ବିଜୟାନନ୍ଦ ପଟ୍ଟନାୟକ

Advertisment

ଅଫିସର୍ସ କଲୋନିରେ ସୁଚିତ୍ରା ମାଉସୀଙ୍କୁ କିଏ ନ ଜାଣେ? କଲୋନିରେ ରହିବା ଦିନଠୁ ସିଏ ସୋସିଆଲ ସର୍ଭିସରେ ବ୍ୟସ୍ତ। ସ୍ବାମୀ ଅଫିସକୁ ଗଲା ପରେ ମାଉସୀ କଲୋନି ସାରା ଘେରେ ବୁଲି ଆସନ୍ତି। କଲୋନି ଯାକର ଖବର ତାଙ୍କ ପାଖରେ। କାହା ଘରେ କାହାର ଦେହ ଖରାପ, କାହାର ପୁଅ କି ଝିଅ ବାହାଘର ଠିକ୍ ହେଲା, କାହା ପୁଅ କୋଉଠିକୁ ପଢ଼ିବାକୁ ଗଲା, କିଏ ନୂଆ ଚାକିରି ପାଇଲା, କେଉଁ ପରିବାର ବାହାରକୁ ବୁଲି ଗଲେ, ସକାଳୁ ସଫେଇବାଲା ଆସିଲା ନା ନାହିଁ, କ୍ଷୀର ବାଲା କେତେ ବେଳେ କ୍ଷୀର ଦେଇକି ଗଲା ଇତ୍ୟାଦି ଇତ୍ୟାଦି। ସୁବିଧା-ଅସୁବିଧା ଆଉ ଭଲ-ମନ୍ଦରେ କଲୋନିରେ ସୁଚିତ୍ରା ମାଉସୀ ଆଗେ ଲୋଡ଼ା। ମାଉସୀ ନ ଥିଲେ କାର୍ଯ୍ୟକ୍ରମଟି ଅଧାପନ୍ତରିଆ ଲାଗେ, ସେଥି ପାଇଁ ପଡ଼ିଶା ଘର ରଥ ବାବୁ କହନ୍ତି ସୁଚିତ୍ରା ‘‘କେତେ ଗଣ୍ଡାରେ କଡ଼େ’’।
ଗଲା କିଛି ଦିନ ହେଲା ପରଲୋକଗତ ସ୍ବାମୀର ଚାକିରି ପାଇଥିବା ମହିଳା ସଫେଇ ବାଲା ସାଙ୍ଗରେ ଆସୁଥିବା ଶାନ୍ତଶିଷ୍ଟ ପୁଅଟିକୁ ଦେଖି ମାଉସୀ ପଚାରିଲେ, ‘ଆରେ ଏ ପୁଅ କ’ଣ ସବୁ ଦିନ ତୋ ସାଙ୍ଗରେ ଆସୁଛି? ପଢ଼ାପଢ଼ି ଆଉ କରୁନି ନା କ’ଣ?’ ଉତ୍ତରରେ ସଫେଇବାଲା କହିଲା, ‘ନାଇଁମ ମା’, ଖରା ଛୁଟି ହୋଇଛି ତ, ପୁଅ ମୋତେ କାମରେ ସାହାଯ୍ୟ କରିବାକୁ ଆସୁଛି।’ 
ମାଉସୀ ମନେ ମନେ ଖୁସି ହେଲେ ଓ ଭାବିଲେ ଯାହା ହେଉ ପାଠ ପଢୁଥିବା ପୁଅଟି କିଛି ସଂକୋଚ ନ କରି ମା’କୁ କାମରେ ସାହାଯ୍ୟ କରିବାକୁ ଆସୁଛି। 
ପ୍ରତିଦିନ ଦେଖା ହେଲେ ମାଉସୀ ଖୁସିରେ କିଛି ନା କିଛି ପୁଅଟିକୁ ଦିଅନ୍ତି। ସେଦିନ କିନ୍ତୁ ଅନ୍ୟ ଏକ ସଫେଇ ବାଲାର ପାଟି ଶୁଣି ମାଉସୀ ବାହାରକୁ ଆସି ପଚାରିଲେ, ‘ଆରେ, ଆମ ଅଳିଆ ନବାବାଲା କୁଆଡ଼େ ଗଲା କି?’ ଉତ୍ତରରେ ସିଏ କହିଲା, ‘ମା’ କାଲି ଯେଉଁ ଅଦିନ ଝଡ଼ ବର୍ଷା ହେଲା, ସେତିକି ବେଳେ ମା’-ପୁଅ ଘରକୁ ଫେରୁଥିଲେ। କଲୋନି ଶେଷରେ ଥିବା ବର ଗଛର ଡାହି ଭାଙ୍ଗି ଉପରେ ପଡ଼ିଲାରୁ ପୁଅଟିର ହାତ ଭାଙ୍ଗି ଯାଇଛି। ସିଏ ଏଇନେ କିଛି ଦିନ ପାଇଁ ଆସିବ ନାହିଁ। ମୁଁ ଆସିବି।’ ଏହା ଶୁଣି ମାଉସୀଙ୍କୁ ଭାରି ବ୍ୟସ୍ତ ଲାଗିଲା। ମନେ ମନେ ଭାବୁଥାନ୍ତି ତା’ର ଠିକଣା ଜଣା ଥିଲେ ଯାଇ ଥରେ ଦେଖି ଆସନ୍ତେ। 
ତେବେ, କିଛି ଦିନ ପରେ ପୁଣି ସେହି ମହିଳା ସଫେଇ ବାଲା ଆସିଲା। ତା’ ପାଖକୁ ଯାଇ ତା’ର ପୁଅ କେମିତି ଅଛି ବୋଲି ମାଉସୀ ପଚାରିଲେ। ସଫେଇ ବାଲା କହିଲା, ‘ମା’ ପୁଅ ତ ମୋର ବଞ୍ଚିଗଲା, ଭଙ୍ଗାହାତ ବି ଠିକ୍ ହୋଇଯାଇଛି; କିନ୍ତୁ ସେ ହାତଟି ଆଉ ଭଲ ଭାବେ କାମ କରୁନାହିଁ।’ ସଫେଇ ବାଲାକୁ ସାନ୍ତ୍ବନା ଦେଇ ତା’ର ଠିକଣା ବୁଝି ସେ ଦିନ ସନ୍ଧ୍ୟାରେ ମାଉସୀ ତା’ ଘରେ ପହଞ୍ଚିଲେ ଓ ପୁଅକୁ ନେଇ ଡାକ୍ତରଙ୍କ ପାଖକୁ ଗଲେ। ଡାକ୍ତର କହିଲେ, ‘ହାତଟି ପୂରାପୂରି ଠିକ୍ ହୋଇଯିବ ବୋଲି ଗ୍ୟାରେଣ୍ଟି ଦେଇ ହେବ ନାହିଁ। ଚାରିରୁ ପାଞ୍ଚ ମାସର ‘ଫିଜିଓଥେରାପି’ ପାଇଁ ଲେଖି ଦେଇଛି। ତାକୁ ନେଲା ପରେ ଠିକ୍ ହୋଇଯାଇପାରେ।’ 
ତା’ ତ ହେଲା। କିନ୍ତୁ କଥା ହେଲା, ‘ଫିଜିଓଥେରାପି’ ନେବାକୁ ମାସକୁ ଦଶ ହଜାର ଟଙ୍କା ଲାଗିବ। ଏତେଗୁଡ଼ାଏ ଟଙ୍କା! ଇଏ ତ ଗରିବ ଲୋକ, କ’ଣ କରିିବ? ଏହା ଭାବି ଭାବି ମାଉସୀ ଡାକ୍ତରଙ୍କ ପାଖରୁ ଫେରିଲେ। ବାଟରେ ପୁଅର ମା’ କହିଲା, ‘ଏତେ ଗୁଡ଼ାଏ ପଇସା ମୁଁ କୋଉଠୁ ଖର୍ଚ୍ଚ କରିପାରିବି? ବାପ ନାହିଁ, ଘରେ ଆଉ ଗୋଟେ ପିଲା ଅଛି। ତାକୁ ମଣିଷ କରିବାକୁ ପଡ଼ିବ। ପାଖରେ ଯାହା ସଞ୍ଚୟ ଥିଲା ସବୁ ତ ୟା’ ପାଇଁ ସାରି ଦେଇଛି। ଆଉ ପାରିବିନି।’
ମାଉସୀ କହିଲେ, ‘ଏଡ଼େ ସୁନ୍ଦର ଗୁଣର ପୁଅଟେ। ଏମିତି କହିଲେ ହେବ? ହଉ ଏ ମାସର ପଇସା ମୁଁ ଯୋଗାଡ଼ କରୁଛି, ତୁ ତାକୁ ‘ଫିଜିଓଥେରାପି’ ଦେବା ଆରମ୍ଭ କର।’ ବାଟରେ ଆସିଲା ବେଳେ ମାଉସୀ ଚିନ୍ତା କରୁଥାନ୍ତି- ଆଉ ଚାରି ମାସର ପଇସା କେମିତି ଦେବେ? 
ପର ଦିନ ମାଉସୀ କଲୋନିର କିଛି ଲୋକଙ୍କ ସହିତ ଏ ସଂପର୍କରେ କଥା ହେଲେ ମଧ୍ୟ। କିନ୍ତୁ ସମସ୍ତେ କିଛି ନା କିଛି ବାହାନା କରି ଏଡ଼ାଇ ଗଲେ।
ଆଗକୁ କଲୋନି ମହିଳା ସଂଘର ମାସିକ କାର୍ଯ୍ୟକ୍ରମ। ପ୍ରତି ମାସ ଭଳି କଲୋନିର ମହିଳାମାନେ ଏ ଦିନକୁ ଚାହିଁ ବସିଥାଆନ୍ତି। ତାହା ଏକ ମିଳନ ସ୍ଥଳ, ସେଠି ଆସର ଜମେ। ପ୍ରତି ଥର ଭଳି ଏଥର ମଧ୍ୟ ପୂର୍ବ ଦିନ ବିଉଟି ପାର୍ଲରରେ କଲୋନି ମହିଳାଙ୍କ ଭିଡ଼ ଜମିଲା। ଏଇ ଦିନ ସମସ୍ତେ ମନ ଖୁସିରେ ପାର୍ଲରରେ ଏକାଠି ହୁଅନ୍ତି। ରୂପଚର୍ଯ୍ୟା ପରେ ଗପସପ କରି ଫେରନ୍ତି। ଫେରିଲା ବେଳେ ମାଉସୀଙ୍କ ସହିତ ଦେଖା ହୁଏ। ସେ ତ ମୁଖ୍ୟ ଉଦ୍ୟୋକ୍ତା। ପର ଦିନ କାର୍ଯ୍ୟକ୍ରମ ନେଇ ଟିକିଏ ଆଲୋଚନା ବି ହୋଇଯାଏ। 
ସେ ଦିନ ବି ମାଉସୀଙ୍କ ସାଙ୍ଗରେ ଦେଖା ହେଲା, କିନ୍ତୁ ମାଉସୀ ଟିକିଏ ଆନମନା ଥିବା ଭଳି ଲାଗିଲା। ମାଉସୀ ଟିକିଏ ଅପ୍ରତିଭ ହେଲା ଭଳି ହୋଇ ସାଙ୍ଗମାନଙ୍କୁ କହିଲେ, ‘ମୋର ପ୍ରସ୍ତାବଟିଏ ଅଛି, କହିବି? ରଖିବ!’
କଲୋନିର ମହିଳାମାନେ ଉତ୍ସୁକତାର ସହିତ ଚାହିଁ ରହିଲେ। ମାଉସୀ କହିଲେ, ‘ଦେଖ, ଖରାପ ଭାବିବ ନାହିଁ। ପ୍ରତି ମାସ ଆମେ ଆମ ପ୍ରସାଧନ ଲାଗି ପାର୍ଲରକୁ ୧୫ରୁ ୨୦ ହଜାର ଟଙ୍କା ଦେଇ ଦେଉଛେ! ମୁଁ ଭାବୁଛି ଯଦି ତୁମେମାନେ ରାଜି ହୁଅନ୍ତ, ତେବେ ଅସୁସ୍ଥ ପିଲାଟିର ଚିକିତ୍ସା ପାଇଁ ମାସକୁ ୧୦ ହଜାର ଟଙ୍କା ବି ଯୋଗାଡ଼ କରାଯାଇ ପାରନ୍ତା। ତୁମମାନଙ୍କୁ ନିଜର ଭାବେ ବୋଲି କହିଦେଲି। ତେଣିକି ତୁମର ଇଚ୍ଛା!’ ସେ ଦିନ ମାଉସୀଙ୍କ କଥା ଓ ସ୍ବରରେ କି କୁହୁକ ଥିଲା କେଜାଣି ପ୍ରସ୍ତାବଟି ମହିଳାମାନଙ୍କ ମନକୁ ଛୁଇଁ ଗଲା। 
ତା’ପରେ ପ୍ରତି ମାସ ସଫେଇ ବାଲାକୁ ଦଶ ହଜାର ଟଙ୍କା ଲେଖାଏଁ ଯୋଗାଡ଼ କରି ଦିଆଗଲା। ପାଞ୍ଚ ମାସ ପରେ ପିଲାଟି ସଂପୂର୍ଣ୍ଣ ସୁସ୍ଥ ହୋଇ ମା’ ସହିତ କଲୋନିକୁ ଆସିଲା। ତା’ର ପାଠ ପଢ଼ା ପୁଣି ଆରମ୍ଭ ହୋଇ ଯାଇଥାଏ। ମା’ ଓ ପୁଅ ଘର ଘର ବୁଲି କୃତଜ୍ଞତା ଜଣାଇଲେ ଓ ପୁଅଟି କଲୋନିର ମହିଳାମାନଙ୍କୁ ମୁଣ୍ଡିଆ ମାରିଲା। କ‌ଲୋନିର ମହିଳାମାନଙ୍କ ହୃଦୟ ଯେମିତି ସନ୍ତୋଷ‌େର ଭରି ଯାଉଥିଲା। ସେ ଦିନ ସେମାନଙ୍କ ଚେହେରାରେ ଯେଉଁ ଆନନ୍ଦର ଉଜ୍ଜ୍ବଳତା ଥିଲା, ସେ ଔଜ୍ଜ୍ବଲ୍ୟ କେଉଁ ପ୍ରସାଧନ ଅବା ଦିଅନ୍ତା!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୨୬୯୯୬୫