ହିନ୍ଦୁକୁଶ ପର୍ବତଶ୍ରେଣୀରେ ପଞ୍ଜଶିର ପ୍ରଦେଶ; ପାଞ୍ଚ ସିଂହଙ୍କର ଘାଟୀ। ଆଫଗାନିସ୍ତାନର ୩୪ଟି ପ୍ରାନ୍ତ ମଧ୍ୟରୁ ଏହା ଅନ୍ୟତମ। ସାତଟି ଜିଲ୍ଲା ଓ ପ୍ରାୟ ୨ ଲକ୍ଷ ଲୋକଙ୍କର ଏହି ଉପତ୍ୟକା। ରାଜଧାନୀ କାବୁଲ ଠାରୁ ୧୨୫ କିଲୋମିଟର ଦୂର ଉତ୍ତର ପୂର୍ବରେ ଏହା ଅବସ୍ଥିତ। ନୈସର୍ଗିକ ସୁଷମାରେ ବିମଣ୍ଡିତ ଏକ ମନୋରମ ଘାଟୀ। କିନ୍ତୁ ଏବେ ଏହା ଏକ ଅଭେଦ୍ୟ ଦୁର୍ଗ ରୂପେ ପରିଚିତ। ଅଷ୍ଟମ ଦଶକରେ ରୁଷିଆ ବା ନବମ ଦଶକରେ ତାଲିବାନମାନେ ଏହାକୁ ଦଖଲ କରିପାରି ନ ଥିଲେ।

Advertisment

ଏବେ ବି ଏହା ତାଲିବାନ ନିୟନ୍ତ୍ରଣ ବାହାରେ। ବରଂ ତାଲିବାନ ପ୍ରତିରୋଧ ମୋର୍ଚ୍ଚାର ନିର୍ଭରଯୋଗ୍ୟ ଗଡ଼ ଭାବେ ଏହା ଦଣ୍ଡାୟମାନ। ଆଫଗାନିସ୍ତାନ ରାଷ୍ଟ୍ରପତି ଏ‌େବ ପଳାତକ। ତାଙ୍କ ସ୍ଥାନରେ ନିଜକୁ ରାଷ୍ଟ୍ରପତି ବୋଲି ଘୋଷଣା କରିଥିବା ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେ ଓ ପଞ୍ଜଶିରର କମାଣ୍ଡର ଅହମଦ ମାସୁଦ ଏକାଠି ହୋଇ ତାଲିବାନକୁ ଟକ୍କର ଦେବା ପାଇଁ ବଦ୍ଧପରିକର। ଆପଣମାନଙ୍କର ସ୍ମରଣରେ ଥାଇପାରେ ପଞ୍ଜଶିର ସିଂହ ଭାବେ ପରିଚିତ ଦୁର୍ଦ୍ଦାନ୍ତ ମୁଜାହିଦ୍ଦିନ ନେତା ଅହମଦ ଶାହ ମାସୁଦଙ୍କ କଥା, ଯାହାଙ୍କୁ ଉଭୟ ରୁଷ ଓ ତାଲିବାନ ଭୟ କରୁଥିଲେ। ଶେଷରେ ଅଲ-କାଏଦା ଆତଙ୍କବାଦୀ ଗୋଷ୍ଠୀର ଆତତାୟୀର (ଆମେରିକାର ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆକ୍ରମଣର ଦୁଇ ଦିନ ପୂର୍ବରୁ) ଆତ୍ମଘାତୀ ବୋମା ଦ୍ବାରା ମାସୁଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା। ଏବର ଅହମଦ ମାସୁଦ ତାଙ୍କରି ପୁତ୍ର। ପ୍ରତିଶୋଧର ଜ୍ୱାଳାରେ ଜର୍ଜର, ସୁଯୋଗର ପ୍ରତୀକ୍ଷାରେ। ତେବେ ସୈନ୍ୟ ସଂଖ୍ୟା ଓ ସାମରିକ ଦକ୍ଷତା ଦୃଷ୍ଟିରୁ ତାଲିବାନର ସମକକ୍ଷ ହେବା ଏତେ ସହଜ ନୁହେଁ। ତଥାପି ଏହି ତାଲିବାନୀ ବିରୋଧୀ ବାହିନୀର ଦୃଢ଼ ଇଚ୍ଛାଶକ୍ତି କିଛିଟା ଆଶା ସଂଚାର କରିଛି। ଏମାନଙ୍କ ସହିତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ବିସମିଲ୍ଲା ଖାଁ ମହମ୍ମଦି ଏବଂ ଉଜବେକ ସେନାପତି ( ୱାରଲର୍ଡ) ମାର୍ଶାଲ ଅବଦୁଲ ରଶିଦ ଦୋସ୍ତମ ହାତ ମିଳାଇଛନ୍ତି। ନିକଟରେ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲବରୋବ ଦେଇଥିବା ମନ୍ତବ୍ୟ ଅନୁସାରେ କ୍ରେମଲିନ ଏପରି ଏକ ସରକାର ଚାହେଁ ଯିଏ ସବୁ ବର୍ଗର ଲୋକଙ୍କୁ ପ୍ରତିନିଧିତ୍ବ କରିପାରୁଥିବ।

ଏଇଠି ପ୍ରଶ୍ନ ଆସେ, ଯେଉଁ ରୁଷିଆ ଆଫଗାନ ସରକାରକୁ ଆମେରିକାର ସଖୀ କଣ୍ଢେଇ କହି ତାଚ୍ଛଲ୍ୟ କରୁଥିଲା, ତା’ର ମତିଗତିରେ ହଠାତ୍ ଏପରି ପରିବର୍ତ୍ତନ ଆସିଲା କାହିଁକି? ଏହାର କାରଣ ଆଫଗାନ-ତାଲିବାନମାନେ ନିଜ ନିୟନ୍ତ୍ରଣରେ ଥିବା ପାଞ୍ଚଟି ଜିଲ୍ଲାକୁ ତାଜିକ-ତାଲିବାନ ନେତା ଜମାତ ଅନସାରଉଲ୍ଲାକୁ ହସ୍ତାନ୍ତର କରିବା। ଏହି ଜମାତ ଅନସାରଉଲ୍ଲା ଗୋଷ୍ଠୀ ତାଜିକସ୍ତାନ ଦ୍ୱାରା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ। ତାଜିକସ୍ତାନ ରୁଷ୍‌ର ମିତ୍ର ରାଷ୍ଟ୍ର ହୋଇଥିବାରୁ ଏହି ହସ୍ତାନ୍ତରରେ ରୁଷିଆ କ୍ଷୁବ୍‌ଧ। ରୁଷିଆର ମତ ପରିବର୍ତ୍ତନ ତାଲିବାନ ପ୍ରତିପକ୍ଷଙ୍କୁ କିଛିଟା ଆଶ୍ୱସ୍ତ କରିଛି। ଏହା ସତ୍ତ୍ୱେ ଏମାନେ ତାଲିବାନଙ୍କ ସଂଗେ କେତେ ଦିନ ସଫଳତାର ସହ ସଂଘର୍ଷ କରିପାରିବେ ତାହା ସମୟ କହିବ।

ପ୍ରତିବନ୍ଧ ଅନେକ। ଚାରିପଟେ ତାଲିବାନୀ ଅଧିକୃତ ପ୍ରଦେଶ। ଏବେ ତାଲିବାନ ଆମେରିକା ଦ୍ୱାରା ଆଫଗାନିସ୍ତାନ ସେନାବାହିନୀକୁ ଦିଆଯାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ। ପାକିସ୍ତାନ ସୈନ୍ୟ ଓ ଆଇଏସ୍‌ଆଇଙ୍କ ପ୍ରରୋଚନା ଓ ପ୍ରୋତ୍ସାହନରେ ଏମାନେ ପରିପୁଷ୍ଟ। ସାଙ୍ଗକୁ ଜୈଶ, ଅଲ୍‌ କାଏଦା, ଲସ୍କର ପ୍ରଭୃତି ଆତଙ୍କବାଦୀ ସଂଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏମାନଙ୍କୁ ସମର୍ଥନ କରୁଛନ୍ତି। ତେବେ ଲୋକମାନଙ୍କର ତାଲିବାନ ବିରୋଧୀ ମନୋଭାବ କେତେ କଠୋର, ତାହା ହିଁ ଆଫଗାନିସ୍ତାନ ଭବିଷ୍ୟତ୍‌ର ରୂପରେଖ ନିର୍ଣ୍ଣୟ କରିବ।

ଗତ ୧୯ ତାରିଖରେ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଯେଉଁ ହଜାର ହଜାର ସଂଖ୍ୟାରେ ଲୋକ ହାତରେ ଜାତୀୟ ପତାକା ଧରି ଦୌଡୁଥିଲେ, ତାହା କୁଟା ଖିଅକୁ ଆଶ୍ରା ଭଳି କିଛି ସମ୍ଭାବନା ସୃଷ୍ଟି କରିଛି। ତାଲିବାନଙ୍କ ମଧ୍ୟରେ ସରକାରରେ ଭାଗୀଦାରି ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ବ ଓ ଆମେରିକା, ଜର୍ମାନି ପ୍ରଭୃତି ଭଳି ଦେଶ ଏବଂ ଆଇଏମ୍‌ଏଫ୍‌ ଭଳି ସଂଗଠନମାନଙ୍କର ଆର୍ଥିକ କଟକଣା ଭବିଷ୍ୟତ୍‌ରେ ଆଫଗାନିସ୍ତାନ ଲାଗି ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ଦିନକୁ ଦିନ ତାଲିବାନମାନଙ୍କ ଅସଲି ଚେହେରା ସାମ୍ନାକୁ ଆସୁଛି। ସେଇଥିପାଇଁ ଅଧିକାଂଶ ଲୋକ ଦେଶ ଛାଡ଼ି ଚାଲିଯିବାକୁ ବ୍ୟଗ୍ର। ଛାତିରେ ପଥର ରଖି ମାଆମାନେ ଆପଣା ପିଲାମାନଙ୍କୁ ଆମେରିକା ସୈନ୍ୟଙ୍କୁ ହସ୍ତାନ୍ତର କରୁଛନ୍ତି। ତାଲିବାନୀଙ୍କ ଜଘନ୍ୟ ବର୍ବରତାର କୁତ୍ସିତ ରୂପ ମାନବତା ପ୍ରତି ବିଦ୍ରୂପ। ଇତିମଧ୍ୟରେ ଆଫଗାନିସ୍ତାନରେ ଗୃହ ଯୁଦ୍ଧର ଆଶଙ୍କା ଦେଖା ଦେଇଛି। ପାକିସ୍ତାନ, ଚୀନକୁ ଗୋଳିଆପାଣି ସୁହାଉଛି। ପାକିସ୍ତାନର ସନ୍ତ୍ରାସବାଦ ଓ ଚୀନର ସାମ୍ରାଜ୍ୟବାଦ ମୌଳବାଦ ଓ ଆତଙ୍କବାଦ ଆଡ୍‌ଡାକୁ ମଜଭୁତ କରିବ। ଏବେ ସ୍ଥିତି ଏଭଳି ଜଟିଳ ଯେ କୌଣସି ନିଶ୍ଚିତ ଉପସଂହାରରେ ପହଞ୍ଚି ହେବ ନାହିଁ। କେବଳ ଭବିଷ୍ୟତ୍‌କୁ ଅପେକ୍ଷା।
ମୋ- ୯୯୫୫୫୪୨୧୫୫