ବର୍ଷକରୁ ଅଧିକ ସମୟ ହେଲା ମନ ଗଭୀର ଭାବରେ ଆଘାତ ପାଇଛି। କାନରେ ୟୁକ୍ରେନ୍ର ଚିତ୍କାର ପ୍ରତିଧ୍ବନିତ ହେଉଛି। ନିଜର ଅସହାୟତାର ତୀକ୍ଷ୍ଣ ଭାବନା ଜାରି ରହିଛି। ଏ ଲଜ୍ଜା ବି କିଛି କମ୍ ବାଧୁନି କି, ଆମ ଦେଶ ୟୁକ୍ରେନ୍ ନାଗରିକଙ୍କର ଜଘନ୍ୟ ହତ୍ୟାରେ ଭାଗୀଦାର ସାଜିଛି ଏବଂ ୟୁକ୍ରେନ୍ ଓ ରୁଷିଆରେ ବହୁଥିବା ରକ୍ତରୁ ତେଲ ଛାଣି ଜମା କରି ଚାଲିଛି। ଏ ସବୁ ଭିତରେ ୨୦୨୩ ଅକ୍ଟୋବର ୭ ଆସିଗଲା। ପାଲେଷ୍ଟାଇନ୍ର ହମାସ୍ ଦ୍ବାରା ଇସ୍ରାଏଲ୍ ଉପରେ ଏମିତି ପାଶବିକ ଅତ୍ୟାଚାର ହେଲା, ଯାହା ଲଜ୍ଜାରେ ନଇଁଥିବା ମୁଣ୍ଡ ଉପରେ ଟନ୍ ଟନ୍ ବୋଝ ଲଦିଦେଲା। ଲଜ୍ଜାରେ ଏ ମୁଣ୍ଡ ଲଗାତାର ତଳକୁ ନଇଁଚାଲିଛି, କାରଣ ଏହା କ୍ରୋଧ ନୁହେଁ, ବରଂ ଆତ୍ମଗ୍ଳାନିର ବୋଝ। ଅସହମତି, ବିବାଦ, କ୍ରୋଧ, ପ୍ରତିଦ୍ବନ୍ଦ୍ବିତା, ପ୍ରତିଶୋଧ, ଘୃଣା, କାପୁରୁଷତା ଓ କ୍ରୂରତା- ଏସବୁର ନିଜ ନିଜ ସ୍ଥାନ ରହିଛି, ତେବେ ମାନବିକତା ପାଇଁ ବି ଜାଗା ରହିବା ଦରକାର ନା! ସଂକୁଚିତ ହୋଇ ଚାଲିଥିବା ଏ ଜାଗାରେ ଏବେ ନିଃଶ୍ବାସ ନେବା ମଧ୍ୟ କଷ୍ଟ।
ସମଗ୍ର ବିଶ୍ବକୁ ପ୍ରକୃତି ଦଂଶି ଚାଲିଛି। ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ପୃଥିବୀକୁ ନଷ୍ଟ କରି ଚାଲିଛି। ଏଥିରୁ ସ୍ପଷ୍ଟ ହେଉଛି କି, ପୃଥିବୀ ପ୍ରତି କରାଯାଇଥିବା ଦୁର୍ବ୍ୟବହାରର ସେ ଗୋଟିଏ ପରେ ଗୋଟିଏ ପ୍ରତିଶୋଧ ନେଉଛି। ତାହା ତ ଏବେ ବନ୍ଦ କରି ହେବ ନାହିଁ। ସାରା ଦୁନିଆରେ ଲୋକେ ଯନ୍ତ୍ରଣା ଭୋଗୁଛନ୍ତି। ସମଗ୍ର ବିଶ୍ବରେ ଶାସକମାନେ ଏବେ ନରଖାଦକ ପରିଣତ ହୋଇଯାଇଛନ୍ତି। ଏହା ହେଉଛି ଆମ ସଭ୍ୟତାର ସବୁଠୁ ଅନ୍ଧକାର ଗୁମ୍ଫା। ଏହାକୁ ଆମେ କେବେ ଓ କେମିତି ଅତିକ୍ରମ କରିବା? ଉତ୍ତର ଦେବ କିଏ?
ପାଲେଷ୍ଟାଇନ୍-ଇସ୍ରାଏଲ୍ ସମସ୍ୟାର ଇତିହାସ ମାନବିକତାର ମୂର୍ଖତାର ଇତିହାସ ପରି ବହୁତ ଲମ୍ବା ଓ ପୁରୁଣା। ଏହାକୁ ପୁନରାବୃତ୍ତି କରିବାର ସମୟ ନାହିଁ। ସଂଖ୍ୟା ଓ ତାରିଖ ଆଉ ପ୍ରାସଙ୍ଗିକ ନୁହେଁ। କରୋନା ଆକଳନ ପରି ଏହି ସଂଖ୍ୟାଗୁଡ଼ିକ ମଧ୍ୟ ସତ କହନ୍ତି କମ୍, ଲୁଚାନ୍ତି ବେଶୀ। ହମାସ୍ ଯେପରି ଇସ୍ରାଏଲ ଉପରେ ଆକ୍ରମଣ କଲା, ତାହା ହେଉଛି ତା’ର ମୂର୍ଖତା, ହୃଦୟହୀନତା ଓ ଅଦୂରଦର୍ଶିତାର ପ୍ରମାଣ। ହମାସ୍ର ଶୀର୍ଷ ରାଜନେତା ଖାଲିଦ ମଶାଲ କହିଛନ୍ତି କି, ଆମେ ଏପରି ଚୋଟ ମାରିବାକୁ ଚାହୁଁଥିଲୁ ଯେ ଇସ୍ରାଏଲ ଛଟପଟ ହେବ; ଏବଂ ତାହା ହିଁ ଘଟିଲା। କିନ୍ତୁ ଖାଲିଦଙ୍କୁ ଦେଖାଯାଉନାହିଁ କି ଯେ ଉଭୟ ପକ୍ଷର ସାଧାରଣ ନିରୀହ ନାଗରିକମାନେ ହିଁ ଛଟପଟ ହେଉଛନ୍ତି? ଆଜି ବିନାଶ ଓ ମୃତ୍ୟୁ ବ୍ୟତୀତ ସେମାନଙ୍କ ସହିତ କେହି ନାହାନ୍ତି। ଗୋଟିଏ କଥା ମଧ୍ୟ କୁହାଯାଉଛି କି, ଇସ୍ରାଏଲ ଓ ଆରବ ଦେଶ ମଧ୍ୟରେ ବଢ଼ିଚାଲିଥିବା ଆର୍ଥିକ ଘନିଷ୍ଠତାକୁ ପାଲେଷ୍ଟାଇନ୍ ଭାଙ୍ଗିବା ପାଇଁ ହମାସ୍ ଦ୍ବାରା ଏହି ଆତ୍ମଘାତୀ ପଦକ୍ଷେପ ଗ୍ରହଣ କରିଛି। ଏବେ ଆରବମାନଙ୍କ ପାଇଁ ଇସ୍ରାଏଲ ଆଡ଼କୁ ହାତ ବଢ଼ାଇବା ଆଉ ସମ୍ଭବ ହେବ ନାହିଁ। ଯଦି ଏହା ସତ, ତେବେ କେତେ ଅମାନବୀୟ ଏ କୂଟନୀତି!
ଇସ୍ରାଏଲ ସହିତ ଭାରତ ଛିଡ଼ା ହୋଇଛି ବୋଲି ଭାରତର ପ୍ରଧାନମନ୍ତ୍ରୀ ତୁରନ୍ତ ଏକ ବିବୃତି ଦେଇଥିଲେ। ତେବେ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ହମାସ୍ର ହିଂସାକୁ ଭାରତ ନିନ୍ଦା କରୁଛି, କିନ୍ତୁ ପାଲେଷ୍ଟାଇନର ସ୍ବାଧୀନତା ଉପରେ କୌଣସି ପ୍ରକାର ଆକ୍ରମଣକୁ ସମର୍ଥନ କରୁନାହିଁ। ଏଠି ଦେଖିବାର କଥା, ସମଗ୍ର ଆମେରିକୀୟ ଶିବିର ଓ ମୁଖ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଇସ୍ରାଏଲ ସମର୍ଥନରେ ଠିଆ ହୋଇଛନ୍ତି, ଯେପରି ଆମେ ଜାଣୁନାହୁଁ କି ଏହି ସମାନ ଶିବିର ହିଁ ‘ପାଲେଷ୍ଟାଇନ୍’ ଛାତିରେ ଛୁରି ମୁନରେ ‘ଇସ୍ରାଏଲ୍’ ଲେଖିଥିଲା। ସେତେବେଳେ ମଧ୍ୟ ମହାତ୍ମା ଗାନ୍ଧୀ କହିଥିଲେ କି, ଆମେ ପ୍ରତ୍ୟେକ ଇହୁଦୀଙ୍କୁ ନିଜ ଜୀବନ ଅପେକ୍ଷା ଅଧିକ ଭଲ ପାଉ। ମାତ୍ର ପାଶ୍ଚାତ୍ୟ ସୈତାନଙ୍କ ସହାୟତାରେ ପାଲେଷ୍ଟିନୀୟଙ୍କ ଘରେ ଧସେଇ ପଶିବାକୁ ଆମେ ବରଦାସ୍ତ କରିପାରିବୁନି। ୧୯୩୮ରେ ଏକ ବିସ୍ତୃତ ଆଲେଖ୍ୟରେ ସେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ: “ମୋର ସମସ୍ତ ସହାନୁଭୂତି ଇହୁଦୀଙ୍କ ସହ ରହିଛି। ଦକ୍ଷିଣ ଆଫ୍ରିକା ରହଣି ବେଳୁ ମୁଁ ସେମାନଙ୍କୁ ଅତି ନିକଟରୁ ଜାଣିଛି। ସେମାନଙ୍କ ଭିତରୁ କେତେକଙ୍କ ସହିତ ମୋର ଆଜୀବନ ବନ୍ଧୁତା ରହିଛି ଏବଂ ସେମାନଙ୍କ ମାଧ୍ୟମରେ ହିଁ ସେମାନଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ବିଷୟରେ ମୁଁ ଜାଣିଥିଲି। ସେହି ଲୋକମାନଙ୍କୁ ଖ୍ରୀଷ୍ଟିଆନ୍ ଧର୍ମରେ ଅସ୍ପୃଶ୍ୟ କରିଦିଆଯାଇଥିଲା। ଯଦି ତୁଳନା କରାଯାଏ, ତେବେ ଇହୁଦୀମାନଙ୍କ ପ୍ରତି ଖ୍ରୀଷ୍ଟିଆନ୍ମାନେ ଯେପରି ବ୍ୟବହାର କରିଥିଲେ, ହିନ୍ଦୁମାନେ ଅସ୍ପୃଶ୍ୟମାନଙ୍କ ସହ ଅନୁରୂପ ବ୍ୟବହାର କରିଥିଲେ ବୋଲି ମୁଁ କହିବି। ଉଭୟଙ୍କ ସହିତ ହୋଇଥିବା ଅମାନବୀୟ ବ୍ୟବହାର ପ୍ରସଙ୍ଗରେ ଧାର୍ମିକ ଆଧାରର କଥା କୁହାଯାଇଥାଏ। ବ୍ୟକ୍ତିଗତ ବନ୍ଧୁତା ବ୍ୟତୀତ ଇଦୁଦୀମାନଙ୍କ ପ୍ରତି ମୋର ସହାନୁଭୂତିର ବ୍ୟାପକ କାରଣ ରହିଛି। ତଥାପି ସେମାନଙ୍କ ସହ ଗଭୀର ବନ୍ଧୁତା ମୋତେ ନ୍ୟାୟୋଚିତ ପକ୍ଷ ରଖିବାରୁ ରୋକିପାରିବ ନାହିଁ ଏବଂ ସେଥି ପାଇଁ ଇହୁଦୀମାନଙ୍କର ‘ନିଜସ୍ବ ରାଷ୍ଟ୍ରୀୟ ବାସସ୍ଥାନ’ର ଦାବି ମୋତେ ଠିକ୍ ଲାଗେ ନାହିଁ। ଏଥିପାଇଁ ବାଇବେଲର ଆଧାର ଖୋଜାଯାଉଛି ଏବଂ ସେହି ଅନୁସାରେ ପାଲେଷ୍ଟାଇନ୍କୁ ଫେରିବା ପ୍ରସଙ୍ଗ ଉଠାଯାଉଛି। ତେବେ ସଂସାରରେ ଅନ୍ୟ ସମସ୍ତଙ୍କ ପରି ଇହୁଦୀମାନେ କାହିଁକି ସେମାନେ ଯେଉଁଠି ଜନ୍ମିତ ଏବଂ ଯେଉଁଠି ନିଜର ଜୀବିକା ନିର୍ବାହ କରନ୍ତି, ତାହାକୁ ନିଜର ଘର ବୋଲି ଗ୍ରହଣ କରିବେ ନାହିଁ?
“ଫରାସୀମାନଙ୍କ ପାଇଁ ଯେମିତି ଫ୍ରାନ୍ସ, ବ୍ରିଟିସମାନଙ୍କ ପାଇଁ ଯେମିତି ଇଂଲାଣ୍ଡ, ଆରବମାନଙ୍କ ପାଇଁ ପାଲେଷ୍ଟାଇନ୍ ଠିକ୍ ସେମିତି। ଇହୁଦୀମାନଙ୍କୁ ଜବରଦସ୍ତ ଆରବମାନଙ୍କ ଉପରେ ଲଦିଦେବା ଭୁଲ୍ ଓ ଅମାନବୀୟ ହେବ। ଆଜି ପାଲେଷ୍ଟାଇନ୍ରେ ଯାହା ଘଟୁଛି, ତାହାର କୌଣସି ନୈତିକ ଆଧାର ନାହିଁ। ପୂର୍ବ ବିଶ୍ବ ଯୁଦ୍ଧ ବ୍ୟତୀତ ଏହାର କୌଣସି ଯଥାର୍ଥତା ନାହିଁ। ଅଧା ବା ପୂରା ପାଲେଷ୍ଟାଇନ୍କୁ ଇହୁଦୀମାନଙ୍କୁ କେବଳ ଦେବା ଲାଗି ସ୍ବାଭିମାନୀ ଆରବମାନଙ୍କୁ ଦମନ କରିବା ସଂପୂର୍ଣ୍ଣ ଅମାନବୀୟ ପଦକ୍ଷେପ ହେବ।
“ଇହୁଦୀମାନେ ଯେଉଁଠି ଜନ୍ମିତ ଏବଂ ଜୀବିକା ନିର୍ବାହ କରନ୍ତି, ସେଠି ସେମାନଙ୍କୁ ସମାନ ବ୍ୟବହାର ଓ ସମ୍ମାନ ମିଳିବା ଉଚିତ। ଯେପରି ଆମେ ଫ୍ରାନ୍ସରେ ଜନ୍ମିତ ଖ୍ରୀଷ୍ଟିଆନ୍ଙ୍କୁ ଜଣେ ଫରାସୀ ବୋଲି ବିବେଚନା କରୁ, ସେହିଭଳି ଫ୍ରାନ୍ସରେ ଜନ୍ମିତ ଜଣେ ଇହୁଦୀଙ୍କୁ ମଧ୍ୟ ଜଣେ ଫରାସୀ ଭାବେ ବିବେଚନା କରାଯିବା ଉଚିତ। ଯଦି ଇହୁଦୀମାନେ ପାଲେଷ୍ଟାଇନ୍ ଚାହାଁନ୍ତି, ତେବେ ଏହା କ’ଣ ସେମାନଙ୍କୁ ଭଲ ଲାଗିବ କି, ଦୁନିଆର ସବୁ ଜାଗାରୁ ସେମାନଙ୍କୁ ବଳପୂର୍ବକ ହଟାଇ ଦିଆଯିବ ଯେଉଁଠି ଆଜି ସେମାନେ ଅଛନ୍ତି? ଅର୍ଥାତ୍ ସେମାନେ ନିଜର ମଉଜ ମଜଲିସ ପାଇଁ ଦୁଇଟି ଘର ଚାହୁଁଛନ୍ତି କି? ସେମାନଙ୍କର ‘ନିଜସ୍ବ ରାଷ୍ଟ୍ରୀୟ ବାସସ୍ଥାନ’ ଚିତ୍କାରକୁ ଲକ୍ଷ୍ୟ କରି ଅତି ସହଜରେ କୁହାଯାଇପାରିବ କି, ଏହି କାରଣରୁ ସେମାନଙ୍କୁ ଜର୍ମାନୀରୁ ବିତାଡ଼ିତ କରାଯାଉଥିଲା।’’
ଆମେରିକୀୟ ଓ ପାଶ୍ଚାତ୍ୟ ଶିବିରର ସାମରିକ ପ୍ରୟାସ ପଛର ଚିନ୍ତନ ଏଇଆ କି, ଯୁଦ୍ଧ ବି ସେମାନଙ୍କ ହାତମୁଠାରେ ରହୁ, ଯୁଦ୍ଧ ବିରାମ ବି ସେମାନଙ୍କ ହାତରେ ରହୁ! ଆମେ ଦେଖି ଆସିଛୁ କି, ଉଭୟ ରୋଜଗାରର ଅନନ୍ତ ଅବସର ଯୋଗାଇଛନ୍ତି। ଭ୍ରଷ୍ଟାଚାର ଅଭିଯୋଗରେ ଘେରି ରହିଥିବା ଇସ୍ରାଏଲର ବିଫଳ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସୁଯୋଗର ଫାଇଦା ଉଠାଇ ଇସ୍ରାଏଲର ରାଜନୈତିକ ନେତୃତ୍ବକୁ ନିଜ ହାତମୁଠାକୁ ନେଇଛନ୍ତି। ଏହା ଏକ ନିକୃଷ୍ଟ ସୁବିଧାବାଦୀ ନୀତି। ଯେତେବେଳେ ସମଗ୍ର ଇସ୍ରାଏଲ ତାଙ୍କ ବିରୋଧରେ ଛିଡ଼ା ହେଲା ଏବଂ ସେ ନ୍ୟାୟପାଳିକାକୁ ନିଜ ହାତ ମୁଠାରେ ରଖିବାର ଏକ ଘୃଣ୍ୟ ଖେଳ ଖେଳିଲେ, ସେତେବେଳେ ତାଙ୍କ ପାଇଁ ଏପରି ସୁଯୋଗ ଆସିଲା ଯାହା ତାଙ୍କୁ ଆଉ ଥରେ ବେଇମାନିର ସୁଯୋଗ ଦେଲା। ଏଇ ପୂରା କାହାଣୀ ବେଇମାନି ସହ ଆରମ୍ଭ ହୋଇଥିଲା ଏବଂ ବେଇମାନି ସହ ଅଦ୍ୟାବଧି ଜାରି ରହିଛି। ୧୯୪୭ ମେ’ ୫ରେ ରଏଟର୍ସର ଦିଲ୍ଲୀ ସମ୍ବାଦଦାତା ଡୁନ୍ କ୍ୟାମ୍ପବେଲ ପୁଣି ଥରେ ଏ ନେଇ ଗାନ୍ଧୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ: ‘ପାଲେଷ୍ଟାଇନ୍ ସମସ୍ୟା ପାଇଁ ଆପଣ କେଉଁ ସମାଧାନ ଦେଖୁଛନ୍ତି?’ ଗାନ୍ଧୀଙ୍କର ଉତ୍ତର ଥିଲା: “ଏହା ଏପରି ଏକ ସମସ୍ୟା ପାଲଟିଛି ଯେ ଏହାର ପାଖାପାଖି କୌଣସି ସମାଧାନ ବାହାରିବ ନାହିଁ। ଯଦି ମୁଁ ଜଣେ ଇହୁଦୀ ହୋଇଥାଆନ୍ତି, ତେବେ ସେମାନଙ୍କୁ କହିଥା’ନ୍ତି: ‘ତୁମେ ଏଥିପାଇଁ ଆତଙ୍କୀ ରାସ୍ତା ବାଛି ନେବାର ମୂର୍ଖତା କର ନାହିଁ। ଏପରି କରିବା ଦ୍ବାରା ତୁମେ ନିଜର ମାମଲାକୁ ବିଗାଡ଼ିଦେବ, ଯାହା ବସ୍ତୁତଃ ଏକ ନ୍ୟାୟିକ ମାମଲା ହୋଇ ରହିଛି। ଯଦି ଏହା କେବଳ ଏକ ରାଜନୈତିକ ଟଣାଓଟରା, ତେବେ ମୁଁ କହିବି ଯେ ଏହା ବ୍ୟର୍ଥ ହୋଇଯାଉଛି। ଶେଷରେ ଇହୁଦୀମାନେ କାହିଁକି ପାଲେଷ୍ଟିନୀୟଙ୍କ ପଛରେ ପଡ଼ିବାକୁ ଚାହୁଁଛନ୍ତି? ସେମାନେ ଏକ ମହାନ୍ ଜାତି। ସେମାନଙ୍କ ପାଖରେ ମହାନ୍ ଐତିହ୍ୟ ଅଛି। ମୁଁ ସେମାନଙ୍କ ସହ ଦକ୍ଷିଣ ଆଫ୍ରିକାରେ ବର୍ଷ ବର୍ଷ ଧରି ରହି ଆସିଛି। ଯଦି ଏହା ପଛରେ ସେମାନଙ୍କର କୌଣସି ଧାର୍ମିକ ତୃଷ୍ଣା ରହିଛି, ତେବେ ତ ନିଶ୍ଚିତ ଭାବରେ ଏ ମାମଲାରେ ଆତଙ୍କର କୌଣସି ସ୍ଥାନ ରହିବା ଉଚିତ ନୁହେଁ। ଇହୁଦୀମାନେ ଆଗକୁ ବଢ଼ି ଆରବୀୟମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ଉଚିତ। ଆମେରିକା, ବ୍ରିଟେନ୍ ବା ଅନ୍ୟ କାହାର ସାହାଯ୍ୟ ବିନା ଜିହୋବାଙ୍କ ଉତ୍ତରାଧିକାରୀମାନେ ସେମାନଙ୍କୁ ମିଳିଥିବା ଶିକ୍ଷା ଏବଂ ନିଜର ଐତିହ୍ୟକୁ ନିଜେ ସମ୍ଭାଳିବା ଦରକାର।’’
କିନ୍ତୁ ନିଜର ଐତିହ୍ୟ ସମ୍ଭାଳିବା କାହାର ଉଦ୍ଦେଶ୍ୟ ହୋଇ ନାହିଁ। ସମସ୍ତଙ୍କୁ ସିଂହାସନ ସମ୍ଭାଳିବାର ଅଛି। କ୍ଷମତାର ଏହି କ୍ଷୁଧାକୁ ଗାନ୍ଧୀଜୀ ଚିହ୍ନି ପାରିଥିଲେ ଏବଂ କ୍ୟାମ୍ପବେଲ୍ଙ୍କୁ କହୁ କହୁ କହିଦେଇଥିଲେ: “ଏହା ଏପରି ଏକ ସମସ୍ୟା ପାଲଟିଛି ଯେ ଏହାର ପାଖାପାଖି କୌଣସି ସମାଧାନ ନାହିଁ।’’ ଗାନ୍ଧୀଜୀ ଯେଉଁ ଆଶଙ୍କା ପ୍ରକଟ କରିଥିଲେ, ତାହାର ୭୬ ବର୍ଷ ପରେ ମଧ୍ୟ ଯୁଦ୍ଧ ଓ ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟରେ ପାଲେଷ୍ଟିନୀୟ ଓ ଇସ୍ରାଏଲୀମାନେ କୌଣସି ସମାଧାନର ନିକଟତର ହୋଇପାରିନାହାନ୍ତି। ଯଦି ଦୁନିଆର ମହାଶକ୍ତିମାନେ ଏବଂ ଦୁଇପକ୍ଷର ଶାସକମାନେ ପଛକୁ ହଟିଯାଆନ୍ତି, ତେବେ ଜେରୁଜେଲମ୍ର ସନ୍ତାନମାନେ ନିଜ ରାସ୍ତା ନିଜେ ହିଁ ଖୋଜି ପାଇପାରନ୍ତେ! ମାତ୍ର ସତ୍ୟ, ପ୍ରେମ, କରୁଣାର ଏପରି ରାସ୍ତାରେ କିଏ ସେମାନଙ୍କୁ ଚାଲିବାକୁ ଦେବ?
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ
ପାଲେଷ୍ଟାଇନ୍ ସମସ୍ୟା: ଗାନ୍ଧୀଙ୍କ ଭବିଷ୍ୟବାଣୀ ସତ ହେଲା
କୁମାର ପ୍ରଶାନ୍ତ