ଧନେଶ୍ବର ସାହୁ
ପୃଥିବୀର ପରିବେଶ ଆସ୍ତେ ଆସ୍ତେ ଏପରି ଅବକ୍ଷୟ ଆଡ଼କୁ ଯାଉଛି ଯେ ତାହା ଭବିଷ୍ୟତରେ ଜୀବଜଗତର ଅସ୍ତିତ୍ବ ନେଇ ଏକ ଭୟଙ୍କର ଚିତ୍ର ପ୍ରଦାନ କରୁଛି। ପୃଥିବୀର ପରିବେଶ ଯଦି ଅବାଧ ଭାବେ ଏହିପରି ପ୍ରଦୂଷିତ ହୋଇଚାଲେ ତେବେ ଭବିଷ୍ୟତରେ ପୃଥିବୀ ମନୁଷ୍ୟର ଜୀବନ ଧାରଣ ପାଇଁ ଅନୁପଯୁକ୍ତ ହୋଇଯିବ। ସୁତରାଂ ପରିବେଶର ସୁରକ୍ଷା ସମଗ୍ର ମାନବ ଜାତି ପାଇଁ ଜୀବନ-ମରଣର ସମସ୍ୟା।
ପୃଥିବୀର ପରିବେଶ ଯେ ଅବକ୍ଷୟମୁଖୀ ହୋଇଚାଲିଛି ଏହି ଅବବୋଧ ବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ କେତେକ ବିଶିଷ୍ଟ ପରିବେଶ ବିଜ୍ଞାନୀ ଯେଉଁ ଗବେଷଣାମୂଳକ ପୁସ୍ତକମାନ ରଚନା କଲେ ସେଥିରୁ ପରିବେଶ ଅବକ୍ଷୟର ଚିତ୍ର ମିଳିଲା। ଏହି ପରିପ୍ରେକ୍ଷୀରେ ରାଚେଲ କାର୍ସନ (୧୯୦୭-୧୯୬୪)ଙ୍କର ପୁସ୍ତକ ‘ନିରବ ବସନ୍ତ’ (ସାଇଲେଣ୍ଟ ସ୍ପ୍ରିଙ୍ଗ) ଥିଲା ଏକ ବିଶିଷ୍ଟ କୃତି। ଏହି ଜୀବବିଜ୍ଞାନୀ କୀଟମାନଙ୍କୁ ଦମନ କରିବାକୁ ପ୍ରୟୋଗ କରାଯାଉଥିବା ‘ଡିଡିଟି’ ପରି ରାସାୟନିକ କୀଟନାଶକମାନଙ୍କର ଜୀବଜଗତ ଉପରେ କି ଭୟଙ୍କର ପ୍ରଭାବ ରହିଛି ତା’ର ଚିତ୍ର ପ୍ରଦାନ କରିଥିଲେ। ପୃଥିବୀରେ ପରିବେଶ ଆନ୍ଦୋଳନ ଓ ସଚେତନତା ସୃଷ୍ଟି କରିବାରେ ‘ନିରବ ବସନ୍ତ’ର ଗଭୀର ପ୍ରଭାବ ରହିଥିଲା। ସେହିପରି ଅଲ୍ ଗୋରେ ଆମେରିକାର ଉପରାଷ୍ଟ୍ରପତି ପଦରୁ ଯିବାପରେ ପରିବେଶର ଅବକ୍ଷୟ ଯୋଗୁଁ ଜଳବାୟୁରେ କି ପ୍ରକାର ପରିବର୍ତ୍ତନ ହେଉଛି ଓ ଏହାର ପରିଣାମ ମାନବ ସମୁଦାୟ ପ୍ରତି କିପରି ଭୟଙ୍କର ହେବ ତାଙ୍କର ବିଭିନ୍ନ ଲେଖା ଓ ଡକ୍ୟୁମେଣ୍ଟାରି ଫିଲ୍ମ ମାଧ୍ୟମରେ ପ୍ରକାଶ କଲେ। ବିଶେଷ କରି ବିଶ୍ବ ଉତ୍ତପ୍ତୀକରଣର ପ୍ରଭାବକୁ ନେଇ ସେ ଯେଉଁ ଚିତ୍ର ଦେଲେ ତାହା ବିଶ୍ବ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ତାଙ୍କର ଏହି ଅବଦାନ ପୃଷ୍ଠଭୂମିରେ ଅଲ୍ ଗୋରେଙ୍କୁ ୨୦୦୭ରେ ବିଶ୍ବ ଶାନ୍ତି ଦିଗରେ ଅବଦାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଲିଜାବୋଥ କୋଲବର୍ଟ ତାଙ୍କର ପୁସ୍ତକ ‘ଷଷ୍ଠ ବିଲୟ’ (ଦି ସିକ୍ସଥ୍ ଏକ୍ଷ୍ଟିଙ୍କସନ୍) ମଧ୍ୟ ଏକ ଯୁଗାନ୍ତକାରୀ ସୃଷ୍ଟି। ବହୁ ଅତୀତରେ ପୃଥିବୀ ପୃଷ୍ଠରେ କିପରି ପାଞ୍ଚ ଥର ମହାପ୍ରଳୟ ଘଟିଛି ତାହାର ତଥ୍ୟ ଦେବା ସହ ଷଷ୍ଠ ପ୍ରଳୟର ପ୍ରକ୍ରିୟା କିପରି ଅାରମ୍ଭ ହୋଇଛି ତାହାର ଚିତ୍ର ଏଲିଜାବେଥ ପ୍ରଦାନ କରିଛନ୍ତି। ଅତୀତର ପ୍ରଳୟମାନ ଥିଲା ପ୍ରାକୃତିକ କାରଣଜନିତ, କିନ୍ତୁ ଷଷ୍ଠ ପ୍ରଳୟର କାରଣ ଅନେକାଂଶରେ ମାନବକୃତ। ପରିବେଶରୁ କିପରି ଅଣୁଜୀବଠାରୁ ଆରମ୍ଭ କରି ବହୁ ଶ୍ରେଣୀର ଉଦ୍ଭିଦ ଓ ପ୍ରାଣୀମାନଙ୍କର ବିଲୟ ହୋଇଚାଲିଛି ଓ ତାହାର କ’ଣ ପ୍ରତିକୂଳ ପ୍ରଭାବ ରହିଛି, ଲେଖିକା ତା’ର ଚିତ୍ର ପୁସ୍ତକରେ ପ୍ରକାଶ କରିଛନ୍ତି। ଜୀବଜଗତ ଓ ମନୁଷ୍ୟ ସମାଜ କିପରି ଭବିଷ୍ୟତରେ ଦୁର୍ଦ୍ଦିନର ସମ୍ମୁଖୀନ ହେବାକୁ ଯାଉଛି ତାହା ନେଇ ପରିବେଶ ବିଜ୍ଞାନୀ ଓ ମାନବବାଦୀ ଚିନ୍ତକମାନେ ଗମ୍ଭୀର ଚିନ୍ତା ପ୍ରକଟ କରିବାରେ ଲାଗିଛନ୍ତି ଓ ଏଥିପାଇଁ ଆନ୍ତର୍ଜାତିକ ସମ୍ମିଳନୀମାନ ମଧ୍ୟ ଆୟୋଜନ କରାଯାଉଛି।
ଆମର ଅସ୍ତିତ୍ବ ପ୍ରକୃତି ଓ ପରିବେଶ ଉପରେ ନିର୍ଭର କରିଥାଏ। ବଞ୍ଚି ରହିବାକୁ ଆମର ଯାହା ଆବଶ୍ୟକ, ତାହା ଆମେ ପ୍ରକୃତି ଓ ପରିବେଶରୁ ପାଇଥାଉ। ପୃଥିବୀ ପୃଷ୍ଠରେ ଏକ ଜୀବଜଗତର ସ୍ଥାୟିତ୍ବ ଏକ ଅନୁକୂଳ ପରିବେଶ ଉପରେ ନିର୍ଭର କରେ। ଏକ ବୃହତ୍ତର ଅର୍ଥରେ ପ୍ରକୃତି କହିଲେ ଆମର ଗ୍ରହମଣ୍ଡଳ, ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ପ୍ରାକୃତିକ ସଂସାଧନ, ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ଇତ୍ୟାଦିକୁ ବୁଝାଏ। ପରିବେଶ କହିଲେ ପ୍ରକୃତି ଭିତରେ ସୃଷ୍ଟି ହେଉଥିବା ପରିବର୍ତ୍ତନ ତଥା ପରିସ୍ଥିତିକୁ ବୁଝାଏ। କୃଷିର ଜ୍ଞାନ ପୂର୍ବରୁ ପୃଥିବୀରେ ଯେଉଁ ପରିବେଶ ରହିଥିଲା, କୃଷିର ଜ୍ଞାନ ପରେ ପୃଥିବୀର ପରିବେଶରେ ଅନେକ ପରିବର୍ତ୍ତନ ହେଲା। ସେହିପରି ଶିଳ୍ପ ବିପ୍ଳବ ପୂର୍ବରୁ ପୃଥିବୀରେ ଯେଉଁ ପରିବେଶ ଥିଲା, ତା’ ପରେ ପରିବେଶରେ ଅନେକ ପରିବର୍ତ୍ତନ ଘଟିଲା। ପରିବେଶ ନାନା କାରଣ ଯୋଗୁଁ ପରିବର୍ତ୍ତିତ ହେଉଥାଏ। ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ, ବଡ଼ ବଡ଼ କଳକାରଖାନାର ପ୍ରତିଷ୍ଠା, ପ୍ରାକୃତିକ ସାଧନଗୁଡ଼ିକର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟ, ଆଧୁନିକ ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ଜନସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟି ପରିବେଶରେ ଏହି ଗୋଟିଏ ଦୁଇଟି ଶତାବ୍ଦୀ ଭିତରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇଛି। ୧୮୦୦ ମସିହା ବେଳକୁ ପୃଥିବୀର ଜନସଂଖ୍ୟା ପାଖାପାଖି ଶହେ କୋଟି ଥିବାବେଳେ ୧୯୦୦ ବେଳକୁ ଏହା ହେଲା ଶହେ ଷାଠିଏ କୋଟି ଓ ୨୦୦୦ ବେଳକୁ ପୃଥିବୀର ଲୋକସଂଖ୍ୟା ବୃଦ୍ଧି ପାଇ ହୋଇଛି ଛ’ଶହ କୋଟି। ଜନସଂଖ୍ୟାର ଅଭିବୃଦ୍ଧି ଯୋଗୁଁ ନୂଆ ନୂଆ ବସ୍ତିମାନ ଗଢ଼ିଉଠିଛି, ଫଳରେ ସ୍ଥଳଭାଗରେ ରହିଥିବା ଜଙ୍ଗଲମାନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଶିଳ୍ପର ବିକାଶ, କଳକାରଖାନା ପ୍ରତିଷ୍ଠା ଓ ରାସ୍ତାଘାଟ ନିର୍ମାଣ ଦ୍ବାରା ଅନେକ ଗଛ କାଟିବାକୁ ହୋଇଛି ଓ ଏହି ପ୍ରକ୍ରିୟାରେ ଜଙ୍ଗଲ ମଧ୍ୟ ଧ୍ବଂସ ପାଇଛି। ଭୂମି ତଳେ ସଞ୍ଚିତ ହୋଇ ରହିଥିବା ପେଟ୍ରୋଲ, କୋଇଲା ପରି ଶକ୍ତି ଉତ୍ସଗୁଡ଼ିକର ଉତ୍ତୋଳନ ଓ ବ୍ୟବହାର ଯୋଗୁଁ ପରିବେଶରେ ଅସନ୍ତୁଳନ ସୃଷ୍ଟି ହେବାରେ ଲାଗିଛି। କଳକାରଖାନାର ବହୁ ବର୍ଜ୍ୟବସ୍ତୁ ମାଟିରେ ବା ଜଳରେ ମିଶୁଛି। ଅଧିକ ଉତ୍ପାଦନ ପାଇଁ ଚାଷ ଜମିରେ ବିନିଯୋଗ କରାଯାଉଥିବା ରାସାୟନିକ ସାର ଓ କୀଟନାଶକ ଜଳ ସ୍ରୋତରେ ମିଶି ଜଳ ଉତ୍ସମାନଙ୍କୁ ପ୍ରଦୂଷିତ କରିବାରେ ଲାଗିଛି। ନଦୀ, ନାଳର ମଧୁର ଜଳ ଉତ୍ସଗୁଡ଼ିକ ବିଷାକ୍ତ ଓ ଦୂଷିତ ହୋଇଚାଲିଛି। ନାନା ରାସାୟନିକ ବସ୍ତୁର ବ୍ୟବହାରର ପରିଣାମରୁ ବିଭିନ୍ନ ଅଞ୍ଚଳର ମାଟି, ପାଣି ଓ ପବନ ଅବାରିତ ଭାବରେ ପ୍ରଦୂଷିତ ହେବାରେ ଲାଗିଛି। ଆଧୁନିକ ଜୀବନଧାରାରେ ବିଦ୍ୟୁତ୍ ଶକ୍ତିର ବ୍ୟବହାର ପ୍ରତି ମୁହୂର୍ତ୍ତରେ ଆବଶ୍ୟକ ହେଉଛି। ବିଦ୍ୟୁତ୍ ଶକ୍ତି ପାଇବାର ମୁଖ୍ୟ ଉତ୍ସ ହେଉଛି ଜୈବ ଜାଳେଣି। ପ୍ରତିଦିନ ସାରା ପୃଥିବୀରେ ହଜାର ହଜାର ଟନ୍ କୋଇଲା ଜାଳିବାକୁ ପଡୁଛି। ଅସଂଖ୍ୟ ଯାନବାହାନ, କଳକାରଖାନା, ଜୈବ ଜାଳେଣିର ପ୍ରଭାବରୁ ନିର୍ଗତ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବାରେ ଲାଗିଛି। ବିଭିନ୍ନ ରାଷ୍ଟ୍ର ନିଜର ସୁରକ୍ଷାର ଆଳରେ ବିଭିନ୍ନ ମିଜାଇଲ କ୍ଷେପଣାସ୍ତ୍ର ଓ ଆଣବିକ ଅସ୍ତ୍ର ନିର୍ମାଣ ଓ ପରୀକ୍ଷା କରୁଛନ୍ତି। ଏ ସବୁ ପରିବେଶ ଉପରେ ଗଭୀର କୁପ୍ରଭାବ ପକାଉଛି। ପୃଥିବୀର ବିଭିନ୍ନ ବିକଶିତ ରାଷ୍ଟ୍ରମାନେ ପ୍ରକୃତିର ଅମୂଲ୍ୟ ସୀମିତ ସଂସାଧନଗୁଡ଼ିକୁ ସଭ୍ୟତା ଧ୍ବଂସକାରୀ ଅଣୁ ଅସ୍ତ୍ର ନିର୍ମାଣରେ ବ୍ୟବହାର କରୁଛନ୍ତି। କଳକାରଖାନା, ଯାନବାହାନ, ଜୈବ ଜାଳେଣି ଦ୍ବାରା ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ମିଶିବା ଯୋଗୁଁ ବାୟୁମଣ୍ଡଳର ଉତ୍ତାପ ଆସ୍ତେ ଆସ୍ତେ ବୃଦ୍ଧି ପାଇବାରେ ଲାଗିଛି। ପୃଥିବୀର ଉତ୍ତାପ ବୃଦ୍ଧି ପାଇଲେ ମେରୁ ଅଞ୍ଚଳରେ ଥିବା ବିଶାଳ ବରଫର ସ୍ତର ତରଳି ଯିବ, ଫଳରେ ସମୁଦ୍ରର ଜଳପତ୍ତନ ବହୁତ ବଢ଼ିଯିବ। ତା’ର ପ୍ରଭାବରୁ ସମୁଦ୍ର ତଟବର୍ତ୍ତୀ ସହରମାନ ସମୁଦ୍ର ଭିତରେ ରହିଯିବେ। ପୃଥିବୀ ପୃଷ୍ଠର ପ୍ରାକୃତିକ ଜଙ୍ଗଲର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟ ଯୋଗୁଁ ପୃଥିବୀର କେତେକ ଅଞ୍ଚଳରେ ବୃଷ୍ଟିପାତର ପରିମାଣ ଏତେ କମିଯିବ େଯ ସେବସୁ ଅଞ୍ଚଳ ମରୁଭୂମିରେ ପରିଣତ ହୋଇଯିବ। ବିଭିନ୍ନ ଅଞ୍ଚଳରେ ରହିଥିବା ଜୈବବିବିଧତା ନାନା କାରଣରୁ ପ୍ରାକୃତିକ ଭାରସାମ୍ୟକୁ ନଷ୍ଟ କରିଚାଲିଛି। ଏହି ଧାରା ଅନିୟନ୍ତ୍ରିତ ଭାବେ ଅବ୍ୟାହତ ରହିଲେ ଏହି ବିବିଧବର୍ଣ୍ଣା ପୃଥିବୀ ଦିନେ ମୃତ ଗ୍ରହରେ ପରିଣତ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି।
ବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ପରିବେଶ ବିଜ୍ଞାନୀମାନେ ପୃଥିବୀର ପରିବେଶ ଆଗାମୀ ଦିନରେ କିପ୍ରକାର ବିଭୀଷିକାର ସମ୍ମୁଖୀନ ହେବାକୁ ଯାଉଛି ତାହାର ବିଭିନ୍ନ ଚିତ୍ର ବସ୍ତୁନିଷ୍ଠ ଭାବେ ପ୍ରଦାନ କରିଚାଲିଛନ୍ତି। ଆଧୁନିକ ବିକାଶ ଓ ଉପଭୋକ୍ତାବାଦୀ ଜୀବନ ଦୃଷ୍ଟି ଆମକୁ କିପରି ବିନାଶ ଆଡ଼କୁ ନେଇଚାଲିଛି ତାହା ପରିବେଶ ବିଜ୍ଞାନୀ ଓ ମାନବବାଦୀ ବୁଦ୍ଧିଜୀବୀଙ୍କ ପାଇଁ ଚିନ୍ତାର କାରଣ ହେଉଛି। ଏହା ସହିତ ରାଜନୈତିକ ବ୍ୟକ୍ତିବୃନ୍ଦ ଉଗ୍ର ଜାତୀୟତାବାଦ ଆଳରେ ସଭ୍ୟତା ଧ୍ବଂସକାରୀ ମାରଣାସ୍ତ୍ର ନିର୍ମାଣକୁ ମଧ୍ୟ ପ୍ରଶ୍ରୟ ଦେଉଛନ୍ତି। ପରିବେଶ ଉପରେ ଏହିସବୁ ଅବିଚାରିତ ଉତ୍ପୀଡ଼ନ ପରିପ୍ରେକ୍ଷୀରେ ପରିବେଶର ସୁରକ୍ଷା ସମଗ୍ର ମଣିଷ ଜାତି ପାଇଁ ଜୀବନ-ମରଣର ସମସ୍ୟା ଭାବେ ଆମ ସମ୍ମୁଖକୁ ଆସୁଛି। ଆମ ଧରିତ୍ରୀ ହେଉଛି ଏକମାତ୍ର ଗ୍ରହ ଯେଉଁଠି ମାନବ ଜାତି, ସଭ୍ୟତା, ସଂସ୍କୃତି ସମ୍ଭବ ହୋଇଛି। ପୃଥିବୀ ପୃଷ୍ଠରେ ସଭ୍ୟତା କିପରି ସବୁଦିନ ପାଇଁ ତିଷ୍ଠି ରହିବ ଓ ଭବିଷ୍ୟତ ବଂଶଧରମାନେ ବିଲୟର ସମ୍ମୁଖୀନ ହେବେ ନାହିଁ ଏହା ମାନବ ସମୁଦାୟ ପ୍ରତି ଏକ ବଡ଼ ନୈତିକ ଆହ୍ବାନ, ଯାହାକୁ ସାଂପ୍ରତିକ ପରିଭାଷାରେ ଗ୍ରହମଣ୍ଡଳୀୟ ମାନବବାଦ (ପ୍ଲାନେଟାରି ହିଉମାନିଜମ୍) କୁହାଯାଉଛି। ଏହି ମାନବବାଦୀମାନେ ବିକାଶର ପରିପନ୍ଥୀ ନୁହନ୍ତି, ସେମାନେ ନିରନ୍ତର ବିକାଶର ପରିକଳ୍ପନା କରନ୍ତି। ନିରନ୍ତର ବିକାଶ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ନିରପେକ୍ଷ ମାନବବାଦ ଏ ଯୁଗର ସର୍ବଶ୍ରେଷ୍ଠ ଆଦର୍ଶ। ଏହି ମୂଲ୍ୟବୋଧର ପ୍ରସାର ଓ ପରିବେଶର ସୁରକ୍ଷା ପ୍ରତି ଅଙ୍ଗୀକାରବଦ୍ଧତା ଆଜି ପାଇଁ ଏକାନ୍ତ କାମ୍ୟ। ଏହା ନ ହେଲେ ମନୁଷ୍ୟକୁ ନିଜର ଶୋକଗୀତି ଗାଇବାକୁ ହେବ ବୋଲି ପରିବେଶ ବିଜ୍ଞାନୀମାନେ ସଭ୍ୟତାକୁ ସତର୍କ କରିଚାଲିଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
[email protected]