇନ ପ୍ରଣୟନକାରୀ ସଭା ସମସ୍ତ ସାର୍ବଭୌମ କ୍ଷମତା ଉପଭୋଗ କରିବେ ବୋଲି ସେଥିରେ ସୂଚନା ରହିଲା ଏବ˚ ଅଗଷ୍ଟ ୧୫, ୧୯୪୭ ପରଠାରୁ ବ୍ରିଟିଶ୍ ପାର୍ଲାମେଣ୍ଟ୍ ଅନୁମୋଦିତ କୌଣସି ଆଇନ ସେଠାରେ ଆଉ ଲାଗୁ ହୋଇପାରିବ ନାହିଁ ବୋଲି ଘୋଷିତ ହେଲା। ଚତୁର୍ଥରେ ଭାରତ ଓ ପାକିସ୍ତାନ ସେମାନଙ୍କର ଆପଣା ସମ୍ବିଧାନ ପ୍ରଣୟନ ନ କରିଥିବା ଯାଏ, ‘‘ଭାରତ ସରକାର ଆଇନ- ୧୯୩୫’’ ଆବଶ୍ୟକ ସ˚ଶୋଧନ ଓ ପ୍ରବର୍ତ୍ତନ ସହ ସମ୍ବିଧାନ ଭଳି କାର୍ଯ୍ୟକ୍ଷମ ରହିବା କଥା ମଧ୍ୟ ଆଇନଗତ ହେଲା। ଶେଷ କଥାଟି ଯୋଡ଼ାଥିଲା ଯେ ଶହ ଶହ ଦେଶୀୟ ରାଜ୍ୟ ଆପଣା ଇଚ୍ଛାରେ ଚାହିଁଲେ ଦୁଇ ଜନପଦରୁ ଯେ କୌଣସିଟିରେ ହାତକାଟି ସହମତି ଲେଖି ସାମିଲ୍ ହୋଇପାରିବେ। ଏ ରାଜ ସହମତି ହେଲା ଇଂରେଜିରେ ଆକ୍ସେସନ୍।
ଦୁଇଟି ସିଧାସଳଖ କଥା ଘଟିଥିଲା ଏ ଆଇନ ବଳରେ। ଭାରତ ଓ ପାକିସ୍ତାନ ଦୁଇଖଣ୍ତ ହେବା ଆଇନସିଦ୍ଧ ହୋଇଗଲା ଓ କିଏ କେଉଁପଟକୁ ଯିବେ ତାକୁ ଗୋଳେଇଘାଣ୍ଟି ଦିଆଗଲା। ଭୟ ଥିଲା, ଭାରତ ସହସ୍ର ଖଣ୍ତରେ ବିଭାଜିତ ହୋଇଯିବ ଓ ଶେଷରେ ସୁରକ୍ଷା ପାଇଁ ନେତାଏ ଛୁରିଧାରୀ ବ୍ରିଟିଶ୍ ସରକାରର ଶରଣ ପଶିବେ।
ଧନ୍ୟ କହିବ ସେ କାଳର ଭାରତୀୟ ନେତୃବୃନ୍ଦଙ୍କୁ। ଭାରତ ତିନିଖଣ୍ତ ହେଲା ସତ ହେଲେ ବ୍ରିଟିଶ୍ କ˚ଗ୍ରେସର ଦୁରଭିସନ୍ଧି ଫଳକାମୀ ହେଲା ନାହିଁ। ଏହାର ସମସ୍ତ ଶ୍ରେୟ ଭାରତୀୟ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର। ମିଳେଇଗଲା ଦେଶୀୟ ରାଜ୍ୟ ସମୂହର ବିିଦ୍ରୋହ-ଧମକ। ଚୁଡ଼ି ନ ପିନ୍ଧିଲେ ନାଇଁ ଆକ୍ସେସନ୍ ବା ଦେଶମିଶ୍ରଣର ବେଡ଼ି ପିନ୍ଧିବାକୁ ବାଧ୍ୟହେଲେ ସମସ୍ତ ରାଜନ୍ୟବର୍ଗ। ଆଜି ସେଇଥିପାଇଁ ଠିଆ ହୋଇଛି ପୃଥିବ୍ୟାଶ୍ଚର୍ଯ୍ୟ ବିଶାଳ ପ୍ରତିମୂର୍ତ୍ତି- ‘‘ଷ୍ଟାଚ୍ୟୁ ଅଫ୍ ୟୁନିଟି’’।
ଦେଶ ମିଶ୍ରଣ କଥା ଘଟିଲା ଅନେକ ପରେ। ହେଲେ ଇଣ୍ତିଆ ଓ ପାକିସ୍ତାନ ଗଢ଼ିବାକୁ ଯାଇ ବ୍ରିଟିଶ୍ ସରକାର ଛୁରିଟିକୁ ଧରେଇ ଦେଇଥିଲେ ଏମିତି ଜଣେ ବ୍ୟକ୍ତିଙ୍କ ହାତରେ ଯିଏ ଭାରତ କ’ଣ ଇ˚ଲଣ୍ତର ପୂର୍ବପାଖ ପ୍ୟାରିସ୍ ସହର ଛଡ଼ା ପୃଥିବୀର କୌଣସି ପୂର୍ବ-ଭୂଭାଗ ଦେଖି ନ ଥିଲେ କି ସେ ସମ୍ପର୍କରେ ତାଙ୍କର ସାମାନ୍ୟ ଧାରଣା ବି ନ ଥିଲା।
ବ୍ୟକ୍ତି ଜଣକ ହେଲେ ସିରିଲ୍ ଜନ୍ ରେଡ୍କ୍ଲିଫ୍। ମଜାକଥା ହେଲା ପିଲାଦିନୁ ସେ ଦୃଷ୍ଟିମାନ୍ଦ୍ୟ ଅସ୍ବାସ୍ଥ୍ୟରେ ଥିଲେ ପୀଡ଼ିତ। ଅଥଚ ବିଶାଳ ଭୂମି ଭାରତର ବିସ୍ତୃତ ନକ୍ସା ତାଙ୍କୁ ଧରେଇ ଦିଆଇ କୁହାଗଲା ଯା’ ଗାର ପକେଇବୁ। ପାଞ୍ଚ ସପ୍ତାହ ସମୟ। ଭାରତ କେଉଁଠି, କିଏ ତା’ର ଅଧିବାସୀ, କ’ଣ ତା’ ଭୂଚିତ୍ର ଏ ସମ୍ପର୍କରେ କିଛି ବି ଜାଣି ନ ଥିବା ଜଣେ ବ୍ରିଟିଶ୍ ଓକିଲ ପହଞ୍ଚିଯାଇଥିଲେ ଭାରତ ମାଆର ଅସ୍ତ୍ରୋପଚାର ପାଇଁ। ଏହା ପ୍ରକୃତରେ ବିଭାଜନ ବା ବଣ୍ଟୁଆରାର କଥା ନ ଥିଲା, ଥିଲା ଜଣେ ଅନଭିଜ୍ଞଙ୍କ ହାତରେ ଗୋଟାଏ ଜୀବନ୍ତ ଦେହର କରତ-କର୍ତ୍ତନ। ତାହା ହିଁ କହିଥିଲେ ରେଡ୍କ୍ଲିଫ୍ ସାହେବ। ଆସୁ ଆସୁ ଡେରା ଭିଡ଼ିଥିଲେ ଦିଲ୍ଲୀର ଏକ ବଙ୍ଗଳାରେ। ଗ୍ରୀଷ୍ମ-ଦଗ୍ଧ ଦିଲ୍ଲୀରେ ପହଞ୍ଚୁ ପହଞ୍ଚୁ ସେ ଭାରତୀୟ ଜଳବାୟୁକୁ ପ୍ରଥମେ ଗାଳି କରିବା ଆରମ୍ଭ କରିଥିଲେ। ଭାରତୀୟ ଗ୍ରୀଷ୍ମକୁ ‘‘ନର୍କର ମୁହଁ’’ କହି ସେ ଗାଳିଦେଇଥିବା ଉଡ଼ାକଥା ନୁହେଁ, ଲିପିବଦ୍ଧ କଥା।
ଇଣ୍ତିଆନ୍ ଇଣ୍ତିପେଣ୍ତେନ୍ସ ଆକ୍ଟ ଅଧୀନରେ ଦୁଇଗୋଟି ‘‘ସୀମା କମିଟି’’ ଗଢ଼ାଯିବା ଲାଗି ବିଧାନ ରହିଥିଲା। ରେଡ୍କ୍ଲିଫ୍ ନିଜେ ସର୍ବେସର୍ବା। ଭାରତ ଓ ପଶ୍ଚିମ ପଟର ପାକିସ୍ତାନ ଓ ଅନ୍ୟଟି ପୂର୍ବ ପଟର ପାକିସ୍ତାନ। ସବୁ କାଗଜପତ୍ର ଦେଖି ଓ ମ୍ୟାପ୍କୁ ଚାହିଁ ରେଡ୍କ୍ଲିଫ୍ ନିଜେ କହିଥିଲେ ଯେ ଏଥିପାଇଁ ଅନ୍ତତଃ ଦୁଇ ତିନି ବର୍ଷ ଲାଗିବା କଥା। ଖରା ଗରମ ଯୋଗୁଁ ସାରାଜୀବନ ବରଫ-ଥଣ୍ତାରେ କାଳ କାଟିଥିବା ମି. ରେଡ୍କ୍ଲିଫ୍ ଚିଡ୍ଚିଡ୍ ହୋଇ ହଠାତ୍ ଦିନେ କାଳବିଳମ୍ବ ନ କରି କେବଳ ମ୍ୟାପ୍ଟିକୁ ଧରି ବସିଯାଇଥିଲେ। ହାତରେ ନାଲି କଲମର ଛୁରି। ଭାରତ ଓ ପାକିସ୍ତାନ ପାଇଁ ସୀମା ନିର୍ଦ୍ଧାରଣ କରିବାକୁ ହେବ। ପଶ୍ଚିମରେ ଶିଖ୍ ଓ ହିନ୍ଦୁ ରହୁଥିବା ପଞ୍ଜାବକୁ ଦିଗଡ଼ କରି ଖଣ୍ଡେ ମୁସଲମାନ ବହୁଳ ଅଞ୍ଚଳ ପାକିସ୍ତାନକୁ ଦିଆଯିବ ଓ ପୂର୍ବରେ ବଙ୍ଗଳାକୁ ଦିଖଣ୍ତ କରି ଅଧିକ ମୁସଲମାନ ଥିବା ଇଲାକାକୁ ଭାରତଠାରୁ ଅଲଗା କରିଦିଆଯିବ।
ସେତେବେଳକୁ ଚାରି ସପ୍ତାହକାଳ ଏପଟ ସେପଟ ହୋଇ କଟେଇ ଦେଇଥିଲେ ରେଡ୍କ୍ଲିଫ୍ ସାହେବ। ଭାରତୀୟ ନେତା, ଶାସନ, ଜନସାଧାରଣ ସମସ୍ତେ ଚାହିଁ ବସିଥିଲେ। ବିଶେଷକରି ପଞ୍ଜାବ ଓ ବଙ୍ଗଳାର ଭାଇ ଭଉଣୀମାନେ ଛାତିରେ ଦୁକ୍ଦୁକି ଧରି ବସିଥିଲେ। କଲିକତା ସେପଟକୁ ପଳେଇଯିବ କି? ଗୁରୁ ନାନକଙ୍କର ପ୍ରଧାନ ପୀଠ?
ହଠାତ୍ ଦିନେ ସନ୍ଧ୍ୟାରେ ଭାରତ ନକ୍ସା ଉପରେ ଦୁଇଟା ଅଙ୍କାବଙ୍କା ନାଲିଗାର ପକେଇଦେଲେ ରେଡ୍କ୍ଲିଫ୍ ସାହେବ। ଅଗଷ୍ଟ ୯, ୧୯୪୭ରେ ସେ ବଙ୍ଗଳା ଓ ପଞ୍ଜାବକୁ ଦୁଇଗଡ଼ କରି ସରକାରଙ୍କୁ ଆପଣା ରିପୋର୍ଟ ଦେଇଦେଲେ। ଭାରତ ଗଠିତ ହେବାର ଦୁଇଦିନ ପରେ ଓ ପାକିସ୍ତାନ ଗଢ଼ା ହେବାର ତିନିଦିନ ପରେ ଅଗଷ୍ଟ ୧୭, ୧୯୪୭ରେ ରେଡ୍କ୍ଲିଫ୍ ଆଵାର୍ଡ ଗୃହୀତ ହେଲା ବୋଲି ଘୋଷିତ ହୋଇଗଲା। ମନେ ରଖିବା ଦରକାର ଯେ ଆଗ ଦେଶ ଗଢ଼ାହୋଇ ପରେ ସୀମା ନିର୍ଦ୍ଧାରିତ ହୋଇଥିଲା।
ଆକାଶରୁ ବଜ୍ର ପଡ଼ିବା ପରି ସହସା ଏକକୋଟି ଚାଳିଶଲକ୍ଷ ଲୋକଙ୍କ ଭୂମିଭାଗ୍ୟ ବଦଳିଗଲା ଦୁଇଟି ଗାରରେ। ଗାର ନୁହେଁ ତ ରକ୍ତର ଟକ୍ମକ୍ ସ୍ରୋତ। କେତେ ଦୁଃଖ, କେତେ ବିଭୀଷିକା, ମରାମରି ବୋହିଗଲା ଝଡ଼ ବାତ୍ୟା ପରି। ରେଡ୍କ୍ଲିଫ୍ ନିଜେ ହତବମ୍ବ ହୋଇଗଲେ। କେମିତି ଭାରତରୁ ପଳେଇବେ ବୋଲି ବାଟ ଖୋଜିଲେ। ୧୯୭୭ରେ ମରିବା ପର୍ଯ୍ୟନ୍ତ ଆଉ ଜୀବନରେ ଦିନେ ସେ ଭାରତ ଆସିବାକୁ ମନ କରିନାହାନ୍ତି। ତାଙ୍କୁ ମିଳିବାକୁ ଥିବା ୩୦୦୦ ପାଉଣ୍ତ୍, ସେତେବେଳକା ଭାରତୀୟ ମୁଦ୍ରାରେ ୪୦,୦୦୦ ଟଙ୍କା ନେବାକୁ ଡରିଲେ ସେ। ଆତ୍ମା ତାଙ୍କୁ ଧିକ୍କାର କଲା। ହେଲେ ମଲମ ଲଗେଇ ବ୍ରିଟିଶ୍ ସରକାର ତାଙ୍କୁ ୧୯୪୮ରେ ପ୍ରଦାନ କରିଥିଲା ନାଇଟ୍ ଗ୍ରାଣ୍ତ୍ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ଦ ବ୍ରିଟିଶ୍ ଏମ୍ପାୟାର୍।
ଛୁରି ତା’ କାମ କରି ଚାଲିଯାଇଥିଲା। ରେଡ୍କ୍ଲିଫ୍ ଲାଇନ୍। ଛାତି କଟିଯାଇଥିଲା ଭାରତର। ଏବେ ବି ସେ ଘାଆ ଜୀବନ୍ତ। ଏପଟେ ବାଙ୍ଗ୍ଲାଦେଶ ଓ ସେପଟେ ଭାରତକୁ ଲାଗି ପାକିସ୍ତାନର ସୀମା ଆଜି ସୁଦ୍ଧା ଜର୍ଜରିତ।
ଆମ ସଂବିଧାନ ଆମ ଧର୍ମଗ୍ରନ୍ଥ: ବ୍ରିଟିଶ୍ ଛୁରିକୁ ଭାରତ ଛାତି
ଦାଶ ବେନହୁର