ଦାଶ ବେନହୁର
ଯେତେ ଭାଇ, ସେତେ ଘର। ଏ କଥାଟିକୁ ମହମ୍ମଦ ଅଲି ଜିନ୍ନା ମୂଳ କରି ଧରିଥିଲେ। କଂଗ୍ରେସର ଅଘୋଷିତ ସର୍ବମାନ୍ୟ ମୁରବି, ମୋହନ ଦାସ ଗାନ୍ଧୀ। ମୁସ୍ଲିମ୍ ଲିଗ୍ର ସର୍ବମାନ୍ୟ ନେତା, ଜିନ୍ନା। କଂଗ୍ରେସ ଦଳରେ ଯେତେ ମୁସଲମାନ ଥିଲେ ବି ଜିନ୍ନା ତା’କୁ ହିନ୍ଦୁଦଳ ଭାବେ ଚିତ୍ରିତ କରିବାରେ ସଫଳ ହୋଇଥିଲେ।
ଜାଣିବାର କଥା, ଗାନ୍ଧୀଜୀ ହିନ୍ଦୁ, ମାତ୍ର ସେ ମନ୍ଦିର ଯାଉ ନ ଥିଲେ କି ମାଳାପକାଇ ଚିତା ଘେନୁ ନଥିଲେ। ତା’ଙ୍କ ପ୍ରାର୍ଥନା ସଭାରେ ନିତି ଗୀତା, କୋରାନ୍, ବାଇବେଲ ଆଦି ପଠିତ ହେଉଥିଲା। ‘‘ଈଶ୍ବର, ଆଲ୍ଲା ତେରେ ନାମ୍’’ ଥିଲା ସବୁ ପ୍ରାର୍ଥନାର ମୂଳକଥା। ସତ୍ୟ, ଅହିଂସା, ସ୍ବଦେଶୀ, ସ୍ବରାଜ, ସତ୍ୟାଗ୍ରହ ଓ ସର୍ବୋଦୟ ସହ ହିନ୍ଦୁ-ମୁସଲମାନ ସଦ୍ଭାବକୁ ସେ ସମାଜମନ୍ତ୍ର କରିଥିଲେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ଦିନୁ। ୧୯୧୭ର ଯେ ଖିଲାଫତ୍ ଆନ୍ଦୋଳନ ତା’ର ସମର୍ଥନ ପଛରେ ଏ ଭାବ ଥିଲା ଗାନ୍ଧୀଜୀଙ୍କର। ଅଥଚ ଶେଷ ଯାଏ ଜିନ୍ନା ତା’ଙ୍କୁ କେବେ ଜଣେ ମୁସଲମାନ-ହିତୈଷୀ ବୋଲି କହିନାହାନ୍ତି। ଭାଇ ବୋଲି କହିବା ଦୂରର କଥା।
ଅନ୍ୟପକ୍ଷରେ ଜିନ୍ନା ମହାଶୟ ନାମକୁ ଥିଲେ ମୁସଲମାନ। ମସ୍ଜିଦ୍ ଯାଆନ୍ତି ନାହିଁ କି ନମାଜ କରନ୍ତି ନାହିଁ। କୋରାନ୍ରେ ଯେଉଁ ପାନୀୟର ବାରଣ ଅଛି ତାହା େଘନନ୍ତି। ପୋଷାକରେ ଓ ଭାଷାରେ ପୂରା ବିଲାତି। ଜିଦ୍ କରି ଦ୍ବିତୀୟ ବିବାହ କରିଥିଲେ ନିଜ ବନ୍ଧୁଙ୍କର ଝିଅ, ପାର୍ସି ଲଳନା ରତନବାଇ ପେଟିଟ୍ଙ୍କୁ। ପେଟିଟ୍ ଥିଲେ ତା’ଙ୍କ ଠାରୁ ୨୪ ବର୍ଷ ସାନ। ପ୍ରଥମେ ଜିନ୍ନା ଥିଲେ ଜାତୀୟତାବାଦୀ। ସର୍ବଭାରତୀୟ ମୁସ୍ଲିମ୍ ଲିଗ୍ ଗଢ଼ା ହେବା ଦିନୁ ୧୯୧୩ରୁ ପାକିସ୍ତାନ ରୂପ ପାଇବା ଯାଏ ସେ ଥିଲେ ମୁସଲିମ୍ ଲିଗ୍ର ମୁଖ୍ୟ।
ଆରମ୍ଭରୁ ଭାରତୀୟ ରାଜନୀତିର ଥିଲା ଗୋଟିଏ ଘର। ‘‘ଭାରତୀୟ ଜାତୀୟ କଂଗ୍ରେସ’’। ଜିନ୍ନାଜୀ ମଧ୍ୟ ସେଥିରେ ଜଣେ ଟାଣୁଆ ଅଂଶୀଦାର ଥିଲେ। ‘‘ମାଟିର ମଣିଷ’’ ଉପନ୍ୟାସରେ ‘ବରଜୁ’, ‘ଛକଡ଼ି’ ଦୁଇ ଭାଇଙ୍କ ଭିତରୁ ଛକଡ଼ି ଜିଦ୍ ଧରି ଭାଇଭାଗ କରିଥିଲା। ବରଜୁର ଜୁ ନ ଥିଲା ଆଉ। ଉପନ୍ୟାସଟିରେ ଏ କାମ ପଛରେ ଉସୁକାଣ ଥିଲା ଛକଡ଼ି ଭାରିଯା ନେତ୍ରମଣିର। ଏଠାରେ ଜିନ୍ନାଙ୍କ ପାଇଁ ଉସୁକାଣ ଥିଲା ସାମ୍ପ୍ରଦାୟିକ ମନୋଭାବର।
ସେଇଆ ହୋଇଥିଲା ଭାରତ କ୍ଷେତ୍ରରେ। କ୍ୟାବିନେଟ୍ ମିଶନ୍ ଆସି ସାରା ଭାରତର ବିଭିନ୍ନ ପ୍ରତିନିଧି ବର୍ଗଙ୍କୁ ସିମ୍ଳାଠାରେ ଏକାଠି କରି ଭବିଷ୍ୟତର କର୍ମପନ୍ଥା ଲାଗି ଯେଉଁ ଆଲୋଚନା କରିଥିଲେ ସେଠାରେ ଜିନ୍ନା ସିନା ଥିଲେ, ହେଲେ ଗାନ୍ଧୀ ନ ଥିଲେ। ଏ ଅନୁପସ୍ଥିତି ଅଭିମାନ କାରଣରୁ କି ଅସହାୟତା କାରଣରୁ ସେ କଥା ଜାଣିବାର ଉପାୟ ନ ଥିଲା। ଅନୁରୋଧ କରିବାକୁ ଯାଇଥିବା ସାର୍ ଷ୍ଟାଫୋର୍ଡ କ୍ରିପ୍ସ ଚୁପ୍ଚାପ୍ ଫେରି ଆସିଥିଲେ ଗାନ୍ଧୀଜୀଙ୍କ ପାଖରୁ।
ଭାରତ ବିଭାଜନ ଯୋଜନାକୁ ପ୍ରଥମେ କ୍ୟାବିନେଟ୍ ମିଶନ୍ ଗ୍ରହଣ କରି ନ ଥିଲେ। ଚାଲିଥିଲା କଥା କଟାକଟି। ଜିନ୍ନାଙ୍କ ସମେତ ମୁସ୍ଲିମ୍ ଲିଗ୍ ନେତାମାନେ ଜାଣିଥିଲେ, ନେହରୁ ତଥା ଅନ୍ୟ ନେତାମାନେ ଗୋଟିଏ ଦେଶରେ ଦୁଇଟି ସଂବିଧାନ ସଭା ଓ ଦୁଇଟି ସଂବିଧାନକୁ ଅାଦୌ ଗ୍ରହଣ କରିବେ ନାହିଁ।
ଜବାହରଲାଲ କହିଥିଲେ ‘‘ଆମେ ଏଠାରେ ଯେଉଁ କଥା ଆଲୋଚନା କରିବା ପାଇଁ ଏକତ୍ରିତ ଆଗେ ସେକଥା ବିଚାରକୁ ନିଆଯାଉ। ଆଲୋଚନା କେବଳ ଭାରତର ଭବିଷ୍ୟତ ସଂବିଧାନ ସମ୍ପର୍କରେ ହେଉ। ହିନ୍ଦୁ-ମୁସଲମାନ ବିବାଦ ପରବର୍ତ୍ତୀ କାଳରେ ଅାମ ଭିତରର ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ।’’
ପାଟିକରି ଉଠିଥିଲେ ଜିନ୍ନା। ‘‘କ’ଣ ହେଲା ପରବର୍ତ୍ତୀ ସମୟରେ? ଏହାର ଅର୍ଥ କଂଗ୍ରେସ ଦେଖାଉଥିବା ବାଟରେ ଗଲେ ଜଣେ ହେଲେ ମୁସଲମାନ ଏ ମାଟିେର ଜୀବିତ ରହିବେ ନାହିଁ। ଯଦି ନେହରୁ ଗୋଟିଏ ଦେଶରେ ଦୁଇଟି ଗ୍ରୁପ୍ ଚାହୁଁ ନାହାନ୍ତି ତା’ହେଲେ ଭାରତ ଭାଗ ହୋଇଯିବା ଉଚିତ୍।
ଜିନ୍ନାଙ୍କର ଏ ଭୟଙ୍କର ପ୍ରସ୍ତାବକୁ ଆଦୌ ଗ୍ରହଣ କରିପାରୁନଥିଲେ ବଲ୍ଲଭ ଭାଇ ପଟେଲ। ଭାରତ ବିଭିନ୍ନ ମତବାଦକୁ ଧରି କେଉଁକାଳୁ ଏକ ହୋଇ ଠିଆ ହୋଇଛି। ଏହା ଏକ ଦେଶ ଓ ଏକ ରହିବା ମତ ଉପରେ ସେ ଥିଲେ ଅଟଳ।
ଗୋଟିଏ େଦଶରେ ହିନ୍ଦୁ, ମୁସଲମାନଙ୍କ ପାଇଁ ଅଲଗା ଅଲଗା ସଂବିଧାନ। ଏହା ସମ୍ଭବ ହେବ କେମିତି? କେମିତି ଗଢ଼ା ହେବ କେନ୍ଦ୍ର ସରକାର? କେମିତି ନିୟନ୍ତ୍ରଣ କରାଯିବ ଦୁଇ ସଂବିଧାନ ଅଧୀନରେ ଦୁଇ ଶାସନ ବ୍ୟବସ୍ଥାକୁ?
କ୍ୟାବିନେଟ୍ ମିଶନ୍ ନିଜେ ହରଡ଼ଘଣାରେ ପଡ଼ିଥିଲେ। ବ୍ରିଟିସ୍ ସରକାରଙ୍କ ସୈନ୍ୟବଳ ଆଉ ଯଥେଷ୍ଟ ନ ଥିଲା। ଯଦି ହିନ୍ଦୁ, ମୁସଲମାନ ସାମ୍ପ୍ରଦାୟିକ ହିଂସା ଘଟେ ତା’କୁ ରୋକିବା ଆଉ ସରକାରଙ୍କ ପକ୍ଷରେ ସମ୍ଭବ ନ ଥିଲା। ଗୃହଯୁଦ୍ଧ ଅବଶ୍ୟମ୍ଭାବୀ। ତାହା ହିଁ ଥିଲା ଜିନ୍ନାଙ୍କର ପରୋକ୍ଷ ଧମକ। ବ୍ରିଟିସ୍ ଶାସନ ଚାହିଁଥିଲେ ଭାରତର ଶାସନ ବ୍ୟବସ୍ଥାକୁ ଏମିତି ଏକ ଦୁର୍ବଳ ସଂଘ- ସରକାର ହାତରେ ନ୍ୟସ୍ତ କରିଯିବେ ଯାହା ଫଳରେ ଲଗାମ୍ ସେଇମାନେ ହିଁ ନିୟନ୍ତ୍ରଣ କରିବେ। ଗୋଟିଏ କେନ୍ଦ୍ର ସରକାର ରଖି ତା’ ହାତରେ ବୈଦେଶିକ ବ୍ୟାପାର, ପ୍ରତିରକ୍ଷା ଓ ଯୋଗାଯୋଗ ବିଭାଗ ନ୍ୟସ୍ତ କରିବାକୁ ଚାହୁଁଥିଲେ ସେମାନେ।
ଅଦ୍ଭୁତ ପରିସ୍ଥିତି, ବିଷମ ଯୋଜନା।
ଚତୁର ଜିନ୍ନା କିନ୍ତୁ ଫାଶ ଧରି ବସିଥିଲେ। ନାଁ କୁ ହଁ କରେଇବାର ଓକିଲାତି କଳା ତା’ଙ୍କୁ ଭଲ ଭାବରେ ଜଣାଥିଲା। ଦିନେ ମୁସଲିମ୍ ଲିଗ୍ର ଟାଣୁଆ ସଭ୍ୟ ଜନାବ୍ ଲିୟାକତ୍ ଅଲ୍ଲୀ ଖାଁଙ୍କୁ ସେ କହିଥିଲେ- ‘‘ମୁଁ ଜବାହରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ମୁଁ ତାଙ୍କୁ ବୁଝେଇଦେବି ଯେ ଦୁଇଟି ଗ୍ରୁପ୍ ଆଧାରରେ ଭାରତକୁ ବାଣ୍ଟି ଦେଲେ ସାମ୍ପ୍ରଦାୟିକ ହିଂସା େମାଟେ ହେବ ନାହିଁ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସେମାନେ ରହିବେ। ବ୍ରିଟିସ୍ମାନେ ଆଉ ଏଠି ରହିବାକୁ ଚାହାଁନ୍ତି ନାହିଁ। ମୁଁ କହିଦେଉଛି- ଏ ପରିସ୍ଥିତିରେ କଂଗ୍ରେସ ମୋର ଯୋଜନା ଅନୁସାରେ ଗୋଟିଏ ଦେଶ, ଦୁଇଟି ସଂବିଧାନ ସଭା ପ୍ରସ୍ତାବ ମାନିବାବୁ ବାଧ୍ୟ। ନଚେତ୍ ଭାରତ ବିଭାଜନ ପାଇଁ ସେମାନେ ପ୍ରସ୍ତୁତ ହୋଇଯାଆନ୍ତୁ।’’
ଗୋଟିଏ ପଟେ ଜିନ୍ନାଙ୍କର ଏଭଳି ମନୋଭାବ। ଅନ୍ୟ ଦିଗରେ କଂଗ୍ରେସ ନେତୃମଣ୍ଡଳୀ ଭାରତ ବିଭାଜନକୁ ରୋକିବା ସହ ସଂବିଧାନ ସଭା ଓ କ୍ଷମତା ହସ୍ତାନ୍ତରଣ କେମିତି ହେବ ସେ ଆଲୋଚନାରେ ଥିଲେ ଚିନ୍ତିତ। ସମାଧାନର ବାଟ ଦିଶୁନଥିଲା।
ମୁସ୍ଲିମ୍ ଲିଗ୍ ଚାହିଁଥିଲା ଜିନ୍ନାଙ୍କୁ। କଂଗ୍ରେସ ଚାହିଁ ରହିଥିଲା ଗାନ୍ଧୀଜୀଙ୍କୁ।
ଶେଷକୁ ଗାନ୍ଧୀଜୀ ମୁହଁ ଖୋଲି କହିଥିଲେ- ‘‘ମୁଁ ଭାରତର ବିଭାଜନକୁ ଆଦୌ ଗ୍ରହଣ କରିପାରିବି ନାହିଁ। କ୍ୟାବିନେଟ୍ ମିଶନ୍ ଯେଉଁ କାମ ପାଇଁ ଆସିଥିଲେ ତାହା ସେମାନେ କରି ସାରିଛନ୍ତି। ଏବେ ଯଥାଶୀଘ୍ର ଭାରତ ଛାଡ଼ନ୍ତୁ। ସେମାନେ ଗଲାପରେ କ’ଣ କରିବା ସେ କଥା ବିଚାର ହେବ। ସେ ଦାୟିତ୍ବ ଆମର।’’
ଗାନ୍ଧୀ-ବାଣୀ କାମ ଦେଇଥିଲା।
ପରିଶେଷରେ ନିଷ୍ପତ୍ତି ହେଲା ଯେ ଗୋଟିଏ ସଂବିଧାନ ରହିବ। ସେଥିରେ କଂଗ୍ରେସ, ମୁସ୍ଲିମ୍ ଲିଗ୍ ଓ ଅନ୍ୟ ଦଳ ରହିବେ। ସେଇ ଅନୁସାରେ ନୂଆ ଭାରତ ପାଇଁ ସଂବିଧାନ ଗଢ଼ା ହେବ।
ଜିନ୍ନା ରକ୍ତ ଚାଉଳ ଚୋବାଇଲେ। ଫଁ ଫଁ ହେଲେ। ସହଯୋଗୀମାନଙ୍କୁ ଏକାଠି କରିବାକୁ ଲାଗିଲେ। ତେଣେ ଭାରତ ସଂବିଧାନ ପ୍ରଣୟନକାରୀ ସଭାକୁ ସବୁ ଦଳରୁ ସଭ୍ୟ ପଠାଇବା ପାଇଁ ନିର୍ବାଚନ ଲାଗି ପ୍ରାଦେଶିକ ବିଧାନଗୃହଗୁଡ଼ିକରେ ସଜବାଜ ଆରମ୍ଭ ହୋଇଗଲା।
ଜିନ୍ନା ପ୍ରକାଶ୍ୟରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଲାଗିଲେ। ସାରା ଭାରତରେ ଘୃଣା ଓ ହିଂସା କିପରି ପରିବ୍ୟାପ୍ତ ହେବ ସେ ବ୍ୟବସ୍ଥା କରି ଚାଲିଲେ। ଲୁଗାରେ ମଇଳା ଲାଗିବାକୁ କେତେ ସମୟ? ହେଲେ ସଫା କରିବା ଲାଗି ନୟାନ୍ତ ହେବାକୁ ପଡ଼େ। ହଜାର ହଜାର, ଲକ୍ଷ ଲକ୍ଷ ମୁସଳମାନ ଭାଇଙ୍କ ଭିତରେ ମଇଳା ଭରି ଦେଲେ ଜିଦ୍ଖୋର, ଜିଘାଂସୁ ଜିନ୍ନା। କହି ବୁଲିଲେ- ‘‘ଭାଇସ୍ରାୟ ଲର୍ଡ ୱାଭେଲ୍ ଆମ ସହିତ ବିଶ୍ବାସଘାତକତା କରିଛନ୍ତି। କ୍ରିପ୍ସ ନିଜ କ୍ଷମତାର ଅମୂଳକ ଫାଇଦା ଉଠାଇ କଂଗ୍ରେସକୁ ସମର୍ଥନ କରିଛନ୍ତି। ପେଥିକ୍ ଲରେନ୍ସ ଛୁରି ମାରିଛନ୍ତି ଆମ ପିଠିରେ। ନୀରବଦ୍ରଷ୍ଟା ସାଜିଛନ୍ତି ଏ.ଭି. ଆଲେକ୍ଜାଣ୍ଡର୍। ପ୍ରଥମେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଶାସନ ପାଇଁ ଅରାଜି ଥିଲା, ଏବେ କ୍ୟାବିନେଟ୍ ମିଶନ୍ ପରାମର୍ଶରେ ସରକାର କରିବାକୁ ରାଜି ହୋଇଛି। ଆମକୁ ପଚରା ହୋଇନାହିଁ। ଅାମ ସହ ଚଞ୍ଚକତା କରାଯାଇଛି। ଏହି ସମୟରେ ଯଦି ମୋତେ ମୁସଲମାନଙ୍କର ଇଜ୍ଜତ ଓ ସ୍ବାଭିମାନକୁ ବଞ୍ଚେଇବାର ଅଛି, ତା’ହେଲେ ଆଇନ୍ ଅମାନ୍ୟ କରିବା ବ୍ୟତୀତ ଆଉ କୌଣସି ଉପାୟ ନାହିଁ। ସଂଖ୍ୟାଧିକ ହିନ୍ଦୁଙ୍କର ସୁଯୋଗ ନେଇ କଂେଗ୍ରସ ଆମକୁ ଡରେଇ ଆସିଛି। ଇଂରେଜମାନେ ମଧ୍ୟ ଦମନ କରି ଆସିଛନ୍ତି। ଆଉ ନୀତି ଆଦର୍ଶର କଥା କହି ଲାଭ ନାହିଁ। ଗାନ୍ଧୀ କହି ବୁଲୁଥିବା ‘ଅହିଂସା’ ଉପରେ ମୋର ତିଳେ ହେଲେ ବିଶ୍ବାସ ନାହିଁ। ଆମେ ଜାଣୁ କେମିତି କେତେବେଳେ ଅସ୍ତ୍ର ବ୍ୟବହାର କରିବୁ। ସେସବୁ ଆମ ପାଖରେ ମହଜୁଦ୍ ଅଛି। ମୋଟେ ଡରିବାର ନାହିଁ। ଆଜି ମୁଁ ହିନ୍ଦୁସ୍ତାନର ସମସ୍ତ ମୁସଲମାନଙ୍କୁ ‘ଡାଇରେକ୍ଟ ଆକ୍ସନ୍’ ବା ‘ସିଧାସଳଖ ହିଂସା’ ପାଇଁ ଆହ୍ବାନ କରୁଛି। ହେ’ ଆଲ୍ଲାଙ୍କର ସନ୍ତାନଗଣ! ଆସନ୍ତା ୧୬ ଅଗଷ୍ଟ ଜୁମ୍ମାରେ ଆମେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିବା। ସିଧାସଳଖ ହିଂସା ଅର୍ଥ ଆମର ଜିତାପଟ ନ ହେବା ଯାଏ ହାତରୁ ଅସ୍ତ୍ର ଛାଡ଼ିବା ନାହିଁ। ଏହାପରେ ହିଁ ଜନ୍ମ ନେବ ସ୍ବପ୍ନର ନୂତନ ଭୂଖଣ୍ଡ ଆମର ପବିତ୍ର ଜନପଦ ପାକିସ୍ତାନ।’’
ଚାଲିଲା ହିଂସା। ହଣା କଟା। ଫେରିଗଲେ କ୍ୟାବିନେଟ୍ ମିଶନ୍। କଂଗ୍ରେସ, ମୁସଲିମ୍ ଲିଗ୍ଙ୍କ ଭିତରେ ଆପୋସ ଆଲୋଚନା ହୋଇପାରିଲା ନାହିଁ। ଦୁଆର ବନ୍ଦ କରିଦେଲେ ଜିନ୍ନା। ଭାଇସ୍ରାୟ ଲର୍ଡ ୱାଭେଲ୍ ଗଭର୍ଣ୍ଣରମାନଙ୍କୁ ଡକେଇ ପୁଲିସ ବ୍ୟବସ୍ଥାକୁ ସତର୍କ କରିବା ପାଇଁ କହିଲେ। ସେତିକିବେଳେ ବଙ୍ଗଳାର ଗଭର୍ଣ୍ଣର ସାର୍ ଫ୍ରେଡ୍ରିକ୍ ବରୋସ୍ ଭାଇସ୍ରାୟଙ୍କୁ ଜଣେଇଥିଲେ ଯେ ବଙ୍ଗଳାର ପ୍ରଧାନମନ୍ତ୍ରୀ ତଥା ମୁସ୍ଲିମ୍ ଲିଗ୍ର ସଦସ୍ୟ ଏଚ୍.ଏସ୍ ସୋହରାବର୍ଦ୍ଦୀ, ଜିନ୍ନାଙ୍କ ପରାମର୍ଶ ଅନୁସାରେ ପୂରା ପୁଲିସ ଫୋର୍ସକୁ ୧୬ ଅଗଷ୍ଟ ଦିନ ଛୁଟିରେ ପଠେଇ ଦେଇଛନ୍ତି।
େସୖନ୍ୟମାନେ ବ୍ୟାରାକ୍ରେ ବସି ରହିଥିଲେ। ପୁଲିସ ଥିଲା ଛୁଟିରେ। କଲିକତାର ବାଟେ ଘାଟେ ହିଂସା, ପୋଡ଼ାଜଳା ଚାଲିଲା। ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ିଲେ। କଲିକତାର ନିଆଁ ଡେଇଁ ଡେଇଁ ଚାଲିଗଲା ସବୁଆଡ଼କୁ। କି ହିନ୍ଦୁ, କି ମୁସଲମାନ ସମସ୍ତେ ହିଂସାରେ କବଳିତ ହେଲେ। ଜଣା ପଡୁଥିଲା ସାରା ଭାରତଟା ବୋଧେ ଜଳିଯିବ। ପାଉଁଶରେ ପରିଣତ ହୋଇଯିବ।
ସେତେବେଳକୁ ଜିନ୍ନା ଫୁସ୍ଫୁସ୍ ରୋଗରେ ଆକ୍ରାନ୍ତ। ଏ କଥା କେବଳ ଡାକ୍ତର ଜାଣନ୍ତି ଓ ସେ ଜାଣନ୍ତି। ତା’ଙ୍କର ଜିଦ୍, ଅନମନିୟତା, କ୍ରୋଧ ଓ ହିଂସାଭାବ ଜିଣୁଥିଲା। ଦୁର୍ବଳ ଛାତିରେ ସେ ସବଳତା ଅନୁଭବ କରୁଥିଲେ। ପୂରା କଂଗ୍ରେସ ନାଚାର। କ’ଣ ବାଟ? ଅହିଂସା ମନ୍ତ୍ରରେ ଦୀକ୍ଷିତ କଂଗ୍ରେସ କେଉଁ ମୁହଁରେ କହନ୍ତା, ହିଂସାର ଜବାବ ହିଂସାରେ ଦିଅ! ଆଦର୍ଶର କଥା କହିବା ସହଜ, ତା’କୁ ପାଳିବା ଭୀଷଣ କଷ୍ଟ। ହିଂସା ତ ହିଂସା, ପୂର୍ବ ବଙ୍ଗଳାର ନୂଆଖାଲିରେ ସଂଘଟିତ ହିଂସାକାଣ୍ଡର ବିବରଣୀ ସାରା ଭାରତକୁ ସ୍ତବ୍ଧ କରି ଦେଇଥିଲା। କ’ଣ ଭାବି ଗାନ୍ଧୀଜୀ ପଦଯାତ୍ରା କରିବାକୁ ନୂଆଖାଲି ଚାଲିଗଲେ। କେହି ଜଣେ ହେଲେ କଂଗ୍ରେସ ନେତା ନ ଥିଲେ ସାଙ୍ଗରେ। ଏକା ଏକା ଅହିଂସା ଯାଇଥିଲା ପ୍ରବଳ ହିଂସାର କ୍ଷେତ୍ର ନୂଆଖାଲିକୁ। ‘‘ଯଦି ତୋର ଡାକ୍ ଶୁନେ କେଉ ନା ଆସେ ତବେ ଏକ୍ଲା ଚଲୋରେ’’।
ଭାଇସ୍ରାୟ ୱାଭେଲ୍ ମନକୁ ନେଲେ ଯେ ଏଇ ସମୟରେ ଯଦି କଂଗ୍ରେସ ଏବଂ ମୁସ୍ଲିମ୍ ଲିଗ୍ ମିଶି ସରକାର ଗଢ଼ିବେ ତେବେ ଅବସ୍ଥା ସମ୍ଭଳା ପଡ଼ିବ। ଉଭୟପକ୍ଷକୁ ନିମନ୍ତ୍ରଣ ଗଲା। ଛକାଛକି ହେଲେ ଦୁଇପକ୍ଷ। ଅନ୍ତରୀଣ ସରକାରରେ ନେହରୁ ଉପସଭାପତି। ପଟେଲ୍ ଗୃହମନ୍ତ୍ରୀ। ୧୯୪୬, ଅକ୍ଟୋବର ୧୫ରେ ମୁସ୍ଲିମ୍ ଲିଗ୍ ତରଫରୁ ଲିୟାକତ୍ ଅଲ୍ଲୀ ଖାଁ ବିତ୍ତମନ୍ତ୍ରୀ ପଦ ଗ୍ରହଣ କଲେ। ଜିନ୍ନା କିନ୍ତୁ ସରକାରରେ ସାମିଲ ହେଲେ ନାହିଁ। ଜିନ୍ନାଙ୍କୁ ଉପସଭାପତି କରାଯାଇପାରିଥାନ୍ତା। ମାତ୍ର ହିଂସାର ଲଗାମ ଧରିଥିବା ସଇସଙ୍କ ପ୍ରତି ସନ୍ଦେହ ଥିଲା ସମସ୍ତଙ୍କର। ଅହିଂସା ପୂଜାରୀ ଗାନ୍ଧୀଜୀ କିନ୍ତୁ ଏ ସରକାର ଗଠନରେ ଖୁସି ନ ଥିଲେ। ତା’ଙ୍କର ମତ ଥିଲା ଭିନ୍ନ।
ସମସ୍ତଙ୍କ ମନରେ ଆଶଙ୍କା, ଭାରତ ରହିବ ନା ବିଭାଜିତ ହେବ! ହିଂସା ଜିଣିବ ନା ଅହିଂସା? ସାମ୍ପ୍ରଦାୟିକତାର ନେତ୍ରମଣି ଜିଦ୍ ଧରି ବସିଥିଲା ଭାରତର ଦୁଆରବନ୍ଧ ଉପରେ।
[email protected]