ସର୍ବବ୍ୟାପକ ଧ୍ୱନିର ଅର୍ଥହୀନ ବର୍ଣ୍ଣସମୂହ ବିଭିନ୍ନ ପ୍ରକାର ଭେଦରେ ଏକାଠି ହୋଇ ସୃଷ୍ଟି କରନ୍ତି ଶବ୍ଦମାନଙ୍କୁ। ଶବ୍ଦରେ ଅର୍ଥର ଜୀବନ୍ୟାସ ଦିଏ ଆମମାନଙ୍କ ଚେତନା। ଶବ୍ଦମାନେ ଏକକ ଭାବେ ଖୁବ୍ ଅଳ୍ପ ଅର୍ଥ ବହନ କରନ୍ତି। ଏକ ସଂପୂର୍ଣ୍ଣ କର୍ମକୁ ବର୍ଣ୍ଣନା କରିବାପାଇଁ ବ୍ୟବହୃତ ହୁଏ ଶବ୍ଦମାନଙ୍କର ଏକ ସମୂହ। ବ୍ୟାକରଣରେ ଅର୍ଥବୋଧକ ଶବ୍ଦ ସମଷ୍ଟିକୁ ବାକ୍ୟ ଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ସବୁ ଶବ୍ଦ ସମଷ୍ଟି ବାକ୍ୟ ପଦବାଚ୍ୟ ନୁହନ୍ତି। କିଛି ବିଶେଷ ନିୟମ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଚିନ୍ତନ, ଭାବ ବା କର୍ମକୁ ପରିପ୍ରକାଶ କରୁଥିବା ଶବ୍ଦସମୂହ ହିଁ ବାକ୍ୟ।

Advertisment

ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ବ୍ୟାକରଣବର୍ଣ୍ଣିତ ଶବ୍ଦଗୁଡ଼ିକ ଶରୀରର କୋଷିକାମାନଙ୍କ ସମଷ୍ଟି ଦ୍ୱାରା ନିର୍ମିତ ତନ୍ତୁ ସହ ତୁଳନୀୟ। ତନ୍ତୁର ଗୁଣାତ୍ମକ ପରିଚୟ ଥାଏ। ବିଭିନ୍ନ ପ୍ରକାର ତନ୍ତୁ ଅଲଗା ଅଲଗା କର୍ମରେ ଲିପ୍ତ ଥାଆନ୍ତି। ପାଚନତନ୍ତ୍ର ଓ ପ୍ରଜନନତନ୍ତ୍ରର କର୍ମ ଅଲଗା। ପ୍ରତ୍ୟେକ ତନ୍ତ୍ରରେ ତନ୍ତୁମାନଙ୍କର ବିଭିନ୍ନତା ଏକ ନିର୍ଦ୍ଦିଷ୍ଟ ଉପାୟରେ ଏକାଠି ହୋଇଥିବାରୁ, ଏକ ବିଶେଷ ପ୍ରକାର କର୍ମ ସମ୍ପାଦିତ ହୋଇପାରେ। ଧ୍ୟାନ ସମୟରେ ଶରୀରରେ ଏକାତ୍ମତାକୁ ଅନୁଭବ କରିବାପାଇଁ ବ୍ୟାକରଣର ଏହି ବାକ୍ୟଗଠନ ତତ୍ତ୍ୱକୁ ଏକ ମାନସିକ ଆଧାର ଭାବେ ଗ୍ରହଣ କରାହୁଏ। ଏକ ବିଶେଷ ଚିନ୍ତନକୁ ବହନ କରୁଥିବା ବାକ୍ୟକୁ ପ୍ରଥମେ ଶବ୍ଦ, ତା’ପରେ ବର୍ଣ୍ଣ ପରିଚୟ ଦ୍ୱାରା ଅନୁଧ୍ୟାନ କଲେ, ତାହା ସର୍ବବ୍ୟାପକ ଧ୍ୱନିରେ ରୂପାନ୍ତରିତ ହୋଇଯାଏ। ଠିକ୍ ସମାନ ଉପାୟ ଅବଲମ୍ବନ କରି ପିଣ୍ଡବ୍ରହ୍ମାଣ୍ଡ ସାଧକ ଧ୍ୟାନରେ ନିଜ ଶରୀରର ବିଭିନ୍ନ ତନ୍ତ୍ରମାନଙ୍କ ପାର୍ଥକ୍ୟକୁ ପ୍ରତିହତ କରି, ଏକାତ୍ମତା ଅନୁଭବ କରିପାରନ୍ତି। ଏଥିପାଇଁ ପ୍ରଥମେ ତନ୍ତ୍ରମାନଙ୍କୁ ତନ୍ତୁ ରୂପରେ ଏବଂ ପରେ ତନ୍ତୁଗୁଡ଼ିକୁ କୋଷିକା ଭାବେ ଅନୁଭବ କରିବାକୁ ପଡ଼େ। ଏହା ପରେ କୋଷିକାମାନଙ୍କର ନିର୍ମାଣ ତତ୍ତ୍ୱକୁ ଅନୁଧ୍ୟାନ କରିବାକୁ ହୁଏ।

ଧ୍ୟାନ ସମୟରେ ମନରେ ଆସୁଥିବା ବିଭିନ୍ନ ଚିନ୍ତାଗୁଡ଼ିକୁ ମଧ୍ୟ ବାକ୍ୟଗଠନ ତତ୍ତ୍ୱକୁ ବ୍ୟବହାର କରି ନିଃଶେଷ କରିହୁଏ। ମନରେ ଉଦ୍ଭାସିତ, ଯେକୌଣସି ଚିନ୍ତନ ଧାରା କିଛି ଛୋଟ ଛୋଟ ମାନସିକ ତରଙ୍ଗର ସମଷ୍ଟି। ଏଗୁଡ଼ିକୁ ଏକକ ଭାବେ ଅନୁଭବ କରି ସେମାନଙ୍କର ଉତ୍ସ ଓ ସଂଯୋଗର କାରଣକୁ ଦର୍ଶନ କରିବାକୁ ଚେଷ୍ଟା କଲେ, ଏମାନେ ଚେତନାର ଏକାତ୍ମତାରେ ନିମଜ୍ଜିତ ହୋଇଯାଆନ୍ତି। ବାକ୍ୟରେ ତିନିଟି ଉପାଦାନ ଥାଏ- ତାତ୍ପର୍ଯ୍ୟ, ଅର୍ଥର ସଙ୍ଗତି ବା ସମ୍ଭବତା ଓ ଶବ୍ଦମାନଙ୍କର ଦେଶ, କାଳ ଅନୁସାରେ ପରସ୍ପର ସମ୍ବନ୍ଧ। ମନରେ ଆସିଥିବା ଚିନ୍ତାତରଙ୍ଗର ସମଷ୍ଟିମାନଙ୍କରୁ ଏହି ତିନିଟିକୁ ଦୂରେଇ ପାରିଲେ, ମନର ଶାନ୍ତ ଓ ଏକାନ୍ତ ଅବସ୍ଥା ଅନୁଭୂତ ହୁଏ। ବ୍ୟାକରଣଜ୍ଞାନ ଏହିଭଳି ଭାବେ ସାଧକଙ୍କ ଧ୍ୟାନକୁ ସୁଦୃଢ଼ କରିବାରେ ସହାୟକ ହୁଏ।