ଦିନଟି ଥିଲା ୧୫୯୯ ମସିହା, ସେପ୍‌ଟେମ୍ବର ୨୪ ତାରିଖ। ସମୟ ଏକ ନୁଆଁଣିଆ ଅପରାହ୍‌ଣ। ସ୍ଥାନ ଲଣ୍ଡନ ନଗରୀର ଲିଡେନହଲ ଷ୍ଟ୍ରିଟ୍‌ର ଗୋଟିଏ ଅତି ପୁରୁଣା ଓ ଦଦରା କୋଠୀ। ସେଠାରେ ୨୪ ଜଣ ବ୍ରିଟିସ ବ୍ୟବସାୟୀ ଗୋଲମରିଚ ବେପାର କରିବା ପାଇଁ ଏକତ୍ର ହୁଅନ୍ତି ଏବଂ ଗୋଟିଏ କଂପାନି ଗଢ଼ାଯାଏ। ସେତେବେଳକୁ ଡଚ୍ ବେପାରୀମାନେ ଭାରତରୁ ଗୋଲମରିଚ ଆଣି ବିକ୍ରି କରୁଥାଆନ୍ତି ଏବଂ ଅଚାନକ ମୂଲ୍ୟ ବୃଦ୍ଧିର ଘୋଷଣା କରିଥାଆନ୍ତି। ସୁତରାଂ, ଏହି ୨୪ ବ୍ରିଟିସ ବେପାରୀ ସିଧାସଳଖ ଭାରତରୁ ଗୋଲମରିଚ କିଣିବା ଲାଗି ସ୍ଥିର କରି କଂପାନିଟି ଗଢ଼ନ୍ତି। ଖୁବ୍‌ ଶୀଘ୍ର କଂପାନିର ଅଂଶୀଦାରଙ୍କ ସଂଖ୍ୟା ୨୪ରୁ ବଢ଼ି ୧୨୫ରେ ପହଞ୍ଚେ ଏବଂ ସେମାନେ ଯୋଗାଡ଼ କରନ୍ତି ୭୨ ହଜାର ପାଉଣ୍ଡ। ସେହି କଂପାନିଟି ଥିଲା ଇଂଲିସ ବା ବ୍ରିଟିସ ଇଷ୍ଟ-ଇଣ୍ଡିଆ କଂପାନି, ଯାହା ଗୋଲମରିଚ ବେପାର କରୁ କରୁ ଅବଲୀଳା କ୍ରମେ ଭାରତ ଅଧିକାର କରି ଏହି ବିଶାଳ ଭୂଖଣ୍ଡକୁ ବ୍ରିଟିସ-ରାଜର ଅଧୀନସ୍ଥ କରି ଦେଇଥିଲା।

Advertisment

ଏହି ଘଟଣାର ଆଠ ମାସ ପରର ଘଟଣା। ଅଗଷ୍ଟ ୨୪, ୧୬୦୦ ମସିହା। ହେକ୍ଟର ନାମକ ଏକ ବିଶାଳ ଜାହାଜ ସୁରାଟ ବନ୍ଦରରେ ଲଙ୍ଗର ପକାଏ। ଜାହାଜର ମାଲ ବୋଝେଇ କ୍ଷମତା ୫୦୦ ଟନ୍‌-ଗ୍ୟାଲନ। ତହିଁରେ ଇଂଲିସ ଇଷ୍ଟ ଇଣ୍ଡିଆ କଂପାନିର ପ୍ରତିନିଧି ଉଇଲିୟମ ହକିନ୍‌ସ ଅତି ନିରାଡ଼ମ୍ବର ଭାବେ ଭାରତ ଭୂମିରେ ପାଦ ଦେଇ ସେହି ମୋଡ଼ ପରିବର୍ତ୍ତନକାରୀ ଇତିହାସର ସୂତ୍ରପାତ କରନ୍ତି। ସୁରାଟର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସେତେବେଳେ ମିଳୁଥାଏ ପଦ୍ମରାଗମଣି; ଯାହାକୁ କିଣିବା ସହିତ ହକିନ୍‌ସ କିଣନ୍ତି ଗୋଲମରିଚ, ଅଦା, ଇଣ୍ଡିଗୋ ବା ନୀଳ ଓ ଡାଲଚିନି ଏବଂ ତା’ ସହିତ ଚିତ୍ତ-ମୋହକ ବିରଳ କସ୍ତୁରୀ। କଂପାନିର ଅନୁରୋଧ କ୍ରମେ ଇଂଲାଣ୍ଡର ମହାରାଣୀ ଏଲିଜାବେଥ୍ ମଧ୍ୟ ଭାରତ ବୁଲି ଆସି ସମ୍ରାଟ ଜାହାଙ୍ଗୀରଙ୍କ ଭବ୍ୟ ସମ୍ବର୍ଦ୍ଧନା ଲାଭ କରନ୍ତି। କାଳ ବକ୍ଷ‌େର ଇତିହାସର ଧାଡ଼ି ପରେ ଧାଡ଼ି ଲେଖା ଚାଲିଥାଏ।

ହକିନ୍‌ସ ଥିଲେ ଚତୁର, ଯିଏ ଜାହାଙ୍ଗୀରଙ୍କ ପ୍ରିୟପାତ୍ର ହୋଇ ଅତି ନିକଟରୁ ତାଙ୍କ ଜୀବନଶୈଳୀକୁ ପର୍ଯ୍ୟବେକ୍ଷଣ କରି ଚାଲିଥିଲେ ଏବଂ ‌ସୁଯୋଗ ଉଣ୍ଡି ଇଷ୍ଟ ଇଣ୍ଡିଆ କଂପାନି ପାଇଁ ଏକ ଫର୍ମାନରେ ସମ୍ରାଟଙ୍କ ଦସ୍ତଖତ କରାଇ ନେଲେ। ତା’ ପରେ ଭାରତରୁ ଦୁଇଟି ଜାହାଜ ମସଲା, ଚିନି, ଅଠା, ରେଶମ, ଏବଂ ମୁସଲିନ ଲୁଗା ବୋଝେଇ କରି ଲଣ୍ଡନ ବନ୍ଦରରେ ପହଞ୍ଚିଥିଲା। କଂପାନି ଏହି ବ୍ୟବସାୟରେ ଯେତିକି ପୁଞ୍ଜି ଲଗାଇଥିଲା, ତାହାର ଦୁଇ ଗୁଣ କେବଳ ଲାଭ କରିଥିଲା। ତା’ ପରେ କଂପାନିର ବ୍ୟବସାୟୀ ଓ ଅଧିକାରୀମାନେ ବ୍ରିଟିସ ରାଜନୀତି ଏବଂ ଅର୍ଥ ବ୍ୟବସ୍ଥାରେ ପ୍ରଭାବଶାଳୀ ହୋଇ ଉଠିଥିଲେ। ସେମାନଙ୍କ ସଫଳତା ସେମାନଙ୍କୁ ଅତି ଉଚ୍ଚାଭିଳାଷୀ ଏବଂ ଅହଂକାରୀ ମଧ୍ୟ କରି ପକାଇଲା। ଏହା ଥିଲା ପ୍ରଥମ ଅଧ୍ୟାୟ। ଏହାର ଦେଢ଼ ଶହ ବର୍ଷ ପରେ ଆରମ୍ଭ ହେଲା ଦ୍ବିତୀୟ ଅଧ୍ୟାୟ।

୧୭୫୭ ମସିହା, ଜୁନ୍ ୨୩ ତାରିଖର ଏକ ବର୍ଷଣମୁଖର ପୂର୍ବାହ୍‌ଣ। କଂପାନିର ଜଣେ ବରିଷ୍ଠ ପଦାଧିକାରୀ ରର୍ବଟ କ୍ଲାଇବ୍‌ ହଠାତ୍‌ ୯୦୦ ବ୍ରିଟିସ ସିପାହି ଓ ୨୦୦୦ ଭାରତୀୟ ଗୁଣ୍ଡାଙ୍କୁ ନେଇ ବଙ୍ଗଳାର ନୱାବ୍ ସରାଜଉଦ୍ଦୌଲାଙ୍କ ଦୁର୍ଗକୁ ଘେରାଉ କଲେ। ସିରାଜ ଯୁଦ୍ଧକୁ ଓହ୍ଲାଇଲେ। ଇତିହାସରେ ତାହା ପଲାସୀ ଯୁଦ୍ଧ ନାମରେ ପରିଚିତ। ଏବଂ ସେହି ଦିନ ଇଷ୍ଟ ଇଣ୍ଡିଆ କଂପାନି ତା’ର ଉଦ୍ଦେଶ୍ୟ ଜଣାଇ ଦେଇଥିଲା ଯେ କେବଳ ‘ଟ୍ରେଡ୍’ ବା ବ୍ୟବସାୟ ନୁହେଁ, ‘ଟେରିଟୋରି’ ବା ଅଞ୍ଚଳ ଦଖଲ ମଧ୍ୟ ସେମାନଙ୍କ ଯୋଜନାରେ ରହିଛି। ତା’ ପରେ ଗୋଲମରିଚ ବ୍ୟବସାୟ କରୁଥିବା ସେହି କଂପାନି ସାମ୍ରାଜ୍ୟବାଦର ଜୈତ୍ର ଉଡ଼ାଇବା ଆରମ୍ଭ କରିଥିଲା। ତା’ ପରେ କଂପାନି ପକ୍ଷରୁ ଚକ୍ରାନ୍ତ, ତୋଷାମଦୀ, ଦଣ୍ଡ, ଶୋଷଣ ଏବଂ ବିଭାଜନର ଯେଉଁ ଜଟିଳ ଜାଲ ବୁଣାଗଲା ତହିଁରେ ପ୍ରାୟ ଅଢ଼େଇ ଶହ ବର୍ଷ କାଳ ଭାରତ ଭୂଖଣ୍ଡ ଅଧିକରୁ ଅଧିକ ଛନ୍ଦି ହୋଇଗଲା। ତା’ ପରେ ଯେତେବେଳେ ବ୍ରିଟିସ ସାମ୍ରାଜ୍ୟବାଦର ବିଲୟ ଘଟିଲା ଏବଂ ଭାରତ ଫାଶମୁକ୍ତ ହେଲା, ସେତେବେଳକୁ ଭାରତୀୟ ସମାଜ ଦାରିଦ୍ର୍ୟ ଓ ବିଭାଜନର ବିଦ୍ବେଷ ଦ୍ବାରା ଆତ୍ମସାତ୍‌ ହୋଇ ସାରିଥିଲା।
ପୃଥିବୀ ମାନଚିତ୍ରରେ ବ୍ରିଟେନ୍‌ ଥିଲା ଏକ ଅତି କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର, ଯାହାର ଜନସଂଖ୍ୟା ଥିଲା ମାତ୍ର ୫୦ ନିୟୁତ। ଅଥଚ, ସମୁଦ୍ର ବକ୍ଷରେ ଜାହାଜ ମେଲି ବ୍ୟବସାୟ କରିବା ବାହାନାରେ ପୃଥିବୀର ସବୁଠାରୁ ବିଶାଳ ଓ ଶକ୍ତିଶାଳୀ ସାମ୍ରାଜ୍ୟ ଗଢ଼ି ତୋଳିଥିଲେ ସେହି ବ୍ରିଟିସମାନେ। କିନ୍ତୁ ବିଡ଼ମ୍ବନା, ସେହିମାନେ ଏହି ଉପମହାଦେଶୀୟ ଭୂଖଣ୍ଡ‌େର ଏଭଳି ଅଛିଣ୍ଡା ସମସ୍ୟାମାନ ସୃଷ୍ଟି କରି ଦେଇଗଲେ ଯେ ତାହା ଏ ଯାବତ୍‌ ସମାହିତ ହେବାର ନାଁ ଧରୁନାହିଁ। ଭାରତ ସହିତ ପଡ଼ୋଶୀ ରାଷ୍ଟ୍ରଙ୍କ ସୀମା ସମସ୍ୟା ଠାରୁ ଆରମ୍ଭ କରି ଭାରତରେ ସାଂପ୍ରଦାୟିକ ବିଦ୍ବେଷଜନିତ ସମସ୍ୟା ଆଦି ସେହି ବ୍ରିଟିସମାନଙ୍କ ଅବଦାନ।
ମୋ: ୯୭୭୭୨୦୫୬୮୪