ଆମ ଆଖପାଖରେ ପ୍ରଚଳିତ ଅଧିକାଂଶ ଭାଷାର ବ୍ୟାକରଣରେ ଶବ୍ଦମାନଙ୍କୁ ଆଠଟି ବିଭାଗରେ ବଣ୍ଟା ଯାଇଛି। ଏହାକୁ ମାଧ୍ୟମ କରି ପିଣ୍ଡବ୍ରହ୍ମାଣ୍ଡ ସାଧକ ପାର୍ଥକ୍ୟରୂପୀ ମାୟାର ରୂପ ଓ କାରଣକୁ ଅନୁଭବ କରିପାରନ୍ତି। ପାର୍ଥକ୍ୟରୂପୀ ମାୟାକୁ ଚିହ୍ନିଲେ ହିଁ ସାଧକ ଏଥିରୁ ମୁକ୍ତ ହୋଇ ଏକାତ୍ମତା ଦର୍ଶନ ପାଇଁ ପ୍ରସ୍ତୁତ ହୁଅନ୍ତି।
ଶବ୍ଦମାନଙ୍କର ପ୍ରଥମ ପ୍ରକାରଭେଦ ହେଉଛି ସଂଜ୍ଞା ବା ବିଶେଷ୍ୟ। ଏହା ଯେ କୌଣସି ନାମ ବା ପରିଚୟକୁ ବୁଝାଏ। ବିଶେଷ୍ୟ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି, ଯାହାଦ୍ୱାରା କୌଣସି ତତ୍ତ୍ୱର ପରିଚୟ ଓ ସ୍ଥିତିର ଚେତନା ଜାତ ହୁଏ। ସଂଜ୍ଞାର ଅର୍ଥ, ଯାହାଦ୍ୱାରା ବସ୍ତୁକୁ ଚିହ୍ନାଯାଏ। ଏହି ନାମକରଣ-ଚେତନା ବିନା ଆମେ ଏହି ସଂସାରରେ ଜୀବନଯାପନ କରିବା ଅସମ୍ଭବ। ସଂଜ୍ଞା ବା ବିଶେଷ୍ୟ ପାଞ୍ଚ ପ୍ରକାର। ଏହି ନାମଗୁଡ଼ିକ ବ୍ୟକ୍ତିବାଚକ, ଜାତିବାଚକ, ସମୂହବାଚକ, ଦ୍ରବ୍ୟବାଚକ ଓ ଭାବବାଚକ ହୋଇ ଥାଆନ୍ତି।
ଏହି ନାମଚେତନାରୁ ମୁକ୍ତି ହିଁ ସର୍ବବ୍ୟାପକ ଏକାତ୍ମତା ଅନୁଭବ ପ୍ରଦାନ କରେ। ନାମ ଓ ଗୁଣର ପରିଚୟକୁ ବାଦ୍ ଦେଲେ ସବୁ କିଛି ସମାନ। ଗୋଟିଏ ଅଜଣା ଦେଶର ରାସ୍ତାର ଚିତ୍ରରେ ଦର୍ଶିତ ସବୁ ମଣିଷ ଆମ ପାଇଁ ପ୍ରାୟ ସମାନ ପରିଚୟ ବହନ କରନ୍ତି। ଯେକୌଣସି ତତ୍ତ୍ୱର ସଂଜ୍ଞାରୂପକୁ ବାଦ୍ ଦେଇ ତାହାକୁ ଅନୁଭବ କରିବାର ପ୍ରଚେଷ୍ଟା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ଧ୍ୟାନ ଓ ସାଧନାର ଲକ୍ଷ୍ୟ। ନାମକୁ ବାଦ୍ ଦେଲେ ସବୁକିଛି ପରିଚୟହୀନ ଅନାମରେ ପରିବର୍ତ୍ତିତ ହୋଇଯାଏ। ଏହି ଅନାମ ସର୍ବବ୍ୟାପକ, ତେଣୁ ସର୍ବବ୍ୟାପକ ବ୍ରହ୍ମର ଅନ୍ୟ ନାମ ଅନାମ। ଯେକୌଣସି ନାମ ପାର୍ଥକ୍ୟ ସୃଷ୍ଟିକରେ। ତେଣୁ ଭଗବାନଙ୍କ ଅଭିନ୍ନ ସତ୍ତାକୁ ନାମାତୀତ ଅନାମ ଭାବେ ବର୍ଣ୍ଣନା କରାଯାଇଛି।
ଜନ୍ମ ପର ଅବସ୍ଥାରେ ଅଜ୍ଞାନତା କାରଣରୁ ଆମେ ଅନାମ ସ୍ଥିତିରେ ଥାଉ। ଅବୋଧ ଶିଶୁ ଅବସ୍ଥାରେ କୌଣସି ତତ୍ତ୍ୱର ସଂଜ୍ଞା ବା ବିଶେଷ୍ୟବୋଧ ନ ଥାଏ। ତେଣୁ ଶିଶୁ ପାର୍ଥକ୍ୟ-ମାୟାମୁକ୍ତ ଏକାତ୍ମତା ସ୍ଥିତିରେ ଥାଏ। ପିଣ୍ଡବ୍ରହ୍ମାଣ୍ଡ ସାଧନାର ଲକ୍ଷ୍ୟ ହେଉଛି, ସେହି ସମାନ ଏକାତ୍ମତା ସ୍ଥିତିକୁ ସଜ୍ଞାନ ଅବସ୍ଥାରେ ପ୍ରାପ୍ତ କରିବା। ଏଥିପାଇଁ, ଚେତନାରେ ପରିବ୍ୟାପ୍ତ ବିଭିନ୍ନ ପ୍ରକାର ସଂଜ୍ଞାବୋଧକୁ ଧ୍ୟାନରେ ଦୂର କରିବାକୁ ଚେଷ୍ଟା କରାଯାଏ। ସଂଜ୍ଞାବୋଧ ବା ନାମ ସଜ୍ଞାନତା ହେଉଛି ଚିତ୍ତରୂପୀ ଅନନ୍ତ ସାଗରର ଲହଡ଼ି ବା ବୃତ୍ତି। ଏହା ଦୂର ହେଲେ, ବୃତ୍ତିହୀନ ଚେତନାର ଅନନ୍ତ ବ୍ୟାପ୍ତି ଅନୁଭୂତ ହୁଏ। ବ୍ୟାକରଣ ମାଧ୍ୟମରେ ସଂଜ୍ଞାକୁ ଜାଣିଲେ, ସାଧକଙ୍କପାଇଁ ଏହାକୁ ବାଦ୍ ଦେଇ ସଂସାର ମଧ୍ୟରେ ବ୍ରହ୍ମ ଦର୍ଶନ ସମ୍ଭବ ହୁଏ।