ରାଜେଶ ଅଗ୍ରୱାଲ
ଭାରତରେ ଜରୁରି ପରିସ୍ଥିତି ସମୟରେ (୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭) ଓଡ଼ିଶାେର ‘ମିସା’ (ଏମ୍.ଆଇ.ଏସ୍.ଏ.) ବା ଡି.ଆଇ.ଆର୍. ବା ଡି.ଆଇ.ଏସ୍.ଆଇ.ଆର୍. ଆଇନ ବଳରେ ଗିରଫ ହୋଇ ଅଟକ ବନ୍ଦୀ ଥିବା ଲୋକଙ୍କୁ ଓଡ଼ିଶା ସରକାର ମାସିକ ୨୦ ହଜାର ଟଙ୍କା ପେନ୍ସନ୍ ସହ ମାଗଣା ଚିକିତ୍ସା ଯୋଗାଇ ଦେବେ ବୋଲି ଘୋଷଣା ହୋଇଛି।
‘ମିସା’ କହିଲେ ଆଭ୍ୟନ୍ତରୀଣ ସୁରକ୍ଷା ଅଧିନିୟମ ୧୯୭୧ (ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ୍ ସିକ୍ୟୁରିଟି ଆକ୍ଟ, ୧୯୭୧), ଡି.ଆଇ.ଆର୍. କହିଲେ ଭାରତ ରକ୍ଷା ନିୟମାବଳୀ (ଦି ଡିଫେନ୍ସ ଅଫ୍ ଇଣ୍ଡିଆ ରୁଲ୍ସ) ଏବଂ ଡି.ଆଇ.ଏସ୍.ଆଇ.ଆର୍. କହିଲେ ଭାରତ ରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ନିୟମ (ଦି ଡିଫେନ୍ସ ଆଣ୍ଡ୍ ଇଣ୍ଟରନାଲ୍ ସିକ୍ୟୁରିଟି ଅଫ୍ ଇଣ୍ଡିଆ ରୁଲ୍ସ)। ଏସବୁ ଆଇନ ମୁତାବକ ଅଟକଙ୍କୁ ଅଦାଲତରେ ହାଜର ବା ଜମାନତ ବ୍ୟବସ୍ଥା ନଥିଲା। ଏ ଆଇନ ବଳରେ ଓଡ଼ିଶାର ହଜାର ହଜାର ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେ ମଧ୍ୟରେ ଥିଲେ ରାଜନେତା, ବିରୋଧୀ ଦଳ କର୍ମୀ, ମୁନାଫାେଖାର, କଳାବଜାରୀ, ଅଭ୍ୟାସଗତ ଅପରାଧୀ, ଅସାମାଜିକ ବ୍ୟକ୍ତି ଇତ୍ୟାଦି। ରାଜନେତାଙ୍କ ସଂଖ୍ୟା ଅନ୍ୟ ଅପରାଧୀ ଅପେକ୍ଷା ବହୁତ କମ୍ ଥିଲା। ପେନ୍ସନ୍ ପାଇବା ଲାଗି ବ୍ୟକ୍ତିଙ୍କୁ ଏକ ଦରଖାସ୍ତ ଦେବାକୁ ପଡ଼ିବ, ଯେଉଁଠି ନାମ, ବାପା/ସ୍ବାମୀ ନାମ, ଜନ୍ମ ତାରିଖ, ଠିକଣା, ଆଧାର ନମ୍ବର (ନକଲ ସହ), ବ୍ୟାଙ୍କ୍ ପାସ୍ବୁକ୍ ବିବରଣୀ, ଅଟକ ଅବଧି ଓ ଅଟକ ଜେଲ୍, ଶରୀରରେ ଚିହ୍ନ, ଟ୍ରେଜେରି ସ୍ଥାନ ଆଦି ତଥ୍ୟ ସହିତ ପାସ୍ପୋଟ ଫଟୋ ଓ ଏକ ଏଫିଡେଭିଟ୍ ଦେବାକୁ ପଡ଼ିବ। ଅନୁମୋଦିତ ଫରମାଟ୍ର ଦରଖାସ୍ତ ଦିଆଯିବ ଓ ତହିଁରେ ୩ ଜଣ ସହବନ୍ଦୀଙ୍କ ନାମ ରହିବ। ଭୁଲ୍ ତଥ୍ୟ ଥିଲେ ପରେ କାର୍ଯ୍ୟାନୁଷ୍ଠାନ ସହ ପାଇଥିବା ପେନ୍ସନ୍ ଆଦାୟ କରାଯିବ। େପନ୍ସନ୍ ପାଇଁ ଦରଖାସ୍ତଟି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ଓ ତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତା’ର ତଦନ୍ତ କରି ପେନ୍ସନ୍ ପାଇଁ ଗୃହ ବିଭାଗକୁ ସୁପାରିସ ପଠାଇବେ ଏବଂ ଉଚ୍ଚସ୍ତରୀୟ କମିଟିରେ ଏହାର ଆଲୋଚନା ହୋଇ ରାଜ୍ୟ ଦ୍ବାରା ଗୃହୀତ ହେବ।
ଓଡ଼ିଶାରେ ଘୋଷଣା ହେବା ପୂର୍ବରୁ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏ ପେନ୍ସନ୍ ଲାଗୁ ହୋଇ ସାରିଛି। ଛତିଶଗଡ଼ ସରକାର ଜେଲ୍ ବନ୍ଦୀଙ୍କୁ ଲୋକତନ୍ତ୍ର ସେନାନୀ ଆଖ୍ୟା ଦେଇ ୨୦୦୮ ମସିହାରୁ ‘ସମ୍ମାନନିଧି’ ପେନ୍ସନ୍ ଲାଗୁ କରିଥିଲେ, ଯେଉଁଥିରେ ୧ ମାସରୁ କମ୍ ସମୟ ପାଇଁ ବନ୍ଦୀ ଥିବା ଲୋକଙ୍କୁ ମାସିକ ୮ ହଜାର ଟଙ୍କା ଓ ଅଧିକ ମାସ ବନ୍ଦୀ ଥିବା ଲୋକଙ୍କୁ ମାସିକ ୨୫ ହଜାର ଟଙ୍କାର ପେନ୍ସନ୍ ଘୋଷଣା କରିଥିଲେ। ଏହା କେବଳ ମିସା, ଡି.ଆଇ.ଆର୍. ବନ୍ଦୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏହି ପେନ୍ସନ୍କୁ କଂଗ୍ରେସର ଭୂପେଶ ବଘେଲ ସରକାର ବନ୍ଦ କରି ଦେଇଥିବାବେଳେ ପୁଣି ବିଜେପି ସରକାର ଏହାକୁ ଲାଗୁ କରିଛନ୍ତି। ପେନ୍ସନ୍ଭୋଗୀ ବିଧବାଙ୍କୁ ଅଧା ପେନ୍ସନ୍ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ଥାନରେ ବସୁନ୍ଦରା ରାଜେ ସରକାର ପୂର୍ବରୁ ମାସିକ ୨୦ ହଜାର ପେନ୍ସନ୍ ସହ ମାଗଣାରେ ରାଜ୍ୟ ପରିବହନ ବସ୍ ଯାତ୍ରା ଓ ମାଗଣା ଚିକିତ୍ସା ପ୍ରଦାନ କରୁଥିଲେ, ମାତ୍ର କଂଗ୍ରେସ ସରକାର ଗଠିତ ହେବା ପରେ ତାକୁ ୧୪.୧୦.୨୦୧୯ରୁ ବନ୍ଦ କରି ଦିଆଯାଇଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପୁଣି ଏହାକୁ ଲାଗୁ କରିଛନ୍ତି। ମଧ୍ୟପ୍ରଦେଶରେ ମାସିକ ୨୫ ହଜାର ପେନ୍ସନ୍ ଥିଲା, ମାତ୍ର ଏବେ ତାକୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ଅନ୍ୟ ବିଜେପି ଶାସିତ ପ୍ରଦେଶରେ ମଧ୍ୟ ଏ ପେନ୍ସନ୍ ଲାଗୁ ହୋଇଛି। ସେ ରାଜ୍ୟମାନଙ୍କରେ ପେନ୍ସନ୍ ପାଇବା ପାଇଁ କେବଳ ରାଜନୈତିକ ବନ୍ଦୀମାନଙ୍କୁ ଚିହ୍ନଟ କରାଯାଇଛି।
ଗିରଫ ରାଜନୈତିକ ବ୍ୟକ୍ତିଙ୍କୁ ପେନ୍ସନ୍ ଦେବା ସକାଶେ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏକ ଏଫିଡେଭିଟ୍ ପ୍ରଦାନ ପୂର୍ବକ କୁହାଯାଇଥିଲା ଯେ- ସରକାରଙ୍କ ପାଖରେ ରାଜନୈତିକ ବନ୍ଦୀମାନଙ୍କର କୌଣସି ତଥ୍ୟ ନାହିଁ।
ଘୋଷଣାରୁ ସ୍ପଷ୍ଟ ହେଉ ନ ଥିଲେ ସୁଦ୍ଧା ଏ ପେନ୍ସନ୍ କେବଳ ରାଜନୈତିକ ବନ୍ଦୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣେ ପଦସ୍ଥ ଅଧିକାରୀ କହିଛନ୍ତି। ତେଣୁ ରାଜନୈତିକ ବନ୍ଦୀ ଚିହ୍ନଟ ସମୟରେ ବିଶେଷ ଅସୁବିଧା ହେବ। ବଡ଼ ପ୍ରଶ୍ନ ହେଲା କେଉଁ ମାପଦଣ୍ଡରେ ସେମାନଙ୍କୁ ଚିହ୍ନଟ କରାଯିବ?
‘ମିସା’ରେ ଗିରଫ ହୋଇଥିବା ପ୍ରତିଷ୍ଠିତ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମତ ଯେ, ପେନ୍ସନ୍ ପାଇଁ ଦରଖାସ୍ତ କରିବାରେ ସମ୍ମାନ ହାନି ଘଟିବ। ଯଦି ସରକାର ବିନା ଦରଖାସ୍ତରେ ଦେବେ ତା’ହେଲେ ଠିକ୍। ପେନ୍ସନ୍ ଟଙ୍କାକୁ ସେ ପରିବେଶ ସୁରକ୍ଷା ଓ ଗନ୍ଧମାର୍ଦ୍ଦନ ରକ୍ଷା ବାବଦରେ ଖର୍ଚ୍ଚ କରିବେ। ଅନ୍ୟ ଜଣେ କହିଛନ୍ତି, ‘ମୋ ସହିତ ଥିବା ସହବନ୍ଦୀ କେହି ଜୀବିତ ନାହାନ୍ତି, କେଉଁଠୁ ସୁପାରିସ ନେଇ ଦରଖାସ୍ତ ଦେବି?’
ଓଡ଼ିଶାର ବହୁ ନେତା ଉକ୍ତ ଆଇନ ବଳରେ ଗିରଫ ହୋଇଥିଲେ। ଦିଲ୍ଲୀରେ ଗିରଫ ହୋଇଥିଲେ ବିଜୁ ପଟ୍ଟନାୟକ ଓ କିଶନ ପଟ୍ଟନାୟକ। ଓଡ଼ିଶାରେ ଗିରଫ ବିଶିଷ୍ଟ ରାଜନେତାଙ୍କ ମଧ୍ୟରେ ଥିଲେ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରହଲ୍ଲାଦ ମଲ୍ଲିକ, ପ୍ରତାପ ଚନ୍ଦ୍ର ମହାନ୍ତି, ହରିଶ୍ଚନ୍ଦ୍ର ବକ୍ସିପାତ୍ର, ରବି ରାୟ, ବିଶ୍ବଭୂଷଣ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଗଣନାଥ ପଧାନ, ସୁରେନ୍ଦ୍ର ଦ୍ବିବେଦୀ, ଭାଗବତ ବେହେରା, ନଟବର ପ୍ରଧାନ, ପ୍ରସନ୍ନ ଆଚାର୍ଯ୍ୟ, ବିମ୍ବାଧର କୁଅଁର, ବ୍ରଜ ତ୍ରିପାଠୀ, ସମରେନ୍ଦ୍ର କୁଣ୍ଡୁ, ଅଶୋକ ଦାସ, ସଚ୍ଚିଦାନନ୍ଦ ଦଲାଲ, ମୁରଲୀଧର ଗୁରୁ, ପ୍ରଦ୍ୟୁମ୍ନ ବଳ, ଭବାନୀ ଶଙ୍କର ହୋତା ଆଦି ବହୁ ନେତା। ନନ୍ଦିନୀ ଶତପଥୀ (ମୁଖ୍ୟମନ୍ତ୍ରୀ)ଙ୍କ ଅସୁସ୍ଥତା ଓ ସରକାର ଭାଙ୍ଗିଯିବ ଗୁଜବ ପ୍ରଚାର ଅଭିଯୋଗରେ ଅଇଁଠୁ ସାହୁ ଓ ବାଲେଶ୍ବରର କଂଗ୍ରେସ କର୍ମୀ ଲକ୍ଷ୍ମଣ କମିଲା ଗିରଫ ହେବାବେଳେ ମୁଖ୍ୟମନ୍ତ୍ରୀ ଶତପଥୀଙ୍କ କଟୁ ସମାଲୋଚକ କଂଗ୍ରେସ ବିଧାୟକ ତ୍ରିଲୋଚନ କାନୁନ୍ଗୋ ମଧ୍ୟ ଅଟକ ବନ୍ଦୀ ଥିଲେ। ସାମ୍ବାଦିକ ମଧ୍ୟରୁ ନାଜିର ଅଖତାର (ଫୁଲବାଣୀ), ଅନିରୁଦ୍ଧ ନନ୍ଦ (ବାଲେଶ୍ବର) ଓ ପ୍ରଶାନ୍ତ ଦାଶ (ବ୍ରହ୍ମପୁର) ମଧ୍ୟ ଜେଲ୍ ଗଲେ। ମୁଖ୍ୟମନ୍ତ୍ରୀଙ୍କ ମର୍ଜି ଅନୁସାରେ ଅଟକ ଚାଲିଲା। ଓଡ଼ିଶା ଶାଖା ଦଳର ସଭାପତି ନୀଳମଣି ରାଉତରାୟ ଗିରଫ ହେଲେ ନାହିଁ। ବିରୋଧୀ ଦଳରେ ବହୁ ରାଜପରିବାରର ସଦସ୍ୟ ଥିଲେ। ଗିରଫରୁ ବଞ୍ଚିବା ପାଇଁ ବିଧାୟକ ସର୍ବଶ୍ରୀ ଉଦୟ ନାରାୟଣ ଦେବ, ଅନୁପ ସିଂହଦେଓ, ଉଦିତ ପ୍ରତାପ ଦେଓ, ତ୍ରିଲୋଚନ ସିଂହଦେଓ, ଅନଙ୍ଗ ଉଦୟ ସିଂହଦେଓ, ପ୍ରମୋଦ ଚନ୍ଦ୍ର ଭଞ୍ଜଦେଓ ଦଳ ବଦଳ କରି କଂଗ୍ରେସରେ ଯୋଗଦେଇଥିଲେ। ଏବେ ଦେଖିବାକୁ ରହିଲା କେତେ ନେତା, କେତେ ଅପରାଧୀ ପେନ୍ସନ୍ ପାଉଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୧୪୮୭୮