ଆର୍ଦ୍ରାଞ୍ଚଳ ଜୀବଜଗତର ପ୍ରାଣ କେନ୍ଦ୍ର। ସାଧାରଣତଃ, ଚିରନ୍ତନ ବା ଋତୁକାଳୀନ ଜଳାର୍ଣ୍ଣବ ଜମିକୁ ଆର୍ଦ୍ରଭୂମି ବୋଲି କୁହାଯାଇଥାଏ। କିନ୍ତୁ ଏହାର ପ୍ରକାରଭେଦ ବିବିଧ: ଯେମିତି କି ନଦୀ, ନାଳ, ଝରଣା, ହ୍ରଦ, ପାଟ, ଜଳାଶୟ, ଜଳଭଣ୍ଡାର, ଜଳ ପ୍ଳାବିତ, ଜଳ ମଗ୍ନ, ଖାଲୁଆ, ସନ୍ତସନ୍ତିଆ ଓ ପାଣି ଜମୁଥିବା ସ୍ଥାନ। ସନ୍ନିକଟ ନଦୀତଟ ଓ ଉପକୂଳ ଅଞ୍ଚଳ ଏପରିକି ନିମ୍ନ ଜୁଆର ରେଖା ଠାରୁ ଛଅ ମିଟର ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ହେନ୍ତାଳ ବନ ଓ ଶୈବାଳ ଗୁଚ୍ଛକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହା ପୃଥିବୀର ପ୍ରଧାନ ପାନୀୟ ଜଳ ଉତ୍ସ। ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବର୍ତ୍ତମାନ ବିଶ୍ୱର ପ୍ରାୟ ଦୁଇ-ତୃତୀୟାଂଶ ଲୋକ ଜଳକ୍ଳିଷ୍ଟ ଜୀବନଯାପନ କରୁଛନ୍ତି। ଆଗାମୀ ଦିନରେ ଏହା ଅଧିକ ଉତ୍କଟ ହେବା ନିଃସନ୍ଦେହ। ବିଶେଷ କରି ବର୍ଦ୍ଧିଷ୍ଣୁ ଜନସଂଖ୍ୟା ପରିପ୍ରେକ୍ଷୀରେ ପାନୀୟ ଜଳାଭାବର ସହଜ ସମାଧାନର ସୂତ୍ର ହେଉଛନ୍ତି ଆର୍ଦ୍ର ଭୂମି। ଏହା ପରିବେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ।
କେତେକ ଅନୁଧ୍ୟାନ ଅନୁଯାୟୀ ପୃଥିବୀରେ ଆନୁମାନିକ ପ୍ରାୟ ୫୭ ଲକ୍ଷ ବର୍ଗ କିଲୋମିଟର ପରିବ୍ୟାପ୍ତ ଆର୍ଦ୍ରଭୂମି ରହିଛି, ଯାହା ଭୂଭାଗର ମାତ୍ର ୬ ପ୍ରତିଶତ। ତନ୍ମମଧ୍ୟରେ ସିଂହଭାଗ ଅର୍ଥାତ୍ ୭୫ ପ୍ରତିଶତ ହେଉଛି ସନ୍ତସନ୍ତିଆ କାଦୁଆ ଅଂଚଳ। ବିଶ୍ୱର ସର୍ବବୃହତ୍ ଆର୍ଦ୍ରାଞ୍ଚଳ ହେଉଛି ବୋଲିଭିଆ ଦେଶର ଲଆନୋ ଡି ମେସକୋସ୍। ଏହା ବ୍ୟତୀତ ପଶ୍ଚିମ ସାଇବେରିଆ ନିମ୍ନ ଭୂମି, ଆମାଜନ ନଦୀ ଅବବାହିକା ଓ ହଡ୍ସନ୍ ଉପସାଗର ସମୀପସ୍ଥ ଖାଲୁଆ ଅଂଚଳ ହେଉଛନ୍ତି ପ୍ରମୁଖ।
ଭାରତର ଭୌଗୋଳିକ କ୍ଷେତ୍ରଫଳର ପ୍ରାୟ ୪.୬୩% ହେଉଛି ଆର୍ଦ୍ରଭୂମି। ଏହା ମଧ୍ୟରେ ୩୮% ନଦୀ ଓ ଝରଣା, ୧୮% ଜଳଭଣ୍ଡାର ଓ ଜଳସେଚନ ପ୍ରକଳ୍ପ ଇତ୍ୟାଦି, ୧୭% ଜୁଆର ଭଟ୍ଟା, କର୍ଦମାକ୍ତ ସମତଳ ଭୂମି, ୧୬% ହ୍ରଦ, ଜଳାଶୟ ଓ ବୃହତ୍ ପୁଷ୍କରଣୀ, ୩% ହେନ୍ତାଳ ବୃକ୍ଷରାଜି, ୩% ଜଳପ୍ଳାବିତ ଅଂଚଳ, ୧% ଶୈବାଳ ଗୁଚ୍ଛ ଓ ୪% ଅନ୍ୟାନ୍ୟ ରହିଛି। ବିଶ୍ୱ ମାନ୍ୟତାପ୍ରାପ୍ତ ରାମସାର୍ ତାଲିକାରେ ଦେଶର ୭୫ଟି ସ୍ଥାନ ରହିଛି, ଯାହାର ଆୟତନ ୧୩.୨୭ ଲକ୍ଷ ହେକ୍ଟର। ଏହା ଛଡ଼ା ପ୍ରାୟ ୧୧୫ଟି ଅନ୍ତର୍ଜାତୀୟ ଗୁରୁତ୍ୱସଂପନ୍ନ ଆର୍ଦ୍ରସ୍ଥଳ ଅଛି। ପଶ୍ଚିମବଙ୍ଗର ସୁନ୍ଦରବନ ପୃଥିବୀର ବୃହତ୍ତମ ଏକକ ହେନ୍ତାଳ ବଣ, ରାଜସ୍ଥାନସ୍ଥିତ ଭରତପୁରର କେଓଲାଦେଓ ଜାତୀୟ ଉଦ୍ୟାନ, କେରଳର ଆସ୍ତାମୁଦି ଓ ସତ୍ଥାମାକୋଟ, ମଧ୍ୟପ୍ରଦେଶର ଭୁଜ୍, ପଞ୍ଜାବର ହରିକେ ଓ ରୋପାର, ମଣିପୁରର ଲୋପ୍କ୍ତକ ଓ ଗୁଜୁରାଟର ନଳସରୋବର ଇତ୍ୟାଦି ଦେଶର ଉଲ୍ଲେଖଯୋଗ୍ୟ ଆର୍ଦ୍ରଭୂମି। ଓଡ଼ିଶାରେ ଏଭଳି ଛଅଟି ରହିଛି; ଯଥା- ଚିଲିକା, ଭିତରକନିକା, ସାତକୋଶିଆ ଗଣ୍ଡ, ହୀରାକୁଦ ଜଳଭଣ୍ଡାର, ତାମ୍ପରା ଓ ଅଂଶୁପା ହ୍ରଦ।
ଗୌରବର ବିଷୟ ଯେ ଚିଲିକା ହ୍ରଦକୁ ୧୯୮୧ ମସିହାରେ ଭାରତର ପ୍ରଥମ ରାମସାର ଆର୍ଦ୍ରଭୂମିର ସ୍ୱୀକୃତି ମିଳିଥିଲା। ଗତ ଚାରି ଦଶନ୍ଧିରେ ଦେଶର ପ୍ରାୟ ଏକ-ତୃତୀୟାଂଶ ଆର୍ଦ୍ରାଞ୍ଚଳର ଅବକ୍ଷୟ ଘଟିଛି। ଓଡ଼ିଶାରେ ମଧ୍ୟ ସ୍ଥିତି ତଦ୍ରୂପ। ସହରାଞ୍ଚଳ ବୃଦ୍ଧି ନିମନ୍ତେ ଜମିର ଆବଶ୍ୟକତା ପୂରଣ ଓ କଠିନ ବର୍ଜ୍ୟବସ୍ତୁ ସକାଶେ ସ୍ଥାନ ପାଇଁ ଆର୍ଦ୍ରାଞ୍ଚଳକୁ ବ୍ୟବହାର କରାଯାଉଛି, ସେଗୁଡ଼ିକୁ ପୋତି ଦିଆଯାଉଛି। ସେହିପରି ମାଟି ବା ପଙ୍କ ଜମି, ଅଶୋଧିତ ନର୍ଦ୍ଦମା ପାଣି ମିଶ୍ରଣ, ଅନାବନା ବୃକ୍ଷଲତାର ଅନୁପ୍ରବେଶ, ବାଲି ଓ ପଥର ଉତ୍ତୋଳନ, ଜଳର ମାତ୍ରାଧିକ ଓ ହାନିକାରକ ଉପଯୋଗ ଏବଂ ନିୟନ୍ତ୍ରଣହୀନ ପର୍ଯ୍ୟଟନ ଇତ୍ୟାଦି ଭଳି ଅପରିଣାମଦର୍ଶୀ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବହୁତ ଆର୍ଦ୍ରାଞ୍ଚଳ ଅସ୍ତିତ୍ବ ହରାଇଥିବା ବେଳେ ଅନେକ ବିଲୁପ୍ତ ପ୍ରାୟ ଅବସ୍ଥାରେ ଅଛନ୍ତି।
ପ୍ରଦୂଷଣକାରୀ ବିଷାକ୍ତ ପଦାର୍ଥକୁ ଆର୍ଦ୍ରାଞ୍ଚଳ ମୃତ୍ତିକା ଓ ବୃକ୍ଷଲତା ମାଧ୍ୟମରେ ସଂଗ୍ରହ କରି ପାଣିର ପ୍ରାକୃତିକ ବିଶୋଧନରେ ସହାୟକ ହୋଇଥାଏ। ଏହାର ଅଙ୍ଗାର ଅପସାରଣ ଓ ଆବଦ୍ଧ କରିବା କ୍ଷମତା ବୃଷ୍ଟିପାତ ଓ ଜଙ୍ଗଲ ଠାରୁ ମଧ୍ୟ ପାଞ୍ଚ ଗୁଣ ଅଧିକ। ଜଳବିଦ୍ୟୁତ୍ ଶକ୍ତିର ଉତ୍ପାଦନ କେନ୍ଦ୍ର ଭାବରେ ଏହା ଅଙ୍ଗାରବିହୀନ ସବୁଜ ଶକ୍ତିର ନିରନ୍ତର ଉତ୍ସ। ଏଣୁ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ପ୍ରତିହତ କରିବାରେ ଏହାର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ। ବହୁ ଜଳଚର ଜୀବଜନ୍ତୁଙ୍କର ଏହା ଆଶ୍ରୟସ୍ଥଳୀ ହୋଇଥିବାରୁ ଜୈବ ବିବିଧତାର ଏହା ଗନ୍ତାଘର। ପରିବ୍ରାଜକ ପକ୍ଷୀମାନେ ଅସହ୍ୟ ଶୀତ ପ୍ରକୋପରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ଆର୍ଦ୍ରଭୂମିକୁ ଉଡ଼ି ଆସନ୍ତି। ଏହି ସବୁ କାରଣରୁ ଜନକଲ୍ୟାଣକାରୀ ଆର୍ଦ୍ରଭୂମିର ପୁନରୁଦ୍ଧାର, ସଂରକ୍ଷଣ ଓ ଅଭିବୃଦ୍ଧି ଏକ ଜରୁରୀ ଆବଶ୍ୟକତା। ଗଲା ଫେବ୍ରୁଆରି ୨ ତାରିଖରେ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ଆର୍ଦ୍ରଭୂମିଗୁଡ଼ିକର ସୁରକ୍ଷା ଦିଗରେ ସେଚତନ ହେବା ଉଚିତ।
ମୋ: ୯୪୩୭୦୮୦୨୩୩