ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ : କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ

ସୁବାସ ସିଂହ

୧୮୮୬ ମସିହା ମେ ପହିଲାରେ ଆମେରିକାର ଶିକାଗୋ ସହରରେ ୮ ଘଣ୍ଟିଆ କାର୍ଯ୍ୟଦିବସର ଦାବି ନେଇ ସଂଗଠିତ ହୁଏ ଏକ ବିଶାଳ ସମାବେଶ। ମେ ୩ରେ ଏହି ବାର୍ତ୍ତା ପୂରା ମହାଦେଶକୁ ନିଆଁ ଭଳି ବ୍ୟାପିବାରେ ଲାଗିଥାଏ। ୪୦ଟି ସହରରେ ପୋଲିସର ବର୍ବର ଆକ୍ରମଣରେ ୬ ଜଣ ଶ୍ରମିକ ପ୍ରାଣ ହରାଇଲେ। ୧୮୮୭ ନଭେମ୍ବର ୧୧ ତାରିଖରେ ୪ ଜଣ ଶ୍ରମିକନେତାଙ୍କୁ ଫାଶୀ ଦିଆଗଲା। କିନ୍ତୁ ୮ ଘଣ୍ଟିଆ କାର୍ଯ୍ୟଦିବସର ଦାବି ନେଇ ଆମେରିକାରେ ଶ୍ରମିକଙ୍କ ଏହି ରକ୍ତାକ୍ତ ସଂଗ୍ରାମକୁ ସାରା ବିଶ୍ବ ସମର୍ଥନ ଜଣାଇଲା ଓ ଶ୍ରମିକଙ୍କ ଦାବିକୁ ମଧ୍ୟ ମାନି ନିଆଗଲା। ଏହାର ସ୍ମୃତିରେ ବିଶ୍ବର ପ୍ରତ୍ୟେକ ଦେଶ ୧୮୯୦ ମସିହାରୁ ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରି ଆସୁଛନ୍ତି।

ଆଜି ଦିନରେ ନବ୍ୟ ଉଦାରବାଦୀ ଅର୍ଥନୀତି ଜାଲରେ ଶ୍ରମିକଶ୍ରେଣୀ ନୂଆରୂପରେ ଶୋଷଣର ଶିକାର ହେଉଛନ୍ତି। ବହୁଦେଶୀୟ କମ୍ପାନିଙ୍କ ସ୍ବାର୍ଥରକ୍ଷା ପାଇଁ ଅନେକ କ୍ଷେତ୍ରରେ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା ଅଘୋଷିତଭାବେ କାର୍ଯ୍ୟକରିବାକୁ ପଡୁଛି। ଅସ୍ଥାୟୀ ନିଯୁକ୍ତି ଏବଂ ଆଉଟ୍‌ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦ୍ବାରା ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଉଛି। ବ୍ରିଟିଶ୍‌ ଶାସନ ସମୟରୁ ବହୁ ସଂଘର୍ଷ ମଧ୍ୟଦେଇ ଶ୍ରମିକଶ୍ରେଣୀ ପାଇଥିବା ଅଧିକାର ଯଥା – ଟ୍ରେଡ୍ ୟୁନିୟନ୍ ଅଧିନିୟମ ୧୯୨୬, ଶିଳ୍ପସଂସ୍ଥା ନିଯୁକ୍ତି ଅଧିନିୟମ ୧୯୪୬ ପ୍ରଭୃତି ୪୭ଟି ଶ୍ରମ ଆଇନ ସଂଶୋଧିତ ହୋଇ ୪ଟି ଲେବର କୋଡ୍‌ରେ ପରିଣତ ହେଲାଣି ଏବଂ ଏହାଦ୍ବାରା ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି ବୋଲି ଆଶଙ୍କା ପ୍ରକାଶ ପାଉଛି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆଇନ ୧୯୯୬ ଅଧୀନରେ ଥିବା ହଜାର ହଜାର କୋଟି ଟଙ୍କାର ସେସ୍ ଅର୍ଥ ରାଜ୍ୟ ବୋର୍ଡମାନଙ୍କ ଦ୍ବାରା ଶ୍ରମିକ କଲ୍ୟାଣ ପାଇଁ ପରିଚାଳିତ ହେଉଛି। ଏହି ନୂଆ କୋଡ୍ ପ୍ରଚଳନ ଦ୍ବାରା ରାଜ୍ୟଗୁଡ଼ିକ ଏହାଠିକ୍‌ଭାବେ ପରିଚାଳନା କରିବାର ସୁଯୋଗ ପାଇବେ କି ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ପୂର୍ବ ଆଇନ ବଳରେ ଶ୍ରମିକ ଓ ବିଶେଷକରି ପ୍ରବାସୀ ଶ୍ରମିକମାନେ ଏକ ବଡ଼ ଆଇନଗତ ସୁରକ୍ଷା ପାଇପାରୁଥିଲେ। ଅପରପକ୍ଷରେ ଆଇସିଡିଏସ୍ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏ, ଜାତୀୟ ସ୍ବାସ୍ଥ୍ୟ ମିଶନ, ମଧ୍ୟାହ୍ନଭୋଜନ ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ବ୍ୟୟବରାଦ କମିକମି ଚାଲିଛି ଓ ରାଜ୍ୟମାନଙ୍କ ଉପରେ ବୋଝ ଲଦିଦିଆଯାଉଛି। ଏହି ଯୋଜନାଗୁଡିକରେ କେନ୍ଦ୍ରୀୟ ସହାୟତା କମାଇବା ସହ କେନ୍ଦ୍ର ସରକାର କେତେକ କଲ୍ୟାଣକାରୀ ଯୋଜନାକୁ ପ୍ରତ୍ୟାହାର କରିନେବା ବଡ଼ ସମସ୍ୟା ସୃଷ୍ଟି କରିଛି।

କରୋନା ଦ୍ବିତୀୟ ଲହରରେ ପୁନର୍ବାର ପ୍ରବାସୀ ଶ୍ରମିକଙ୍କ ଲୁହଲହୁର କରୁଣ କାହାଣୀ ଦେଶବାସୀ ଦେଖିପାରୁଛନ୍ତି। ପ୍ରଧାନମନ୍ତ୍ରୀ ଯେତେ ନିବେଦନ କଲେ ମଧ୍ୟ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇ ରାଜରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି। ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରେ କାର୍ଯ୍ୟରତ ସେହି ରାଜ୍ୟଗୁଡ଼ିକ ଯଦି ସେମାନଙ୍କର ରହିବା, ଖାଇବା, ପିଲାଙ୍କ ପାଠପଢ଼ା, ଚିକିତ୍ସା ଓ ସାମାଜିକ ସୁରକ୍ଷାର ଦାୟିତ୍ବ ନେଇଥାନ୍ତେ ତେବେ ସେମାନେ କାହିଁକି ଫେରିବାକୁ ବାଧ୍ୟ ହୁଅନ୍ତେ? କେନ୍ଦ୍ର ସରକାର ଘୋଷଣା କରିବା ପରେ ମଧ୍ୟ ‘ଏକ ଦେଶ ଏକ ରାସନ କାର୍ଡ’ ବ୍ୟବସ୍ଥା ଚାଲୁ କରାଯାଉ ନାହିଁ। ସେମାନଙ୍କ ଚିକିତ୍ସାର ବ୍ୟବସ୍ଥା କରାଯାଉ ନାହିଁ। ଫଳରେ କରୋନା ଦ୍ବିତୀୟ ଲହରରେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀରେ ବେଡ୍ ନ ପାଇ ପ୍ରବାସୀ ଶ୍ରମିକଙ୍କ ଜୀବନ ଚାଲିଯାଉଛି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଂପୃକ୍ତ ରାଜ୍ୟମାନଙ୍କ ପାଖରେ ୩୨ ହଜାର କୋଟି ଟଙ୍କାର ସେସ୍ ପଇସା ପଡ଼ି ରହିଛି। ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ରେଂଟାଲ୍ ହାଉସିଂ ସ୍କିମ୍ କରି ଦେଶରେ ଏକ ଆଦର୍ଶ ରାଜ୍ୟ ଭାବେ ପରିଗଣିତ ହୋଇପାରିଛି। କେନ୍ଦ୍ର ସରକାରଙ୍କ ପାଣ୍ଠି ତଥା ସଂପୃକ୍ତ ରାଜ୍ୟଗୁଡ଼ିକର ସହଯୋଗରେ ବାସଗୃହ ବ୍ୟବସ୍ଥା ନିଶ୍ଚିତ କରାଯିବା ଉଚିତ। ଏଥିପାଇଁ କଠୋର ଆଇନ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଦରକାର।

ଗତବର୍ଷ କରୋନା ସମୟରେ ଶ୍ରମିକମାନେ ଜୀବନ ବିକଳରେ ରାଜରାସ୍ତାରେ ଚାଲି ଚାଲି ଆସିଲାବେଳେ ଏବଂ ଟ୍ରେନ୍ ଓ ବସ୍‌ ଦୁର୍ଘଟଣାରେ ଶତାଧିକ ପ୍ରାଣ ହରାଇଥିଲେ। ଆମ୍ଭେମାନେ ସଂସଦରେ ଦାବି କଲାପରେ ବି ତାହାର ଠିକ୍‌ ତଥ୍ୟ ମିଳିପାରିଲା ନାହିଁ। ଆଜି ପର୍ଯ୍ୟନ୍ତ ଏହି ପ୍ରବାସୀ ଶ୍ରମିକ ପରିବାରଗୁଡ଼ିକୁ ଟଙ୍କାଟିଏ ମଧ୍ୟ ସହାୟତା ଦିଆଗଲା ନାହିଁ। ଓଡିଶାର ମୁଖ୍ୟମନ୍ତ୍ରୀ ଗତବର୍ଷ ଜାନୁଆରି ୧୫ରେ ରଜ୍ୟର ପ୍ରମୁଖ ପ୍ରବାସୀ ଶ୍ରମିକ ଜିଲ୍ଲା ଯଥା – ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼ର ୨୦ଟି ବ୍ଳକ୍‌ର ୪୭୭ ଗ୍ରାମପଂଚାୟତ ପାଇଁ ୫୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ବ୍ୟବସ୍ଥା କରିବା ସହ ଏମ୍‌ଜିଏନ୍‌ଆର୍‌ଇଜିଏରେ କାର୍ଯ୍ୟଦିବସକୁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନକୁ ଓ ମଜୁରି ୧୮୮ ଟଙ୍କାରୁ ୨୮୬ ଟଙ୍କାକୁ ବୃଦ୍ଧି କରିଥିଲେ ଏବଂ ତାହାକୁ କାର୍ଯ୍ୟକାରୀ ବି କରୁଛନ୍ତି। ଏହି ପ୍ରସଙ୍ଗକୁ ଆମେ ସଂସଦରେ ଉପସ୍ଥାପନା କରି ଏମ୍‌ଜିଏନ୍‌ଆର୍‌ଇଜିଏର କାର୍ଯ୍ୟଦିବସକୁ ୨୦୦ ଦିନକୁ ବୃଦ୍ଧି କରିବା ସହିତ ସର୍ବନିମ୍ନ ମଜୁରି ୩୦୦ଟଙ୍କାକୁ ବୃଦ୍ଧି କରାଯାଇ ଏହି ଭୟଙ୍କର ମହାମାରୀରେ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ସହିତ ସୁରକ୍ଷା ଦିଆଯାଉ ବୋଲି ଦାବି କରିଥିଲୁ। ଏକ ଏକ୍ସପର୍ଟ କମିଟି ଜରିଆରେ ପ୍ରବାସୀ ଶ୍ରମିକ ଜିଲ୍ଲାଗୁଡିକୁ ଦେଶରେ ଚିହ୍ନଟ କରାଯାଇ ଏହା ପାଇଁ ଏକ ସ୍ବତନ୍ତ୍ର ବ୍ୟୟବରାଦ କରିବାକୁ ଅନୁରୋଧ କରିଥିଲୁ। କିନ୍ତୁ କେନ୍ଦ୍ର ସରକାର ଏହାକୁ ବିଚାରକୁ ନେଲେନାହିଁ।

କରୋନାର ଦ୍ବିତୀୟ ଲହରରେ ଶ୍ରମିକଙ୍କ କରୁଣ କାହାଣୀ ଅବର୍ଣ୍ଣନୀୟ। ସବୁଆଡେ ଲକ୍‌ଡାଉନ୍, ସଟ୍‌ଡାଉନ୍, କଳକାରଖାନା ବନ୍ଦ, କାମ ନାହିଁ- ଜୀବନ ବିକଳରେ ପ୍ରବାସୀ ଶ୍ରମିକମାନେ ରାଜରାସ୍ତାରେ- ଘରକୁ ଫେରିବା ପାଇଁ ପଇସା ନାହିଁ। ପରିବହନ, ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କ କରୁଣ କାହାଣୀ କେନ୍ଦ୍ର ସରକାର ଜାଣି ମଧ୍ୟ ଅଜଣା ହେଉଛନ୍ତି। ଶ୍ରମିକଙ୍କ ସାମାଜିକ ସୁରକ୍ଷା ଆଇନ ୨୦୦୮ରେ ପାରିତ ହେଲାପରେ ବ୍ୟୟବରାଦରେ ଟଙ୍କାଟିଏ ବି ରଖାଯାଇ ନାହିଁ। ୨୦୦୪ ଡ. ଅର୍ଜୁନ ସେନ୍‌ଗୁପ୍ତା ରିପୋର୍ଟର କରୁଣ ଦୃଶ୍ୟ ଓ ତଥ୍ୟ ଆଧାରରେ ୭୦ ଭାଗ ଶ୍ରମିକ ଦୈନିକ ୨୦ ଟଙ୍କାରେ ବଂଚିଥାନ୍ତି। ଜାତିସଂଘ ଓ ବିଶ୍ବ ଶ୍ରମ ସମ୍ମିଳନୀର ନିର୍ଦ୍ଦେଶନାମା ସତ୍ତ୍ବେ ପ୍ରତ୍ୟେକ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କ୍ଷେତ୍ରରେ କଠୋର ପଦକ୍ଷେପ ନିଆଯାଉନାହିଁ। ଭାରତବର୍ଷର ୪୦ କୋଟି ଅସଂଗଠିତ ଶ୍ରମିକ ଅନିଶ୍ଚିତତା ମଧ୍ୟରେ କାର୍ଯ୍ୟ କରୁଛନ୍ତି। ଏହାର ପ୍ରତିକାର ହେବା ନିତାନ୍ତ ଜରୁରୀ।

ସାଂସଦ

ସମ୍ବନ୍ଧିତ ଖବର