ସ୍ବାଧୀନ ଭାରତର ସଂବିଧାନ ତା’ର ପ୍ରଥମ ଧାରାରେ ଘୋଷଣା କରିଛି ଯେ ‘ଇଣ୍ଡିଆ, ଯାହା କି ଭାରତ ଗୋଟେ ପ୍ରାଦେଶିକ ସମଷ୍ଟି ହୋଇ ରହିବ।’’ ସଂବିଧାନରେ କେଉଁଠି ହିନ୍ଦୁସ୍ତାନ ଶବ୍ଦ ନାହିଁ କି ଆଉ କେଉଁଠି ଭାରତ ଶବ୍ଦଟି ପୁଣି ଥରେ ସୂଚିତ ହୋଇନାହିଁ। ଭାରତ କହିଲେ କେଉଁ ପୌରାଣିକ କାଳରୁ ଏକ ବିରାଟ ଭୂଖଣ୍ଡ ଓ ସଭ୍ୟତାକୁ ବୁଝାଉଥିଲା। ଏହାଥିଲା ପୃଥିବୀର ସବୁଠାରୁ ଧନୀ ଅଞ୍ଚଳ ପୁଣି ଆଲୋକିତ ଭୂମି। ଅଥଚ ସ୍ବାଧୀନତା ବେଳକୁ ସେ ଔଜ୍ଜ୍ବଲ୍ୟ ଏତେ ପରିମାଣରେ ମ୍ଳାନ ହୋଇଯାଇଥିଲା ଯେ ଭାରତ ନାଁଟି ସଂବିଧାନ ପ୍ରଣୟନକାରୀ ମନୀଷୀମାନଙ୍କ ପାଇଁ ଆଉ ଗୁରୁତ୍ବପୂର୍ଣ୍ଣ ହୋଇ ରହିଲା ନାହିଁ।
କାରଣ ନୂଆ ସ୍ବାଧୀନ ଭାରତ ହେବା ବେଳକୁ ସମସ୍ତେ ଜଣକ ପାଖରେ ହାରି ଯାଇଥିଲେ। ସେମାନଙ୍କର କୌଣସି ମିନତି, କଳାକୌଶଳ, ଧମକ ବି ଭାରତକୁ ଆଉ ଭାରତ ପରି ରଖିପାରିନଥିଲା। ଏତେ ଶତାବ୍ଦୀର ଗୋଟାଏ ପ୍ରାଚୀନ ସାଂସ୍କୃତିକ ଇମାରତ୍ ସମସ୍ତଙ୍କ ଆଖି ଆଗରେ ବିଖଣ୍ଡିତ ହୋଇଯାଇଥିଲା।
୧୯୪୬-୪୭ ଥିଲା ଭାରତ ପାଇଁ ସବୁଠାରୁ ଅଧିକ ଶୋକାର୍ତ୍ତ ସମୟ। ହିଂସା, ହତ୍ୟା, ହାହାକାରର ବେଳ।
ଆଜି ବି ଲୋକେ ଭାରତ ବିଭାଜନ ପାଇଁ ୟାକୁ ତା’କୁ ଦୋଷ ଦିଅନ୍ତି। ଗାନ୍ଧୀ ଏଇଆ କଲେ, ନେହରୁ ଏଇଆ କଲେ। ଗାନ୍ଧୀ ଅନଶନ କରିଥିଲେ ଦେଶ ବିଭାଜନ ହୋଇନଥାନ୍ତା। ମୁସଲମାନ୍ ହିଁ ଭାରତକୁ ଭାଙ୍ଗିବା ପାଇଁ ଦାୟୀ। ସବୁ ଅମୂଳକ। ବୟାନବାଜି। ଭାରତ ଛାତିରେ ହାଣଚୋଟ ପଛରେ ଥିଲା ଜଣକର ଜିଦ୍। ଆଉ କେହି ଚାହୁଁ ନଥିଲେ ଭାରତ ବିଭାଜିତ ହେଉ। ଏପରି କି ୧୯୪୭ ଜାନୁଆରି ୨୦ ତାରିଖ ଯାଏ ଚିତ୍ର ଅସ୍ପଷ୍ଟ ଥିଲା। ବାଟ ଅଣ୍ଡାଳୁଥିଲା କଂଗ୍ରେସ। ମୁସଲିମ୍ ଲିଗ୍ର ଅଧିକାଂଶ ନେତା ଥତମତ ଥିଲେ। ବ୍ରିଟିସ୍ ସରକାର ମଧ୍ୟ ସବୁ ଦୁରଭିସନ୍ଧି ସତ୍ତ୍ବେ ବାଟ ଖୋଜୁଥିଲେ ନିଜକୁ ସୁରକ୍ଷିତ ରଖି ସୁରୁଖୁରୁରେ କେମିତି ଖସିଯିବେ। ତା’ଙ୍କ ପାଇଁ ପୁରୁଣା ବ୍ରିଟିସ୍ ରାଜମୁକୁଟର ମଥାମଣି ଭାରତ, ମୁକୁଟ ଠାରୁ ବି ଆହୁରି ଗରୁଆ ହୋଇପଡ଼ିଥିଲା। ‘ମାଟିର ମଣିଷ’ ଉପନ୍ୟାସର ନେତ୍ରମଣି ଚରିତ୍ର ପରି ଜଣେ ମାତ୍ର ଜିଦ୍ ଧରି ବସିଥିଲେ। ଭୂମି ବିଭାଜିତ ହେବ ହିଁ ହେବ। ରକ୍ତ, ମୃତ୍ୟୁ, ସଂଘର୍ଷ, ହିଂସା, ଧର୍ମ ସବୁ କିଛିକୁ ସେ ଧରି ବସିଥିଲେ ସଙ୍ଗରେ। ‘ବରଜୁ’, ‘ଛକଡ଼ି’ କାନ୍ଦନ୍ତୁ କି ଭୂଇଁରେ ଗଡ଼ନ୍ତୁ।
ଇଉରୋପରେ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହୋଇଥିଲା ୧୯୪୫ ମେ ମାସରେ। ତା’ ପୂର୍ବରୁ ଭାଇସ୍ରାୟ ୱାଭେଲ୍ ଲଣ୍ଡନ୍ ଯାଇ ଭାରତ-ସଚିବଙ୍କ ସହ ଆଲୋଚନା କରି ଫେରିଥିଲେ। ନୂତନ ସ୍ଥାୟୀ ସଂବିଧାନ ତିଆରି ହୋଇ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ଭାରତୀୟ ନେତାମାନେ, ଉଭୟ ହିନ୍ଦୁ-ମୁସଲମାନଙ୍କୁ ନେଇ ମଧ୍ୟବର୍ତ୍ତୀକାଳୀନ ସରକାର ଗଢ଼ି ଭାରତର ଶାସନ ଚଳାଇବେ। ସିମ୍ଳାରେ (ଜୁନ ୨୫-ଜୁଲାଇ ୧୪) ଯେଉଁ ସମ୍ମିଳନୀ ବସିଥିଲା ତାହା ଅସଫଳ ହୋଇଥିଲା। କଂଗ୍ରେସ ପଟେ ଯେତେ ମୁସଲମାନ ଥିଲେ ବି ସେମାନଙ୍କୁ ମୁସଲମାନଙ୍କର ପ୍ରତିନିଧି ଭାବେ ଜିନ୍ନା ଗ୍ରହଣ କରିନଥିଲେ। ତାଙ୍କର ଯୁକ୍ତି ଥିଲା- ଯିଏ ମୁସଲିମ୍ର ସଭ୍ୟ ନୁହେଁ ସେ ମୁସଲମାନମାନଙ୍କ ପ୍ରତିନିଧି ନୁହେଁ। ହାତ ମଳି ବସିଥିଲା କଂଗ୍ରେସ। ଜୁଲାଇ ଶେଷ ବେଳକୁ ଇଂଲଣ୍ଡରେ ଆସିଥିଲା ନୂଆ ଶ୍ରମିକ ଦଳ ସରକାର, ଅଗଷ୍ଟରେ ଜାପାନ୍ ଆତ୍ମସମର୍ପଣ କରିଥିଲା।
ଭାରତ ଆଗରେ ନାନା ପ୍ରଶ୍ନ। ମାତ୍ର ମୂଳ ପ୍ରଶ୍ନଟି ଥିଲା, କେମିତି ସମଗ୍ର ଭୂମିକୁ ଏକ କରି ରଖି ସ୍ବାଧୀନତା ହାସଲ କରାଯିବ। ଏପଟେ କଂଗ୍ରେସ, ସେପଟେ ମୁସ୍ଲିମ୍ ଲିଗ୍। ଗାନ୍ଧୀ ଥିଲେ ଦୂରରେ। ନେହରୁ ଏବଂ ପଟେଲ ମିଶି ଆଗକୁ ଛାଡ଼ିଥିଲେ ଆବୁଲ୍ କଲାମ ଆଜାଦ୍ଙ୍କୁ। ସମସ୍ତେ ଜାଣିବା ଦରକାର ଯେ କଂଗ୍ରେସ ୧୮୮୫ରେ ଗଢ଼ା ହୋଇଥିଲେ ମଧ୍ୟ ଏକାଦିକ୍ରେମ ଦୀର୍ଘ ୬ ବର୍ଷ କାଳ କାହାରିକୁ ସଭାପତି କରି ରଖାହୋଇନଥିଲା। ଆଜାଦ୍ ସାହେବଙ୍କୁ ଜାଣିଶୁଣି ଭାରତୀୟ ଜାତୀୟ କଂଗ୍ରେସର ସଭାପତି କରାଯାଇଥିଲା ୧୯୪୦ରୁ ୧୯୪୬। କଂଗ୍ରେସ ଥିଲା ଜଣେ ମୁସଲମାନଙ୍କ ଅଧୀନରେ ଏବଂ ମୁସଲିମ୍ ଲିଗ୍ ବି ଥିଲା ଜିନ୍ନାଙ୍କ ଭଳି ଆଉ ଜଣେ ମୁସଲମାନଙ୍କ ଅଧୀନରେ। ଆଜାଦ୍ ଚାହୁଁଥିଲେ ଅଖଣ୍ଡ ଭାରତ। ଜିନ୍ନା ଚାହୁଁଥିଲେ ବିଭାଜିତ ଭାରତ।
ଦ୍ବିତୀୟ ବିଶ୍ବଯୁଦ୍ଧ ସରୁ ସରୁ ତରବରିଆ ଇଂଲଣ୍ଡ ସେପ୍ଟେମ୍ବରରେ ଘୋଷଣା କରିଦେଇଥିଲା ଯେ ବ୍ରିଟିସ୍ ସରକାରଙ୍କର ଲକ୍ଷ୍ୟ- ‘‘ଭାରତରେ ସ୍ବାୟତ୍ତଶାସନର ଆଶୁ ପ୍ରତିଷ୍ଠା’’। ଏ ସୁଯୋଗ ଅପେକ୍ଷାରେ ଥିଲେ ମହମ୍ମଦ ଅଲି ଜିନ୍ନା। ସାମ୍ପ୍ରଦାୟିକତାର ବିଷ ସାରା ଭାରତରେ ଭରି ଦେବାର ସୁଯୋଗ ପାଇଥିଲେ ସେ। ୧୯୧୭ର ଖିଲାଫତ୍ ଆନ୍ଦୋଳନ ବେଳୁ ଗାନ୍ଧୀଜୀ ଲାଗିଥିଲେ ସାମ୍ପ୍ରଦାୟିକ ସଦ୍ଭାବ ପାଇଁ, ଜିନ୍ନା କିନ୍ତୁ ବିଞ୍ଚି ଚାଲିଥିଲେ ଅସଦ୍ଭାବର ବିଷ। ସ୍ମରଣଯୋଗ୍ୟ ଯେ ମଇଳା କରିବା ସହଜ, ସଫା କରିବା ଦୁରୂହ। େସଇଆ ହିଁ ହୋଇଥିଲା। ସୀମିତ ଭୋଟ୍-ଅଧିକାର ଭିତ୍ତିରେ କେନ୍ଦ୍ର ବ୍ୟବସ୍ଥାପକ ସଭା ପାଇଁ ପରାଧୀନ ଭାରତରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ କଂଗ୍ରେସ ୯୧.୩ ଶତାଂଶ ଭୋଟ ସହ ୫୭ଟି ସାଧାରଣ ଆସନ ପାଇଥିଲା। ଅପରପକ୍ଷରେ ମୁସଲିମ୍ ଲିଗ୍ ୮୬.୬ ଶତାଂଶ ସହ ସମସ୍ତ ୩୦ଟି ଯାକ ମୁସଲମାନ ସ୍ଥାନ ହାସଲ କରିଥିଲା। ପ୍ରାଦେଶିକ ବିଧାନସଭାଗୁଡ଼ିକରେ କଂଗ୍ରେସ ୯୩୦ ଆସନ ହାସଲ କରିଥିଲା ସମୁଦାୟ ଭୋଟ୍ର ୫୫.୫ ଶତାଂଶ ପାଇ। ମୁସଲିମ୍ ଲିଗ୍ ୪୨୭ ଆସନ ଜିତିଥିଲା ମୁସଲମାନ ଭୋଟ୍ର ୭୪.୩ ଶତାଂଶ ଦଖଲ କରି। ଜିନ୍ନାଙ୍କ ରଣନୀତି ସଫଳ ହୋଇଥିଲା। ଏବେ ସେ ଦାବି କରିବା ଅବସ୍ଥାକୁ ଆସିଯାଇଥିଲେ ଯେ ତା’ଙ୍କ ଦଳ ପଛରେ ସଂଖ୍ୟାଗରିଷ୍ଠ ମୁସଲମାନଙ୍କର ସମର୍ଥନ ଅଛି।
ପଛ ସିଟ୍କୁ ଚାଲିଯାଇଥିଲା କଂଗ୍ରେସ। ଆମେ କ’ଣ ଏଠାରେ କହିବା ଯେ ଗାନ୍ଧୀଜୀ ଅନଶନ କରି କଂଗ୍ରେସକୁ ଆଗକୁ ଆଣିବାର ଥିଲା?
ସିମ୍ଳା ସମ୍ମିଳନୀରେ ଜିତାପଟ ପରେ, ନିର୍ବାଚନର ଏଭଳି ସଫଳତା ଜିନ୍ନାଙ୍କୁ ଆହୁରି ଅଧିକ ଜିଦ୍ଖୋର କରି ଦେଇଥିଲା।
୧୯୪୬, ଜାନୁଆରି ୨୧ ତାରିଖରେ ଷଷ୍ଠ କେନ୍ଦ୍ରୀୟ ପରିଷଦର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଅନେକ ନୂଆ ସଭ୍ୟ ଥିଲେ ସେଥିରେ। ଆଗରୁ କଂଗ୍ରେସ ସଭ୍ୟମାନେ ଗାନ୍ଧୀ-ଟୋପି ପିନ୍ଧୁଥିଲେ। ଏବେ ସମସ୍ତ ମୁସ୍ଲିମ୍ ସଭ୍ୟ ଜିନ୍ନାଙ୍କ ଅନୁକରଣରେ ଫେଜ୍ ଟୋପି ପିନ୍ଧିବା ଆରମ୍ଭ କରିଦେଲେ। ମନ ବଦଳିଥିଲା, ପୋଷାକ ବି ବଦଳି ଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସମସ୍ତ ଲିଗ୍ ସଦସ୍ୟ ସେମାନଙ୍କର ବୋତାମଘରାରେ ଜିନ୍ନାଙ୍କର ଛବି ଥିବା ଗୋଟିଏ ବ୍ୟାଜ୍ ପିନ୍ଧୁଥିଲେ। ଜିନ୍ନାମୟ ପାଲିଟିଥିଲା ମୁସ୍ଲିମ୍ ଲିଗ୍।
ବଢ଼ି ଚାଲିଥିଲା, କଂଗ୍ରେସ ଓ ଲିଗ୍ ଭିତରେ ଦୂରତା।
ପୁଣି ଜାନୁଆରି ୨୪, ୧୯୪୬ରେ ଯେତେବେଳେ ପରିଷଦର ସଭାପତି ନିର୍ବାଚନ ହୋଇଥିଲା ସେଥିରେ କଂଗ୍ରେସ ଜି.ଭି. ମାଭଲଙ୍କରଙ୍କୁ ଠିଆ କରାଇଥିବା ବେଳେ ମୁସ୍ଲିମ୍ ଲିଗ୍ କୱାସ୍ଜି ଜାହାଙ୍ଗୀରଙ୍କୁ ପ୍ରାର୍ଥୀ ମନୋନୀତ କରିଥିଲେ। ଏହି ନିର୍ବାଚନରେ ମୁସ୍ଲିମ୍ ଲିଗ୍, ସରକାରୀ ପକ୍ଷ ଓ ଇଉରୋପୀୟ ଗୋଷ୍ଠୀ କଂଗ୍ରେସ ପ୍ରାର୍ଥୀଙ୍କୁ ବିରୋଧ କରିବାପାଇଁ ଖୋଲାଖୋଲି ହାତ ମିଳାଇଥିଲେ। ଗୋଟାଏ ସଂଘର୍ଷପୂର୍ଣ୍ଣ ବାତାବରଣରେ କଂଗ୍ରେସ ପ୍ରାର୍ଥୀ ମାଭଲଙ୍କର ମାତ୍ର ତିନିଗୋଟି ଭୋଟ୍ରେ ବିଜୟୀ ହୋଇଥିଲେ।
ସମସ୍ତେ ଆଶା କରୁଥିଲେ, ଯେତେ ଅସତ୍ଭାବ ରହିଥିଲେ ମଧ୍ୟ କଂଗ୍ରେସ ଓ ଲିଗ୍ ମିଶି ଆଗକୁ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଏକାଠି ବସି ଭାରତ ପାଇଁ ଶାସନ ଖସଡ଼ା ପ୍ରସ୍ତୁତ କରାଇବେ ଓ ଭାରତ ଅଖଣ୍ଡ ହୋଇରହିବ।
ଜାନୁଆରି, ୧୯୪୬। କ୍ୟାବିନେଟ୍ ମିଶନ ଆସିବାର ଅନେକ ଆଗର କଥା। ଗୃହର ନିର୍ବାଚନ ସରିଥିଲା। ଏତିକିବେଳେ ନବନିର୍ବାଚିତ ସଭାପତିଙ୍କୁ ଅଭିବାଦନ ଜଣାଇବାକୁ ଯାଇ ଇଉରୋପୀୟ ଗୋଷ୍ଠୀ ତରଫରୁ ମିଷ୍ଟର୍ ଗ୍ରିଫ୍ଥସ୍ କହିଥିଲେ- ‘‘ଏ ସଭା ଆଜି ଏକ ଅଧସ୍ତନ ସଭା ହୋଇରହିଛି। ମୋର ଆଶା କାର୍ଯ୍ୟକାଳ ପୂରିବା ପୂର୍ବରୁ ଏହା ଏକ ପୂର୍ଣ୍ଣ, ସ୍ବାଧୀନ ଓ ସାର୍ବଭୌମ ବ୍ୟବସ୍ଥାପକ ସଭାକୁ ଉନ୍ନୀତ ହୋଇସାରିଥିବ।’’ ଅଖଣ୍ଡ ଭାରତର ଏକ ବିଧାନ ପରିଷଦକୁ ସେ ଦେଖି ପାରୁଥିଲେ ଆଗରେ। ଏତିକିବେଳେ ଗୃହରେ ଉପସ୍ଥିତ ଥିବା ଲିଗ୍ର ଉପନେତା ଲିଆକତ୍ ଅଲି ଖାଁ ବଡ଼ ପାଟି କରି ‘‘ନା’’ ବୋଲି କହିଥିଲେ। ସ୍ତବ୍ଧ ହୋଇଯାଇଥିଲା ପରିଷଦ ଗୃହ। ଲିଆକତ୍ ଅଲି ଥିଲେ ମୋହରା। ପଛରେ ଥିଲେ ଜିନ୍ନା।
କ୍ୟାବିନେଟ୍ ମିଶନ୍ ଆସିବା ପରେ ସମସ୍ତ ବାଦାନୁବାଦ ସତ୍ତ୍ବେ କଂଗ୍ରେସ ଓ ମୁସ୍ଲିମ୍ ଲିଗ୍ ସଂବିଧାନ ପ୍ରଣୟନକାରୀ ସଭା ପାଇଁ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ୧୯୪୨ ଜୁଲାଇ ଶେଷ ବେଳକୁ ନିର୍ବାଚନ ସରିଯାଇଥିଲା। ଗଡ଼ଜାତଗୁଡ଼ିକର କଥା ଥିଲା ପଛକୁ। ବ୍ରିଟିସ୍ ଭାରତୀୟ ପ୍ରଦେଶ ଲାଗି ଥିବା ୨୯୬ ଆସନରୁ ମିଳିଥିବା ୨୧୪ ସାଧାରଣ ଆସନରୁ କଂଗ୍ରେସ ଜିତିଥିଲା ୨୦୫ ଏବଂ ମୁସଲିମ୍ ଲିଗ୍ ପାଇଁ ଥିବା ୭୮ରୁ ଲିଗ୍ ଜିତିଥିଲା ୭୩ ସ୍ଥାନରେ।
ଜିନ୍ନା ଜାଣିଥିଲେ କଂଗ୍ରେସ, କନ୍ଷ୍ଟିଚୁଏଣ୍ଟ ଆସେମ୍ବ୍ଲି ବା ସଂବିଧାନ ପ୍ରଣୟନକାରୀ ସଭାରେ ନିଶ୍ଚୟ ଆଧିପତ୍ୟ ଦେଖେଇବ। ତାଙ୍କର ଭାରତ ବିଭାଜନ ଯୋଜନା ଫେଲ୍ ମାରିବ। ତେଣୁ ସେ ନିଜ ଜିଦ୍ରେ ଅଟଳ ରହିଲେ। ସଂବିଧାନ ସଭା ବସିବାକୁ ଡେରି ଥିଲା। ଏତିକିବେଳେ ସେ ଯୋଜନା କରି ଅଗଷ୍ଟ ୧୬କୁ ‘‘ପ୍ରତ୍ୟକ୍ଷ ସଂଗ୍ରାମ ଦିବସ’’ ଘୋଷଣା କରିଥିଲେ ଓ ମୁସଲମାନଙ୍କୁ ହିଂସା-ଡାକରା ଦେଇ ସବୁଆଡ଼େ ରକ୍ତର ନଦୀ ବୁହାଇ ଦେଇଥିଲେ।
ତଥାପି କାମ ଆଗେଇ ଚାଲିଥିଲା। ମଧ୍ୟବର୍ତ୍ତୀକାଳୀନ ମିଳିତ ସରକାର ଗଠିତ ହେବା ଦରକାର। କାଳେ ସାମ୍ପ୍ରଦାୟିକ ଘନଘଟାକୁ ଅଟକାଇ ହେବ? ସେପ୍ଟେମ୍ବର ୨, ୧୯୪୬ରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଥିଲା। କେତେ ସପ୍ତାହ ପରେ ଲିଗ୍ ସଭ୍ୟମାନେ ମିଳିତ ସରକାରରେ ଯୋଗ ଦେଇଥିଲେ। ଏହା ଥିଲା ଏକ କାମଚଳା ସରକାର। ମୂଳ ଉଦ୍ଦେଶ୍ୟ ଥିଲା ଦୁଇଟି। ସଂବିଧାନ ପ୍ରଣୟନକାରୀ ସଭାଟିକୁ କାର୍ଯ୍ୟକାରୀ କରି ସମଗ୍ର ଭାରତ ପାଇଁ ନୂଆ ସଂବିଧାନ ପ୍ରଣୟନ କରିବା ଓ ବ୍ରିଟିସ୍ ସରକାର ହାତରୁ ସୁରୁଖୁରୁରେ ଭାରତ ସରକାରଙ୍କ ହାତକୁ କ୍ଷମତା ହସ୍ତାନ୍ତର କରାଇବା। ଚତୁର ଜିନ୍ନା କିନ୍ତୁ ନିଜେ ସରକାରରେ ସାମିଲ୍ ନ େହାଇ ଲିଗ୍ର ଉପନେତା ଲିଆକତ୍ ଅଲି ଖାଁକୁ ପଠେଇଦେଇଥିଲେ। ଖାଁ ହୋଇଥିଲେ ଭାରତର ବିତ୍ତମନ୍ତ୍ରୀ।
ନେହରୁ ଥିଲେ କାର୍ଯ୍ୟକାରୀ ପରିଷଦର ଉପସଭାପତି। ବ୍ରିଟିସ୍ ସମ୍ରାଟ ଥିଲେ ଷଷ୍ଠ ଜର୍ଜ। ଭାଇସ୍ରାୟ ଥିଲେ ଲର୍ଡ ୱାଭେଲ୍। ୨୧ ଫେବ୍ରୁଆରି, ୧୯୪୭ରେ ଆସିଥିଲେ ଲର୍ଡ ଲୁଇ ମାଉଣ୍ଟବାଟେନ୍ ଭାଇସ୍ରାୟ ହୋଇ। ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଥିଲେ ଭାଇସ୍ରାୟ। ନେହରୁ ଭାଇସ୍ରାୟଙ୍କ କାର୍ଯ୍ୟକାରୀ ପରିଷଦର ଉପସଭାପତି ଭାବରେ ପ୍ରଧାନମନ୍ତ୍ରୀର କ୍ଷମତା ଲାଭ କରିଥିଲେ। ଜିନ୍ନାଙ୍କୁ ଏ ପଦ ଯଚା ଯାଇଥିଲେ ପରିସ୍ଥିତି କ’ଣ ହୋଇଥାନ୍ତା ଭିନ୍ନ କଥା, ମାତ୍ର ନେହରୁ ସେତେବେଳେ ଥିଲେ ସଂଖ୍ୟାଗରିଷ୍ଠ କଂଗ୍ରେସ ଦଳର ନେତା। ପରିଷଦର ଦ୍ବିତୀୟ ମୁଖ୍ୟପଦରେ ଥିଲେ ସର୍ଦ୍ଦାର ପଟେଲ୍। ତା’ଙ୍କ ହାତରେ ଗୁରୁତ୍ବପୂର୍ଣ୍ଣ ଗୃହ ଓ ସୂଚନା ବିଭାଗ। ଶିଖ୍ ନେତା ବଳଦେବ ସିଂହ ଥିଲେ ପ୍ରତିରକ୍ଷା ଦାୟିତ୍ବରେ। ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କୁ ଶିକ୍ଷା, ଅରୁଣା ଆସଫ୍ ଅଲିଙ୍କୁ ରେଳ ଓ ଗମନାଗମନ ବିଭାଗ ମିଳିଥିଲା। ଜଗଜ୍ଜୀବନ ରାମ ଶ୍ରମ ବିଭାଗ ଦାୟିତ୍ବରେ ଥିବାବେଳେ, ରାଜେନ୍ଦ୍ର ପ୍ରସାଦ ଥିଲେ ଖାଦ୍ୟ ଓ କୃଷି ବିଭାଗ ଦାୟିତ୍ବରେ। ଜନ୍ ମାଥାଇ ସମ୍ଭାଳିଥିଲେ ଶିଳ୍ପ ଓ ଯୋଗାଣ ବିଭାଗକୁ।
ମୁସ୍ଲିମ୍ ଲିଗ୍, ସରକାରରେ ଭାଗନେବା ପରେ ଲିଆକତ୍ ଅଲିଙ୍କୁ ତ ବିତ୍ତ ବିଭାଗ ମିଳିଥିଲା, ତା’ଙ୍କ ସହ ଅବ୍ଦୁର୍ ରବ୍ ନିସାର୍ ପାଇଥିଲେ ଡାକ ଓ ବିମାନ ଚଳାଚଳ ବିଭାଗ। ଇବ୍ରାହିମ୍ ଇସ୍ମାଇଲ୍ ଚୁନ୍ଦ୍ରିଗର୍ଙ୍କୁ ମିଳିଥିଲା ବାଣିଜ୍ୟ ବିଭାଗ। ନିଜ ତରଫରୁ ତଫସିଲଭୁକ୍ତ ଜାତି ସକାଶେ ଲିଗ୍ ମନୋନୀତ କରିଥିବା ଯୋଗେନ୍ଦ୍ର ନାଥ ମଣ୍ଡଳ ରହିଥିଲେ ଆଇନ୍ ବିଭାଗ ଦାୟିତ୍ବରେ।
ନାମକୁ ମାତ୍ର ଏହା ଥିଲା କଂଗ୍ରେସ-ଲିଗ୍ ମିଳିତ ସରକାର। ତେଣେ ମହମ୍ମଦ ଅଲି ଜିନ୍ନା ବସିଥିଲେ ପଶାପାଲି ଧରି। ଏକା ଏକା ଖେଳୁଥିଲେ। ଲିଆକତ୍ ଅଲିଙ୍କ ସହ ଅନ୍ୟ ଲିଗ୍ ନେତାମାନେ ଲାଗିଥିଲେ ଅସହଯୋଗ କାମରେ। ମିଳିତ ସରକାର ବେକରେ ଝୁଲିଥିଲେ ପ୍ରତିବନ୍ଧକ ହୋଇ। ସଂବିଧାନ ତିଆରି ସଭା ୧୯୪୬, ୯ ଡିସେମ୍ବରରେ ବସିବା ଆଗରୁ ମୁସ୍ଲିମ୍ ଲିଗ୍ ସେଥିରେ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ ଜଣାଇ ଦେଇଥିଲା।
କ’ଣ ହେବ ଏବେ? ମିଳିତ ସରକାରରେ ମିଶିଛି ଲିଗ୍, ଅଥଚ ସଂବିଧାନ ପ୍ରଣୟନକାରୀ ସଭାରେ ସାମିଲ ହେବ ନାହିଁ। ବ୍ରିଟିସ୍ ସରକାର ଲଣ୍ଡନ୍ଠାରେ ଡିସେମ୍ବର ମାସରେ ଏକ ସମ୍ମିଳନୀ ଡାକିଲେ। ଏଥିରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଅଟ୍ଲି, ଭାରତ ଭାଇସ୍ରାୟ ୱାଭେଲ୍, କଂଗ୍ରେସ ନେତା ନେହରୁ, ଲିଗ୍ ନେତା ଜିନ୍ନା ଏବଂ ଶିଖ୍ ନେତା ବଳଦେବ ସିଂହ ଯୋଗ ଦେଇଥିଲେ।
ଜିନ୍ନା ନିଜ ଜିଦ୍ ଧରି ବସିଥିଲେ। ଶେଷକୁ ୬, ଡିସେମ୍ବରରେ ବ୍ରିଟିସ୍ ସରକାର ବିବୃତି ଦେଇଥିଲେ ଯେ ‘‘ଯଦି ଭାରତର ସଂବିଧାନ ପ୍ରଣୟନକାରୀ ସଭାରେ ଭାରତର ଏକ ବଡ଼ ଅଂଶ ଭାଗ ନ ନିଏ ତେବେ ସେ ଅଂଶ ଉପରେ ବିଲାତ ସରକାର ସଂବିଧାନଟିକୁ ଜବରଦସ୍ତ ଲାଗୁ କରିବେ ନାହିଁ।’’
ବାସ୍! ବାଟ ଏବେ ସଫା ହୋଇଯାଇଥିଲା। ପ୍ରଚ୍ଛନ୍ନରେ ହାରିଥିଲେ ସମସ୍ତେ। ଜଣାପଡ଼ିଯାଇଥିଲା ମୁସଲିମ୍ ଲିଗ୍ ନୂଆ ସଂବିଧାନ ତିଆରିରେ ଭାଗ ନେବ ନାହିଁ କି ଭାରତ ଆଉ ଏକ ହୋଇ ରହିପାରିବ ନାହିଁ। ତେଣିକି ସବୁ ମୁସଲିମ୍ ଲିଗ୍ ସଭ୍ୟଙ୍କ ସାର୍ଟ ବୋତାମଘରାରେ ଜଳଜଳ ଦିଶୁଥିଲା ଜିନ୍ନାଙ୍କର କୁନି ଛବିର ବ୍ୟାଜ୍।
[email protected]