ଜିତଶତ୍ରୁ ମହାନ୍ତି

Advertisment

ବନାଞ୍ଚଳ ଛାଡ଼ି ଜନବସତିରେ ହାତୀ ପଲଙ୍କ ଘନଘନ ଅନୁପ୍ରବେଶ ଓ ତଜ୍ଜନିତ କ୍ଷୟକ୍ଷତି ହେତୁ ସମସ୍ତେ ଉଦ୍‌ବିଗ୍ନ। ସୁତରାଂ, ଏହାର ପ୍ରତିକାର ନେଇ ଆଲୋଚନା ବେଳେ ଓଡ଼ିଶା ଜଙ୍ଗଲରେ ପ୍ରକୃତରେ କେତେ ସଂଖ୍ୟକ ହାତୀ ଅଛନ୍ତି, ସେ କଥା ମଧ୍ୟ ଆଲୋଚନାର ଅନ୍ତର୍ଭୁକ୍ତ ହୋଇଥାଏ। ବନ ବିଜ୍ଞାନ ଅନୁସାରେ ହାତୀ ରହୁଥିବା ପ୍ରତ୍ୟେକ ଜଙ୍ଗଲ‌ର ଗୋଟିଏ ଗଜ ଧାରଣ କ୍ଷମତା ଥାଏ। ସର୍ବାଧିକ କେତେ ସଂଖ୍ୟକ ହାତୀଙ୍କ ସକାଶେ ଏକ ପ୍ରାକୃତିକ ଜଙ୍ଗଲ ଖାଦ୍ୟ, ପାଣି ଓ ଆଶ୍ରୟ ଇତ୍ୟାଦି ଯୋଗାଇ ପାରିବ, ତା’ ଉପରେ ନିର୍ଭର କରେ ଏହି ଗଜ ଧାରଣ କ୍ଷମତା। ଜଙ୍ଗଲର ପ୍ରକାର ଭେଦ, ଘନତ୍ୱ ଓ ହାତୀର ପସନ୍ଦ-ଯୋଗ୍ୟ ଖାଦ୍ୟର ଉପଲବ୍‌ଧତାକୁ ବିଚାର କରି ଏହା ନିର୍ଦ୍ଧାରଣ କରାଯାଇଥାଏ। ହାତୀ ଏକ ତୃଣଭୋଜୀ ପ୍ରାଣୀ ହୋଇଥିବାରୁ ହାତୀର ଖାଦ୍ୟରେ ପରିଣତ ହୋଇଥିବା ଗଛବୃଚ୍ଛ ପୁନର୍ବାର ବଢ଼ି ପୂର୍ବ ସ୍ଥିତିରେ ପହଞ୍ଚିବାକୁ କେତେ ଦିନ ଲାଗିବ ତାହା ଉପରେ ମଧ୍ୟ ଗଜ ଧାରଣ କ୍ଷମତା ନିର୍ଭରଶୀଳ।‌
ଏ ସବୁ ଦୃଷ୍ଟିରୁ ବିଚାର କଲେ ହୃଦ୍‌ବୋଧ ହୋଇଥାଏ ଯେ ଜଙ୍ଗଲ ଭିତରେ ମନୁଷ୍ୟର ମନଇଛା ଓ ବେପରୁଆ କାର୍ଯ୍ୟକଳାପ ହେତୁ ଅନେକ ଜଙ୍ଗଲର ହାତୀ ଧାରଣ କ୍ଷମତା କ୍ଷୟ ହେଉଛି। କିନ୍ତୁ ଏଣେ ସରକାରୀ ରିପୋର୍ଟମାନ ବାରମ୍ବାର କହୁଛନ୍ତି ଯେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନର କ୍ଷେତ୍ରଫଳ ଓ ଘନତା ବୃଦ୍ଧି ପା‌ଇଛି। ତେବେ ହାତୀମାନେ ଜଙ୍ଗଲ ଛାଡ଼ି ବାହାରକୁ ଚାଲି ଆସୁଛନ୍ତି କାହିଁକି? ମୋଟାମୋଟି ଭାବେ ଦେଖାଯାଇଛି ଯେ ପ୍ରାଥମିକ ଓ ଦ୍ୱିତୀୟ ପର୍ଯ୍ୟାୟର ପ୍ରାକୃତିକ ବନ ତୁଳନାରେ ତୃଣ ଜାତୀୟ ଜଙ୍ଗଲ ଓ ଝାଟି ବଣ ହାତୀ ଭରଣପୋଷଣ ପାଇଁ ଅଧିକ ସକ୍ଷମ। ବେଙ୍ଗାଲୁରୁର ‘ଏସିଆନ୍ ନେଚର କଞ୍ଜର୍‌ଭେସନ୍ ଫାଉଣ୍ଡେସନ’ ମାଧ୍ୟମରେ ଆମ ରାଜ୍ୟ ଜଙ୍ଗଲର ହାତୀ ଧାରଣ କ୍ଷମତା ନିର୍ଣ୍ଣୟ କରାଯାଇଛି। ଏହି ଅନୁଷ୍ଠାନ ଦୁଇଟି ପର୍ଯ୍ୟାୟରେ ୨୦୧୪ ଏପ୍ରିଲରୁ ୨୦୧୫ ମାର୍ଚ୍ଚ ଓ ୨୦୧୫ ଏପ୍ରିଲ୍‌ରୁ ୨୦୧୬ ଜାନୁଆରି ପର୍ଯ୍ୟନ୍ତ ସମୟ ଖଣ୍ଡରେ କ୍ଷେତ୍ର ଅନୁଧ୍ୟାନ କରି ୨୦୧୮ ମସିହାରେ ଏକ ରିପୋର୍ଟ ଦାଖଲ କରିଛି। ତହିଁରେ କୁହାଯାଇଛି ଯେ ୨୦୧୭ ଗଣନା ଅନୁଯାୟୀ ମହାନଦୀ ଓ ସମ୍ବଲପୁର କ୍ଷେତ୍ର ଅନ୍ତର୍ଗତ ହାତୀ ସଂଖ୍ୟା ଠାରୁ ଏହାର ସଂଲଗ୍ନ ଅଂଚଳରେ ଅଧିକ ହାତୀ ରହୁଛନ୍ତି। ସେମାନେ ମତ ଦେଇଛନ୍ତି ଯେ ଏହି ଦୁଇଟି ଅଞ୍ଚଳର ପରିସୀମା ବୃଦ୍ଧି କରିବା ସହିତ ଉଭୟର ସଂଯୋଗୀକରଣ ଆବଶ୍ୟକ। ପ୍ରକାଶ ଥାଉ କି ଏହି ସଂସ୍ଥାର ବିଶେଷଜ୍ଞମାନେ ମହାନଦୀ, ସମ୍ବଲପୁର ଓ ମୟୂରଭଞ୍ଜର ୩ଟି ବିଜ୍ଞପିତ ଓ ବୈତରଣୀ ଏବଂ ଦକ୍ଷିଣ ଓଡ଼ିଶାର ୨ଟି ପ୍ରସ୍ତାବିତ ହାତୀ ସଂରକ୍ଷଣ କ୍ଷେତ୍ର ଉପରେ ସେମାନଙ୍କ ଅନୁଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। 
ସେମାନେ କହିଛନ୍ତି ଯେ ବିସ୍ତୀର୍ଣ୍ଣ ଓ ବୃହତ୍‌ ମୟୂରଭଞ୍ଜ କ୍ଷେତ୍ରର ହାତୀ ଧାରଣ କ୍ଷମତା ସର୍ବାଧିକ ଓ ପର୍ଯ୍ୟାପ୍ତ। ଅନ୍ୟ ଦୁଇ ପ୍ରସ୍ତାବିତ ଅଞ୍ଚଳରେ ସ୍ୱଳ୍ପ ସଂଖ୍ୟକ ହାତୀ ବିଚରଣ କରୁଛନ୍ତି। ସେତେବେଳର ସ୍ଥିତି ଅନୁସାରେ ଓଡ଼ିଶା ଜଙ୍ଗଲର ହାତୀ ଧାରଣ କ୍ଷମତା ଆଧାରରେ ହାତୀ ସଂଖ୍ୟା ୧୭୦୦ରୁ ୧୮୦୦ ମଧ୍ୟରେ ଥିବା ସମ୍ଭବ। ତହିଁରେ ଆହୁରି କୁହାଯାଇଛି ଯେ ହାତୀ ସଂଖ୍ୟା ବୃଦ୍ଧି ପାଇଲେ ଅତିରିକ୍ତ ହାତୀଗୁଡ଼ିକ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ଚାଲି ଯାଉଥିବା ମଧ୍ୟ ସମ୍ଭବ।
ଆମ ରାଜ୍ୟରେ ୧୯୯୯ ମସିହାରୁ ୨୦୨୪ ମସିହା ମଧ୍ୟରେ କରାଯାଇଥିବା ୯ଟି ଗଣନାରେ ହାତୀ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇ ତାହା ୧୮୨୭ରୁ ୨୦୯୮ରେ ପହଞ୍ଚିଛି। ଆମ ରାଜ୍ୟରେ ମଝିରେ ମଝିରେ ଦୁଇ ତିନି ବର୍ଷ ଅନ୍ତରରେ କେତେକ ଗଣତି ହୋଇଛି। ସାଧାରଣତଃ ଗ୍ରୀଷ୍ମ ଓ ଶୀତ କାଳରେ ତିନି ଦିନ ଲେଖାଏଁ ହାତୀ ଗଣନା କରାଯାଇଥାଏ। ଗତ ବର୍ଷ ମେ ମାସ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଖରାଦିନିଆ ଓ ନଭେମ୍ବର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ହାତୀ ଗଣନା କରାଯାଇଛି। ଖରାଦିନିଆ ଗଣତିରେ ହାତୀ ସଂଖ୍ୟା ୨୦୯୮ ବୋଲି ଦର୍ଶାଯାଇଛି, ଯାହା ୨୦୧୨ ମସିହାର ଖରାଦିନିଆ ହାତୀ ଗଣତି ସଂଖ୍ୟାରୁ ୧୬୮ ଅଧିକ ଅର୍ଥାତ୍ ବାର୍ଷିକ ୧୪ ହାରରେ ବୃଦ୍ଧି। ଏହି ସମୟରେ ବିଭିନ୍ନ କାରଣରୁ ବର୍ଷକୁ ହାରାହାରି ୮୦ଟି ହାତୀ ମରିଛନ୍ତି। ତେଣୁ ନିଃସନ୍ଦେହରେ କୁହାଯାଇପାରିବ ଯେ ହାତୀ ମୃତ୍ୟୁ ହାର ଠାରୁ ଜନ୍ମ ହାର ଅଧିକ ଏବଂ ପ୍ରକୃତ ବାର୍ଷିକ ଜନ୍ମ ହାର ହାରାହାରି ୯୪ ବୋଲି ଆକଳନ କରାଯାଉଛି। ଏହି ହିସାବ ଅନୁସାରେ ଗଲା ଏକ ଦଶନ୍ଧି ଧରି ଆମ ରାଜ୍ୟରେ ପ୍ରାୟ ୨୦୦୦ ହାତୀ ରହିଆସୁଛନ୍ତି। ତେବେ ଶୀତ ଦିନରେ ଶସ୍ୟ ଅମଳ ହେତୁ ବାହାରୁ ହାତୀଙ୍କ ଅନୁପ୍ରବେଶ ଘଟୁଛି, ଯାହା ଶୀତ ଦିନରେ ହାତୀ ସଂଖ୍ୟାରେ କିଞ୍ଚିତ ବୃଦ୍ଧି ଘଟାଉଛି। 
ଏଣେ ଦେଖାଯାଇଛି ଯେ ୨୦୧୩ ମସିହାରୁ ୨୦୨୩ ମସିହା ମଧ୍ୟରେ ବନ ଓ ବୃକ୍ଷ ଆଚ୍ଛାଦନର କ୍ଷେତ୍ରଫଳରେ ୧୮୮୯ ବର୍ଗ କିଲୋମିଟର ଓ ଘନତ୍ବରେ ୬୭.୧୮୧ ନିୟୁତ ଘନମିଟର ବୃଦ୍ଧି ଘଟିଛି। ତେଣୁ ଅନେକ ପ୍ରଶ୍ନ କରୁଛନ୍ତି ଯେ ଜଙ୍ଗଲ ବଢ଼ିବା ସତ୍ତ୍ବେ ହାତୀ କାହିଁକି ବେଶୀ ଦିନ ବାହାରେ ବୁଲୁଛନ୍ତି? କଥା ହେଲା, ଆମ ଜଙ୍ଗଲରେ ହାତୀର ମୁଖ୍ୟ ଖାଦ୍ୟ ଶାଳିଆ ବାଉଁଶର ଅଭାବ। ୨୦୨୩ ଆକଳନରେ ରାଜ୍ୟରେ ମାତ୍ର ୮୧୪.୯୨ ବର୍ଗକିଲୋମିଟର ଶୁଷ୍କ ବାଉଁଶ ଜଙ୍ଗଲ ଓ ୧୯୯.୪୫ ବର୍ଗ କିଲୋମିଟର ଆର୍ଦ୍ର ବାଉଁଶ ଜଙ୍ଗଲ ଅଛି। ଯାହା ବନ ଆଚ୍ଛାଦନର ଯଥାକ୍ରମେ ନିହାତି ମାତ୍ର ୧.୪୩% ଓ ନଗଣ୍ୟ ୦.୩୫ ପ୍ରତିଶତ। ଏହା ଛଡ଼ା ମିଶ୍ରିତ ଜଙ୍ଗଲରେ ମାତ୍ର ୦.୮% ବାଉଁଶ ଅଛି। ଏଣୁ ଅନେକ ବିଶେଷଜ୍ଞ କହନ୍ତି ଯେ ହାତୀ ଅଧିକ ରୁଚିକର ଖାଦ୍ୟ ତଲାସରେ ବାହାରକୁ ଆସୁଛନ୍ତି। ତେଣୁ ଶାଳିଆ ବାଉଁଶ ଜଙ୍ଗଲ ବୃଦ୍ଧି କରି ହାତୀକୁ ଜଙ୍ଗଲ ଭିତରେ ଖାଦ୍ୟ ଯୋଗାଇ ବାହାରକୁ ଆସିବାରୁ ନିରୁତ୍ସାହିତ କରାଯାଇପାରେ। ଏହି ପରିପ୍ରେକ୍ଷୀରେ ବାଉଁଶ ଶକାଣ୍ଡ ରୋପଣ ଅପେକ୍ଷା ମଞ୍ଜି ଗୋଳା ପଦ୍ଧତିରେ ଜଙ୍ଗଲ ବୃଦ୍ଧି କରାଯିବା ଆବଶ୍ୟକ। ଏହା ହେଲେ ଆମ ଜଙ୍ଗଲର ଗଜ ଧାରଣ କ୍ଷମତା ମଧ୍ୟ ଅଧିକ ହେବ ଅଥଚ ଜଙ୍ଗଲରୁ ବାହାରିବାକୁ ହାତୀମାନେ ମଙ୍ଗି ନ ପାରନ୍ତି।
(ମତାମତ ଲେଖକଙ୍କ ନିଜସ୍ବ) 
ମୋ: ୯୪୩୭୦୮୦୨୩୩