ଚିନ୍ମୟ ହୋତା
ସାଧାରଣ ଲୋକଙ୍କ ମନରେ ପୁଲିସର ଯେଉଁ ଛବିଟି ରହିଯାଇଛି ତାହା ବିଶେଷ ଉତ୍ସାହଜନକ ନୁହେଁ। ଅତି ବାଧ୍ୟବାଧକତା ନ ହେଲେ ପୁଲିସବାଲାଙ୍କ ସାମନାସାମନି ହେବା ବୁଦ୍ଧିମାନର କାମ ନୁହେଁ ବୋଲି ସମସ୍ତଙ୍କ ଧାରଣା। ଅବଶ୍ୟ ପୁଲିସର ଏହି ଦୁର୍ଦ୍ଦାନ୍ତ ଛବିଟି ଆହୁରି ଶାଣିତ ହୋଇଚାଲେ ଆମର ସାହିତ୍ୟ, ଲୋକକଥା, ଆଉ ରୋଚକ ରୂଢ଼ି ମାଧ୍ୟମରେ। ‘ଛ ମାଣ ଆଠ ଗୁଣ୍ଠ’ ଉପନ୍ୟାସରେ ଦାରୋଗାଙ୍କର କ୍ଷମତାର ଏକ ଝଲକ ମିିଳେ, ଯେତେବେଳେ ସେ ଗୋଟିଏ ଧମକରେ ଘରେ ଘରେ ଲୁଚିଥିବା ପୁରୁଷମାନଙ୍କୁ ବାହାର କରି ଆଣନ୍ତି। ‘‘ଯମକୁ ଫାଙ୍କି ଦେଇ ଦୁଇ ତିନି ଦିନ ରହିଯାଇପାରେ; ମାତ୍ର ପୁଲିସକୁ ଫାଙ୍କିଦେବ କିଏ? ପୁରୁଷ ଲୋକଗୁଡ଼ିକ ସଳଖ ଘରୁ ବାହାରି ଆସିଲେ।’’
ପୁଣି ହିନ୍ଦୀ ସିନେମା ଜଗତ, ପୁଲିସର ଏକ କିମ୍ଭୂତକିମାକାର ଛବି ଦର୍ଶାଏ। ରୁପେଲି ପରଦାର ଏହି ପୁଲିସ ବାବୁମାନେ ସାଧାରଣତଃ ଅସାଧୁ, ଆଳସ୍ୟପୂର୍ଣ୍ଣ ଓ ନିଷ୍କର୍ମା ହୋଇଥାନ୍ତି। ଏହି ଚରିତ୍ରମାନେ ଚଳଚ୍ଚିତ୍ରରେ ଅନେକ ହାସ୍ୟରସର ଅବସର ସୃଷ୍ଟି କରନ୍ତି ମଧ୍ୟ। ଅପର ପକ୍ଷେ, କିଛି ସଚ୍ଚୋଟ ଓ ଦକ୍ଷ ନାୟକମାନେ ଅନ୍ୟାୟକୁ ଯୁଝିବାକୁ ଯାଇ ଏମିତି ହରଡ଼ଘଣାରେ ପଡ଼ିଯାନ୍ତି ଯେ ଅନେକ ଯାତନା ପରେ ସେମାନେ ପ୍ରତିଶୋଧର ବହ୍ନିରେ ଅଶାନ୍ତ ଧୂମକେତୁ ପାଲଟିଯାନ୍ତି। ସେମାନଙ୍କ ମୁହଁରୁ ହସ ସବୁଦିନ ପାଇଁ ଲିଭିଯାଏ। ପ୍ରସିଦ୍ଧ ‘ଜଞ୍ଜିର୍’ କଥାଚିତ୍ରର ନାୟକ ଅମିତାଭ ବଚ୍ଚନଙ୍କ ମୁହଁରୁ ଏମିତି ଲିଭି ଯାଇଥିବା ହସକୁ ଫେରାଇ ଆଣିବା ପାଇଁ ତାଙ୍କ ବନ୍ଧୁ ପ୍ରାଣ ଆକାଶରୁ ଚାନ୍ଦ ଓ ତାରା ଆଣିଦେବା ପାଇଁ ପ୍ରସ୍ତୁତ ବୋଲି ଗୋଟିଏ ଗୀତ ମାଧ୍ୟମରେ ଇଚ୍ଛା ପ୍ରକଟ କରିଛନ୍ତି। କଳ୍ପନାର ଅତିରଞ୍ଜନ ସତ୍ତ୍ୱେ ଏ କଥା ଏକ ନିରାଟ ବାସ୍ତବତା ଯେ ବିଭିନ୍ନ ଚାପ ଭିତରେ ପୁଲିସ ଅଧିକାରୀମାନଙ୍କର ହାସ୍ୟରସବୋଧ ଶୁଷ୍କ ହୋଇଯାଇଥାଏ।
ଅବଶ୍ୟ, ଏହି ସିଦ୍ଧାନ୍ତର ସମ୍ପୂର୍ଣ୍ଣ ବିପରୀତ ଦୃଷ୍ଟାନ୍ତଟି ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ ମିଶ୍ର, ତାଙ୍କର ସଦ୍ୟ ପ୍ରକାଶିତ ‘କମେଡି ଇନ୍ ଖାକି’ ଇଂରେଜୀ ପୁସ୍ତକରେ। ପୁଲିସ ବିଭାଗରେ ବିଭିନ୍ନ ପଦ ଓ ପରେ ଓଡ଼ିଶା ପୁଲିସ ତଥା ‘ସି.ଆର୍.ପି.ଏଫ୍’.ର ସର୍ବୋଚ୍ଚ ପଦ ସମ୍ଭାଳିବାର ଦୀର୍ଘ ଓ ରୋମାଞ୍ଚକର ଯାତ୍ରା ସତ୍ତ୍ୱେ ଶ୍ରୀ ମିଶ୍ରଙ୍କର କୌତୁକବୋଧରେ ଟିକିଏ ବି ଭଟ୍ଟା ପଡ଼ିନାହିଁ। ଶୈଶବ କାଳରୁ ବୃତ୍ତିଗତ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ଅଙ୍ଗେ ନିଭାଇଥିବା କୌତୁକପୂର୍ଣ୍ଣ ଅନୁଭୂତିଗୁଡ଼ିକର ଏକ ନିଖୁଣ ପ୍ରତିବେଦନ ମିଳିଥାଏ ଶଂସିତ ପୁସ୍ତକରେ। ଏହି ରୋଚକ ଘଟଣାଗୁଡ଼ିକ ପଛରେ ଅଛନ୍ତି ଅନେକ ବୈଚିତ୍ର୍ୟମୟ ଚରିତ୍ର, ଯେଉଁମାନଙ୍କୁ ଶ୍ରୀ ମିଶ୍ର ଭେଟିଛନ୍ତି (ଭୋଗିଛନ୍ତି?) ଚାକିରି ଜୀବନରେ କିମ୍ବା ବ୍ୟକ୍ତିଗତ ଜୀବନରେ। ମଜାଦାର କଥାଟି ହେଉଛି ଅନେକ କ୍ଷେତ୍ରରେ ସେ ହାସ୍ୟବିନୋଦର ସ୍ରଷ୍ଟା ସ୍ୱୟଂ ଲେଖକ ଶ୍ରୀ ମିଶ୍ର।
‘କମେଡି ଇନ୍ ଖାକି’ର ପୃଷ୍ଠା ଓଲଟାଇଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ ହାସ୍ୟରସ ପ୍ରବଣତା ଯେମିତି ତାଙ୍କର ଦ୍ବିତୀୟ ସ୍ବଭାବ। ପିଲା ଦିନରୁ ସେ ଓ ତାଙ୍କର ‘ଅପରାଧରେ େଯାଡ଼ିଦାର’ ତାଙ୍କ ଯାଆଁଳା ଭାଇ, ଚପଳ ଦୁଷ୍ଟାମିର ଗୋଟିଏ ପ୍ରୟୋଗଶାଳା ଖୋଲିଥିଲେ ନିଜ ଘରେ। ବାପା ଥିଲେ ସମ୍ବଲପୁରର ଜିଲ୍ଲା ମାଜିଷ୍ଟ୍ରେଟ, ତେଣୁ ତାଙ୍କ ଆବାସିକ କାର୍ଯ୍ୟାଳୟକୁ ବିଭିନ୍ନ ରକମର ଦର୍ଶନାର୍ଥୀ ଆସୁଥିଲେ। ଥରେ ଜଣେ ଶ୍ମଶ୍ରୁଧାରୀ ଗାନ୍ଧୀବାଦୀ ତାଙ୍କ ବଙ୍ଗଳାର ତଳ ବାରଣ୍ଡାରେ ଅରଟ ଚଳାଉଥିବାର ଦୁଇ ଭାଇ ଦେଖିଲେ। ସେମାନେ ଉପର ମହଲାରୁ ବ୍ୟକ୍ତିଙ୍କ ମୁଣ୍ଡରେ ଗୋଟିଏ ରବର ଠେକୁଆ ପକାଇ ଅପେକ୍ଷା କଲେ ତାଙ୍କର ପ୍ରତିକ୍ରିୟା ଦେଖିବା ପାଇଁ। ବ୍ୟକ୍ତି ଜଣକ ଯେତେବେଳେ ଚିହିଁକି ଉଠି ଚିତ୍କାର ଓ ଭର୍ତ୍ସନା କଲେ, ଭ୍ରାତୃ ଯୁଗଳ ସେ କ୍ରୋଧ ଦେଖି ନିରାଶ ହେଲେ, କାରଣ ସେମାନେ ଧରି ନେଇଥିଲେ ଯେ ଜଣେ ଶାନ୍ତିପ୍ରିୟ ଗାନ୍ଧୀବାଦୀ ସବୁ ପରିସ୍ଥିତିରେ କ୍ଷମାଶୀଳ ଓ ନମ୍ର ହୋଇଥିବେ। ଥରେ ଇତିହାସ ଶ୍ରେଣୀରେ ସମ୍ରାଟ ଆକବରଙ୍କ କୃତିତ୍ୱମାନ ବର୍ଣ୍ଣନା କରିବାକୁ ପଚରା ଯାଇଥିବା ତାଙ୍କ ସାଙ୍ଗକୁ ‘‘ସମ୍ରାଟ କଟକରେ ଆକବରୀ ଖାଁ ଗୁଡ଼ାଖୁ କାରଖାନା ତିଆରି କରିଥିଲେ’’ ବୋଲି କୁହାଇ ଶ୍ରେଣୀରେ ଅପଦସ୍ତ କରାଇଥିଲେ। ଭାରତୀୟ ପୁଲିସ ସେବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଏମିତି ଛୋଟବଡ଼ ‘କମେଡି’ର ଧାରା ଜାରି ରଖିଥିଲେ ଲେଖକ।
ଚାକିରି ଜୀବନରେ ଅବଶ୍ୟ ଆଗ ଭଳି ଚପଳାମି ଜାରି ରଖିବା ସମ୍ଭବ ନ ଥିଲା, କିନ୍ତୁ ତାଙ୍କର ହାସ୍ୟବୋଧ ଯୋଗୁଁ ସହକର୍ମୀମାନଙ୍କର ବିଭିନ୍ନ ଚାରିତ୍ରିକ ବୈଚିତ୍ର୍ୟ ଓ ବିକୃତିଗୁଡ଼ିକରୁ ସେ ଭରପୁର ମଜା ଉଠାଉଥିଲେ। ଲେଖକଙ୍କ ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ ତାଙ୍କୁ ଅନେକ ଚାପଗ୍ରସ୍ତ ପରିସ୍ଥିତି ତଥା ଅବୁଝା ଉପରିସ୍ଥ ଅଧିକାରୀମାନଙ୍କୁ ମୁକାବିଲା କରିବା ପାଇଁ ବଳ ଯୋଗାଇଥିବ। ରାଉରକେଲାର ଆରକ୍ଷୀ ଅଧୀକ୍ଷକ ହିସାବରେ ସେ ଯୋଗ ଦେବା ମାତ୍ରକେ ତାଙ୍କୁ ଉପରିସ୍ଥ ଡି.ଆଇ.ଜି.ଙ୍କ ଅଦ୍ଭୁତ ଖିଆଲର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉପରିସ୍ଥ ଜଣକ ଥିଲେ ସ୍ବଭାବଗତ ଭାବେ ଅସ୍ଥିର। ସେ ଅଧିକାଂଶ ଘଟଣାରେ ବିଚଳିତ ହୋଇ ଲେଖକଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ ଓ ନିଜେ ମଇଦାନକୁ ଓହ୍ଲାଇ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରୁଥିଲେ। ଥରେ ଦଙ୍ଗା ସମୟରେ ଡି.ଆଇ.ଜି. ଗୋଟିଏ ଭିଡ଼ ଜାଗାରେ ଲୋକଙ୍କୁ ଘଉଡ଼ାଇବାକୁ ହୁଇସିଲ୍ ବଜାଇ ଦୌଡ଼ିଥିଲେ। ଏହା କୁଆଡ଼େ ଥିଲା ତାଙ୍କର ଅଘୋଷିତ କର୍ଫ୍ୟୁର ପଦ୍ଧତି। କିଛି ଅଘଟଣର ସମ୍ବାଦ ଆସିଲେ ଡି.ଆଇ.ଜି. ଜଣକ ଏତେ ଭାଙ୍ଗି ପଡୁଥିଲେ, ଯେମିତି ମାନବ ଜାତିର ବିଲୟ ହେବାକୁ ଯାଉଛି। ‘ଶ୍ରୀ ଅସ୍ଥିର’ ଶୀର୍ଷକର ଏହି ପରିଚ୍ଛେଦରେ ଲେଖକ ତାଙ୍କର ହାସ୍ୟ ପରିହାସ କଳାର ଶୀର୍ଷରେ ପହଞ୍ଚି ଯାଇଛନ୍ତି।
ଏହିସବୁ ହାସ୍ୟାସ୍ପଦ ଘଟଣାମାନ ମଧ୍ୟ ଏ କଥା ସ୍ପଷ୍ଟ କରିଦିଅନ୍ତି ଯେ ଯେଉଁ ପୁଲିସ ଉପରେ ନିଜ ସୁରକ୍ଷାର ଦାୟିତ୍ୱ ନ୍ୟସ୍ତ କରି ଆମେ ଶାନ୍ତିରେ ନିଦ୍ରା ଯାଉ, ପ୍ରକୃତରେ ସେମାନେ କେତେ ଅସହାୟ ଓ ଚାରିତ୍ରିକ ଉଦ୍ଭଟତାର ବଶବର୍ତ୍ତୀ! ଲେଖକ ହୁଏତ ପାଠକମାନଙ୍କୁ ଚେତେଇ ଦେଉଛନ୍ତି ଯେ କୌଣସି ଶକ୍ତି ପାଖରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ମସ୍ତ ବଡ଼ ଭୁଲ୍। ଜୀବନ ଯେ କେତେବେଳେ କେଉଁ ଦିଗରୁ ଆପଣଙ୍କୁ ଝଟକା ଦେବ ତାହା ଜାଣିବା ଅସମ୍ଭବ।
ଜଣେ ପଦସ୍ଥ ପୁଲିସ ଅଧିକାରୀଙ୍କ ଅନୁଭୂତି ସବୁର ବର୍ଣ୍ଣନା ପଢୁଥିବା ପାଠକେ କିଛି ରାଜନୈତିକ ବିଷୟବସ୍ତୁ ଖୋଜିପାରନ୍ତି। ଏ ଦିଗରେ ସମ୍ପୂର୍ଣ୍ଣ ନିରାଶ କରିନାହାନ୍ତି ଲେଖକ। ‘‘ଭୌତିକ ମୁନିବ’’ ଶୀର୍ଷକ ପରିଚ୍ଛେଦରେ ସେ ଜଣେ ବୈଚିତ୍ର୍ୟମୟ ନେତାଙ୍କର ଚରିତ୍ର ଚିତ୍ରଣ କରିଛନ୍ତି। ଏହି ନେତା ଜଣକ ବାସ୍ତବ ନା କାଳ୍ପନିକ? ବର୍ଣ୍ଣନାରୁ ଜଣାପଡ଼େ ନେତା ଜଣକ ଜଣେ ନାମଜାଦା ଓ ହୃଦୟବାନ ପିତାଙ୍କ ପୁତ୍ର, ରାଜ୍ୟ ରାଜନୀତିକୁ ଆସିବା ପୂର୍ବରୁ ସେ କେନ୍ଦ୍ର ସରକାରରେ ଥିଲେ, ସଂସଦ ହେଉ କି ବିଧାନସଭା ଅଥବା ସାମ୍ବାଦିକ ସମ୍ମିଳନୀ, ପ୍ରଶ୍ନୋତ୍ତରକୁ ତାଙ୍କର ପ୍ରାଣେ ଭୟ, ସେ ଧୋବ କୁର୍ତ୍ତା, ଗୋଇଠି ଲୁଚୁ ନ ଥିବା ପାଇଜାମା ଓ ଚପଲ ପିନ୍ଧନ୍ତି ଇତ୍ୟାଦି। ଏହି ନେତା ଜଣକ ଆଣି ପହଞ୍ଚାଇଥିବା ଦୁର୍ଦ୍ଦିନଗୁଡ଼ିକର ଅନ୍ତ କେବେ ହେବ ଓ ଓଡ଼ିଆ ଜାତି କେବେ ଜାଗିବେ କି ନାହିଁ ବୋଲି ସନ୍ଦେହ ଲେଖକଙ୍କୁ ବିଚଳିତ କରିଛି।
‘କମେଡି ଇନ୍ ଖାକି’ ପୁସ୍ତକଟି ପାଠକ ମନକୁ ମନୋରଞ୍ଜନ, ସମ୍ଭାବନା ଓ ସତେଜତାରେ ଭରିଦିଏ। ଆଉ ସ୍ମରଣୀୟ ହୋଇ ରହିଯାଏ ଲେଖକଙ୍କ ଏହି ପ୍ରସ୍ତାବଟି, ‘‘ଆମେ କାହିଁକି ଆନନ୍ଦ ଉଲ୍ଲାସ ବିହୀନ ଏକ ଗତାନୁଗତିକ ଧାରାରେ ନିଜକୁ ସମର୍ପି ଦେବା? ଆମ ଭିତରର ଶିଶୁଟି ଅଧିକ ଆଦର ପାଇବାକୁ ଚାହୁଁଛି। ଆସନ୍ତୁ ତାକୁ ନିରାଶ କରିବା ନାହିଁ।’’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/23/TXf8IW9qb8RDo6oGtS2G.jpg)