ସମସ୍ୟା ଜର୍ଜର ପାକିସ୍ତାନର ଭବିଷ୍ୟତ ନେଇ ଆନ୍ତର୍ଜାତିକ ସ୍ତରରେ ଉଦ୍‌ବେଗ ଓ ଆଶଙ୍କା ପ୍ରକାଶ ପାଉଅଛି। ସୋଭିଏତ୍ ୟୁନିୟନ ଓ ଯୁଗୋସ୍ଲାଭିଆ ପରି ଏହା ବିଖଣ୍ଡିତ ହୋଇଯାଇପାରେ ବୋଲି କିଛି ଭବିଷ୍ୟବାଣୀ ପ୍ରକାଶ ହେଲାଣି। ଫଳତଃ ଆଉ କୌଣସି ଦେଶ ପାକିସ୍ତାନକୁ ଋଣ ଦେବାକୁ ଚାହୁଁନାହାନ୍ତି। ଋଣ ଦେଲେ ପରିଶୋଧ ପାଇବାର ଅାଶା ନାହିଁ। ଯେଉଁମାନେ ଋଣ ଦେଇଛନ୍ତି ସେମାନେ ମଧ୍ୟ ପରିଶୋଧ ସମ୍ବନ୍ଧରେ ସନ୍ଦିହାନ। ପାକିସ୍ତାନ ଗୋଟିଏ ଋଣଗ୍ରସ୍ତ ରାଷ୍ଟ୍ର। ‘‘ଋଣ କୃତ୍ୟା ଘୃତମ ପିବେତ’’ ‌େସ ଦେଶର ନୀତି। ଅଧିକ ଋଣ କରି ପୂର୍ଣ୍ଣ ଋଣ ପରିଶୋଧ ହୁଏ। ବର୍ତ୍ତମାନ ବଜେଟର ଶତକଡ଼ା ୫୨ ଭାଗ ଋଣ ପରିଶୋଧ ନିମନ୍ତେ ଉଦ୍ଦିଷ୍ଟ। ପାକିସ୍ତାନକୁ ଅତୀତରେ ୧୯ ଥର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆପଦ ସମ‌ୟରେ ଋଣ ପ୍ରଦାନ କରିଛି କିନ୍ତୁ ବର୍ତ୍ତମାନ ଋଣ ପ୍ରଦାନ ନିମନ୍ତେ କଠିନ ସର୍ତ୍ତମାନ ଆରୋପ କରୁଅଛି, ଯାହାକି ପାକିସ୍ତାନୀ ଶାସକ ଗୋଷ୍ଠୀ ପକ୍ଷରେ ଗ୍ରହଣୀୟ ନୁହେଁ। ଆମେରିକାର ଅନୁଦାନ, ସାଉଦୀ ଆରବ, ୟୁ.ଏ.ଇ.ର ଋଣ ତଥା ଅନୁଦାନ ଓ ଚୀନ୍‌ର ଋଣରେ ପରିପୁଷ୍ଟ ପାକିସ୍ତାନୀ ଶାସକ ଗୋଷ୍ଠୀ ଆଭ୍ୟନ୍ତରୀଣ ସମ୍ବଳ ସଂଗ୍ରହରେ ଆଗ୍ରହୀ ନୁହନ୍ତି। ପାକିସ୍ତାନର ଶାସକ ଗୋଷ୍ଠୀ ହେଲେ ସାମରିକ ବାହିନୀ, ଅମଲାତନ୍ତ୍ର, ଜମିଦାର ଓ ଶିଳ୍ପପତି। ସେମାନେ ତାଙ୍କ ବ୍ୟବହୃତ ପଦାର୍ଥ ଉପରେ ଓ ନିଜ ଉପରେ ପ୍ରତ୍ୟକ୍ଷ କର ବସିବା ଚାହାଁନ୍ତି ନାହିଁ। ଉଦାହରଣ ସ୍ବରୂପ, ଦେଶର ତିରୋଟ ଅବସ୍ଥାରେ ଗଲାବର୍ଷ ଚା ଆମଦାନି ହ୍ରାସ ପାଇଥିଲେ ମଧ୍ୟ ମୋଟର ଗାଡ଼ି ଆମଦାନି ହ୍ରାସ ପାଇନାହିଁ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଋଣ ମଞ୍ଜୁର କଲେ, ଚୀନ୍‌, ସାଉଦି ଆରବ ଓ ୟୁ.ଏ.ଇ. ଋଣ ଦେବେ ବୋଲି ଆଶ୍ବାସନା ପ୍ରଦାନ କରିଛନ୍ତି। ଦେଶରକ୍ଷା ବିଭାଗର ଖର୍ଚ୍ଚ କାଟ, ପାକିସ୍ତାନୀ ମୁଦ୍ରାର ଡଲାର ସହିତ ମୂଲ୍ୟାୟନ, ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଓ ପ୍ରତ୍ୟକ୍ଷ କର ହାର ବୃଦ୍ଧି ଆଦି ମୁଦ୍ରାପାଣ୍ଠିର ସର୍ତ୍ତଗୁଡ଼ିକ ପାକିସ୍ତାନର ଶାସକ ଗୋଷ୍ଠୀ ପକ୍ଷ‌େର ଗାତ୍ରଦାହ ସୃଷ୍ଟି କରୁଛି। ଦେଶ ବର୍ତ୍ତମାନ ଏକ ଅସ୍ଥିର ଅବସ୍ଥା ମଧ୍ୟ ଦେଇ ଗତି କରୁଅଛି ଓ ‌ଏହାର ଭବିଷ୍ୟତ ଆଶଙ୍କାମୟ।
ଆନ୍ତର୍ଜାତିକ ମାନଦଣ୍ଡରେ ପାକିସ୍ତାନ ଏକ ମଧ୍ୟମ ବର୍ଗର ବିକାଶଶୀଳ ରାଷ୍ଟ୍ର। ଭୂରାଜନୈତିକ ଦୃଷ୍ଟିକୋଣରୁ ଏହାର ଅବସ୍ଥିତି ଗୁରୁତ୍ବପୂର୍ଣ୍ଣ। ଏହାର ମାନବ ସଂପଦ ସୁଗଠିତ, ବଳବାନ ଓ ଦେଶ ଉତ୍ତମ ଧରଣର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ଅଞ୍ଚଳର ଜଳସେଚିତ ଜମି, କରାଚିର ବ୍ୟବସାୟିକ ପରଂପରା, ବେଲୁଚିସ୍ତାନର ଖଣିଜ ସଂପଦ ଓ ପ୍ରାକୃତିକ ଗ୍ୟାସ ଓ ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳ ଅଞ୍ଚଳର ଅବସ୍ଥିତି ହେତୁ, ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ପାକିସ୍ତାନ ହିଁ ଏକମାତ୍ର ଜଣାଶୁଣା ପରମାଣୁ ମୁସଲିମ ରାଷ୍ଟ୍ର ଓ ପୃଥିବୀର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ୍‌ ସହିତ ପାକିସ୍ତାନର ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ରହିଛି। ଯଦିଓ ଆମେରିକା ସହିତ ସଂପର୍କରେ କିଛିଟା ଶିଥିଳତା ପରିଲକ୍ଷିତ ହୋଇଛି, ତଥାପି ସଂପର୍କରେ ବିରୋଧାଭାଷ ନାହିଁ। ବହୁ ଶିକ୍ଷିତ ପାକିସ୍ତାନୀ ଆମେରିକା, ଇଂଲାଣ୍ଡ ଓ କାନାଡାରେ ବୌଦ୍ଧିକ କାର୍ଯ୍ୟରେ ନିଯୁକ୍ତ ଓ ମଧ୍ୟପ୍ରାଚ୍ୟରେ ବହୁସଂଖ୍ୟକ ପାକିସ୍ତାନୀ କୁଶଳୀ ଓ ଅର୍ଦ୍ଧକୁଶଳୀ କାରିଗର କାର୍ଯ୍ୟରତ ଯେଉଁମାନେ ଦେଶକୁ ବହୁ ବିଲିଅନ ଡଲାର ପ୍ରେରଣ କରୁଛନ୍ତି। ପାକିସ୍ତାନର ସେନାବାହିନୀ ମୁସଲିମ ଜଗତର ସବୁଠାରୁ ବଳଶାଳୀ ଓ ଆଧୁନିକ। ପାକିସ୍ତାନର ଗୋଇନ୍ଦା ସଂସ୍ଥାମାନେ ଆଧୁନିକ ଓ ସିଆଇଏ ପ୍ରଶିକ୍ଷଣ ପ୍ରାପ୍ତ। ପାକିସ୍ତାନ ପାଖରେ ଏଫ୍‌-୧୬ ବିମାନ, ଏଡବ୍ଲ୍ୟୁଏସିଏସ୍ ବିମାନ, ଏମ୍‌-୪୮ ଟ୍ୟାଙ୍କ ଓ ଅତ୍ୟାଧୁନିକ ବୁଡ଼ାଜାହାଜ ମହଜୁଦ। ଦେଶର କୂଟନୈତିକ ସେବା ବେଶ୍‌ ଦକ୍ଷ ଯାହା କେତେକ ରାଷ୍ଟ୍ରଙ୍କୁ ସବଳତାର ସହିତ ବୁଝାଇ ପାରିଛି ଯେ ଭାରତ କାଶ୍ମୀର ପରି ଏକ ମୁସଲମାନ ବହୁଳ ଅଞ୍ଚଳକୁ ଜବରଦସ୍ତ ମାଡ଼ି ବସିଛି। ଏ ସମସ୍ତ ସକାରାତ୍ମକ କାରକ ସତ୍ତ୍ବେ ବିଶ୍ବ ଦରବାରରେ ବର୍ତ୍ତମାନ ପାକିସ୍ତାନକୁ ଏକ ବିଫଳ ରାଷ୍ଟ୍ର ବୋଲି ବ‌ିବେଚନା କରାଯାଉଅଛି। ନିଜର ସକାରାତ୍ମକ ଉପାଦାନଗୁଡ଼ିକୁ ଉପଯୁକ୍ତ ଭାବେ ବିନିଯୋଗ କରିବାରେ ପାକିସ୍ତାନ ସମର୍ଥ ହୋଇନାହିଁ।
ଅବିଭକ୍ତ ଭାରତରେ ଇଂରେଜୀ ଶିକ୍ଷାପ୍ରାପ୍ତ ମୁସଲିମ ମଧ୍ୟବିତ୍ତ ଶ୍ରେଣୀ, ହିନ୍ଦୁ ମଧ୍ୟବିତ୍ତ ଶ୍ରେଣୀ ସହିତ ପ୍ରତିଯୋଗିତା କରି ନ ପାରି ନିଜ ନିମନ୍ତେ ଏକ ରାଷ୍ଟ୍ର ଦାବି କଲା ଓ ସେ ଅଭୀଷ୍ଟ ସାଧନ ନିମନ୍ତେ ଧର୍ମ ଓ ସାମନ୍ତବାଦୀ ଶକ୍ତିର ସାହାଯ୍ୟ ନେଲା। ଦ୍ବିତୀୟ ମହାଯୁଦ୍ଧ ପରେ ଧର୍ମ ଭିତ୍ତିରେ ଇସ୍ରାଏଲ ଓ ପାକିସ୍ତାନ ଗଠନ ହେଲେ ହେଁ, ଇସ୍ରାଏଲ ଧର୍ମକୁ ରାଜ୍ୟ ଶାସନରେ କୌଣସି ପ୍ରାଧାନ୍ୟ ପ୍ରଦାନ କରିନାହିଁ। ପାକିସ୍ତାନର ଶ୍ରେଷ୍ଠ (ଏଲିଟ୍)ମାନେ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିରେ ଶିକ୍ଷାପ୍ରାପ୍ତ ଓ ପୁଞ୍ଜିବାଦୀ ପଦ୍ଧତିର ଭୋଗବାଦରେ ବିଶ୍ବାସୀ ହେଲେ ମଧ୍ୟ ଦେଶ ପରିଚାଳନାରେ ଧର୍ମର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ବିଶ୍ବାସୀ। ଧର୍ମର ପ୍ରଭାବ ଦେଶରେ ବୃଦ୍ଧି ପାଇ ଅ‌ହମେଦିଆଙ୍କୁ ଅଣ ମୁସଲିମ୍ ଘୋଷଣା ସଂଖ୍ୟାଲଘୁଙ୍କ ପ୍ରତି ଅବହେଳା ଓ ଅତ୍ୟାଚାର, ସିଆ-ସୁନ୍ନୀ ସଂଘର୍ଷ, ସରିଆତ କୋର୍ଟର ପ୍ରତିଷ୍ଠା ଓ ତାଲିବାନର ସୃଷ୍ଟି ଆଦି ବିଭେଦକାରୀ ଶକ୍ତି ସମାଜରେ ମୁଣ୍ଡ ଟେକିଛି। ଏ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ପାକିସ୍ତାନ ସମାଜ ଓ ରାଷ୍ଟ୍ର ଆଧୁନିକତାର ସ୍ବାଦ ପ୍ରାପ୍ତ ହୋଇପାରିବ ନାହିଁ।
ପାକିସ୍ତାନ ଏ ପର୍ଯ୍ୟନ୍ତ ଆତ୍ମ ପରିଚୟ ଅନ୍ବେଷଣରେ ମଗ୍ନ। ପାକିସ୍ତାନୀ ଜାତୀୟତାବାଦ ଏ ଯାବତ ସୃଷ୍ଟି ହୋଇପାରିନାହିଁ ଓ ଚାରିଭାଗରୁ ତିନିଭାଗ ପ୍ରଥମେ ନିଜକୁ ମୁସଲମାନ ଓ ପରେ ପାକିସ୍ତାନୀ ବୋଲି ମନେ କରନ୍ତି। ଦେଶରେ ଶତକଡ଼ା ୯୭ ଭାଗ ଲୋକ ମୁସଲମାନ ହେଲେ ମଧ୍ୟ ଭାରତୀୟ ଉପମହାଦେଶର ମୁସଲମାନ ବୋଲି ନିଜକୁ ମନେକରି, ଏକ ସଂଖ୍ୟାଲଘୁ ମାନସିକତା ସେମାନଙ୍କୁ ଗ୍ରାସ କରିଛି। ଭାରତ ଏକ ହିନ୍ଦୁ ରାଷ୍ଟ୍ର ନ ହୋଇ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହେବା ଧାରଣାକୁ ସେମାନେ ହୃଦୟଙ୍ଗମ ବା ବିଶ୍ବାସ କରିପାରନ୍ତି ନାହିଁ।
ନିଜ ଠାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ୫/୬ ଗୁଣ ବଡ଼ ଓ ବଳଶାଳୀ ଭାରତ ସଙ୍ଗରେ ସମତା ଲାଭ କରିବାକୁ ଉଦ୍ୟମ କରି ଓ କାଶ୍ମୀର ଅଧିକାରର ଅଧୁରା ସ୍ବପ୍ନକୁ ସାକାର କରିବା ନିମନ୍ତେ ପାକିସ୍ତାନ ଏକାଧିକ ବାର ଭାରତ ସହିତ ଯୁଦ୍ଧରେ ବ୍ୟାପୃତ ହୋଇ ପରାସ୍ତ ହୋଇଛି ଓ ପ୍ରତ୍ୟେକ ପରାସ୍ତ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି। ପ୍ରତ୍ୟେକ ଯୁଦ୍ଧ ପରେ ପୁଣି ଆମେରିକା ଓ ଚୀନ ପାଖରେ ଶରଣ ପଶି ଦେଶର ସାର୍ବଭୌମତ୍ବକୁ ଏକ ପ୍ରକାର ଜଳାଞ୍ଜଳି ଦେଇଛି। ୧୯୭୧ ମସିହାର ପରାଜୟର ପ୍ରତିଶୋଧ ନେବା ଆଶା ଏକ ଅନିର୍ବାଣ ଜ୍ବଳନ୍ତ ଶିଖା। ସେଥିଯୋଗୁଁ ଦେଶର ବଜେଟ୍‌ର ପ୍ରାୟ ୩୦ ଭାଗ ଦେଶରକ୍ଷା ବାହିନୀ ନିମନ୍ତେ ବ୍ୟୟ ହେଉଅଛି। ଦେଶରକ୍ଷା ବ୍ୟୟ ଓ ଋଣ ପରିଶୋଧ ପରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି ଜନହିତକର କାର୍ଯ୍ୟ ହୋଇପାରୁନାହିଁ ଓ ଗ୍ରାମାଞ୍ଚଳ ଅବହେଳିତ ଅବସ୍ଥାରେ ଅଛି।
ଦେଶର ବିଭିନ୍ନ ଗୋଷ୍ଠୀ ଯଥା- ପଞ୍ଜାବୀ, ପଠାନ, ବେଲୁଚି, ସିନ୍ଧୀ ଓ ମୋହାଜିରମାନଙ୍କ ମଧ୍ୟରେ ଏକ ସହଯୋଗର ବାତାବରଣ ସୃଷ୍ଟି ହୋଇପାରୁନାହିଁ। ଦେଶର ସଂଖ୍ୟାଗରିଷ୍ଠ ପଞ୍ଜାବୀ (୫୬%) ସମସ୍ତ ପ୍ରକାର ସୁବିଧା ଓ କ୍ଷମତାର ଅଧିକାରୀ ଓ ଅନ୍ୟମାନଙ୍କୁ ଶୋଷଣ କରୁଛନ୍ତି। ଭାରତ ବିରୋଧୀ ମନୋଭାବ ସୃଷ୍ଟି ସମସ୍ତଙ୍କୁ ଏକତ୍ର କରିବାର ଏକମାତ୍ର ଅସ୍ତ୍ର। ଦେଶର ରାଷ୍ଟ୍ର ଭାଷା ଊର୍ଦ୍ଦୁ କାହାର ମାତୃଭାଷା ନୁହେଁ। ଏହା ମୋହାଜିରମାନଙ୍କର ଭାଷା। ମୋହାଜିରମାନେ ଜିନ୍ନା-ଲିଆକତଙ୍କ ନିଧନ ପରେ କକ୍ଷଚ୍ୟୁତ ହୋଇ ବିଦେଶରେ ଯାଇ ବାସ କରୁଛନ୍ତି ଓ ଦେଶ ବିଭାଜନ କାହିଁକି କରାଇଲେ ବୋଲି ଅନୁତାପ କରୁଛନ୍ତି। ଜିନ୍ନା ଥିଲେ ଜଣେ ସିଆ ଓ ମୋହାଜିର। ବର୍ତ୍ତମାନ ସେ ଦୁଇ ଗୋଷ୍ଠୀଙ୍କର ଦେଶରେ କୌଣସି ଗୁରୁତ୍ବ ନାହିଁ। ଏକ ବ୍ରିଟିସ୍‌ କାଉନସିଲ ଆକଳନ ଅନୁସାରେ ଦେଶରେ ୯୦% ଲୋକଙ୍କର ଶାସନ କାଳ ଉପରେ ବିଶ୍ବାସ ନାହିଁ ଓ ଶତକଡ଼ା ୮୦ ଭାଗ ଲୋକ ଦେଶ ଠିକ୍‌ ବାଟରେ ଚାଲୁନାହିଁ ବୋଲି ଭାବନ୍ତି। ଆ‌େମରିକାର ପ୍ରେରଣାରେ ପାକିସ୍ତାନ ଆଫଗାନିସ୍ତାନରେ ରୁଷିଆକୁ ପ୍ରତିହତ କରିବା ନିମନ୍ତେ ସନ୍ତ୍ରାସବାସୀ ଓ ତାଲିବାନର ସୃଷ୍ଟି କଲା। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଅପସାରଣ ପରେ ଓ ସେଠାରେ ତାଲିବାନ ସରକାର ପ୍ରତିଷ୍ଠିତ ହେଲାପରେ, ସନ୍ତ୍ରାସବାଦୀମାନେ ଓ ପାକିସ୍ତାନୀ ତାଲିବାନମାନେ ଦେଶରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଦେଶରେ ବେକାରି ଓ ଆର୍ଥିକ ଦୁରବସ୍ଥା ହେତୁ ପ୍ରତ୍ୟେକ ପ୍ରଦେଶରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ମୁଣ୍ଡ ଟେକିଲାଣି। ‌େବଲୁଚିସ୍ତାନ ସରକାର ତାଙ୍କ କର୍ମଚାରୀମାନଙ୍କୁ ମାସିକ ଦରମା ଦେଇପାରୁନାହାନ୍ତି ଓ ସେଥିଲାଗି କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛନ୍ତି। ଆଫଗାନିସ୍ତାନ ତାଲିବାନ ସରକାର ବର୍ତ୍ତମାନ ଆର୍ଥିକ ସାହାଯ୍ୟ ଚାହାନ୍ତି ଯାହା ପୂରଣ କରିବା ପାକିସ୍ତାନର ସାମର୍ଥ୍ୟ ବାହାରେ। ତେଣୁ ସେମାନେ ଆଉ ପାକିସ୍ତାନର ବଡ଼ଭାଇପଣିଆକୁ ଗ୍ରହଣ ନ କରି, ପାକିସ୍ତାନର ପଠାନ ଅଧ୍ୟୁଷିତ ଅଞ୍ଚଳକୁ ନିଜ ଦେଶ ସଙ୍ଗେ ମିଶାଇବା ନିମନ୍ତେ ସେ ଅଞ୍ଚଳରେ ଆନ୍ଦୋଳନ ଉସୁକାଉଛନ୍ତି।
ଏ ସମସ୍ତ ସମସ୍ୟାକୁ ପ୍ରତିହତ କରିବା ନିମନ୍ତେ ରାଜନୈତିକ ଦଳମାନଙ୍କର ସାମର୍ଥ୍ୟ ନାହିଁ। ବାରମ୍ବାର ସାମରିକ ବିଦ୍ରୋହ ହେତୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ଲାଭ କରିପାରିନାହିଁ ଓ ରାଜନୈତିକ ଦଳ ମାନଙ୍କର ‌େଚର ଲାଗିନାହିଁ। ରାଜନୈତିକ ନେତାମାନେ ପ୍ରାୟ ସମସ୍ତେ ସାମନ୍ତବାଦୀ ପରିବାରର, କେବଳ ସରିଫ ଜଣେ ଶିଳ୍ପପତି ପରିବାରର। ମିଲିଟାରି ଆଶୀର୍ବାଦ ପ୍ରାପ୍ତ ଦଳ ନିର୍ବାଚନରେ ଜୟଲାଭ କରି ଶାସନ କ୍ଷମତା ଦଖଲ କଲେ ଓ ନିଜର ସ୍ବତନ୍ତ୍ରତା ପ୍ରଦର୍ଶନ କରିବାକୁ ଉଦ୍ୟମ କଲେ ଗାଦିଚ୍ୟୁତ ହୁଏ। ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ପୂରା ପାଞ୍ଚ ବର୍ଷ କାଳ ଶାସନରେ ରହିପାରିନାହାନ୍ତି। ବର୍ତ୍ତମାନ ଦେଶର ସର୍ବାଧିକ ଜନପ୍ରିୟ ନେତା ଇମ୍ରାନ୍‌ ଖାଁ, ଆଉ ମିଲିଟାରି ଆଶୀର୍ବାଦ ପ୍ରାପ୍ତ ନୁହନ୍ତି। ତେଣୁ ଆସନ୍ତା ନିର୍ବାଚନ ପୂର୍ବରୁ ତାଙ୍କୁ କାରାରୁଦ୍ଧ କରାଯିବା ସମ୍ଭବ। ବର୍ତ୍ତମାନ ମିଲିଟାରି ଶାସନ ପ୍ରତିଷ୍ଠାର ସମସ୍ତ କାରକ ଉପସ୍ଥିତ ଥିଲେ ମଧ୍ୟ, ଏ ସମସ୍ତ ସମସ୍ୟାକୁ ମୁକାବିଲା କରିପାରିବ ନାହିଁ ବୋଲି ଆକଳନ କରି, ମିଲିଟାରି ପ୍ରତ୍ୟକ୍ଷ ଶାସନ ଗ୍ରହଣ ନ କରି, ଆସନ୍ତା ନିର୍ବାଚନରେ ଏକ ସଖୀକଣ୍ଢେଇ ସରକାର ବୋଧହୁଏ କରାଇବ।
ପାକିସ୍ତାନକୁ ଏକକ ଭାବରେ ତିଷ୍ଠି ରହିବାକୁ ହେଲେ ତା’ର ମନୋଭାବ ଓ ଦୃଷ୍ଟିକୋଣରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ। ଭାରତ ସହ ପ୍ରତିଦ୍ବନ୍ଦ୍ବିତା ତ୍ୟାଗ କରି, ନିଜର ମଧ୍ୟମ ବର୍ଗର ବାସ୍ତବତାକୁ ଗ୍ରହଣ କଲେ, ପାକିସ୍ତାନ ନିଜର ସମସ୍ୟାଗୁଡ଼ିକୁ ମୁକାବିଲା କରିବାକୁ ସମର୍ଥ ହୋଇପାରେ।
ମୋ: ୯୯୩୭୪୨୨୫୨୧