ଆଜି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ। ୭୩ତମ ସଂବିଧାନ ସଂଶୋଧନ ସହ ତୃଣମୂଳ ସ୍ତରର ଗଣତନ୍ତ୍ରର ବିଜୟ ଦିବସ। ଏହି ଅବସରରେ ମୁଁ ରାଜ୍ୟର ତ୍ରି-ସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ସମସ୍ତ ପ୍ରତିନିଧି ଓ ସବୁ ଗ୍ରାମାଞ୍ଚଳ ଭାଇଭଉଣୀମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି।
ଗ୍ରାମାଞ୍ଚଳର ଜନସମୁଦାୟକୁ ସଶକ୍ତ କରିବା, ସେମାନଙ୍କୁ ସେମାନଙ୍କ ସ୍ଥାନୀୟ ବିକାଶ କାମର ନିର୍ଣ୍ଣୟ ଓ କ୍ରିୟାନ୍ୱୟନ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର କରିବା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଦ୍ରୁତ ବିକାଶ କରିବା ପାଇଁ ତ୍ରି-ସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିକଳ୍ପନା।
ସଂବିଧାନରେ ପଞ୍ଚାୟତି ବ୍ୟବସ୍ଥାକୁ କ୍ଷମତା ହସ୍ତାନ୍ତର ଓ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ତଥା ସ୍ଥାନୀୟ ଲୋକମାନଙ୍କର ଭାଗୀଦାରି ଓ ନିର୍ଣ୍ଣୟ ପ୍ରକ୍ରିୟାରେ ବଡ଼ ଯୋଗଦାନ ପ୍ରକ୍ରିୟାକୁ ସମ୍ମାନ ଓ ମାନ୍ୟତା ଦେବା ସହ ରାଜ୍ୟ ବିକାଶ ପ୍ରକ୍ରିୟାରେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ସବୁ ପ୍ରକାର ଅଧିକାର ଓ ପ୍ରୋତ୍ସାହନ ଦେବା ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ।
ଆଜି ମୁଁ ଅତ୍ୟନ୍ତ ଖୁସି ଆମ ରାଜ୍ୟ ଓଡ଼ିଶା ପ୍ରଥମ ଥର ପାଇଁ ସାରା ଦେଶରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସରେ ସାମିଲ ହୋଇ ସମାନ ଦିନରେ ପଞ୍ଚାୟତିରାଜ ଦିବସ ପାଳନ କରୁଛି। ବିଜୁ ବାବୁଙ୍କ ଜନ୍ମଦିନ ମାର୍ଚ୍ଚ ୫ ବଦଳରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ରେ ଆମେ ଆଜି ଏହି ଦିବସ ପାଳନ କରୁଛେ।
ଏହି ନିର୍ଣ୍ଣୟ ପରେ କିଛି ରାଜନୈତିକ ବନ୍ଧୁ ପ୍ରତିବାଦ ଓ ବିରୋଧ କରିଥିଲେ। ମୁଁ ପୁଣିଥରେ ସ୍ପଷ୍ଟ କରି ଦେବାକୁ ଚାହେଁ ରାଜ୍ୟର ସବୁ ବରପୁତ୍ର ଓ ମହାପୁରୁଷମାନଙ୍କ ପ୍ରତି ମୋ ସରକାରର ଯଥେଷ୍ଟ ସମ୍ମାନ ରହିଛି। ମାତ୍ର ସାରା ଦେଶ ଯେତେବେଳେ ଗୋଟିଏ ଦିନରେ ପଞ୍ଚାୟତିରାଜ ଦିବସ ପାଳନ କରୁଛି ସେତେବେଳେ ଆମ ରାଜ୍ୟ ସେହି ନିର୍ଦ୍ଦିଷ୍ଟ ଦିନ ପରିବର୍ତ୍ତେ ଅନ୍ୟ ଏକ ତାରିଖରେ ଏହି ଦିନଟିକୁ ପାଳନ କରିବା ସମୀଚୀନ ହେବ ନାହିଁ। ଓଡ଼ିଶା ନିଜସ୍ୱ ପରିଚୟକୁ ଗୁରୁତ୍ୱ ଦେବା ସହ ରାଷ୍ଟ୍ରୀୟ ସ୍ରୋତରେ ସାମିଲ ହେବା ଜରୁରି। ତେଣୁ ଆଜି ଦିନ ଏପ୍ରିଲ ୨୪ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳନରେ ଓଡ଼ିଶା ବି ସାମିଲ ହୋଇଛି।
ଓଡ଼ିଶାର ଗ୍ରାମାଞ୍ଚଳର ମୋର ପ୍ରିୟ ଭାଇଭଉଣୀମାନଙ୍କୁ ମୁଁ ଆଶ୍ୱସ୍ତ କରିବାକୁ ଚାହେଁ, ମୋ ସରକାର ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବଦ୍ଧପରିକର। ଗ୍ରାମାଞ୍ଚଳର ଦ୍ରୁତ ବିକାଶ ପାଇଁ ରାଜ୍ୟର ସେହି ଅଞ୍ଚଳର ବସବାସ କରୁଥିବା ଜନସାଧାରଣଙ୍କର ବିକାଶ ପ୍ରକ୍ରିୟାରେ ସାମିଲ ହେବା ଜରୁରି। ଆମର ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ସହ ଜନଭାଗୀଦାରି ଆଧାରରେ ଗ୍ରାମାଞ୍ଚଳର ଦ୍ରୁତ ବିକାଶ ସମ୍ଭବ ବୋଲି ମୋର ଦୃଢ଼ ବିଶ୍ୱାସ।
ଗ୍ରାମାଞ୍ଚଳରେ ବସବାସ କରୁଥିବା ମୋର ପ୍ରିୟ ଭାଇଭଉଣୀମାନେ ଓ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଜନପ୍ରତିନିଧିମାନଙ୍କୁ ମୁଁ ପୁଣିଥରେ ଭାବାବେଗର ସହ ଅବଗତ କରିବାକୁ ଚାହେଁ ଯେ, ମୋର ରାଜନୈତିକ ଜୀବନ ସରପଞ୍ଚ ନିର୍ବାଚନ ଲଢ଼ି ଆରମ୍ଭ କରିଥିଲି। ୧୯୯୭ ମସିହାରେ କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ରାଇକଳା ପଞ୍ଚାୟତର ସରପଞ୍ଚ ହୋଇଥିଲି। ରାଜନୀତିର ଆଦ୍ୟ ପାହାଚରେ ଜଣେ ତୃଣମୂଳ ସ୍ତରର ଜନପ୍ରତିନିଧିର ଅନୁଭବ ମୋ ମନରେ ଆଜି ବି ତାଜା ଅଛି। ପଞ୍ଚାୟତ ମୁଖ୍ୟରୁ ରାଜ୍ୟ ସରକାରରେ ମୁଖ୍ୟ, ଏ ଯାତ୍ରାରେ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ବିତିଛି। ମୁଁ ସାରା ଓଡ଼ିଶା ବୁଲିଛି। ବିଧାନସଭାର ସଦସ୍ୟ ଭାବେ ରାଜ୍ୟର ଅନୁସୂଚିତ ଜାତି-ଜନଜାତି, ପଛୁଆବର୍ଗ ଓ ଏହା ସହ ରାଜ୍ୟର ଅପହଞ୍ଚ ଅବହେଳିତ ଜନତାଙ୍କ ସମସ୍ୟାକୁ ଜଣେ ବିଧାୟକ ଭାବରେ ମୁଖର ହୋଇ ଉଠାଇଛି।
ସବୁ ଅନୁଭବ ଆଧାରରେ ଗୋଟିଏ ନିଷ୍କର୍ଷ ମୋ ପାଖରେ ଅଛି, ଜନଭାଗୀଦାରି ବିନା ବିକାଶକୁ ବଡ଼ ଗତି ଦେବା ଅସମ୍ଭବ। ସରକାର-ପ୍ରଶାସନ ଏକଚାଟିଆ ଭାବରେ ବିକାଶର ଠିକା ନେଇପାରିବେ ନାହିଁ। ପଞ୍ଚାୟତିରାଜ ବ୍ୟବସ୍ଥାର ସକ୍ରିୟ ଅଂଶଗ୍ରହଣ ବିନା ରାଜ୍ୟ ରାଜଧାନୀ ଓ ଜିଲ୍ଲା ମୁଖ୍ୟାଳୟରୁ ପରିଚାଳନା କରି ଲୋକଙ୍କୁ ବିକାଶ କାମରେ ବଡ଼ ଭାଗୀଦାର କରିବା ସମ୍ଭବ ନୁହେଁ। ଆପଣମାନେ ପଞ୍ଚାୟତିରାଜ ବ୍ୟବସ୍ଥାର ସକ୍ରିୟ ଅଂଶ ଗ୍ରହଣକାରୀ, ଆପଣ ୱାର୍ଡ ମେମ୍ବରରୁ ଜିଲ୍ଲା ପରିଷଦ ସଦସ୍ୟ। ତୃଣମୂଳ ସ୍ତରର ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ତଥା ଜାଗ୍ରତ ନାଗରିକ ସମୂହଙ୍କ ଇଚ୍ଛାଶକ୍ତି ହିଁ ଆମ ତୃଣମୂଳର ଜନତାଙ୍କୁ ଜାଗ୍ରତ କରିପାରିବ। ଆଜି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସର ଶୁଭ ଅବସରରେ ଆପଣଙ୍କ ଅଞ୍ଚଳର ବିକାଶ ମାଧ୍ୟମରେ ରାଜ୍ୟ ବିକାଶରେ ବଡ଼ ଯୋଗଦାନ ଦେବାକୁ ଆହ୍ୱାନ ଜଣାଉଛି।
ମୋର ମନେ ଅଛି ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେବାର ପ୍ରାରମ୍ଭିକ ବର୍ଷମାନଙ୍କରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସରେ ନରେନ୍ଦ୍ର ମୋଦୀଙ୍କର ସରପଞ୍ଚ ଓ ଗଁା ପ୍ରଧାନମାନଙ୍କ ସହ ଭାବ ବିନିମୟର କଥା। ମୋର ମନେ ଅଛି ସେହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ଆର୍ଥିକ ଅନୁଦାନର ବଡ଼ ବ୍ୟବସ୍ଥାର ସୂଚନା ଦେଇଥିଲେ। ଆଗାମୀ ବର୍ଷମାନଙ୍କ ପାଇଁ କେମିତି ବଜେଟ୍ରେ ଆହୁରି ବଡ଼ ବ୍ୟୟବରାଦର ପ୍ରସ୍ତୁତି ଚାଲିଛି ତା’ର ହିସାବ ଦେଇଥିଲେ। ମୋଦୀଙ୍କ କେନ୍ଦ୍ର ସରକାର ହେଉ ବା ଆପଣଙ୍କ ମୋହନ ସରକାର ଆମେ ଗଁା ବିକାଶ ପାଇଁ ଆର୍ଥିକ ସହାୟତା ବଡ଼ କରିବୁ।
ମାତ୍ର ସେ ବର୍ଷ ମୋଦୀ କହିଥିବା କିଛି କଥା ମୋ ମନରେ ଗଭୀର ରେଖାପାତ କରିଥିଲା। ଆଜି ଏହି ପ୍ରସଙ୍ଗରେ ଲେଖିଲାବେଳେ ସେ ଭାଷଣ ମୋର ମନେ ପଡୁଛି। ମୋଦୀଜୀ କହିଥିଲେ ବଜେଟ୍ ଆସିବ, ଖର୍ଚ୍ଚ ହେବ। ଏହା ରୁଟିନ କାମ। ମାତ୍ର ବିନା ବଜେଟ୍ରେ ନିଜର ନେତୃତ୍ୱରେ ନୂଆ କ’ଣ କରିହେବ ତାହା ଚିନ୍ତା କରନ୍ତୁ। ଗ୍ରାମ ସଡ଼କ ପ୍ରସ୍ତୁତ ହେଲା, ଜଣେ ସରପଞ୍ଚ ଗଁା ଯୁବକଙ୍କୁ ଏକାଠି କରି ଉଭୟ ପାର୍ଶ୍ୱରେ ବିନା ଖର୍ଚ୍ଚରେ ବୃକ୍ଷରୋପଣ କଲେ। ଦୁଇ ଅଢ଼େଇ କିଲୋମିଟର ରାସ୍ତା ସବୁଜ ଗଛରେ ଭରିଗଲା।
ଜଣେ ସରପଞ୍ଚ ବିନା ବଜେଟ୍ରେ ଖାଲି ନିଜର ଇଚ୍ଛାଶକ୍ତି ଓ ନେତୃତ୍ୱରେ ଅନେକ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିପାରିବା କଥା କହିଥିଲେ ମୋଦୀ। ପଞ୍ଚାୟତ ବଜେଟ୍ ବାହାରେ ଗଁାରେ ସରକାର ଅନେକ କାମରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଙ୍ଗନୱାଡ଼ି-ଆଶା-ଗଁା ସ୍କୁଲ ତ ପଞ୍ଚାୟତର ବଜେଟ୍ରୁ ଚାଲୁନି। ମାତ୍ର ଆମ ଗଁାରୁ ଗୋଟିଏ ବି ପିଲା ସ୍କୁଲ ଡ୍ରପ୍ଆଉଟ୍ ହେବନି ଏ କଥା ତୃଣମୂଳ ସ୍ତରର ଜନପ୍ରତିନିଧି ଯଦି ପଣ କରେ, ତା’ହେଲେ ଜନ ଭାଗୀଦାରିରେ ତାହା ସମ୍ଭବ।
ଆପଣ ଥରେ ଭାବନ୍ତୁ ଆମ ରାଜ୍ୟରେ ସ୍କୁଲ ଡ୍ରପ୍ଆଉଟ୍ ବଡ଼ ସମସ୍ୟା। ଯଦି ଆପଣମାନେ ଆପଣଙ୍କ ଇଚ୍ଛାଶକ୍ତିରେ ସ୍କୁଲ ଡ୍ରପ୍ଆଉଟ୍ ବନ୍ଦ କରି ଦେଇପାରିବେ ତେବେ ଆପଣ ଓଡ଼ିଶାର କି ପ୍ରକାର ବିକାଶ କରିବେ କଳ୍ପନା କରିପାରିବେନି। ପରିବାର ବା ବ୍ୟକ୍ତି ନୁହେଁ ଆପଣ ପୂରା ପିଢ଼ି ଗଢ଼ି ଦେଇପାରିବେ।
ଆମ ଗଁାମାନଙ୍କରେ ସାମାଜିକ ଜୀବନ ଆଧୁନିକତାର ପ୍ରଭାବରେ ଖରାପ ହେଉଛି। ମାତ୍ର ଗଁାରେ ଆଜି ବି ଭାଇଚାରା ବଞ୍ଚିଛି। ଗଁାର ଲୋକ ଓ ଗଁାର ପିଲାମାନେ ବଡ଼ ଚାକିରି ବ୍ୟବସାୟ କରି ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ରହୁଛନ୍ତି। ବର୍ଷରେ ଗଁାରେ ଗୋଟିଏ ଦିନ ସମସ୍ତଙ୍କୁ ଏକାଠି କରି ଭୋଜିଭାତ ଓ ଭାବର ଆଦାନ ପ୍ରଦାନ କଲେ କେମିତି ହୁଅନ୍ତା? ଗଁାର ପିଲା ଯିଏ ଜୀବନରେ ବଡ଼ ହୋଇଛି ସେ କ’ଣ ଅନ୍ୟମାନଙ୍କୁ ପ୍ରେରଣା ଦେଇପାରିବ ନାହିଁ? ସ୍ୱଚ୍ଛଳ ଲୋକ ଗଁାର ଗରିବ ଓ ଅସହାୟଙ୍କ ପାଇଁ ସହଯୋଗର ହାତ ବଢ଼ାଇ ପାରିବ ନା ନାହିଁ?
ଆମ ରାଜ୍ୟରେ ଅପପୁଷ୍ଟି ଏକ ବଡ଼ ସମସ୍ୟା। ସରକାର ପୁଷ୍ଟିସାଧନ ପାଇଁ ବଡ଼ ପଦକ୍ଷେପ ଓ ଯୋଜନା କରୁଛନ୍ତି। କିନ୍ତୁ ମୋର ଆହ୍ବାନ ଯେ ଗଁା ଓ ସହରର ସ୍ୱଚ୍ଛଳ ଲୋକମାନେ ନିଜ ପରିବାର ପାଖରେ ଥିବା ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନ ଥିବା ଗର୍ଭବତୀ ମା’, ନବଜାତକ ଓ ଛୋଟ ପିଲାମାନଙ୍କ ପାଇଁ ସ୍ୱେଚ୍ଛାକୃତ ଭାବରେ କିଛି କରିବା ଉଚିତ। ତୃଣମୂଳ ଜନପ୍ରତିନିଧି ଭାବରେ, ସାମାଜିକ ଓ ରାଜନୈତିକ କର୍ମୀ ଭାବରେ ଆମେ ଆମର କାମ କରିବା। ମାତ୍ର ଯଦି ଆମେ ଚାହିଁବା ତେବେ ନୂଆ ପିଢ଼ି ଗଢ଼ିବାରେ ମଧ୍ୟ ଆମର ବଡ଼ ଯୋଗଦାନ ଦେଇପାରିବା।
ପଞ୍ଚାୟତକୁ ଅନୁଦାନ, ସଂବିଧାନ, ଦିଶା ନିର୍ଦ୍ଦେଶ ମୁତାବକ ଅଧିକାର ଓ ଦାୟିତ୍ୱ ପ୍ରଦାନ, ପଞ୍ଚାୟତର ବଜେଟ୍ ଉପଯୋଗରେ ସକ୍ରିୟତା, ଏସବୁ ନିରନ୍ତର ପ୍ରକ୍ରିୟା। ମୋ ସରକାର ଲୋକଙ୍କ ବିକାଶର ସବୁ ଆବଶ୍ୟକତା ପୂରଣ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବଡ଼ କରିବା ପାଇଁ କୌଣସି ଉଦ୍ୟମରେ ହେଳା କରିବ ନାହିଁ ଆଜି ମୁଁ ପ୍ରତିଶ୍ରୁତି ଦେଉଛି।
ଆମେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବରେ ଅନ୍ତ୍ୟୋଦୟ ଆମ ପାଇଁ ନିଷ୍ଠା। ପଣ୍ଡିତ ଦୀନ୍ଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ଆଜି ଦିନରେ ମୋଦୀଜୀଙ୍କର ଗରିବ କଲ୍ୟାଣ। ଗାନ୍ଧୀଜୀଙ୍କ ଭାଷାରେ ଭାରତର ଆତ୍ମା ଗଁାରେ ବାସ କରେ। ଗରିବ କଲ୍ୟାଣ କେନ୍ଦ୍ରବିନ୍ଦୁ ପଞ୍ଚାୟତି ବ୍ୟବସ୍ଥା। ସବ୍କା ସାଥ୍, ସବ୍କା ବିକାଶ ମନ୍ତ୍ରର ଆତ୍ମା ବି ଆମର ଗଁା।
ମୋର ପ୍ରିୟ ଓଡ଼ିଶାବାସୀ, ଆମ ଦେଶ ବିଶ୍ୱର ପୁରୁଣା ସଭ୍ୟତା। ଆମ ରାଜ୍ୟ ଓଡ଼ିଶା କବିବର ରାଧାନାଥ ରାୟଙ୍କ ଭାଷାରେ- ଭାରତ ପଙ୍କଜ ଦଳମିଦ ଉତ୍କଳ। ଭାରତ ପଦ୍ମ ହେଲେ ଓଡ଼ିଶା ତା’ର କେଶର। ବିକଶିତ ଭାରତର ସ୍ୱପ୍ନରେ ଓଡ଼ିଶାର ବଡ଼ ଭୂମିକା ରହୁ। ପଞ୍ଚାୟତିରାଜ ଦିବସ ଅବସରରେ ମୋର ଏହା ଇଚ୍ଛା ଓ ସଂକଳ୍ପ। ଆସନ୍ତୁ ମିଳିମିଶି ଏହାକୁ ସଫଳ କରିବା।
ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା