ମହାମେଘବାହନ ଐର ଖାରବେଳ ସ୍ୱାଇଁ
ଗତ ସପ୍ତାହରେ କାଶ୍ମୀରର ପହଲଗାମ ଠାରେ ଇସଲାମିକ ଆତଙ୍କବାଦୀମାନେ ଅଚାନକ ପର୍ଯ୍ୟଟକମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କୁ ହତ୍ୟା କରିବା ଭଳି ଘଟଣା କେବଳ ଭାରତକୁ ନୁହେଁ, ସାରା ପୃଥିବୀକୁ ଚକିତ କରିଦେଇଛି। କାରଣ ଜାମ୍ମୁ-କାଶ୍ମୀରରେ ଗତ ୨୦୨୪ରେ ନିର୍ବାଚନ ଅତି ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଥିଲା। ସେଥିରେ ଜିଣି ନେସନାଲ କନଫରେନ୍ସର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବା ପରେ ସେ ଧାରା ୩୭୦ ଉଚ୍ଛେଦକୁ ସେମିତି କିଛି ବିରୋଧ କରିନାହାନ୍ତି। ତେଣୁ, ମନେ ହେଉଥିଲା ପାକିସ୍ତାନ ବି ବାସ୍ତବତାକୁ ସ୍ୱୀକାର କରିନେଇଛି, ସୁତରାଂ ସେଠାରେ ପ୍ରତିପାଳିତ ହେଉଥିବା ଆତଙ୍କବାଦୀମାନଙ୍କର ଏଭଳି ଆକ୍ରମଣ ଦେଖିବାକୁ ମିଳିବ ନାହିଁ। ମାତ୍ର ତାହା ଭୁଲ ପ୍ରମାଣିତ ହୋଇଛି। ଏହା ପୂର୍ବରୁ ୨୦୦୦ ମସିହାରେ ଚଟିସିଂହପୁରା, ୨୦୦୧ରେ ଭାରତର ସଂସଦ, ୨୦୦୨ରେ କାଲୁଚକ୍, ୨୦୦୮ରେ ମୁମ୍ବାଇ, ୨୦୧୬ରେ ଉରି ଓ ୨୦୧୯ରେ ପୁଲୱାମା ଆତଙ୍କବାଦୀମାନଙ୍କ ଅପ୍ରତ୍ୟାଶିତ ଓ ସାଂଘାତିକ ଆକ୍ରମଣର ଶିକାର ହୋଇଥିଲା। ତା’ ପରେ ପହଲଗାମ ଆକ୍ରମଣ ହେଉଛି ସବୁଠାରୁ ଅଧିକ ଜଘନ୍ୟ। ତେବେ, ଭାରତ ଯେ ନିରବରେ ବସିଛି, ତାହା ନୁହେଁ। ୨୦୧୬ରେ ହୋଇଥିବା ଉରି ଆକ୍ରମଣର ପ୍ରତିଶୋଧ ‘ସର୍ଜିକାଲ ଷ୍ଟ୍ରାଇକ୍’ ଆକାରରେ ନେଇଛି। ଭାରତର ସୈନ୍ୟମାନେ ଅତି ଅପ୍ରତ୍ୟାଶିତ ଭାବରେ ପାକିସ୍ତାନ ମଧ୍ୟକୁ ପ୍ରବେଶ କରି ସେଠାରେ ଆତଙ୍କବାଦୀ ଶିବିରକୁ ନଷ୍ଟ କରି ଚିହ୍ନିତ ଆତଙ୍କବାଦୀମାନଙ୍କୁ ହତ୍ୟା କରି ଫେରିଆସିଛନ୍ତି। ୨୦୧୯ରେ ପୁଲୱାମାରେ ସି.ଆର୍.ପି.ଏଫ୍.ର ଗାଡ଼ିକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଥିଲା, ଯହିଁରେ ୪୨ଜଣ ସୁରକ୍ଷା କର୍ମଚାରୀ ସହିଦ ହୋଇଥିଲେ। ଏହା ପରେ ଭାରତ ପକ୍ଷରୁ ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ଅତର୍କିତ ବିମାନ ଆକ୍ରମଣ ଦ୍ୱାରା ବୋମାମାଡ଼ କରାଯାଇ ପ୍ରାୟ ୨୦୦ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୦୦ରୁ ଅଧିକ ଲୋକ ନିହତ ହୋଇଥିଲେ। ଏହି ଘଟଣାରେ କେବଳ ଅବଦୁଲ କସାବକୁ ଛାଡ଼ି ସମସ୍ତ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷା ବଳ ହତ୍ୟା କରିଥିଲେ। କସାବ ଜୀବିତାବସ୍ଥାରେ ଧରା ପଡ଼ିଥିଲା, ଯାହାକୁ ବିଚାର ପରେ ଫାଶୀ ଦିଆଯାଇଥିଲା। ୨୦୦୧ରେ ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣରେ ଭାରତର ୨-୩ ଜଣ ସୁରକ୍ଷା କର୍ମୀ ମୃତ୍ୟୁବରଣ କରିଥିଲା ବେଳେ ସମସ୍ତ ୬ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତୀୟ ସୁରକ୍ଷା ବଳ ହାତରେ ପ୍ରାଣ ହରାଇଥିଲେ। ଏହାର ଅର୍ଥ ହେଉଛି ଭାରତ ଉପରେ ଘାତକ ପ୍ରହାର କରି ମନୋବଳ ଭାଙ୍ଗି ଦେବାକୁ ଚାହିଥିବା ସୀମା ପାର ଆତଙ୍କବାଦୀମାନେ କେବେ ହେଲେ ସେଥିରେ ସଫଳ ହୋଇନାହାନ୍ତି। ୧୯୯୯ରେ ପାକିସ୍ତାନୀ ସେନା ଅପ୍ରତ୍ୟାଶିତ ଭାବରେ କାରଗିଲ ଅଂଚଳର କିଛି ପାହାଡ଼କୁ ଦଖଲ କରିନେଇଥିଲେ। କିନ୍ତୁ ସେମାନଙ୍କୁ ସେଠାରୁ ମାରି ହଟାଇ ଦିଆଯାଇଥିଲା। କହିବା ଅନାବଶ୍ୟକ ଯେ ଏ ପର୍ଯ୍ୟନ୍ତ ଯେଉଁ ଆତଙ୍କବାଦୀମାନେ ବାରମ୍ବାର ଏ ଧରଣର ଆକ୍ରମଣ କରୁଛନ୍ତି, ତାହା ପଛରେ ପାକିସ୍ତାନ ସେନାର ପ୍ରଚ୍ଛନ୍ନ ହାତ ଅଛି। ପାକିସ୍ତାନୀ ସେନା ପକ୍ଷରୁ ଏହି ଆତଙ୍କବାଦୀମାନଙ୍କୁ ତାଲିମ ମଧ୍ୟ ଦିଆଯାଉଛି। ୨୦୨୨ରୁ ପାକିସ୍ତାନ ସେନା ବାହିନୀର ମୁଖ୍ୟ ଥିବା ଅସିମ ମୁନିର ଅତୀତରେ କାରଗିଲ ଘଟଣା ସମୟରେ ପାକିସ୍ତାନର କୁଖ୍ୟାତ ଗୁପ୍ତଚର ସଂସ୍ଥା ‘ଆଇ.ଏସ୍.ଆଇ.ର ମୁଖ୍ୟ ଥିଲେ। ସେତେବେଳେ ଜେନେରାଲ ପରଭେଜ ମୁସରଫ ଥିଲେ ସେନାଧ୍ୟକ୍ଷ। ସେ ଥିଲେ କାରଗିଲ ଦଖଲ ପଛର ମୁଖ୍ୟ ନାୟକ ଏବଂ ଏ ଦିଗରେ ମୁନିର ପୂର୍ଣ୍ଣ ପ୍ରାଣରେ ସମର୍ଥନ ଯୋଗାଇଥିଲେ। କାରଗିଲ ଘଟଣା ପରିପ୍ରେକ୍ଷୀରେ ଯେତେବେଳେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହା କାହିଁକି ହୋଇଛି ବୋଲି ପାକିସ୍ତାନର ପ୍ରତିପକ୍ଷ ନୱାଜ ସରିଫଙ୍କୁ ପ୍ରଶ୍ନ କରିଥିଲେ, ସେତିକି ବେଳେ ସରିଫ କହିଥିଲେ ଯେ ସେ ଏ ବିଷୟରେ କିଛି ଜାଣିନାହାନ୍ତି। ଏହା ପାକିସ୍ତନରେ ସମ୍ଭବ। କାରଣ ସେଠାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ବେସାମରିକ ସରକାରର କୌଣସି କର୍ତ୍ତୃତ୍ୱ ନାହିଁ। ସେଠାରେ ସବୁ କ୍ଷମତା ସେନାବାହିନୀ ହାତରେ। ଭାରତ ଭଳି ଦେଶରେ ସରକାରଙ୍କ ବିନା ଅନୁମତିରେ ସେନାବାହିନୀ ଅନ୍ୟ ଦେଶ ମଧ୍ୟରେ ପ୍ରବେଶ କରିବା ଭଳି କଥା ସଂପୂର୍ଣ୍ଣ ଅସମ୍ଭବ। ଗଲା ୨୦ ତାରିଖରେ ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିର ଯେଉଁ ‘ଦ୍ବି-ଜାତୀୟ’ ପ୍ରସଂଗକୁ ପୁଣି ଉଠାଇଥିଲେ, ତାହା ପହଲଗାମର ଆତଙ୍କବାଦୀମାନଙ୍କୁ ଏ ଧରଣର କାଣ୍ଡ ଭିଆଇବାକୁ ପ୍ରରୋଚିତ କରିଥିବ ବୋଲି କୁହାଯାଉଛି। ‘ଦ୍ବି-ଜାତୀୟ’ ତତ୍ତ୍ୱର ଅର୍ଥ ହେଲା ହିନ୍ଦୁ ଏବଂ ମୁମସଲମାନ ଏଭଳି ଦୁଇ ଜାତି, ଯେଉଁମାନେ ପରସ୍ପର ଠାରୁ ସଂପୂର୍ଣ୍ଣ ଅଲଗା ଓ ସେମାନେ ଏକା ସାଂଗରେ ବସବାସ କରିପାରିବେ ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ କାଶ୍ମୀର ହେଉଛି ପାକିସ୍ତାନର ମୁଖ୍ୟ ଧମନୀ। ଏହାକୁ ପାକିସ୍ତାନ ଠାରୁ ଅଲଗା କରାଯାଇପାରିବ ନାହିଁ। ତାଙ୍କ କଥାର ମର୍ମ ହେଉଛି ଏହା ଯେ କାଶ୍ମୀର ପାକିସ୍ତାନର ଏକ ଅଂଶ। କାଶ୍ମୀରରେ ସଂଖ୍ୟା ଗରିଷ୍ଠ ମୁସଲମାନ ବସବାସ କରୁଥିବାରୁ କାଶ୍ମୀର ହେଉଛି ପାକିସ୍ତାନର ପ୍ରାପ୍ୟ। ଦେଶ ସ୍ବାଧୀନ ହେବା ପରେ ଅତର୍କିତ ଆକ୍ରମଣ କରି କାଶ୍ମୀରର ଗୋଟିଏ ଅଂଶକୁ ପାକିସ୍ତାନ ଦଖଲ କରିନେଇଛି, ଯାହାକୁ ପାକ୍ ଅଧିକୃତ କାଶ୍ମୀର(ପିଓକେ) ବୋଲି କୁହାଯାଉଛି। କିନ୍ତୁ ସେଠାରେ ଗଣତନ୍ତ୍ର ନାହିଁ କି ସେଠାରେ ନିର୍ବାଚନ ହେଉନାହିଁ। ଏବେ ସାମାଜିକ ଗଣମାଧ୍ୟମରେ ଏଭଳି ଅନେକ ଭିଡିଓ ଆସୁଛି, ଯେଉଁଥିରେ ପିଓକେର ଲୋକେ ଭାରତ ସହିତ ମିଶିବାକୁ ଚାହାନ୍ତି ବୋଲି କହୁଛନ୍ତି। କାରଣ ଭାରତରେ ଗଣତନ୍ତ୍ର ଅଛି ଏବଂ ଏହା ଅତି ଦ୍ରୂତ ଗତିରେ ବିକାଶ ଲାଭ କରିବାରେ ଲାଗିଛି।
ଅତୀତରେ ଭାରତ ଉପରେ ହୋଇଥିବା ପାକିିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ପ୍ରତିଜବାବ ଭାରତ ଦେଇଛି। ଏଥର ମଧ୍ୟ ଦେବ, ଯାହା ଦୃଷ୍ଟାନ୍ତମୂଳକ ଏବଂ ଅଚାନକ ଭାବେ ହେବ। ଏହି ଆକ୍ରମଣକୁ ପାକିସ୍ତାନ ନାଗରିକମାନଙ୍କର ମଧ୍ୟ ବିଶେଷ ସମର୍ଥନ ନାହିଁ। ପାକିସ୍ତାନର ଲୋକମାନେ ଜାଣିଛନ୍ତି ଯେ ଭାରତ କେବେହେଲେ ନିରବ ହୋଇ ବସିବ ନାହିଁ। ସେଥିପାଇଁ ଭାରତ ଯେଉଁ ପଦକ୍ଷେପମାନ ନେବ, ତା’ ଦ୍ବାରା ସେମାନେ ବହୁତ କ୍ଷତିଗ୍ରସ୍ତ ହେବେ। ଏଣେ ପାକିସ୍ତାନର ଆର୍ଥିକ ସ୍ଥିତି ଅତି ଦୟନୀୟ, ଯାହାର ପ୍ରାଦୁର୍ଭାବ ସେମାନେ ଭୋଗୁଛନ୍ତି। ପହଲଗାମ ଆକ୍ରମଣର ପ୍ରତିକ୍ରିୟା ସ୍ବରୂପ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ସ୍ଥଗିତ କଲାଣି। ଏହା ସୁନିଶ୍ଚିତ ଭାବେ ପାକିସ୍ତାନୀ ସାଧାରଣ ନାଗରିକଙ୍କୁ ହଇରାଣରେ ପକାଇବ। ଜାମ୍ମୁ-କାଶ୍ମୀରରେ ଥିବା ସିନ୍ଧୁ ନଦୀର ଉପନଦୀର ଶଯ୍ୟାକୁ ଖୋଳି ଆହୁରି ଗଭୀର କରିଦେବା ପାଇଁ ଭାରତ ସରକାର ଯୋଜନା କରୁଛନ୍ତି। ଏହା ଫଳରେ ପାକିସ୍ତାନ ମଧ୍ୟକୁ ସିନ୍ଧୁ ନଦୀର ଜଳ ପ୍ରବାହ ସଂକୁଚିତ ହେବ। ଏହା ହେଲେ ସେ ଦେଶର କୃଷି କାର୍ଯ୍ୟ କ୍ଷତିଗ୍ରସ୍ତ ହେବ। ଅବଶ୍ୟ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱାଲ ଭୁଟୋ ଜର୍ଦାରି ଏବେ ଧମକ ଦେଇଛନ୍ତି ଯେ ଯଦି ସିନ୍ଧୁ ନଦୀର ଜଳକୁ ଭାରତ ଅଟକ ରଖେ, ତେବେ ସେ ନଦୀରେ ରକ୍ତର ସ୍ରୋତ ବହିବ। କିନ୍ତୁ, ଏ ଧରଣର ମନ୍ତବ୍ୟ ବାହାସ୍ଫୋଟ ଛଡ଼ା ଆଉ କିଛି ନୁହେଁ।
ଏଠାରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାରା ପୃଥିବୀରେ ପହଲଗାମ ଘଟଣାକୁ ସମ୍ପୂର୍ଣ୍ଣ ଭାବରେ ନିନ୍ଦା କରାଯାଉଛି। ଉରି ପୁଲୱାମାରେ ହୋଇଥିବା ପାକ୍ ସମର୍ଥିତ ଆତଙ୍କବାଦୀ ଆକ୍ରମଣ ଯୋଗୁଁ କୂଟନୈତିକ ଦୃଷ୍ଟିକୋଣରୁ ପାକିସ୍ତାନର ବହୁତ କ୍ଷତି ହୋଇଥିଲା। ପାକିସ୍ତାନ ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଚାଲିଛି, ଏ କଥା ପୃଥିବୀର ସବୁ ରାଷ୍ଟ୍ର ସ୍ବୀକାର କରନ୍ତି। ପ୍ରକାଶ ଥାଉ କି ‘ଫାଇନାନ୍ସିଆଲ ‘ଆକ୍ସନ ଟାସ୍କ ଫୋର୍ସ’ ଭଳି ଏକ ସମ୍ମାନାସ୍ପଦ ଆନ୍ତର୍ଜାତିକ ସଂସ୍ଥା କ୍ରମାଗତ ଭାବେ ପାକିସ୍ତାନକୁ କଳା ଓ ଧୂସର ତାଲିକାରେ ରଖି ଆସୁଛି। ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ରାଷ୍ଟ୍ର ଏଭଳି ଭାବେ ଚିହ୍ନିତ ହୁଅନ୍ତି। ଏଣେ ସାରା କାଶ୍ମୀରରେ ଏ ଧରଣର ଆକ୍ରମଣ ବିରୋଧରେ ଜନମତ ପ୍ରବଳ ହୋଇଛି। କାଶ୍ମୀର ଲୋକେ ‘ହମ୍ ହିନ୍ଦୁସ୍ତାନୀ ହେଁ’ ବୋଲି ଧ୍ୱନି ଦେଇ ରାସ୍ତାକୁ ଓହ୍ଲାଉଛନ୍ତି। ଆଗରୁ ଏମିତି ହୋଇ ନ ଥିଲା। ଧାରା ୩୭୦ର ବିଲୋପନ ପରେ କାଶ୍ମୀରର ସ୍ଥିତି ସାଧାରଣ ବୋଲି ଧାରଣା ହୋଇଥିବାରୁ ସେଠାକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥିଲା। କେବଳ ୨୦୨୪ ମସିହାରେ ସେଠାକୁ ଯାଇଥିଲେ ୨.୪ କୋଟି ପର୍ଯ୍ୟଟକ। ଏହା ଦ୍ବାରା ସେଠାକାର ଲୋକଙ୍କ ଆର୍ଥିକ ସ୍ଥିତି କିଭଳି ସୁଧୁରିଥିବ ତାହା କେବଳ ଅନୁମାନ କରିବା କଥା। ସେମାନେ ଚାହାନ୍ତି ନାହିଁ ଯେ ପୁଣି ଆତଙ୍କବାଦ କାରଣରୁ ପର୍ଯ୍ୟଟକ ନ ଆସନ୍ତୁ ଏବଂ େସମାନଙ୍କ ଆର୍ଥିକ ଅବସ୍ଥା ପୁଣି ଖରାପ ହୋଇଯାଉ। ତେଣୁ ସେଠାକାର ଲୋକେ ଏବେ ଆତଙ୍କବାଦକୁ ପ୍ରଶ୍ରୟ ଦେବେ ନାହିଁ, ଫଳରେ ସେମାନଙ୍କ ପ୍ରଭାବ ଦୂର ହେବ।
ଭାରତ ସୁନିଶ୍ଚିତ ଭାବେ ଏକ ଦୃଢ଼ ଜବାବ ଦେବ। ଆଗରୁ ଉରି ଓ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଛି। ଏବେ ଯାହା ହେବ, ତାହା ପାକିସ୍ତାନ ସକାଶେ ଏକ ପ୍ରାଣଘାତୀ ମାଡ଼ ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୈତିକ ସଂକଟ ସାଙ୍ଗକୁ ସେଠାକାର ଶୋଚନୀୟ ଆର୍ଥିକ ଦୁରବସ୍ଥା ପାକିସ୍ତାନକୁ ଦୁର୍ବଳ ସ୍ଥିତିରେ ରଖିଛି। ଏଣେ ତା’ ସପକ୍ଷରେ ବିଶ୍ବ ସମୁଦାୟର ସମର୍ଥନ ନାହିଁ। ତେଣୁ ଭାରତ ଏଭଳି ଏକ ଦୃଷ୍ଟାନ୍ତମୂଳକ ଜବାବ ଦେବ, ଯେମିତି ଭବିଷ୍ୟତରେ ପାକିସ୍ତାନ ଏଭଳି ଆକ୍ରମଣର ଷଡ଼୍ଯନ୍ତ୍ର ରଚନା କରିବାକୁ ଭରସିବ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୨୦୨୯୦