ବିଜୟ ନାୟକ

Advertisment

ମଣିଷ କେବେଠାରୁ କବିତା ଲେଖିଲା? ନିଶ୍ଚିତ ଭାବରେ ଭାଷା ଓ ଲିପିର ଆବିଷ୍କାର ପରେ। କିନ୍ତୁ ଆଦିମ କାଳରୁ, ସଭ୍ୟତାର ଉଦ୍ଭାସର ବହୁ ପୂର୍ବରୁ, ମଣିଷ କବିତାରେ କଥାବାର୍ତ୍ତା କରିଆସିଛି। ଝରଣାର କଳନାଦ, ପକ୍ଷୀମାନଙ୍କ କାକଳି, ବର୍ଷାର ନିକ୍ୱଣ ପୁଣି ଝଡ଼ର ଝଙ୍କାର କବିତାମନସ୍କ କରିଥିବ ଆଦିମଣିଷକୁ। ସେହିଦିନରୁ ଫୁଟିଥିବ ତା’ କଥାରେ କବିତା। ସେଥିପାଇଁ ମୌଖିକ ସାହିତ୍ୟ ହିଁ ସାହିତ୍ୟର ଉଷାକାଳ। ଶ୍ରୁତି କାଳେକାଳେ ସାହିତ୍ୟର ଅବିଚ୍ଛେଦ୍ୟ ଅଙ୍ଗ।
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତି ପାଦରେ ମଣିଷ କବିତାରେ ବଞ୍ଚେ। ଅବୋଧ ଶିଶୁଟିକୁ ମା’ ତା’ର ପରିଚିତ କରାଏ ପରିପାର୍ଶ୍ୱ ସହିତ କବିତାରେ। ଶରଦର ନିଟୋଳ ଜହ୍ନ ଆଡ଼କୁ ହାତ ବଢ଼ାଇ ଶିଶୁ କାନରେ କହେ, “ଆ ଜହ୍ନମାମୁ ସରଗ ଶଶି, ମୋ କାହ୍ନୁ ହାତରେ ପଡ଼ରେ ଖସି।” ଶିଶୁଟି ଆଉ ଟିକେ ବଢ଼ିଗଲେ, ପୃଥିବୀକୁ ଦୋଚିହ୍ନା କରୁଥିବା ବୟସରେ ମାଷ୍ଟ୍ରେ ବହିର କବିତା ସହିତ ତାକୁ ଯୋଡ଼ିବାକୁ ଆରମ୍ଭ କରନ୍ତି। ବାପା ମା’ କିନ୍ତୁ ତାକୁ କବିତା ଶିଖାନ୍ତି। କହନ୍ତି, କହ, “ପାଠ ପଢ଼ିବି ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି।” ତେବେ ଶିଶୁଟି ଯୁବକ ହେଲେ କବିତାରେ ପ୍ରେମ କରେ। ସଂସାର ଛାଡ଼ିଲା ବେଳେ ବାପାମା’ଙ୍କୁ ବିଦାୟ ଦିଏ ‘ରାମ ନାମ ସତ୍ୟ ହୈ’ କାରୁଣ୍ୟର ତାଳେ ତାଳେ।
ବ୍ୟକ୍ତିକୁ କେବଳ ନୁହେଁ ସମାଜକୁ ବାନ୍ଧି ରଖେ କବିତା, ଆତ୍ମୀୟତାର ନିବିଡ଼ ଆଶ୍ଳେଷରେ। କଥା, କାହାଣୀ ଓ କିଂବଦନ୍ତି ପାଲଟନ୍ତି କବିତା, ଇତିହାସ ଗାଥାର ରୂପ ନିଏ। ମନ୍ଦିରମାଳିନୀ ଭୁବନେଶ୍ୱରରେ ତୁଙ୍ଗ ମନ୍ଦିର ଗଢ଼ିଥିବା ରାଜାଙ୍କୁ ସ୍ମରଣ କରେ ଓଡ଼ିଆ ଜାତି କବିତାର ମୃଦୁ ଲହରିରେ: “ଲଲାଟ ଇନ୍ଦୁ କେଶରୀ, ଗଢ଼ିଲେ ଦେଉଳ ଯତନ କରି, ବିଦେଶୀ ମରନ୍ତି ଝୁରି।” ଗଜପତି ଏକଦା କେଉଁ ଅଜ୍ଞାତବାସରେ ଥିଲେ କିଏ ଜାଣେ? ତାଙ୍କର କିନ୍ତୁ ରାଜଧାନୀ ଫେରିବା ଥିଲା ଅନିବାର୍ଯ୍ୟ। ବାଜିଲା ବୀରବାଦ୍ୟ। ଫେରିଲେ ଗଜପତି। ତାହା ଗୀତରେ ଗୁଞ୍ଜରିତ: “ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା, ସୁନୁପୁରୁ ଠେଇଁ ଟମକ ବାଜିଲା ଲେଉଟି ଅଇଲେ ରଜା।” ସେହିପରି କଳାପାହାଡ଼ର ଓଡ଼ିଶା ଆକ୍ରମଣ ଜନିତ ଭୟାବହତାକୁ କବିତାରେ ଏ ଯାବତ ଛନ୍ଦି ରଖିଛି ଏ ଜାତି, “ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହୀରା ପରଷିଲେ ମୁକୁନ୍ଦ ଦେବଙ୍କ ରାଣୀ।”
ସମୟ ପରି ଇତିହାସ ମଧ୍ୟ ଏକ ପ୍ରବହମାନ ସ୍ରୋତସ୍ୱିନୀ। ଗୋଟିଏ ଘଟଣା ପାଖରେ ସମୟ ଅଟକି ଯାଏନାହିଁ କି ନିର୍ଦ୍ଦିଷ୍ଟ ସମୟଖଣ୍ଡ ଭିତରେ ବାନ୍ଧି ହୋଇ ରହେ ନାହିଁ ଇତିହାସ। ୧୮୫୭ ମହାସଂଗ୍ରାମର ଅନ୍ୟତମ ସେନାନୀ ଚାଖିଖୁଣ୍ଟିଆ ଝାନ୍‌ସିର କେଉଁ ଘଞ୍ଚ ଅରଣ୍ୟରେ ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରି ଦୀର୍ଘଦିନ ପରେ ନିଜ ମାଟିକୁ ଫେରିଲା ପରେ ଓଡ଼ିଶାର ପୁରପଲ୍ଲୀରେ ସଞ୍ଚରି ଯାଇଥିଲା କବିତାର କଲ୍ଲୋଳ: “ନଈରେ ବାଳିଆ ଚହଟିଲା, କଜଳ ସିନ୍ଦୂର ନାଆ ଲୋ ଗୋରୀ, ପୁଣି ଚାଖିଆ ଲେଉଟିଲା।” ପଶ୍ଚିମାଞ୍ଚଳରେ ଛବିଳ ସାଏଙ୍କ ବୀରତ୍ୱର କଥା ମଧ୍ୟ ଝଂକୃତ ହୋଇଥିଲା କବିତାର କମନୀୟତାରେ, “ଉଲି ଉଲି, ଛବିଳ ସାଏ କେ ବାଜଲା ଗୁଲି।” ଜାତୀୟ ମୁକ୍ତି ସଂଗ୍ରାମ ସମୟରେ ଗାନ୍ଧୀଙ୍କ ସ୍ୱଦେଶୀ ସନ୍ଦେଶ ମଧ୍ୟ ଥିଲା କବିତାମୟ: “ଗାନ୍ଧୀ କହିଛନ୍ତି ବୁଲିବୁଲି, କୁଟି ଖାଅ କାଟି ପିନ୍ଧ ବୋଲି।”
ଜଟିଳ ଗଣିତ ଓ ଭୂମାପ କଥା ମଧ୍ୟ କବିତାରେ କହାଯାଇଛି। ତା’ର ଏକ ଉଦାହରଣ ଏହିପରି: “ଦିଶଇ ଦେଉଳ ଏକ ବିଚିତ୍ର ଗଠନ, କ୍ରୋଧଭରେ ଠେଲିଦେଲା ପବନ ନନ୍ଦନ, ଅର୍ଦ୍ଧେକ ପଙ୍କରେ ତା’ର ତୃତୀୟାଂଶ ଜଳେ, ଦଶଭାଗରୁ ଭାଗେ ଯେ ଶିଉଳିର ତଳେ, ଉପରେ ଏଗାର ହାତ ଅଛି ବିଦ୍ୟମାନ, କର ହେ ସୁବୋଧ ଶିଷ୍ୟ ଦେଉଳ ପ୍ରମାଣ।” ଏହା ଲ.ସା.ଗୁ. ସମ୍ପର୍କିତ ପ୍ରଶ୍ନ ହୋଇଥିବା ବେଳେ ଭୂମାପ ଗୀତଟି ମଧ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ- “ଜରିବକୁ କଡ଼ି ମାଗ ଆଠଗଣ୍ଡା କଡ଼ି କଡ଼ି ତତ୍ତ୍ୱ ଆଠ, ଜରିବେ ଜରିବେ ଅଢ଼େଇ ଗୁଣ୍ଠକୁ ମନେ ହେତୁ କର ଚାଟ।”
ଆମ ଚାଷବାସ, ଆଗତନାଗତ ଏପରିକି ସ୍ୱାସ୍ଥ୍ୟରକ୍ଷା, ମାଟିମଟାଳ ଆଦିର ଟିପ୍ପଣୀ ମଧ୍ୟ କବିତାଶ୍ରୟୀ। ନିଜ ମାଟି ଛାଡ଼ି ଦେଶାନ୍ତରୀ ହେଲେ ମଣିଷ ମାଟି ହୋଇଯାଏ ସିନା ତା’ ପେଟ ଭରେ ନାହିଁ। ସେଥିପାଇଁ ଗାଁ ଗଣ୍ଡାରେ ଆଜି ମଧ୍ୟ ମାଟିମନସ୍କତାର ସ୍ୱର  ଶୁଭେ,  ଯେମିତି,  “ଅନ୍ଦର କଉଡ଼ି ପନ୍ଦର ଦିନ ଲୋ କଲିକତା ଟଙ୍କା ମାସେ,  ହିଡ଼ମାଟି ହିଡ଼ରେ ଦେଇ ତାକୁ ଖାଇବୁ ବରଷେ।” ସୁସ୍ଥ ଜୀବନଯାପନର ଅସୁମାରି ମନ୍ତ୍ର ମଧ୍ୟରୁ ଗୋଟିକର ଅବତାରଣା ଆମ ପୂର୍ବଜମାନଙ୍କ ସ୍ୱାସ୍ଥ୍ୟରକ୍ଷା ଚିନ୍ତା ଓ ତା’ର ସରଳ କାବ୍ୟମୟ ପରିପ୍ରକାଶର ଦୃଷ୍ଟାନ୍ତ ବହନ କରେ: ‘ମାଥେ ପଗଡ଼ି ପାୟେ ତେଲ୍, ବଇଦ ସାଙ୍ଗେ କରିବ ଗେଲ୍’।
ତେବେ ଆଧୁନିକତାର ପ୍ରଖର ପ୍ରବାହ ସତ୍ତ୍ୱେ ଆମ ଜୀବନରୁ କବିତାର ଆବେଦନ ବିଲୁପ୍ତ ହୋଇନାହିଁ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦଳୀୟ ଇସ୍ତାହାର ଓ ସରକାରଙ୍କ କାର୍ଯ୍ୟକ୍ରମ ପ୍ରଚାରପ୍ରସାରର ଆଧାର ମଧ୍ୟ କବିତା। ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିବା ପରି କବିତାଭିତ୍ତିକ ସ୍ଲୋଗାନ୍ ପ୍ରାୟ ପ୍ରତି ରାଜନୈତିକ ଦଳର ପ୍ରଚାରର ମାଧ୍ୟମ ପାଲଟିଛି- ସେ ‘ମା’କୁ ସମ୍ମାନ ଗାଁକୁ କାମ’ ହେଉ କି ହେଉ ‘ନୀତି ଭଲ ନେତା ଭଲ’। ଏହିପରି ସ୍ଲୋଗାନ୍‌ର ଛତ୍ରେ ଛତ୍ରେ ଶବ୍ଦର ଲାଳିତ୍ୟ ପରିସ୍ଫୁଟ। ସେମିତି ସରକାରଙ୍କ ପ୍ରଚାର ଗଦ୍ୟ ଅପେକ୍ଷା ଅଧିକ ପଦ୍ୟ ଭିତ୍ତିକ। ଉଦାହରଣ ସ୍ୱରୂପ, ‘ସବ୍ କା ସାଥ୍ ସବ୍ କା ବିକାଶ୍’ ବା ‘ପର୍ ଡ୍ରପ୍ ମୋର୍ କ୍ରପ୍’ ବା ‘ଭୋକାଲ୍ ଫର୍ ଲୋକାଲ୍’ ଇତ୍ୟାଦି।
ବାଣିଜ୍ୟିକ ବିଜ୍ଞାପନଗୁଡ଼ିକ କବିତା ବିନା ପ୍ରାଣଶୂନ୍ୟ ମନେ ହୁଅନ୍ତି। ‘ଅସରନ୍ତି ସମୟ ଅସରନ୍ତି ଆଳାପ’- ଏହି ବିଜ୍ଞାପନଟି କବିତା ନୁହେଁ ତ ଆଉ କ’ଣ? ‘ଶସ୍ତା, ସୁନ୍ଦର, ମଜବୁତ’-କାହାର ସର୍ଜନା କିଏ ଜାଣେ? ତାହା କିନ୍ତୁ ସର୍ବକାଳୀନ ସାହିତ୍ୟ, ବିଜ୍ଞାପନ ଜଗତର ନିତ୍ୟ ନୂତନ ଉଚ୍ଚାରଣ। ପୃଥିବୀର ପ୍ରତି ଦେଶ ପୁଣି କବିତାରେ ନିଜ କଥା କହେ। ଅଛି କି ଏମନ୍ତ ଦେଶଟିଏ ଯହିଁ ନାହିଁ ଜାତୀୟ ସଙ୍ଗୀତ?
କବିତାକୁ ଛାଡ଼ି ଜୀବନ କାହିଁ? ଅବଶ୍ୟ ଜୀବନକୁ ଛାଡ଼ି କବିତା ନାହିଁ।
ମୋ: ୯୪୩୭୧୪୩୮୯୬